ବୈଷମ୍ୟ ସୃଷ୍ଟିକାରୀ ଶିକ୍ଷା ନୀତି

ଶିକ୍ଷା ଆଲୋଚନା - ସଂଘମିତ୍ରା ଜେନା

ଗତ ଜୁଲାଇ ୨୯ ତାରିଖରେ ଜାତୀୟ ଶିକ୍ଷାନୀତି-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ଶିକ୍ଷା ସମ୍ବିଧାନର ଯୁଗ୍ମ ତାଲିକାଭୁକ୍ତ। ଶିକ୍ଷା କ୍ଷେତ୍ରରେ ସିଦ୍ଧାନ୍ତ ନେବାର ଏକକ ଅଧିକାର କେନ୍ଦ୍ରର ନାହିଁ। ରାଜ୍ୟମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ସମ୍ମତିକ୍ରମେ ଶିକ୍ଷାନୀତି ଗ୍ରହଣ କରାଯାଇଥାଏ। କିନ୍ତୁ ଏ କ୍ଷେତ୍ରରେ ତାହା ହୋଇନାହିଁ। ସ˚ଘୀୟ ବ୍ୟବସ୍ଥାକୁ ଉପେକ୍ଷା କରି କେନ୍ଦ୍ର ଏକତରଫା ସିଦ୍ଧାନ୍ତ ନେଇଛି।

ଜାତୀୟ ଓ ଆନ୍ତର୍ଜାତିକ ପରିସ୍ଥିତି ସହ ମେଳ ରଖି ଯେକୌଣସି ଦେଶର ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇଥାଏ। ସମୟର ଚାହିଦା ଓ ବାସ୍ତବତା ଗୋଟିଏ ଜାଗାରେ ସ୍ଥିର ହୋଇ ରହିନଥାଏ। ଏଣୁ ପରିବର୍ତ୍ତନ ଜରୁରୀ। କିନ୍ତୁ ପ୍ରଶ୍ନ ହେଉଛି କେଉଁ ଉଦ୍ଦେଶ୍ୟକୁ ସାମନାରେ ରଖି, କେଉଁ ରାସ୍ତାରେ ଓ କେଉଁ ଦୃଷ୍ଟିଭଙ୍ଗୀରେ ଏହା କରାଯିବ। କୌଣସି ସ୍ବାଧୀନ, ସାର୍ବଭୌମ, ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଦେଶରେ ଜନଗଣଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଶିକ୍ଷାନୀତି ହେବା ଉଚିତ। ନୀତି ଯୁକ୍ତିସଙ୍ଗତ, ବାସ୍ତବତା ଭିତ୍ତିକ, ବିଜ୍ଞାନସମ୍ମତ ଏବ˚ ଆଧୁନିକ ହେବା ଉଚିତ। ଆଗାମୀ ପିଢ଼ିର ଜ୍ଞାନର ବିକାଶ, ଅନୁସନ୍ଧିତ୍ସୁ ମନର ସଂପ୍ରସାରଣ, ଦକ୍ଷତା ଓ ଉଦ୍ଭାବନ କ୍ଷମତାରେ ବୃଦ୍ଧି ହିଁ ଏହାର ମୁଖ୍ୟ ଲକ୍ଷ୍ୟ। କିନ୍ତୁ କେନ୍ଦ୍ର ସରକାର ଏ ଯେଉଁ ଶିକ୍ଷାନୀତି ଘୋଷଣା କରିଛନ୍ତି, ସେଥିରେ ଏସବୁ କିଛି ନାହିଁ।

