ଏକାଡେମୀ ପୁରସ୍କାର: ‘ଦବାର ଦର୍ପ ଓ ନବାର ଦୈନ୍ୟ’

ଅସିତ ମହାନ୍ତି

ସବୁ ଯୁଗରେ ସାମନ୍ତମାନେ ଥାଆନ୍ତି। ଦିନ ବିତିଯାଏ ଏବଂ ନୂଆ ସମୟ ସହିତ ତାଳଦେଇ ନୂଆ ସାମନ୍ତମାନଙ୍କର ଆବିର୍ଭାବ ମଧ୍ୟ ଘଟୁଥାଏ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର କ୍ଷେତ୍ରରେ ଏପରି ସାମନ୍ତମାନଙ୍କର ପ୍ରାଦୁର୍ଭାବ ସଂପର୍କରେ ଏହି ସ୍ତମ୍ଭରେ ବେଶ୍ କେତୋଟି ଆଲୋଚନା ଏ ଭିତରେ କରାଯାଇଛି। କିନ୍ତୁ ଦୀର୍ଘ ପ୍ରାୟ ଚାରି ଦଶନ୍ଧି ପୂର୍ବର ତଥା ପ୍ରାୟ ବିସ୍ମୃତ ସେପରି ଏକ ଅଧ୍ୟାୟ ଏବେ ପୁଣି ସ୍ମୃତିପଟରେ ଉଜ୍ଜୀବିତ ହୋଇଉଠିଛି।
ଏହା ହୋଇଛି, ସଦ୍ୟ ଦିବଂଗତ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର କଥା’କୁ ନେଇ।
ସମ୍ଭବତଃ ଏ ପୁସ୍ତକ ସହିତ ଓଡ଼ିଆ ପ୍ରକାଶନ ଜଗତରେ ଗୋଟିଏ ନୂଆକଥାର ସୂତ୍ରପାତ ହୋଇଛି। ଏହା ଏକ ‘ପାଣ୍ଡୁଲିପି’ ଭାବରେ ହିଁ ଘୋଷିତ ହୋଇ ପ୍ରକାଶ ପାଇଛି। ପ୍ରକାଶ କାଳ- ୨୦୨୨ ନଭେମ୍ବର ଏବଂ ମୁଦ୍ରାକର- ଥମ୍‌ସନ୍ ପ୍ରେସ୍ (ଇଣ୍ଡିଆ) ଲିମିଟେଡ୍, ନୂଆଦିଲ୍ଲୀ। ଛାପାସଂଖ୍ୟା- ୨୫ ଖଣ୍ଡ। ଏହାର ସ୍ୱତ୍ୱାଧିକାରିଣୀ- ପ୍ରଫେସର ଦାଶଙ୍କ ସହଧର୍ମିଣୀ ଶ୍ରୀମତୀ ରମା ଦେବୀ। ଏହି ୨୫ ଖଣ୍ଡ ‘ପାଣ୍ଡୁଲିପି-ପୁସ୍ତକ’, ଲେଖକ ପ୍ରଫେସର ଦାଶଙ୍କ ବନ୍ଧୁ ଓ ଛାତ୍ରମାନଙ୍କ ମଧ୍ୟରେ ମାଗଣା ଓ ଘରୋଇ ପ୍ରସାରଣ ପାଇଁ ଉଦ୍ଦିଷ୍ଟ।
ଏ ପାଣ୍ଡୁଲିପି-ପୁସ୍ତକର ଅଧ୍ୟାୟ ସଂଖ୍ୟା ପାଞ୍ଚ ଏବଂ ଏଥିରୁ ଦ୍ୱିତୀୟ ଅଧ୍ୟାୟର ଶିରୋନାମ- ‘ପତନ ଅଭ୍ୟୁଦୟ ବନ୍ଧୁର ପନ୍ଥା’। ‘ଉପସଂହାର’ ବ୍ୟତୀତ, ତାହାର ଉପ-ଅଧ୍ୟାୟର ସଂଖ୍ୟା ୭୧ ଏବଂ ସେଥିରୁ ୩୪ତମ ଉପ-ଅଧ୍ୟାୟର ଶୀର୍ଷକ- ‘ଓଡ଼ିଶା ସାହିତ୍ୟ ଏକାଡେମୀ ସହ ସଂଘାତ (ନବ୍ୟସାମନ୍ତଙ୍କ ନିୟନ୍ତ୍ରଣରେ ଓଡ଼ିଆ ସାହିତ୍ୟ)।’ ସେଥିରେ ଅଛି- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଚୟନରେ ପାତର ଅନ୍ତରକୁ ନେଇ ତଥ୍ୟନିଷ୍ଠ ବିବରଣୀ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଆଜିଠୁଁ ପ୍ରାୟ ଚାରି ଦଶନ୍ଧି ପୂର୍ବେ, ୧୯୮୩ ଡିସେମ୍ବର ପ୍ରଥମାର୍ଦ୍ଧରେ, ୧୯୮୦, ୮୧, ୮୨ ଓ ୮୩ ଚାରିବର୍ଷ ପାଇଁ ଏକାଡେମୀ ପୁରସ୍କାର ନିମନ୍ତେ ସମ୍ବାଦପତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏକାଡେମୀର ସାଧାରଣ ପରିଷଦ ସଦସ୍ୟମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସର୍କୁଲାର ପଠାଯାଇ ପୁସ୍ତକ ପାଇଁ ମନୋନୟନ ଆହ୍ୱାନ କରାଯାଇଥିଲା। ସେ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହୋଇ ପରିଶେଷରେ ପୁରସ୍କାର ଘୋଷଣା କରାଗଲା ଏବଂ ‘ପ୍ରବନ୍ଧ ଓ ସମାଲୋଚନା’ ବିଭାଗରେ ୧୯୮୦ ପାଇଁ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କ ‘ଅଳଙ୍କାର ପ୍ରସଙ୍ଗ’ ଏବଂ ୧୯୮୧ ପାଇଁ ସୀତାକାନ୍ତ ମହାପାତ୍ରଙ୍କ ‘ନିଃସଙ୍ଗ ମଣିଷ’ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେଲା।
କିନ୍ତୁ, ସେହି ପୁରସ୍କାର ଘୋଷଣା ପରେ, ତାହାର ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ ଗଗନେନ୍ଦ୍ର ନାଥ ଦାଶ। କେବଳ ମୌଖିକ ଭାବରେ ସେ ପ୍ରଶ୍ନ ଉଠାଇ ନଥିଲେ; ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିବା ସହିତ, ଗୋଟିଏ ‘ମୁଦ୍ରିତ ପତ୍ର’ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀର ସେଦିନର ସଭାପତି ସୁରେନ୍ଦ୍ର ମହାନ୍ତିଙ୍କ ସମେତ କେତେକ ବନ୍ଧୁଙ୍କୁ ପଠାଇଥିଲେ। ‘ମୁଦ୍ରିତ ପତ୍ର’ର ଶୀର୍ଷକ ଥିଲା ‘ସାହିତ୍ୟ ଏକାଡେମୀ ପୁରସ୍କାର- ଦବାର ଦର୍ପ ଓ ନବାର ଦୈନ୍ୟ’।
ସେହି ‘ମୁଦ୍ରିତ ପତ୍ର’ରେ ସେ ଯାହା କହିଥିଲେ, ତାହା ହେଉଛି- ପୁରସ୍କାର ପାଇଁ ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞାପନ ଏବଂ ଏକାଡେମୀର ସାଧାରଣ ପରିଷଦ ସଦସ୍ୟମାନଙ୍କୁ ପଠାଯାଇଥିବା ସର୍କୁଲାରରେ, ଏହି ପୁରସ୍କାର-ପ୍ରତିଯୋଗିତାର ସମୟସୀମା ସଂପର୍କରେ ଯେଉଁ ସର୍ତ୍ତର ଉଲ୍ଲେଖ ଅଛି, ପୁରସ୍କାର ଚୟନରେ ତାହାର ଖୋଲା ଉଲ୍ଲଙ୍ଘନ କରାଯାଇଛି। ସେହି ସର୍ତ୍ତଟି ହେଉଛି- “କୌଣସି ପୁସ୍ତକର ପ୍ରଥମ ସଂସ୍କରଣର ପରବର୍ତ୍ତୀ ସଂସ୍କରଣ ବା ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ପ୍ରକାଶିତ ରଚନାବଳୀର ସଂକଳନ”… “ଏହି ପୁରସ୍କାର ଉଦ୍ଦେଶ୍ୟରେ ବିଚାରଯୋଗ୍ୟ ହେବନାହିଁ।” କିନ୍ତୁ ଉପରୋକ୍ତ ଦୁଇ ପୁସ୍ତକକୁ ପୁରସ୍କାର ନିମନ୍ତେ ଚୟନ କରାଯିବା କ୍ଷେତ୍ରରେ ଏହି ସର୍ତ୍ତର ଉଲ୍ଲଙ୍ଘନ ହୋଇଛି।
ଏହାର ପ୍ରମାଣ ସ୍ୱରୂପ, ସେହି ମୁଦ୍ରିତ ପତ୍ରରେ ସେ କହିଛନ୍ତି- “‘ଅଳଙ୍କାର ପ୍ରସଙ୍ଗ’ର ପ୍ରାରମ୍ଭ ‘ଅୟମାରମ୍ଭ’ରେ ଲେଖକ ଲେଖିଛନ୍ତି- ‘ଏଗୁଡ଼ିକ ବିଗତ କୋଡ଼ିଏ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ରଚିତ। ଅଧିକାଂଶ ଝଙ୍କାର, ଡଗର, କୋଣାର୍କ, ସପ୍ତର୍ଷି ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା। ୧୯୬୩ରେ ପ୍ରକାଶିତ ‘ସାହିତ୍ୟ ସମୀକ୍ଷଣ’ ପୁସ୍ତକର ଚାରୋଟି ଦୀର୍ଘ ପ୍ରବନ୍ଧ ମଧ୍ୟରୁ ତିନୋଟି ଏଥିରେ ପୁନର୍ମୁଦ୍ରିତ ହୋଇଛି। ସେ ପୁସ୍ତକର ପ୍ରଥମ ସଂସ୍କରଣ ବହୁଦିନୁ ନିଃଶେଷିତ ହୋଇଯିବା ପରେ, ତାହାର ଦ୍ୱିତୀୟ ସଂସ୍କରଣ ନିମିତ୍ତ ଦାବୀ ଓ ଅନୁରୋଧ ବହୁ ସ୍ତରରୁ ହୋଇଥିଲା। କିନ୍ତୁ ‘ଅଳଙ୍କାର ପ୍ରସଙ୍ଗ’ର