ଯୋଗେନ୍ଦ୍ର ଯାଦବ
ବାଃ, କି ଯୁଗଳବନ୍ଦୀ! ଆମେରିକା ସହିତ ଚାଲିଥିବା ବାଣିଜ୍ୟ ଆଲୋଚନାର କୃଷି ପ୍ରସଙ୍ଗରେ ‘ନିତି ଆୟୋଗ’ର ବିବରଣୀ ପଢ଼ିବା ପରେ ଏହା ମୋର ପ୍ରଥମ ପ୍ରତିକ୍ରିୟା ଥିଲା। କଥା ହେଲା, ଆମେରିକାରୁ କୃଷିଜ ଆମଦାନି ଉପରେ ଭାରତ ଶୁଳ୍କ ହ୍ରାସ କରୁ ବୋଲି ଆମେରିକା ସରକାର ଧମକ ଦେଉଛନ୍ତି। ଗୋଟିଏ ପଟେ ଭାରତ ସରକାରଙ୍କ ବିଶେଷଜ୍ଞମାନେ ଆମେରିକାର କୃଷି ଆମଦାନି ଉପରେ ଶୁଳ୍କ କିପରି ହ୍ରାସ କରାଯିବ ବୋଲି ପ୍ରଶ୍ନ କରୁଛନ୍ତି, ଅନ୍ୟ ପଟେ ‘ଜେନେଟିକାଲି ମୋଡିଫାଏଡ୍’(ଜିଏମ୍) ସୋୟାବିନ ଓ ମକା ଆମଦାନି ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ଆମେରିକା ପକ୍ଷରୁ ଭାରତ ସରକାରଙ୍କ ଉପରେ ଚାପ ପଡୁଛି। ଏଣେ, ଭାରତ ସରକାରଙ୍କ ଅଧିକାରୀମାନେ ଜିଏମ୍ ଉପରୁ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ବାହାନା ଖୋଜୁଛନ୍ତି। ଉଭୟଙ୍କ ମଧ୍ୟରେ ସମନ୍ୱୟ ଏତେ ଗଭୀର ଯେ ଉଭୟଙ୍କ ଯୁକ୍ତି ଏବଂ ଟଙ୍କା ଗୋଟିଏ ଉତ୍ସରୁ ଆସୁଛି କି ବୋଲି ସନ୍ଦେହ ସୃଷ୍ଟି ହେଉଛି।
କହିବା କଥା ହେଲା, ‘ନିତି ଆୟୋଗ’ ଦ୍ୱାରା ଗତ ସପ୍ତାହରେ ପ୍ରକାଶିତ ‘କାର୍ଯ୍ୟପତ୍ର’ ହେଉଛି ଦୁଇ ବିଶେଷଜ୍ଞଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଏହାର ଲେଖକ ରାକା ସାକସେନା ଓ ‘ନିତି ଆୟୋଗ’ ସଦସ୍ୟ ତଥା ମୋଦୀ ସରକାରଙ୍କ କୃଷି ନୀତିର ସ୍ଥପତି ଡକ୍ଟର ରମେଶ ଚାନ୍ଦ ହୋଇଥିବାରୁ ଏହି ମତାମତରେ କିଛି କଥା ବ୍ୟକ୍ତିଗତ ନୁହେଁ। ଏବଂ ଯଦି ‘ନିତି ଆୟୋଗ’ର ୱେବସାଇଟ୍ରେ “ନୂତନ ଆମେରିକା ବାଣିଜ୍ୟ ବ୍ୟବସ୍ଥା ଅଧୀନରେ ଭାରତ-ଆମେରିକା କୃଷି ବାଣିଜ୍ୟକୁ ପ୍ରୋତ୍ସାହିତ କରିବା’’ ପ୍ରସଙ୍ଗ ଉପରେ ଏକ ଗବେଷଣାପତ୍ର ପ୍ରକାଶିତ ହୁଏ, ତେବେ ଏହା ଗବେଷଣାର ବିଷୟବସ୍ତୁ ନୁହେଁ, ବରଂ ଭାରତ ସରକାରଙ୍କ ଆନୁଷ୍ଠାନିକ ନୀତିର ଏକ ଅନୌପଚାରିକ ଘୋଷଣା ବୋଲି ଧରି ନେବାକୁ ପଡ଼ିବ। କିମ୍ବା ଏହା ସମ୍ପୃକ୍ତ ପକ୍ଷମାନଙ୍କର ପ୍ରତିକ୍ରିୟା ମାପିବାର ଏକ ଉପାୟ ବୋଲି କୁହାଯିବ। ତେବେ ସେ ଯାହା ହେଉନା କାହିଁକି, ଗୋଟିଏ କଥା ସ୍ପଷ୍ଟ ଯେ, ଏହି ପତ୍ର ମାଧ୍ୟମରେ ଭାରତ ସରକାର ପ୍ରସ୍ତାବ ଦେଉଛନ୍ତି କି ଆଗାମୀ ବାଣିଜ୍ୟ ଚୁକ୍ତିରେ ଆମେରିକା ସରକାରଙ୍କ କୃଷି ଦାବିକୁ ଭାରତ ଗ୍ରହଣ କରିବାକୁ ପ୍ରସ୍ତୁତ।
