ଆମେ ରହୁଥିବା ମହାନଗରଗୁଡ଼ିକର ପୌରପାଳିକା ଅର୍ଥାତ୍ ମହାନଗର ନିଗମଗୁଡ଼ିକ ଆମକୁ ଯଥୋଚିତ ସୁବିଧା ଯୋଗାଇ ପାରୁଛନ୍ତି କି? ଅଳିଆ ଆବର୍ଜନା କାରଣରୁ ମହାନଗର ଦୁର୍ଗନ୍ଧରେ ହନ୍ତସନ୍ତ। କେଉଁଠି ପାଣି ଆସୁନାହିଁ ତ କେଉଁଠି ପାଇପ ଫାଟି ରାସ୍ତାରେ ପାଣି ଭରପୂର। ମଶାଙ୍କ ପ୍ରାଦୁର୍ଭାବ ବିଷୟରେ ନ କହିଲେ ଭଲ। ପୁଣି ରାତାରାତି ଗଢ଼ି ଉଠୁଥିବା ବସ୍ତି ଉପରେ କାହାରି ନିଘା ନାହିଁ। ମନରେ ପ୍ରଶ୍ନ ଉଠେ ରାଜ୍ୟ ମହାନଗର ନିଗମମାନଙ୍କ ପାଖରେ ଯଥୋଚିତ ନାଗରିକ ସୁବିଧା ଯୋଗାଇବା ପାଇଁ ଟଙ୍କାର ଅଭାବ ଅଛି କି? ନା ଏହା ପରିଚାଳନାଗତ ଅଦକ୍ଷତା? ଏହାର ଉତ୍ତର ପାଇବା ଲାଗି ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଭଳି ଓଡ଼ିଶାର ପାଞ୍ଚଟି ମହାନଗର ନିଗମ ସମ୍ପର୍କରେ କିଞ୍ଚିତ ଆଲୋଚନା କରାଯାଉ।
ସରକାରୀ ଅନୁଦାନକୁ ବାଦ ଦେଇ ରାଜ୍ୟ ମହାନଗର ନିଗମଗୁଡ଼ିକର ନିଜସ୍ୱ ଆୟକୁ ଯଦି ତୁଳନାତ୍ମକ ଭାବେ ଦେଖିବା, ତେବେ ଭୁବନେଶ୍ୱର ମହାନଗର ନିଗମ ବା ‘ବିଏମ୍ସି’କୁ ରାଜ୍ୟର ବୃହତ୍ତମ ମହାନଗର ନିଗମ ବୋଲି କହିପାରିବା। ଗଲା ୫ ବର୍ଷର ଆର୍ଥିକ ତଥ୍ୟ ଆଧାରରେ ‘ବିଏମ୍ସି’ର ଆୟ ବାର୍ଷିକ ହାରାହାରି ୧୩% ହାରରେ ବଢୁଥିଲା ବେଳେ କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମର ଆୟ ଯଥାକ୍ରମେ ହାରାହାରି ୧୯%, ୧୮%, ୧୭% ଓ ୨୦% ହାରରେ ବଢୁଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଠାରୁ ଆସୁଥିବା ପ୍ରତ୍ୟକ୍ଷ ଅନୁଦାନ ସମସ୍ତ ମହାନଗର ନିଗମ ଆୟର ପ୍ରଥମ ସର୍ବବୃହତ୍ ଅଂଶ। କେନ୍ଦ୍ର ତଥା ରାଜ୍ୟ ଅନୁଦାନ ଆଧାରରେ ଅନ୍ୟ ମହାନଗର ତୁଳନାରେ ‘ବିଏମ୍ସି’ ଅଧିକ ଅନୁଦାନ ପାଇଥାଏ।
କିନ୍ତୁ ଏତେ ପରିମାଣରେ ଅନୁଦାନ ପାଇବା ଏବଂ ବାର୍ଷିକ ଆୟରେ ବୃଦ୍ଧି ଘଟିବା ସତ୍ତ୍ବେ ‘ବିଏମ୍ସି’ ୨୦୧୬, ୨୦୧୭ ଓ ୨୦୨୦ରେ କ୍ଷତିରେ ଚାଲିଥିଲା ଏବଂ କେବଳ ଯାହା ୨୦୧୯ ଓ ୨୦୨୧ରେ ଲାଭ କରିଥିଲା। ଅନ୍ୟ ପକ୍ଷରେ ଗଲା ପାଞ୍ଚ ବର୍ଷର ତଥ୍ୟ କହେ ଯେ କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତିରେ ଚାଲିଛନ୍ତି; ଅର୍ଥାତ ନିଜସ୍ୱ ଆୟ ତୁଳନାରେ ଏଇ ପାଞ୍ଚଟି ଯାକ ମହାନଗର ନିଗମର ବ୍ୟୟ ଅଧିକ। ସୂଚନା ଅନୁସାରେ ଘରଭଡ଼ାରୁ ‘ବିଏମ୍ସି’ କରୁଥିବା ଆୟ ଗଲା ୩-୪ ବର୍ଷରେ ୨୬% କମିଥିଲା ବେଳେ ଏଇ ସବୁ ସମ୍ପତ୍ତିର ମରାମତିରେ ଖର୍ଚ୍ଚ ବହୁ ପରିମାଣରେ ବଢ଼ିଛି। କଟକ ମହାନଗରକୁ ଛାଡ଼ିଦେଲେ ଅନ୍ୟ ସବୁ ମହାନଗର ନିଗମର ସମାନ ଅବସ୍ଥା। ‘ବିଜ୍ଞାପନ’ରୁ ଆୟ ହେଉଛି ମହାନଗର ନିଗମଗୁଡ଼ିକର ରାଜସ୍ବର ଅନ୍ୟ ଏକ ଉତ୍ସ।
ଉପଲବ୍ଧ ତଥ୍ୟ କହେ ‘ବିଏମ୍ସି’ର ଏଇ ଆୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି, ଯେଉଁଠି ଅନ୍ୟ ଚାରିଟି ମହାନଗର ନିଗମଙ୍କର ଏଇ ଆୟ ପ୍ରତି ବର୍ଷ ବୃଦ୍ଧି ପାଇ ଚାଲିଛି। ୨୦୧୬-୧୭ରେ ବିଜ୍ଞାପନରୁ ‘ବିଏମ୍ସି’ ୧୬ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୦-୨୧ରେ ତାହା ୩.୨୧ କୋଟିରେ ପହଞ୍ଚିଛି। ଅନ୍ୟ ପକ୍ଷରେ କଟକ ମହାନଗର ନିଗମ ୨୦୧୩-୧୪ରେ ଏହି ସୂତ୍ରରୁ ୮୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଧୀରେ ଧୀରେ ତାହା ବଢ଼ି ୨୦୧୮ ସୁଦ୍ଧା ୨.୩୬ କୋଟି ଟଙ୍କାରେ ପହଞ୍ଚିଥିଲା। ଏବେ ସୁଦ୍ଧା ଏହା ପାଖାପାଖି ୩ କୋଟି ଟଙ୍କାରେ ପହଞ୍ଚିଲାଣି। ସେହିପରି ରାଉରକେଲା ମହାନଗର ନିଗମ ୨୦୧୪ରେ ବିଜ୍ଞାପନରୁ ମାତ୍ର ୫୦ ଲକ୍ଷ ଟଙ୍କା ଆୟ କରୁଥିଲା ବେଳେ ଏବେ ତାହା ବାର୍ଷିକ ପାଖାପାଖି ୧.୪ କୋଟି ଟଙ୍କାରେ ପହଞ୍ଚିଲାଣି। ସେମିତି ଏହି ଉତ୍ସରୁ ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମର ଆୟ ମଧ୍ୟ ବଢୁଛି।
ଏଥିରେ ଆଶ୍ଚର୍ଯ୍ୟ ଲାଗେ ଯେ ଦିନକୁ ଦିନ ଭୁବନେଶ୍ୱର ମହାନଗର ଇଲାକାରେ ନାନା ରକମର ମାଳ ମାଳ ବିଜ୍ଞାପନ ଭରି ହୋଇ ଯାଇଥିବା ବେଳେ ଏହି ଉତ୍ସରୁ ଆୟ କମୁଛି କିପରି? ଏେଣ, ‘ବିଏମ୍ସି’ର ନିଜସ୍ବ ବିଜ୍ଞାପନ ବା ପବ୍ଲିସିଟି ବାବଦକୁ ଖର୍ଚ୍ଚ ୨୦୧୬ରୁ ବାର୍ଷିକ ହାରାହାରି ୧୫୦% ହାରରେ ବୃଦ୍ଧି ହେବାରେ ଲାଗିଛି। ସ୍ଥିତି ପ୍ରକୃତରେ ଓଲଟା ହେବା କଥା। ଅନୁମାନ କରିହୁଏ ଯେ ଏହାର କାରଣ ପରିଚାଳନାଗତ ଅଦକ୍ଷତା ଏବଂ ଗମ୍ଭୀର ଆକଳନର ଅଭାବ। ଗଲା ପାଞ୍ଚ ବର୍ଷର ଆର୍ଥିକ ତଥ୍ୟ ଆଧାରରେ ‘ବିଏମ୍ସି’ର ଦରମା ବାବଦ ଖର୍ଚ୍ଚ ନିଜସ୍ୱ ଆୟର ହାରାହାରି ୩୭% ହୋଇଥିଲା ବେଳେ କଟକରେ ଏହା ୪୩%, ରାଉରକେଲାରେ ୬୫%, ବ୍ରହ୍ମପୁରରେ ୪୮%। ତେବେ, ସମ୍ବଲପୁର ମହାନଗର ନିଗମର ପାଖାପାଖି ୯୫% ଖର୍ଚ୍ଚ କେବଳ କର୍ମଚାରୀଙ୍କ ଦରମାରେ ଯାଏ। ବିଗତ ପାଞ୍ଚ ବର୍ଷରେ ଏଇ ପାଞ୍ଚଟି ମହାନଗର ନିଗମ କର୍ମଚାରୀଙ୍କ ଦରମା ବାବଦ ଖର୍ଚ୍ଚ ବାର୍ଷିକ ହାରାହାରି ୧୫%ରୁ ୨୦% ହାରରେ ବଢୁଛି।
