ବଜେଟ୍‌ରେ କୃଷି: ନା ନ୍ୟାୟ ନା ପୁରସ୍କାର ନା କୃତଜ୍ଞତା

ଯୋଗେନ୍ଦ୍ର ଯାଦବ

ଚଳିତ ବର୍ଷର ବଜେଟ୍‌କୁ କୃଷକମାନେ ଅତି ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ମାତ୍ର ନିଜର ୯୦ ମିନିଟ୍‌ର ଭାଷଣରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଅଢ଼େଇ ମିନିଟ୍‌ କାଳ ଏପଟ ସେପଟ କରି ବଡ଼ କଷ୍ଟରେ ଚାଷୀଙ୍କ ମାମଲାକୁ ସାରିଦେଲେ। ବଜେଟ୍‌ର ରାଜନୈତିକ ସନ୍ଦେଶ ସଫା ଥିଲା। ତିନି କୃଷକ ବିରୋଧୀ ଆଇନକୁ ଫେରାଇ ନେବା କଥାକୁ ସରକାର କୃଷକମାନଙ୍କ ଆନ୍ଦୋଳନରୁ ପାଇଥିବା ଏକ ଶିକ୍ଷା ଭାବରେ ନୁହେଁ, ବରଂ ଏକ ଅପମାନଜନକ ପରାଜୟ ରୂପରେ ଦେଖୁଛନ୍ତି। ଆଉ ଏହି ପରାଜୟର ପ୍ରତିଶୋଧ କୃଷକଙ୍କ ଉପରେ ନେବାକୁ ବ୍ୟଗ୍ର ଅଛନ୍ତି।

ଏହି ବଜେଟ୍‌ ତିନିଟି କାରଣରୁ ସ୍ବତନ୍ତ୍ର ଥିଲା। ପ୍ରଥମରେ, କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପରେ ଏହା ପ୍ରଥମ ବଜେଟ୍‌। ସେଥିପାଇଁ ଚାଷୀମାନଙ୍କୁ ନ୍ୟାୟ ମିଳିବ ଓ ଦେଶର ଅର୍ଥ ବ୍ୟବସ୍ଥାରେ ନିଜର ଉଚିତ ଅଧିକାର ମିଳିବ ବୋଲି ସେମାନେ ଧରି ନେଇଥିଲେ। ଦ୍ବିତୀୟରେ, କୋଭିଡ୍‌ ମହାମାରୀ ଜନିତ ମାନ୍ଦାବସ୍ଥା ଓ ଲକ୍‌ଡାଉନ୍‌ ସତ୍ତ୍ବେ କୃଷିକ୍ଷେତ୍ର ହିଁ ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇ ରଖିଥିଲା। ସେଥିପାଇଁ ଚାଷୀମାନଙ୍କୁ ତାହାର ପୁରସ୍କାର ମିଳିବ ବୋଲି ଆଶା ରହିଥିଲା। ତୃତୀୟରେ, ଚାଷୀମାନଙ୍କର ଆୟ ଦୁଇ ଗୁଣ କରିବାର ଛଅ ବର୍ଷୀୟ ଯୋଜନାର ଅବଧି ଚଳିତ ବର୍ଷ ସମାପ୍ତ ହେଉଛି। ତେଣୁ, ଅନ୍ତତଃ କୃଷକମାନଙ୍କୁ ସେମାନଙ୍କ ଆୟର ଏକ ବିଶ୍ବାସଯୋଗ୍ୟ ହିସାବ ମିଳିବ ବୋଲି ମଧ୍ୟ ଆଶା କରାଯାଉଥିଲା। ମାତ୍ର ଏହି ବଜେଟ୍‌ରେ ସେମାନଙ୍କ ପାଇଁ ନା ନ୍ୟାୟ ଥିଲା ନା କୌଣସି ପୁରସ୍କାର ନା ଲେଶ ମାତ୍ର କୃତଜ୍ଞତା। ୨୦୧୬ ଫେବ୍ରୁଆରି ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରେଲି ଠାରେ ଘୋଷଣା କରିଥିଲେ କି ଆଗାମୀ ୬ ବର୍ଷ ଭିତରେ ଚାଷୀମାନଙ୍କର ଆୟ ଦୁଇ ଗୁଣ ହୋଇଯିବ। ବିଗତ ଛଅ ବର୍ଷ ହେଲା ପ୍ରଧାନମନ୍ତ୍ରୀ, କୃଷିମନ୍ତ୍ରୀ ଓ ଭାଜପାର ପ୍ରତ୍ୟେକ ନେତା ଓ କର୍ମକର୍ତ୍ତା ଦୁଇ ଗୁଣ ଆୟର ଧୁନ ମୁଖସ୍ଥ କରି ଚାଲିଥିଲେ, ମାତ୍ର ଯେବେ ଉତ୍ତର ଦେବାର ଦିନ ଆସିଲା, ବିତ୍ତମନ୍ତ୍ରୀ ବଜେଟ୍‌ ଭାଷଣରେ ଏ ସମ୍ପର୍କରେ ଶବ୍ଦଟିଏ ବି ଉଚ୍ଚାରଣ କଲେ ନାହିଁ।

