କୁହାଯାଇଥାଏ ଯେ ମହିଳାମାନଙ୍କୁ ସେମାନଙ୍କ ବୟସ ପଚାର ନାହିଁ। କିନ୍ତୁ ଏବେ ପୁରୁଷମାନେ ମଧ୍ୟ ବୟସ ଲୁଚାଇବା ବର୍ଗରେ ସାମିଲ ହେଲେଣି। ଏବେ ‘ଫେସ୍ବୁକ୍’ରେ ଓ ‘ମାଟ୍ରିମୋନି’ରେ ନିଜ ବିଷୟରେ ସୂଚନା ଦେଲା ବେଳେ ପୁରୁଷମାନେ ମଧ୍ୟ ବୟସ ଲୁଚାଉଛନ୍ତି। ଏହାର କାରଣ ବୟସ ଅଧିକ ହେଲେ ବୟସ୍କ ଭାବେ ଗଣା ହେବାର ଭୟ। କୌଣସି ପରିଣତ ବୟସର ବ୍ୟକ୍ତିଙ୍କୁ ତାଙ୍କ ବୟସ ବାବଦରେ ମନେ ପକାଇ ଦିଆଗଲେ ସେ ଖୁସି ହୁଅନ୍ତି ନାହିଁ। ଅଥଚ ଜଣେ ପ୍ରୌଢ଼ଙ୍କୁ ଯଦି କୁହାଯାଏ ଯେ ସେ ୩୦ ବର୍ଷ ବୟସର ଯୁବକ ଭଳି ଦିଶୁଛନ୍ତି, ତେବେ ସେ ଉଲ୍ଲସିତ ହୋଇ ଉଠନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଏ କଥାଟି ବି ସତ। ତେଣୁ ମୂଳ କଥା ହେଲା ସମସ୍ତେ ଯୁବ ସୁଲଭ ରହିବା ଲାଗି ଚାହିଁଥାଆନ୍ତି, ଯେଉଁ କାରଣରୁ ପ୍ରସାଧନ ସାମଗ୍ରୀ ନିର୍ମାଣ କରୁଥିବା ଉଦ୍ୟୋଗ ଅତି ଦ୍ରୁତ ଗତିରେ ବିକାଶ ଲାଭ କରିବାରେ ଲାଗିଛି।
ଏବେ ଆଉ ଗୋଟିଏ କଥା ବି ଦେଖିବାକୁ ମିଳିଲାଣି। ତାହା ହେଲା ପୁରୁଷ ବା ମହିଳା ନିର୍ବିଶେଷରେ ଲୋକେ କସରତ କରି ବା ବ୍ୟାୟାମ କରି ନିଜକୁ ଏମିତି ଅବସ୍ଥାରେ ରଖୁଛନ୍ତି, ଯହିଁରେ ସେମାନେ ନିଜ ଠାରୁ କୋଡ଼ିଏ ବର୍ଷ କମ୍ ବୟସର ଲୋକଙ୍କୁ ମାତ୍ ଦେଇପାରିବେ। ଉଦାହରଣ ସ୍ବରୂପ ବୟସ ପଞ୍ଚାବନ ହୋଇଥିବ ଅଥଚ ସେ ପ୍ରତି ଦିନ ସକାଳେ ଅନାୟାସରେ ପାଞ୍ଚ କିଲୋମିଟର ଦୌଡ଼ି ପାରୁଥିବେ, ଯାହା ଜଣେ ପଚିଶ ବର୍ଷ ବୟସ୍କ ପକ୍ଷେ କରିବା କଷ୍ଟକର। ଏଭଳି ସ୍ଥଳେ କୁହାଯାଏ ଯେ ତାଙ୍କ ବୟସ ସିନା ପଞ୍ଚାବନ କିନ୍ତୁ ତାଙ୍କ ‘ବାୟୋଲୋଜିକାଲ ଏଜ୍’ ବା ‘ଜୈବିକ ବୟସ’ ମାତ୍ର ପଚିଶରୁ ବି କମ୍। ଏହା ଏକ ବଡ଼ ଉପଲବ୍ଧି। ଏଭଳି କାର୍ଯ୍ୟରେ ସଫଳତା ଲାଭ କରୁଥିବା ଲୋକେ ପ୍ରାୟତଃ ପ୍ରସାଧନ ବ୍ୟବହାର କରି ନିଜ ବୟସ ଲଚାଇ ନ ଥାଆନ୍ତି। ଏମାନେ ସଗର୍ବେ ନିଜ ବୟସ କହି ତା ତୁଳନାରେ କିଭଳି ଅଧିକ ସମର୍ଥ ତାହା ଦର୍ଶାଇ ଥାଆନ୍ତି।
ଆଉ ଗୋଟିଏ କଥା ହେଲା ‘ମାନସିକ ବୟସ’ ବା ‘ମେଣ୍ଟାଲ ଏଜ୍’। ତାହା ହେଉଛି ପରିପକ୍ବତା। ଦେଖାଯାଏ ଜଣେ ଜଣେ ବୟସ୍କ ମଧ୍ୟ ଅପରିପକ୍ବ ଆଚରଣ କରି ପାରନ୍ତି। ଆମେ କହୁ ସେ ପିଲାଳିଆ ବ୍ୟବହାର ଦେଖାଉଛନ୍ତି। ଏହାର ଓଲଟା ବି ହୋଇଥାଏ। ଜଣେ ଜଣେ ଯୁବକ ଏଭଳି ବିବେଚନାପୂର୍ଣ୍ଣ କଥାମାନ କହନ୍ତି ଯେ ଲାଗେ ସତେ ଯେମିତି ସେ ଜଣେ ପ୍ରାଜ୍ଞ। ଆମେ ବୟସକୁ ଅଭିଜ୍ଞତା ସହିତ ଯୋଡୁ। ବୟସ୍କ ଲୋକେ ସେମାନଙ୍କ ଅଭିଜ୍ଞତା ହେତୁ ପରିପକ୍ବ ହୁଅନ୍ତି। ତେଣୁ ସଂକଟ ବେଳେ ପରିବାରର ବୟସ୍କ ସଦସ୍ୟଙ୍କ ପରାମର୍ଶ ଲୋଡ଼ାଯାଏ। କିନ୍ତୁ ତାହା ମଧ୍ୟ ସବୁବେଳେ ଘଟି ନ ଥାଏ। ତେଣୁ ଅନେକ କହନ୍ତି ଯେ ବୟସର ଦୀର୍ଘତାର କିଛି ମୂଲ୍ୟ ନାହିଁ, ଯଦି ତାହା ଅର୍ଥପୂର୍ଣ୍ଣ ଭାବେ ଅତିବାହିତ ନ ହୋଇଛି!
