ଆଜି ରଜ ସଂକ୍ରାନ୍ତି। ଯାହା ମିଥୁନ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା। ଓଡ଼ିଶାର, ଓଡ଼ିଆ ସଂସ୍କୃତିର ଅନ୍ୟତମ ମହାନ ଓ ପ୍ରସିଦ୍ଧ ଲୋକପର୍ବ ରଜ ସହିତ ଗୁନ୍ଥା ଅନେକ ବିଧି, ରୀତି, ନୀତି, ଆଚାର, ବିଚାର, ପାଳନ, ପରିବେଷଣ ଓ ପରିପ୍ରକାଶ ପ୍ରସଙ୍ଗ। ସେ ସବୁ ପ୍ରକୃତି, କୃଷି, ମୌସୁମୀ, ପରିବେଶ, ଜଳବାୟୁ, ସାହିତ୍ୟ, ଲୋକକଥା, ନାରୀତ୍ବ, ମୌଖିକ ଇତିହାସ, ଧରିତ୍ରୀ ମାତା, ପ୍ରଜନନ, ଉର୍ବରତା, ମାସିକ ଋତୁ ଧର୍ମ, ଖେଳ, ମଜା ମଉଜ, ପ୍ରଜାତିକ ପିଠା-ମିଠା-ପାନ ସେବନ ଏବଂ ମାଟି ଓ ଆକାଶର ମିଳନ ଆଦିକୁ ନେଇ। କାଲି ଗଲା ପହିଲି ରଜ। ତା’ ପୂର୍ବଦିନ ଥିଲା ସଜବାଜ। ଆସନ୍ତାକାଲି ଶେଷ ରଜ ବା ଭୂମି ଦହନର ଦିବସ। ଆଉ ତା’ ପରଦିନଟି ବସୁମତୀ ସ୍ନାନ ବା ଠାକୁରାଣୀ ବୁଡ଼ର ଦିବସ।
ପରମ୍ପରା ଓ ଉତ୍ପତ୍ତି ଦୃଷ୍ଟିରୁ ରଜର ଦୁଇ କେନ୍ଦ୍ରବିନ୍ଦୁ ଯେ ଭୂଦେବୀ ଓ ସ୍ତ୍ରୀଶକ୍ତି ତାହା ସର୍ବଜନବିଦିତ। କୁହାଯାଏ ରଜ ସମୟରେ ଧରିତ୍ରୀ ବା ବସୁମତୀ ରଜସ୍ବଳା ହୁଅନ୍ତି। ସେଥିପାଇଁ ସେହି ସମୟରେ ମା’ ବସୁମତୀଙ୍କୁ ବିଶ୍ରାମ ଦିଆଯାଏ ଏବଂ କୌଣସି କୃଷିକର୍ମ ସଂପନ୍ନ ହୁଏନାହିଁ। ବସୁମତୀ ପୂଜା ଦିନ ଶିଳ ଓ ଶିଳପୁଆ ଏବଂ କେତେକ କୃଷି ଉପକରଣର ପୂଜା ହୁଏ। ଆଗରୁ ଗାଁ ଗଣ୍ଡାର ପ୍ରଚଳିତ ବିଧି ମୁତାବକ ଝିଅ ବା କୁମାରୀମାନେ ରଜ ବେଳେ ଖାଲି ପାଦରେ ଭୂଇଁରେ ଚାଲୁ ନ ଥିଲେ। ଅଳତା ଲଗା ପାଦରେ ପିନ୍ଧୁଥିଲେ ଗୁଆ ଖୋଳପା ନତୁବା କଦଳୀ ପଟୁକା ପ୍ରସ୍ତୁତ ପାଦୁକାଦି। ପରମ୍ପରା ଅନୁସାରେ ରଜରେ ମହିଳାମାନଙ୍କୁ ଯାବତୀୟ ଘରକାମରୁ ଛୁଟି ମିଳେ। ମହିଳା ବ୍ୟକ୍ତିତ୍ବର ବିଭିନ୍ନ ପର୍ଯ୍ୟାୟ ସମ୍ବନ୍ଧରେ ଏକ ପ୍ରକାରର ଭବିଷ୍ୟଧର୍ମୀ ଧାରଣା ମିଳେ ରଜୋତ୍ସବର ସାମୂହିକ ଅବସରରୁ- ସେ ସବୁ ହେଲା ବାଳିକା, କିଶୋରୀ, ଯୁବତୀ, ରମଣୀ, ମହିଳା ଓ ନାରୀ ପର୍ଯ୍ୟାୟ ସଂପର୍କରେ ଅବଗତି। ଓଡ଼ିଶାର ରଜ ପର୍ବ ଭଳି କେତେକ ଦୃଷ୍ଟିରୁ ସମାନ ଆସାମର କାମାକ୍ଷା ଠାକୁରାଣୀଙ୍କ ଆମ୍ବୁବାଚି ମେଳା ବୋଲି ବିଦ୍ବାନ ବିଦୁଷୀମାନେ ମତ ଦିଅନ୍ତି।
ଦୋଳି ଖେଳ ବା ଝୁଲା ଓ ଦୋଳି ଗୀତ ଗାୟନକୁ ବାଦ୍ ଦେଇ ରଜ ପର୍ବର ଅବତାରଣା ଉଭୟ ଅସମ୍ଭବ ଓ ନିରର୍ଥକ। ଦୁଇଟି ବହୁଚର୍ଚ୍ଚିତ ରଜ ଗୀତ ଏଇଭଳି- ‘‘ବନସ୍ତେ ଡାକିଲା ଗଜ/ବରଷକେ ଥରେ ଆସିଛି ରଜ/ଘେନି ନୂଆ ସଜବାଜ।’’ ଏବଂ ‘‘ଦୋଳି ହୁଏ ରଟମଟ/ସଙ୍ଗାତ ଲୋ/ଦୋଳି ହୁଏ ରଟମଟ/ମୋ’ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ/ଦିଶୁଥିବ ଝଟମଟ।’’ ଦୋଳି ଗୀତରେ ଭଉଣୀମାନେ ଭାଇମାନଙ୍କର ବେଶ୍ ମହିମାମଣ୍ଡନ କରନ୍ତି। ସେଥିପାଇଁ ଦୋଳିରେ ବସି ଉପରେ ଥିଲେ ବି ଭାଇଙ୍କ ମୁକୁଟ ଝଟକୁଥିବାର ସ୍ପଷ୍ଟ ଦିଶେ ସେମାନଙ୍କୁ। ପୁଣି ନିଜ ନିଜର ଭାଇ ନିଜ ନିଜକୁ ଅଧିକ ଭଲ ଲାଗନ୍ତି। ସେଇଥି ପାଇଁ ହୁଏତ ଗାଆନ୍ତି- ‘‘ଦୋଳି ପିଢ଼ା କଟକଟ/ମୋ’ ଭାଇ ମୁଣ୍ଡରେ ସୁନା ମୁକୁଟ/ତୋ’ ଭାଇ ମୁଣ୍ଡରେ ଜଟ।’’ ଅବଶ୍ୟ ଭଉଣୀମାନଙ୍କର ଭ୍ରାତୃପ୍ରୀତି ସଂକୀର୍ଣ୍ଣ ହୋଇ ଯାଏନି। ତେଣୁ ଅନ୍ୟ କେତୋଟି ଶବ୍ଦ ଏଇଆ ବଖାଣେ- ‘‘ପଟା ଦୋଳି ତଳେ ଗାତ/ତୋ’ ଭାଇ ମୋ’ ଭାଇ ଦୁଇ ସଙ୍ଗାତ/ଛାଡ଼ିଦେଲେ ଯୋଡ଼ା ଗୀତ।’’
