ଗାନ୍ଧୀଜୀ ବଞ୍ଚିଥିଲା ବେଳେ ନୂଆ ଭାରତ ଲାଗି ସଂବିଧାନ ତିଆରି କାମ ଆରମ୍ଭ ହୋଇ ଯାଇଥିଲା। ମୁସଲିମ୍ ଲିଗ୍ ମିଶିବେ ମିଶିବେ ବୋଲି କହି ସଂବିଧାନ-ସଭା ନିର୍ବାଚନରେ ଭାଗ ନେଲେ ଅଥଚ ସଭା ଆରମ୍ଭରୁ ହିଁ ଆସିଲେ ନାହିଁ। ଗଡ଼ଜାତ-ଭାରତରୁ ସଦସ୍ୟମାନେ ମନୋନୟନ ଭିତ୍ତିରେ ଅଳ୍ପ ପଛରେ ଆସି ଯୋଗ ଦେଇଥିଲେ। ସାରା ଭାରତର ବଛା ବଛା ଲଢୁଆ, ବୁଦ୍ଧିଆ, ପାରଗ ନେତା-ମଣିଷ ସେଥିରେ ଭାଗ ନେଲେ। ନେହରୁ, ପଟେଲ୍, ଆମ୍ବେଦକର, ରାଜଗୋପାଲାଚାରୀ, ରାଜେନ୍ଦ୍ର ପ୍ରସାଦ, କୃପାଳିନୀ, ମୌଲାନା ଆଜାଦ୍, ଆମ ଓଡ଼ିଶାରୁ ହରେକୃଷ୍ଣ ମହତାବ। ଏମିତି କେତେ କିଏ। ବ୍ରିଟିସ୍‌ ପ୍ରଦେଶ ଓ ଗଡ଼ଜାତ ସମୂହରୁ ଆସିଥିଲେ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ବମାନେ।
ଗାନ୍ଧୀଜୀ କିନ୍ତୁ ସଂବିଧାନ-ସଭାରେ ଭାଗ ନେଇ ନଥିଲେ।
କାହିଁକି? କିଏ କ’ଣ ପଚାରିଛି? ଦେଶ ପାଇଁ ଯେ ସର୍ବସ୍ବ ତ୍ୟାଗ କରିଛି, ପ୍ରାଣାନ୍ତକ ଲଢ଼ିଛି, ସମୂହ ପାଇଁ, ଆଗାମୀ ପାଇଁ ଯିଏ କେତେ ନୀତିକଥା କହିଛି ଦେଶ ବିଧାନ ତିଆରି ବେଳେ ସେ ବାହାରେ ଥିଲେ କେଉଁ କାରଣରୁ?
ସାରା ଭାରତରୁ ତିନିଶହ ସରିକି ଆସିଥିଲେ ଅଥଚ ନୂଆ ହୋଇ ଗଢ଼ି ଉଠୁଥିବା ସ୍ବାଧୀନ ଭାରତର ମୁଣ୍ଡିଆଳ ମଣିଷଟା ଅନୁପସ୍ଥିତ। କିଆଁ? ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ।
୧୯୪୦ରୁ ୧୯୪୭ ଭିତରେ ବ୍ରିଟିସ୍‌ ହୁକୁମତ୍ ଓ ଯୋଜନା ଅନୁସାରେ ଭାରତର ମନୋଭାବ ଦୁଇ ଭାଗ ହୋଇ ସାରିଥିଲା। ଯୋଜନା ଥିଲା ତିନିଗୋଟି ଭାବଧାରା ସୃଷ୍ଟି କରି ଭାରତକୁ ଖିନ୍‌ଭିନ୍ କରିଦେବା। ହିନ୍ଦୁ, ମୁସ୍‌ଲିମ ସାଂପ୍ରଦାୟିକ ଅସଦ୍‌ଭାବ ତ ଗଢ଼ା ହୋଇ ସାରିଥିଲା। ଦକ୍ଷିଣ ଆଫ୍ରିକାରୁ ଆସିବା ଦିନୁ ଖିଲାଫତ୍ ଆନ୍ଦୋଳନକୁ ସମର୍ଥନ ମାଧ୍ୟମରେ ଗାନ୍ଧୀଜୀ ଯେଉଁ ସାଂପ୍ରଦାୟିକ ସଦ୍‌ଭାବର ସ୍ବପ୍ନ ଦେଖିଥିଲେ ତା’କୁ ଜିନ୍ନା ଧୂଳିସାତ୍ କରି ‌େଦଇଥିଲେ। ୧୯୪୬ ବେଳକୁ କଂଗ୍ରେସ, ମୁସ୍‌ଲିମ୍‌ ଲିଗ୍ ପରିଚୟ ବଦଳି ହିନ୍ଦୁ, ମୁସଲମାନ ବିଚାର ଫଳକ ତିଆରି ହୋଇ ସାରିଥିଲା। ତୁ’ ହିନ୍ଦୁ, ମୁଁ ମୁସଲମାନ୍। ମୁସଲମାନ୍ ଯେ ଭାରତୀୟ ସେ କଥା ବଦଳେଇ ଦେଇଥିଲେ ଜିନ୍ନା। ‘ଲଢ୍‌କେ ଲେଙ୍ଗେ ପାକିସ୍ତାନ୍’। ‘ପାକିସ୍ତାନ୍’ ପାଇଁ କିନ୍ତୁ ଲଢ଼େଇ କରିବାକୁ ପଡ଼ି ନଥିଲା। ବିଲାତରୁ ରେଡ୍‌କ୍ଲିଫ୍ ସାହେବ ଛୁରି ଧରି ଆସିଥିଲେ ଜିଅନ୍ତା ମାଟିଦେହଟାକୁ କାଟିବାକୁ। ଲଢ଼େଇ ହୋଇଥିଲା ପାକିସ୍ତାନ୍ ତିଆରି ହେବ ବୋଲି ଘୋଷଣା ହୋଇଯିବା ପରେ।
ଗାନ୍ଧୀଜୀ ଥିଲେ। ଜିନ୍ନା ଥିଲେ। ପରାଧୀନ ଭାରତରେ ଶେଷ ବେଳକୁ ଦୁଇ‌ ନେତା ବେଶ୍ ବଡ଼ ଦିଶୁଥିଲେ। ଜଣେ ଚାହିଁଲେ ଭାଙ୍ଗୁ, ଆଉ ଜଣେ ଚାହିଁଲେ ନ ଭାଙ୍ଗୁ। ଭାଙ୍ଗିବା କଥାଟା ସହଜ। ଏକଥା କିଏ ନଜାଣେ? ସେଇଆ ହୋଇଥିଲା।
ଭାରତ ସ୍ବାଧୀନତା ଆଇନ, ୧୯୪୭ରେ ଭାରତ ଓ ପାକିସ୍ତାନ ବିଭାଜନ କଥାଟା ପ୍ରାଞ୍ଜଳ ଦିଶିଥିଲା। ଗାନ୍ଧୀଜୀଙ୍କର ସକଳ ପ୍ରଚେଷ୍ଟା ଅସଫଳ ପାଲଟି ଥିଲା। ହେଲେ ଯେଉଁ ତୃତୀୟ କଥାଟି ଅସ୍ପଷ୍ଟ ସେ ସଂପର୍କରେ ଚତୁର ଜିନ୍ନା ନକ୍‌ସା କାଟି ବସିଥିଲେ। ଗଢୁଥାନ୍ତୁ ସେମାନେ ସଂବିଧାନ। କାଗଜପତ୍ର କରୁଥାନ୍ତୁ। ମୁଁ କିନ୍ତୁ ଭୂମିର ମଡ଼ାଣ ନେଇଯିବି। ପଟ୍ଟା, ପାଉତି ରଖିଥାଆନ୍ତୁ ସେମାନେ, ଦଖଲ କିନ୍ତୁ ମୋର ରହିବ।
କଥାଟି ଥିଲା ଗଡ଼ଜାତ ସମୂହକୁ ନେଇ। ଅଖଣ୍ଡ ଭାରତ ସାରା ବିଛାଡ଼ି ରହିଥିଲା ରାଜାରାଜୁଡ଼ା ଅଞ୍ଚଳ। ୬୦୦ ପାଖାପାଖି। ସ୍ବାଧୀନତା ବେଳକୁ ସଂଖ୍ୟା ହିସାବ ୫୬୫। ସେମାନେ କିଏ କିଏ ଭାରତକୁ ଯିବେ କି ପାକିସ୍ତାନକୁ ଯିବେ ତାହା ହିଁ ଥିଲା ଅସ୍ପଷ୍ଟ। ବେଶୀ ଥତମତ ଥିଲେ ତ୍ରାଭାଙ୍କୋର୍-କୋଚିନ୍ ଗଡ଼ଜାତ ଗୋଷ୍ଠୀ, ମହୀଶୂର, ହାଇଦ୍ରାବାଦ, ଜୁନାଗଡ଼ ଓ କାଶ୍ମୀର।
ଗାନ୍ଧୀଜୀ ଗଡ଼ଜାତ ମିଶ୍ରଣକୁ ନେଇ କିଛି ମତ ରଖି ନଥିଲେ। ସଂବିଧାନ ତିଆରିକୁ ଆଶୀର୍ବାଦ ଦେଇ ପଦେ ଅଧେ କହିଥିଲେ କେବଳ।
ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ସ୍ବାଧୀନତୋତ୍ତର ଭାରତରେ ଗାନ୍ଧୀଜୀ ଉପସ୍ଥିତ ଥିଲେ ବି ଏବଂ ସଂବିଧାନର ଆଲୋଚନା ଚାଲିଥିଲେ ବି ପଦେ କିଛି ପରାମର୍ଶ ସଭାକୁ ପଠାଇ ନଥିଲେ। ଆତତାୟୀ ହାତରେ ପ୍ରାଣ ଦେଲେ ଜାନୁଆରି ଶେଷ ୧୯୪୮ରେ। ସେତେବେଳକୁ ସଂବିଧାନ ତିଆରି ସଭା ପାଖାପାଖି ବର୍ଷେ ଦୁଇ ମାସ କାଳ ବିଧି ବିଧାନ ଘଣ୍ଟା ଚକଟା କରି ସାରିଲେଣି। କାହିଁକି କିଛି ବାର୍ତ୍ତା ଦେଇ ନଥିଲେ ଗାନ୍ଧୀଜୀ? ଏମିତି କର କି ସେମିତି କର ବୋଲି କହୁ ନଥିଲେ କି ଲେଖୁ ନଥିଲେ? ଗଡ଼ଜାତ-ରାଜାମାନେ ଏପଟକୁ ଆସ କି ସେପଟକୁ ଯାଅ ବୋଲି କାହାକୁ ଉପଦେଶ ବା ପରାମର୍ଶ ଦେଉ ନଥିଲେ?
ଜିନ୍ନ‌ା ଜାଣିଥିଲେ ପୂର୍ବ ଓ ପଶ୍ଚିମ ପାକିସ୍ତାନ ନେଇ ସାରିବା ପରେ ବ୍ରିଟିସ୍‌ ସାହାଯ୍ୟ ନେଇ କାଶ୍ମୀର, ହାଇଦ୍ରାବାଦ, ଜୁନାଗଡ଼କୁ ନେଇଯିବେ। ସେଇଥିପାଇଁ ଜଣେ ଫିରିଙ୍ଗି କମାଣ୍ଡର୍‌ଙ୍କୁ ନିଯୁକ୍ତି ଦିଆଇଥିଲେ ପାକିସ୍ତାନର ନବଗଠିତ ସାମରିକ ବାହିନୀରେ। ଅକ୍‌ଟୋବର ୨୨, ୧୯୪୭ରେ ପାକିସ୍ତାନ ସାମରିକ ବାହିନୀ ଓ ଆଦିବାସୀ ଆକ୍ରମଣକାରୀଙ୍କୁ ପଠାଇ ସେ କାଶ୍ମୀର ଉପରେ ବଳାତ୍କାର ଆରମ୍ଭ କରିଦେଲେ। ତେଣେ ‘ହାଇଦ୍ରାବାଦ’ ଓ ‘ଜୁନାଗଡ଼’ର ଶାସକଙ୍କ ସହ ସଲାମସୁରା ଆରମ୍ଭ ‌କରି ଦେଇଥିଲେ। ଜାଣିନଥିଲେ ଯେ ରାଜା ହରି ସିଂହ ଭୟ କରି ଦଉଡ଼ି ଅାସି ଭାରତର ଶରଣ ପଶିବେ ଏବଂ ନେହରୁ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରାଇ ଭାରତ ତରଫରୁ କାଶ୍ମୀରରେ କଡ଼ା ଜବାବ ଦେବେ। ଜିନ୍ନା ଭାବି ନଥିଲେ ଟାଇ ପିନ୍ଧୁ ନଥିବା, ଫିସ୍ ଫିସ୍ ଇ‌ଂରେଜୀ କହୁନଥିବା ବାରିଷ୍ଟର ପଟେଲ୍‌ ଏମିତି ଲୁହା-ଭୀମ ସାଜିବେ। କାଶ୍ମୀର ଭାରତରେ ମିଶିଲା। ପଟେଲଙ୍କ ବିଚକ୍ଷଣ ଗୋଟି ଚାଳନା ଯୋଗୁଁ ‘ହାଇଦ୍ରାବାଦ’, ‘ଜୁନାଗଡ଼’ ଭାରତ ସହ ସ୍ବଇଚ୍ଛାରେ ସାମିଲ୍ ହୋଇଗଲେ। ୧୯୪୯ ଯାଏ ଅଲଗା ରହିବ ବୋଲି ପ୍ରଜାପରିଷଦ ଗଢ଼ି ଅଡ଼ି ବସିଥିବା ଓଡ଼ିଶାର ମୟୂରଭଞ୍ଜ ବି ଭାରତ ସହ ମିଶ୍ରଣ ଚୁକ୍ତି ସ୍ବାକ୍ଷର କରିଥିଲା।
୧ ଜାନୁଆରି ୧୯୪୮ ବେଳକୁ ଗାନ୍ଧୀଜୀ ଥିଲେ। ସେତିକିବେଳେ ଗଡ଼ଜାତ ମିଶ୍ରଣ ଚାଲିଥିଲା ଓ ସଂବିଧାନ ତିଆରି ବି ଚାଲିଥିଲା। ଭାରତ ପଡୁଥିଲା ଉଠୁଥିଲା।
