ଆସନ୍ତା ୩୦ ଓ ୩୧ ତାରିଖ ଓ ଫେବ୍ରୁଆରି ମାସ ୧ ଓ ୨ ତାରିଖରେ ଆମ୍ଭମାନଙ୍କୁ ଉତ୍ତର ଓ ଉତ୍ତର ପଶ୍ଚିମ ଆକାଶରେ ଖାଲି ଆଖିରେ ଜେଡ୍ଟିଏଫ୍ ନାମକ ଧୂମକେତୁଟି ଦେଖାଯିବ। ବିଜ୍ଞାନ ଭିତ୍ତିକ ନାମକ ଧାରଣ କରିଥିବା ଧୂମକେତୁଟିର ସମ୍ପୂର୍ଣ୍ଣ ନାମ C/2022E3 (ZTF)। ଫେବ୍ରୁଆରି ୧ ତାରିଖ ବେଳକୁ ଧୂମକେତୁଟି ପୃଥିବୀର ନିକଟତମ ହେବ ଏବଂ ପୃଥିବୀ ଠାରୁ ଏହାର ଦୂରତା ରହିବ ୪୨ ନିୟୁତ କିଲୋମିଟର। ତେଣୁ ଏହି ସମୟରେ ଧୁମକେତୁର ଉଜ୍ଜ୍ବଳତା ୬ ଗୁଣ ବୃଦ୍ଧି ପାଇବ। ଏହି ଧୂମକେତୁଟି ଆକୃତିରେ ଚନ୍ଦ୍ରଠାରୁ ଛୋଟ ଏବଂ ଏହାର ନିଜସ୍ବ ଆଲୋକ ନାହିଁ। ସୂର୍ଯ୍ୟଙ୍କ ଆଲୋକରେ ଏହା ଆଲୋକିତ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ସମୟରେ ଆକାଶ ପରିଷ୍କାର ଓ ନିର୍ମଳ ରହିବାର ଆଶା ଥିବାରୁ ଚାରିଟି ଗ୍ରହ ଯଥା ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନି ମଧ୍ୟରେ ରାତ୍ରି ଆକାଶରେ ଏହା ଦୃଶ୍ୟମାନ ହେବେ। ପୃଥିବୀର ଉପଗ୍ରହ ଚନ୍ଦ୍ର ମଧ୍ୟ ନିଜ କକ୍ଷ ପଥରେ ପୃଥିବୀକୁ ପ୍ରଦକ୍ଷିଣ କରିବା ସମୟରେ ପୃଥିବୀର ନିକଟତର ହୋଇଥିଲା ବେଳେ ‘ରେଗୁଲସ୍’ ନାମକ ଏକ ନକ୍ଷତ୍ରକୁ ତା’ର ଖୁବ୍ ନିକଟରେ ଅତିକ୍ରମ କରିବ। ଏହି ସମୟରେ ଚନ୍ଦ୍ରର ଉଜ୍ଜ୍ବଳତା ମଧ୍ୟ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇବ। ଏହି କାରଣରୁ ଜାନୁଆରି ଶେଷ ସପ୍ତାହ ଓ ଫେବ୍ରୁଆରି ପ୍ରଥମ ସପ୍ତାହରେ ରାତି ଅପେକ୍ଷାକୃତ ଅଧିକ ଆଲୋକିତ ହେବା ସହିତ ଆକାଶରେ େକତେକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ, ଯାହାକୁ ‘ନାସା’ର ବୈଜ୍ଞାନିକ ‘ପ୍ଲାନେଟ୍ ପରେଡ’ ବା ‘ଗ୍ରହ ପଟୁଆର’ ବୋଲି ଆଖ୍ୟା ଦେଇଛନ୍ତି।