ବୃହତ୍ତର ଗଣ୍ଡିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା ସମୀଚୀନ ହେବ ମନେକରି ମୁଁ ‘ସାହିତ୍ୟ ସମୀକ୍ଷଣ’ର ପୁନର୍ମୁଦ୍ରଣ ଦିଗରେ ମନୋଯୋଗୀ ହେଲି ନାହିଁ। ସୌଭାଗ୍ୟକ୍ରମେ ‘ସାହିତ୍ୟ ସମୀକ୍ଷଣ’ରୁ ଗୃହୀତ ରୀତିକାବ୍ୟ ସଂପର୍କିତ ତିନୋଟି ପ୍ରବନ୍ଧ ସହିତ, ପୁସ୍ତକାକାରରେ ଅପ୍ରକାଶିତ ଦଶଟି ପ୍ରବନ୍ଧକୁ ନେଇ ‘ଅଳଙ୍କାର ପ୍ରସଙ୍ଗ’ ଆତ୍ମପ୍ରକାଶ କରୁଛି।”
ସେହିପରି, ସୀତାକାନ୍ତ ମହାପାତ୍ରଙ୍କ ପୁରସ୍କୃତ ପୁସ୍ତକ ‘ନିଃସଙ୍ଗ ମଣିଷ’ର ଭୂମିକାରୁ ମଧ୍ୟ ପ୍ରାସଙ୍ଗିକ ଅଂଶ ଏହି ପରିପ୍ରେକ୍ଷୀରେ ପ୍ରଫେସର ଦାଶ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି “‘ନିଃସଙ୍ଗ ମଣିଷ’ର ଭୂମିକାରେ ଲେଖକ ଉଲ୍ଲେଖ କରିଛନ୍ତି, ‘ବିଭିନ୍ନ ସମୟରେ ଏ ପ୍ରବନ୍ଧଗୁଡ଼ିକ ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା। ସେଗୁଡ଼ିକୁ ଏକତ୍ର କରି ପ୍ରକାଶ କରିବାପାଇଁ ଅନେକଦିନୁଁ ବନ୍ଧୁମାନେ ଅନୁରୋଧ କରିଥିଲେ। ନାନା କର୍ମଜଞ୍ଜାଳ ମଧ୍ୟରେ ଏ କାମଟି ଆଜିଯାଏ କରିପାରି ନଥିଲି। ବର୍ତ୍ତମାନ ଏଗୁଡ଼ିକୁ ଏକତ୍ର କରି ପ୍ରକାଶ କରିପାରୁଛି, ଏଥିପାଇଁ ମୁଁ ଆନନ୍ଦିତ।”
ଦୁଇ ପୁରସ୍କୃତ ପୁସ୍ତକର ଭୂମିକାରୁ ଏହି ଦୁଇ ଉଦ୍ଧୃତାଂଶର ଉଲ୍ଲେଖ କରି, ପ୍ରଫେସର ଦାଶ ସେହି ‘ମୁଦ୍ରିତ ପତ୍ର’ରେ ଦର୍ଶାଇଥିଲେ, “ତେଣୁ ଉଭୟ ‘ଅଳଙ୍କାର ପ୍ରସଙ୍ଗ’ ଓ ‘ନିଃସଙ୍ଗ ମଣିଷ’ ସମୟସୀମା ପୂର୍ବରୁ ପ୍ରକାଶିତ ରଚନାବଳୀର ସଂକଳନ ମାତ୍ର। ଏ ଦୁଇଟିକୁ ପୁରସ୍କାର ଦିଆଗଲେ ପ୍ରତିଯୋଗିତାର ସର୍ତ୍ତଭଙ୍ଗ ହେବ।”
ଉଲ୍ଲେଖନୀୟ, ଯେ ଏହି ‘ମୁଦ୍ରିତ ପତ୍ର’ଟି ବିତରଣ କରିବା ପୂର୍ବରୁ ପ୍ରଫେସର ଦାଶ ଓଡ଼ିଶା ସାହିତ୍ୟ ଏକାଡେମୀର ‘ସାଧାରଣ ପରିଷଦ’ର ସଦସ୍ୟ ଥିଲେ। ସାଧାରଣ ପରିଷଦ ସଦସ୍ୟ ଭାବରେ ମଧ୍ୟ ସେ ଏ ସଂପର୍କରେ ଦୁଇଟି ଚିଠି ଲେଖି ଏ ବାବଦରେ ଏକାଡେମୀର ସେଦିନର ସଂପାଦକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏକାଡେମୀର ଅଗଷ୍ଟ ୨୪ ତାରିଖର ‘କାର୍ଯ୍ୟକାରୀ ପରିଷଦ’ ବୈଠକରେ ସେହି ଦୁଇ ଚିଠି ଉପସ୍ଥାପିତ ହୋଇଥିଲା। ତାହା ପରେ, ଏକାଡେମୀର ସଂପାଦକ ଅଗଷ୍ଟ ୨୭ ତାରିଖରେ ଏକ ଚିଠି ଲେଖି ତାଙ୍କୁ କହିଥିଲେ- ଯେ ସବିଶେଷ ଆଲୋଚନା ହେବା ପରେ, ‘ଅଳଙ୍କାର ପ୍ରସଙ୍ଗ’ ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯିବା ସମୀଚୀନ ବୋଲି ପରିଷଦର ସଦସ୍ୟମାନଙ୍କର ହୃଦ୍‌ବୋଧ ହୋଇଛି ଏବଂ ‘ସମୟସୀମା ପୂର୍ବରୁ ପ୍ରକାଶିତ ରଚନାବଳୀର ସଂକଳନ’କୁ ସେ ଯେପରି ବୁଝିଛନ୍ତି, ତାହା ଯଥାର୍ଥ ନୁହେଁ।
କିନ୍ତୁ ‘ସମୟସୀମା ପୂର୍ବରୁ ପ୍ରକାଶିତ ରଚନାବଳୀର ସଂକଳନ’ ବାକ୍ୟାଂଶ ବା ପଦବନ୍ଧ (ଫ୍ରେଜ୍‌)ର ଅର୍ଥକୁ ପ୍ରଫେସର ଦାଶ ଯେପରି ବୁଝିଛନ୍ତି, କାହିଁକି ତାହା ଯଥାର୍ଥ ନୁହେଁ; ଏବଂ କାର୍ଯ୍ୟକାରୀ ପରିଷଦର ସଦସ୍ୟମାନେ ସେହି ପଦବନ୍ଧର କି ବିକଳ୍ପ ଅର୍ଥ ଆବିଷ୍କାର କରିଛନ୍ତି- ତାହାର ଉଲ୍ଲେଖ ସେଥିରେ ନଥିଲା। ଅର୍ଥାତ୍‌, ‘ହୃଦ୍‌ବୋଧ’ ଓ ‘ଯଥାର୍ଥ ନୁହେଁ’ ଆଦି ପ୍ରୟୋଗ ମାଧ୍ୟମରେ ଅସଲ କଥାଟିକୁ ଏଡ଼ାଇ ଓ ଉଡ଼ାଇ ଦିଆଯାଇଛି ବୋଲି ପ୍ରଫେସର ଦାଶଙ୍କର ମନେ ହୋଇଥିଲା। ତେଣୁ ତାହା ସେହି ‘ମୁଦ୍ରିତ ପତ୍ର’ରେ ଉଲ୍ଲେଖ କରିବା ସହିତ, ସେ କହିଥିଲେ- ପ୍ରକୃତ କଥା ହେଉଛି, ସେ ସଂପର୍କରେ ସେମାନଙ୍କର କୌଣସି ଯୁକ୍ତି ନଥିଲା। କିନ୍ତୁ ପରେ ୧୯୮୪ର ପୁରସ୍କାର ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଲା, ସେଥିରୁ ସେ ସର୍ତ୍ତଟି ବାଦ୍ ପଡ଼ିଥିଲା। ତରବରିଆ ଭାବରେ ସେହି ସର୍ତ୍ତଟି ଉଠାଇ ନେବା ଦ୍ୱାରା, ପରୋକ୍ଷରେ ତାଙ୍କର ଅଭିଯୋଗ ହିଁ ପ୍ରମାଣିତ ହୋଇଥିଲା।
ଏ ସଂପର୍କରେ “ସାହିତ୍ୟ ଏକାଡେମୀ ପୁରସ୍କାର- ଦବାର ଦର୍ପ ଓ ନବାର ଦୈନ୍ୟ”ରେ ଅଧିକ ଆଲୋଚନା କରି ପ୍ରଫେସର ଦାଶ କହିଛନ୍ତି, “ମୋଟ ଉପରେ ବିଚାରକମାନେ ହୁଏତ ଜାଣିଶୁଣି ପ୍ରତିଯୋଗିତାର ସର୍ତ୍ତଭଙ୍ଗ କରିଛନ୍ତି ବା ପୁସ୍ତକଗୁଡ଼ିକ ଆଦୌ ନପଢ଼ି ମନଇଚ୍ଛା ପୁରସ୍କାର ଦେଇଛନ୍ତି କେବଳ ବ୍ୟକ୍ତିକୁ ଆଖି ଆଗରେ ରଖି। ନଚେତ୍ ଉଭୟ ପୁସ୍ତକର ପ୍ରାରମ୍ଭରେ ସେମାନେ ଲେଖକଙ୍କ ମନ୍ତବ୍ୟ ଦେଖି ନପାରିଲେ କିପରି? (କିନ୍ତୁ ଏ ପୁସ୍ତକ ପ୍ରତିଯୋଗିତାରେ କୌଣସି ବ୍ୟକ୍ତି ନୁହେଁ, ପୁସ୍ତକ ହିଁ ପୁରସ୍କୃତ ହୁଏ।)… ମୁଁ ଏସବୁ କୌଣସି ବ୍ୟକ୍ତିପାଇଁ ଓ ବ୍ୟକ୍ତି ବିରୁଦ୍ଧରେ କହୁନାହିଁ। ମୁଁ କହୁଛି ନୀତିପାଇଁ ଓ ଅନୀତି ବିରୁଦ୍ଧରେ।”
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ପ୍ରଫେସର ଦାଶ ଏହା କେବଳ ଏହି ‘ମୁଦ୍ରିତ ପତ୍ର’ରେ ଲେଖି ନଥିଲେ; ‘ଓଡ଼ିଆ ଗବେଷଣା ପରିଷଦ’ର ଷାଣ୍ମାସିକ ପତ୍ରିକା ‘ଏଷଣା’ର ନବମ ସଂଖ୍ୟାରେ ମଧ୍ୟ, ଏହାକୁ ନେଇ “ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: କୃତି ନା ବ୍ୟକ୍ତି” ଶୀର୍ଷକରେ ଏକ ଲେଖା ଲେଖିଥିଲେ। ଏସବୁକୁ ନେଇ ଓଡ଼ିଶାର ସାହିତ୍ୟ ଜଗତରେ ସେଦିନ ଅନେକ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଏ ସଂପର୍କରେ ସେହି ‘ମୁଦ୍ରିତ ପତ୍ର’ରେ ସେ ମଧ୍ୟ ଲେଖିଛନ୍ତି, “ମୂଳରୁ ଏହି ସର୍ତ୍ତଟି ନଥିଲେ, ହୁଏତ ଅନ୍ୟ କେତେକ ସଂକଳନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାଆନ୍ତେ। ତାଙ୍କୁ କୌଶଳ କରି ବାଦ୍ ଦିଆଗଲା ବୋଲି ସମସ୍ତେ ଭାବିବେ ନାହିଁ କି?”