ସରକାରଙ୍କ ନିଜସ୍ବ କମିଟିର ହିସାବ ମୁତାବକ ୨୦୧୬ରେ ଦେଶର କୃଷକ ପରିବାରର ମାସିକ ଆୟ ୮,୦୫୯ ଟଙ୍କା ଥିଲା। ଏହି ସରକାରୀ କମିଟି ଦରଦାମ ବୃଦ୍ଧିକୁ ବିଚାରକୁ ନେଇ ହିସାବ କଲେ କି ୨୦୨୨ ସୁଦ୍ଧା ଆୟ ଦୁଇ ଗୁଣ କରିବାକୁ ହେଲେ ଚାଷୀ ପରିବାରର ମାସିକ ଆୟ ୨୧,୧୪୬ ଟଙ୍କା ହେବା ଦରକାର। ମାତ୍ର ୨୦୧୯ ଯାଏ କୃଷକଙ୍କ ଆୟ ବଢ଼ି କରି ମାତ୍ର ୧୦,୨୧୮ ଟଙ୍କାରେ ପହଞ୍ଚିଥିଲା। ତାହା ପର ଠାରୁ ତିନି ବର୍ଷ ଯାଏ ସରକାର ହିସାବ ଦେବା ବନ୍ଦ କରି ଦେଇଛନ୍ତି। ତେବେ ଏକ ଆକଳନ ଅନୁଯାୟୀ, ଅଦ୍ୟାବଧି ଚାଷୀଙ୍କର ଏହି ଆୟ ୧୨,୦୦୦ ଟଙ୍କାରେ ବି ପହଞ୍ଚି ନାହିଁ। ଏପରି ନିଷ୍ଠୁର ସତ୍ୟକୁ ଦେଶ ଆଗରେ ରଖିବା ପରିବର୍ତ୍ତେ ବିତ୍ତମନ୍ତ୍ରୀ ଲଜ୍ଜାହୀନ ଭାବରେ ‘ଏ ବାବଦରେ ପ୍ରଶ୍ନ କରିବାକୁ ଆପଣ କିଏ’ ବୋଲି ପ୍ରଶ୍ନ କରିଥିଲେ। ଗତ ଦୁଇ ବର୍ଷ ଧରି ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇ ରଖିଥିବା ଯୋଗୁଁ ଚାଷୀମାନଙ୍କୁ ପୁରସ୍କାର ଦେବା ଯଥାର୍ଥ ଥିଲା। ଚାଷୀମାନେ ବାରମ୍ବାର କହି ଆସୁଛନ୍ତି ଯେ ସେମାନଙ୍କୁ ଦାନ ନୁହେଁ, ଉଚିତ ମୂଲ୍ୟ ଦରକାର। ଏଥିରେ ବି ବିତ୍ତମନ୍ତ୍ରୀ ହାତର ଯାଦୁ ଦେଖାଇଲା ପରି ଅତି ଦର୍ପର ସହ ଘୋଷଣା କଲେ କି ସରକାର ରେକର୍ଡ ପରିମାଣର ଗହମ ଓ ଧାନ କ୍ରୟ କରି କୃଷକମାନଙ୍କ ହାତରେ ୨,୩୭,୦୦୦ କୋଟି ଟଙ୍କା ପହଞ୍ଚାଇ ଦେଇଛନ୍ତି। ମାତ୍ର ସଂଖ୍ୟା ତନଖିଲା ବେଳେ ଜଣାପଡ଼ିଲା କି ସରକାର ଗତ ବର୍ଷର ୨,୪୮,୦୦୦ କୋଟି ଟଙ୍କା ତୁଳନାରେ ଏ ବର୍ଷ କମ୍‌ କିଣିଛନ୍ତି। ଚଳିତ ବର୍ଷ ସରକାରୀ କ୍ରୟ ପରିମାଣ ଗତ ବର୍ଷର ୧,୨୮୬ ଲକ୍ଷ ଟନ୍‌ରୁ ଖସି ଆସି ୧,୨୦୮ ଲକ୍ଷ ଟନ୍‌ ହୋଇଛି। ସେହିପରି ଶସ୍ୟ ବିକ୍ରିର ଫାଇଦା ଉଠାଉଥିବା କୃଷକଙ୍କ ସଂଖ୍ୟା ମଧ୍ୟ ୧.୯୭ କୋଟିରୁ ୧.୬୩ କୋଟିକୁ ହ୍ରାସ ପାଇଛି।

ଚାଷୀମାନଙ୍କୁ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଯୋଗାଇବା ପାଇଁ ସ୍ବର୍ଗତ ଅରୁଣ ଜେଟ୍‌ଲିଙ୍କ ଦ୍ବାରା ପ୍ରଣୀତ ‘ଆଶା’ ନାମକ ଯୋଜନାକୁ ସରକାର ଚଳିତ ବର୍ଷ ବନ୍ଦ କରି ଦେଇଛନ୍ତି। ଏହି ଯୋଜନା ପାଇଁ ଅନୁଦାନ ପରିମାଣ ହ୍ରାସ ହୋଇ ହୋଇ ଗତ ବର୍ଷ ୪୦୦ କୋଟିରେ ପହଞ୍ଚିଥିବା ବେଳେ ଏ ଥର ତାହା ମାତ୍ର ଏକ କୋଟି ରହିଛି। ବଜାରରେ ଫସଲର ଉଚିତ ମୂଲ୍ୟ ମିଳିପାରିବ, ସେଥିପାଇଁ ସରକାରଙ୍କ ‘ପିଏସ୍‌ଏସ୍‌’ ଓ ‘ଏମ୍‌ଆଇଏସ୍‌’ ଯୋଜନାରେ ଗତ ବର୍ଷ ୩,୫୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ବଜେଟ୍‌ରେ ସେ ବାବଦ ମାତ୍ର ୧,୫୦୦ କୋଟି ଟଙ୍କା ରଖା ଯାଇଛି। ଏମିତି ତ ବଜେଟ୍‌ରେ ଚାଷୀମାନଙ୍କ ପାଇଁ ନ୍ୟାୟର ନାମଗନ୍ଧ ନାହିଁ। ଏଥି ସହିତ ଗତ ବର୍ଷ କୃଷି ଏବଂ ତତ୍‌ ସଂଲଗ୍ନ କ୍ଷେତ୍ର ପାଇଁ ରହିଥିବା ମୋଟ ବଜେଟ୍‌ ପରିମାଣରେ ୪.୨୬% ହ୍ରାସ ଘଟାଇ ଚଳିତ ବର୍ଷ ୩.୮୪% କରାଯାଇଛି। ସେହିପରି ଗ୍ରାମୀଣ ବିକାଶ ପାଇଁ ଗତ ବର୍ଷ ୫.୫୯%ର ବ୍ୟବସ୍ଥା ଥିବା ବେଳେ ଏ ବର୍ଷ ଏହା କମି ୫.୨୩% ହୋଇଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦ ୧୬,୦୦୦ କୋଟି ଟଙ୍କାର ବ୍ୟବସ୍ଥାରେ ଅନୁରୂପ ହ୍ରାସ ଘଟି ଏ ବର୍ଷ ୧୫,୫୦୦ କୋଟି ଟଙ୍କା ହୋଇଛି। ଗତ ବର୍ଷ ମନରେଗାରେ ୯୭,୦୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏ ବର୍ଷ ବଜେଟ୍‌ରେ ତାହାର ପରିମାଣ ମାତ୍ର ୭୨,୦୩୪ କୋଟି ଟଙ୍କା ହୋଇଛି। ଗଲା ଦୁଇ ବର୍ଷ ହେଲା ଯେଉଁ ‘ଏଗ୍ରି ଇନ୍‌ଫ୍ରା ପାଣ୍ଠି’ କଥା ଖୁବ୍‌ ଜୋର୍‌ରେ କୁହାଯାଇ ଆସୁଛି, ସେଥି ପାଇଁ ମୋଟ ଏକ ଲକ୍ଷ କୋଟି ଟଙ୍କା ବଦଳରେ ମାତ୍ର ୨,୬୦୦ କୋଟି ଟଙ୍କା ଅନୁମୋଦିତ ହୋଇଛି।

