ଆମ ଓଡ଼ିଶାର ହାତବୁଣା ପାଟ ବସ୍ତ୍ରର ଇତିହାସ ବହୁ ପ୍ରାଚୀନ। ପ୍ରସିଦ୍ଧ ଚୀନା ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରେ ଅଛି କିଭଳି ଆମ ବୁଣାକାରମାନେ ସେମାନଙ୍କ ହାତବୁଣା ପାଟ ଯୋଡ଼କୁ ବାଉଁଶ ନଳରେ ପୂରାଇ ତାଙ୍କୁ ଉପହାର ସ୍ବରୂପ ଦେଇଥିଲେ। କୁହାଯାଏ ଯେ ଏଭଳି ଝୀନ ପାଟବସ୍ତ୍ରଗୁଡ଼ିକ ଏମିତି ସୂକ୍ଷ୍ମ ଓ ମୁଲାୟମ ଥିଲା ଯେ ହାତ ମୁଠାରେ ମଧ୍ୟ ରହି ଯାଉଥିଲା। ଆମ ସାଧବମାନେ ଦକ୍ଷିଣ-ପୂର୍ବ ଏସିଆକୁ ପାଟ ଲୁଗା ଘେନି ବେପାର କରିବାକୁ ଯାଉଥିଲେ। ଏହା ସହିତ ହାତବୁଣା ଜ୍ଞାନକୌଶଳର ମଧ୍ୟ ପ୍ରସାର ଘଟିଥିଲା। ଉତ୍କଳର ସମ୍ରାଟ ଶ୍ରୀ ପୁରୁଷେ‌ାତ୍ତମ ଦେବଙ୍କ ସହ କାଞ୍ଚି ରାଜାଙ୍କ ପାରିବାରିକ ସଂପର୍କ ଗଢ଼ି ଉଠିବା ପରେ ଦୁଇ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଗଢ଼ି ଉଠିଥିଲା। ଉତ୍କଳ ଓ କାଞ୍ଚି ବୁଣାକାରମାନଙ୍କ ‘ଡିଜାଇନ୍‌’ର ସମ୍ମିଶ୍ରଣରେ ସୃଷ୍ଟି ହୋଇଥିଲା ବିଶ୍ବ ପ୍ରସିଦ୍ଧ କାଞ୍ଚିପୁରମ ଶାଢ଼ି, ଯାହା ଆଜି କାଞ୍ଜିବରମ ଶାଢ଼ି ଭାବେ ପରିଚିତ। ଓଡ଼ିଶାର ଜୀବନରେଖା ମହାନଦୀର ଗତିପଥରେ ଝାରସୁଗୁଡ଼ାର କନକତରା ଠାରୁ ଆରମ୍ଭ କରି ପାରାଦୀପ ଠାରେ ତାହା ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ କୂଳବର୍ତ୍ତୀ ହଜାରେରୁ ଅଧିକ ଗଁା ହେଉଛନ୍ତି ବୁଣାକାର ଗାଁ। ତେବେ, ସେହି ଗାଁର ଅଧିକାଂଶ ବୁଣାକାର ଏବେ ପାଟ ବଦଳରେ ତୁଳା ଶାଢ଼ି ବୁଣୁଛନ୍ତି। 

Advertisment

୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିଥିଲେ। ‌େସତିକି ବେଳେ ମହାପ୍ରଭୁ ପରିଧାନ କରିଥିବା ଖଣ୍ଡୁଆ ପାଟକୁ ଦେଖି ଭାବି ନେଇଥିଲେ ଯେ ତାହା ବୋଧହୁଏ ଇଂଲାଣ୍ଡର ଲାଙ୍କସରରୁ ଆମଦାନି କରାଯାଇଥିବା ବିଦେଶୀ ବସ୍ତ୍ର। ଗାନ୍ଧୀଜୀଙ୍କ ସେହି ଧାରଣାକୁ ଦୂର କରିଥିଲେ ଉତ୍କଳମଣି ଗୋପବନ୍ଧୁ। ଆମ ରାଜ୍ୟରେ ଜଙ୍ଗଲରେ ଥିବା ଅର୍ଜୁନ ଓ ଅସନ ଗଛରେ ବାସ କରୁଥିବା ପ୍ରଜାପତି ଜାତିର ପୋକ ତା’ର ଅଠାଳିଆ ଲାଳରୁ ସୂତା ତିଆରି କରି ଗୁଡ଼ାଇ ଏକ କୋଷା ଗଢ଼େ। ତାହା ଟସର କୋଷା। ଏଥିରୁ ସୂତା କାଢ଼ି ଲୁଗା ବୁଣାଯାଏ। ଏହି ସୂତା ବାହାର କରିବାର କୌଶଳ ବହୁ ପ୍ରାଚୀନ ଓ ଆମ ବୁଣାକାରମାନେ ସେଥିରେ ସିଦ୍ଧହସ୍ତ ଥିଲେ। ମଲବରି, ଟସର, ମୁଗା ଓ ଏଣ୍ଡି ଜାତିର ପ୍ରଜାପତିର କୋ‌ଷାକୁ ରେଶମ ମାନ୍ୟତା ମିଳିଛି।

ଆମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାଟ ବସ୍ତ୍ର ପ୍ରସ୍ତୁତ ହେଉଥିବା ବେଳେ ଖଣ୍ଡୁଆ, ଗୋପାଳପୁରୀ, ସୋନପୁରୀ, ସମ୍ବଲପୁରୀ, ବ୍ରହ୍ମପୁରୀ ଓ ନୂଆପାଟଣା ପାଟର ପ୍ରସିଦ୍ଧି ରହିଛି। ବ୍ରିଟିସ୍‌ ସର୍ଭେୟର ଡି. ସର୍ଟ୍ଟଙ୍କ ବିବରଣୀ ଅନୁଯାୟୀ ୧୮୫୫ ମସିହାରେ ସେ ସମ୍ବଲପୁର ଅା‌ସିଥିବା ବେଳେ ଜିଲ୍ଲାର ଜଙ୍ଗଲରେ ଥିବା ଅସନ ଓ ଅର୍ଜୁନ ଗଛରୁ ଗଣ୍ଡା, କିଷାନ, ଖଡ଼ିଆ ଓ ଓରାମ ସଂପ୍ରଦାୟର ଲୋକେ ପ୍ରାୟ ସାଢ଼େ ୭ ନିୟୁତ କୋଷା ସଂଗ୍ରହ କରି କଟକ, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଓ ବିଳାସପୁର ଭଳି ଅଞ୍ଚଳକୁ ପଠାଇଥିଲେ। ସେତେବେଳେ ହଜାର ହଜାର ଥାନ ପାଟ ବସ୍ତ୍ର ଉତ୍ପାଦିତ ହେଉଥିଲା। ସେ ଲେଖିଛନ୍ତି ଯେ ବରପାଲି, ରେମଣ୍ଡା, ବଡ଼ବଜାର ଏକାତାଲି ଓ ପଲସଦା ଅଞ୍ଚଳରେ ପାଟ ବସ୍ତ୍ର ପ୍ରସ୍ତୁତ ହେଉଥିଲା। ଏକାତାଲି (ଏବର ଝରସୁଗୁଡ଼ା) ପାଟ ବୁଣାର କୁମ୍ଭପକା ଶୈଳୀରେ ସ୍ବତନ୍ତ୍ରତା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ଝାରସୁଗୁଡ଼ାର ଏକାତାଲି ପାଟ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ। ଏହି ଲେଖକ ଦେଖିଛି କିଭଳି ଭାରତର ପ୍ରାଚୀନ ବୁଣା ବସ୍ତ୍ର ଉପରେ ଝାରସୁଗୁଡ଼ାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଜଣେ ହିନ୍ଦୀଭାଷୀ ବିଦ୍ବାନ ଏକାତାଲି ପାଟ କଥା କହୁଥ‌ିଲେ ହେଁ ଜାଣି ନ ଥିଲେ ଯେ ସେ ସେହି ପାଟବସ୍ତ୍ରର ଭୂମି ଉପରେ ହିଁ ଛିଡ଼ା ହୋଇଛନ୍ତି। ତାଙ୍କୁ ଏ କଥା କୁହାଗଲା ପରେ ସେ ଚକିତ ଓ ବିହ୍ବଳ ହୋଇଯାଇଥିଲେ।

ଏ ସବୁ ଦୃଷ୍ଟିରୁ ସମ୍ବଲପୁର ସ୍ଥାନ ସ୍ବତନ୍ତ୍ର। ସମ୍ବଲପୁର ଅଞ୍ଚଳରେ ଭୁଲିଆ (ମେହେର), କୁଷ୍ଠା, ଢେରା, ପାତ୍ର, ରଙ୍ଗିଆ, ଗଣ୍ଡା ଓ କୁଲି ସଂପ୍ରଦାୟର ଲୋକମାନେ କପଡ଼ା ବୁଣା କାମ କରନ୍ତି। କେବଳ କୁଷ୍ଠା ସଂପ୍ରଦାୟର ଲୋକମାନେ ଟସର କାମ କରନ୍ତି। 
ଏବେ ଆସିବା ଏକାତାଲିକୁ। ଏହାର ବୁଣାକାରମାନେ ନିଜ ତନ୍ତକୁ କାଠ ଓ ବାଉଁଶରେ ତିଆରି କରନ୍ତି। ଘର ଚଟାଣ ଉପରେ ପାଣି କୁଣ୍ଡ ମାପରେ ଦୁଇ ଜଣ ବସିଲା ଭଳି ଗାତ ଖୋଳନ୍ତି। ସେହି ଗାତରେ ଯେମିତି ଦୁଇ ଜଣ ଆରାମରେ ବସିପାରିବେ। ଘରର ଚଟାଣ ଉପରେ ତନ୍ତକୁ ସଜିଲ କରି ରଖାଯାଏ। ମହିଳାମାନେ କୋଷା ଭିତରୁ ସୂତା କାଢ଼ି ରଙ୍ଗ, ମଣ୍ଡ ଦେବା ପରେ ତାନି କରନ୍ତି, ତା’ ପରେ ଝୋଟି କରନ୍ତି। ଝୋଟିର ଅର୍ଥ ବାନ୍ଧରେ ସୂତାକୁ ସଜାଇବା। ଦୁଇ ଜଣ ଲୋକ ବୁଣା କାମରେ ଲାଗନ୍ତି। କୁମ୍ଭପକା ପାଟ ଏକାତାଲିର ପରିଚୟ। ଗୋଟିଏ ପାଟ ଶାଢ଼ି କରିବାକୁ ୧୦ ଦିନରୁ ଅଧିକ ସମୟ ଲାଗିଯାଏ। 

ପାଟର ଚାହିଦା ଥିଲେ ବି ବଜାର ପ୍ରତିଯୋଗିତାରେ ଦୌଡ଼ିବା ଏବେ ସମ୍ଭବ ହେଉନାହିଁ ବୋଲି ସେମାନେ କହନ୍ତି। ସରକାରୀ ଯୋଜନାର ସୁଫଳ ସେମାନଙ୍କ ନିକଟରେ ପହଞ୍ଚୁ ନାହିଁ ବୋଲି ମଧ୍ୟ କେତେକ ଅଭିଯୋଗ କରନ୍ତି। ଏହି କାରଣରୁ ଧୀରେ ଧୀରେ ଏହି ବୁଣାକାରମାନେ ଅନ୍ୟ ବୃତ୍ତି ଅନ୍ବେଷଣରେ ବାହାରି ଗଲେଣି। ଅନେକ ଉଦ୍‌ବେଗ ପ୍ରକାଶ କରନ୍ତି ଯେ ସମୟ ସ୍ରୋତରେ ହଜିଯିବ ଏକାତାଲି ପାଟ। ଯଦି ସେମିତି ହୁଏ ତେବେ ତାହା ହେବ ଆମ ସମସ୍ତଙ୍କ ଲାଗି ଏକ ଦୁର୍ଭାଗ୍ୟ।
ମୋ: ୯୪୩୭୮୧୮୨୩୩