ଖୁସି ପାଇବା କେମିତି!

ଗୀତିକା ପଟ୍ଟନାୟକ

ପୃଥିବୀ ସାରା ମାର୍ଚ୍ଚ ମାସ ୨୦ ତାରିଖକୁ ଆନ୍ତର୍ଜାତିକ ଖୁସି ଦିବସ ଭାବରେ ପାଳନ କରାଯାଉଛି। ବର୍ଷର ଗୋଟିଏ ଦିନକୁ ଖୁସି ଦିବସ ଭାବରେ ସ୍ବୀକୃତି ପ୍ରଦାନ କରିବାର କଳ୍ପନା ଏବଂ ପ୍ରୟାସ ଥିଲା ଜନୈକ ଆମେରିକା ନିବାସୀ ଜାମେ ଇଲିୟାନଙ୍କର। ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ମିଳିତ ଜାତିସ˚ଘର ସାଧାରଣ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ମାର୍ଚ୍ଚ ମାସ ୨୦ ତାରିଖକୁ ଆନ୍ତର୍ଜାତିକ ଖୁସି ଦିବସ ଭାବରେ ଘୋଷଣା କରାଗଲା। ଏହି ଦିବସର ଲକ୍ଷ୍ୟ ହେଉଛି ଜନମାନସରେ ଖୁସିର ମହତ୍ତ୍ବ ଉପରେ ସଚେତନତା ସୃଷ୍ଟି କରିବା। ଆମେ ସମସ୍ତେ ଜାଣିବା ଉଚିତ ଯେ, ଖୁସି ରହିବା ମଣିଷର ଏକ ଅଧିକାର। ଏହି ଅଧିକାରରୁ କେହି ବଞ୍ଚିତ ହେବା ସମୀଚୀନ ନୁହେଁ। ଖୁସି ହେଉଛି ସମସ୍ତଙ୍କ ପାଇଁ ଓ ସବୁଦିନ ପାଇଁ। ଖୁସି ଦିବସକୁ ତା’ର ଉପଯୁକ୍ତ ସମ୍ମାନ ଦେବା ପାଇଁ ଆମେ ଅନ୍ୟମାନଙ୍କୁ ସଚେତନ କରେଇବା ଉଚିତ ଏବ˚ ଯେଉଁ କାମ କଲେ ଆମକୁ ଆତ୍ମତୃପ୍ତି ମିଳିଥାଏ, ଆମେ ସେଭଳି କାମ କରିବା ଆବଶ୍ୟକ।

ଚଳିତ ବର୍ଷର ଖୁସି ଦିବସର ବାର୍ତ୍ତା ହେଉଛି, ଆମେ ସମସ୍ତେ ଶାନ୍ତ, ବିଜ୍ଞ ଏବ˚ ଦୟା ମନୋଭାବର ବିକାଶ ପାଇଁ ଯତ୍ନବାନ ହେବା। ଗତ ବର୍ଷଟି ବିଶ୍ବବ୍ୟାପୀ ବିପତ୍ତିର ବର୍ଷ ଥିଲା। ଏହା ଆମ ସମସ୍ତଙ୍କୁ ଯଥେଷ୍ଟ କଷଣ ଦେଇଛି। ପ୍ରାୟ ବର୍ଷାଧିକ କାଳ ସାମାଜିକ ଦୂରତା ରକ୍ଷା କରିବାର ଅନିବାର୍ଯ୍ୟତା ହେତୁ ମନୁଷ୍ୟମାନେ ପରସ୍ପର ଠାରୁ ଦୂରେଇ ଯାଇ ଅଶେଷ ବିମର୍ଷବୋଧର ଶିକାର ହୋଇଛନ୍ତି। କରୋନା ସଂକ୍ରମଣରେ ପ୍ରିୟ ପରିଜନଙ୍କୁ ହରାଇ ଅନେକ ପରିବାର ଶୋକ ସାଗରରେ ମଗ୍ନ ହୋଇଛି। ଆର୍ଥିକ ଅନଟନ ଯୋଗୁ ଅନେକ ପରିବାରରୁ ହସଖୁସି ଅନ୍ତର୍ଦ୍ଧାନ ହୋଇଯାଇଛି। ସୁତରାଂ, ଏଭଳି ଏକ ଦୁଃଖ ଓ ହତାଶାଭରା ବର୍ଷଟିର ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୨୧ରେ ଖୁସି ଦିବସର ପ୍ରଥମ ସନ୍ଦେଶଟି ହେଲା ଆମେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶାନ୍ତ ଏବ˚ ଅବିଚଳିତ ରହିବା। ସାଂପ୍ରତିକ ଦୁନିଆରେ ସମସ୍ତଙ୍କର ଅଭିଯୋଗ ଯେ ଜୀବନ କ୍ରମଶଃ ଜଟିଳ ଏବ˚ ଯାନ୍ତ୍ରିକ ହେବାରେ ଲାଗିଛି। ଜୀବନରେ ନୂତନତା ପରିଲକ୍ଷିତ ହେଉନାହିଁ ଏବଂ ଅନୁସନ୍ଧିତ୍ସାର ଅଭାବ ମଧ୍ୟ ରହୁଛି। ପ୍ରତ୍ୟେକ ମଣିଷ ଗତାନୁଗତିକ ରୀତିରେ ତା’ର ନିତିଦିନିଆ କାର୍ଯ୍ୟ କରି ଚାଲିଛି। ଦୁନିଆ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହୋଇଥିବାରୁ ଅହେତୁକ କାର୍ଯ୍ୟଭାରର ଚାପରେ ସମସ୍ତେ ଭାରାକ୍ରାନ୍ତ ଏବ˚ ବ୍ୟତିବ୍ୟସ୍ତ। ରାତି ଦିନ ପରିଶ୍ରମ କରି ମଣିଷ ଭାବୁଛି ଯେ ଗୋଟିକ ପରେ ଗୋଟିଏ ଶିଡ଼ି ଚଢ଼ି ଚାଲିବା ହେଉଛି ସଫଳତା। ବାସ୍ତବରେ ନିଜକୁ ପ୍ରତି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ମୂଷା ଦୌଡ଼ରେ ସାମିଲ କରିବା ଦ୍ବାରା ସେ ନିଜ ପାଇଁ ଆଦୌ ସମୟ କାଢ଼ି ପାରୁନାହିଁ। ପ୍ରକୃତରେ ସେ ନିଜେ କ’ଣ ଚାହେ ବା କ’ଣ ପାଇଲେ ସେ ଖୁସି ହେବ; ସେ ସମ୍ବନ୍ଧରେ ସ୍ପଷ୍ଟ ଧାରଣାଟିଏ ମଧ୍ୟ ସୃଷ୍ଟି କରିପାରୁନାହିଁ ବା ସେ ସବୁ ବାବଦରେ ଚିନ୍ତା କରିବାକୁ ମଧ୍ୟ ତାର ସମୟ ନାହିଁ। ଖୁସିର ସ୍ବାଦ ଅନୁଭବ କରିବା ପାଇଁ ମଣିଷ ସାମାଜିକ ପ୍ରତିଷ୍ଠା, ପଦୋନ୍ନତି ଏବ˚ ଅନ୍ୟର ପ୍ରଶ˚ସା ଉପରେ ନିର୍ଭର କରୁଛି। ଅନ୍ୟକୁ ଖୁସି କରେଇବାକୁ ଯାଇ ସେ ନିଜେ ନିଜ ଲାଗି ଖୁସି ସୃଷ୍ଟି କରୁଥିବାର ଭ୍ରମ ମଧ୍ୟରେ ବଞ୍ଚୁଛି, ଯାହା ଆଜିକାଲିର ସାମାଜିକ ଗଣମାଧ୍ୟମ ଯେମିତି କି ଫେସବୁକ୍‌ ଇତ୍ୟାଦିରେ ‘ଲାଇକ୍‌’ କରିବା ବା ‘ଲାଇକ୍‌’ ଅର୍ଜନ କରିବାରେ ପରିଲକ୍ଷିତ ହେଉଛି ଏବଂ ସେତିକିରେ ସୀମିତ ରହୁଛି। କିନ୍ତୁ ତାହା ଯେ ପ୍ରକୃତ ସୁଖର ଅନୁଭବ ନୁହେଁ, ତାହା ବୁଝି ନ ପାରି ନିଜକୁ ବଞ୍ଚିତ କରି ରଖୁଛି। ବାସ୍ତବରେ ଜଣେ ବିଜ୍ଞ ବ୍ୟକ୍ତି ତା’ର ଜୀବନକୁ ଅପେକ୍ଷାକୃତ ସରଳ କରିଦିଏ। ମଣିଷ ଯେତେବେଳେ ମନକୁ ନିଜ ଆୟତ୍ତରେ ରଖିପାରେ, ସେତେବେଳେ ସାରା ପୃଥିବୀ ତା’ର ନିୟନ୍ତ୍ରଣରେ ରହେ। ପ୍ରତିଦିନ ପ୍ରାତଃ ସମୟରେ ନିଜ ପାଇଁ କିଛି ସମୟ ବାହାର କରି ଏକାଗ୍ର ଚିତ୍ତରେ ଏଇ ସୁନ୍ଦର ପୃଥିବୀକୁ ନିଜ ଭିତରେ ଅନୁଭବ କରିବା ଉଚିତ। ନିଜକୁ ନିଜ ଭିତରେ ହଜାଇ ଦେବାର ଏକ ସୁନ୍ଦର ମାଧୢମ ହେଉଛି ପ୍ରକୃତି। ପ୍ରକୃତିରେ ଯାହା ସବୁ ସ୍ବାଭାବିକ ଭାବେ ଘଟିଥାଏ; ଯେପରି କି ପ୍ରଭାତର ସୂର୍ଯ୍ୟ ଉଦୟ, ପକ୍ଷୀର କାକଳି, ସତେଜ ସବୁଜ ଘାସର ମୁଲାୟମ ଉପସ୍ଥିତି ଏବ˚ ସୂର୍ଯ୍ୟାସ୍ତର ଗୋଧୂଳି ବେଳା; ସବୁ କିଛି ଆମ ପାଇଁ ଖୁସି ଏବ˚ ପ୍ରେରଣାର ଉତ୍ସ ହୋଇପାରିବ।

ଏଇ ବର୍ଷର ଖୁସି ଦିବସର ଅନ୍ୟ ଏକ ସନ୍ଦେଶ ହେଉଛି ଅନ୍ୟକୁ ସମ୍ମାନ ଦେବାର ନୀତିଗତ ଆଦର୍ଶ ତଥା ଅନ୍ୟର ସୁଖସ୍ବାଚ୍ଛନ୍ଦ୍ୟ ପ୍ରତି ଧୢାନ ଦେବାରେ ଆଗ୍ରହ ସୃଷ୍ଟି। ପରର ସୁଖ ଦୁଃଖରେ ଭାଗୀଦାର ହେବା ଏକ ହୃଦୟବାନ ବ୍ୟକ୍ତିର ଲକ୍ଷଣ। ନିଃସ୍ବାର୍ଥପର ଭାବରେ ଅନ୍ୟକୁ ସାହାଯ୍ୟ କଲେ ମଣିଷ ପ୍ରକାରାନ୍ତରେ ତା’ର ନିଜର ହିତ ସାଧନ କରିଥାଏ। ଅନ୍ୟର ଆତ୍ମପ୍ରତ୍ୟୟ ଏବ˚ ମନୋବଳ ବୃଦ୍ଧି ପାଇଁ ତାକୁ ପ୍ରଶ˚ସା କରିବାରେ କାର୍ପଣ୍ୟ ପ୍ରକାଶ କରିବା ଅନୁଚିତ। ହୁଏ’ତ ଅନ୍ୟକୁ ସାହାଯ୍ୟ କରିବା ଲାଗି ଆମ ନିକଟରେ ଅର୍ଥବଳ ନ ଥାଇପାରେ, କିନ୍ତୁ ଆମେ ଶ୍ରଦ୍ଧା ଓ ସହାନୁଭୂତି ପ୍ରଦର୍ଶନ କରିପାରିବା। ଅନ୍ୟର ବିପଦଆପଦ ସମୟରେ ଆମେ ଉପସ୍ଥିତ ରହି ପାରିବା ଓ ସହ‌େଯାଗର ହାତ ବଢ଼ାଇ ପାରିବା। ଅନ୍ୟକୁ ସାହାଯ୍ୟ କଲେ ଯେଉଁଭଳି ଖୁସି ମିଳିଥାଏ, ତାର ପଟାନ୍ତର ନାହିଁ।

ମଣିଷ କେତେବେଳେ ଖୁସି ହୁଏ ବା କେଉଁ କ୍ଷଣ ମଣିଷକୁ ଖୁସି କରାଏ? ଏହାର ଉତ୍ତର ହେଲା ବାସ୍ତବରେ ପ୍ରତ୍ୟେକ ମୁହୂର୍ତ୍ତ ଆମକୁ ଖୁସି ହେବା ପାଇଁ ସୁଯୋଗ ଦେଇଥାଏ। ଆମର ନିଜର ଭାବନା, ଚିନ୍ତାଧାରା ଉପରେ ମୁଖ୍ୟତଃ ଆମର ଖୁସି ନିର୍ଭର କରିଥାଏ। ସାଧାରଣ ଭାବରେ ଆମ ପାଖରେ ଯାହା କିଛି ଥାଏ ଆମେ ସେ ସବୁକୁ ବିଶେଷ ଗୁରୁତ୍ବ ଦେଇ ନ ଥାଉ। ଆମେ ପାଇଥିବା ଜିନିଷକୁ ଉପଭୋଗ କରିବା ଆମର ଜନ୍ମଗତ ଅଧିକାର ବୋଲି ମନେ କରୁ। ଆମ ପାଖରେ ଯାହା ସବୁ ନାହିଁ, ତାହା ପାଇଗଲେ ଆମେ ଖୁସି ହେବୁ ବୋଲି ଭାବିଥାଉ। ତେଣୁ, ଖୁସିର ମୃଗତୃଷ୍ଣା ପଛରେ ଧାଉଁ, ଯାହା ମଣିଷର ସବୁଠାରୁ ବଡ଼ ନିର୍ବୋଧତା ଏବ˚ ତା’ର ଦୁଃଖ ଏବ˚ ହତାଶାର କାରଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଯାହା କିଛି ଆମର ଅଛି ସେଥିରେ ସନ୍ତୁଷ୍ଟ ରହିବା ହେଉଛି ସୁଖମୟ ଜୀବନ ଜିଇବାର ଏକ ବାଟ। କିନ୍ତୁ ଏହା ଏକ ସୂକ୍ଷ୍ମ ଜୀବନ କଳା, ଯାହାକୁ ହାସଲ କରିବା ସହଜ ନୁହେଁ। ଏଥି ଲାଗି ମନଃସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେବ। କିନ୍ତୁ ଥରେ ସେଭଳି ମନୋଭାବ ସୃଷ୍ଟି ହୋଇଗଲେ ଜୀବନ ଆନନ୍ଦମୟ ହୋଇଉଠେ। ମଣିଷର ସବୁଠାରୁ ବଡ଼ ଏବ˚ ପୁରୁଣା ଇଚ୍ଛା ବା ଅନ୍ବେଷା ହେଉଛି ଖୁସି। ବାସ୍ତବ ଖୁସି ଏକ ଅନନ୍ୟ ଅନୁଭବ। ଏହା ଆତ୍ମ ସନ୍ତୋଷ ବା ପରିତୃପ୍ତି ପ୍ରଦାନ କରିଥାଏ। ନାରୀ, ପୁରୁଷ, ଧନୀ, ଦରିଦ୍ର, ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ଇଚ୍ଛା ସେମାନେ କେମିତି ଖୁସିରେ ରହିବେ। ତେବେ ଖୁସି ଏକ ବସ୍ତୁ ନୁହେଁ ଯେ କେଉଁ ଅଦୃଶ୍ୟ ଶକ୍ତି ଆସି ଆମ ହାତରେ ତାହା ଦେଇଦବ କିମ୍ବା ଆମେ ବଜାରକୁ ଯାଇ କିଣି ଆଣିବା। ଆହୁରି ମଧୢ ଖୁସିର ସ˚ଜ୍ଞା ପ୍ରତ୍ୟେକଙ୍କ ପାଇଁ ଭିନ୍ନ। ଖୁସି ଆସେ ନିଜ ମନ ଭିତରୁ, ନିଜ ହୃଦୟରୁ। ଏହା ଏକାନ୍ତ ଭାବରେ ନିଜସ୍ବ। ଆମ ଚାରିପାଖର ସମାଜକୁ ଅନୁଧୢାନ କଲେ ଆମେ ଜାଣି ପାରିବା କିଛି ଲୋକଙ୍କ ପାଖରେ ସବୁକିଛି ଥାଇ ବି ସେମାନେ ଖୁସିରେ ରହି ପାରୁନାହାନ୍ତି। ଅଥଚ ଅଭାବ, ଅସୁବିଧାରେ ଥିବା ମଣିଷଟିଏ ପରିସ୍ଥିତିକୁ ସାଦରେ ଗ୍ରହଣ କରିନେଇ କୌଣସି ଅସନ୍ତୋଷ ପ୍ରକା‌ଶ ନ କରି କିମ୍ବା ଆପତ୍ତି ନ କରି ଖୁସିରେ ଦିନ କାଟୁଛି। ଆମେ ଭାବିଥାଉ ଯେ ଲୋକଟି ଦୁର୍ବଳ, ନିରୁପାୟ; ଏ ସବୁ ଭିତରେ ସେ ଖୁସି ହେଇ ପାରୁଛି କିପରି? କେମିତି ସେ ମନ ଭରି ହସି ପାରୁଛି? ଅନ୍ୟକୁ ଈର୍ଷା କରିବା ପରିବର୍ତ୍ତେ ଖୋଲା ହୃଦୟରେ ଭଲ ପାଇ ପାରୁଛି କିପରି?

ନିକଟରେ ଜର୍ମାନୀରେ ଜନ୍ମିତ ଏଡ୍‌ଡି ଜାକୁ (Eddie-Jaku)ଙ୍କର ଜୀବନୀ ପଢ଼ିବାର ସୁଯୋଗ ମିଳିଲା। ନାଜିମାନଙ୍କ ଦ୍ବାରା ମରଣାନ୍ତକ ଭାବରେ ଅତ୍ୟାଚାରିତ ହୋଇଥିବା ସତ୍ତ୍ବେ ମୃତ୍ୟୁ ମୁଖରୁ କୌଣସିମତେ ବଞ୍ଚି ଯାଇଥିବା ବ୍ୟକ୍ତି ହେଉଛନ୍ତି ସେ। ଏତେ ସବୁ ଦୁଃଖ, କଷ୍ଟ, ନିର୍ଯାତନା ସତ୍ତ୍ବେ ସେ କେବଳ ଶତାୟୁ ପୁରୁଷ ଭାବରେ ବଞ୍ଚି ନାହାନ୍ତି; ନିଜକୁ ପୃଥିବୀର ସବୁଠାରୁ ସୁଖୀ ମଣିଷ ଭାବରେ ବର୍ଣ୍ଣନା କରିଛନ୍ତି। ଏଥିରୁ ଆମେ ଜାଣିବା ଉଚିତ ଯେ ଖୁସିରେ ରହିବା ପାଇଁ ଅଭାବ, ଅସୁବିଧା, ଦୁଃଖ, କଷ୍ଟ କେବେହେଲେ ପ୍ରତିବନ୍ଧ ନୁହେଁ। ମୃଗର ନାଭିରେ ଥିବା କସ୍ତୁରୀ ପରି ଖୁସି ଆମ ମନ ଭିତରେ ଥାଏ। ଫୁଲଟିଏ ଯେପରି ପର ଆପଣା ବିଚାର ନ କରି ସମସ୍ତଙ୍କୁ ତା’ର ସୌନ୍ଦର୍ଯ୍ୟ ଏବ˚ ସୁଗନ୍ଧରେ ଆନନ୍ଦ ଦେଇଥାଏ, ସେମିତି ନିଃସ୍ବାର୍ଥପର ଦାନରେ ପ୍ରକୃତ ଖୁସି ନିହିତ ରହିଥାଏ। କଥାରେ କହନ୍ତି, ‘ସୁଖ ବାଣ୍ଟିଲେ ବଢ଼େ’; ଆମର ସାନବଡ଼ ଖୁସିିକୁ ଆମେ ପରିବାର ଭିତରେ, ସାଙ୍ଗସାଥୀ ମେଳରେ ବାଣ୍ଟିବା ଦ୍ବାରା ଆମର ମନ, ହୃଦୟ ସତେଜ ରହେ।

