ଏମିତିଆ ଏକ ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲିଥିଲା ବେଳେ ୧୯୪୫ ମସିହାରେ ଜାପାନର ହିରୋସିମା ଓ ନାଗାସାକି ଉପରେ ଆମେରିକା ଦ୍ବାରା ପରମାଣୁ ବୋମା ନିେକ୍ଷପ କରାଯାଇଥିଲା। ଯେଉଁ ବିଖ୍ୟାତ ବୈଜ୍ଞାନିକଙ୍କୁ ସେଇ ବୋମାର ଜନକ ବୋଲି କୁହାଯାଏ ସିଏ ହେଲେ ଜୁଲିଅସ୍ ରବର୍ଟ ଓପେନ୍ହେଇମର ଏବଂ ତାଙ୍କ ଉପରେ ନିର୍ମିତ ଚଳଚ୍ଚିିତ୍ରଟି ଏବେ ପୃଥିବୀ ସାରା ପ୍ରଦର୍ଶିତ ହୋଇ ଚହଳ ସୃଷ୍ଟି କଲାଣି। ଖ୍ରୀଷ୍ଟୋଫର୍ ନୋଲାନ୍ ନିର୍ଦ୍ଦେଶିତ ‘ଓପେନ୍ହେଇମର୍’ ଚଳଚ୍ଚିତ୍ରଟିେର ମୁଖ୍ୟ ଚରିତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସିଲିଆନ୍ ମର୍ଫି। ୨୦୦୫ରେ ପ୍ରକାଶିତ ଓପେନ୍ହେଇମର୍ ଜୀବନୀ ପୁସ୍ତକ ‘‘ଆମେରିକାନ୍ ପ୍ରୋମେଥିଅସ୍’’ ଆଧାରିତ ଏ ଚଳଚ୍ଚିତ୍ରଟିକୁ ଚଳିତ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିହିତ କରାସରିଲାଣି। ପ୍ରମୁଖ ସିନେ-ସମୀକ୍ଷକଙ୍କ ମତରେ ଏହା ଏକ ଚଳଚ୍ଚିତ୍ର ମାତ୍ର ନୁହେଁ; ଏହା ବରଂ ଏକ ଗୁରୁତ୍ବପୂର୍ଣ୍ଣ ଚେତାବନୀ। ଜାଭେଦ୍ ଅଖ୍ତାର୍ଙ୍କ କହିବା ମୁତାବକ ଛବିଟି ଖାଲି ଭଲ ଛବି ନୁହେଁ; ଏହା ଏକ ମହାନ୍ ଚଳଚ୍ଚିତ୍ର। ଚମତ୍କାର ଅଭିନୟ, ଅଦ୍ଭୁତ ଭିଜୁଆଲ୍ ଓ ନିଦା ତଥ୍ୟାଶ୍ରୟୀ କାହାଣୀ ଚଳଚ୍ଚିତ୍ରଟିର ଆବେଦନକୁ ବହୁଗୁଣିତ ତଥା ପ୍ରଭାବଶାଳୀ କରିପାରିଛି।
ବ୍ରିଟିସ୍-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ନୋଲାନ୍ଙ୍କ ସୃଜନ କର୍ମର ବିଶେଷତ୍ବ ପାଇଁ ଉଭା ହୁଏ ସ୍ମୃତି, ଅସ୍ମିତା, ସମୟର ସଂରଚନା, ନୀତିନୈତିକତା, ଜ୍ଞାନମୀମାଂସା, ଅସ୍ତିତ୍ବବାଦ ଓ ଆଧିଭୌତିକ ଅବବୋଧ ସଂପର୍କିତ ପ୍ରସଙ୍ଗମାନଙ୍କୁ ସର୍ବାଧୁନିକ କଳାକୌଶଳ ଆଉ ପ୍ରଯୁକ୍ତିର ସମୁଚିତ ଉପଯୋଗ କରି ଫୁଟେଇ ପାରିବାର ଅସାଧାରଣ ଦକ୍ଷତା। ଜୀବନର ଆଦ୍ୟ ଭାଗରୁ ତାଙ୍କୁ ସିନେମା ନିଶା ବେଶ୍ ଘାରିଥିଲା। ଏପରିକି ସିଏ ସେତେବେଳେ କାଦୁଅ, ଅଟା, ଅଣ୍ଡା ଡବା ଓ ଗାଧୁଆ ଘର ହାତ ଧୂଆ ପାଇଁ ଉଦ୍ଦିଷ୍ଟ ଲମ୍ବା ଲମ୍ବା ସରୁଆ କାଗଜ ବ୍ୟବହାର କରି ସେଟ୍ ତିଆରି କରୁଥିଲେ। ତାଙ୍କ ବାବଦରେ ଅଧିକ ଜାଣିବା ପାଇଁ କେହି ଆଗ୍ରହ ପ୍ରକାଶ କଲେ ସିଏ କହୁଥିଲେ- ମୋ ବିଷୟରେ ଅାଦୌ ନ ଜାଣିଲେ ଭଲ କିମ୍ବା ଯେତେ କମ୍ ଜାଣିବେ ସେତେ ଭଲ; କାରଣ ମୋ ସିନେମା ଦେଖୁଥିବା ବେଳେ ମୁଁ ଚାହେଁ ସଭିଁଏ ସିନେମା ହିଁ ଦେଖନ୍ତୁ, ମୋ କଥା ନ ଭାବନ୍ତୁ।
ଚଳଚ୍ଚିତ୍ରଟିରେ ଓପେନ୍ହେଇମର୍ (ଓପି) ଭୂମିକା ତୁଲେଇଥିବା ତାରକା ଅଭିନେତା ଆର୍ୟଲ୍ୟାଣ୍ଡର ମର୍ଫିଙ୍କ ପିତାମାତା ତଥା ପୂର୍ବପୁରୁଷଙ୍କର ଶିକ୍ଷାଦାନ ଓ ଶିକ୍ଷା ବିଭାଗ ସହ ସଂପର୍କ ଥିଲା। କୈଶୋରରେ ସିଏ ଗିତାର୍ ବଜାଉଥିଲେ। ବିଟ୍ଲସ୍ ଭକ୍ତ ପାଲଟିବାକୁ ପସନ୍ଦ କରିଥିଲେ ଜୀବନର ବିଭିନ୍ନ ପର୍ଯ୍ୟାୟେର। ଛାତ୍ରାବସ୍ଥାରେ ବିଖ୍ୟାତ ରୁଷୀୟ ନାଟ୍ୟକାର ଚେକଭ୍ଙ୍କ ‘‘ଦି ସିଗଲ୍’’ ମଞ୍ଚସ୍ଥ ହେଉଥିଲାବେଳେ ସିଏ ସେଥିରେ ଭାଗ ନେଇଥିଲେ। ଯେତେବେଳେ ଯେଉଁ ଚରିତ୍ରର ଅଭିନୟ ତାଙ୍କୁ କରିବାକୁ ପଡ଼େ ସେତେବେଳେ ସିଏ ଆଉ ସିଏ ହୋଇ ରହନ୍ତିନି; ସିଏ ସେ ଚରିତ୍ରରେ ରୂପାନ୍ତରିତ ହୋଇ ନିଖୁଣ ଓ ଜୀବନ୍ତ ଅଭିନୟ କରନ୍ତି। ଦେବଦୂତ ଚେହେରା ବିଶିଷ୍ଟ ସିଲିଆନ ମନ ମୋହୁଥିଲେ ଦାନବ ଭୂମିକା ସମ୍ଭାଳିବାରେ ଯେମିତି ମାହିର କିନ୍ନରର ଅଭିନୟ କରିବାରେ ସେତିକି ଓସ୍ତାଦ୍। ମର୍ଫି ନିଜ ଦେଶରେ ମୁଣ୍ଡ ଟେକିଥିବା ମତଦାନ ଓ ବାସହୀନଙ୍କ ସପକ୍ଷରେ ଆନ୍ଦୋଳନ ପାଇଁ ମଧ୍ୟ ଖୋଲା ସମର୍ଥନ ଜଣାଇଥିଲେ ଏବଂ ସେଠାକାର ସରକାରଙ୍କ ଗର୍ଭପାତ ବିରୋଧୀ ଆଇନର କଠୋର ସମାଲୋଚନା କରିଥିଲେ।
ଆମେରିକାରେ ଆସି ଅବସ୍ଥାପିତ ଓ ପ୍ରତିଷ୍ଠିତ ହୋଇସାରିଥିବା ଏକ ବହିରାଗତ ଜର୍ମାନ ଇହୁଦୀ ପରିବାରରେ ୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓପି। ତାଙ୍କ ମା’ ଥିଲେ ଜଣେ ଚିତ୍ରଶିଳ୍ପୀ ଓ ବାପା ସଫଳ ଉଦ୍ୟୋଗପତି। ପଦାର୍ଥ ବିଜ୍ଞାନ ପ୍ରତି ସ୍ବତନ୍ତ୍ର ରୁଚି ରଖୁଥିବା ଓପି ହାର୍ଭାର୍ଡ, କେମ୍ବ୍ରିଜ୍ ଓ ଗୋଟିଙ୍ଗେନ୍ରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ ପଦାର୍ଥ ବିଜ୍ଞାନରେ। ଜର୍ମାନୀର ଶେଷୋକ୍ତ ପ୍ରଖ୍ୟାତ ଅନୁଷ୍ଠାନଟିରୁ ସିଏ ଫେରିଥିଲେ ଆମେରିକା ଯଦିଓ ସେତେବେଳେ ଏକ ପ୍ରଚଳିତ ଧାରା ଥିଲା ଆମେରିକାରୁ ଯାଇ ୟୁରୋପରେ ପଢ଼ାପଢ଼ି ଓ ଗବେଷଣା କରିବା- ଦୀର୍ଘକାଳୀନ ଆଧାରରେ, ବିଶେଷ କରି ପଦାର୍ଥ ବିଜ୍ଞାନରେ। ଘର ବାହୁଡ଼ନ୍ତେ ସିଏ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଓ କାଲିଫର୍ଣ୍ଣିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ (କାଲଟେକ୍) ଅଧ୍ୟାପନା ସାଙ୍ଗକୁ ଗବେଷଣା କାମରେ ମନୋନିବେଶ କରିଥିଲେ। ସିଏ ତାଙ୍କ ପଢ଼ାପଢ଼ି ଓ ସତ୍ୟାନ୍ବେଷୀ ଗବେଷଣା କର୍ମରେ ଏମିତି ଡୁବି ଯାଉଥିଲେ ଯେ ବେଳେବେଳେ ଖାଇବା ପିଇବା କଥା ଭୁଲି ଯାଉଥିଲେ। ଥରେ ସିଏ କହିଥିଲେ- ମୋ ପାଇଁ ପଦାର୍ଥ ବିଜ୍ଞାନ ପ୍ରଥମ ଓ ପ୍ରାଥମିକ; ଅନ୍ୟ ସବୁ କିଛି, ଅନ୍ୟ ସଭିଏଁ ପଛ। ସେ ସମୟର ବିଶ୍ବ ପଦାର୍ଥ ବିଜ୍ଞାନ ପରିମଣ୍ଡଳରେ ତାଙ୍କୁ ଅତି ଆଗଧାଡ଼ିର ମାନ୍ୟ କରାଯାଉଥିଲା। ତାଙ୍କୁ ଶୁଣିବାକୁ ଓ ଦେଖା କରିବାକୁ ଦେଶ ବିଦେଶରୁ ନାହିଁ ନ ଥିବା ଭିଡ଼ ହେଉଥିଲା। କୃଷ୍ଣ ଗର୍ତ୍ତ ବା ‘ବ୍ଲାକ୍ ହୋଲ’ ଉପରେ ତାଙ୍କ ଲେଖା ଥିଲା ପଥ ପ୍ରଦର୍ଶକ। ପୁଣି ସିଏ ନୋବେଲ୍ ବିଜେତା ମାକ୍ସ ବର୍ଣ୍ଣଙ୍କ ତତ୍ତ୍ବାବଧାନରେ ଗବେଷଣା କାମ ସମ୍ପୂର୍ଣ୍ଣ କରିଥିଲେ।
୧୯୪୨ ମସିହାର କଥା। ଓପିଙ୍କୁ ମାନ୍ହାଟ୍ଟାନ୍ ପ୍ରୋଜେକ୍ଟରେ ସାମିଲ୍ ହେବାକୁ ସୁଯୋଗ ମିଳିଲା। ତା’ର ବର୍ଷେ ପରେ ତାଙ୍କୁ ନିୟୁ ମେକ୍ସିକୋର ଲସ୍ ଆଲାମସ୍ ପରୀକ୍ଷାଗାରର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା ଏବଂ ସେଠି ତାଙ୍କ ଦାୟିତ୍ବ ଥିଲା ଆମେରିକା ପାଇଁ ପ୍ରଥମ ଆଣବିକ ଅସ୍ତ୍ର ତିଆରି କରିବା। ଚାରି ବର୍ଷ ଆଗରୁ ନାଜି ଜର୍ମାନୀ ନିଜର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରି ସାରିଥାଏ। ଓପିଙ୍କ ବିରଳ ବୈଜ୍ଞାନିକ ବୁଦ୍ଧିମତ୍ତା ଓ ବିଚକ୍ଷଣ ନେତୃତ୍ବ ବଳରେ ଆଣବିକ ବୋମା ପ୍ରସ୍ତୁତ ହୋଇଗଲା ଯାହାର ସଫଳ ପରୀକ୍ଷଣ କରାଯାଇଥିଲା ୧୯୪୫ ମସିହା ଜୁଲାଇ ୧୬ ତାରିଖରେ। ସେତେବେଳକୁ ଜାପାନ ଆମେରିକା ପକ୍ଷଭୁକ୍ତ ଶିବିର ପାଖରେ ସମର୍ପଣ କରୁନଥାଏ। ସେହି ବର୍ଷ ଅଗଷ୍ଟ ମାସରେ ଜାପାନର ହିରୋସିମା ଓ ନାଗାସାକି ଉପରେ ଆଣବିକ ବୋମା ପକାଯାଇଥିଲା। ଏହା ପରେ ପୃଥିବୀରେ ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ସଶସ୍ତ୍ର ବିବାଦ ବା ସମର ସମୟରେ ପରମାଣୁ ବୋମାର ବ୍ୟବହାର କରାଯାଇନି। କିଏ କହିବ ଆଗକୁ ଆଦୌ ହେବ ନାହିଁ ବୋଲି? ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପୃଷ୍ଠଭୂମିରେ ପରମାଣୁ ବୋମାର ବ୍ୟବହାର ଆଶଙ୍କା ମାନବ ଜାତିକୁ ଘାରି ରଖୁଛି। ଦୁହେଁ ପୁଣି ପରମାଣବିକ ଶକ୍ତି ସଂପନ୍ନ ଦେଶ।
ଆଣବିକ ବା ପରମାଣୁ ବୋମା ତିଆରି କରିଥିଲେ ବୈଜ୍ଞାନିକ ଓପେନ୍ହେଇମର୍; କିନ୍ତୁ ତା’ର ପ୍ରଥମ ପ୍ରୟୋଗ କରିଥିଲେ ରାଜନେତା ହ୍ୟାରି ଟ୍ରୁମ୍ୟାନ୍, ଯିଏ ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିଲେ। ଜାପାନ ଉପରେ ପରମାଣୁ ବୋମା ମାଡ଼ ଜନିତ ଅକଳ୍ପନୀୟ ଧ୍ବଂସ, ମୃତ୍ୟୁ, ବିଭୀଷିକା, ଶୋକ, ରୋଗ ଓ ଦୁର୍ଦ୍ଦଶାର ଖବର ପାଇ ବ୍ୟସ୍ତ ବିବ୍ରତ ହୋଇପଡ଼ିଥାନ୍ତି ଓପି। ବୋମାର ଜନକ ଭାବେ ତାଙ୍କୁ ବଧେଇ ଜଣେଇବା ପାଇଁ ଡକେଇ ପଠେଇଲେ ରାଷ୍ଟ୍ରପତି ଓ ସାକ୍ଷାତ କାଳରେ ତାଙ୍କୁ କହିଲେ- ଆପଣଙ୍କ ପାଇଁ ଆମେରିକା ଗର୍ବିତ। ସିଏ ତାଙ୍କ ମନ କଥା ଖୋଲି କହିଲେ ଓ ଅନୁରୋଧ ଜଣାଇଲେ ରାଷ୍ଟ୍ରପତିଙ୍କୁ ଆଗକୁ ଯେମିତି ହିରୋସିମା-ନାଗାସାକିର ପୁନରାବୃତ୍ତି ନ ଘଟୁ ଏବଂ ସେଥିପାଇଁ ବିଶ୍ବ ସମୂହ ଉପଯୁକ୍ତ ପଦକ୍ଷେପ ନେବା ଦିଗରେ ଆମେରିକା ପ୍ରତିବନ୍ଧକ ନ ହେଉ। ଟ୍ରୁମ୍ୟାନ୍ ଉତ୍ତରରେ ଓପିଙ୍କ କଥାକୁ ଅବଜ୍ଞା କଲା ଭଳି କହିଥିଲେ- ହିରୋସିମା ଓ ନାଗାସାକି ପାଇଁ କ’ଣ ଭାବୁଛନ୍ତି ଆପଣଙ୍କୁ ଲୋକେ ମନେ ରଖିବେ; ମତେ ହିଁ ଶ୍ରେୟ ଦେବେ ଓ ସ୍ମରଣ କରିବେ। କାନ୍ଦୁରା ବାଳକ ଭଳି ହେବା ଆପଣଙ୍କୁ ଶୋଭାପାଏନି। ମୁଁ ଚାହିଁବିନି ଆପଣ ଆଗକୁ ମତେ ଦେଖା କରନ୍ତୁ ବୋଲି। ହଁ, ସେଥରକ ରାଷ୍ଟ୍ରପତିଙ୍କ ସହ ଭେଟ ହେଲା ବେଳେ ଓପି ଆହୁରି କହିଥିଲେ- ମତେ ଲାଗୁଛି ମୋ ହାତେର ମଧ୍ୟ ରକ୍ତର ଛିଟା ଲାଗିଛି।
ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ପରେ ସିଏ (ଓପି) ପୁଣି ଫେରି ଆସିଲେ ‘କାଲ୍ଟେକ୍କୁ’। ତାହା ଥିଲା ୧୯୪୫ ମସିହା ନଭେମ୍ବର ମାସର କଥା। ହେଲେ ସେଠି ତାଙ୍କ ମନ ମାନିଲାନି। ୧୯୪୭ରେ ସିଏ ପ୍ରିନ୍ସଟନ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ୍ଡ ଷ୍ଟଡିର ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ଯେଉଁଠି ତାଙ୍କର ଏକାଧିକ ଥର ସାକ୍ଷାତ ତଥା ବିଚାର ବିମର୍ଶ ହୋଇଥିଲା ଆଇନ୍ଷ୍ଟାଇନ୍ଙ୍କ ସହ, କାହିଁକି ନା ସେ ସଂସ୍ଥା ସହ ଆଇନ୍ଷ୍ଟାଇନ୍ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଡ଼ିତ ଥିଲେ। ସେଠି ଥିଲାବେଳେ ସିଏ ଆମେରିକାର ଅଣୁ ଉର୍ଜା ଆୟୋଗର ପରାମର୍ଶଦାତା କମିଟିର ମୁଖ୍ୟ ଭାବେ ଉଦ୍ଯାନ ବୋମା ତିଆରି କରିବାର ବିରୋଧ କରିବା ସାଙ୍ଗକୁ ପ୍ରସ୍ତାବ ଦେଲେ ପରମାଣୁ ବୋମା ଓ ଅସ୍ତ୍ର ସଂଭୂତ ବିପତ୍ତିକୁ ଏଡ଼େଇବା ପାଇଁ ପରମାଣବିକ ଶକ୍ତିର ଆନ୍ତର୍ଜାତିକ ନିୟନ୍ତ୍ରଣ ସପକ୍ଷରେ ଏବଂ ସେ ବାବଦରେ ଦୃଢ଼ ଯୁକ୍ତି ବାଢ଼ିଲେ। ସେତେବେଳେ ଆମେରିକା-ସୋଭିଏତ୍ ଦେଶ ସଂପର୍କର ତିକ୍ତତା ଶୀର୍ଷରେ ଥାଏ। ପୁଣି ଶୀତଳ ଯୁଦ୍ଧ ସମୟ। ଅନେକ ଓପିଙ୍କୁ ଏବଂ ତାଙ୍କ ଉଦ୍ଦେଶ୍ୟ, ଦେଶପ୍ରେମ ଓ ଆନୁଗତ୍ୟକୁ ଘୋର ସନ୍ଦେହ କଲେ। ଯାଞ୍ଚ, ତଦନ୍ତ କମିଟି ବସିଲା- ଯାହା ଥିଲା ମୁଖ୍ୟତଃ ଏକ କଙ୍ଗାରୁ କୋର୍ଟ। ଓପିଙ୍କ ବିରୋଧରେ ଆରୋପ ଆସିଲା ତାଙ୍କ ବିଚାର ଓ ମତାଦର୍ଶ ନେଇ; କାରଣ କାହାକୁ ଅଛପା ନ ଥିଲା ତାଙ୍କ ବାମପନ୍ଥୀ ସହାନୁଭୂତି କଥା। କିନ୍ତୁ ସିଏ ଯୁକ୍ତି କଲେ ଯେ ସେ କମ୍ୟୁନିଷ୍ଟ ଦଳରେ ଯୋଗ ଦେଇନଥିଲେ କି କାର୍ଡଧାରୀ କମ୍ୟୁନିଷ୍ଟ ନ ଥିଲେ। ତାଙ୍କ ପତ୍ନୀ ଓ ପ୍ରେମିକା ମଧ୍ୟ ବାମପନ୍ଥୀ ଥିଲେ ଏବଂ ଦୁହିଁଙ୍କର ଆମେରିକା କମ୍ୟୁନିଷ୍ଟ ପାର୍ଟି ସହ ସଂପର୍କ ଥିଲା। ଅନେକ ବର୍ଷ ଧରି, ଇତିହାସ କହେ ଆମେରିକାଦି ଦେଶଙ୍କ ଦୃଷ୍ଟିରେ ସାମ୍ୟବାଦ ଓ ସମାଜବାଦ ଥିଲା ଫାସିବାଦଠାରୁ ଢେର୍ ଭୟଙ୍କର ତଥା ମାରାତ୍ମକ। କାରଣଟି ସ୍ପଷ୍ଟ- ସେତେବେଳେ ସାମ୍ୟବାଦୀ, ସମାଜବାଦୀ ଶିବିରର ନେତୃତ୍ବ ନେଉଥିଲା ଆମେରିକାର ଚରମ ଶତ୍ରୁ ସୋଭିଏତ୍ ଦେଶ ବା ରୁଷିଆ। ତଦନ୍ତ କମିଟିର ରାୟ ୨-୧ େଭାଟ୍ରେ ଓପିଙ୍କ ବିରୋଧରେ ଗଲା। ତାଙ୍କୁ ଆଗରୁ ମିଳିଥିବା ସ୍ବତନ୍ତ୍ର ନିରାପତ୍ତା ସୁବିଧା ସୁଯୋଗରୁ ବଂଚିତ ହେବାକୁ ପଡ଼ିଲା। ଫଳରେ ଅତ୍ୟନ୍ତ ଗୋପନୀୟ ସରକାରୀ ନଥିପତ୍ରକୁ ତାଙ୍କର ପହଞ୍ଚ ରହିଲାନି। ତାଙ୍କ ରାଜନୀତିକ ପ୍ରଭାବ ମଧ୍ୟ ନ୍ୟୂନ କରି ଦିଆଗଲା।
ବିଜ୍ଞାନ ଓ ମତାଦର୍ଶ ବାହାରେ ଓପିଙ୍କର ଆଉ ଯେଉଁ ପ୍ରଗାଢ଼ ଇଲାକାମାନ ପ୍ରତି ଆଗ୍ରହ ଥିଲା ତନ୍ମଧ୍ୟରୁ କେତେକ ସଂପୃକ୍ତି ଥିଲା ଇଲିଅଟ୍ଙ୍କ ସାହିତ୍ୟ, ପିକାସୋ ପ୍ରଭୃତିଙ୍କ ଚିତ୍ରକୃତି, ଭାରତୀୟ ଦର୍ଶନ ଓ ସଂସ୍କୃତି ଭାଷା ଭଳି କ୍ଷେତ୍ରରେ। ଓପେନ୍ହେଇମର୍ ଚଳଚ୍ଚିତ୍ରଟିରେ ଏକାଧିକ ଥର ଭଗବତ ଗୀତାରୁ ଉଲ୍ଲେଖ କରାଯାଇଛି ଯଥା: ମୁଁ ଏବେ ସାକ୍ଷାତ ମୃତ୍ୟୁ, ସାରା ସଂସାରର ବିଧ୍ବଂସକାରୀ। ସିଏ ତାଙ୍କ ପ୍ରିୟ କାର୍ର ନାଁ କୁଆଡ଼େ ରଖିଥିଲେ ଗରୁଡ଼। ଆଉ ଜଣେ ନୋବେଲ୍ ବିେଜତା ନିଲ୍ ବୋର୍ଙ୍କ ସଂସ୍ପର୍ଶରେ ଆସିବା ପରେ ସିଏ ଅଧିକରୁ ଅଧିକ ଭାରତୀୟ ଦର୍ଶନ ବାବଦରେ ଅବଗତ ହୋଇଥିଲେ। ଥରେ ସିଏ କହିଥିଲେ- ମୁଁ ଗ୍ରୀକ୍ ଦର୍ଶନ ଜାଣେ; ହେଲେ ମତେ ଲାଗେ ଭାରତୀୟ ଦର୍ଶନ ଅଧିକ ଗଭୀର। ଅଣୁ ଅସ୍ତ୍ରର ବଳ କଥା ଭାବିଲେ ସିଏ ଭାବୁଥିଲେ ସହସ୍ର ସୂର୍ଯ୍ୟର ତେଜ ଆକାଶରେ ଏକା ସାଙ୍ଗରେ ଏକତ୍ର ବିଚ୍ଛୁରିତ ହୋଇ ବିଚିତ୍ର ପରାକ୍ରମ ସୃଷ୍ଟି କରିବା ସମୟର ଦୃଶ୍ୟ କଥା। ହେଲେ ଆଇନ୍ଷ୍ଟାଇନ୍ଙ୍କ ସହ ଆଲୋଚନା ବେଳେ ଦୁହେଁ ଚିନ୍ତିତ ଥିଲେ ଆଣବିକ ଶକ୍ତି ଅପବ୍ୟବହାର ବାବଦରେ ଏବଂ ଆଶଙ୍କା କରୁଥିଲେ ଯେ ପରମାଣୁ ବୋମା ଜନିତ ତାଣ୍ଡବଲୀଳା କାରଣରୁ ଏ ଧରିତ୍ରୀ ତୃଣ ଓ କୀଟଙ୍କ ସାଧାରଣତନ୍ତ୍ର ହୋଇ ବି ରହି ନ ପାରେ। ବିଡ଼ମ୍ବନାର କଥା ଏବେ ସାନ ବଡ଼ ସବୁ ପରମାଣବିକ ଦେଶଙ୍କ କ୍ଷମତା ଭୟ ଓ ଧମକ ସୃଷ୍ଟି କରିବାରେ ସମାନ। ଯେମିତି ପୃଥିବୀର ଅନେକ ଶାନ୍ତିବାଦୀ ବୈଜ୍ଞାନିକ, ଦାର୍ଶନିକ ଓ ଚିନ୍ତାଶୀଳ ବ୍ୟକ୍ତି ଏବେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗସ୍ତରୀୟ କୁଫଳାଫଳ ନେଇ ବିଚଳିତ।
ଆଲୋଚ୍ୟ ଚଳଚ୍ଚିତ୍ରଟି ପୁଣି ଥରେ ସାବ୍ୟସ୍ତ କରିଛି ଯେ ପ୍ରଚଣ୍ଡ ପ୍ରତିଭା ସହ ସବୁବେଳେ କେମିତି ପରାକ୍ରମ ଓ ପରାଭବ ଯୁଗ୍ମଭାଗ୍ୟ ଭାବେ ଗୁନ୍ଥି ହୋଇଥାଏ। ଚଳଚ୍ଚିତ୍ରଟିର ଦୃଶ୍ୟ ଭାଗ ଆରମ୍ଭ ହେବା ପୂର୍ବରୁ ଚଳଚ୍ଚିତ୍ରରେ ବ୍ୟବହୃତ େକତୋଟି ଶବ୍ଦ ବୟାନ କରିଛି ଏଇଆ- ଯେଉଁ ପ୍ରୋମେଥିଅସ୍ ଈଶ୍ବରଙ୍କ ପାଖରୁ ଅଗ୍ନି ଲୁଚେଇ ଆଣି ମଣିଷମାନଙ୍କ ପାଖରେ ପହଞ୍ଚେଇ ପାରିଥିଲା ସେଇ ପ୍ରୋମେଥିଅସ୍କୁ ବନ୍ଦୀ ପ୍ରାୟ ଚିରଦିନ ବାନ୍ଧି ଦିଆଯାଇଥିଲା ଏକ ଶିଳାଖଣ୍ଡରେ।
ମୋ: ୯୪୩୭୩୦୭୦୭୯
ଆଳାପ ଓ ଆଲୋଚନା: ପ୍ରଚଣ୍ଡ ପ୍ରତିଭାର ପରାକ୍ରମ ଓ ପରାଭବ
ଅଭିରାମ ବିଶ୍ବାଳ
/sambad/media/post_attachments/wp-content/uploads/2023/08/4h6546546h46sffhhff.jpg)