ଗତ ଫେବ୍ରୁଆରି ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦେଶରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହେବାର ଛଅ ମାସ ବିତିଗଲାଣି। ଏ ମଧ୍ୟରେ ଏହି ଯୁଦ୍ଧ ଦଶ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ଲକ୍ଷ ଲକ୍ଷ ୟୁକ୍ରେନ୍ ଅଧିବାସୀଙ୍କ ପଳାୟନ ଘଟାଇସାରିଛି। ଜାତିସଂଘର ମାନବାଧିକାର ହାଇକମିସନର୍ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଏହି ଯୁଦ୍ଧରେ ୫,୫୮୭ ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିବା ଓ ୭,୮୯୦ ଆହତ ହୋଇଥିବା ପୁଷ୍ଟି କରିଛନ୍ତି। ୟୁକ୍ରେନ୍ ସରକାରଙ୍କ ତଥ୍ୟ ଅନୁଯାୟୀ ସେ ଦେଶର ୯,୦୦୦ ସୈନିକ ପ୍ରାଣ ହରାଇସାରିଲେଣି। ରୁଷିଆର ସେଭଳି ଆଧିକାରିକ ସଂଖ୍ୟା ପ୍ରକାଶ ପାଇ ନ ଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଟେଲିଜେନ୍ସ ବିଭାଗ ଆକଳନ କରିଛି ଯେ ପାଖାପାଖି ୧୫,୦୦୦ ରୁଷୀୟ ସୈନିକ ମୃତ୍ୟୁବରଣ କରିସାରିଲେଣି। ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଏହି ଯୁଦ୍ଧ ୟୁରୋପର ସର୍ବବୃହତ୍ ଶରଣାର୍ଥୀ ସଙ୍କଟକୁ ଜନ୍ମ ଦେଇଛି। ଏ ଛଅ ମାସ ମଧ୍ୟରେ ୟୁକ୍ରେନ୍ର ୧.୩ କୋଟି ଲୋକ ନିଜ ଘର ଛାଡ଼ି ଯିବାକୁ ବାଧ୍ୟ ହୋଇଛନ୍ତି। ସେ ମଧ୍ୟରୁ ୬୭ ଲକ୍ଷ ଲୋକ ୟୁରୋପର ବିଭିନ୍ନ ଦେଶରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିବା ବେଳେ ୬୬ ଲକ୍ଷ ଲୋକ ଦେଶ ଭିତରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ୟୁକ୍ରେନ୍ ସରକାର ୧୮-୬୦ ବର୍ଷୀୟ ପୁରୁଷଙ୍କୁ ଦେଶ ଛାଡ଼ିବାକୁ ବାରଣ କରିଥିବାରୁ ଅଧିକାଂଶ ଶରଣାର୍ଥୀ ହେଉଛନ୍ତି ମହିଳା ଓ ଶିଶୁ। ଏହି ଯୁଦ୍ଧରେ ରୁଷିଆ ୟୁକ୍ରେନ୍ର ପାଖାପାଖି ୨୦% ବା ୪୭,୦୦୦ ବର୍ଗ ମାଇଲ୍ ଅଞ୍ଚଳ ଦଖଲ କରିସାରିଲାଣି। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନ୍ର ଅର୍ଥନୀତି ୪୫% ପର୍ଯ୍ୟନ୍ତ ସଙ୍କୁଚିତ ହୋଇଯିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୁଦ୍ଧର ପ୍ରଭାବ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ସାରା ବିଶ୍ବର ଅର୍ଥନୀତି ଏହା ଦ୍ବାରା ପ୍ରଭାବିତ ହୋଇଛି। ଇଣ୍ଟରନେସ୍ନାଲ୍ ମନିଟାରି ଫଣ୍ଡ୍ର ପୂର୍ବାନୁମାନ ଅନୁସାରେ ଏ ବର୍ଷ ବିଶ୍ବ ଅର୍ଥନୀତର ଅଭିବୃଦ୍ଧି ହାର ୩.୨%ରେ ସୀମିତ ରହିବ, ଯେତେବେଳେକି ଗତ ବର୍ଷ ଏହି ହାର ୬.୧% ଥିଲା। ଏହି ଯୁଦ୍ଧ ପାଇଁ ୟୁରୋପ ମହାଦେଶ ଆର୍ଥିକ ସମସ୍ୟା ସହିତ ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ଭାରତ ସମେତ ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦେଶର ଅର୍ଥନୈତିକ ସ୍ଥିତିର ନିୟନ୍ତ୍ରଣ ଓ ସୁଧାର ପାଇଁ ସୁଧ ହାର ବୃଦ୍ଧି କରିଛନ୍ତି।