ପ୍ରାୟ ସବୁ ରଜ ଦୋଳି ଗୀତ ଲୋକ ପରମ୍ପରାରୁ, ମୌଖିକ ଢଗଢମାଳିରୁ, ଗାଉଁଲି ଗୀତ ଓ ପଲ୍ଲୀ ଗୀତି ଉତ୍ସରୁ ଉପଲବ୍ଧ ହୁଏ। ସେ କ୍ଷେତ୍ରକୁ ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ମହାପାତ୍ରଙ୍କ ‘‘ଉତ୍କଳ ଗାଉଁଲି ଗୀତ’’ ଓ କୁଞ୍ଜବିହାରୀ ଦାଶଙ୍କ ‘‘ପଲ୍ଲୀ ଗୀତି ସଞ୍ଚୟନ’’ର ଅବଦାନ ଐତିହାସିକ। ଝିଅ, ବୋହୂ ଓ ମହିଳାମାନେ ରଜ ଗୀତ ଦୋଳିରେ ବସି ପରିବେଷଣ କଲାବେଳେ କୌଣସି ଖାତା ବା ଟିପା କାଗଜ ବ୍ୟବହାର କରନ୍ତି ନାହିଁ। ମନରୁ, ମନେ ରଖି ଗାଆନ୍ତି। ସ୍ବସ୍ବର ସଂସ୍କୃତିର ପରାକାଷ୍ଠା ପୁଣିଥରେ ପ୍ରତିପାଦିତ ହୁଏ। ଏ ନେଇ ମଧ୍ୟ ପ୍ରଶ୍ନୋତ୍ତର ଆକାରରେ ରଜ ଗୀତ/ଢଗଢମାଳି ରହିଛି। ପ୍ରଶ୍ନ- ‘‘ହୁଁ କଲା ହନୁମନ୍ତ/ଦୋଳି ଗୀତଯାକ କେଉଁଠୁ ଜାତ/ବୁଝାଇ କହିବୁ ସତ।’’ ଉତ୍ତର- ‘‘ହୁଁ କଲା ହନୁମନ୍ତ/ଦୋଳି ଗୀତଯାକ ମନରୁ ଜାତ/ବୁଝାଇ କହିଲି ସତ।’’ ଏକ ଅତି ଗୁରୁତ୍ବପୂର୍ଣ୍ଣ ଆଳାପଧର୍ମୀ ରଜ ଗୀତ ଏଇଆ- ‘‘ନୂଆ ତାଟିଆରେ ଘିଅ/ସୀତା ଠାକୁରାଣୀ କାହାର ଝିଅ/କାହାର ଝିଅ ଗୋ/ଗୀତରେ ଉତ୍ତର ଦିଅ।’’ ଆଉ ଗୀତରେ ମିଳେ ଏଇ ଉତ୍ତର- ‘‘ସୀତା ଠାକୁରାଣୀ ଜନକ ଝିଅ ଗୋ/ଜନକ ଝିଅ/ଗୀତର ଉତ୍ତର ନିଅ।’’
ନିଜ ନିଜର ସଖୀମାନଙ୍କୁ ଝିଅମାନେ ମିତ, ସଙ୍ଗାତ, ବଉଳ ଓ ମକର ଭାବେ ମନେ ପକାନ୍ତି ଦୋଳିରେ ବସି, ରଜ ଦୋଳି ଗୀତ ଗାଇ। ପୋଡ଼ପିଠା ଖାଇ, ନୂଆ ପୋଷାକ ପିନ୍ଧି ଘରକୁ ଘର ବୁଲନ୍ତି। ପୁଅମାନେ (ସଂପ୍ରତି ଅପସୃୟମାଣ) ଦେଶୀ ଖେଳ- ଯଥା: ବାଗୁଡ଼ି ଓ କିତିକିତି- ଖେଳନ୍ତି। ରଜର ପ୍ରଖର ଓ ପ୍ରଗାଢ଼ ସାଂସ୍କୃତିକ ଅସ୍ମିତା ସମ୍ବନ୍ଧରେ ଲେଖକଲେଖିକାମାନେ ନିଜ ନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି। ମହାକବି ସଚ୍ଚି ରାଉତରାୟ ତାଙ୍କ ‘‘ପହିଲି ରଜ’’ କବିତାରେ ଲେଖିଥିଲେ- ‘‘ବରଷକେ ଥରେ ଦିନେ ଆସେ ଓଷା/ଯଉବନ ଆସେ ଜୀବନେ ଥରେ/ପୀରତିର ରସ ପରଶିଯାଏ ସେ/ଜୀବନ-ପାତ୍ରେ ମଉନେ ଖରେ।’’ ଅନେକ ସ୍ବପ୍ନ ଓ ଆଶା ପୂରଣ କରିପାରେ ଦୋଳିର, ଦୋଳି ଗୀତର ଦୃଷ୍ଟି ଓ ଦର୍ଶନ। ଜଣେ ବ୍ୟକ୍ତ କରିପାରେ- ‘‘ଗାଇଦେଲି ଦୋଳି ଗୀତ/ଦୋଳିରେ ଦୋଳିରେ ଉହୁଙ୍କି ଯିବି/ସାତ ଶିଖ ପରବତ।’’
ସମୟକ୍ରମେ ଅଲଗା ଓ ନୂଆ ପ୍ରକାରର ଦୋଳି ଦେଖିବାକୁ ମିଳିଲାଣି। ତା’ର ଇଙ୍ଗିତ ବି ଦୋଳି ଗୀତରେ ଆଗରୁ ଦିଆଯାଇଛି। ସାଙ୍ଗକୁ ଦୋଳି ଖେଳ ଓ ଦୋଳି ଗୀତ ସୃଷ୍ଟ ଆନନ୍ଦ ଅନୁଭବ ତଥା ବିସ୍ମୟ ଭାବର ସୂଚନା ଗୋଟିଏ ଗୀତର ଭାଷାରେ- ‘‘ଗଛ ଦୋଳି ପଟା ଦୋଳି ସଙ୍ଗାତ ଲୋ/ଫୁଲ ଦୋଳି ଲୁଗା ଦୋଳି/କୋଳି ଖାଇ ଖାଇ ଦୋଳି ଖେଳୁଥିଲେ/ଦେଖିବେ ମାଇପେ ଭଳି।’’ ପୁଣି ସୁସ୍ଥ ଫାଜିଲ୍ପଣିଆର ଛଟା ମିଳେ କେତେକ ଗୀତରୁ। ଯଥା: ‘‘ଦୋଳି ଚାଲେ ସାଇଁ ସାଇଁ/ମଲ୍ଲୀଫୁଲ ଶେଯୁ ନେବି ଉଠାଇ/ଚମ୍ପାଫୁଲ ମନ୍ତୁରାଇ।’’ ଶବ୍ଦର ସାମର୍ଥ୍ୟ ଓ ଶକ୍ତିର ସୀମା ତଥା ସମ୍ଭାବନା ସୂଚାଉଥିବା ଆଉ ଏକ ଦୋଳି ଗୀତ ଏବେ ଶୁଣିବା ହେଉ- ‘‘ଶିଆଳି ଗଛ ଦଉଡ଼ି/ଲକ୍ଷେ ଦେବତାଙ୍କୁ ନ ପାରେ ବନ୍ଦି ଗୋ/ସବୁ ଗୀତ ଗଲା ଉଡ଼ି, ସଜନୀ ଗୋ।’’
ମୌସୁମୀ ଆସିଗଲାଣି କିମ୍ବା ଆସିବା ଉପରେ- ରଜ ବେଳେ ଏ କଥା ମନକୁ ଢୁକେ। ମେଘ ଓ ମାଟିର ସଂସ୍ପର୍ଶକୁ ସମ୍ମାନ ଜଣାଇ ପାଳିତ ହୁଏ କୃଷିଭିତ୍ତିକ ଗଣପର୍ବ ରଜ। ଆଗାମୀର ଆଭାସ ଦେବାରେ, ପ୍ରକୃତିର ବର୍ଣ୍ଣନାରେ ସିଦ୍ଧହସ୍ତ ଦୋଳି ଗୀତ। ଦୋଳି ଗୀତ ଗାଏ:
‘‘ବୈଶାଖେ ଖରା ତାତି
ଦୋଳି ଝୁଲଣକୁ ଚାନ୍ଦିନୀ ରାତି
ଗୁଆ ଚନ୍ଦନରେ ମାତି।
XX
ଜ୍ୟେଷ୍ଠ ମାସେ ଗୀରିଷମ
ସେ ମାସ ଶେଷରେ
ରଜ ମଉଜ ଲୋ
ଦୋଳି ଖେଳେ ଘନଶ୍ୟାମ।’’
ମାଟି ଓ ଆକାଶ ଭିତେର ଝୁଲୁଥାଏ ଦୋଳି। ଦୋଳିରେ ବସି ଝିଅବୋହୂମାନେ ଗୀତ ଗାଇଲା ବେଳେ, ଆକାଶକୁ ଅନେଇଥିଲା ବେଳେ ମାଟିକୁ ଭୁଲନ୍ତି ନାହିଁ। ସାଧାରଣତଃ ଦଉଡ଼ିରେ ତିଆରି ଦୋଳି। କିନ୍ତୁ ସେ ଦୋଳି ଏମିତି ଏକ ପରିମଣ୍ଡଳ ସୃଷ୍ଟି କରେ ଯେଉଁଠି ଧରିତ୍ରୀ, ପ୍ରକୃତି ଓ ମାତୃଜାତିର ସ୍ମରଣ ତଥା ସମ୍ମାନ ସବୁ ସ୍ତରରେ କରାଯାଏ। ରଜ ଦୋଳି ସାଂସ୍କୃତିକ ବନ୍ଧନର ଏକ ପବିତ୍ର ଓ ଧର୍ମନିରପେକ୍ଷ ରଜ୍ଜୁ। ତଅପୋଇ ମଧ୍ୟ ଗାଇଥିଲା ସେଇ ଦୋଳି ଗୀତ ସଂପର୍କ ଡୋରିର ଜୟଗାନ କରି ଯାହାର ଭାଷା ଥିଲା- ‘‘ଦୋଳିରୁ ଛିଡ଼ିଲା ଲଇ/ବୋଇତରେ ଗଲେ ସପତ ଭାଇ/ବଣେ କାନ୍ଦେ ତଅପୋଇ।’’ ସବୁ ବର୍ଷ ରଜ ଆସୁଥାଉ। ଆଉ ରଜ ପରେ ବର୍ଷାଟୋପା ପଡ଼ି ମାଟି ଭିଜି ଓଦା ହେଉଥାଉ। ଲୋକଙ୍କ ପ୍ରମୁଖ ସଂସ୍କୃତି ବା ‘କଲ୍ଚର୍’ ଭାବେ ପରିଗଣିତ କୃଷି ବା ‘ଏଗ୍ରିକଲ୍ଚର୍’ ପାଇଁ ମୃତ୍ତିକା ପ୍ରସ୍ତୁତ ହେଉ ଏବଂ ବର୍ଷାର ଆଦ୍ୟ ପୁଲକ ବଳରେ ଗ୍ରୀଷ୍ଣସନ୍ତପ୍ତ ଚାଷୀକୁଳ ମୁହଁରେ ହସ ଫୁଟିଉଠୁ।
ମୋ: ୯୪୩୭୩୦୭୦୭୯
ଆଳାପ ଓ ଆଲୋଚନା: ଦୋଳିର ଦୃଷ୍ଟି ଓ ଦର୍ଶନ
ଅଭିରାମ ବିଶ୍ବାଳ
/sambad/media/post_attachments/wp-content/uploads/2024/06/sfhsfhsfshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)