ଏବେ ଆଉ ଏକ ବିଶେଷ ଦିଗକୁ ଧ୍ୟାନ ଦେବା, ଯାହା ହେଉଛି ଅବ୍ୟବସ୍ଥିତ ଭାବେ ଗଢ଼ି ଉଠୁଥିବା ବସ୍ତି, ଯାହାକି ପରବର୍ତ୍ତୀ ସମୟରେ ମହାନଗର ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହେଉଛି। ଯେହେତୁ ବଡ଼ ସହରଗୁଡ଼ିକରେ ବସ୍ତି ଗଢ଼ି ଉଠିବା ଏକ ଅନିବାର୍ଯ୍ୟତା, ଏଥି ଲାଗି ପ୍ରଥମରୁ ଦୂରଦୃଷ୍ଟିସଂପନ୍ନ ଆକଳନ ଏବଂ ଯୋଜନା କରାଯିବା ଉଚିତ, ଯାହା ହେଉନାହିଁ। ପରେ ବିସ୍ଥାପନ ଓ ପୁନର୍ବାସ ଲାଗି ମହାନଗର ନିଗମକୁ ବିପୁଳ ଖର୍ଚ୍ଚ କରିବାକୁ ହେଉଛି; ଯାହା ବ୍ୟୟ ଭାରକୁ ବଢ଼ାଉଛି। ସେମିତି ମହାନଗର ନିଗମ ଯୋଗାଉଥିବା ସଡ଼କ, ବିଦ୍ୟୁତ୍, ପାଣି, ସ୍ୱାସ୍ଥ୍ୟ ଓ ପରିମଳ ଭଳି ସେବା ଇତ୍ୟାଦି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଦାୟିତ୍ୱରେ ଥାଆନ୍ତି। ଏସବୁ ସରକାରୀ ବିଭାଗ ଭିତରେ ସମନ୍ୱୟର ଅଭାବ ଅନେକ ଅର୍ଥ ଅପଚୟର କାରଣ ହୁଏ। ଉଦାହରଣ ସ୍ୱରୂପ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଳରେ ବାରମ୍ବାର ଓ ଅସରନ୍ତି ସଡ଼କ ଖୋଳା ଏବଂ ନିର୍ମାଣ କାର୍ଯ୍ୟ, ଯାହା ଅଧିବାସୀମାନଙ୍କୁ ତ ହଇରାଣରେ ପକାଇଥାଏ, ମହାନଗର ନିଗମର ବ୍ୟୟ ଭାରକୁ ମଧ୍ୟ ବୃଦ୍ଧି କରିଥାଏ।
ଗତ ନଭେମ୍ବର ୨୦୨୨ରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଗଲା ଏକ ଦଶନ୍ଧି ଧରି ଭାରତୀୟ ମୁନିସିପାଲିଟିର ଆୟ/ବ୍ୟୟ ଭାରତ ଜି.ଡି.ପି.ର ମାତ୍ର ୧% ହୋଇଥିଲା ବେଳେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ପରି ଦେଶରେ ତାହା ଯଥାକ୍ରମେ ୬% ଓ ୭.୪%। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ପାଞ୍ଚଟି ମହାନିଗମକୁ ଟିକସ ବାବଦରେ ଆସୁଥିବା ନିଜସ୍ୱ ଆୟ ରାଜ୍ୟ ଜି.ଡି.ପି.ର ମାତ୍ର ୦.