ଅଭିରାମ ବିଶ୍ବାଳ
ମୂଳ କନ୍ନଡ଼ରେ ବାନୁ ମୁସ୍ତାକ ଲେଖିଥିବା ଓ ପରେ ଇଂଲିସରେ ଦୀପା ଭାସ୍ତି ଅନୁବାଦ କରିଥିବା ‘‘ହାର୍ଟ ଲ୍ୟାମ୍ପ’’ କ୍ଷୁଦ୍ରଗଳ୍ପ ସଂକଳନ ୨୦୨୫ ମସିହାର ବୁକର୍ ପୁରସ୍କାର ପାଇବା ଅନେକ ଆଚମ୍ବର, ଏକ ପ୍ରକାରର ଅଲୌକିକର ଅାଭାସ ଦିଏ। ଉଭୟେ ବାନୁ ଓ ଦୀପା ମହିଳା ତଥା କର୍ଣ୍ଣାଟକର। ମହିଳା ହେବା ସାଙ୍ଗକୁ ମୁସ୍ତାକ ଜଣେ ମୁସଲମାନ, ପତ୍ରକାର, ଆଇନଜୀବୀ, ସାମାଜିକ କାର୍ଯ୍ୟକର୍ତ୍ତା ଓ ଲେଖିକା ଯିଏ କି ୧୯୭୦-୮୦ ଦଶକରେ କର୍ଣ୍ଣାଟକରେ ମୁଣ୍ଡ ଟେକିଥିବା ବନ୍ଦୟ ଆନ୍ଦୋଳନ ସହ ସାମିଲ ହୋଇଥିଲେ। ବନ୍ଦୟର ଅର୍ଥ ଦ୍ବିମତ, ବିଦ୍ରୋହ, ବିରୋଧ, ପ୍ରତିବାଦ ଓ ପ୍ରତିରୋଧ ସେଇ ସବୁ ଶକ୍ତିର ଯାହା ସମାଜ, ସଂପ୍ରଦାୟ, ସମୂହ, ଜାତି, ଧର୍ମ, କ୍ଷମତାକେନ୍ଦ୍ର, ପୁରୁଷତନ୍ତ୍ର ଓ ପ୍ରଭୁତ୍ବ ପୀଠ ନଁାରେ ଦମନ, ନିୟନ୍ତ୍ରଣ, ପାତରଅନ୍ତର, ଶୋଷଣ ଓ ନିର୍ଯାତନା କରି ଚାଲିଥାଏ ନାରୀ ଆଉ ଦଳିତମାନଙ୍କର। ଦୀପା-ବାନୁ ଯୋଡ଼ି ଏକ ଧର୍ମନିରପେକ୍ଷ ହିନ୍ଦୁ-ମୁସଲମାନ ଯୋଡ଼ି ଏବଂ ସାହିତ୍ୟିକ ସଂପର୍କ ବାଟେ ଦୁହିଁଙ୍କ ଭିତରେ ନୂତନ ପ୍ରଗତିଶୀଳ ଭଗିନୀ ଭାବ ଗଢ଼ିଉଠିବା ସ୍ବାଭାବିକ। ଦୁହେଁ ଜାଣନ୍ତି ନାରୀମାନେ କିଭଳି ବିଭିନ୍ନ ସମୟରେ ଜୀବନରେ ଉତ୍ତପ୍ତ କୋଇଲା ଉପରେ ଚାଲି ଚାଲି ପଥ ଅତିକ୍ରମ କରିଥାନ୍ତି ଏବଂ ନିଅଁାର ଅତି ପାଖରେ ରହି ରହି କେତେ ନା କେତେ କ୍ଷତାନୁଭବ ଆପଣଉଥାନ୍ତି। ବାନୁଙ୍କ ଦକ୍ଷିଣୀରେ ଅନ୍ତର୍ଭୁକ୍ତ କନ୍ନଡ଼, ପାର୍ସି, ମରାଠୀ, ଉର୍ଦ୍ଦୁ, ତେଲୁଗୁ ଓ ହିନ୍ଦୀ। ସିଏ ମଧ୍ୟ ଇଂଲିସ କହନ୍ତି। ଦୀପା କହୁଥିବା ଭାଷା ହାଭିଆକା ହେଉଛି ପୁରୁଣାକାଳିଆ କନ୍ନଡ଼ର ଉପଭାଷା ଯାହା ସାଧାରଣତଃ ଅନେକ ଉପକୂଳିଆ ବ୍ରାହ୍ମଣମାନେ କହିଥାନ୍ତି। ଭାସ୍ତିଙ୍କ ଇଂଲିସ ଭାଷାରେ କ୍ରାନ୍ତକାରୀ ଚମତ୍କାର ଦଖଲ ବାବଦରେ ଉଲ୍ଲେଖ କରିବା ନିଷ୍ପ୍ରୟୋଜନ। ଲେଖିକା ଓ ଅନୁବାଦିକାଙ୍କ ଭିତରେ ତେଣୁ ବାସ କରୁଥାଏ ଭାରତୀୟ ବହୁଭାଷିକତାର ଏକ ବିଶାଳ ଓ ବିବିଧତା ଭରା ଜୀବନ ବିଶ୍ବ।
ତିନି ବର୍ଷ ତଳେ ୨୦୨୨ ମସିହାରେ ଅବଶ୍ୟ ଆଉ ଜଣେ ଭାରତୀୟ ମହିଳା ଗୀତାଞ୍ଜଳି ଶ୍ରୀ ତାଙ୍କ ହିନ୍ଦୀ ଉପନ୍ୟାସ ‘‘ରେତ୍ ସମାଧି’’ ପାଇଁ ବୁକର୍ ଲାଭ କରିଥିଲେ। କିନ୍ତୁ ସେ କୃତିର ଇଂଲିସ ଅନୁବାଦ କରିଥିଲେ ଆମେରିକୀୟ ମହିଳା ଡେଜି ରକ୍ୱେଲ୍ ‘‘ଟୋମ୍ବ ଅଫ୍ ସ୍ୟାଣ୍ଡ୍’’ ଭାବେ। ଏଇ ପୃଷ୍ଠଭୂମିରେ ଦୀପା ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ଅନୁବାଦିକା ଭୂମିକାରେ ବୁକର୍ ପାଇଲେ। ସେମିତି ବୁକର୍ ପାଇବାରେ ପ୍ରଥମ ଗଳ୍ପ ସଂକଳନ ଏ ପୁସ୍ତକ ଓ ପ୍ରଥମ କନ୍ନଡ଼ ଭାଷା-ସାହିତ୍ୟର କୃତି। ୭୭ ବର୍ଷ ବୟସରେ ବୁକର୍ ହାସଲ କରିବାରେ ସର୍ବଜ୍ୟେଷ୍ଠା ହେଲେ ବାନୁ। ୧୯୯୦ରୁ ୨୦୨୩ ମସିହା ଭିତରେ ପ୍ରକାଶିତ ବାରଗୋଟି ଗପ ରହିଛି ‘‘ହାର୍ଟ ଲ୍ୟାମ୍ପ’’ରେ ଯେଉଁଗୁଡ଼ିକର ଶୀର୍ଷକ ମୋଟାମୋଟି ଏଇଆ- ସାଇସ୍ତା ମହଲ ସକାଶେ ପ୍ରସ୍ତର ସ୍ଲାବ, ଅଗ୍ନି ବର୍ଷା, କଳା ଗୋଖର, ହୃଦୟର ନିଷ୍ପତ୍ତି, ନାଲିଆ ଲଂଘି, ହୃଦୟ ପ୍ରଦୀପ, ହାଇ ହିଲ୍ ଜୋତା, କୋମଳ ଚାପା କଥା, ସ୍ବର୍ଗର ସ୍ବାଦ, ଆବରଣ, ଭାଷା ଶିକ୍ଷକ ଓ କୋବି ତରକାରି ଏବଂ ଥରେ ନାରୀ ହୋଇଯାଆନ୍ତୁ, ହେ ପ୍ରଭୁ! ଏ ନଁା ସବୁର ସନ୍ଦେଶ ବେଶ୍ ଅର୍ଥପୂର୍ଣ୍ଣ ଓ ଇଙ୍ଗିତଧର୍ମୀ।
ଏକାଧିକ ସାକ୍ଷାତ୍କାର ଓ ବକ୍ତବ୍ୟରେ ବାନୁ ଏମିତି କହିଛନ୍ତି- ମୁଁ ଲେଖାଲେଖି କରେ କାରଣ ଯନ୍ତ୍ରଣା ମତେ ନ ଲେଖି ଶୋଇବାକୁ ଦିଏନି। ଲେଖିବା ମୋ ପାଇଁ ଶ୍ବାସପ୍ରଶ୍ବାସ ଭଳି। ସାହିତ୍ୟ ସମ୍ଭବତଃ ସେଇ ଶେଷ ପବିତ୍ର ଇଲାକା ଯେଉଁଠି ଶବ୍ଦ ବାଟେ ଜଣେ ଅନ୍ୟ ଜଣକ ମନରେ ରହିପାରିବ। କୌଣସି କାହାଣୀ କେବେ ବି ମାମୁଲି ନୁହେଁ। ଗଁା ମୁଣ୍ଡ ବରଗଛ ତଳେ ଜନ୍ମ ନେଇଥିବା ଗପ ସର୍ବଜନୀନ ଆବେଦନ ବଳରେ ବିଶ୍ବ ସ୍ତରରେ ଆଦୃତ ଓ ଗ୍ରହଣୀୟ ହୋଇପାରେ। ଅତି ସାଧାରଣ ଲାଗୁଥିବା ଗୋଟିଏ ଗପର ଖିଅର ବଳ ଏଇଆ ଯେ ତାହା ସାରା କାହାଣୀର ଓଜନ ବୋହିବା ଅବସ୍ଥାରେ ଥାଏ। କନ୍ନଡ଼ ଭାଷାରେ ଲେଖିବା ବାଟେ ମୁଁ ବି ବ୍ରହ୍ମାଣ୍ଡୀୟ ବିସ୍ମୟ ଓ ସାଂସାରିକ ଜ୍ଞାନ ବାବଦରେ ଆହୁରି ଅଧିକ ଅବଗତ ହୋଇପାରିଲି। ଏ ବୁକର୍ ପ୍ରାପ୍ତି ମୁହୂର୍ତ୍ତରେ ମତେ ଲାଗୁଛି ସତେ ଯେମିତି ହଜାରେ ଜୁଳୁଜୁଳିଆ ପୋକ ଆକାଶକୁ ଆଲୋକିତ କରୁଥିବାର ଦୃଶ୍ୟ ମୋ ଆଖି ଆଗରେ ଭାସି ଯାଉଛି।
ନାରୀ ଜୀବନର ଭିନ୍ନ ଭିନ୍ନ ପର୍ଯ୍ୟାୟର ବଖାଣ ଓ ଅବତାରଣା ପଢ଼ିବାକୁ ମିଳେ ‘ହୃଦୟ ପ୍ରଦୀପ’ରୁ। ଚରିତ୍ରମାନଙ୍କୁ ଜଣେ ସହଜରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବୋଲି ଚିହ୍ନଟ କରିଦେଇପାରେ; କିନ୍ତୁ ସେମାନେ ଖାଲି ସେଇ ଗୋଟିଏ ସମୂହର ନୁହନ୍ତି, ସେମାନେ ବରଂ କଣଠେସା ହୋଇଥିବା ଓ ତଥାପି ହାରି ନ ଥିବା କି ଭାଙ୍ଗି ପଡ଼ି ନ ଥିବା ସାରା ଦୁନିଆର ନାରୀ ବା ମଣିଷ। ବାନୁ କର୍ଣ୍ଣାଟକର ହାସାନ୍ ଅଞ୍ଚଳର, େଯଉଁଠିକାର ହେଉଛନ୍ତି ରାଜା ରାଓ ଯିଏ କି କନ୍ନଡ଼, ଇଂଲିସ ଓ ଫରାସୀ ଭାଷାରେ ଲେଖି ଖ୍ୟାତି ଅର୍ଜନ କରିଥିଲେ। ମୁସ୍ତାକଙ୍କ ଚର୍ଚ୍ଚା ହେଲାବେଳେ ଅନ୍ୟ ଯେଉଁ କେତେଜଣ ଦକ୍ଷିଣ ଭାରତୀୟ ଲେଖକ-ଲେଖିକାଙ୍କ କଥା ଉଠେ ସେମାନଙ୍କ ଭିତରେ ଅନ୍ତର୍ଭୁକ୍ତ ତାମିଲ ଭାଷାର ପେରୁମଲ୍ ମୁରୁଗାନ୍ ଓ ବାମା, କନ୍ନଡ଼ର ବିବେକ ସାନ୍ଭାଗ ଓ ଜୟନ୍ତ କୈକିକି ଏବଂ ମାଲୟାଲମର ଏମ୍. ମୁକୁନ୍ଦନ୍ ଓ ହରିଶ ଏସ୍ ପ୍ରମୁଖ। ପ୍ରଭାବ ଓ ପ୍ରେରଣା ରୂପେ ବାନୁ ସ୍ବୀକାର କରନ୍ତି ଦସ୍ତୋଭସ୍କି ଓ ଦେବାନୁର ମହାଦେବଙ୍କ ଲେଖାକୁ।
ଭାରତୀୟ ସାହିତ୍ୟର ବ୍ୟାପ୍ତି, ଉଚ୍ଚତା ଓ ଗଭୀରତା ଅନେକ ଆଞ୍ଚଳିକ ଭାଷା ସାହିତ୍ୟର ଅବଦାନରେ ପରିପୁଷ୍ଟ ଯାହା ଭିତରେ ସାମିଲ କନ୍ନଡ଼ ଭାଷା ସାହିତ୍ୟର କିଂବଦନ୍ତି ସ୍ରଷ୍ଟା ମସ୍ତି ଭେଙ୍କଟେଶ ଆୟାଙ୍ଗର, କୁଭେମ୍ପୁ, ଶିବରାମ କରନ୍ଥ, ବିନାୟକ କୃଷ୍ଣ ଗୋକକ୍, ୟୁ. ଆର୍. ଅନନ୍ତମୂର୍ତ୍ତି, ଗିରିଶ କର୍ଣ୍ଣଡ଼, ପି. ଲଙ୍କେଶ ଓ ଚନ୍ଦ୍ରେଶଖର କମ୍ବାରା ଆଦି। ସେମାନଙ୍କ ସାରସ୍ବତ ଐତିହ୍ୟ ନିଶ୍ଚୟ ବାନୁ ଓ ଦୀପାଙ୍କୁ ଅଧିକ ସାହିତ୍ୟମନସ୍କା କରିଥିବ। ନିଜେ ଦୀପା ମଧ୍ୟ କୋଡ଼ାଗିନ୍ନା ଗୌରୀମା ଓ ଶିବରାମ କରନ୍ଥଙ୍କ ଅନୁବାଦ କରିସାରିଛନ୍ତି। ଅନୁବାଦ କଲାବେଳେ ମୂଳ ଭାଷା କନ୍ନଡ଼ ସହ ଗୁନ୍ଥା ସାଂସ୍କୃତିକ ଓ ଐତିହାସିକ ଅଦ୍ବିତୀୟତା ତଥା ଅାତ୍ମନିଷ୍ଠ ଅସ୍ମିତା ଅତୁଟ ରଖିବାକୁ ଭୁଲି ନାହାନ୍ତି ସିଏ।
ବାନୁଙ୍କ ଲେଖାର ଚରିତ୍ର ମନେ ପକେଇ ଦେଇପାରେ ରୋଷେଇ ଘର, ଉପାସନା କକ୍ଷ ଓ ସଂକୀର୍ଣ୍ଣ ଗଳି ଆଦି ସହ ଯୋଡ଼ା ସତ ତଥା ବାସ୍ତବ ଜୀବନ। ଗୋଟିଏ ଗପ ପଢ଼ିସାରିଲେ ଲାଗିପାରେ ଯେ ପତ୍ନୀ ସ୍ବାମୀଙ୍କ ଘା’, ରକ୍ତ ଓ ପୁଜ ଚାଟି ସଫା କଲା ପରେ ବି ହୁଏତ ଋଣ ପରିଶୋଧ (?) ସରିପାରୁନି! ଅନ୍ୟ ଏକ ଗପ ମୁତାବକ ଜଣେ ନାରୀ ଅତି ଖୁସି ହୋଇଯାଉଛନ୍ତି ଓ କହୁଛନ୍ତି- ଯାହା ହେଉ, ପୁଅଟିଏ ହେଲା। ମୋ ଭଳି ଆଉଜଣେ ଜୀବନର ବନ୍ଦୀ ଜାତ ହେଲାନି। ତୃତୀୟ ଏକ କାହାଣୀ କହୁଛି- କେଉଁଠି, କେଉଁ ଶାସ୍ତ୍ରରେ ବି ଲେଖାହୋଇନି ନାରୀମାନେ ଘର କୋଣରେ ରହିବେ, ପାଠ ପଢ଼ିବାକୁ ଯିବେନି। ନାରୀ ହାତ ପତେଇବନି, ସିଏ ନ୍ୟାୟ ଚାହିଁବ। ଜଣେ ଆଇନଜୀବୀ ଭାବେ ନିଜ କର୍ମକ୍ଷେତ୍ରରୁ ବାନୁ ତାଙ୍କ ଗପର ଜୈବିକ ସାମଗ୍ରୀ ପାଇଯାଆନ୍ତି। ତାଙ୍କ ପାଇଁ ମଣିଷର ଚରିତ୍ର ଓ ସ୍ବଭାବ ସର୍ବତ୍ର ସମାନ। ସ୍ବରହୀନମାନଙ୍କ ସ୍ବର ହେବାକୁ ଚାହେଁ ତାଙ୍କ ଲେଖା- ପ୍ରାଚୀର ପୋଷ୍ଟର କିମ୍ବା ଚଢ଼ା ଗଳାର ସ୍ଲୋଗାନ ନ ହୋଇ। ତାଙ୍କ ଗପରେ ଅଛି ଗୃହାଙ୍ଗନର ହିଂସା, ଅଛି ବି ପିଲାମାନଙ୍କର ମୃତ୍ୟୁର ବର୍ଣ୍ଣନା। ବନ୍ଦୟା ଆନ୍ଦୋଳନ ତ କହିଥିଲା- ଯିଏ ରାଇଟର ସିଏ ଫାଇଟର। ଆହୁରି କହିଥିଲା ସାହିତ୍ୟ ଲୋକଙ୍କ ପୀଡ଼ା ବୁଝିବାରେ ଆତ୍ମାମିତ୍ର ସାଜୁ। ଆଉ ସେଇ ଆନ୍ଦୋଳନ କାଳରେ ଲୋକଲୋଚନକୁ ଆସିଥିଲା ସାରା ଆବୁବେକର, ଫକୀର ମହମ୍ମଦ କଟପାଡ଼ି, ବୋଲୁଭୀର କୁହ୍ନି ଓ ବାନୁ ମୁସ୍ତାକଙ୍କ ପ୍ରମୁଖ ପ୍ରତିଭା।
ଆଗରୁ ଉର୍ଦ୍ଦୁ ମାଧ୍ୟମରେ ପଢୁଥିବା ବାନୁ ଆଠ ବର୍ଷ ବୟସରେ କନ୍ନଡ଼ ସ୍କୁଲରେ ଭର୍ତ୍ତି ହୋଇଥିଲେ। ସ୍କୁଲ ଏକ ସର୍ତ୍ତ ରଖିଥିଲା ଯେ ସିଏ ଛ’ମାସ ଭିତରେ କନ୍ନଡ଼ ପଢ଼ିବା ଓ ଲେଖିବା ଦକ୍ଷତା ସାବ୍ୟସ୍ତ କରିବେ। ଉଚ୍ଚଶିକ୍ଷା ଲାଭ କରିବାକୁ ତାଙ୍କୁ ତାଙ୍କ ବାପା ଉତ୍ସାହିତ କରିଚାଲିଥିଲେ। ସମୟ କ୍ରମେ ସିଏ ଲଙ୍କେଶ ପତ୍ରିକାରେ କାମ କରିଛନ୍ତି, ବେଙ୍ଗାଲୁରୁ ଆକାଶବାଣୀ ସହ ଯୋଡ଼ି ହୋଇଛନ୍ତି ଏବଂ ଦୁଇଥର ପୌର ପରିଷଦ ପାଇଁ ବଛା ହୋଇଛନ୍ତି। ମୌଳବାଦ, ମତାନ୍ଧତା ଓ ସାମାଜିକ ଅନ୍ୟାୟର ସିଏ ଥିଲେ ଘୋର ବିରୋଧୀ। ତାଙ୍କର ପ୍ରେମ ବିବାହ ହୋଇଥିଲା। ଜୀବନରେ ତାଙ୍କୁ ପୁଣି ସାମ୍ନା କରିବାକୁ ପଡ଼ିଛି ରକ୍ଷଣଶୀଳ ଶାଶୂ-ଶ୍ବଶୁର, ଛୁରିକାଧାରୀ ଆକ୍ରମଣକାରୀ ଓ ଋଢ଼ିବାଦୀ ବିଚାରର। ଲେଖିଛନ୍ତି ସିଏ ବ୍ୟକ୍ତିଗତ, ସାମାଜିକ ଓ ବୃତ୍ତିଗତ ଅଭିଜ୍ଞତାରୁ କଳ୍ପନାର ପୁଟ ଦେଇ। ବିବାହ ପରେ ତାଙ୍କୁ ଏମିତି କେତେକ ପରିସ୍ଥିତି ବାଧ୍ୟ କରିଥିଲା ଯେ ନିଜ ଦେହରେ ପେଟ୍ରୋଲ ଢାଳି ଦିଆସିଲ କାଠି ଲଗେଇବା ଉପରେ ଥିଲେ ସିଏ। ଠିକଣା ସମୟରେ ତାଙ୍କ ସ୍ବାମୀ ପହଞ୍ଚି ଯାଇଥିଲେ ଏବଂ ସେମାନଙ୍କ ଅତି କୁନିଝିଅର ରାଣ ଖୁଆଇ ବାନୁଙ୍କୁ ନିବୃତ୍ତ କରିଥିଲେ। ଯେତେବେଳେ ହିଜାବ୍ ପରିଧାନ ନେଇ ବିତର୍କ ସୃଷ୍ଟି ହୋଇଥିଲା ସେତେବେଳେ ବାନୁ ଛାତ୍ରୀମାନେ ସ୍କୁଲରେ ହିଜାବ୍ ପିନ୍ଧିବା ସପକ୍ଷରେ ମତ ଦେଇଥିଲେ। ଅବଶ୍ୟ ଏକାସାଙ୍ଗରେ ଉଭୟ ‘‘କ୍ରିଟିକାଲ୍ ଇନ୍ସାଇଡର୍’’ ଓ ‘‘ଫ୍ରେଣ୍ଡ୍ଲି ଆଉଟ୍ସାଇଡର୍’’ ହେବାର ପରାକ୍ରମ ତଥା ପରାଭବ ତାଙ୍କୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ସମୂହ ଓ ଲିଙ୍ଗର କ’ଣ ବିରୋଧୀ ଥିଲେ ବାନୁ? କହିବା ବାହୁଲ୍ୟ ତାଙ୍କର ଦୁଇ ଅତି ପ୍ରିୟ ମଣିଷ - ପିତା ଓ ପତି - ହେଉଛନ୍ତି ପୁରୁଷ ଏବଂ ସେଇ ସମୂହର ଯେଉଁ ସମୂହର ସିଏ ନିଜେ। ଆଉ ଯାହା ସିଏ ଲେଖିଛନ୍ତି ତାହା ଗପ ଆକାରରେ ଲେଖିଛନ୍ତି।
ଲେଖିକାଙ୍କ ପ୍ରଥମ ଗପର ପ୍ରଥମ ପରିଚ୍ଛେଦ ଏଇଭଳି- ଏ କଂକ୍ରିଟ ଜଙ୍ଗଲ, ଆକାଶ ଛୁଇଁଲା ଭଳି ଦିଆସିଲ ବାକ୍ସସମ ତା’ ଉପରେ ତା’ ଉପରେ ଲଦା ହୋଇଥିବା ଆପାର୍ଟମେଣ୍ଟର ଘର ଏବଂ ଅନବରତ ଧୂଅଁା ଛାଡ଼ି, ହର୍ନ ବଜେଇ ଚାଲିଥିବା ଯାନବାହନ: ଏ ସବୁର ଶ୍ବାସରୋଧକାରୀ ପରିବେଶରୁ ମୁଁ ମୁକ୍ତି ଚାହୁଁଥିଲି। ଆଉ ଗୋଟିଏ ଗପ ‘ନାଲି ଲୁଂଘି’ର ଉଦ୍ଘାଟନୀ ବାକ୍ୟ ହେଲା- ଖରାଛୁଟି ଆସିଲା ମାନେ ଘରେ ମା’ମାନଙ୍କର କଷ୍ଟର ଅନ୍ତ ରହେନି। ବାନୁଙ୍କ ଲେଖକୀୟ ପରିଚିତି ଓ ବ୍ୟକ୍ତିସତ୍ତାର ନିର୍ଯାସ ଯେବେ ଖୋଜାଯିବ ତେବେ ତାହା ଉପଲବ୍ଧ ହେବ ପୁସ୍ତକର ଶେଷ ଗପର ଅନ୍ତିମ ଭାଗରେ େଯଉଁଠି ଗାଳ୍ପିକା ଲେଖିଛନ୍ତି- ଆପଣଙ୍କର ଯଦି ଆଉଥରେ ଏ ପୃଥିବୀ ଗଢ଼ିବାର ଥାଏ, ପୁରୁଷ ଓ ନାରୀ ସୃଷ୍ଟି କରିବାର ଥାଏ, ତେବେ ଅନଭିଜ୍ଞ କୁମ୍ଭାର ଭଳି ଜମାରୁ ହେବେନି। ହେ ପ୍ରଭୁ, ଏ ପୃଥିବୀକୁ ନାରୀ ହୋଇ ଅାସିବେ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