କୃଷ୍ଣଚନ୍ଦ୍ର ମହାପାତ୍ର
ଅବିଭକ୍ତ ପୁରୀ ଜିଲ୍ଲାର ନୟାଗଡ଼ ଉପଖଣ୍ଡର ନୂଆଗାଁ ବ୍ଲକ। ଚାକିରି ଆରମ୍ଭର ୪/୫ ମାସ ପରେ ବି.ଡି.ଓ. ଭାବରେ ଅବସ୍ଥାପିତ ହୋଇଥିଲି ସେହି ବ୍ଲକରେ। ଏହା ୧୯୭୭-୭୮ ମସିହାର କଥା। ବୋଧହୁଏ ନୂଆଗାଁ ଥିଲା ଜିଲ୍ଲାର ସବୁଠାରୁ ଅନୁନ୍ନତ ବ୍ଲକ। ଯୋଗ ଦେବା ପରେ ଠିକ୍ କରି ନେଇଥିଲି ଯେ ବ୍ଲକର ପ୍ରତ୍ୟେକଟି ଗ୍ରାମକୁ ନିୟମିତ ଯାଇ ଲୋକମାନଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବି ଓ ସୀମିତ ସମ୍ବଳ ଭିତରେ ଯଥାସମ୍ଭବ ଉନ୍ନୟନ କାର୍ଯ୍ୟର ରୂପାୟନ ପାଇଁ ଚେଷ୍ଟା କରିବି। ଅଭିଳାଷ ଥିଲା ସରକାରଙ୍କର ଯୋଜନାମାନ ଗାଁଗୁଡ଼ିକରେ ଦୃଶ୍ୟମାନ ହେଉ। ତେବେ ସେ ଯାହା ହେଉ, ମୋ କାର୍ଯ୍ୟକାଳ ଭିତରେ ମୁଁ ଓ ମୋର ସହକର୍ମୀମାନେ ଉତ୍ତମ ଜନ ସଂପର୍କ ରଖିବାରେ ସଫଳ ହୋଇଥିଲୁ। ଅଫିସ ପରିବର୍ତ୍ତେ ଗାଁ ଥିଲା ଆମର ବିଚରଣ ସ୍ଥଳ। ତିନି ବର୍ଷ ପରେ ମୋର ଅନ୍ୟତ୍ର ବଦଳି ହେଲା। ଆପଣାର ହୋଇ ସାରିଥିବା ସେହି ବ୍ଲକର ଲୋକଙ୍କ ଠାରୁ ବିଦାୟ ନେଲା ବେଳେ ମୋ ଚକ୍ଷୁ ସଜଳ ହୋଇ ଉଠିଲା।
ଦୀର୍ଘ ୨୦ ବର୍ଷ ପରେ ମୁଁ ନିଯୁକ୍ତି ପାଇଲି ନୂତନ ଭାବେ ସୃଷ୍ଟି ହୋଇଥିବା ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ ଏବଂ ଏବେ ସେହି ନୂଆଗାଁ ବ୍ଲକ ହୋଇଯାଇଥିଲା ନୟାଗଡ଼ ଜିଲ୍ଲାର ଅଂଶ। ତେଣୁ ଦାୟିତ୍ବ ନେବାର ପର ଦିନ ଗଲି ସେହି ଆପଣାର ନୂଆଗାଁ ବ୍ଲକକୁ ଯେଉଁଠି ଚାକିରି ଆରମ୍ଭର ତିନି ବର୍ଷ କାଟିଥିଲି। ବ୍ଲକ ଅଫିସରେ ପହଞ୍ଚି ତତ୍କାଳୀନ ବି.ଡି.ଓ. ମହାଶୟ, କେତେଜଣ ସଂପ୍ରସାରଣ ଅଧିକାରୀ ଓ ସେଠାରେ ଉପସ୍ଥିତ ଥିବା ମାଇଛେଳି ପଞ୍ଚାୟତର ସରପଞ୍ଚ ତ୍ରିନାଥ ବାବୁଙ୍କୁ ଧରି ମାଇଛେଳି ପଞ୍ଚାୟତ ଗସ୍ତରେ ବାହାରିଲି। ମୁଁ ବି.ଡି.ଓ. ଥିବା ସମୟରୁ ତ୍ରିନାଥ ବାବୁ ସରପଞ୍ଚ। ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ଜଣାଶୁଣା। ପଞ୍ଚାୟତର ଅଭ୍ୟନ୍ତରରେ ଅବସ୍ଥିତ ଗୋଟିଏ ଗାଁରେ ପହଞ୍ଚିଲୁ। ଗାଁଟି ବଡ଼। ସବୁ ବର୍ଗର ଲୋକ ବାସ କରନ୍ତି। ଲୋକମାନଙ୍କର ଅବସ୍ଥା ଚଳନୀୟ। ସେଠିକାର ଲୋକଙ୍କ ଅଭିଯୋଗ ଶୁଣିଲୁ। ମୁଖ୍ୟ ଅଭିଯୋଗ ଯୋଗାଣ ବ୍ୟବସ୍ଥାକୁ ନେଇ; ଡିଲର୍ ମନମୁଖୀ କାରବାର କରୁଛନ୍ତି ଓ ଖାଉଟିମାନଙ୍କ ସହିତ ଦୁର୍ବ୍ୟବହାର କରୁଛନ୍ତି। ନିୟମିତ ଜିନିଷ ମିଳୁନାହିଁ। ତା’ ସହିତ ଅନ୍ୟାନ୍ୟ ଅଭିଯୋଗର ପଟୁଆର ମଧ୍ୟ; ଯେମିତି ଟ୍ୟୁବ୍ୱେଲଟିଏ ନାହିଁ, ରାସ୍ତାର ଅବସ୍ଥା ଏମିତି ଶୋଚନୀୟ ଯେ ବର୍ଷା ଦିନେ ଯାତାୟାତ ବନ୍ଦ, ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ବ୍ୟାଙ୍କ ଋଣ ମିଳିନାହିଁ ଇତ୍ୟାଦି ଇତ୍ୟାଦି। ଏସବୁ ଶୁଣି ସାରିବା ପରେ ବି.ଡି.ଓ. ମହାଶୟଙ୍କୁ ପଚାରିଲି ଏ ସବୁ ଅଭିଯୋଗ କ୍ଷେତ୍ରରେ କ’ଣ ସବୁ କରାଯାଇଛି? ବି.ଡି.ଓ. ମହାଶୟ ଚୁପ ରହିଲେ। ସରପଞ୍ଚଙ୍କ ଉପରେ ମଧ୍ୟ ବିରକ୍ତ ହୋଇ କହିଲି- ‘ଆପଣ ଏତେ ପୁରୁଣା ଓ ମୁରବି ଭଳିଆ ଲୋକ ଥାଇ ବି ଏଇ ଅବସ୍ଥା!’
ଗୋବିନ୍ଦ ବାବୁ ହେଉଛନ୍ତି ଗ୍ରାମ ସଭାପତି। ଗ୍ରାମର ସୁବିଧା ଅସୁବିଧା ସେ କହୁଥାଆନ୍ତି। ତାଙ୍କ କଥା ଶୁଣୁ ଶୁଣୁ ସେଠାରେ ଉପସ୍ଥିତ ଗାଁ ଲୋକଙ୍କୁ ପଚାରିଲି- ‘ତୁମର ବି.ଡି.ଓ. ବାବୁ କିଏ ତାହା ତୁମେମାନେ ଜାଣିଛ?’
ସମସ୍ତେ ‘ହଁ’ ଭରିଲେ।
ତା’ ପରେ ପଚାରିଲି, ‘ବି.ଡି.ଓ. ବାବୁଙ୍କୁ ଚିହ୍ନିଲ ଦେଖି?’
ମୋତେ ଚକିତ କରି ଗ୍ରାମବାସୀମାନେ ମୋ ଆଡ଼କୁ ହାତ ଦେଖାଇ କହିଲେ, ‘ଆପଣ ସାରେ!’
କଥାଟି ଏଇଠି ସାରିବା ଉଚିତ। ଆଉ ଅଧିକ କିଛି କହିବାର ଆବଶ୍ୟକତା ନାହିଁ। ସର୍ବଦା କୁହାଯାଏ ଯେ ପ୍ରଶାସନ ଲୋକଙ୍କ ନିକଟତର ହେଉ, ସେମାନଙ୍କ ପାଖରେ ପହଞ୍ଚୁ। କିନ୍ତୁ, ଦୁର୍ଭାଗ୍ୟ, ଆମ ରାଜ୍ୟରେ ଏମିତି ଗାଁ ସବୁ ଅଛି, ଯେଉଁଠି ଲୋକେ ସେମାନଙ୍କ ଜୀବଦ୍ଦଶାରେ ଥରେ ହେଲେ ମଧ୍ୟ ଉପରିସ୍ଥ ଅଧିିକାରୀଙ୍କୁ ଦେଖିବାର ସୁଯୋଗ ପାଇ ନ ଥାଆନ୍ତି। ଏବଂ ଯଦି କୌଣସି ଉପରିସ୍ଥ ଅଧିକାରୀ ଅଗତ୍ୟା ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ହାନିଲାଭ ବୁଝନ୍ତି, ତେବେ ସେମାନେ ତାଙ୍କୁ ନିଜ ହୃଦୟରେ ଏକ ଅମଳିନ ଛବି ଭଳି ସାଇତି ରଖନ୍ତି। ଜଣେ ପ୍ରଶାସକ ଲାଗି ଲୋକଙ୍କ ଭଲ ପାଇବା ଓ ଦୀର୍ଘ ସମୟର ଅନ୍ତରାଳ ପରେ ଏଭଳି ଭାବେ ମନେ ରହିବା ମୋ ଲାଗି ଥିଲା ଏକ ଅନନ୍ୟ ଅନୁଭୂତି। ମୋ ଭଳି ଜଣେ ଅବସରପ୍ରାପ୍ତ ଅଧିକାରୀର ସ୍ମୃତିରେ ଏହା ଜାଗି ଉଠିଲେ, ଏବେ ବି ମନ ଭରିଯାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୨୦୦୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/10/7TapGRp5Ppzg6H8JkcAl.jpg)