ସରୋଜ କୁମାର ସାମଲ

ହୀରା ଖାଲି ଐଶ୍ୱର୍ଯ୍ୟର ରତ୍ନ ପଥର ନୁହେଁ। ମୌରସିର ଏକ ଆହ୍ଲାଦ। ପ୍ରଗତିରେ ଲମ୍ବା ଡିଆଁ ପାଇଁ ମଜବୁତ ଆଶ୍ୱାସ। ସେଥିପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ-୨୦୨୫ରେ ଇଲେକ୍‌ଟ୍ରୋନିକ୍‌ସ କ୍ଷେତ୍ରରେ ସେମିକଣ୍ଡକ୍ଟରର ନୂଆ ପରିଚିତି ହେଉଛି, ଡିଜିଟାଲ ହୀରା। ଏହି ଆଖ୍ୟାୟିକାରେ ସେମିତି ଆମ ବୁନିୟାତର ସାଧାରଣ ବା ପ୍ରଶାସନିକ ସେବା; ୧୮୫୫ରୁ ଆରମ୍ଭ ଆଇସିଏସ୍‌ ଓ ଏବର ଆଇଏଏସ୍‌ ହୋଇଛି ଆମ ଶାସନ ସଂସାଧନର ହୀରା। 
ଅବୟବର ବାହ୍ୟ ଚର୍ଯ୍ୟା ବେଳେବେଳେ ଆତ୍ମା ଶୋଧନର ବାଧକ ହେଉଛି, ତା’ ଭିନ୍ନ କଥା, ଯେଉଁଥି ପାଇଁ ଦାୟୀ ବ୍ୟବସ୍ଥା ଓ ଆମ ମାନସିକତା। କିନ୍ତୁ ଶାସନ ତନ୍ତ୍ରର ବୈଦୁର୍ଯ୍ୟରେ ମଣ୍ଡିତ ହୋଇଥିବା ଆମ ମାଟିର କେତେ ଜଣ ନିରଳସ ସାଧକଙ୍କ ବିଷୟରେ ସାହିତ୍ୟ ଓ ଇତିହାସ ସୁବିଚାର କରିନାହିଁ। ଯେତେ ଆଲୋଚନା ମୁଖ୍ୟତଃ, ରାଜନେତା, ସଂଗ୍ରାମୀ, ସାହିତ୍ୟିକ, କଳାକାର ଓ କ୍ରୀଡ଼ାବିତ୍‌ କୈନ୍ଦ୍ରିକ ହୋଇଛି। 
ଆଇସିଏସ ଅଧିକାରୀଙ୍କ ଭ୍ରମଣ ରାଜକୀୟ ପରିଚ୍ଛଦ ଭୂଷିତ ଘୋଡ଼ା, ଜମାଦାର, ଦାରୋଗା, ପରିଚାରକ ଓ ଟି-ମଡେଲ ଫୋର୍ଡ କାରର ଭୀତି ମିଶ୍ରିତ ଭକ୍ତି ସଂଚାରକାରୀ ଥିଲା। କିନ୍ତୁ ବିପରୀତ ଥିଲେ ବ୍ରିଟିସ ଇଣ୍ଡିଆର ପ୍ରଥମ ଓଡ଼ିଆ ଆଇସିଏସ ନୀଳମଣି ସେନାପତି। ପାଦରେ ଚାଲୁଥିଲେ, ସାଇକେଲ ଗଡ଼ାଉଥିଲେ ଶହ ଶହ କିଲୋମିଟର। ରାସ୍ତା ନ ଥିଲା କି ପୋଲ ନ ଥିଲା। ପୁଣି, ଜନ୍ତୁପୂର୍ଣ୍ଣ ଜଙ୍ଗଲ, ପାହାଡ଼ ଓ ନଦୀନାଳ ଘେରା ପୂର୍ବ-ଭାରତର ଏହି ମାଳ ଓ ସମୁଦ୍ରକୂଳିଆ ଭୂମି। ସାଂପ୍ରତିକ ବିହାର ଅନ୍ତର୍ଗତ ଆରାରେ ଆଇସିଏସ ଶିକ୍ଷାନବୀଶ ଓ ସହକାରୀ କଲେକ୍‌ଟର। ପରବର୍ତ୍ତୀ ପୋଷ୍ଟିଂ ବକ୍‌ସାର ଏସଡିଓ। ୧୯୨୨ର ବିହାର। ସାଇକେଲ୍‌ରେ ଯାଇ ଚୌକିଦାରି ଟିକସର କ୍ଷେତ୍ର ତଦନ୍ତ କରିବା ଠାରୁ ଆରମ୍ଭ କରି, ଦୁର୍ବିପାକ ସ୍ଥାନ ପରିଦର୍ଶନ ଓ ପୁଣି ଜମିଜମା ମକଦ୍ଦମାର ଫଏସଲା ପାଇଁ କ୍ୟାମ୍ପ୍‌। ଘୋଡ଼ାରେ ଅସ୍ଥାୟୀ ଶିବିରର ସାମଗ୍ରୀ। ଜଙ୍ଗଲ ଭିତରେ ତମ୍ବୁ। ଧୁ ଧୁ ଖରାର ଗରମ ଓ ଗଛ ଛାଇରେ ଘଣ୍ଟା ଘଣ୍ଟା ଶୁଣାଣି, ବିବରଣୀ ଲେଖା ଓ ଫଏସଲାର ଆଦେଶ। ସରକାରୀ ପ୍ରଦତ୍ତ, ଲାଇସେନ୍‌ସପ୍ରାପ୍ତ ବନ୍ଧୁକରେ କୃଷ୍ଣସାର  ଓ ବାଗେରୀ ପକ୍ଷୀର ଶିକାର। କଷ୍ଟ ଓ ଆମୋଦର ଫେଣ୍ଟାଫେଣ୍ଟି ଆଦ୍ୟ ପ୍ରଶାସକ ଜୀବନ। 
୧୮୬୩ରେ ପ୍ରଥମ ଭାରତୀୟ ଆଇସିଏସ ବଙ୍ଗରୁ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଭାଇ ସତ୍ୟେନ୍ଦ୍ରନାଥ। ୧୯୨୨ରେ ଆମ ରାଜ୍ୟରୁ, ବାଲିପାଟଣା ନିକଟବର୍ତ୍ତୀ ଗାରେଡ଼ିପାଞ୍ଚଣ ଗାଁରୁ ନୀଳମଣି। ରେନେସାଁର ପ୍ରଭେଦ ଥିଲା ପ୍ରାୟ ଷାଠିଏ ବର୍ଷ। ପାଞ୍ଚ ବର୍ଷ ବୟସରେ ପରିବାରର ବୟସ୍କମାନଙ୍କ ସାଙ୍ଗରେ ବଳଦଗାଡ଼ିରେ ଶିଶୁ ନୀଳମଣିଙ୍କ କୋଣାର୍କ ଚନ୍ଦ୍ରଭାଗା ବୁଡ଼ ପାଇଁ ଯାତ୍ରା। ୧୯୦୩ ଫେବ୍ରୁଆରି ମାସ। ଆଉ ଗୋଟିଏ ଗାଡ଼ିର ବୟସ୍କମାନଙ୍କୁ ଚାନ୍ଦୁରେ ଥିବା ନୀଳମଣିଙ୍କୁ ଦେଖେଇ ଦିଆଗଲା। ତାଙ୍କ ମଧ୍ୟରେ ଗୋଟିଏ ନାକ କାନ୍ଦୁରୀ ଶିଶୁ ଝିଅଟିଏ ଥିଲା। ଟୁପୁରାଟୁପୁରି ଚାଲିଲା-ଯୋଡ଼ିଟି ଭଲ ହେବ। ଝିଅଟି ଡରି ଓହ୍ଲାଇଲା ନାହିଁ। କାନ୍ଦ କାନ୍ଦରେ ଛୋଟିଆ ପରିବେଶଟି ଫାଟି ପଡ଼ିଲା। ବଡ଼ମାନେ ପ୍ରକୃତିସ୍ଥ ହେଲେ, ଭାବିଲେ ବିଧିର ବିଧାନ ଅନ୍ୟ କିଛି। କୁସଂସ୍କାରର ପ୍ରଥାଟି ଆପେ ଆପେ ଲେଉଟାଣି ମୋଡ଼ ନେଲା। ନୀଳମଣି ତ ଓଡ଼ିଶାର