ଆମ ରାଜ୍ୟରେ ସାଧାରଣତଃ ଦୁଇ ଶ୍ରେଣୀର ପ୍ରବାସୀ ଶ୍ରମିକ ଅଛନ୍ତି। ଗୋଟିଏ ଶ୍ରେଣୀ ଅଧିକ ମଜୁରି ଓ ଭଲ ଚାକିରି ଆଶା‌ରେ ଅନ୍ୟ ରାଜ୍ୟକୁ ଯାଆନ୍ତି ତ ଅନ୍ୟ ଶ୍ରେଣୀଟି ପରିସ୍ଥିତିଗତ ବାଧ୍ୟବାଧକତା ଓ ଉତ୍କଟ ଦାରିଦ୍ର୍ୟ କାରଣରୁ କାମଧନ୍ଦା ଲାଗି ଅନ୍ୟ ରାଜ୍ୟକୁ ଯାଆନ୍ତି। ଦେଖାଯାଇଛି ଯେ ଉପକୂଳ ଅଞ୍ଚଳର ଶ୍ରମିକମାନେ ଏକାକୀ ଏବଂ ପଶ୍ଚିମାଞ୍ଚଳର ଶ୍ରମିକମାନେ ସପରିବାର ପ୍ରବାସରେ ଯିବାକୁ ପସନ୍ଦ କରନ୍ତି। ପଶ୍ଚିମାଞ୍ଚଳର ଶ୍ରମିକମାନେ ପ୍ରାୟତଃ ନଭେମ୍ବରରୁ ଜୁନ୍ ମାସ ମଧ୍ୟରେ ବିଭିନ୍ନ ଋତୁଭିତ୍ତିକ କାର୍ଯ୍ୟ ସକାଶେ ସାମୟିକ ଭାବେ ବାହାର ରାଜ୍ୟକୁ ଯାଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାର ଶ୍ରମିକମାନେ ଅନ୍ୟ ରାଜ୍ୟର ସଂଗଠିତ ଶିଳ୍ପ କିମ୍ବା କଳକାରଖାନାମାନଙ୍କରେ କାର୍ଯ୍ୟ କରନ୍ତି ଓ ବର୍ଷ ସାରା ସେମାନଙ୍କ ଯିବା ଆସିବା ଲାଗିଥାଏ। ଆମ ଦେଶର ସଂବିଧାନ ସମସ୍ତ ନାଗରିକଙ୍କୁ ଯେ କୌଣସି ରାଜ୍ୟରେ ବସବାସ ଓ କାର୍ଯ୍ୟ କରିବାର ଅଧିକାର ପ୍ରଦାନ କରିଛି; ମାତ୍ର ବାସ୍ତବରେ ଅନେକ ସମୟରେ ଶ୍ରମିକମାନେ ଅନ୍ୟ ରାଜ୍ୟରେ ହିଂସା, ନିର୍ଯାତନା ଓ ଶୋଷଣର ଶିକାର ହୁଅନ୍ତି।
ଅବଶ୍ୟ, ପ୍ରବାସୀ ଶ୍ରମିକଙ୍କ ମଜୁରି, କଲ୍ୟାଣ ଓ ସାମାଜିକ ସୁରକ୍ଷା ଆଦି ସୁନିଶ୍ଚିତ କରିବା ନିମନ୍ତେ ଆମ ରାଜ୍ୟରେ ବିଭିନ୍ନ ଆଇନ ରହିଛି, ଯେମିତିକି ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯; ସର୍ବନିମ୍ନ ମଜୁରି ଆଇନ, ୧୯୪୮; ଠିକା ଶ୍ରମିକ (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ, ୧୯୭୦; ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ, ୨୦୦୮ ଇତ୍ୟାଦି। ପାଞ୍ଚ ଜଣ କିମ୍ବା ତା’ ଠାରୁ ଅଧିକ ଶ୍ରମିକ କୌଣସି ସଂସ୍ଥା, ଠିକାଦାର, ଏଜେଣ୍ଟ ବା ସର୍ଦ୍ଦାରଙ୍କ ଦ୍ୱାରା ବାହାର ରାଜ୍ୟରେ ନିଯୁକ୍ତ ହୋଇଥିଲେ, ସେହି ସଂସ୍ଥା, ଠିକାଦାର, ଏଜେଣ୍ଟ ବା ସର୍ଦ୍ଦାରଙ୍କ ପ୍ରତି ‘ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯’ ଲାଗୁ ହୋଇଥାଏ। ନିୟମ ଅଛି ଯେ ଶ୍ରମିକମାନେ କେବଳ ଲାଇସେନ୍‌ସ ପ୍ରାପ୍ତ ଠିକାଦାରମାନଙ୍କ ମାଧ୍ୟମରେ କାମ ଲାଗି ରାଜ୍ୟ ବାହାରକୁ ଯାଇପାରିବେ। ମାତ୍ର ବାସ୍ତବରେ ବହୁ କମ୍‌ ସଂଖ୍ୟକ ଶ୍ରମିକ ଏଭଳି କରନ୍ତି। ପ୍ରତି ବର୍ଷ ଅକ୍‌ଟୋବର-ନଭେମ୍ବର ମାସରେ କଣ୍ଟାବାଞ୍ଜି, ବଲାଙ୍ଗୀର, ବରଗଡ଼, କେସିଙ୍ଗା ଆଦି ରେଳ ଷ୍ଟେସନରେ ଶ୍ରମିକମାନଙ୍କର ପ୍ରବଳ ଭିଡ଼ରୁ ଏହା ସ୍ପଷ୍ଟ ହୋଇଥାଏ।