ପ୍ରସଙ୍ଗଟି ଅତି ସରଳ। ଗତ କିଛି ବର୍ଷ ଧରି ଚୀନ୍ ଆମେରିକାରୁ କୃଷି ଉତ୍ପାଦ କ୍ରୟରେ ହ୍ରାସ ଘଟାଇଛି। ଫଳ ସ୍ୱରୂପ, ଆମେରିକା ଏବେ ଭାରତର କୃଷି ବଜାର ଉପରେ ନଜର ରଖିଛି। ଗତ ବର୍ଷ, ଆମେରିକାର କୃଷି ମନ୍ତ୍ରଣାଳୟ ଭାରତର ମାଂସ ଶିଳ୍ପ ଉପରେ ଏକ ରିପୋର୍ଟରେ ଲେଖିଥିଲା ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତରେ କୁକୁଡ଼ା ଖାଦ୍ୟ ଓ ଘୁଷୁରି ଖାଦ୍ୟ ପାଇଁ ସୋୟାବିନ ଓ ମକାର ଚାହିଦା ବୃଦ୍ଧି ପାଇବ। ଯଦି ଭାରତ ସରକାର ଏହା ଉପରେ ଶୁଳ୍କ ହ୍ରାସ କରନ୍ତି ଏବଂ ‘ଜେନେଟିକାଲି ମୋଡିଫାଏଡ୍’ ବା ‘ଗୁଣସୂତ୍ର ପରିବର୍ତ୍ତିତ’ ଫସଲ ଉପରୁ ପ୍ରତିବନ୍ଧକ ହଟାଇ ଦିଅନ୍ତି, ତେବେ ତାହା ଆମେରିକା ପାଇଁ ସୋୟାବିନ ଓ ମକା ରପ୍ତାନି କ୍ଷେତ୍ରରେ ଏକ ଭଲ ସୁଯୋଗ ସୃଷ୍ଟି କରିବ। ଚଳିତ ବର୍ଷ ଭାରତ ଓ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିନାମା ପାଇଁ ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରତିଶୋଧମୂଳକ(ଜବାବୀ) ଶୁଳ୍କ ଘୋଷଣାକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ। ଏହି ଅବଧି ୯ ଜୁଲାଇରେ ଶେଷ ହେବାକୁ ଯାଉଛି।
ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ‘ନିତି ଆୟୋଗ’ଙ୍କ ସୂଚନାପତ୍ରକୁ ଆଲୋଚନାକୁ ଅଣାଯାଉ। ଏହାର ପ୍ରଥମ ୨୩ ପୃଷ୍ଠାରେ ଭାରତର କୃଷି ରପ୍ତାନିର ଅବସ୍ଥା ଓ ଦିଗକୁ ଏକ ଅତି ପେସାଦାର ଢଙ୍ଗରେ ମୂଲ୍ୟାଙ୍କନ କରାଯାଇଛି ଏବଂ ଭବିଷ୍ୟତର ଆହ୍ବାନଗୁଡ଼ିକର ବିଶ୍ଳେଷଣ କରାଯାଇଛି। କିନ୍ତୁ ତା’ପରେ ଯେପରି ଲେଖାଯାଇଛି, ସେଥିରୁ ଧାରଣା ଜନ୍ମୁଛି ଯେ ସତେ ଯେମିତି ରିପୋର୍ଟଟି ଲେଖାଯିବା ସମୟରେ କୌଣସି ସ୍ଥାନରୁ ଏକ ‘କଲ୍’ ଆସିଥିଲା। ହଠାତ୍, ଲେଖକ ଗୋଟିଏ ପୃଷ୍ଠାରେ କୃଷି ଆମଦାନି ବିଷୟେର ଲେଖିବା ସହିତ ସେ ବିଷୟରେ ଆଲୋଚନା କରି ନିଷ୍କର୍ଷ ଓ ପରାମର୍ଶକୁ ଓହ୍ଲାଇ ଆସିଛନ୍ତି। ପ୍ରାରମ୍ଭିକ ମୂଲ୍ୟାଙ୍କନର ନିଷ୍କର୍ଷ ସହିତ ଏହାର କୌଣସି ସମ୍ପର୍କ ନାହିଁ। ବିଶ୍ଳେଷଣଗୁଡ଼ିକ ରପ୍ତାନି ବିଷୟରେ ହୋଇଥିବା ବେଳେ ସୁପାରିସଗୁଡ଼ିକ ଆମଦାନି ଉପରେ କେନ୍ଦ୍ରୀଭୂତ। ‘ନିତି ଆୟୋଗ’ଙ୍କ କାମ ଭାରତର ସ୍ୱାର୍ଥକୁ ସୁରକ୍ଷା ଦେବା, କିନ୍ତୁ ଏହି ପତ୍ର ଆମେରିକା ପାଇଁ ଓକିଲାତି କରୁଥିବା ପରି ମନେ ହେଉଛି।
ମୋଟାମୋଟି ଭାବରେ, ‘ନିତି ଆୟୋଗ’ ବାଧ୍ୟବାଧକତାର ଯୁକ୍ତି ଉପସ୍ଥାପନ କରିଛନ୍ତି- ଯେହେତୁ ଆମେରିକା ଭାରତର ଖାଦ୍ୟ ଉତ୍ପାଦ ପାଇଁ ଏକ ବଡ଼ ବଜାର, ତେଣୁ ଆମେ ଆମେରିକାକୁ ରପ୍ତାନି ପାଇଁ ‘ଅନୁକୂଳ ପରିବେଶ’ ଦେବା ଦିଗରେ ଯଥାସମ୍ଭବ ପ୍ରୟାସ କରିବା ଉଚିତ। କିନ୍ତୁ, ସେହି ରିପୋର୍ଟରେ ଥିବା ତଥ୍ୟ ଏଭଳି ତଥାକଥିତ ବାଧ୍ୟବାଧକତାକୁ ନିଶ୍ଚିତ କରେ ନାହିଁ; କାରଣ ଆମେରିକା ଭାରତର ମୋଟ କୃଷି ରପ୍ତାନିର ମାତ୍ର ୧୦ ପ୍ରତିଶତ କିଣୁନଥିବା ବେଳେ ଅଣକୃଷି ଉତ୍ପାଦ ରପ୍ତାନିର ୧୮ ପ୍ରତିଶତ କିଣିଥାଏ। କିନ୍ତୁ ବାଧ୍ୟବାଧକତାକୁ ଆଧାର କରି ସୁପାରିସ କରାଯାଇଛି ଯେ ଭାରତ ସରକାର ଆମେରିକୀୟ ସୋୟାବିନ ଓ ମକା ଆମଦାନି ଉପରେ ରିହାତି ଦେବା ଉଚିତ। ଏପରି ପରିସ୍ଥିତିରେ, ‘ଜିଏମ୍’ ସମସ୍ୟା ବିଷୟରେ କ’ଣ କରାଯିବା ଉଚିତ? ‘ନିତି ଆୟୋଗ’ର ପତ୍ର ଏହାକୁ ଦୂର କରିବାର ଉପାୟ ମଧ୍ୟ ବତାଇଛି। ଆମ ଦେଶ ଆମେରିକାରୁ ସୋୟାବିନ ଆମଦାନି କରିବା ପରିବର୍ତ୍ତେ, ସୋୟାବିନ ତେଲ ଆମଦାନି କରୁ, କିମ୍ବା ସୋୟାବିନ ଆମଦାନି କରି ତାହାକୁ କେବଳ ତେଲ ବାହାର କରିବା ପାଇଁ ବ୍ୟବହାର କରୁ। ସେହିପରି, ଆମେରିକାରୁ ଶସ୍ତା ମକା ଆମଦାନି କରୁ, କିନ୍ତୁ ତାହାକୁ କେବଳ ଜୈବ ଇନ୍ଧନ ପାଇଁ ବ୍ୟବହାର କରାଯାଉ। ଆମେରିକୀୟ ସେଓ, ବାଦାମ ଓ ପିସ୍ତା ଭଳି ଆମଦାନିରେ କୌଣସି ‘ଜିଏମ୍’ ସମସ୍ୟା ନାହିଁ, କେବଳ ଆମେରିକାର ନିର୍ଦ୍ଦେଶ ଅନୁଯାୟୀ ଆମଦାନି ଶୁଳ୍କ ହ୍ରାସ କରାଯାଉ। ଚାଉଳ ଓ ଗୋଲମରିଚ ଉପରେ ଆମଦାନି ଶୁଳ୍କ ହ୍ରାସ କଲେ କୌଣସି ଫରକ ପଡ଼ିବ ନାହିଁ। ଆମେରିକା ତ ଖୁସି ହେବ, ଆମେ ମଧ୍ୟ କୌଣସି କ୍ଷତି ସହିବୁ ନାହିଁ। ସ୍ପଷ୍ଟ ଭାବରେ, ଏହା କେବଳ ଏକ ପରାମର୍ଶ ନୁହେଁ, ଏହା ସରକାରୀ ନୀତିରେ ପରିବର୍ତ୍ତନର ଏକ ସଙ୍କେତ। ଗତ ମେ’ ୩୦ ତାରିଖରେ, ଭାରତ ସରକାର ସୋୟାବିନ ଓ ଅନ୍ୟାନ୍ୟ ଖାଦ୍ୟ ତେଲ ଉପରେ ଆମଦାନି ଶୁଳ୍କ ୨୦ରୁ ୧୦ ପ୍ରତିଶତକୁ ହ୍ରାସ କରିଛନ୍ତି। ଏହି ରିପୋର୍ଟ ଏବେ ତାହାକୁ ଶୂନ କରିବାକୁ ପ୍ରସ୍ତୁତ ହେଉଛି।
ତେବେ ଆମେରିକୀୟ ଆମଦାନି ପାଇଁ କୃଷି ବଜାର ଖୋଲିବା ଦ୍ୱାରା ଭାରତୀୟ ଚାଷୀଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ, ସେ ନେଇ ‘ନିତି ଆୟୋଗ’ର ବିଶେଷଜ୍ଞମାନେ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ। ସେମାନେ ପଚାରନ୍ତି ନାହିଁ ଯେ ସୋୟାବିନ ଆମଦାନି କରିବା ପୂର୍ବରୁ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟର ସୋୟାବିନ ଚାଷୀମାନେ ସେମାନଙ୍କ ଫସଲର ମୂଲ୍ୟ କିପରି ପାଇବେ? ଅଥବା ପଞ୍ଜାବରୁ ବଙ୍ଗଳା ପର୍ଯ୍ୟନ୍ତ ବ୍ୟାପିଥିବା ମକାର ମୂଲ୍ୟ ହ୍ରାସରୁ ଚାଷୀମାନେ କିପରି ରକ୍ଷା ପାଇବେ? କିମ୍ବା ଯଦି କୌଣସି ବାହାନାରେ ‘ଜିଏମ୍’ ସୋୟାବିନ ଓ ମକା ଦେଶକୁ ଆସେ, ତେବେ ଭାରତୀୟ କୃଷିରେ ଏହାକୁ ବ୍ୟାପିବାରୁ ରୋକିବା ସମ୍ଭବ ହେବ କି? ସେମାନେ ପଚାରନ୍ତି ନାହିଁ ଯେ ଆମେରିକା ପାଇଁ ଶୁଳ୍କ ହ୍ରାସ କରିବା କିଛି ଫସଲକୁ ପ୍ରଭାବିତ କରିବ ନାହିଁ ସିନା, ସେହି ଫସଲ ପାଇଁ ଅନ୍ୟ ଦେଶ ସହିତ ହେଉଥିବା ଚୁକ୍ତିକୁ ପ୍ରଭାବିତ କରିବ ନାହିଁ କି? ଏହି ବାଣିଜ୍ୟିକ ଆଘାତରୁ କ୍ଷୀର, କ୍ଷୀର ଉତ୍ପାଦ ଓ କୁକୁଡ଼ା ଚାଷ କିପରି ରକ୍ଷା ପାଇବେ? କିନ୍ତୁ ହୁଏତ ଏହି ଚିନ୍ତା ‘ନିତି ଆୟୋଗ’ର ମାନସପଟଳ ବାହାରେ।
ଏହା ଉଲ୍ଲେଖନୀୟ ଯେ ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି ବୋଲି ବାରମ୍ବାର ଦାବି କରୁଛନ୍ତି, ସେ ସର୍ବଦା ଯୁଦ୍ଧ ବଦଳରେ ଏକ ‘ବାଣିଜ୍ୟ ଚୁକ୍ତି’ର କଥା କହିଛନ୍ତି। ଏମିତି ତ ଡୋନାଲ୍ଡ ଟ୍ରମ୍ପଙ୍କର ସତ୍ୟ କହିବା ସହିତ କୌଣସି ସମ୍ପର୍କ ନାହିଁ, ମାତ୍ର ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ପଛରେ ଅତି ଗଭୀରରେ କେଉଁଠି ନା କେଉଁଠି କିଛି ଯୁଗଳବନ୍ଦୀ ନାହିଁ ତ?
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଅଭିଯାନ