ଅଭିରାମ ବିଶ୍ବାଳ
ହିନ୍ଦୀ ଚଳଚ୍ଚିତ୍ରର ଇତିହାସକୁ ମାସୁମ୍-ମିଷ୍ଟର୍ ଇଣ୍ଡିଆ-ବାଣ୍ଡିଟ୍ କୁଇନ୍ ଆଦି ଖ୍ୟାତିସଂପନ୍ନ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଶେଖର କପୁର ଥରେ ଦୁଇଟି କାଳଖଣ୍ଡରେ ବିଭକ୍ତ କରିଥିଲେ। ସେ କାଳଖଣ୍ଡ ଦ୍ବୟ ହେଲା ଶୋଲେ ପୂର୍ବ ଓ ଶୋଲେ ପର; ଶୋଲେ ବି.ସି. ଓ ଶୋଲେ ଏ.ଡି.। ପଚାଶ ବର୍ଷ ତଳେ ୧୯୭୫ ମସିହାରେ ପ୍ରଥମେ ମୁକ୍ତିଲାଭ କରିଥିବା ‘ଶୋଲେ’ ଲଗାତାର ପାଞ୍ଚ ବର୍ଷ ଧରି ଚାଲିଥିଲା ବମ୍ବେର ମିନର୍ଭା ଥିଏଟର୍ରେ। ଟିକେଟ୍ କାଟିବା ପାଇଁ ଓ ଟକିଜ୍ ଭିତରକୁ ଯିବା ପାଇଁ ଲମ୍ବା ଧାଡ଼ି ଲାଗୁଥିଲା ମିନର୍ଭା ପାଖ ପୋଲ ଯାଏ। ମିନର୍ଭାର ତତ୍କାଳୀନ ମ୍ୟାନେଜରଙ୍କୁ ଅତି ସକାଳୁ ଡେରି ରାତି ଯାଏ ଏତେ ବ୍ୟସ୍ତ ରହିବାକୁ ପଡୁଥିଲା ଯେ ସିଏ ଦୁଇ ବର୍ଷ ସପରିବାର ଥିଏଟର୍ ପରିସରରେ ରହିଯିବା ଉଚି ମଣିଥିଲେ। ହଲ୍ ନିକଟସ୍ଥ ବସ୍ଷ୍ଟପ୍ର ନଁା ହୋଇଯାଇଥିଲା ଶୋଲେ ବସ୍ଷ୍ଟପ୍। ୧୯୭୬ ମସିହାର କଥା। ଦିନେ ପ୍ରବଳ ବର୍ଷା କାଚୁଥାଏ ବମ୍ବେରେ। ହେଲେ ଶୋଲେ ଭକ୍ତମାନେ ଗୋଟିଏ ହାତରେ ଓଦା ଜୋତା ଓ ଅନ୍ୟ ହାତରେ ବଡ଼ ଛତା ଧରି ସେ ଚଳଚ୍ଚିତ୍ର ଦେଖିବାକୁ ମାଡ଼ି ଆସୁଥିଲେ ମିନର୍ଭା।
ସେପଟେ ଦିଲ୍ଲୀର କନଟ୍ପ୍ଲେସ୍ ଅଞ୍ଚଳର ପ୍ଲାଜା ସିନେମା ଟିକେଟ୍ ୧୫ ଟଙ୍କା ଜାଗାରେ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଏପରିକି କଳାରେ ଟିକେଟ୍ ବିକିବାକୁ ସେବେକାର ସମୟରେ ନିଜ ଶୈଳୀରେ ଏକ ଅଦ୍ଭୁତ ଷ୍ଟାର୍ଟଅପ୍ରେ ପରିଣତ କରି ଜଣେ କଳାବଜାରୀ ଲବ୍ଧ ଅର୍ଥରେ ଦିଲ୍ଲୀରେ ବହୁବଖରିଆ ଘରଟିଏ ତୋଳିଥିଲେ। ପଞ୍ଜାବରୁ ପ୍ଲାଜା ହଲ୍ ପର୍ଯ୍ୟନ୍ତ ଦର୍ଶକଙ୍କୁ ଆଣିବା ପାଇଁ ନିୟମିତ ଶୋଲେ ସ୍ପେଶାଲ୍ ବସ୍ ଚାଲୁଥିଲା। ଏସବୁ ଉପାଖ୍ୟାନ, ଅତି କଥା ଓ କିଂବଦନ୍ତି କାହାଣୀସମ ଲାଗିପାରେ। ମାତ୍ର ‘ଶୋଲେ’ର ଲୋକପ୍ରିୟତା, ପ୍ରଭାବ, ପ୍ରତିଷ୍ଠା ଓ ବ୍ୟାବସାୟିକ ସଫଳତା ସମ୍ବନ୍ଧରେ ଅବତାରଣାମାନ ଉପାଦେୟ ତଥ୍ୟ ତଥା ସତ୍ୟ।
ଆରମ୍ଭରୁ କିନ୍ତୁ ଅନେକ ବିଶାରଦ, ନିନ୍ଦୁକ ଓ ସମାଲୋଚକ କହିଦେଇଥିଲେ ପୂରା ଫ୍ଲପ୍ ହେବ ଶୋଲେ! ଶୋଲେ ନା ଛୋଲେ! ସିପ୍ପୀଙ୍କ ପଇସା ପାଣିଲେ ପଡ଼ିଲା ଜାଣ! ନାୟକଙ୍କ ମା’ ଚରିତ୍ର ନ ଥିବା ଛବି ଡୁବିବ ହିଁ ଡୁବିବ! ବାଧ୍ୟ ହୋଇ ସଲିମ୍-ଜାଭେଦ୍ ଯୋଡ଼ି ବିଜ୍ଞାପନଟେ ଦେଲେ ଯେଉଁଥିରେ ଲେଖାଥିଲା: ଆମେ ଦୁହେଁ ଗ୍ୟାରେଣ୍ଟି ଦେଉଛୁ ଲାଭ ନିଶ୍ଚେ କୋଟିଏ ଛୁଇଁବ। ସେମାନେ ଭୁଲ୍ ପ୍ରମାଣିତ ହେଲେ। ରାଶି ତିନି କୋଟି ଟପିବାକୁ ବସିଲା।
ଏମିତି ଅନେକ ଅଛନ୍ତି ଯେଉଁମାନେ ଏ ପଚାଶ ବର୍ଷ ବୟସ୍କ ଚଳଚ୍ଚିତ୍ରଟିକୁ ଅତି କମ୍ରେ ଏକାବନ ଥର ଦେଖିସାରିଛନ୍ତି। ତଥାପି ସେମାନଙ୍କ ମନ ମାନିନାହିଁ; ଆହୁରି ଏକାଧିକବାର ଦେଖିବାର ସୁଯୋଗକୁ ଅନେଇ ବସିଥାନ୍ତି ସେମାନେ। ଶୋଲେ ଖାଲି ଏକ ସିନେମା ନୁହେଁ; ଏହା ଏକ ବ୍ୟକ୍ତିଗତ ଅନୁଭବ ଓ ଅନୁଭୂତି ଏବଂ ସାମୂହିକ ସ୍ମୃତି। ଗୋଟିଏ ଫର୍ମୁଲା ଚଳଚ୍ଚିତ୍ର କେମିତି କ୍ଲାସିକ୍ରେ ପରିଣତ ହୋଇପାରେ, ପ୍ରାରମ୍ଭିକ ବିଫଳତା କିଭଳି ଅଦ୍ବିତୀୟ ସଫଳତାର ରୂପ ଧାରଣ କରିପାରେ ତା’ର ଚମତ୍କାର ଦୃଷ୍ଟାନ୍ତ ହେଲା ଶୋଲେ। ଏବେ ବି ଦେଖିଲେ ନୂଆ ଲାଗେ, ପୁଣିଥରେ ଦେଖିବାର ଦୁର୍ବାର କାମନା ଜାଗ୍ରତ ହୁଏ। କହିଦିଏ ଜନପ୍ରିୟ, ମସଲା ସିନେମା ମଧ୍ୟ ପଥପ୍ରଦର୍ଶକ ଓ ମାଇଲଖୁଣ୍ଟ ସାଜିପାରେ।
କାହିଁ ନା କେତେ ସଂଯୋଗ, ତାଳମେଳ, ଆକସ୍ମିକତା ଓ ହେବା ନ ହେବାର ସମାବେଶ ଘଟିଥିଲା ଶୋଲେରେ। ତାହା ଥିଲା ଏକ ବହୁ ତାରକାବିଶିଷ୍ଟ, ମଲ୍ଟି ଷ୍ଟାର୍ର ଚଳଚ୍ଚିତ୍ର ଯେଉଁଥିରେ ଅମଜାଦ୍ ଖଁା, ସଞ୍ଜୀବ କୁମାର, ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ହେମାମାଳିନୀ ଓ ଜୟା ବଚ୍ଚନ ପ୍ରମୁଖ ନିଜ ନିଜର ପ୍ରତିଭାର ପରାକାଷ୍ଠା ପ୍ରତିପାଦନ କରିଥିଲେ। ଖଳନାୟକ ଗବର ସିଂହ ଭୂମିକାରେ ଅବତୀର୍ଣ୍ଣ ଅମଜାଦ୍ ଖଁା ପାଲଟି ଯାଇଥିଲେ ଏକ ପ୍ରକାରେ ନାୟକ, ଚଳଚ୍ଚିତ୍ରର କେନ୍ଦ୍ରୀୟ ଚରିତ୍ର; ଲାଗିଥିଲା ସିଏ ଯେମିତି ଅନ୍ୟ ବିଶିଷ୍ଟମାନଙ୍କୁ ଏକ ପ୍ରକାରେ ଟପି ଯାଇଥିଲେ! ଆଗରୁ ଅନେକ ଚଳଚ୍ଚିତ୍ରରେ ଡାକୁମାନେ ପାରମ୍ପରିକ ପୋଷାକ ପିନ୍ଧୁଥିଲାବେଳେ ଗବରଙ୍କ ପରିଧାନ ଥିଲା ସାମରିକ ସୁଲଭ। ଜୟ (ଅମିତାଭ) ଓ ବୀରୁ (ଧର୍ମେନ୍ଦ୍ର)ଙ୍କ ଜିନ୍ ପିନ୍ଧା, ମୋଟର ସାଇକେଲ୍ ଚାଳନା ଓ ବନ୍ଧୁତ୍ବ ଉଦାହରଣ ସ୍ତରୀୟ ହୋଇଯାଇଥିଲା। ଠାକୁର ସଞ୍ଜୀବ କୁମାର କୋଉ ଗୁଣରେ କମ୍ ନ ଥିଲେ। ତାଙ୍କ ଗୁରୁଗମ୍ଭୀର ସ୍ବର ଓ ମାପଚୁପ ଅଭିନୟ ପାଇଁ ତ ସିଏ ବେଶ୍ ଜଣାଶୁଣା। ସିଏ ସବୁବେଳେ ଘୋଡ଼େଇ ହେଉଥିବା ଚଦର ଥରେ କାଢ଼ିଦେବାକୁ ବାଧ୍ୟ ହୁଅନ୍ତେ, ସାଙ୍ଗେ ସାଙ୍ଗେ ଦିଶିଯାଉଥିଲା ଏକଦା ଗବର କାଟିଦେଇଥିବା ତାଙ୍କ ଦୁଇ ହାତ ଏବଂ ଜୟ ଓ ବୀରୁଙ୍କ ସମେତ ସମସ୍ତଙ୍କ ମନରୁ ହଟିଯାଇଥିଲା ସବୁ ରହସ୍ୟ ଏବଂ ଆତ୍ମପ୍ରକାଶ କରିଥିଲା କାହାଣୀର ବୃହତ୍ତର ପ୍ରେକ୍ଷାପଟ।