ପ୍ରାୟ ଚାରି ଦଶନ୍ଧି ପୂର୍ବର ଏହି ପ୍ରସଙ୍ଗ ପରିପ୍ରେକ୍ଷୀରେ, ଆଜିର ପୁରସ୍କାର-ପ୍ରତିଯୋଗିତାର ସର୍ତ୍ତକୁ ଆମେ ଯଦି ଆସିବା, ତେବେ ଦେଖିବା, ଯେ ସଦ୍ୟତମ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’, ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ‘ସାରସ୍ୱତ ସମ୍ବର୍ଦ୍ଧନା’ର ତଥାକଥିତ ନୂତନ/ସଂଶୋଧିତ ନିୟମାବଳୀରେ ଏପରି ଅନେକ ସର୍ତ୍ତ ରଖାଯାଇଛି- ଯାହା ଅନେକ ଯୋଗ୍ୟ ସାହିତ୍ୟିକଙ୍କୁ ଏସବୁରୁ କୌଶଳ କରି ବାଦ୍ ଦେବାପାଇଁ ହିଁ ଉଦ୍ଦିଷ୍ଟ। ଏ ସଂପର୍କରେ ବିଶଦ ଆଲୋଚନା ଏହି ସ୍ତମ୍ଭର ପୂର୍ବ ଦୁଇଟି ଲେଖାରେ କରାଯାଇଛି।
ତେବେ, ଏ ପ୍ରସଙ୍ଗରେ ସେଦିନ ସେହି ‘ମୁଦ୍ରିତ ପତ୍ର’ରେ ପ୍ରଫେସର ଦାଶ ଯାହା ଲେଖିଥିଲେ, ଆଜି ବି ତାହା ଅତ୍ୟନ୍ତ ପ୍ରାସଙ୍ଗିକ। ତାହା ହେଉଛି- “ଓଡ଼ିଶାର ବହୁ ସୁଧୀ ସାହିତ୍ୟିକ ଓଡ଼ିଶା ସାହିତ୍ୟ ଏକାଡେମୀ ଉପରୁ ଆସ୍ଥା ହରାଇ ବସିଛନ୍ତି। ଆଜି ଆଉ ଏହା ଅଜଣା ନାହିଁ ଯେ ସାହିତ୍ୟ ଏକାଡେମୀ ସେମାନଙ୍କୁ ଉତ୍ସାହ ଓ ପ୍ରେରଣା, ସାହାଯ୍ୟ ଓ ସମର୍ଥନ ଦେବାକୁ ସଂପୂର୍ଣ୍ଣ ଭାବରେ ଅକ୍ଷମ; ସେମାନଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଅସମର୍ଥ।… ମନମୁଖୀ କାରବାର ଚାଲିଲେ ଏକାଡେମୀ ଉପରୁ ଆହୁରି ଆସ୍ଥା ତୁଟିଯିବ ଓ ପୁରସ୍କାରର ମୂଲ୍ୟ ହ୍ରାସ ପାଇବ। ତା’ର ଆଉ କୌଣସି ଗୁରୁତ୍ୱ ରହିବ ନାହିଁ। ତାହା କେବଳ କେତେକ ବ୍ୟକ୍ତିଙ୍କ ଖିଆଲ ବା ସ୍ୱାର୍ଥ ସାଧନ ବୋଲି ସମସ୍ତେ ମନେକରିବେ। ପ୍ରଶ୍ନ ଉଠିବ, ଏହା ପୁରସ୍କାର ନା ପ୍ରବଞ୍ଚନା?”
କେବଳ ଏତିକି ନୁହେଁ; ଏହି ‘ମୁଦ୍ରିତ ପତ୍ର’ର ପରିସମାପ୍ତିରେ, ଆଜିପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ଭାବରେ ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏଥିରେ (ଅର୍ଥାତ୍ ଏପରି ପୁରସ୍କାରରେ) ଜେତାର ଗୌରବ ନାହିଁ; ଅଛି ପ୍ରବଞ୍ଚନା ଓ ଅପହରଣର ଗ୍ଳାନି। ଏହା ଗ୍ରହଣ କରି ଦାତାକୁ ଧନ୍ୟ କରାଯିବ ନାହିଁ- ଦାତାର ଦବାର ଦର୍ପ ଓ ନିଜର ନବାର ଦୈନ୍ୟକୁ ହିଁ ସ୍ଫୀତ କରାଯିବ କେବଳ।”
ଏ “ଦବାର ଦର୍ପ ଓ ନବାର ଦୈନ୍ୟ” ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ସଂପୃକ୍ତ ସରକାରୀ ବିଭାଗର ନବ୍ୟ ସାମନ୍ତମାନେ ଏବଂ ଆଜିର ପୁରସ୍କାର-ଆଶାୟୀ ସାହିତ୍ୟିକମାନେ ସଚେତନ ଅଛନ୍ତି ତ?
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର