ଗୌରଚନ୍ଦ୍ର ତ୍ରିପାଠୀ

Advertisment

ପ୍ରତି ବର୍ଷ ବିଶ୍ବରେ ଆଠ ଲକ୍ଷ ବ୍ୟକ୍ତ ଆତ୍ମହତ୍ୟାର ଶିକାର ହୁଅନ୍ତି ଏବଂ ଆମ ଦେଶରେ ଏହି ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏହି ଆକଳନ ଆମ ଚିନ୍ତା ଓ ଚେତନାକୁ ବିବ୍ରତ ଓ ବିଚଳିତ କରୁଛି ନିଶ୍ଚୟ। ବିବର୍ତ୍ତନବାଦର ଧାରାରେ ବର୍ତ୍ତମାନ ମାନବ ସଭ୍ୟତା ଏକ କଠିନ ସମୟରେ ଉପନୀତ। କିଛିଗୋଟେ ଅଘଟଣ ଘଟିଯିବାର ଭୟ, ଦୁଶ୍ଚିନ୍ତା, ମାନସିକ ଅବସାଦ, ଜୀବନ ଜିଇଁବାର ଅବିଶ୍ବାସବୋଧ ମଣିଷ ଜାତିକୁ ଗଳାରୁଦ୍ଧ କରି ରଖିଛି। ପ୍ରତିକୂଳ ପରିସ୍ଥିତିର ପ୍ରବଳ ସ୍ରୋତରେ ସମଗ୍ର ମାନବ ସମାଜ ଏବେ ଅଣାୟତ୍ତ ଭାବେ ବହମାନ ଅବସ୍ଥାରେ।
“ବିଶ୍ବର ମୁଁ ସବୁଠାରୁ ବଡ଼ ଦୁଃଖୀ ବ୍ୟକ୍ତି। ଯଦି ମୋର ଦୁଃଖକୁ ସବୁ ପରିବାର ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ, ତା’ହେଲେ ବିଶ୍ବରେ ଆଉ ଗୋଟିଏ ହେଲେବି ହସହସ ମୁହଁ ଦେଖିବାକୁ ମିଳିବନି। ମୋର ଅବସ୍ଥାର କେବେ ଯେ ଅନ୍ତ ଘଟିବ, ତାହା ମୁଁ କହି ପାରୁନି। ଏଭଳି ପରିସ୍ଥିତିରେ ବଞ୍ଚିବା ମୋ ପାଇଁ ଅସମ୍ଭବ।” ଜୀବନର ଏକ କଠିନ ଏବଂ ସଂଘର୍ଷମୟ ସମୟ ଦେଇ ଗତି କରୁଥିବା ସମୟରେ, ଆମେରିକା ଇତିହାସର ସର୍ବକାଳୀନ ଶ୍ରେଷ୍ଠ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଉକ୍ତି ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ମନେହୁଏ। ପ୍ରତ୍ୟେକ ବ୍ୟକ୍ତି ଦୁଃଖ, କ୍ଳେଶ, ଯନ୍ତ୍ରଣାକୁ ଜୀବନରେ ଦିନେ ନା ଦିନେ ସାମ୍ନା କରିଥାଏ। ଜୀବନର ବୋଝ ବୋହିବା ତା’ ପାଇଁ ଅସମ୍ଭବ ମନେହୁଏ। ସେହି ପରିସ୍ଥିତି ସହ ସାଲିସ ନକରି କେହିକେହି ସମୟର କଣ୍ଟକିତ ପଥ ଅତିକ୍ରମ କରିବା ପାଇଁ ସଂଘର୍ଷ କରନ୍ତି। ଦୁର୍ଦ୍ଦିନରେ ନିଜ ନିଜ ବ୍ୟକ୍ତି ଚରିତ୍ରରେ ଉନ୍ନତି ଆଣି, ଉତ୍କର୍ଷ ଲାଭ କରି ସେମାନେ ଆବ୍ରାହମ ଲିଙ୍କନଙ୍କ ପରି ମାନବ ସମାଜ ପାଇଁ ଉଦାହରଣ ସାଜିଥାନ୍ତି। 
ମଣିଷର ଜୀବନ ଗୋଟିଏ ଉପନ୍ୟାସ ପରି ଏବଂ ପ୍ରତିଟି ଉପନ୍ୟାସରେ ଆମେ ଦେଖିବାକୁ ପାଉ ଶୋଷଣ, କଷଣ, ସଂଘର୍ଷ ଓ ଝଡ଼ଝଞ୍ଜା। ବନ୍ଧୁ, କେବଳ ଆପଣ ହିଁ ଖରାପ ସମୟ ଦେଇ ଗତି କରୁଛନ୍ତି, ଏହା ଭାବିବା ଭୁଲ୍। ସତ୍ୟ ଯୁଗରେ ଭକ୍ତ ପ୍ରହ୍ଲାଦ ଅକଥନୀୟ ଯନ୍ତ୍ରଣା ଭୋଗିଛନ୍ତି, ବଳି ପାତାଳଗାମୀ ହୋଇଛନ୍ତି। ତ୍ରେତୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ରାଜ ଉଆସର ସୁଖସମ୍ପଦରୁ ବଞ୍ଚିତ ହୋଇ ଦୀର୍ଘ ୧୪ ବର୍ଷ କାଳ ବନବାସୀ ସାଜିଛନ୍ତି। ଦ୍ବାପର ଯୁଗରେ ପଞ୍ଚୁପାଣ୍ଡବ ଓ ମାତା କୁନ୍ତୀ ହସ୍ତିନାପୁରର ବିଳାସ, ଐଶ୍ୱର୍ଯ୍ୟ, ସୁଖଶାନ୍ତି ତ୍ୟାଗ କରି ଅଶେଷ ଦୁଃଖକ୍ଳେଶ ଭୋଗିଛନ୍ତି, ବିରାଟ ରାଜାଙ୍କ ଦାସତ୍ବ ସ୍ବୀକାର କରିଛନ୍ତି। ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି କାରାଗାରରେ ଏବଂ ଶେଷରେ ଜୀବନ ହାରିଛନ୍ତି ଶିକାରୀର ତୀର ମୁନରେ। ଖ୍ରୀଷ୍ଟଧର୍ମରେ ଦେଖିବାକୁ ମିଳେ ଯୋଶେଫ୍, ଜବ୍ ଓ ପଲ୍‌ଙ୍କୁ ଅକଥନୀୟ ଦୁଃଖ, ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଭୁ ଯୀଶୁ ନିଜ ଘନିଷ୍ଠ ଅନୁଗାମୀଙ୍କ ଚକ୍ରାନ୍ତର ଶିକାର ହୋଇ, ଶେଷରେ କୃଶବିଦ୍ଧ ହୋଇଛନ୍ତି। ପବିତ୍ର କୋରାନ୍‌ରେ ବର୍ଣ୍ଣିତ ଅଛି ପୈଗମ୍ବର ମହମ୍ମଦଙ୍କ ନାତି ଇମାମ ହୁସେନଙ୍କୁ ସତ୍ୟ ଓ ନ୍ୟାୟର ପଥଗାମୀ ହେବା ଯୋଗୁଁ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିଛି। 
ତେଣୁ ଆପଣଙ୍କର ବର୍ତ୍ତମାନକୁ ନେଇ ନିରାଶ ହୁଅନ୍ତୁନି, ନିରୁତ୍ସାହିତ ହୁଅନ୍ତୁନି। ମୁସଲିମ୍ ଧର୍ମ ଗ୍ରନ୍ଥ ‘ହାଡିଥ’ରେ ଲେଖାଅଛି- ଧୈର୍ଯ୍ୟ ରୁ ହିଁ ବିଜୟ ପ୍ରାପ୍ତି ହୁଏ/ଯନ୍ତ୍ରଣା ସୁଖର ବାଟ କଢ଼ାଏ ଏବଂ କଠିନ ସମୟ ହିଁ ଜୀବନକୁ ସରଳ କରାଏ। ନିଜ ‘ଉଦ୍ଭାବନ କାରଖାନା’ର ଦଶଟି କୋଠା ଜଳିଯିବା ଦେଖି ଉଦ୍ଭାବକ ଥୋମାସ ଏଡିସନଙ୍କ ପ୍ରତିକ୍ରିୟା ଥିଲା, “ବିପର୍ଯ୍ୟୟର ମୂଲ୍ୟ ଅତୁଳନୀୟ ଏବଂ ଯାହାହେଉ ଆମର ଭୁଲ୍‌ ସବୁ ଧ୍ବଂସ ହେଇଯାଇଛି ଓ ଭଗବାନଙ୍କୁ ଅଶେଷ ଧନ୍ୟବାଦ, ଆମେ ପୁଣିଥରେ ନୂଆରୁ ଆରମ୍ଭ କରିପାରିବା।” ଯେତେବେଳେ ଆପଣଙ୍କ ଜୀବନରେ ଦୁର୍ଦ୍ଦିନ ଆସେ, ସେତେବେଳେ ଆପଣଙ୍କର କ’ଣ ହୁଏ, ତାହା ନୁହେଁ, ଦୁର୍ଦ୍ଦିନକୁ ଆପଣ କେମିତି ମୁକାବିଲା କରୁଛନ୍ତି ତାହା ହିଁ ଗୁରୁତ୍ବପୂର୍ଣ୍ଣ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନଯାଇ, ତାକୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ। ମନେରଖନ୍ତୁ, ବିପରିତ ପରିସ୍ଥିତିରେ ବେଳେବେଳେ ଏହି ସବୁ ପ୍ରଶ୍ନର ପ୍ରାସଙ୍ଗିକତା ରହିଛି, ଯେମିତିକି- ନିକଟରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକୁ ମୁଁ କେଉଁ ଦୃଷ୍ଟିରେ ଦେଖୁଛି? ଦୁର୍ଦ୍ଦିନର କେମିତି ମୁକାବିଲା କରୁଛି? ଦୁଃଖ ସମୟରେ ମୁଁ ମୋର ମାନସିକ ଆବେଗକୁ କିଭଳି ଭାବରେ ନିୟନ୍ତ୍ରଣ କରୁଛି? ମୋ ସହିତ ଘଟୁଥିବା ଘଟଣା ପ୍ରବାହକୁ କାହାଣୀ ଭାବରେ ନେଇ ନିଜକୁନିଜେ କ’ଣ କହୁଛି? ଉତ୍ତରରେ ପାଇଯିବେ ସବୁ ସମସ୍ୟାର ସମାଧାନର ମାର୍ଗ।
ପ୍ରତିକୂଳ ପରିସ୍ଥିତିର କେମିତି ମୁକାବିଲା କରାଯାଇପାରିବ ଏହାର ଉତ୍ତର ଗ୍ରୀକ ବୈରାଗ୍ୟବାଦ (ଷ୍ଟୋଇସିଜ୍‌ମ)ର ତିନିଟି ମୂଳମନ୍ତ୍ରରେ ସନ୍ନିହିତ ରହିଛି: ପ୍ରଥମେ, ନିଜ ଭାବନା ଶକ୍ତିକୁ ନିୟନ୍ତ୍ରଣ କରନ୍ତୁ। ମନେରଖନ୍ତୁ- ବିପଦ ଯେତିକି କଠିନ, ସେଠୁ ମୁକୁଳିବାର ଫଳାଫଳ ସେତିକି ଗୌରବମୟ। ପ୍ରତ୍ୟେକଟି ପ୍ରତିକୂଳ ପରିସ୍ଥିତିକୁ ସୁଯୋଗ ଭାବରେ ଧରିନିଅନ୍ତୁ। ନିଜ ଉପରେ ବିଶ୍ବାସ ରଖନ୍ତୁ। ଦୁଃଖ ଜୀବନରେ ଅପରିହାର୍ଯ୍ୟ ଏବଂ ଏହା ଯେ ଏକ ଅବିଚ୍ଛେଦ୍ୟ ଅଂଶ, ଏହି ସତ୍ୟକୁ ଗ୍ରହଣ କରି ନିଅନ୍ତୁ। “ମୁଁ ନିକୃଷ୍ଟ ସ୍ଥିତି ପାଇଁ ପ୍ରସ୍ତୁତ, କିନ୍ତୁ ସର୍ବୋତ୍କୃଷ୍ଟ ପାଇଁ ଆଶାବାଦୀ।’’ ବ୍ରିଟିସ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ଦିଜ୍ରାଏଲିଙ୍କ ଦୁଇଶହ ବର୍ଷ ତଳର ଏହି ଉକ୍ତିକୁ ମନେରଖନ୍ତୁ। ଏହା ଦ୍ବାରା ବିପଦର ମୁକାବିଲା ପାଇଁ ଆଗରୁ ପ୍ରସ୍ତୁତ ହୋଇ ରହି ପାରିବେ। ଆପଣ ଯଦି ନିରାଶାବାଦୀ ହେବେ ଓ ଶକ୍ତିହୀନ ମନେ କରିବେ ସମସ୍ୟାରୁ ମୁକୁଳିବାର ସବୁ ରାସ୍ତା ଆପେଆପେ ବନ୍ଦ ହୋଇଯିବ। ତେଣୁ ବିଶ୍ବାସ ରଖନ୍ତୁ, ଆଗକୁ ବଢ଼ିବାର ସବୁ ରାସ୍ତା ଖୋଲିବାର କ୍ଷମତା ଆପଣଙ୍କ ପାଖରେ ଅଛି। ଯେତେବଡ଼ ସମସ୍ୟା ଆସୁନା କାହିଁକି ବିଚଳିତ ନହୋଇ ଶାନ୍ତ ରହନ୍ତୁ ଏବଂ ଧରି ନିଅନ୍ତୁ କାହାଣୀରେ ଏକ ମୋଡ଼ ଆସିଲା, ଟନେଲ୍ ଶେଷରେ ଆଲୁଅ ରହିଛି ଏବଂ ଏହି ସମୟ ମଧ୍ୟ କଟିଯିବ।
ଦ୍ବିତୀୟ ମନ୍ତ୍ର ହେଲା ନିଜ ଆଚରଣ ଓ ବ୍ୟବହାରକୁ ସଠିକ୍‌ ମାର୍ଗରେ ପରିଚାଳନା କରନ୍ତୁ। ଯେତେବେଳେ କଠିନ ସମୟ ଦେଇ ଗତି କରୁଛନ୍ତି ଦୁଃଖ, ଶୋକ, ଅବସାଦରେ ସମୟ ନଷ୍ଟ କରନ୍ତୁନି। ମାନସିକ ଆବେଗ ସବୁକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ କେବଳ ସେହି ସବୁ କାମ କରନ୍ତୁ, ଯାହା କରିବା ନିହାତି ଦରକାର। ମନୋବଳକୁ ଦୃଢ଼ କରନ୍ତୁ। ଶକ୍ତ ହୁଅନ୍ତୁ। ଡିସନିଲ୍ୟାଣ୍ଡ ପାର୍କର ପ୍ରତିଷ୍ଠାତା ୱାଲ୍‌ଟ ଡିସନିଙ୍କ ଠାରେ ରଚନାତ୍ମକ କ୍ଷମତାର ଅଭାବ କାରଣ ଦର୍ଶାଇ ତାଙ୍କ ପ୍ରଥମ ଚାକିରିରୁ ବରଖାସ୍ତ କରାଯାଇଥିଲା। ସେ କହିଥିଲେ- “ମୋ ଜୀବନର ପ୍ରତ୍ୟେକଟି ପ୍ରତିକୂଳ ପରିସ୍ଥିତି ମୋତେ ଅଧିକ ଶକ୍ତ ଓ ମଜବୁତ କରିଛି।’’ ପରିସ୍ଥିତିର ବିରୋଧ ନକରି ତା’ ସହିତ ବନ୍ଧୁତା କରନ୍ତୁ। ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖନ୍ତୁ। ଯେଉଁ ସବୁ କ୍ଷେତ୍ର ଆପଣଙ୍କ ନିୟନ୍ତ୍ରଣରେ ଅଛି, ତାରି ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତୁ। ଅତୀତରେ ଯେଉଁ ସବୁ କଠିନ ସମୟ ଅତିକ୍ରମ କରି ଆଗକୁ ବଢ଼ିଛନ୍ତି, ସେ ସବୁକୁ ମନେ ପକାନ୍ତୁ। ଆପଣଙ୍କ ଭିତରେ ଧୈର୍ଯ୍ୟ, ଆତ୍ମଶକ୍ତି ଓ ଆତ୍ମବିଶ୍ବାସ ଜାଗ୍ରତ ହେବ। ଛୋଟମୋଟ ବିଫଳତାରୁ ଆପଣ ନିଜକୁ ଚିହ୍ନିପାରିବେ, ନିଜ ଦୁର୍ବଳତାକୁ ଜାଣିବେ। ଲେଖକ ମାୟା ଆଞ୍ଜେଲୋ ଏକ ସାକ୍ଷାତ୍‌କାରରେ କହିଥିଲେ- ଆମକୁ ହୁଏତ ଅନେକ ପରାଜୟର ସାମ୍ନା କରିବାକୁ ପଡ଼ିପାରେ କିନ୍ତୁ ଯେକୌଣସି ପରିସ୍ଥିତିରେ ବି ମାନସିକ ସ୍ତରରେ ପରାଜିତ ହେବାନାହିଁ। ତେଣୁ ପରାଜୟକୁ ସ୍ବୀକାର କରନ୍ତୁନି। ପ୍ରତ୍ୟେକ ପରିସ୍ଥିତିରେ ଏକ ବିଜୟୀର ମନୋଭାବ ପୋଷଣ କରନ୍ତୁ।
ବୈରାଗ୍ୟବାଦର ତୃତୀୟ ଓ ଶେଷ ମନ୍ତ୍ର ହେଲା ଯାହା ନିଜ ନିୟନ୍ତ୍ରଣରେ ନାହିଁ, ତାହା ଗ୍ରହଣ କରି ନିଅନ୍ତୁ। ନିଜ ସୀମା ସରହଦକୁ ପାଥେୟ କରି ଆଗକୁ ବଢ଼ନ୍ତୁ। ଯଦି ଡେଣା ନାହିଁ, ସ୍ବପ୍ନରେ ବିଭୋର ହୋଇ ଆକାଶରେ ଉଡ଼ନ୍ତୁ। ଖ୍ରୀଷ୍ଟ ଧର୍ମଗ୍ରନ୍ଥରେ ବି ସେହି କଥା ଲେଖାଅଛି- “ଦୁର୍ଦ୍ଦିନରେ କେବଳ ବଞ୍ଚି ରହିବା ଭଗବାନ ଚାହାନ୍ତିନି, ସେ ଚାହାନ୍ତି ଆମେ ଆନନ୍ଦ ଉଲ୍ଲାସର ସହ ଏକ ବିଜୟୀର ମନୋଭାବ ନେଇ ବଞ୍ଚିବା।’’ ପରିସ୍ଥିତିର ବାଧା ବନ୍ଧନ ଡେଇଁ ମୁକ୍ତ ବିହଙ୍ଗଟିଏ ସାଜନ୍ତୁ। ଆପଣଙ୍କ ସାମନାରେ ଅନନ୍ତ ଆକାଶ। ନିଜର କର୍ମ, ନିଜର ନିଷ୍ପତ୍ତି ଓ ତାରି ଉପରେ ଆଧାରିତ ଫଳାଫଳ ପାଇଁ ନିଜକୁ ହିଁ ଦାୟୀ କରନ୍ତୁ। ବିପଦ ସାମ୍ନାରେ ଠିଆହୋଇ, କଠିନ ପରିସ୍ଥିତିର ଆଲିଙ୍ଗନରେ ଅଣନିଃଶ୍ବାସୀ ନହୋଇ, ଆନନ୍ଦ ଉଚ୍ଛ୍ବସିତ ବିଜୟର ନିଆରା ଅନୁଭୂତି ଅନୁଭବ କରନ୍ତୁ। ଗ୍ରୀକ୍ ଦାର୍ଶନିକ ସେନେକାଙ୍କ ମତରେ “ପରିଶ୍ରମ ଶରୀରକୁ ମଜବୁତ କଲାପରି କଠିନ ପରିସ୍ଥିତି ମନକୁ ସୁଦୃଢ଼ କରେ।’’ ତେଣୁ ବିଷାଦ ଓ ଚିନ୍ତାରେ ସମୟ ନଷ୍ଟ ନକରି ତୁରନ୍ତ ସତ୍‌କର୍ମରେ ମନ ନିବେଶ କରନ୍ତୁ ଏବଂ ଦାୟିତ୍ବକୁ ସମ୍ପୂର୍ଣ୍ଣ ଭାବରେ ଓ ସଠିକ୍ ଭାବରେ ନିର୍ବାହ କରନ୍ତୁ।
ଏହି ତିନିଟି ମନ୍ତ୍ରକୁ ପାଥେୟ କରି ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିକୁ ଆପଣ ମୁକାବିଲା କରିପାରିବେ। କୁରୁକ୍ଷେତ୍ର ରଣାଙ୍ଗନରେ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ବୁଝାଇବାକୁ ଯାଇ କହିଥିଲେ: “କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ। କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ବୋତ୍ତିଷ୍ଠ ପରନ୍ତପ।।’’ 
ସବୁ ସ୍ତରରେ ଦୁର୍ବଳତାକୁ ତ୍ୟାଗ ପୂର୍ବକ ମାନସିକ ଭାବରେ ଦୃଢ଼ ହୁଅନ୍ତୁ। ପ୍ରତିକୂଳ ପରିସ୍ଥିତି ଆପଣଙ୍କୁ ପୁଣିଥରେ, ଜୀବନର ମୂଲ୍ୟବୋଧର ମୂଲ୍ୟାଙ୍କନ କରିବାର ସୁଯୋଗ ଦେବ। ଲକ୍ଷ୍ୟହୀନ ଭାବେ ମାଡ଼ି ଚାଲିଥିବା ଜୀବନର ଧାରାକୁ, ସଠିକ୍ ମାର୍ଗଦର୍ଶନ ପାଇଁ ଜୀବନର ମୋଡ଼ ବଦଳାନ୍ତୁ। ଆପଣଙ୍କ ଆଗରେ ଆଶାର ଅସରନ୍ତି ଆଲୋକ, ତାକୁ କୋଳେଇ ନିଅନ୍ତୁ। ଆପଣ ପବନର ଗତି ହୁଏତ ବଦଳାଇ ପାରିବେନି, କିନ୍ତୁ ପବନ ସହିତ ତାଳଦେଇ ଜୀବନ ନୌକାର ଦିଗ ନିଶ୍ଚିତ ଭାବରେ ନିର୍ଦ୍ଧାରଣ କରିପାରିବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