ମଣିଷର ପାଇବାର ଇଚ୍ଛା ଅସୀମ। ମନ ଯାହା ଚାହେଁ, ସବୁବେଳେ ସେପରି ଘଟେ ନାହିଁ। ଯାହା ସବୁ ଘଟିଯାଏ ମନ ହୁଏ’ତ ସେଇ ସବୁ ଚାହିଁ ନ ଥାଏ। ପ୍ରକୃତିର ନିୟମ ଏବ˚ ଜୀବନରେ ଅପ୍ରତ୍ୟାଶିତ ଭାବରେ ଘଟିଯାଉଥିବା ଭଲମନ୍ଦ ପ୍ରତ୍ୟେକ ଘଟଣାର ଅନୁଭୂତିକୁ ସାଙ୍ଗରେ ନେଇ ଆଗେଇବାକୁ ହୁଏ। ଜୀବନକୁ ସବୁବେଳେ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ମନକୁ ଆୟତ୍ତରେ ରଖି ପାରିଲେ ଜୀବନ ସରସ, ସୁନ୍ଦର ଏବ˚ ସୁଖମୟ ହୁଏ।

ଏହି ମର୍ମରେ ଶେଷରେ ଛୋଟ ଗପଟିଏ ଶୁଣନ୍ତୁ। ଜଣେ ସାଧୁ ଥିଲେ। ବର୍ଷକର ଗୋଟିଏ ଦିନ ସେ ଯେଉଁ ବର ଦେଉଥିଲେ ତାହା ଫଳି ଯାଉଥିଲା। ସୁତରାଂ, ସେହି ଦିନ ତାଙ୍କ ପାଖକୁ ବହୁତ ଲୋକ ଯାଉଥିଲେ। ସେମିତି ଜଣେ ଲୋକ ଯାଇ ବର ମାଗିଲା ଯେ ମୋର ଘରକୁ ସୁନାରୁପାରେ ଭରିଦିଅ। ସାଧୁ ତଥାସ୍ତୁ ବୋଲି କହିଲେ। ଲୋକଟି ଭାରି ଖୁସିରେ ଘରକୁ ଫେରିଲା, କିନ୍ତୁ କ୍ରମେ ଦେଖିଲା ଯେ ଏ ସବୁ ଧନସଂପତ୍ତି ତାର ଚିନ୍ତା ବଢ଼ାଇଛି। ଚୋରି ଭୟ‌େର ରାତିରେ ନିଦ ହେଉନାହିଁ। ତା’ ଚାରି ପାଖରେ ଶତ୍ରୁ ବଢ଼ି ଯାଇଛନ୍ତି। ସେ ବିବ୍ରତ ହୋଇ ଉଠିଲା। କିନ୍ତୁ ସେ ବରଟିକୁ ଫେରାଇ ନେବାକୁ ତାକୁ ବର୍ଷର ସେହି ଦିନକୁ ଅପେକ୍ଷା କରିବାକୁ ପଡ଼ିଲା‌। ତେବେ ସେହି ନିର୍ଦ୍ଦିଷ୍ଟ ଦିନ ସେ ସାଧୁଙ୍କ ଠାରେ ବର ଫେରାଇ ନେବା ଲାଗି ପ୍ରାର୍ଥନା କରିବାରୁ ସାଧୁ ପଚାରିଲେ- ତାହା ହେଲେ ତୁ ସୁନାରୁପା ମାଗିଲୁ କିଆଁ? ତୁ ଚାହୁଁଛୁ କ’ଣ?
ଲୋକଟି କହିଲା- ମୁଁ ପ୍ରକୃତରେ ସୁଖ ଚାହେଁ।

ସାଧୁ କହିଲେ- ତାହା ହେଲେ ସିଧା ସିଧା ସୁଖ ମାଗୁ ନ ଥିଲୁ କାହିଁକି?

ଏହା ହେଉଛି ଏକ ବିଡ଼ମ୍ବନା। ଆମକୁ ପ୍ରକୃତରେ କ’ଣ ସୁଖ ଦେବ ତାହା ଆମମାନଙ୍କ ଭିତରୁ ଅନେକ ଜାଣୁନା!
(ଆନ୍ତର୍ଜାତିକ ଖୁସି ଦିବସ ଉପଲକ୍ଷେ)

ପୂର୍ବତନ ସଭାପତି, ରାଜ୍ୟ ପ୍ରବରଣ ମଣ୍ତଳୀ, ଉଚ୍ଚଶିକ୍ଷା ବିଭାଗ
ମୋ: ୮୨୪୯୬୨୬୭୮୫
[email protected]

ସମ୍ବନ୍ଧିତ ଖବର