ଏବେ ଅଧିକାଂଶ ସ୍ୱାସ୍ଥ୍ୟ ସଚେତନ ହୋଇଛନ୍ତି। ପ୍ରକୃତରେ ତାହା ସୌନ୍ଦର୍ଯ୍ୟ ସଚେତନ ବା ନିଜ ବୟସର ଗତିକୁ ରୋକିବାର ଉଦ୍ୟମ। ସେଥି ଲାଗି ବୟସ ନିର୍ବିଶେଷରେ ଲୋକେ ଜିମ୍ ଯାଉଛନ୍ତି, ବିଭିନ୍ନ ପ୍ରକାର ଭିଟାମିନ୍ ଖାଉଛନ୍ତି ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଶୃଙ୍ଖଳାକୁ ଅନୁସରଣ କରୁଛନ୍ତି। ଏହା ଦ୍ବାରା ଶରୀର ସୁସ୍ଥ ରହୁଛି, ଚେହେରାରେ ବାର୍ଦ୍ଧକ୍ୟର ଛାପ ପଡୁନାହିଁ; କିନ୍ତୁ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି। ବୟସ ତା ବାଟରେ ବଢ଼ି ଚାଲିଛି। ମଣିଷ କିନ୍ତୁ ତାକୁ ଠକି ଦେଇ ଆତ୍ମସନ୍ତୋଷ ଲାଭ କରିବାର ଉଦ୍ୟମ କରି ଚାଲିଛି।
କିନ୍ତୁ ଯାହା ମନେ ରଖିବାର କଥା, ତାହା ହେଲା ବୟସ ନେଇ କେହି ବ୍ୟସ୍ତ ହେବା ଅନୁଚିତ। କାରଣ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରାରେ ଜରା ଆସିବ ହିଁ ଆସିବ। କିନ୍ତୁ ଜରା ଅବସ୍ଥାକୁ ଏକ ପ୍ରତିବନ୍ଧ ବୋଲି ନ ଭାବିବାରେ ହିଁ ରହିଛି ବୟସର ଅଗ୍ରଗତିକୁ ରୋକିବାର ଉପାୟ। ଧରନ୍ତୁ ଜଣେ ସତୁରି ବର୍ଷ ବୟସର ବ୍ୟକ୍ତି ଏକ ନୂଆ ଭାଷା ଶିଖିବାକୁ ଇଚ୍ଛା କଲେ। ଦେଖିବେ ତାଙ୍କ ଭିତରେ ଯୁବସୁଲଭ ଆଗ୍ରହ ଫେରି ଆସିବ।
ଥରେ ଗୋଟିଏ ଜାହାଜର ଡେକ୍ ଉପରେ ଜଣେ ଅତି ବୟସ୍କ ବ୍ୟକ୍ତି କିଛି କରୁଥିବାର ଦେଖି ଲେଖକ ବ୍ରୁସ୍ ଚାଟୱିନ ତାଙ୍କ ପାଖକୁ ଯାଇ ଦେଖନ୍ତି ତ ସେ ଚୀନା ଅକ୍ଷରର ‘କାଲିଗ୍ରାଫି’ ଅଭ୍ୟାସ କରିବାରେ ମଗ୍ନ। ବ୍ରୁସ୍ ତାଙ୍କ ସହିତ ଆଳାପ ଜମାଇଲେ। ବୃଦ୍ଧ କହିଲେ ଯେ ଏଥିରୁ ତାଙ୍କୁ ଯେଉଁ ଆନନ୍ଦ ମିଳୁଛି, ତାକୁ ଭାଷାରେ ବର୍ଣ୍ଣନା କରାଯାଇ ନ ପାରେ!
ବ୍ରୁସ ପଚାରିଲେ- ଏ ବୟସରେ ଏହା ଶିଖିବାରେ ଲାଭ?
ବୃଦ୍ଧ ଉତ୍ତର ଦେଲେ- ଲାଭ କ୍ଷତିର ଊର୍ଦ୍ଧ୍ବରେ ଥିବା ଖୁସି।
ବ୍ରୁସ୍ ପଚାରିଲେ- ଆପଣଙ୍କ ବୟସ?
ସେ କହିଲେ- ମାତ୍ର ଚାରି ବର୍ଷ। କାରଣ ଚାରି ବର୍ଷ ତଳେ ମୁଁ ଏହି ଶିଖିବା ଆରମ୍ଭ କଲି ଏବଂ ମୋତେ ନବ ଜନ୍ମ ଲାଭ କଲା ଭଳି ଲାଗିଲା।
ବ୍ରୁସ୍ ଲେଖିଛନ୍ତି, ସତରେ ବୟସ ହେଉଛି ଏକ ସଂଖ୍ୟା ମାତ୍ର!
ମୋ: ୯୪୩୮୪୨୩୫୮୫
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/3-23.jpg)