ଏଥିରେ ଗତ ବର୍ଷ ସରକାରଙ୍କର ୯୦୦ କୋଟି ଟଙ୍କାର ଯୋଗଦାନ ରହିଥିବା ବେଳେ ଏ ବର୍ଷ ୫୦୦ କୋଟି ଟଙ୍କା ରହିଛି। ସହଯୋଗ ସମିତିଗୁଡ଼ିକୁ ସରକାର ସମର୍ଥନ ଦେବା କଥା କହି ଆସୁଛନ୍ତି। କିନ୍ତୁ ‘ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍‌’ ପାଇଁ ଗତ ବର୍ଷ ବଜେଟ୍‌ରେ ୭୦୦ କୋଟିର ପ୍ରାବଧାନ ଥିବା ବେଳେ ଚଳିତ ବର୍ଷ ତାହା ୫୦୦ କୋଟିକୁ ଖସି ଆସିଛି। କ୍ଷେତରେ ନଡ଼ା, କୁଟା, ପାଳ ଓ ଡାଙ୍ଗ ଆଦି ନ ଜାଳିବା ପାଇଁ ସରକାର ଚାଷୀମାନଙ୍କ ସହାୟତା ନିମନ୍ତେ ଗତ ବର୍ଷ ବଜେଟ୍‌ରେ ୭୦୦ କୋଟି ଟଙ୍କା ବରାଦ କରିଥିବା ବେଳେ ଚଳିତ ବର୍ଷ ତାହା ସଂପୂର୍ଣ୍ଣ ଶୂନ ରହିଛି। ଏଥିରୁ ସ୍ପଷ୍ଟ ଯେ ଚାଷୀଙ୍କୁ ନା ନ୍ୟାୟ ମିଳିଲା ନା ପୁରସ୍କାର ନା କୃତଜ୍ଞତା। ଅବଶ୍ୟ ଗୋଟେ ଖୁସି ଖବର ହେଲା, ସରକାର ଏବେ କୃଷକଙ୍କୁ ଉପଗ୍ରହ ମାଧ୍ୟମରେ ନ ଦେଖି ଡ୍ରୋନ୍‌ ଦ୍ବାରା ଦେଖିବେ। ତେଣୁ ଅମୃତ ସମୟ ପୂରା ହେବା ଆଗରୁ ସରକାର ଜମିରେ ପହଞ୍ଚିଯିବେ ବୋଲି ଆଶା ରଖିବା ଦରକାର।
[email protected]

ସମ୍ବନ୍ଧିତ ଖବର