ଦୀର୍ଘାୟୁର ଯନ୍ତ୍ରଣା

ଅଜିତ ଚନ୍ଦ୍ର ଦାସ

ଦୀର୍ଘ ଆୟୁଷ ଜୀବନର ଅନେକ ଖାଲଢିପକୁ ସମତଳ କରିଦିଏ। ଏଇ ଧରନ୍ତୁ ଜଣେ ଅଶୀ ବା ନବେ ବର୍ଷ ବୟସରେ ପହଞ୍ଚିଲେ। ତାଙ୍କ ପାଖରେ ଦିନେ କ’ଣ ପଦ ଥିଲା ବା କ୍ଷମତା ଥିଲା ବା ଅର୍ଥ ଥିଲା; ତାହା ମୂଲ୍ୟହୀନ ହୋଇପଡ଼େ। ବୟସାଧିକ୍ୟରେ ଶରୀର ଓ ମନର ଯନ୍ତ୍ରଣା ପ୍ରାୟ ସମସ୍ତଙ୍କୁ ଏକ ପ୍ରକାର ଆଶ୍ଳେଷରେ ବାନ୍ଧି ରଖେ ସେତିକିବେଳେ ପଛକୁ ଚାହିଁଲେ କୋଉ ଢଙ୍ଗରେ ବଞ୍ଚିଲି? ବା କାହା ପାଇଁ ବଞ୍ଚିଲି? ବା କେମିତି ବଞ୍ଚିଲି? ଭଳି ପ୍ରଶ୍ନ ମନକୁ ଆସେ ଓ ସେହି ପ୍ରଶ୍ନରୁ ସୃଷ୍ଟ ଉତ୍ତର ହିଁ ସନ୍ତୋଷ ବା ଅନୁତାପ ଲାଗି କାରଣ ହୋଇଥାଏ।

ନିକଟରେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲି। ବୟସ ପଞ୍ଚାଅଶୀ ପାଖାପାଖି। ମୋତେ ଦେଖି କିଛି କହି ନ ପାରି କେବଳ କାନ୍ଦିଲେ। ସେ ଯାହା କହିଲେ ତା’ର ସାରାଂଶ ହେଲା ସେ ଏକ ନିଃସଙ୍ଗ ଜୀବନ ବିତାଉଛନ୍ତି। ପାଖରେ ପରିବାର, ସ୍ତ୍ରୀ, ପୁଅ ସମସ୍ତେ ଥିଲେ ମଧ୍ୟ ସେ ଏକୁଟିଆ। ଏ ବୟସରେ ସେ ନିଜେ ରାନ୍ଧି ଖାଉଥିଲେ। ପଶ୍ଚାତ୍ତାପ କରି ସେ କହିଲେ- ଟିକିଏ ଯଦି ଚୁପ୍‌ ରହି ପାରିଥାଆନ୍ତି, ତେବେ ନିଜ ଲୋକେ ମୋ ଠାରୁ ଏମିତି ଦୂରେଇ ନ ଥାଆନ୍ତେ!

କିଛି ଦିନ ତଳେ ଭୁବନେଶ୍ବରର ମଧ୍ୟ-ଭାଗରେ ଅବସ୍ଥିତ ଏକ ଜରାନିବାସକୁ ଯାଇଥିଲି। ପ୍ରାୟ ୨୭ ଜଣ ଅନ୍ତେବାସୀ। ଆଜିକାଲିର ପାରିବାରିକ ସମସ୍ୟାର ଜଣେ ଜଣେ ଭୁକ୍ତଭୋଗୀ। ସେମାନଙ୍କ ମଧ୍ୟରେ ଥିଲେ ସରକାରୀ ଚାକିରିରୁ ଅବସର ନେଇଥିବା ବରିଷ୍ଠମାନେ; ଏପରିକି ଇଞ୍ଜିନିୟରି˚ କଲେଜର ଜଣେ ଅଧ୍ୟାପକ ମଧ୍ୟ। ସେମାନଙ୍କ ଠାରୁ ସେମାନଙ୍କ ଜୀବନର କାହାଣୀ ଶୁଣିବା ପରେ ଭାବୁଥିଲି ଦୀର୍ଘାୟୁଷ ସତରେ କେତେ ଅସହାୟ କରି ନ ପକାଏ? ଅନେକ ବ୍ୟକ୍ତି ଅଖଣ୍ଡ କ୍ଷମତା ଲାଭ କରି ତହିଁରେ ପ୍ରମତ୍ତ ହେଉଥିବା ଦେଖାଯାଏ। କିନ୍ତୁ ଅତି ବାର୍ଦ୍ଧକ୍ୟ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ କରି ପକାଏ। ଏଭଳି ଉଦାହରଣ ଅନେକ। ଏହି ପରିପ୍ରେକ୍ଷୀରେ ପ୍ରାୟ ମାସେ ତଳେ ଓଡ଼ିଶାର ଜଣେ ବୁଦ୍ଧିଜୀବୀଙ୍କ ସହିତ ଫୋନ୍‌ରେ କଥା ହେଉଥିଲି। ମୁଁ କହିଲି- ଆପଣ ଧନୀ, ଧର୍ମପରାୟଣ, ପୁନର୍ଜନ୍ମରେ ବିଶ୍ବାସୀ ଓ ଜନାଦୃତ ବ୍ୟକ୍ତି। ବର୍ତ୍ତମାନ ବୟସ ନବେ ପାଖାପାଖି। ଏଇ ପରିଣତ ବୟସରେ ଆପଣ ଆଉ କ’ଣ ଚାହାନ୍ତି? ତାଙ୍କର ଉତ୍ତର ଥିଲା ଯେ ସେ ତାଙ୍କ ମୃତ୍ୟୁ ପରେ ତାଙ୍କର ଏକମାତ୍ର ନାତୁଣୀର ଗୋଟିଏ ପୁତ୍ର ସନ୍ତାନ ହୋଇ ଜନ୍ମ ହେବାକୁ ଚାହାନ୍ତି। ତା’ର କାରଣ ସେ ତାଙ୍କର ଅଚଳାଚଳ ସମ୍ପତ୍ତିକୁ ଆର ଜନ୍ମରେ ମଧ୍ୟ ଭୋଗ କରିବାକୁ ଇଚ୍ଛୁକ। ସେ ସେତେବେଳକୁ ପ୍ରାୟ ସବୁ ପ୍ରକାର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ। ତଥାପି ସେ ସମ୍ପତ୍ତିର ଲୋଭ ଛାଡ଼ି ପାରି ନାହାନ୍ତି।