୩%। ଅନ୍ୟ ପକ୍ଷରେ ଆମ ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ମହାନଗର ନିଗମଗୁଡ଼ିକ ଏଇ କ୍ଷେତ୍ରରେ ଆମ ଠାରୁ ଅନେକ ଆଗରେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏଇ ରିପୋର୍ଟ ଅନୁସାରେ ଦେଶର ଅନେକ ମହାନଗର ନିଗମର ଆୟ ସହ ବ୍ୟୟର ତାଳମେଳ ନାହିଁ। ଭବିଷ୍ୟତରେ ମହାନଗର ନିଗମଗୁଡ଼ିକ ନିଜର ବିତ୍ତୀୟ ବ୍ୟବସ୍ଥାକୁ ସୁଧାରିବା ଯେ ନିତାନ୍ତ ଜରୁରୀ, ତାହା ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି। ଉଲ୍ଲେଖ ଥାଉ କି ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅନୁଦାନକୁ ଛାଡ଼ି ‘ବିଏମ୍ସି’ର ସମୁଦାୟ ନିଜସ୍ୱ ଆୟ ୧,୨୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିବା ବେଳେ ପ୍ରକୃତରେ ଆୟ ହୋଇପାରିଛି ୧୦୭୫ କୋଟି ଟଙ୍କା। ଅନ୍ୟ ୪ଟି ମହାନଗର ନିଗମ ସକାଶେ ଆକଳନ କରାଯାଇଥିବା ଆୟର ୬୦-୭୦% ହିଁ ସଂଗ୍ରହ କରାଯାଇପାରୁଛି। ତେଣୁ ସନ୍ଦେହ ହୋଇଥାଏ ଯେ ବିତ୍ତୀୟ ଆକଳନରେ ସମ୍ଭବତଃ କିଛି ମୌଳିକ ତ୍ରୁଟି ରହୁଛି। ଯେଉଁ ସବୁ ଉତ୍ସରୁ ଆୟ ଆଦାୟ କରାଯାଇପାରନ୍ତା ତହିଁରୁ ଆଶାଜନକ ଭାବେ ଆୟ ହୋଇପାରୁନାହିଁ, ଯାହାକୁ ଇଂରେଜୀରେ କହନ୍ତି ‘ରେଭେନ୍ୟୁ ଲିକେଜ୍।’ ବିଭିନ୍ନ ସରକାରୀ ଅଡିଟ୍ କିମ୍ବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅଡିଟ୍ ରିପୋର୍ଟରୁ ତାହା ସ୍ପଷ୍ଟ ଜଣାପଡ଼େ।
ମହାନଗର ନିଗମଗୁଡ଼ିକର ଅଡିଟ୍ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ କୌଣସି ମହାନଗର ନିଗମ ଉଚିତ ସମୟ ବ୍ୟବଧାନରେ ନିଜର ପରିସମ୍ପତ୍ତିର ତାଲିକା କରନ୍ତି ନାହିଁ କି ସେଗୁଡ଼ିକର ରକ୍ଷଣାବେକ୍ଷଣର ଉଚିତ ତଦାରଖ ମଧ୍ୟ କରନ୍ତି ନାହିଁ। ଉଲ୍ଲେଖ ଥାଉ କି, ଆଧୁନିକ ପ୍ରଯୁକ୍ତିର ସାହାଯ୍ୟ ନେଇ ସାଟେଲାଇଟ୍ ଇମେଜିଂ ବ୍ୟବହାର କରି ମହାନଗର ନିଗମଗୁଡ଼ିକ ସେମାନଙ୍କ ପରିସମ୍ପତ୍ତିର ତାଲିକା ପ୍ରସ୍ତୁତ କରିପାରନ୍ତେ ଏବଂ ଏହାର ଉଚିତ ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରନ୍ତେ।
ପ୍ରକାଶ ଥାଉ କି, ୨୦୧୨ ମସିହାରେ କେନ୍ଦ୍ର ସରକାର କେ.ଏଫ.ଡବ୍ଲ୍ୟୁ. ନାମକ ଜର୍ମାନିର ଏକ ବୃହତ୍ ବ୍ୟାଙ୍କରୁ ୫୦ ନିୟୁତ ୟୁରୋ (ଭାରତୀୟ ମୁଦ୍ରାରେ ୪୪୩ କୋଟି ଟଙ୍କା) ଋଣ ଆକାରରେ ଏବଂ ୨.୫ ନିୟୁତ ୟୁରୋ (ପାଖାପାଖି ୨୨ କୋଟି ଟଙ୍କା) ‘ଟେକ୍ନିକାଲ ଆସିଷ୍ଟାନ୍ସ’ ଆକାରରେ ଆଣିଥିଲେ। ନଗର ଭିତ୍ତିଭୂମିରେ ବିକାଶ ଲାଗି ଓଡ଼ିଶା ସରକାର ଗଢ଼ିଥିବା ‘ଓଡ଼ିଶା ଅର୍ବାନ ଇନ୍ଫ୍ରାଷ୍ଟ୍ରକ୍ଚର୍ ଡେଭେଲପମେଣ୍ଟ ଫଣ୍ଡ୍’ ନାମକ ଏକ ଟ୍ରଷ୍ଟକୁ ଭାରତ ସରକାର ଉପରୋକ୍ତ ଟଙ୍କାରୁ ୨୫ ନିୟୁତ ୟୁରୋ (ପାଖାପାଖି ୨୨୨ କୋଟି ଟଙ୍କା) ଋଣ ଆକାରରେ ଯୋଗାଇଥିଲେ ଏବଂ ବାକି ଟଙ୍କା ‘କ୍ୟାପିଟାଲ ଗ୍ରାଣ୍ଟ’ ଆକାରରେ ଦେଇଛନ୍ତି। ଓଡ଼ିଶାର ସମସ୍ତ ମହାନଗର ନିଗମର ଉନ୍ନତି ପାଇଁ ଅର୍ଥ ଦେବା ଏହି ସଂସ୍ଥାର ଉଦ୍ଦେଶ୍ୟ। ପୁଣି ୨୦୧୭ରେ କେ.ଏଫ୍.ଡବ୍ଲ୍ୟୁ. ଠାରୁ ୫୫ ନିୟୁତ ୟୁରୋ (ପାଖାପାଖି ୪୮୮ କୋଟି ଟଙ୍କା) ଋଣ କରାଗଲା।
ଏଇ ଦୁଇ ଋଣରେ ବାର୍ଷିକ ସମୁଦାୟ ୩.୧୯% ହାରରେ ସୁଧ ଦିଆ ଯାଉଥିବା ବେଳେ ଓଡ଼ିଶାର ମହାନଗର ନିଗମଗୁଡ଼ିକ ତା’ର ଲାଭ ଉଠାଇ ପାରୁଥିବା ଭଳି ବୋଧ ହେଉନାହିଁ। ପ୍ରଶ୍ନ ଉଠୁଛି, ଏତେ ଟଙ୍କା ଯାଉଛି କୁଆଡ଼େ? ଆର୍ଥିକ ପରିଚାଳନାରେ ସେମିତି ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ କି ମହାନଗର ବାସିନ୍ଦାଙ୍କର ଜୀବନଶୈଳୀ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡୁନାହିଁ। କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ପରିମଳ ପରିସ୍ଥିତି ଏହାର ଏକ ନଗ୍ନ ନମୁନା।
ଏହି ପରିପ୍ରେକ୍ଷୀରେ ଗୁଜରାଟ ସହିତ ଏକ ତୁଳନା କରାଯାଉ। ଗୁଜରାଟର ସମୁଦାୟ ୮ଟି ମୁନିସିପାଲିଟିରୁ ୭ଟି ଲାଭରେ ଚାଲିଛି। ଦେଶର ଅନେକ ମହାନଗର ନିଗମର କାର୍ଯ୍ୟଦକ୍ଷତା ଉପରେ ଭରସା କରି ଲୋକମାନେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ‘ମୁନିସିପାଲିଟି ବଣ୍ଡ୍’ରେ ଟଙ୍କା ବିନିଯୋଗ କଲେଣି। ହେଲେ, ଓଡ଼ିଶାର ମହାନଗର ନିଗମ ଏହାଠୁ ବହୁ ଦୂରରେ। ଏବେ ଅନ୍ତତଃ ଆଶା କରିବା ଯେ ଆମ ମହାନଗର ନିଗମଗୁଡ଼ିକ ଦୂରଦୃଷ୍ଟିସଂପନ୍ନ ହୋଇ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରି ସେମାନଙ୍କ ଆୟରେ ବୃଦ୍ଧି ଘଟାଇବା ସହିତ ନାଗରିକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରି ଦୃଷ୍ଟାନ୍ତମୂଳକ ହେବାକୁ ଚେଷ୍ଟା କରିବେ।
ମୋ: ୯୭୯୧୧୨୧୦୬୮