ଏଇଠି ମନେ ରଖିବା ଦରକାର ଯେ ବେଦ, ବେଦାନ୍ତ, ଉପନିଷଦ, ପୁରାଣ ଓ ନାନାବିଧ ଧର୍ମ, ଦର୍ଶନ ମହଜୁଦ୍ ଥିଲେ ବି ତଦାନୀନ୍ତନ ଭାରତରେ ସବୁଠାରୁ ଅଧିକ ପ୍ରଭାବଶାଳୀ ଥିଲା ଗାନ୍ଧୀ- ବିଚାରଧାରା। ଗାନ୍ଧୀ-ଜୀବନ ବି ପାଲଟି ଥିଲା କେଡ଼େ କେଡ଼େ ମଣିଷଙ୍କର ଧ୍ୟେୟ। ଏପରିକି ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ନିଜେ ଗାନ୍ଧୀ-ଜୀବନ ବଞ୍ଚିବା ସହ ରାଷ୍ଟ୍ରପତି ଭବନର ପର୍ଦ୍ଦାକୁ ସୁଦ୍ଧା ଖଦଡ଼ କନାରେ ପରିଣତ କରିବା ଲାଗି ମନ କରିଥିଲେ।
ଗାଆଁରେ, ସହରରେ, ଦେଶ ବିଦେଶରେ ଲୋକେ ଆପଣାକୁ ଗାନ୍ଧୀ ବୋଲାଇବାରେ ଗୌରବ ଅନୁଭବ କରୁଥିଲେ। ଅମୁକ ଗାନ୍ଧୀ, ସମୁକ ଗାନ୍ଧୀ। ମାଳୟ ଗାନ୍ଧୀ, ମାର୍କିନ ଗାନ୍ଧୀ, ସୀମାନ୍ତ ଗାନ୍ଧୀ। ଅଥଚ ଗାନ୍ଧୀ ନାଁ କି ଆଦର୍ଶ ରହିଲାନି ଭାରତର ସଂବିଧାନରେ।
ଅନେକ ଯୁକ୍ତି କରନ୍ତି, ଭାରତୀୟ ସଂବିଧାନ ତିଆରିରେ ଗାନ୍ଧୀଜୀଙ୍କର ଥିଲା ପ୍ରଚ୍ଛନ୍ନ ପ୍ରେରଣା। ‘ୟଙ୍ଗ୍ ଇଣ୍ଡିଆ’କୁ ଗୋଟିଏ ସାକ୍ଷାତକାର ଦେଇ ସେ କୁଆଡ଼େ କହିଥିଲେ, ନୂଆ ଭାରତରେ ସମାନତା, ଭ୍ରାତୃଭାବ ଓ ବ୍ୟକ୍ତି ସ୍ବାଧୀନତା ଉପରେ ପ୍ରାଧାନ୍ୟ ଦିଆଯିବ।
ଏତିକି କ’ଣ ଗାନ୍ଧୀ-ବିଚାର? ଏଇ ପ୍ରଚ୍ଛନ୍ନ ପ୍ରେରଣା?
କୁଆଡ଼େ ଗଲା ଗାନ୍ଧୀ-ବାଦୀ ଅର୍ଥନୀତି, ସମାଜନୀତି, ଶିକ୍ଷାନୀତି, ଜୀବନନୀତି?
ପୁଣି ଯୁକ୍ତି କରାଯାଏ ଯେ ସଂବିଧାନ ସଭା ତିଆରି ବେଳେ ଗାନ୍ଧୀଜୀଙ୍କୁ ଆଡ଼ କରାଯାଇ ନଥିଲା। ସେ ଜାଣିଶୁଣି ଆଡ଼ ହୋଇ ରହିଥିଲେ।
ସ୍ବାଧୀନ ଭାରତର ଲୋକେ ବିଶେଷକରି ଆଜିର ଯୁବବର୍ଗ ବୁଝିନେବା ଉଚିତ୍ ଯେ ଯେଉଁ ଢଙ୍ଗରେ ଭାରତ ସ୍ବାଧୀନତା ପାଇଲା ସେଥିରେ ମୋଟେ ସମର୍ଥନ ନଥିଲା ଗାନ୍ଧୀଜୀଙ୍କର। ସେଇଥିପାଇଁ ସାରା ଭାରତରେ ସ୍ବାଧୀନତା ଉତ୍ସବ ଚାଲିଥିବା ବେଳେ କଲିକତାର ଏକ ଅଜଣା ଘରେ ସେ ବସି ରହିଥିଲେ ଅରଟ ଖଣ୍ଡିଏ ଧରି। ସୂତା କାଟୁଥିଲେ। ବିଶେଷ ଜାଣିବାକୁ ଯାହାର ଇଚ୍ଛା ସେ ଡୋମିନିକ୍ ଲାପିଏର୍ ଓ ଲାରି କଲିନ୍‌ସଙ୍କ ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍’ ବହିଟି ପଢ଼ିବା ଦରକାର। ସଂବିଧାନ ତିଆରିର ଟିକିନିଖି ଖବର ଯେ ଗାନ୍ଧୀଜୀଙ୍କ ପାଖରେ ପହଞ୍ଚୁ ନଥିଲା ସେ କଥା ନୁହେଁ। ସେ ଆଦୌ ସହମତ ନଥିଲେ କଂଗ୍ରେସ ବିଚାରଧାରା ସହ। ସ୍ବାଧୀନତା ପରେ କଂଗ୍ରେସକୁ ଶାସକ ଦଳ ନ କରି ଏକ ସେବାଦଳରେ ପରିଣତ କରିବାକୁ ଚାହିଁଥିଲେ ଗାନ୍ଧୀଜୀ। ଇଚ୍ଛା ଥିଲା ଭାରତକୁ ଏକ ସ୍ବ-ନିର୍ଭରଶୀଳ ଗ୍ରାମସଂଘର ରାଷ୍ଟ୍ର କରି ଗଢ଼ି ତୋଳିବେ, ଯେଉଁଠି ବ୍ୟକ୍ତି ନୁହେଁ ଗାଆଁ ହେବ ରା‌ଷ୍ଟ୍ର ଗଠନର ମୌଳିକ ଏକକ।
ତା’ଛଡ଼ା ସଂବିଧାନ ସଭାର ସଭ୍ୟମାନେ ବିଭିନ୍ନ ପ୍ରାଦେଶିକ ବ୍ୟବସ୍ଥାପକ-ପରିଷଦରୁ ଆସିଥିଲେ ନିର୍ବାଚିତ ହୋଇ। ଗାନ୍ଧୀଜୀ କେଉଁଠି ଯାଇ ନିର୍ବାଚନ ଲଢ଼ିଥା’ନ୍ତେ ନା କ’ଣ? ସାରା ଜୀବନ ଯେ ନିର୍ବାଚନ ଲଢ଼ି ନାହିଁ ‌େସ ଭୋଟ୍ ମାଗି ସଂବିଧାନ ସଭାକୁ ଯାଇଥାନ୍ତା କାହିଁକି? ଗଡ଼ଜାତରୁ ଅନେକ ଆସିଥିଲେ ମନୋନୀତ ହୋଇ। କାହାର ସାହସ ଥିଲା ଗାନ୍ଧୀଜୀଙ୍କ ଭଳି ବ୍ୟକ୍ତିତ୍ବକୁ ମନୋନୀତ କରି ସଭାକୁ ପଠାଇଥା’ନ୍ତା?
ଆଜି ସବୁକଥା ପାଇଁ ଗାନ୍ଧୀଜୀଙ୍କୁ ଦୋଷ ଦିଆଯାଉଛି। ଗାନ୍ଧୀଜୀଙ୍କୁ ପଢ଼ି ନଥିବା, ବୁଝି ନଥିବା ଏପରିକି ଭାରତର ତତ୍କାଳୀନ ଇତିହାସ ପଢ଼ି ନଥିବା ଅନେକ ବୈଷୟିକ ଜ୍ଞାନ-ନିପୁଣ ଯୁବବର୍ଗ ଅଧିକ ଅବାନ୍ତର ତଥା ଅଶାଳୀନ ମତ ବ୍ୟକ୍ତ କରୁଛନ୍ତି।
ଗାନ୍ଧୀଜୀ ଲଢ଼ିଥି‌େଲ ଭାରତ ନୁହେଁ, ଭାରତବାସୀଙ୍କର ସ୍ବାଧୀନତା ପାଇଁ। ସେଥିପାଇଁ କହୁଥିଲେ ଆମର ରାଜନୈତିକ ସ୍ବାଧୀନତା ଲୋଡ଼ା ନାହିଁ। ସଂବିଧାନ ଏମିତି ତିଆରି କର ବୋଲି ଧାଡ଼ିଏ ବି ମତ ରଖିନାହାନ୍ତି ସେ।
୧୯୪୬ରେ ଶ୍ରୀମନ୍ ନାରାୟଣ ଅଗ୍ରୱାଲ୍ ବୋଲି ଜଣେ ବ୍ୟକ୍ତି ୬୦ ପୃଷ୍ଠାର ଗୋଟିଏ ସଂବିଧାନ ଲେଖି ଛପାଇଥିଲେ। ତା’ର ନାମ ଥିଲା ‘ଗାନ୍ଧୀଆନ୍ କନ୍‌ଷ୍ଟିଚ୍ୟୁସନ୍ ଫର୍ ଫ୍ରି ଇଣ୍ଡିଆ।’ ୨୨ଗୋଟି ଉପଭାଗରେ ବିଭକ୍ତ ସେ ସଂବିଧାନ ପାଇଁ ଗାନ୍ଧୀଜୀ ନିଜେ ଗୋଟିଏ ଅଭିମତ ଲେଖିଥିଲେ। ଉକ୍ତ ସଂବିଧାନର ଧାରାଗୁଡ଼ିକ ତାଙ୍କ ଲିଖିତ ବିଚାରଧାରା ଉପରେ ପର୍ଯ୍ୟବସିତ ଓ ତାଙ୍କ ମତାମତର ବିରୋଧୀ ନୁହେଁ ବୋଲି ଜଣାଇଥିଲେ ସେଥିରେ। ଶ୍ରୀମନ୍ ନାରାୟଣ ଥିଲେ ଜଣେ ଗାନ୍ଧୀବାଦୀ ଅର୍ଥଶାସ୍ତ୍ରୀ।
ଭାରତର ଅନେକ ବ୍ୟକ୍ତି ଭାରତୀୟ ସଂବିଧାନର ଉପଭାଗ ଚାରିରେ ଥି‌ବା ରାଷ୍ଟ୍ର ପାଇଁ ନିର୍ଦ୍ଦେଶିତ ନିୟମାବଳୀର କେତେଗୋଟି ଧାରାକୁ ଗାନ୍ଧୀ-ନୀତି ବୋଲି ଆଲୋଚନା କରନ୍ତି। ଯଥା: ଗ୍ରାମପଞ୍ଚାୟତ ସଂଗଠନ, କୁଟୀର ଶିଳ୍ପ, କୃଷି ଓ ପଶୁପାଳନ, ନିଶା ନିବାରଣ ଏବଂ ପରିବେଶ ସୁରକ୍ଷା।
ଧନ୍ୟ କହିବ ଏ ବିଚାରକୁ! ଏସବୁ ନୀତି ଦନ୍ତହୀନ, କାରଣ ସେ ସମସ୍ତ ଦଣ୍ଡବିଧି ଆଇନ ଦ୍ବାରା ସୁରକ୍ଷିତ ନୁହନ୍ତି। ଜାତିର ପିତା ହୁଅନ୍ତୁ କି ନ ହୁଅନ୍ତୁ, ଗାନ୍ଧୀଙ୍କର ମୌଳିକ ବିଚାରଧାରା, ଉଦ୍ଦେଶ୍ୟ, ଆଦର୍ଶ ଓ ରାଷ୍ଟ୍ରନୀତି ଭାରତୀୟ ସଂବିଧାନରେ ଯେ ଯଥାର୍ଥ ପ୍ରତିଫଳିତ ହୋଇ ନାହିଁ ତାହା ଅସ୍ବୀକାର କରାଯାଇ ନପାରେ।
ଦେଶର ମୌଳିକ ଆଇନ‌ରେ ଗାନ୍ଧୀଜୀ ନାହାନ୍ତି। ଅଥଚ ଗାଳିଗୁଲଜ ହେଉଛି ଗାନ୍ଧୀଜୀ ସବୁ ବିଗାଡ଼ି ଦେଇ ଯାଇଛନ୍ତି।
ବେଳ ଆସିଛି, ଆମକୁ ଗାନ୍ଧୀ ବିଚାରର ନିନ୍ଦା ନ କରି ପୁନଃ ଆବିଷ୍କାର କରିବା ଆବଶ୍ୟକ।
[email protected]