ପ୍ରଶାସକଙ୍କ ଡାଏରି, ମାଳ ଅଞ୍ଚଳର ଡାକ୍ତରଖାନା

କୃଷ୍ଣଚନ୍ଦ୍ର ମହାପାତ୍ର

ଜିଲ୍ଲାପାଳ ଥିବା ସମୟରେ ମାଳ ଅଞ୍ଚଳରେ ବାସ କରୁଥିବା ଆଦିବାସୀ ବହୁଳ ଗୋଟିଏ ପଞ୍ଚାୟତକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବା ଏସ୍‌.ପି.ଙ୍କ ସହିତ ପରିଦର୍ଶନରେ ବାହାରିଲି। ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସେମାନଙ୍କ କିଛି ସମସ୍ୟାର ଆଶୁ ସମାଧାନ କରିବା ଥିଲା ଏହି ଗସ୍ତର ଉଦ୍ଦେଶ୍ୟ। ଜିଲ୍ଲା ସଦର ମହକୁମା ଠାରୁ ୮୦ କିଲୋମିଟର ଦୂରରେ ଫୁଲବାଣୀ-ଦଶପଲ୍ଲା ରାସ୍ତାର ମଧ୍ୟ ଭାଗରେ ଅବସ୍ଥିତ ଥିଲା ଏହି ପଞ୍ଚାୟତ, ଯାହାର ୯୦ ଭାଗ ଲୋକ ଅାର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ। ଆମେ ପହଞ୍ଚିଥିବା ଜାଣି ଲୋକ ସମାଗମ ଆରମ୍ଭ ହେବାକୁ ଲାଗିଲା। ଅଭିଯୋଗ ପ୍ରସଂଗରେ ବିଭିନ୍ନ ଲୋକ ସେମାନଙ୍କର ଦୁଃଖ, ଦୁର୍ଦଶା ବର୍ଣ୍ଣନା କରିବାକୁ ଲାଗିଲେ। ମୋଟାମୋଟି ଭାବେ ପ୍ରଶାସନିକ ଉଦାସୀନତା ଓ ଲୋକ ପ୍ରତିନିଧିଙ୍କର ଜନସଂପର୍କର ଅଭାବ ସେ ଅଞ୍ଚଳକୁ ଏକ ଅନ୍ଧାରୀ ମୂଲକ କରି ରଖିଥିଲା। ତେଣୁ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ବାସଗୃହ, ଭତ୍ତା, ରାସ୍ତାଘାଟ, ଶିକ୍ଷା, ଜୀବିକା, ରାସନ କାର୍ଡ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଓ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ସେମାନେ ଉତ୍କଟ ଅବହେଳାର ଅଭିଯୋଗ କଲେ। ଆମେମାନେ ମଧ୍ୟ ସେ ସବୁର ଆଶୁୁ ସମାଧାନ କିଭଳି ହୋଇପାରିବ, ‌େସ ଦିଗରେ ତତ୍ପର ଥିଲୁ। ତେଣୁ ଅଭିଯୋଗ ଶୁଣି ସାରିବା ପରେ ଅଧିକାଂଶ ଅଭିଯୋଗର ଦ୍ରୁତ ସମାଧାନର ପ୍ରତିଶ୍ରୁତି ଦେଇ ଆମେ ସ୍ଥାନ ଛାଡ଼ିଲୁ।

ତେବେ, ଆଗରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଏସ୍‌.ପି.ଙ୍କ ପରାମର୍ଶ କ୍ରମେ ଆମେ ଅଚାନକ ଯାଇ ପହଞ୍ଚିଗଲୁ ଏକ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଆମେ ଦେଖିଲୁ ଯେ ଲୋକମାନେ ଔଷଧ ଧରି ସେଠାରୁ ଫେରୁଛନ୍ତି; ତେଣୁ ଆଶ୍ବସ୍ତ ହେଲୁ ଯେ ଯାହାହେଉ ଡାକ୍ତର ବାବୁ ଅଛନ୍ତି। କିନ୍ତୁ ଡାକ୍ତରଖାନାରେ ପଶି ଯାହା ଦେଖିଲୁ, ସେଥିରେ କେବଳ ଅବାକ୍‌ ହେବା ସାର ଥିଲା। କାରଣ ଡାକ୍ତର ବାବୁ ନ ଥିଲେ। କେବଳ ଡାକ୍ତର ବାବୁ କାହିଁକି, ଫାର୍ମାସିଷ୍ଟ ବି ନ ଥିଲେ; କୌଣସି ନର୍ସ ମଧ୍ୟ ନ ଥିଲେ। ତେବେ ଔଷଧ ଦେଉଥିବା ଲୋକଟି କିଏ? ତାଙ୍କ ପରିଚୟ ପଚାରିଲୁ। କିନ୍ତୁ ସେ ଭଦ୍ରବ୍ୟକ୍ତି ନିରବ ଥିଲେ। ଶେଷରେ ଏସ୍.ପି. କାର୍ଯ୍ୟାନୁଷ୍ଠାନର କଡ଼ା ଚେତାବନୀ ଦେବାରୁ ଭୟରେ ସେ ମୁହଁ ଖୋଲିଲେ। ସୁତରାଂ, ଆମେ ଜାଣିଲୁ ଯେ ସେ ହେଉଛନ୍ତି ସେହି ଡାକ୍ତରଖାନାର ଝାଡୁଦାର। କଥା ହେଲା, ଡାକ୍ତର ବାବୁ ଚିହ୍ନଟ କରିଥିବା ରୋଗୀଙ୍କ ରୋଗର ଲକ୍ଷଣ ବୁଝି ସେ ଔଷଧ ଦେଉଥିଲେ ଓ ରୋଗୀମାନେ ଏହା ଦ୍ବାରା ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମଧ୍ୟ ସେ ଜୋର୍‌ ଦେଇ କହିଥିଲେ। ତାଙ୍କ ଠାରୁ ଶୁଣିଲୁ ଯେ ଏହା ଏକ ପ୍ରଥାରେ ପରିଣତ ହୋଇଛି। ଡାକ୍ତର ବାବୁ ଥରେ ଆସିଲେ ଏମିତି ବ୍ୟବସ୍ଥା କରି ପର ଦିନ ଭୁବନେଶ୍ବର ଫେରି ଯାଆନ୍ତି। ତା’ପରେ ରୋଗୀଙ୍କ ଦାୟିତ୍ବ ଏହି ଝାଡୁଦାର ମହାଶୟ ନିଅନ୍ତି।

ବଡ ସାଂଘାତିକ ଅବ୍ୟବସ୍ଥା! ଡାକ୍ତର ରହିବା ପାଇଁ ବାସଗୃହ ସମେତ ସମସ୍ତ ଆନୁଷଙ୍ଗିକ ସୁବିଧା ରହିଛି। ତାହା ସତ୍ତ୍ବେ ଡାକ୍ତର ସେଠାରେ ରହୁନାହାନ୍ତି। ଦୀର୍ଘ ୪୦ କିଲୋମିଟର ଦୂରରେ ଦଶପଲ୍ଲା ଡାକ୍ତରଖାନା। ଔଷଧ କିଣିବାକୁ ହେଲେ ଦଶପଲ୍ଲା ଉପରେ ନିର୍ଭର କରିବାକୁ ହୁଏ; କାରଣ ଦଶପଲ୍ଲା ହେଉଛି ନିକଟତମ ବଜାର। କିନ୍ତୁ ସେଠାକୁ ଯାତାୟତର ସୁବିଧା ନାହିଁ। ଏଣେ ଗ୍ରାମବାସୀଙ୍କ ଠାରେ ନା ଅଛି ଅର୍ଥ, ନା ଯାନବାହାନର ସୁବିଧା! ତେଣୁ ଅଧିକାଂଶ ଗାଁ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁର ଜାନୀ ଓ ଦିଶାରୀ ଉପରେ ଆସ୍ଥା ପ୍ରକଟ କରି ରହିଛନ୍ତି। ଏହି ସବୁ ଗାଁରେ ରୋଗର ପ୍ରାବଲ୍ୟ ସର୍ବାଧିକ; ଅଥଚ ଡାକ୍ତର ନାହାନ୍ତି। ତେଣୁ ଚେଙ୍କ ଚିକିତ୍ସା ଓ ଗୁଣିଗାରେଡ଼ି ଚାଲିଛି। ଗାଁର ଲୋକେ ରୋଗ, ଅପପୁଷ୍ଟିର ଶିକାର ହେଉଛନ୍ତି। ସେହି ଝାଡୁଦାର ଯେମିତି ଆଉ ଔଷଧ ବିତରଣ ନ କରନ୍ତି, ସେଥିଲାଗି ଏସ୍.ପି. ମହୋଦୟ କଡ଼ା ତାଗିଦ୍ କଲେ। ଆମେ ଫେରିଲୁ। ବି.ଡି.ଓ.ଙ୍କୁ ସାତ ଦିନ ଭିତରେ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଗସ୍ତ କରି ଲୋକମାନଙ୍କ ସହ ସିଧା ସମ୍ପର୍କ ରଖିବାକୁ ପରାମର୍ଶ ଦେଲୁ।

ଭାତ ହାଣ୍ଡିରୁ ଗୋଟିଏ ଚିପି ଜାଣିଲା ପରି ଏହି ଗୋଟିଏ ଉଦାହରଣରୁ ମାଳ ଅଞ୍ଚଳରେ ପ୍ରଶାସନିକ ଅବ୍ୟବସ୍ଥା ବିଷୟରେ ଧାରଣା କରି ହୋଇଥାଏ। ଏଥିରୁ ବୁଝି ହୁଏ ଆମ ମାଳ ଅଞ୍ଚଳରେ ପରିବେଶ ଏତେ ବିକ୍ଷୁବ୍‌ଧ ହୋଇ ପଡ଼ିଛି କାହିଁକି? କାହିଁକି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅସହାୟତା ପୁଂଜିଭୂତ ହୋଇ ରହିଛି? ଫେରିଲା ବେଳେ ଭାବୁଥିଲି ଧନ୍ୟ ସେ ଡାକ୍ତର, ଏତେ ପାଠ ପଢ଼ିଥିବା ସତ୍ତ୍ବେ ନିଜ ବିଦ୍ୟାର ଗରିମାକୁ ପଦାନତ କରି ତାଙ୍କ ଦାୟିତ୍ବ ଜଣେ ଝାଡୁଦାରଙ୍କୁ ସମର୍ପି ଦେଇ ନିଶ୍ଚିନ୍ତରେ ରାଜଧାନୀକୁ ଫେରି ଆସୁଛନ୍ତି!
ମୋ- ୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର