ପ୍ରତ୍ୟେକ କର୍ମଜୀବୀଙ୍କ ଜୀବନରେ ଅବସର ନେବାର କ୍ଷଣ ଏକ ମାନସିକ ଦୋଳନ ସୃଷ୍ଟି କରିଥାଏ। ଏହା ପରେ ଆର୍ଥିକ ଅବସ୍ଥା, ପରିବାରରେ ନିଜର ସ୍ଥିତି, ଅନ୍ୟମାନଙ୍କ ଦୃଷ୍ଟିରେ ସମ୍ମାନ ଆଦି ବିଷୟ ଉଦ୍ବେଗ ସୃଷ୍ଟି କରେ। ସେମିତି କର୍ମକ୍ଷେତ୍ରରେ ସେ କାଟୁଥିବା ସମୟ ବଳି ପଡ଼ି ତାଙ୍କ ଲାଗି ଏକ ବୋଝ ସଦୃଶ ମଧ୍ୟ ହୋଇଥାଏ। ଏଭଳି ସ୍ଥଳେ ଏକ ସୁଖୀ ଅବସର ଜୀବନ କେମିତି କାଟିହେବ ତାହା ଏକ ପ୍ରଶ୍ନ ହୋଇପଡ଼େ।
ମନୋବିଜ୍ଞାନୀମାନେ ଅବସର ପରର ଜୀବନକୁ ନେଇ ଚାରିଟି ସୋପାନ କଥା କହନ୍ତି। ପ୍ରଥମଟି ହେଲା ପ୍ରାକ୍-ଅବସର ସୋପାନ। ଏଥିରେ ଅବସର ଗ୍ରହଣ ପରେ ଜଣେ ବ୍ୟକ୍ତି କ’ଣ କରିବ, ତାହାର ଏକ ନକ୍ସା ପ୍ରସ୍ତୁତ କରନ୍ତି। ଏହି ପ୍ରସ୍ତୁତି ସମୟରେ ସେ ନିଜ ସମ୍ବଳ, ଦକ୍ଷତା ଏବଂ ସମ୍ଭାବ୍ୟ ସାହାଯ୍ୟକାରୀମାନଙ୍କ କଥା ବିଚାର କରି ଏବଂ ଶୁଭାକାଂକ୍ଷୀମାନଙ୍କ ପରାମର୍ଶ ନିଅନ୍ତି। ଏହା ପରେ ଆସେ ସ୍ବପ୍ନ ଦ୍ବାରା ଆବିଷ୍ଟ ହେବାର ସମୟ, ଯାହା ଦ୍ବିତୀୟ ସୋପାନ। ଏହି ସମୟରେ ଆବେଗର ପ୍ରାଚୁର୍ଯ୍ୟ ସେହି ବ୍ୟକ୍ତିଙ୍କୁ ମୋହଗ୍ରସ୍ତ କରି ରଖିଥାଏ। ସେ ଭାବନ୍ତି ଯେ ସେ ଏବେ ସ୍ୱାଧୀନ; ସୁତରାଂ, ନିଜ ଇଚ୍ଛା ଅନୁସାରେ ସମୟ ଓ ସମ୍ବଳର ବିନିଯୋଗ କରାଯାଇପାରିବ। ସୁତରାଂ, ସେ ବିଭିନ୍ନ କଳ୍ପନାର ଜାଲ ବୁଣିବାରେ ଲାଗନ୍ତି।
କିନ୍ତୁ ଅବସୋସ, ଅନେକାଂଶରେ ଏହିସବୁ କଳ୍ପନା ବା ସ୍ବପ୍ନ ଅବାସ୍ତବ ଓ ଅତିରଂଜିତ ହୋଇଥାଏ, ଯାହା କ୍ରମେ ତାଙ୍କର ହୃଦ୍ବୋଧ ହୁଏ। ତା’ ପରେ ଆସେ ତୃତୀୟ ସୋପାନ। ଅନେକ ସମୟରେ ଏହା ହୋଇଥାଏ ସ୍ୱପ୍ନ ଭଙ୍ଗର ସୋପାନ। ହୁଏ’ତ ଏବେ ସେ ହୃଦୟଙ୍ଗମ କରନ୍ତି ଯେ ନିଜ ନିଯୁକ୍ତିଦାତାଙ୍କ ଠାରୁ ସେ ପାଇଥିବା ସମ୍ବଳ କ୍ରମେ ନିଃଶେଷ ହେବାରେ ଲାଗିଛି; ଏଣେ ନିଜର ସ୍ବପ୍ନ ପୂରଣ ହେବା ଦିଗରେ ତା’ର ବିଶେଷ ଉପଯୋଗ ହୋଇନାହିଁ। ହୁଏ’ତ ଏହା ମଧ୍ୟ ଲାଗିପାରେ ଯେ ତାଙ୍କ ଭବିଷ୍ୟତ୍ର ଯୋଜନା ସେ ଚିନ୍ତା କରିଥିବା ଭଳି ଏକ ସିଧା, ସୁନ୍ଦର ଏବଂ ଆମୋଦଦାୟକ ଯାତ୍ରା ନୁହେଁ; ତହିଁରେ ଅନେକ ପ୍ରତିବନ୍ଧ ରହିଛି, ଯାହାର ମୁକାବିଲା ଏହି ବୟସରେ ସହଜସାଧ୍ୟ ନୁହେଁ। ଅନେକ ବ୍ୟକ୍ତି ଅବସର ନେବା ପରେ ପ୍ରତ୍ୟକ୍ଷ କରନ୍ତି କିଭଳି ସେମାନଙ୍କ ସାବାଳକ ସନ୍ତାନମାନଙ୍କ ଭିତରେ ସଂପତ୍ତି ଲାଗି କଳହ ଲାଗୁଛି ଅଥବା କିଭଳି ତାଙ୍କୁ ସଂପୂର୍ଣ୍ଣ ନଜରଅନ୍ଦାଜ କରି ପିଲାମାନେ ଯେ ଯାହା ବାଟରେ! ସ୍ବାଭାବିକ ଭାବେ ଏହା ଏକ ଅତ୍ୟନ୍ତ ହତାଶାଜନକ ସମୟରେ ପରିଣତ ହୁଏ। ଏହା ପରେ ଆସେ ଚତୁର୍ଥ ସୋପାନ, ଯହିଁରେ ସେ ନିଜ ଆଭିମୁଖ୍ୟର ପୁନର୍ଗଠନ କରିବାକୁ ବାଧ୍ୟ ହୁଅନ୍ତି। ଏଥିରେ ଅନେକ ବ୍ୟକ୍ତି ଏବଂ ପରିସ୍ଥିତି ସହିତ ଅନିଚ୍ଛା ସତ୍ତ୍ବେ ସାଲିସ କରିବାକୁ ହୋଇଥାଏ। ଏଭଳି ସ୍ଥିତି ଅଧିକାଂଶ କ୍ଷେତ୍ରରେ ଦେଖାଯାଏ।
ତେବେ କଥା ହେଲା, ଅଳ୍ପ ସଂଖ୍ୟକ ଲୋକ ଅବସର ପରେ ମଧ୍ୟ ଏକ ସମନ୍ବିତ ଜୀବନ କାଟନ୍ତି। େତଣୁ ପ୍ରଶ୍ନ ଉଠେ ଯେ ସେମାନେ କେଉଁ ପ୍ରକାରର ଲୋକ? ମନୋବିଜ୍ଞାନୀଙ୍କ ମତରେ ଏମାନେ ପରିପକ୍ୱ କିସମର। ଏ ଧରଣର ଲୋକମାନଙ୍କର କେତେକ ବୈଶିଷ୍ଟ୍ୟ ଥାଏ। ପ୍ରଥମ କଥା ଏମାନେ ପରିବର୍ତ୍ତନ ସହିତ ଖାପ ଖୁଆଇବା ଲାଗି ସଦା ପ୍ରସ୍ତୁତ ଥାଆନ୍ତି। ଉଦାହରଣ ସ୍ବରୂପ ବୟସ୍କ ବ୍ୟକ୍ତିମାନେ ଅଭ୍ୟାସ ବଳରେ ନିର୍ଦ୍ଦିଷ୍ଟ ସମୟେର ନିର୍ଦ୍ଦିଷ୍ଟ କାମମାନ କରନ୍ତି। ଧରନ୍ତୁ ସକାଳ ଠିକ୍ ସାତଟା ବେଳେ ଚା’ ପିଇବା କଥା। ଏଥିରେ କିଞ୍ଚିତ ଓଲମବିଲମ ଘଟିପାରେ। ଅବସର ପରେ ଅଧିକାଂଶ ବ୍ୟକ୍ତିଙ୍କୁ ଏଭଳି ବ୍ୟତିକ୍ରମ ଖୁବ୍ ବାଧେ। ସେମାନେ ଭାବି ନିଅନ୍ତି ଯେ ଅବସର ପରେ ଏହା ତାଙ୍କ ପ୍ରତି ଅବହେଳାର ପ୍ରମାଣ। କିନ୍ତୁ ମୁଷ୍ଟିମେୟ ଯେଉଁମାନେ ଏହାକୁ ନଜରଅନ୍ଦାଜ କରି ଯେତେବେଳେ ଚା’ ମିଳିଲା, ଖୁସିେର ପିଅନ୍ତି, ସେମାନେ ଅବସର ପରେ ଏକ ସୁଖୀ ଜୀବନ ଜିଇବା ଲାଗି ଅଧିକ ପ୍ରସ୍ତୁତ ବୋଲି ବୁଝିବାକୁ ହେବ।
ସେମିତି ସେମାନଙ୍କ ଆଉ ଏକ ବଡ଼ ଗୁଣ ହେଲା ସମାଜ ସହିତ ଅଧିକ ସମ୍ପୃକ୍ତି ସୃଷ୍ଟିର ପ୍ରବଣତା। ଧରନ୍ତୁ ଜଣେ ଲୋକ ଅବସର ଗ୍ରହଣ ପରେ କିଛି ପିଲାଙ୍କୁ ପାଠ ପଢ଼େଇଲେ ବା ଘର ନିକଟସ୍ଥ ବସ୍ତିରେ ବିଭିନ୍ନ ବିଷୟରେ ସଚେତନତାର ପ୍ରସାର କଲେ ବା କୌଣସି ସେବାମୂଳକ ବା ସଂଗଠନମୂଳକ କାମରେ ନିଜକୁ ଲଗାଇଲେ; ସେ ସେଥିରୁ ଆନନ୍ଦ ପାଇବା ସହିତ କଦାପି ନିଃସଙ୍ଗ ଅନୁଭବ କରିବେ ନାହିଁ। କେବଳ ସେତିକି ନୁହେଁ, ସମୟ ଅତିବାହିତ କରିବାର ଏହା ତାଙ୍କ ଲାଗି ଏକ ଉତ୍କୃଷ୍ଟ ପନ୍ଥାରେ ପରିଣତ ହୁଏ। ସେମିତି ଅନେକ ବ୍ୟକ୍ତି ପୂର୍ବରୁ କର୍ମ ଓ ଅନ୍ୟ ଜଂଜାଳର ଚାପରେ କିଛି ସଉକ ପୂରଣ କରି ପାରି ନ ଥାଆନ୍ତି। ଏବେ ତାହା ପୂରଣ କରି ହୁଏ’ତ ସଂଗୀତ ଶିଖି ପାରନ୍ତି, ବଗିଚା କାମରେ ନିଜକୁ ନିୟୋଜିତ କରି ପାରନ୍ତି ବା ନିଜକୁ ସୁସ୍ଥ ରଖିବା ଲାଗି ଯୋଗ ବା ପ୍ରାଣାୟାମରେ ବ୍ୟାପୃତ ରହିପାରନ୍ତିି ବା ମେଜିକ ବିଦ୍ୟା ଶିଖିପାରନ୍ତି। ଏହା ଦ୍ବାରା ସେମାନଙ୍କ ଭିତରେ ଏକ ଅଦମ୍ୟ ଉତ୍ସୁକତା ଏବଂ ପ୍ରଫୁଲ୍ଲତା ଜାତ ହେବ।
ମୂଳ କଥା ହେଲା, ଅବସର ନେଉଥିବା ବ୍ୟକ୍ତିମାନେ ଜୀବନର ଗତିିଶୀଳତା ସହିତ ତାଳ ଦେଇ ନିଜ ବ୍ୟକ୍ତିତ୍ବକୁ ବଦଳାଇ ପାରିବା ଉଚିତ। ତାହା ଅବସର ପରର ଜୀବନକୁ ସୁଖୀ କରିବ। ଏହି ସମୟଟି ହେଉଛି ମନନ ବା ଚିନ୍ତନର ସମୟ। ପୂର୍ବରୁ ଯାହା ସବୁ ତ୍ରୁଟି ଘଟିଛି, ତାକୁ ସଜାଡ଼ିବାର କ୍ଷଣ ଏବେ ଉପନୀତ। ସୁତରାଂ, ସେଥିରେ ସଫଳ ହେଲେ ଅପାର ମନସିକ ତୃପ୍ତି ମଧ୍ୟ ମିଳିବ।
ମୋ- ୯୪୩୭୧୨୧୨୭୯
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/36-17.jpg)