ଆମ ରାଜ୍ୟରେ ଦାଦନ ଶ୍ରମିକ ପ୍ରବଣ ଜିଲ୍ଲାଗୁଡ଼ିକ ହେଲେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ। ତେବେ ନିର୍ଦ୍ଦିଷ୍ଟ ଭାବେ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ାର ଶ୍ରମିକମାନେ ଛଅ ମାସ କୃଷି କାର୍ଯ୍ୟରେ ଲିପ୍ତ ରହି ଅବଶିଷ୍ଟ ଛଅ ମାସ ବେକାର ବସନ୍ତି। ଏଭଳି ସ୍ଥଳେ ବିବାହ ବା ଶୁଦ୍ଧିକ୍ରିୟା ଭଳି ସାମାଜିକ ଅନୁଷ୍ଠାନ ବା କାର୍ଯ୍ୟ ଲାଗି ସେମାନେ ଦାରୁଣ ଭାବେ ଋଣଗ୍ରସ୍ତ ହୋଇପଡ଼ନ୍ତି, ଯହିଁରେ ଠିକାଦାର ଠାରୁ ‌େନଇଥିବା ବଇନା ବା ଅଗ୍ରିମ (ଦାଦନ) ଏକ ପ୍ରମୁଖ ଅଂଶ ହୋଇଥାଏ। ଏହା ବଦଳରେ ସେହି ଠିକାଦାର ମାର୍ଫତ୍‌ରେ ସେମାନେ ଖଟିବା ଲାଗି ଘରେ ତାଲା ପକାଇ ସପରିବାର ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ବାହାରିଯାଆନ୍ତି। ସୁତରାଂ, ଦାଦନ ଖଟିବା ହେଉଛି ଏକ ନିର୍ଦୟ ବାଧ୍ୟବାଧକତା।
କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ଅକଳ୍ପନୀୟ ଭାବେ ବିଶାଳ ସଂଖ୍ୟା ଦେଖି ଭାରତ ସରକାର ମଧ୍ୟ ତଟସ୍ଥ ହୋଇଯାଇଥିଲେ। ସେହି ସମୟରେ ସେମାନଙ୍କ ଦୁର୍ଦଶା ସର୍ବ ସମକ୍ଷରେ ପ୍ରାଂଜଳ ହୋଇ ଉଠିଥିଲା। କିନ୍ତୁ ବିଡ଼ମ୍ବନା ହେଲା ସେହି ସବୁ ସମସ୍ୟା ଏ ଯାବତ୍‌ ବଳବତ୍ତର ରହିଛି, ଯାହାର ନିରାକରଣ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଜରୁରି। ଏଥି ଲାଗି ଶ୍ରମ ବିଭାଗର ଉଦ୍ୟମ ସହିତ ଲୋଡ଼ା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ପ୍ରାଶାସନିକ ଆନ୍ତରିକତା, ଆନ୍ତଃବିଭାଗୀୟ ସମନ୍ବୟ ଓ ସାମୂହିକ ପ୍ରଚେଷ୍ଟା। ଏହି ସଂଦର୍ଭରେ କେତେକ ପ୍ରସ୍ତାବ ଉପରେ ମଧ୍ୟ ଦୃ‌ଷ୍ଟିପାତ କରାଯାଇପାରେ।
ପ୍ରଥମତଃ, ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କର ଜିଲ୍ଲାୱାରି ପୁଙ୍ଖାନୁପୁଙ୍ଖ ‘ଡେଟାବେସ୍‌’ ପ୍ରସ୍ତୁତ କରାଯାଉ, ଯହିଁରେ ସେମାନେ ଗ୍ରାମ ଓ ବ୍ଲକ୍‌ ଭିତ୍ତିରେ ବର୍ଗୀକୃତ ହେବେ। ନିରନ୍ତର ଭାବେ ଏହାକୁ ‘ଅପ୍‌ଡେଟ୍‌’ କରାଯିବା ଆବଶ୍ୟକ। ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ବଜେଟର ବ୍ୟବସ୍ଥା ରହିବା ଆବଶ୍ୟକ। ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାମାନଙ୍କର ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ଉପରେ ନିଘା ରଖି ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହିତ ଠିକାଦାରମାନଙ୍କ ବେଆଇନ କାର୍ଯ୍ୟକୁ ରୋକାଯିବା ଉପରେ ଗୁରୁତ୍ବ ପ୍ରଦାନ ଜରୁରି। ରାଜ୍ୟ ସ୍ତରରେ ଥିବା ପ୍ରବାସୀ ଶ୍ରମିକ ସେଲ୍‌କୁ ସୁଦୃଢ଼ କରିବା ସହିତ ଶ୍ରମିକ ରପ୍ତାନି ହେଉଥିବା ଜିଲ୍ଲାମାନଙ୍କରେ ଆଞ୍ଚଳିକ ସେଲ୍ ଗଠନ କରାଯିବା ଆବଶ୍ୟକ। ଏ ବ୍ୟାପାରରେ ଅନ୍ୟ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ଓ ସୁସଂପର୍କ ରଖାଯିବା ଉଚିତ, ଯଦ୍ଦ୍ବାରା ବାହାର ରାଜ୍ୟରେ ପୀଡ଼ିତ ଶ୍ରମିକ ଓ ତାଙ୍କ ପରିବାର ଲାଗି ତୁରନ୍ତ ସହଯୋଗ ପହଞ୍ଚା ଯାଇପାରିବ। ଆମ ରାଜ୍ୟର ୯୦ ପ୍ରତିଶତ ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ସାମାଜିକ ସୁରକ୍ଷା ଲାଗି ସେମାନଙ୍କୁ ‘ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଓ ‘ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ’ରେ ପଞ୍ଜୀକୃତ କରାଯିବା ଆବଶ୍ୟକ। ଏତଦ୍ଦ୍ବାରା ସେମାନେ ବିଭିନ୍ନ ଶ୍ରମିକ କଲ୍ୟାଣମୂଳକ ଓ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀ ହୋଇପାରିବେ। ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାମାନଙ୍କରେ କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଉଦ୍ୟୋଗ ପ୍ରତିଷ୍ଠା କରାଗଲେ ହାତକୁ କାମ ଆସିବ ଏବଂ ଶ୍ରମିକମାନଙ୍କ ବହିର୍ଗମନରେ ହ୍ରାସ ଘଟିବ। ଉଦ୍ୟୋଗଗୁଡ଼ିକରେ ଓଡ଼ିଆ ଶ୍ରମିକମାନେ ଅଗ୍ରାଧିକାର ପାଇବା ଉଚିତ। ଦାଦନ ପ୍ରବଣ ଜିଲ୍ଲାମାନଙ୍କରେ ଜଳସେଚନ ପ୍ରକଳ୍ପ ଜରିଆରେ ବର୍ଷ ତମାମ କୃଷିକାର୍ଯ୍ୟ ସମ୍ଭବ କରାଯିବା ଦରକାର। ପଶୁପାଳନ ଓ ମତ୍ସ୍ୟଚାଷ ଭଳି ଆତ୍ମନିଯୁକ୍ତିକ୍ଷମ କାର୍ଯ୍ୟର ଖସଡ଼ା ମଧ୍ୟ ପ୍ରସ୍ତୁତ ହେବା ଜରୁରି। ରାଜ୍ୟରେ ବ୍ଲକ୍‌ସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ରମାନ ଖୋଲିବା ଉଚିତ, ଯାହା କୁଶଳୀ ଶ୍ରମିକ ସୃଷ୍ଟି କରିବ।
ସମୟାବଦ୍ଧ ଭାବେ ଏଭଳି ପ୍ରସ୍ତାବଗୁଡ଼ିକର ରୂପାୟନ କରାଗଲେ ଓଡ଼ିଶାର ଶ୍ରମିକମାନେ ବାହାରକୁ ଯିବା ଲାଗି ବାଧ୍ୟ ହେବେ ନାହିଁ। ନିଜ ପସନ୍ଦରେ ଗଲେ ଯାଇପାରନ୍ତି!
ମୋ: ୯୪୩୭୦ ୮୧୪୪୭