ସଂପ୍ରତି ବାର୍ଦ୍ଧକ୍ୟଜନିତ ନିଃସଙ୍ଗତା ଜାପାନରେ ସବୁଠାରୁ ଅଧିକ ଦାରୁଣ ହୋଇଛି। ବୃଦ୍ଧ ଜାପାନୀମାନେ, ବିଶେଷତଃ ମହିଳା, ନିଃସଙ୍ଗତାର ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଏକ ଅଭିନବ ପନ୍ଥା ଅନୁସରଣ କରୁଛନ୍ତି। ସେମାନେ ଜାଣିବୁଝି ଛୋଟଛୋଟ ଅପରାଧମାନ ଘଟାଉଛନ୍ତି, (ଦୋକାନରୁ କିଛି ଚୋରି କରିବା ଭଳି), ଯାହା ଫଳରେ ସେମାନଙ୍କୁ କିଛି ଦିନ ଲାଗି ଜେଲ୍‌ ଯିବାକୁ ହେବ, ଯେଉଁଠି ସେମାନେ ଅନ୍ତତଃ ପକ୍ଷେ ଏକ ‘କମ୍ୟୁନିଟି ଲାଇଫ୍‌’ ବା ଗୋଷ୍ଠୀଗତ ଜୀବନର ଅନୁଭୂତି ପାଇବେ। ଜାପାନରେ କାରଗାରର ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ମାନର। ସେଠାରେ କଏଦୀମାନଙ୍କର ସବୁ ପ୍ରକାର ଯତ୍ନ ନିଆଯାଏ। ବରିଷ୍ଠମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଏ। ଚିକିତ୍ସା ପାଇଁ ମଧ୍ୟ ସେଠାରେ ଉତ୍ତମ ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, ସେଠାରେ ମନୋରଞ୍ଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଜାପାନରେ ଜେଲ୍‌କୁ ‘ମରୁଦ୍ୟାନ’ ବୋଲି ମଧ୍ୟ କୁହାଯାଉଛି।
ମୋ ବୟସ ମଧ୍ୟ ଅଶୀ ବର୍ଷରୁ ଅଧିକ। ଆଜିର ଓଡ଼ିଶା ଆଉ ଆଗ ପରି ଦିଶୁନାହିଁ। ଏବେ ଏଠି କାହାର କାହା ପାଇଁ ସମୟ ନାହିଁ। ଜଣେ ଅନ୍ୟକୁ ସହି ପାରୁନାହିଁ। ସମ୍ପର୍କର ଡୋରଗୁଡ଼ିକ ଛିଡ଼ି ଛିଡ଼ି ଯାଉଛି। ପୈତୃକ ସମ୍ପତ୍ତି ପାଇଁ ଅଧିକା˚ଶଙ୍କ ପରିବାରରେ ମନାନ୍ତର, ମତାନ୍ତର ଓ କଳହ। ଏଭଳି ସ୍ଥିତିରେ ପରିଣତ ବୟସର ଲୋକେ ପରବର୍ତ୍ତୀ ପିଢ଼ି ଠାରୁ ସହାନୁଭୂତି ବା ସ୍ନେହ ଆଶା କରିବା ବୃଥା। କିନ୍ତୁ ସେହି ଆଶାରୁ ମୁକ୍ତି କାହିଁ? ସେଥି ଲାଗି ତ ପରିଣତ ବୟସରେ ଏଭଳି ଅସହାୟତା। ସେହି ଅନୁଭୂତିରୁ ଏବର ଯୁବକ-ଯୁବତୀମାନଙ୍କୁ ଦେଖିଲେ ଭାବନାଟିଏ ଉଠେ ଯେ ସମୟର ଦ୍ରୁତ ସ୍ରୋତରେ ସେମାନେ ଚାହୁଁ ଚାହୁଁ ବାର୍ଦ୍ଧକ୍ୟରେ ପହଞ୍ଚିଯିବେ। କିନ୍ତୁ ଯେଉଁ ଭଳି ଜୀବନକୁ ସେମାନେ ଏବେ ବରଣ କରି ନେଇଛନ୍ତି, ସେମାନଙ୍କ ଲାଗି ଦୀର୍ଘାୟୁ ଅାହୁରି କେତେ ଯନ୍ତ୍ରଣାଦାୟକ ନ ହେବ ସତେ?
ସୂର୍ଯ୍ୟ କମ୍ପ୍ଲେକ୍‌ସ୍‌, ଭୁବନେଶ୍ବର
ମୋ-୯୮୬୧୧୩୩୭୭୩

ସମ୍ବନ୍ଧିତ ଖବର