ମଣି ହେବେ! ସେଇଠି ତାଙ୍କ ଜୀବନର ଥୁକୁଲୁ ପଡ଼ିଥାଆନ୍ତା କିଭଳି? ତେବେ, ରକ୍ଷଣଶୀଳତା ଓ ସାଧନର ବେଶ କିଛି ଉପଲବ୍‌ଧି ନ ଥିବା ଏଭଳି ଏକ ପରିବେଶରୁ ରେଭେନ୍‌ସା ମହାବିଦ୍ୟାଳୟ, କେମ୍ବ୍ରିଜ, ଭାରତ ଓ ଆଟଲାଣ୍ଟିକ ମହାସାଗରରେ ସୁଭାଷ ବୋଷଙ୍କ ସହ ଜଳଯାତ୍ରା, କେମ୍ବ୍ରିଜ୍‌ରେ ପାଠ, ବିଲାତରେ ଆଇସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ୧୯୨୨ ଜାନୁଆରି ୪ରେ ବମ୍ବେରେ ପୁଣି ପ୍ରତ୍ୟାବର୍ତ୍ତନର ପାଦ- ଉତ୍କଣ୍ଠାପୂର୍ଣ୍ଣ ଯେତିକି, ଆଜିର କିଶୋର-କିଶୋରୀ ଓଡ଼ିଆଙ୍କ ପାଇଁ ପ୍ରେରଣାଦାୟୀ ସେତିକି। ନୀଳମଣି ସାହେବୀ ବୃତ୍ତିରେ ଯୋଗ ଦେବା ପୂର୍ବରୁ ଗାଁକୁ ୧୨ ଦିନର ବିରତି କାଟିବା ପାଇଁ ଫେରିଥିଲେ ‘ନୀଳକାନ୍ତ ମଣି’ ହୋଇ। 
ହୁଏତ ଚନ୍ଦ୍ରଭାଗା ବୁଡ଼ର ସେହି ଘଟଣା ବାଳୁତ ମନରେ କିଛି ରେଖାପାତ କରିଥିଲା। କକେଇଙ୍କ ପାଖରେ ବାରିପଦାର ସ୍କୁଲ ଶିକ୍ଷା ସମୟରେ ନିଜର ଆଦର୍ଶବାଦୀ ଶିକ୍ଷକଙ୍କ ଦ୍ୱାରା ପ୍ରଭାବିତ ହୋଇ ନିକଟବର୍ତ୍ତୀ ବରୁଣେଇ ପାଟ ଶିବ ମନ୍ଦିରରେ ବିଧବା ବିବାହ କରିବାର ଶପଥ ନେଇଗଲେ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନୀ ପାଠ କରି ତାଙ୍କରି ଚେତନାରେ ଉଦ୍‌ବୁଦ୍ଧ ହୋଇଥିଲେ। ଘଟଣାଚକ୍ରରେ ଜଣେ ବିଧବାଙ୍କର ହାତ ଧରିଥିଲେ। ସ୍କୁଲ ପରିଦର୍ଶିକା ଇନ୍ଦୁମତୀ ଦତ୍ତ; ପରିବାର ହଜାରିବାଗବାସୀ। ପାଟନାରେ ଏକ ସାମାଜିକ କାର୍ଯ୍ୟକ୍ରମରୁ ଦେଖା। 
ନୀଳମଣିଙ୍କ ରୁଚିର ପରିଧି ବ୍ୟାପକ ଥିଲା। ଭଲ ଶିକାରୀ ଥିଲେ; ଚାକିରି ଅବଧିରେ ପାଖାପାଖି ଶହେ ରାତି ଜଙ୍ଗଲରେ ମଞ୍ଚା ଉପରେ କାଟିଛନ୍ତି। ବାଘକୁ ସାମନାରେ ଦେଖିଛନ୍ତି ତ ପୁଣି ଭାର ବାଉଁଶରେ ବିଷାକ୍ତ ଲମ୍ବା ସାପକୁ ଛୁରୀରେ ଦିଗଡ଼ କରିଛନ୍ତି। ସେତେବେଳେ ଅନୁମତି ଥିଲା। ପଚାଶ ପାଖାପାଖି ବାଘ ମାରିଥିବେ। ନୀଳମଣିଙ୍କ କାର୍ଯ୍ୟର ଦୁଇଟି ଛୋଟ ଦୃଷ୍ଟାନ୍ତ ରହିଛି। ବକ୍‌ସାରରେ ଏକ ଦୁର୍ଗ ଥିଲା ଏସଡିଓଙ୍କ ବାସଗୃହ। ଚାରିପଟେ ଶୁଷ୍କ ଗଡ଼ଖାଇ। ଟେନିସ କୋର୍ଟରେ ସହଧର୍ମିଣୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏକ ନାଟକ ସନ୍ଧ୍ୟା ହେଲା। ଷ୍ଟିମ ଇଞ୍ଜିନ ସାହାଯ୍ୟରେ ବିଜୁଳି ବାହାର କରି ରଙ୍ଗମଞ୍ଚକୁ ଆଲୋକିତ କରାଗଲା। ଯାତ୍ରା ଅପେକ୍ଷା ଲୋକେ ବିଦ୍ୟୁତ୍‌ ଆଲୋକ ଦେଖିଲେ। ସଂଗୃହୀତ ତିନିଶ ଟଙ୍କା ନୂଆ କରି ଆରମ୍ଭ ହୋଇଥିବା ବାଳିକା ପ୍ରାଥମିକ ବିଦ୍ୟାଳୟକୁ ଗଲା। ପୁରୀ ଜିଲ୍ଲାପାଳ ଦାୟିତ୍ୱର ସମୟ। କୋଣାର୍କ ମନ୍ଦିର ପଥର କାନ୍ଥର ଖୋଦେଇରୁ ଇଞ୍ଚେ ବହଳର ଶିଉଳିକୁ କାଢ଼ି ସ୍ବେଚ୍ଛାରେ ଜିଲ୍ଲାପାଳ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ବନ୍ଧୁ ପ୍ରାଣକୃଷ୍ଣ ପରିଜାଙ୍କ ନିକଟକୁ ପଠେଇଥିଲେ। ଅଣୁବୀକ୍ଷଣ ଯନ୍ତ୍ରରେ ୩୫୭ଟି ସ୍ତରର ପର୍ଯ୍ୟବେକ୍ଷଣ ହେଲା। ସିଦ୍ଧାନ୍ତ ହେଲା, ବର୍ଷକୁ ଗୋଟିଏ ସ୍ତର ହିସାବରେ ଶିଉଳିର ବୟସ ୩୫୭ ବର୍ଷ; ଆକଳନ କରାଗଲା ଯେ ୧୫୭୩ ମସିହା ଠାରୁ ମନ୍ଦିର ପରିତ୍ୟକ୍ତ ହୋଇ ରହିଛି।
ସାଧାରଣତଃ ପ୍ରାଦେଶିକ ସେବା କିମ୍ବା ବନ୍ଦୋବସ୍ତ/ଚକବନ୍ଦୀ ଅଧିକାରୀମାନଙ୍କର ଜମିଜମା ଓ ମ୍ୟାପ ପ୍ରସ୍ତୁତି କାର୍ଯ୍ୟରେ ପାରଦର୍ଶିତା ରହିଥାଏ। କିନ୍ତୁ ଆଇସିଏସ୍‌ ନୀଳମଣି ସେନାପତି ଏହାକୁ ଭୁଲ୍‌ ବୋଲି ପ୍ରମାଣ କଲେ। ସହକର୍ମୀମାନଙ୍କ ନାକଟେକା ସତ୍ତ୍ବେ ଡେପୁଟି, ସବ୍‌-ଡେପୁଟି ଏବଂ ମୁନ୍‌ସିଫ୍‌ମାନଙ୍କ ସହିତ ପ୍ରଶିକ୍ଷଣ ପରବର୍ତ୍ତୀ ପରୀକ୍ଷା ଦେଲେ ଓ ମେଧା ତାଲିକାରେ ଏକ ନମ୍ବର ‌େହଲେ। ବନ୍ଦୋବସ୍ତର ମଞ୍ଜକୁ ନୀଳମଣି ସେନାପତି ଚାକିରିର ଅତି ଆରମ୍ଭରୁ ସାବଲୀଳ ଭାବରେ ବୁଝି ଯାଇଥିଲେ। ଖାନାପୁରୀ-କିସ୍ତିୱାର, ବୁଝାରତ ଓ ଜମା-ଧାର୍ଯ୍ୟ-ଆଦି ସମସ୍ତ ପର୍ଯ୍ୟାୟକୁ ନିଜେ ନିରୀକ୍ଷଣ କରୁଥିଲେ।
ଓଡ଼ିଶାର ସମୁଦ୍ରକୂଳିଆ ଅବିଭକ୍ତ ଜିଲ୍ଲାକଟକ, ପୁରୀ ଓ ବାଲେଶ୍ୱର ଏବଂ ସମ୍ବଲପୁରରେ ତାଙ୍କର କାର୍ଯ୍ୟକାଳ ଘଟଣାବହୁଳ ଥିଲା। ସବୁବେଳେ ଅନ୍ବେଷାର ଯାତ୍ରୀ, ପ୍ରଶାସକ ନୀଳମଣି ସାଂପ୍ରତିକ ଝାରସୁଗୁଡ଼ା ଜିଲ୍ଲାର ନିଘଞ୍ଚ ଜଙ୍ଗଲ ଅନ୍ତର୍ଗତ ବିକ୍ରମଖୋଲରେ ଐତିହାସିକ କାଶୀନାଥ ଜୟସ୍ୱାଲଙ୍କ ପୂର୍ବରୁ ପହଞ୍ଚିଥିଲେ। ଆଦି ଲିିପିର ସ୍ଥାନ ବିକ୍ରମଖୋଲ। ଯାତାୟାତଯୋଗ୍ୟ ରାସ୍ତାଟିଏ କରିଥିଲେ। ଓଡ଼ିଆଙ୍କ ପ୍ରାଚୀନତା ପ୍ରତିଷ୍ଠା କରିବା ଥିଲା ବିଶୁଦ୍ଧ ଲକ୍ଷ୍ୟ। 
ସାହେବୀ ଶାସନ ଭିତରେ ଭାରତୀୟତା ଓ ଓଡ଼ିଆମି ଜାଣତ ବା ଅଜାଣତରେ କ୍ଷମତାର ଫାଙ୍କ ଦେଇ ବାହାରି ଆସୁଥିଲା। ନୀଳମଣିଙ୍କ ପ୍ରାରମ୍ଭିକ ଚାକିରି ଜୀବନ। ଦକ୍ଷିଣ ଆଫ୍ରିକାର ଚୁକ୍ତିବଦ୍ଧ ଶ୍ରମିକ ସମସ୍ୟା ସଂପର୍କରେ ନଥିଟିଏ ସହକାରୀ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲା। ବୈଷମ୍ୟ ବିରୋଧୀ ପୋଲକଙ୍କ ପ୍ରବନ୍ଧର ଧାଡ଼ିସବୁ ଆଖିକୁ ଆସିଗଲା। ଭାରତୀୟଙ୍କ ପ୍ରତି ଅମାନବୀୟ ବ୍ୟବହାର ସମ୍ବନ୍ଧରେ ନଥିରେ କଟୁ ମନ୍ତବ୍ୟ ଦେଇଦେଲେ। ଜିଲ୍ଲାପାଳ ଡବ୍ଲ୍ୟୁ କନଷ୍ଟନ କଡ଼ା ତାଗିଦ କଲେ। ଆଲହାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ପାଇଁ ଆଗ୍ରହୀ ହୋଇ ସିଭିଲ ସର୍ଭିସରୁ ଇସ୍ତଫା ଦେଇ ଦେବାକୁ ନୀଳମଣି ସରକାରଙ୍କୁ ପତ୍ର ଲେଖିଲେ। ସୁଭାଷ ବୋଷଙ୍କ ଚାକିରିକୁ ଅଲବିଦା ସେହି ବର୍ଷ ସାମ୍ରାଜ୍ୟବାଦୀ ଶାସନକୁ ଅସ୍ବସ୍ତିରେ ପକେଇଥିଲା। ତା’ର ପୁନରାବୃତ୍ତି ନ ହେଉ ବୋଲି ନୀଳମଣିଙ୍କୁ ବୁଝେଇ ଦିଆଗଲା। ନଥିରେ ଓ ସରକାରୀ କାଗଜପତ୍ରରେ ଗାନ୍ଧୀଜୀଙ୍କୁ ମହାତ୍ମା ଭାବରେ ସମ୍ବୋଧନ କରି ଉଲ୍ଲେଖ କରୁଥିବାରୁ ଉପରିସ୍ଥ ହାକିମ ଓ ନିଜର ବ୍ରିଟିସ ବନ୍ଧୁଙ୍କ ଦ୍ୱାରା ସମାଲୋଚିତ ହେଉଥିଲେ। ଭାରତବର୍ଷର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଚେତା କୃପାଳିନୀଙ୍କୁ ସରକାରୀ ଘରେ ଆତିଥ୍ୟ ପାଇଁ ସେ ନଜରରେ ଥିଲେ। ବିହାର-ଓଡ଼ିଶା ମନ୍ତ୍ରୀ ସଭାର ସଦସ୍ୟ ଏସ. ଏନ. ସିହ୍ନାଙ୍କର ଘରୋଇ ଉତ୍ସବରେ ସପରିବାର ଯୋଗ ଦେବା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଓକିଲ ମୋତିଲାଲ ନେହେରୁଙ୍କ ସହିତ ଗୋଟିଏ ସେଲୁନରେ ଯାତ୍ରା କରି ଉଭୟ ସହ-ଆତିଥ୍ୟ ନେବା, ସେନାପତିଙ୍କୁ ବ୍ରିଟିସ କର୍ତ୍ତୃପକ୍ଷଙ୍କ କୁ-ଦୃଷ୍ଟିକୁ ଆଣିଥିଲା। ଜେଲରେ ମହାତ୍ମା ଗାନ୍ଧୀଙ୍କର ସ୍ୱାସ୍ଥ୍ୟରେ ଅନଶନଜନିତ ଦ୍ରୁତ ଅବନତି ହେଉଥାଏ। ଏ ଦିଗରେ ବଡ଼ଲାଟଙ୍କ ଲେଲିନଥଗୋ ନଛୋଡ଼ବନ୍ଦା। ନୀଳମଣିଙ୍କ ସହିତ କିଛି ଭାରତୀୟ ଆଇସିଏସ୍‌ ଗ୍ରହଣୀୟ ରାସ୍ତାଟିଏ କାଢ଼ିବାକୁ ଚିନ୍ତାମଗ୍ନ ଥାଆନ୍ତି। ଶାସନ ସଚିବ ନୀଳମଣି ସେନାପତିଙ୍କ ସଂପୃକ୍ତିକୁ ଭର୍ତ୍ସନା କରିବା ସହିତ ତତ୍କାଳୀନ ବିହାର ମୁଖ୍ୟ ଶାସନ ସଚିବ ଡାକି ତାଗିଦ କଲେ। 
ଓଡ଼ିଆ ଜାତୀୟତାବାଦ ତାଙ୍କର ଉଦ୍‌ବିଗ୍ନ ମନକୁ ବି ବିଜଡ଼ିତ କରୁଥିଲା। ବିହାର-ଓଡ଼ିଶା ମନ୍ତ୍ରୀ ପରିଷଦର ମନ୍ତ୍ରୀ ମଧୁବାବୁ ବକ୍‌ସାରରେ ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିଛନ୍ତି। ମନ୍ତ୍ରିତ୍ୱ ଛାଡ଼ିବା ପରେ ଏସଡିଓଙ୍କ ବାସଭବନରେ ସ୍ୱତନ୍ତ୍ର ଓଡ଼ିଶା ଅଭିଯାନ ସଂପର୍କୀୟ ଆଲୋଚନା କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ ପାଇଁ ଗଠିତ ଓଡନେଲ କମିଟି ୧୯୩୧ ମସିହାରେ ଜିଲ୍ଲାପାଳ ନୀଳମଣି ସେନାପତି ବ୍ୟକ୍ତିଗତ ଆତିଥ୍ୟ ଲାଭ କରିଥିଲେ। ଚାରି ଗୋଟି ଜମିଦାରୀ, ଖଡ଼ିଆଳ, ଫୁଲଝର, ପଦ୍ମପୁର ଓ ବିନ୍ଦ୍ରା-ନୂଆଗଡ଼ ପ୍ରସଙ୍ଗକୁ ମଧ୍ୟପ୍ରଦେଶ ବିବାଦିତ କରିଥିଲା। କମିଟିକୁ ଓଡ଼ିଶାର ଦାବି ପକ୍ଷରେ ପ୍ରଭାବିତ କରିବାକୁ ବହୁ ମସୁଧାର ସୂତ୍ରଧର ଥିଲେ, ଜିଲ୍ଲାପାଳ ନିଜେ। ଅନେକାଂଶରେ ସଫଳ ମଧ୍ୟ ହେଲେ। 
୧୯୪୭ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଦତ୍ତ ସ୍ମାରକ ପତ୍ରରେ ସଜାଗ ନୀଳମଣିଙ୍କ ପ୍ରଚେଷ୍ଟାରେ ଷଢ଼େଇକଳା ଓ ଖରସୁଆଁ ଅଞ୍ଚଳକୁ ପ୍ରସ୍ତାବିତ ବିହାର ରାଜ୍ୟର ସୀମାରୁ ବାଦ ଦିଆଯାଇଥିଲା। କିନ୍ତୁ ୪୭ ଡିସେମ୍ବର ୧୪ର ବୈଠକରେ ମୟୂରଭଞ୍ଜ ରାଜା ଓଡ଼ିଶା ସହିତ ମିଶ୍ରଣକୁ ନାସ୍ତି କରିଦେଲେ। ବିହାରର ଯୁକ୍ତି ବଳ ପାଇଲା- ଷଢ଼େଇକଳା ଓ ଖରସୁଆଁ ତେବେ ଓଡ଼ିଶାର ସୀମାରୁ ବିଚ୍ଛିନ୍ନ ହୋଇ ଅନ୍ୟ ରାଜ୍ୟ ବେଷ୍ଟିତ ହେବ କିଭଳି? ଖଣ୍ଡିତ ଓଡ଼ିଶା ଉପରେ ସିଲ୍‌ ବାଜିଗଲା। ବିଫଳ ନୀଳମଣି ସେନାପତି ୧୯୪୮ ମେ ମାସରେ ଓଡ଼ିଶାକୁ ଫେରି ଆସିଥିଲେ ସନ୍ତାପିତ ହୃଦୟରେ।
ସେକାଳ ପଖାଳ ନାହିଁ। ରାଣୀଙ୍କ ପ୍ରତିନିଧି ହୋଇ ମାଟିମା’ର ସନ୍ତାନ ହେବାକୁ ଦ୍ୱିଧାର ଅବକାଶ ବି ନାହିଁ। କିନ୍ତୁ ଏବେ ମଧ୍ୟ ଆଇଏଏସ ଅଧିକାରୀମାନଙ୍କ ପାଇଁ ପକ୍ଷେ କାଣ୍ଡରେ ଲକ୍ଷେ ବାଟୁଳି। ରାଜର ଲାଠି, ଗୁଳି ସିନା ନାହିଁ। କଲମ ତ ସତ୍ୟନିଷ୍ଠ ହୋଇ ବାରବାଟୀ ଚାଷ କରିପାରିବ। ପ୍ରଶାସନିକ ଓ ଅମଲାତନ୍ତ୍ର ନିଚ୍ଛକ କଳ୍ପନାରୁ ବି ବାସ୍ତବତା ତିଆରି କରିପାରେ। ଇତିହାସର ଗୋଟିଏ ଦୃଷ୍ଟାନ୍ତ। ଇଉରୋପୀୟମାନଙ୍କ ଭିତରେ ଲଢ଼େଇ। ସଭ୍ୟତାଠୁ ଦୂରରେ ଥିବା ତଥା ପ୍ରବେଶ ଅନୁପ୍ରବେଶ ପାଇଁ ଦୁରୂହ ଥିବା ଆଫ୍ରିକାକୁ ଦଖଲ କରିବେ। ୧୮୮୪ ବର୍ଲିନର କେଉଁ ଏକ କୂଟନୈତିକ ଟେବୁଲ ଉପରେ ଆଫ୍ରିକାର ଅଜଣା ଅଭ୍ୟନ୍ତରକୁ ପେନସିଲର ଡଟ୍‌ରେ ବାଣ୍ଟି ନେଲେ। ପାରସ୍ପରିକ ଆକ୍ରମଣ, ପ୍ରତିଆକ୍ରମଣ ଏଡ଼େଇବାକୁ ଉଚ୍ଚ ଅମଲାଙ୍କ ଗାରକୁ ବସ୍ତୁତଃ ସାମ୍ରାଜ୍ୟବାଦୀ ଦେଶମାନେ ଗ୍ରହଣ କରିନେଲେ। ନଦୀ, ପାହାଡ଼, ଗୋଷ୍ଠୀ, ଭାଷାକୁ ବିଭକ୍ତ କରୁଥିବା ଅମଲାତାନ୍ତ୍ରିକ ସରଳ ରେଖାମାନ ଆନ୍ତର୍ଜାତିକ ସୀମା ହୋଇଗଲା। ଦେଖନ୍ତୁ ତ ଆଲଜେରିଆ, ଲିବିୟା, ଇଜିପ୍‌ଟ, ସୁଦାନ, ନାଇଜର ପ୍ରଭୃତି ଦେଶର ସୀମାରେଖାକୁ। ଏହା ହେଉଛି ଅମଲାଙ୍କ କଲମ, କାଗଜ, ନଥି ଓ ଦସ୍ତାବିଜର ଶକ୍ତି। 
ଆଉ ତ ବଙ୍ଗ-ବିହାର-ଓଡ଼ିଶା ଭାଗର ସମ୍ଭାବନା ନାହିଁ। ଜନ୍ମ ଯେଉଁଠି, ମୃତ୍ୟୁ ସେଇଠି। ଜାତକର ନାମ ଷ୍ଟେଟ୍‌ କ୍ୟାଡର୍‌। ପିଙ୍ଗଳ ହାକିମୀର ଗାଉନ ଛାଡ଼ି ଜନ୍ମ ନିର୍ବିଶେଷରେ ଓଡ଼ିଶାକୁ ନିଜର ମାଟି ମଣି ତା’ର ପାଣିପବନରେ ସବୁ ଆଇଏଏସ୍‌ ଅଧିକାରୀଙ୍କୁ ହଜିବାକୁ ହେବ। ‘ଶ୍ରୀ ୪୨୦’ ସିନେମାରେ ରାଜ କାପୁରଙ୍କ ଗୀତ ‘ମେରା ଜୁତା ହେ ଜାପାନୀ, ୟେ ପତଲୁନ୍‌ ଇଂଲିସସ୍ତାନୀ... ଫିର୍‌ଭି ଦିଲ୍‌ ହେ ହିନ୍ଦୁସ୍ତାନୀ’ରେ ସଙ୍ଗୀତର ମାଧୁର୍ଯ୍ୟ କାଳଜୟୀ। ରାଜ୍ୟର ଚେତନା ଟିକିଏ ଫେଣ୍ଟିଲେ ଆଉରି କେତେ ମଧୁର ନ ହେବ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୨୬୬୪୪