କେତେକ ମୂଳ ପ୍ରସ୍ତାବ ଓ ଯୋଜନା ମୁତାବକ ଡାନି ହୋଇଥାନ୍ତେ ଗବର, ଶତ୍ରୁଘ୍ନ ସିହ୍ନାଙ୍କୁ ମିଳିଥାନ୍ତା ଜୟ ଭୂମିକା ଓ ଦିଲୀପ କୁମାରଙ୍କୁ ଦେଖିବାକୁ ମିଳିଥାନ୍ତା ଠାକୁର ଭାବେ। ଭିନ୍ନ ଭିନ୍ନ କାରଣରୁ ପ୍ରସ୍ତାବ ଓ ଆଗ୍ରହ ଫଳବତୀ ହୋଇପାରି ନ ଥିଲା। ନିଜଆଡୁ ମନା କରିଦେଇ ଥିବାରୁ ପରେ ଅନୁଶୋଚନା କରିଥିଲେ ଦିଲୀପ କୁମାର। ଗପୁଡ଼ି ଘୋଡ଼ାଗାଡ଼ି ଚାଳିକା ବାସନ୍ତୀ ରୂପରେ ହେମାମାଳିନୀ ଏମିତି ଜଣେ ଟାଙ୍ଗେୱାଲି ହୋଇଥିଲେ ଯାହାଙ୍କ ଭାଷା, ଭାବ ଓ ଭଙ୍ଗୀରୁ ଜଣେ ବୀରାଙ୍ଗନାର ଦକ୍ଷତା ଓ ନୈପୁଣ୍ୟ ଫୁଟି ବାହାରୁଥିଲା ଏବଂ ଭଙ୍ଗା କାଚ ପଡ଼ିଥିବା ପଥର ଉପରେ ନିଜର ପ୍ରିୟତମଙ୍କ ସକାଶେ ପାଦରୁ ରକ୍ତ ଝରୁଥିଲେ ମଧ୍ୟ ନାଚି ଚାଲିବା ହେମାଙ୍କ ଅଭିନୟର ଆଉ ଏକ ଦିଗ ଦର୍ଶାଉଥିଲା। ପତିଙ୍କୁ ହରେଇଥିବା ଠାକୁରଙ୍କ ବୋହୂ ରାଧା ଆକାରରେ ଲାଗିବ ଜୟାଙ୍କୁ ମିଳିଥିଲା ଛୋଟିଏ ପାର୍ଟଟିଏ। ଭୂମିକା ବଡ଼ କି ଛୋଟ ନ ଥାଏ; ଅଭିନୟର ଉଚ୍ଚତା, ଗଭୀରତା ଓ ବ୍ୟାପ୍ତି ଜଣକ ଭୂମିକାର ପରିସରକୁ ସଂପ୍ରସାରିତ କରିଦେଇଥାଏ। ଯେଉଁଠି ଧଳାଶାଢ଼ୀ ପବିତ୍ର କାରୁଣ୍ୟ, ସୌନ୍ଦର୍ଯ୍ୟ, ଏକାକୀତ୍ବ ଓ ନିରୀହପଣର ସୂଚନାଦି ହୁଏତ ସମ୍ଭବ କରୁଥାଏ ଏବଂ ସେଭଳି ଶାଢ଼ୀ ପରିହିତା ରାଧାଙ୍କର ଜୟଙ୍କ ପ୍ରତି ଶୁଭ୍ର କୋମଳ ଅନୁରାଗକୁ ସାଂକେତିକ ଭାବେ ବୁଝିବା ପାଇଁ ଲଣ୍ଠନ ଧପ ଧପ ହୁଏ କିମ୍ବା ଏପରିକି ହାତରୁ ଖସିଯାଇପାରେ! କେବଳ ଅମିତାଭ-ଜୟା ଦଂପତି ଶୋଲେରେ ତାଙ୍କ ପରିବାରରୁ ଅଭିନୟ କରୁ ନ ଥିଲେ। କୁହାଯାଏ ସେଥିରେ ଆଉ ଜଣକ ଅଦୃଶ୍ୟ ଉପସ୍ଥିତି ଥିଲା। ସୁଟିଂ ବେଳେ ଜୟା ଆସନ୍ନ ପ୍ରସବା ଥିଲେ। ଠାକୁର ଭୂମିକା ପାଇଁ ଅତିରିକ୍ତ ଆଗ୍ରହ ପ୍ରକାଶ କରୁଥିବା ଧର୍ମେନ୍ଦ୍ରଙ୍କୁ ନିର୍ଦ୍ଦେଶକ କହିଥିଲେ- ତାହା ହେଲେ ଆପଣଙ୍କୁ ନିଜ ଯୋଡ଼ିରୁ ହେମାଙ୍କୁ ହରେଇବାକୁ ପଡ଼ିବ। ରାଜି ତ!
ମାମୁଲି ଲାଗୁଥିବା ଅନେକ ଚରିତ୍ରଙ୍କର ମହିମାମଣ୍ଡନ ଓ ପରବର୍ତ୍ତୀ ସମୟରେ ସେମାନଙ୍କ ଆପେକ୍ଷିକ ଅମରତ୍ବ ଶୋଲେର ଅନ୍ୟତମ ବଡ଼ ଅବଦାନ। ଏଇ େଯମିତି କାଠ ବ୍ୟବସାୟୀ ସୁରମା ଭୋପାଳି ଭୂମିକାରେ ଜଗଦୀପ, ଜେଲର୍ ଭାବେ ଆଶ୍ରାନୀ, ଶାମ୍ବା ରୂପରେ ମାକ୍ ମୋହନ, ରହିମ୍ ଚାଚା ସାଜିଥିବା ଏ. କେ. ହାଙ୍ଗାଲ୍, ମାଉସୀ ଅବତାରରେ ଲୀଲା ମିଶ୍ର, ଠାକୁରଙ୍କ ଭୃତ୍ୟ ରାମଲାଲ୍ ରୋଲ୍ରେ ସତ୍ୟେନ୍ କାପୁ, ବନ୍ଦୀଶାଳାର ନାପିତ ହରିରାମ ଅଭିନୟ କରୁଥିବା କେଷ୍ଟୋ ମୁଖାର୍ଜୀ, ଇନ୍ସପେକ୍ଟର ଖୁରାନା ଓ ରାଧାଙ୍କ ପିତା ହୋଇଥିବା ଇଫ୍ତେକର, ପୁଲିସ ଅଧିକାରୀ ଓଁ ଶିବପୁରୀ, କାଳିଆ ସାଜିଥିବା ବିଜୁ ଖୋଟେ ଏବଂ ‘‘ମେହବୁବା ମେହବୁବା’’ ଗୀତରେ ଘଟିଥିବା ହେଲେନ୍ ଓ ଜଲାଲ୍ ଆଘାଙ୍କ ସ୍ବତନ୍ତ୍ର ଆବିର୍ଭାବ ଇତ୍ୟାଦିର ଚର୍ଚ୍ଚା ଏବେ ବି ଅବ୍ୟାହତ। ବାସନ୍ତୀ ଘୋଡ଼ାର ନଁା ରଖିଥିଲେ ଧନ୍ନୋ। ଘୋଡ଼ା ଧନ୍ନୋ ମଧ୍ୟ ଏକ ମଣିଷରୂପୀ ଚରିତ୍ରରେ ପରିଣତ ହୋଇଯାଇଥିଲା। ଆଶ୍ରାନୀଙ୍କ ଜେଲର୍ ଭୂମିକା ନିର୍ବାହ ଭିତରେ ଠାବ କରିହୁଏ ଚାର୍ଲି ଚାପ୍ଲିନ୍ଙ୍କ କଳା ଓ ହିଟ୍ଲର୍ଙ୍କ କୌଶଳ। ଥରେ ଆଶ୍ରାନୀ କହିଥିଲେ ଅନେକ ଆକ୍ଟିଂ ଅନୁଷ୍ଠାନରେ ପୂର୍ବରୁ ରେକର୍ଡ କରାଯାଇଥିବା ହିଟ୍ଲର୍ଙ୍କ ସ୍ବର ବାରମ୍ବାର ବଜାଯାଏ ଓ ଛାତ୍ରଛାତ୍ରୀମାନଙ୍କୁ ଶୁଣିବାକୁ କୁହାଯାଏ। ଭୋପାଳରେ ସୁର୍ମା ନାମରେ ଜଣେ ସତ ଚରିତ୍ର ଥିଲେ। ବଡ଼, ଛୋଟ ଓ ମାମୁଲି- ସବୁ ଚରିତ୍ରଙ୍କୁ ଗୁରୁତ୍ବ ଦେବାରେ କୁଣ୍ଠା ପ୍ରକାଶ କରି ନ ଥିଲା ଶୋଲେ; ଫଳରେ ଚଳଚ୍ଚିତ୍ରଟିର ସାମଗ୍ରିକ ପ୍ରଭାବ ଓ ପରିଣାମ ଯାଦୁକରୀ ସାବ୍ୟସ୍ତ ହୋଇଥିଲା।
କାହାଣୀ, ଚରିତ୍ର, ଅଭିନୟ, ସଂଗୀତ, ସଂଳାପ, ହାସ୍ୟରସ-ଦୁଃସାହସ-ଆକ୍ସନ୍ର ଉପାଦାନ, ନିର୍ଦ୍ଦେଶନା, ରିସ୍କ ନେବା ପାଇଁ ପ୍ରଚଣ୍ଡ ସାହସ ଓ ପ୍ରବଳ ଇଚ୍ଛା ଏବଂ ଦର୍ଶକଙ୍କ ଅକୁଣ୍ଠ ସମର୍ଥନ ମିଶି ‘ଶୋଲେ’କୁ ଏକ ସର୍ବଗୁଣସଂପନ୍ନ ପୂର୍ଣ୍ଣାଙ୍ଗ ଓ ସର୍ବକାଳୀନ ଅନ୍ୟତମ ଅତି ଶ୍ରେଷ୍ଠ ଚଳଚ୍ଚିତ୍ରରେ ପରିଣତ କରିପାରିଥିଲା। ଯେଉଁ ଚଳଚ୍ଚିତ୍ରର ନିର୍ମାତା ଜି. ପି. ସିପ୍ପୀ, ନିର୍ଦ୍ଦେଶକ ରମେଶ ସିପ୍ପୀ, କାହାଣୀ ଲେଖିଥିଲେ ପ୍ରଥିତଯଶା ଯୋଡ଼ି ସଲିମ୍-ଜାଭେଦ୍ ଏବଂ ଯେଉଁଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଳ ଦେବ ବର୍ମନ, ଗାଇଥିଲେ କିଶୋର-ଲତା-ମାନ୍ନା ଦେ, ଗୀତିକାର ଦାୟିତ୍ବ ନିର୍ବାହ କରିଥିଲେ ଆନନ୍ଦ ବକ୍ସି ଓ ଅଭିନୟ କରିଥିଲେ ସେଇମାନେ ଯାହାଙ୍କ ନାମ ଆଗରୁ ଉଲ୍ଲେଖ କରାଯାଇଛି ସେଭଳି ଚଳଚ୍ଚିତ୍ର ନିଶ୍ଚୟ ସବୁ ମାପକାଠି ଉତ୍ତୀର୍ଣ୍ଣ ହୋଇ ଚହଳ ସୃଷ୍ଟି କରିବା ସ୍ବାଭାବିକ। ସମୟ ଦୈର୍ଘ୍ୟ ପୁଣି ଥିଲା ତିନି ଘଣ୍ଟାରୁ ଅଧିକ; ପ୍ରଦର୍ଶିତ ହେଉଥିଲା ୭୦ ଏମ୍.ଏମ୍. ପରଦାରେ ଓ ଶୁଭୁଥିଲା ଷ୍ଟେରିଓଫୋନିକ୍ ମାଧ୍ୟମରେ।
ତୁଣ୍ଡରେ ତୁଣ୍ଡରେ ଓ ସ୍ମୃତିରେ ସ୍ମୃତିରେ ବଞ୍ଚିରହେ ଅନେକ କଳାକୃତି। ଯେମିତିକି ସାହିତ୍ୟର ଧାଡ଼ି ଓ ଚଳଚ୍ଚିତ୍ରର ସଂଳାପ ଅବିସ୍ମରଣୀୟ ହୋଇରହେ। ‘ଶୋଲେ’ର ଅନ୍ୟତମ ଟାଣପଣ ଥିଲା ସେଥିରେ ଗର୍ଭିତ ସଂଳାପ। ଏଇ ଯେମିତି- (କ) କିତ୍ନୋ ଆଦ୍ମୀ ଥେ; (ଖ) ଲୋହା ଗରମ୍ ହେ, ମାର୍ ଦୋ ହାଥୋଡ଼ା; (ଗ) ଚଲ୍ ଧନ୍ନୋ, ଆଜ୍ ତେରି ବାସନ୍ତୀ କି ଇଜ୍ଜତ୍ କି ସୱାଲ୍ ହେ; (ଘ) ଦୁନିଆ କି କିସି ଜେଲ୍ କି ଦିୱାର୍ ଇତ୍ନି ପକ୍କି ନେହି କି ଗବର କୋ ବିସ୍ ସାଲ୍ ରୋକ୍ ସକେ; (ଙ) ୟେ ହାଥ୍ ହମ୍କୋ ଦେ ଦେ ଠାକୁର; (ଚ) ଅବ୍ ତେରା କ୍ୟା ହୋଗା, କାଲିଆ?; (ଛ) ଜୋ ଡର୍ ଗୟା, ସମ୍ଝୋ ମର୍ ଗୟା; (ଜ) ହୋଲି କବ୍ ହେ, କବ୍ ହେ ହୋଲି?; (ଝ) ୟହଁା ସେ ପଚାଶ ପଚାଶ କୋଶ୍ ଦୂର୍ ଗାଓଁ ମେ... ଜବ୍ ରାତ୍ କୋ ବଚ୍ଚା ରୋତା ହେ, ତୋ ମା’ କେହତି ହେ ବେଟା ଶୋ ଯା’... ଶୋ ଯା’ ନେହିଁ ତୋ ଗବର ସିଂହ ଆ ଯାୟେଗା। ଏସବୁ ସଂଳାପ ଜାତୀୟ ଲୋକବଚନର ଜୈବିକ ଅଂଶବିଶେଷ ହୋଇସାରିଛି। ସେମିତି ଚଳଚ୍ଚିତ୍ରର ଏଇ ଗୀତମାନ ବେଶ୍ ଆଦୃତ, ଅନେକଙ୍କ ଓଠର ସ୍ଥାୟୀ ବାସିନ୍ଦା; ଯଥା- (୧) ୟେ ଦୋସ୍ତି; (୨) ହା ଜବ୍ ତକ୍ ହେ ଜାନ୍; (୩) କୋଇ ହସିନା; (୪) ହୋଲି କେ ଦିନ୍ ଏବଂ (୫) ବର୍ମନ୍ ଗାଇଥିବା- ମେହବୁବା ମେହବୁବା।
ବାଙ୍ଗାଲୋର ଠାରୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ ରାଜନଗରର ପ୍ରସିଦ୍ଧି ଓ ଲୋକପ୍ରିୟତା ବୃଦ୍ଧି ପାଇବାରେ ସହାୟକ େହାଇଥିଲା ସେଠି ଶୋଲେ ସୁଟିଂ ହେବା କାରଣରୁ। ସେଠାକାର ପଥରର ନୂଆ ନାମକରଣ ହୋଇଥିଲା ‘ଶୋଲେ ପଥର’ ଭାବେ ଓ ରାମନଗର ଜନମୁଖରେ ପାଲଟି ଯାଇଥିଲା ସିପ୍ପୀ ନଗରରେ। ଚଳଚ୍ଚିତ୍ରଟିର ରାମଗଡ଼ ନା ଥିଲା ରାଜସ୍ଥାନରେ ନା ଉତ୍ତରପ୍ରଦେଶରେ। ଆଢୁଆଳର ପ୍ରଭାବ ଭାବେ ‘ଶୋଲେ’ ଉପରେ ପାଶ୍ଚାତ୍ୟ ଓ ଜାପାନୀ ସିନେମାର ଛାପ କଥା ଉଲ୍ଲେଖ କରାଯାଏ ଯାହା ଭିତରେ ଅନ୍ତର୍ଭୁକ୍ତ ବିଶ୍ବବିଖ୍ୟାତ ଆକିରା କୁରୋସାୱାଙ୍କ ପ୍ରଭାବ। କିନ୍ତୁ ଏକଥା ସତ ସେ ସବୁ ଚଳଚ୍ଚିତ୍ରରେ ଅବଧି-ଖୋଡ଼ିବୋଲିର ବ୍ୟବହାର ହୋଇ ନ ଥିଲା କି ଭାରତୀୟ ଆଂଗିକ ଓ ଆତ୍ମିକ ନ ଥିଲା।
ଏକାଧିକ ଦୃଷ୍ଟିରୁ ୧୯୭୫ ମସିହା ଭାରତୀୟ ଚଳଚ୍ଚିତ୍ର ଜଗତ ସକାଶେ ଏକ ମୋଡ଼ ସୃଷ୍ଟିକାରୀ ବର୍ଷ ଭାବେ ଉଭା ହୋଇଥିଲା, ଯେଉଁ ସମୟରେ କି ଶୋଲେ ବ୍ୟତୀତ ନିଶାନ୍ତ, ଆନ୍ଧୀ, ଦିୱାର, ମିଲି, ଚୁପ୍କେ ଚୁପ୍କେ, ଚରଣ ଦାସ ଚୋର ଓ ଜମୀର ଆଦି ଦର୍ଶକ ଦେଖିବାକୁ ପାଇଥିଲେ। ପ୍ରତିଷ୍ଠା ବିରୋଧୀ ମନୋଭାବ ଓ କ୍ଷୁବ୍ଧ ତରୁଣ ଅବବୋଧ ଥିଲା ସେ ସମୟର ଦୁଇଟି ସ୍ବାକ୍ଷର ଉଚ୍ଚାରଣ। ଅବଶ୍ୟ ଆଗରୁ ଚୁମ୍ବକରେ ଯାହା କହିବାର ଚେଷ୍ଟା କରାଯାଇଛି ଶୋଲେ ଶୋଲେ ହେବାର କାରଣ ଉପରୋକ୍ତ ଦୁଇ ସ୍ବାକ୍ଷର ଉଚ୍ଚାରଣରେ ସୀମିତ ନ ଥିଲା। ସତରେ ଶୋଲେ ଶୋଲେ- ଯେଉଁ ମନ୍ତବ୍ୟ ସହ ସମ୍ମତ ପ୍ରାୟ ସଭିଏଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