୧୯୫୧ ମସିହା ଏପ୍ରିଲ ମାସରେ ଜଣେ ସୌମ୍ୟ, ଶାନ୍ତ ଋଷିପ୍ରତିମ ଉଜ୍ଜ୍ବଳ ବ୍ୟକ୍ତିତ୍ବ ସ୍ବାଧୀନ ଭାରତର ଆକାଶରେ ଉଭା ହୋଇ ଏକ ନୂଆ ପ୍ରକାର ଯଜ୍ଞ ଆରମ୍ଭ କରିଥିଲେ। ତା ନାଁ ଥିଲା ‘‘ଭୂଦାନ ଯଜ୍ଞ’’। କୁହାଯାଏ ଋଷିମାନଙ୍କ ଶ୍ରାଦ୍ଧ, ଯଜ୍ଞା ଲମ୍ବା ହୋଇଥାଏ। କିନ୍ତୁ ଏ ଯଜ୍ଞ ତା’ ଠାରୁ ଲମ୍ବା ଥିଲା, ପ୍ରଥମ ପର୍ଯ୍ୟାୟକୁ ଲାଗିଥିଲା ଛ ବର୍ଷ। ପଦଯାତ୍ରୀମାନେ ଚାଲିଥିେଲ ଛ ହଜାର କିଲୋମିଟର। ଭୂମିଦାନ ରୂପେ ଲୋକେ ଦାନ କରିଥିବା ଜମିର ଆକାର ଥିଲା ୭୮ ହଜାର ବର୍ଗ କିଲୋମିଟର- ଇଂଲଣ୍ଡର ତିନି ଭାଗରୁ ଭାଗେ। ଏହି ଯଜ୍ଞର ମୁଖ୍ୟ ପୁରୋଧା ଥିଲେ ବିନୋବା ଭାବେ। ସ୍ବାଧୀନତା ଆନ୍ଦୋଳନର ପ୍ରଥମ ସତ୍ୟାଗ୍ରହୀ। ଦ୍ବିତୀୟ ସତ୍ୟାଗ୍ରହୀ ଥିଲେ ଜବାହରଲାଲ ନେହରୁ। ତୃତୀୟ ସତ୍ୟାଗ୍ରହୀ- ବ୍ରହ୍ମଦତ୍ତ ଯିଏ ଗାନ୍ଧୀଙ୍କ ଆଶ୍ରମରେ ରହୁଥିଲେ। ଏମାନଙ୍କ ଦ୍ବାରା ଉଦ୍ବୁଦ୍ଧ ହୋଇ ଆଉ ୨୫ ହଜାର ସତ୍ୟାଗ୍ରହୀ ଜେଲ୍ ବରଣ କରିଥିଲେ। କିନ୍ତୁ ସ୍ବାଧୀନତା ପରେ ଜମିଦାର ଓ ଭୂମିହୀନଙ୍କ ମଧ୍ୟରେ କ୍ରମାଗତ ସଂଗ୍ରାମ ଓ ହିଂସା ବିନୋବାଙ୍କୁ ବ୍ୟଥିତ କରିଥିଲା। ଗାନ୍ଧୀଙ୍କ ବିଦାୟ ପରେ ସେ ଲୋକଲୋଚନରୁ ଦୂରରେ ରହି କେବଳ ରଚନାତ୍ମକ କାମରେ ନିଜକୁ ବ୍ୟସ୍ତ ରଖିଥିଲେ ଏବଂ କ୍ଷମତା ରାଜନୀତି ପସନ୍ଦ କରୁନଥିଲେ। ଘର ସଂସାର ସୁଖରୁ ଦୂରରେ ରହିଥିଲେ। ତାଙ୍କୁ ଗାନ୍ଧୀ ଯେତେବେଳେ ଅସହେଯାଗ ଓ ଅହିଂସା ଆନ୍ଦୋଳନର ପ୍ରଥମ ସତ୍ୟାଗ୍ରହୀ ଭାବରେ ବାଛିଲେ, ଅନେକ ଲୋକ ପଚାରିଥିଲେ- ଏ ବିନୋବା ଭାବେ କିଏ ସେ?
ଏହା ଶୁଣି ଗାନ୍ଧୀ ଏହାର ଏକ ଦୀର୍ଘ ଉତ୍ତର ଦେଇଥିଲେ ‘ହରିଜନ’ ପତ୍ରିକାରେ (୨୦.୧୦.୧୯୪୦)। ତା’ର ସାରାଂଶ ଏହିପରି: ଶିକ୍ଷାଗତ ଯୋଗ୍ୟତାରେ ବିନୋବା ଜଣେ ଅଣ୍ଡର ଗ୍ରାଜୁଏଟ୍ ବା ପୂର୍ବ ସ୍ନାତକ। ମୁଁ ୧୯୧୫ ମସିହାରେ ଭାରତ ଫେରିବା ପରେ ବିନୋବା କଲେଜ ଛାଡ଼ି ଦେଇଥିଲେ। ସେ ମଧ୍ୟ ସଂସ୍କୃତ ଭାଷାରେ ବିଦ୍ବାନ। ମୁଁ ଆଶ୍ରମ ପ୍ରତିଷ୍ଠା କଲା ଦିନଠୁ ସେ ମୋ ସହ କାମ କରିଆସୁଛନ୍ତି। ତାଙ୍କର ସ୍ମୃତିଶକ୍ତି ପ୍ରଖର ଏବଂ ସଦାବେଳେ ନିଜକୁ ବିଦ୍ୟାର୍ଥୀ ବୋଲି ଭାବନ୍ତି। ଏହାଛଡ଼ା ତକଲିରେ ଖଦି ସୂତା କାଟିବା କାମରେ ସେ ପାରଙ୍ଗମ। ତାଙ୍କ ଦୃଷ୍ଟିରେ କୌଣସି କାମ ଛୋଟ ବଡ଼ ନୁେହଁ। ସେ ବିଶ୍ବାସ କରନ୍ତି କି ସୂତାକଟା, ମୌଳିକ ଶିକ୍ଷା, ହସ୍ତଶିଳ୍ପ ତଥା କୁଟୀର ଶିଳ୍ପ ବିନା ଗ୍ରାମ ଉନ୍ନୟନ ସମ୍ଭବପର ନୁହେଁ। ମୁଁ ଭାବେ ଦେଶରେ ତାଙ୍କ ଭଳି ଦକ୍ଷ ସୂତା କଟାଳି ଦ୍ବିତୀୟ ବ୍ୟକ୍ତି ନାହାନ୍ତି। ବିନୋବାଙ୍କ ବିଶୁଦ୍ଧ ମନକୁ ଅସ୍ପୃଶ୍ୟତା ବ୍ୟାଧି ସ୍ପର୍ଶ କରିନାହିଁ। ସାମାଜିକ ଶାନ୍ତି, ଏକତା, ସଦ୍ଭାବନା ଉପରେ ମୋର ଯେତିକି ଆସ୍ଥା ଓ ବିଶ୍ବାସ, ବିନୋବାଙ୍କର ମଧ୍ୟ ତା’ ଠାରୁ କମ୍ ନୁହେଁ। ମୁଁ ଜାଣେ ଇସ୍ଲାମର ଗୂଢ଼ ତତ୍ତ୍ବ ବୁଝିବା ପାଇଁ ସେ ଏକବର୍ଷ କାଳ ମୂଳ କୋରାନ୍ ଅଧ୍ୟୟନ କରିଥିଲେ। ଏଥିପାଇଁ ତାଙ୍କୁ ଆରବିକ୍ ଭାଷା ଶିଖିବାକୁ ପଡ଼ିଥିଲା। ତାଙ୍କ ବିଚାରରେ ସାଇପଡ଼ିଶାରେ ବାସ କରୁଥିବା ମୁସଲମାନ ସମ୍ପ୍ରଦାୟକୁ ବୁଝିବାରେ କୋରାନ ଅଧ୍ୟୟନ ସାହାଯ୍ୟ କରିଥାଏ। ବିନୋବାଙ୍କର ଅଛନ୍ତି ହଜାର ହଜାର ଅନୁଗାମୀ ଓ ଶିଷ୍ୟ ଯେଉଁମାନେ ତାଙ୍କ ନିର୍ଦ୍ଦେଶରେ େଯ କୌଣସି ତ୍ୟାଗ ପାଇଁ ସଦା ପ୍ରସ୍ତୁତ ଥା’ନ୍ତି। ଲୋକଙ୍କ ନିକଟରେ ରହି ଦରିଦ୍ର ନାରାୟଣ ସେବା ପାଇଁ ବିନୋବା ଏବେ ୱାର୍ଦ୍ଧା ନିକଟସ୍ଥା ପୌନାର ଆଶ୍ରମରେ ରହୁଛନ୍ତି। ସେ ବିଶ୍ବାସ କରନ୍ତି େଯ ସାମାଜିକ ପ୍ରଗତି ପାଇଁ ରାଜନୈତିକ ସ୍ବାଧୀନତା ଏକ ପ୍ରାଥମିକ ଆବଶ୍ୟକତା। ସେ ବହୁବର୍ଷ ହେଲା ଆମ ସହ ମିଶି ଖଦି ଓ ରଚତାତ୍ମକ କାମ କରିଆସୁଛନ୍ତି। ଏବଂ ସଦାବେଳେ ପରଦା ପଛରେ ନିରବ କର୍ମୀ ଭାବରେ ଥା’ନ୍ତି। ସେଇ ବିନୋବାଙ୍କୁ ଆଜି ଆମେ ପ୍ରଥମ ସତ୍ୟାଗ୍ରହୀ ଭାବେ ବାଛିଚେ।’’