ତେବେ ଏଥିରେ ଅଛି କ’ଣ? ଜାତୀୟ ଶିକ୍ଷାନୀତି-୨୦୨୦ରେ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରୀକରଣ, କମ୍ପାନୀକରଣ, ବ୍ୟବସାୟୀକରଣ ଏବ˚ ସାମ୍ପ୍ରଦାୟୀକରଣର ମାର୍ଗ ପ୍ରଶସ୍ତ ହୋଇଛି। ଏହି କ୍ରମରେ ସିଲାବସ୍‌ ସ˚ଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଣତନ୍ତ୍ର, ଧର୍ମ ନିରପେକ୍ଷତା, ସ˚ଘୀୟ ବ୍ୟବସ୍ଥା ଓ ବହୁତ୍ବବାଦ ଉପରେ ପ୍ରଚଣ୍ତ ଆକ୍ରମଣ କରାଯାଇଛି। ସ୍କୁଲ ଶିକ୍ଷାରେ ୧୦+୨ ପ୍ରଣାଳୀ ପରିବର୍ତ୍ତେ ୫+୩+୩+୪ ପ୍ରଣାଳୀ ପ୍ରଚଳନ କରି ଶିକ୍ଷା ଗ୍ରହଣର ବିଜ୍ଞାନସମ୍ମତ ପ୍ରକ୍ରିୟା ନଷ୍ଟ କରାଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ସ୍ବାଗତଯୋଗ୍ୟ। ମାତ୍ର ସରକାରୀ ନିୟନ୍ତ୍ରଣ ରହୁ ନ ଥିବାରୁ ଘରୋଇ ଶିକ୍ଷାନୁଷ୍ଠାନମାନେ ପ୍ରଥମ ଶ୍ରେଣୀରୁ ହିଁ ଇ˚‌େରଜୀରେ ପଢ଼ାଉଛନ୍ତି। ଏହି ନୀତି ଲାଗୁ କରିବା ଦ୍ବାରା ଆମ ଦେଶୀୟ ଭାଷା ଓ ଇ˚‌େରଜୀ ଭାଷା ଶିକ୍ଷା ଉଭୟ ଦୁର୍ବଳ ହେବ। ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଦ୍ବାରା ଶୈଶବରୁ ଶ୍ରମ ବ୍ୟବସ୍ଥା ଏବ˚ ପିଲାମାନଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ କମ୍‌ କରି ଶସ୍ତା ଶ୍ରମିକବାହିନୀ ସୃଷ୍ଟି କରାଯିବ। ପିଲା ସ˚ଖ୍ୟା କମ୍‌ ଆଳରେ ସରକାରୀ ସ୍କୁଲ୍‌ ବନ୍ଦ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଜିଲ୍ଲାର ଛୋଟ ଛୋଟ ମହାବିଦ୍ୟାଳୟ ବନ୍ଦ କରାଯାଇ ‘ମଲ୍‌ଟି ଡିସିପ୍ଲିନାରି’ ଅନୁଷ୍ଠାନ ତିଆରି କରାଯିବ। ବିଦେଶୀ ଶିକ୍ଷା ବ୍ୟବସାୟୀ ଗୋଷ୍ଠୀଙ୍କ ଲାଭ ପାଇଁ ୧୦୦ଟି ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌ ଭାରତରେ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଶିକ୍ଷା ପାଇଁ ଜିଡିପିର ୬% ଖର୍ଚ୍ଚ କଥା କୁହାଯାଇଥିଲେ ସୁଦ୍ଧା ତାହା କିପରି ଆସିବ, ସେ ସମ୍ବନ୍ଧରେ କୌଣସି ସ୍ପଷ୍ଟତା ନାହିଁ। ଜାତୀୟ ବଜେଟ୍‌ର ୧୦% ଓ ରାଜ୍ୟ ବଜେଟ୍‌ର ୩୦% ଶିକ୍ଷାରେ ଖର୍ଚ୍ଚ କରାଯିବା ପ୍ରସଙ୍ଗରେ ଏହି ଶିକ୍ଷାନୀତି ନିରବ। କେନ୍ଦ୍ରୀଭୂତ ଅମଲାତାନ୍ତ୍ରିକ ପ୍ରକ୍ରିୟାରେ ଶିକ୍ଷାକୁ ବହୁଜାତୀୟ ପୁଞ୍ଜିର ଲାଭ ଓ ଲୋଭର ଚରିତାର୍ଥ ପାଇଁ UGC, AICTE, PCI, NCTE ଭଳି ସ୍ବାୟତ୍ତ ସ˚ସ୍ଥାମାନଙ୍କୁ ଭାଙ୍ଗି ଗୋଟିଏ ଛତା ତଳେ ଅର୍ଥାତ୍‌ HECI ଅଧୀନରେ ରଖାଯିବ। ବହୁ ପ୍ରସ୍ଥାନ ବିଶିଷ୍ଟ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ ପ୍ରଚଳନ କରାଯାଇ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେବଳ ସାର୍ଟିଫିକେଟ୍‌ କିଣାବିକାର ବ୍ୟବସାୟ କେନ୍ଦ୍ର କରି ଦିଆଯିବ। Drop Out ଓ ଫି-ବୃଦ୍ଧିକୁ ବୈଧାନିକ ମାନ୍ୟତା ଦିଆଯାଇଛି। ଅନ୍‌ଲାଇନ୍‌ ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଇ ଧନୀ-ଗରିବ ଛାତ୍ର ଭିତରେ ଡିଜିଟାଲ୍‌ ବିଭାଜନ ସୃଷ୍ଟି କରାଯିବ। ଅନ୍‌ଲାଇନ୍‌ ଶିକ୍ଷା, ଶ୍ରେଣୀଗୃହରେ ଶିକ୍ଷକ-ଛାତ୍ର ଶିକ୍ଷାଦାନ ବ୍ୟବସ୍ଥାର ବିକଳ୍ପ ନୁହେଁ। ‘ଶିକ୍ଷାର ଭାରତୀୟକରଣ’ କରାଯାଇ ସେକେଣ୍ତାରି ସ୍କୁଲ୍‌ରେ ଇଲେକ୍‌ଟିଭ୍‌ କୋର୍ସ ଭାବେ ଜ୍ୟୋତିଷଶାସ୍ତ୍ର ବା ବାସ୍ତୁଶାସ୍ତ୍ରଆଦି ଭଳି ଅନେକ ବିଜ୍ଞାନ ଦ୍ବାରା ଅସ୍ବୀକୃତ ଦୃଷ୍ଟିଭଙ୍ଗୀଧାରୀ ବିଷୟ ଉପଲବ୍‌ଧ ହେବ। ଏହା ଦ୍ବାରା ଆଧୁନିକ ବିଜ୍ଞାନସମ୍ମତ ଜ୍ଞାନାର୍ଜନ ବାଧାପ୍ରାପ୍ତ ହୋଇ ମଧ୍ୟଯୁଗୀୟ ଅନ୍ଧବିଶ୍ବାସର ବୃଦ୍ଧି କରିବ। ଗବେଷଣାର ବିକାଶ ଦାୟିତ୍ବ ସରକାରଙ୍କ ବଦଳରେ କମ୍ପାନିମାନଙ୍କ ଭରସାରେ ଛାଡ଼ି ଦିଆଯାଇଛି। ସ୍କୁଲ୍‌ କମ୍ପ୍ଲେକ୍‌ସ ଓ ‘ମଲ୍‌ଟି ଡିସିପ୍ଲିନାରି’ ଅନୁଷ୍ଠାନ ଜରିଆରେ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ସମାପ୍ତ କରି ରାଜନୈତିକ ବିଚାରର ପ୍ରଚାର ପାଇଁ ନକ୍‌ସା ପ୍ରସ୍ତୁତ କରାଯାଇଛି। ଡାକ୍ତରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଅବୈଜ୍ଞାନିକ ପଦ୍ଧତି ମଧ୍ୟକୁ ଠେଲି ଦିଆଯାଇଛି। ଛାତ୍ର ସ˚ସଦ ନିର୍ବାଚନ, ବୈଷୟିକ ଅନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ସହଭାଗିତା ଓ ସ୍ପୋର୍ଟସ୍‌ ଭଳି ପ୍ରସଙ୍ଗରେ ନିରବତା ଆଶ୍ଚର୍ଯ୍ୟକର। ଶିକ୍ଷା ଅଧିକାର ଆଇନ ୨୦୦୯ରେ ଥିବା ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନକୁ ଅଭିବୃଦ୍ଧି କରାଇ ୩ରୁ ୧୮ ବର୍ଷ ପର୍ଯ୍ୟନ୍ତ କରାଯାଇଛି। କିନ୍ତୁ ଆବଶ୍ୟକ ବ୍ୟୟବରାଦ ସମ୍ପର୍କରେ ଧାଡ଼ିଟିଏ ମଧ୍ୟ ନାହିଁ। ଶିକ୍ଷା ବିଭାଗର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି। କିନ୍ତୁ କେବଳ ନାମ ପରିବର୍ତ୍ତନରେ କ’ଣ ବିଭାଗର ଦକ୍ଷତା ବୃଦ୍ଧି ସମ୍ଭବ?

ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଯୁକ୍ତି ବାଢୁଥିବା ଏହି ଶିକ୍ଷାନୀତିର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏହା ଲାଗୁ ହେବା ଦ୍ବାରା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ବର୍ଗ ଶିକ୍ଷାରୁ ବଞ୍ଚିତ ହେବେ ଏବଂ ଦେଶରେ ବିଦ୍ୟମାନ ଥିବା ବୈଷମ୍ୟ ଆହୁରି ଉତ୍କଟ ରୂପ ନେବ।

ସଭାପତି, ଏ.ଆଇ.ଏସ୍‌.ଏଫ୍‌, ଓଡ଼ିଶା
ମୋ: ୭୯୭୮୫୭୯୩୯୦

ସମ୍ବନ୍ଧିତ ଖବର