ଧୂମକେତୁଗୁଡ଼ିକ ଆକାଶୀୟ ପିଣ୍ଡ। ସୌରମଣ୍ଡଳରେ ଲକ୍ଷ ଲକ୍ଷ ଧୂମକେତୁ ଅଛନ୍ତି। ଅନ୍ୟାନ୍ୟ ଗ୍ରହ ବା ଉପଗ୍ରହ ଭଳି ଧୂମକେତୁ ମଧ୍ୟ ସୌର ପରିବାରର ଏକ ସଦସ୍ୟ। ପ୍ରତିଟି ଧୂମକେତୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜସ୍ବ କକ୍ଷ ପଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିଥାଏ। ଏହି ଜେଡ୍ଟିଏଫ୍ ଧୂମକେତୁର ସୂର୍ଯ୍ୟଙ୍କ ଠାରୁ ସର୍ବାଧିକ ଦୂରତା ହେଉଛି ୬୪୦ ନିୟୁତ କିଲୋମିଟର। ଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବାକୁ ଏହି ଧୂମକେତୁ ପ୍ରାୟ ୫୦,୦୦୦ ବର୍ଷ ନେଇଥାଏ। ତେଣୁ ପୂର୍ବରୁ ହିମଯୁଗର ଅବସାନ ପରବର୍ତ୍ତୀ ‘ପାଲିଓଲିଥିକ’ ବା ପ୍ରସ୍ତର ଯୁଗରେ ଏହା ପୃଥିବୀକୁ ଦୃଶ୍ୟମାନ ହୋଇଥିବ। ଗତ ବର୍ଷ ମାର୍ଚ୍ଚ ୨୨ ତାରିଖରେ ବ୍ରାଇସ୍ ବୋଲିନ୍ ଓ ଫ୍ରାନ୍ସ ମାସି ନାମକ ଜ୍ୟୋର୍ତିବିଜ୍ଞାନୀ ଦ୍ବୟ ‘ଜ୍ବିକି ଟ୍ରାନ୍ସିଏଣ୍ଟ ଫାସିଲିଟି’ ସର୍ଭେ ଉପକରଣ ଉପଯୋଗ କରି ଏହାକୁ ପ୍ରଥମେ ଆବିଷ୍କାର କରିଥିଲେ ବା ଆକାଶରେ ଠାବ କରିଥିଲେ। ପ୍ରଥମେ ଏହାକୁ ଏକ ଉଲ୍କା ପିଣ୍ଡ ବୋଲି ଅନୁମାନ କରାଯାଉଥିଲା। ପରେ ଦେଖାଗଲା ଯେ ଏହାର କେନ୍ଦ୍ର ଚାରି ପଟେ ଏକ ଘନୀଭୂତ ‘କୋମା’ ଅଛି। ତେଣୁ ଏହା ଉଲ୍କା ନୁହେ, ବରଂ ଏକ ଧୂମକେତୁ ବୋଲି ଜଣାପଡ଼ିଲା। ଏହି ଧୂମକେତୁର ବର୍ଣ୍ଣ ଗାଢ଼ ସବୁଜ।
ଧୂମକେତୁର ଉଜ୍ଜ୍ବଳତମ ଅଂଶ ହେଉଛି ଏହାର ଶୀର୍ଷ ଭାଗ ବା ମୁଣ୍ଡ। ବୈଜ୍ଞାନିକମାନେ କୁହନ୍ତି ସାଧାରଣତଃ ଧୂମକେତୁ ଅଗଣିତ କଠିନ ବସ୍ତୁ, ଗ୍ୟାସ୍ ବା ବାଷ୍ପ ଏବଂ ଧୂଳିକଣାକୁ ନେଇ ଗଠିତ। ଧୂମକେତୁର ତିନିଟି ମୁଖ୍ୟ ଅଂଶ ରହିଛି; ନାଭିକେନ୍ଦ୍ର, କୋମା ଏବଂ ଲାଞ୍ଜ। ମୁଣ୍ଡର କେନ୍ଦ୍ରାଞ୍ଚଳ ଅଧିକତମ ଭାରୀ ପଦାର୍ଥକୁ ନେଇ ଗଠିତ ହୋଇଥିବାରୁ ଏହାକୁ ‘ନ୍ୟୁକ୍ଲିୟସ୍’ ବା ନାଭିକେନ୍ଦ୍ର କୁହାଯାଏ। ନାଭିକେନ୍ଦ୍ର ଚାରିପଟକୁ ଆବୃତ କରିଥିବା ଝାପ୍ସା ଧୂମ ପଟଳକୁ ‘କୋମା’ କୁହାଯାଏ। ଧୂମକେତୁଟି ସୂର୍ଯ୍ୟଙ୍କର ନିକଟତର ହେଲାବେଳେ ଏହାର ପଶ୍ଚାତ୍ ଭାଗରେ ଅର୍ଥାତ୍ ସୂର୍ଯ୍ୟଙ୍କର ବିପରୀତ ଦିଗରେ ଏକ ଲାଞ୍ଜ ଦୃଶ୍ୟମାନ ହୁଏ। ଯେତିକି ଯେତିକି ସୂର୍ଯ୍ୟଙ୍କ ନିକଟକୁ ଧୂମକେତୁଟି ଆସେ, ସେତିକି ସେତିକି ଲାଞ୍ଜର ଲମ୍ବା ମଧ୍ୟ ବୃଦ୍ଧି ପାଏ। ଲାଞ୍ଜଟିର ଲମ୍ବ ଅତି କମ୍ରୁ ୫ ନିୟୁତ ମାଇଲ ବା ୮ ନିୟୁତ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ଧୂମକେତୁକୁ ଏଥିପାଇଁ ଲଞ୍ଜାତାରା ମଧ୍ୟ କୁହାଯାଏ। ଲାଞ୍ଜ ଅଂଶରେ ପତଳା ବା ହାଲ୍କା ଗ୍ୟାସ ଓ ସୂକ୍ଷ୍ମ ଧୂଳି କଣିକା ଭରପୁର ଥାଏ। ସୂର୍ଯ୍ୟଙ୍କ ନିକଟତର ହେଲା ବେେଳ ଏହାର ବାଷ୍ପୀୟ ଅଂଶ ପ୍ରସାରିତ ହେବାକୁ ଲାଗେ ଏବଂ ଏହାର ଉଜ୍ଜ୍ବଳତା ମଧ୍ୟ ବୃଦ୍ଧି ପାଏ। ସୂର୍ଯ୍ୟଙ୍କ ଠାରୁ ଦୂରକୁ ଚାଲିଗଲେ, ପ୍ରଥମେ ଲାଞ୍ଜର ଆକାରରେ ହ୍ରାସ ଘଟେ ଓ କ୍ରମେ ତାହା ଦୃଶ୍ୟମାନ ହୁଏ ନାହିଁ। ପରେ ସମ୍ପୂର୍ଣ୍ଣ ଧୂମକେତୁଟି ଦୃଶ୍ୟପଟରୁ ଅପସରି ଯାଏ।
ଧୂମକେତୁଗୁଡ଼ିକ ସୂର୍ଯ୍ୟ ଚାରିପଟେ ଭିନ୍ନ ଭିନ୍ନ ଆକୃତିର କକ୍ଷପଥରେ ପ୍ରଦକ୍ଷିଣ କରିଥାନ୍ତି। ଏହି ପ୍ରଦକ୍ଷିଣ ଅବଧି କିଛି ବର୍ଷ ଅନ୍ତରରେ ହୋଇପାରେ ବା ହଜାର ହଜାର ବର୍ଷ ଅନ୍ତରରେ ମଧ୍ୟ ହୋଇପାରେ। ଏ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିବା ଉଜ୍ଜ୍ବଳତମ ଧୂମକେତୁ ହେଉଛି ‘ହାଲି’ ଧୂମକେତୁ। ଏହାକୁ ଧୂମକେତୁ ମାନଙ୍କର ରାଜା କୁହାଯାଏ। ଏହା ପ୍ରତି ୭୫ ବା ୭୬ ବର୍ଷରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ। ଗତ ୧୯୮୬ ମସିହାରେ ହାଲି ଧୂମକେତୁ ପୃଥିବୀ ଆକାଶରେ ଦିଶିଥିଲା। ପୁନଶ୍ଚ ୨୦୬୧ ମସିହା ବେଳକୁ ଏହା ଆକାଶରେ ଦୃଶ୍ୟମାନ ହୋଇପାରେ।
ମୋ: ୯୪୩୭୦୦୦୯୦୪