ଏବେ ଟିକିଏ ପଛକୁ ଫେରିବା। ବିନୋବା ତାଙ୍କ ଆତ୍ମଜୀବନରେ ଲେଖିଛନ୍ତି େଯ, କୈଶୋରାବସ୍ଥାରେ ଭାରତର ଯେଉଁ ଦୁଇଟି ସ୍ଥାନ ତାଙ୍କୁ ସବୁଠୁ ବେଶୀ ଆକର୍ଷିତ କରିଥିଲା ସେମାନେ ହେଲେ- ବଙ୍ଗଳା ଓ ହିମାଳୟ। ଏ ଦୁଇଟି ସ୍ଥାନ ଦେଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା। କାରଣ ଥିଲା ସେତେବେଳେ ବେଙ୍ଗଲ୍ରେ ଚାଲିଥିବା ସ୍ବାଧୀନତା ଆନ୍ଦୋଳନ ଓ ବିପ୍ଳବ ତଥା ପ୍ରେରଣାଦାୟୀ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମ୍। ସେମିତି ହିମାଳୟ ଦର୍ଶନ ଇଚ୍ଛା ପଛରେ କାରଣ ଥିଲା ସେଠାରେ ସାଧୁ, ସନ୍ଥ ଓ ଆଧ୍ୟାତ୍ମିକ ପରମ୍ପରା ସହ ପରିଚୟ। ଏହି ଆକାଂକ୍ଷା ପୂରଣ ପାଇଁ ବିନୋବା ସବୁ ଛାଡ଼ି ପ୍ରାଚୀନ ବିଦ୍ୟା ନଗରୀ କାଶୀରେ ପହଞ୍ଚିଲେ। କାରଣ ସେଠାରୁ ଉଭୟ ହିମାଳୟ ଓ ବେଙ୍ଗଲ୍ ଯିବା ପାଇଁ ସିଧା ରାସ୍ତା ଥିଲା। ବାଟ ଖର୍ଚ୍ଚ ପାଇଁ ପକେଟ୍ରେ ଥିଲା ଦୁଇ ଟଙ୍କା। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଦିନେ ସକାଳେ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଗାନ୍ଧୀଜୀଙ୍କ ଏକ ଭାଷଣ ତାଙ୍କ ଦୃଷ୍ଟିରେ ପଡ଼ିଲା। ସେଥିରେ ସେ ଯୁବବର୍ଗଙ୍କୁ ବହୁସଂଖ୍ୟାରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଦେଶ ମାତୃକାର ସେବା ପାଇଁ ଆହ୍ବାନ ଦେଇଥିଲେ। ଏକଥା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଗଲା। ବିନୋବା ଏହାଦ୍ବାରା ପ୍ରଭାବିତ ହୋଇ ତାଙ୍କ ପ୍ରସ୍ତାବିତ ବଙ୍ଗଳା ବା ହିମାଳୟ ଯାତ୍ରା ବିଚାର ପରିତ୍ୟାଗ କଲେ ଓ ସିଧା ଗାନ୍ଧୀଙ୍କ ଆଶ୍ରମରେ ପହଞ୍ଚିଲେ। ଗାନ୍ଧୀଙ୍କ ବ୍ୟକ୍ତିତ୍ବରେ ସେ ହିମାଳୟର ଶାନ୍ତି ଓ ବେଙ୍ଗଲ୍ ବିପ୍ଳବ- ଉଭୟର ଏକ ଅପୂର୍ବ ସମ୍ମିଶ୍ରଣ ଦେଖିପାରିଲେ। ଏହା ପୂର୍ବରୁ ସେ ବାପୁଙ୍କୁ ଏକ ଚିଠି ଲେଖି ତାଙ୍କର ଅହିଂସା, ଅସହଯୋଗ, ସବିନୟ ପ୍ରତିରୋଧ ଓ ଅବଜ୍ଞା ବିଚାର ଉପରେ ପ୍ରଶ୍ନ ଉଠାଇଥିଲେ। ବାପୁ ପୋଷ୍ଟକାର୍ଡରେ ଉତ୍ତର ଦେଇ ଲେଖିଥିଲେ- ତମର ପ୍ରଶ୍ନ ଚିଠି ଆଦାନପ୍ରଦାନ ଦ୍ବାରା ସମାଧାନ ହୋଇପାରିବ ନାହିଁ। ତୁମେ ଆସ, ମୁହଁାମୁହିଁ ଆଲୋଚନା କରି ଉତ୍ତର ଖୋଜିବା। ଚିଠି ସହ ବାପୁ, ଆଶ୍ରମବାସୀଙ୍କ ପାଇଁ ପ୍ରଚଳିତ ବିଧି ନିଷେଧର ଏକ କପି ଲଗାଇ ଦେଇଥିଲେ। ସେଥିରେ ଥିଲା ଏକାଦଶ ବ୍ରତ- ଅହିଂସା, ସତ୍ୟ, ଅକ୍ରୋଧ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀର ଶ୍ରମ, ଅସ୍ବାଦ, ସ୍ବଦେଶୀ, ସ୍ପର୍ଶ ଭାବନା, ସର୍ବ ଧର୍ମ ସମାନତ୍ବ।
ଗାନ୍ଧୀ ଆଶ୍ରମରେ ପହଞ୍ଚୁ ପହଞ୍ଚୁ, ତାଙ୍କୁ ଶରୀର ଶ୍ରମର ପ୍ରଥମ ପ୍ରମାଣ ମିଳିଗଲା। ଦେଖି ଆଶ୍ଚର୍ଯ୍ୟ ହେଲେ ବାପୁ ବାରଣ୍ଡାରେ ତଳେ ବସି ଆଶ୍ରମର ଅନ୍ତେବାସୀ ଓ ଅତିଥିଙ୍କ ପାଇଁ ପନିକି ଧରି ପରିବା କାଟୁଛନ୍ତି। ସେ ଲେଖିଛନ୍ତି, “ମତେ ଦେଖି ସ୍ବାଗତ କରିବା ସହ ପରିବା କାଟିବା ଛୁରୀଟିଏ ବଢ଼ାଇ ଦେଲେ। ମୁଁ ଏ ପର୍ଯ୍ୟନ୍ତ କୌଣସି ରାଷ୍ଟ୍ରୀୟ ନେତାଙ୍କୁ ପରିବା କଟାଳି ରୂପରେ ଦେଖିନଥିଲି। ଏହି ଅନୁଭୂତି ଥିଲା ମୋର ପ୍ରଥମ ଶିକ୍ଷା ଓ ଦୀକ୍ଷା। ତା’ ପରେ ଆମେ ଦିହେଁ ଏକାଠି ପରିବା କାଟିବାରେ ଲାଗିଗଲୁ। ତା’ ପରେ ସେ କହିଲେ- ‘ଦେଖ ବିନୋବା। ଯଦି ତୁମକୁ ଏ ଜାଗା ଭଲ ଲାଗୁଚି, ଏବଂ ତମେ ଦେଶ ପାଇଁ କାମ କରିବାକୁ ଇଚ୍ଛୁକ, ତେବେ ତମେ ଏଠି ସାରା ଜୀବନ ରହିପାର। କିନ୍ତୁ ତୁମେ ଦୁର୍ବଳ ଦିଶୁଚ। ଦେଶ ଓ ଲୋକସେବା ଓ ସ୍ବାଧୀନତା ପାଇଁ ତୁମକୁ ସବଳ ଓ ସୁସ୍ଥ ରହିବାକୁ ହେବ’। ବାପୁଙ୍କ ତୁଣ୍ଡରୁ ଏହା ଥିଲା ମୋର ଦ୍ବିତୀୟ ଶିକ୍ଷା ଓ ଦୀକ୍ଷା। ଏହା ମୋର ଏ ପର୍ଯ୍ୟନ୍ତ ମନେ ଅଛି।’’ ବଡ଼ି ସକାଳୁ ନିଦ ଭାଙ୍ଗିଗଲେ ବିନୋବା ବେଳେ ବେଳେ ଉପନିଷଦ୍ର ଶ୍ଳୋକ ବୋଲନ୍ତି। ଏ କଥା ଗାନ୍ଧୀଙ୍କ କାନରେ ପଡ଼ିଲା। ସେ ବିନୋବାଙ୍କୁ ଡାକି କଥାହେଲେ ଏବଂ କହିଲେ, ତମେ ଏଣିକି ଆଶ୍ରମର ପ୍ରାର୍ଥନା ସଭାରେ ଆମ ସମସ୍ତଙ୍କୁ ଉପନିଷଦ୍ ଶୁଣାଇବ। ଧୀରେ ଧୀରେ ଆଶ୍ରମରେ ବିନୋବାଙ୍କ ଲୋକପ୍ରିୟତା ବଢ଼ିଲା। ୟା ପରେ ଯେତେବେଳେ ନୂଆ ଓ ବିଶିଷ୍ଟ ଅତିଥିମାନେ ଆଶ୍ରମ ଆସୁଥିଲେ ଗାନ୍ଧୀ ସେମାନଙ୍କୁ ପଚାରୁଥିଲେ- “ବିନୋବାଙ୍କୁ ଭେଟିଲଣି? ଯଦି ଦେଖା ହୋଇନି, ଫେରିବା ପୂର୍ବରୁ ଦେଖା କରିଯିବେ।’’ ସେ ବିନୋବାଙ୍କୁ ପ୍ରକୃତ କର୍ମଯୋଗୀ ଓ ଆଶ୍ରମର ଆତ୍ମା ବୋଲି କହୁଥିଲେ। ଗାନ୍ଧୀଙ୍କ ବିଚାର ଦର୍ଶନକୁ ସବୁଠୁ ଭଲ ଭାବରେ ବୁଝିଥିଲେ ବିନୋବା ଭାବେ।
ବାଲ୍ୟକାଳରେ ବିନାୟକ ନରହରି ଭାବେଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଥିଲେ ତାଙ୍କ ମା’ ରୁକ୍ମିଣୀ ଦେବୀ। ଯେମିତି ପୁତ୍ଲି ବାଈ ଗାନ୍ଧୀଙ୍କୁ ତାଙ୍କ ପିଲାଦିେନ ପ୍ରଭାବିତ କରିଥିଲେ। ସବୁଦିନ ପୂଜା ଶେଷରେ ରୁକ୍ମିଣୀ ନିଜର ଦୁଇ କାନ ଧରି କାନ୍ଦି କାନ୍ଦି ଈଶ୍ବରଙ୍କୁ ପ୍ରାର୍ଥନା କରି କହୁଥିଲେ- ‘‘ହେ ପ୍ରଭୁ, ହେ ବିଶ୍ବପିତା, ତୁମକୁ ବିନତି, ମୋର ସବୁ ଦୋଷ କ୍ଷମା କରିଦିଅ।’’ ତା’ ସହ ତାଙ୍କ ଆଖିରୁ ଧାର, ଧାର ଲୁହ ଗଡ଼ିଆସେ। ମା’ଙ୍କୁ ଦିନେ ବି କଠୋର ଭାଷା, କଡ଼ା କଥା କହିବା କଥା ତାଙ୍କର ମନେ ନାହିଁ। ବିନୋବାଙ୍କୁ ତାଙ୍କ ମା’ ପିଲାଦିନେ ଗୋଟେ ଛୋଟ କାମ ଦେଇଥିଲେ। ସେଇଟି ହେଲା ସେ ସବୁଦିନ ଅଗଣାରେ ଥିବା ପବିତ୍ର ତୁଳସୀ ଗଛରେ ପାଣି ଦେବେ। ଦିନେ ସ୍ନାନ ପରେ ତୁଳସୀରେ ପାଣି ନଦେଇ ସିଧା ରୋଷେଇ ଘରକୁ ପଶି ଆସିଲାରୁ ମା ତାଙ୍କୁ ଘରୁ ବାହାର କରି ଦେଇ କହିଥିଲେ- ଆଗ ତୁଳସୀ ଗଛ ମୂଳେ ପାଣି ଓ ଗୋସେବା ତା’ପରେ ଖାଦ୍ୟ। ହିନ୍ଦୁ ସଂସ୍କୃତିରେ ତୁଳସୀକୁ ପବିତ୍ର ମାନାଯାଏ। ସେମିତି ଗାଈକୁ ମାତା କୁହାଯାଏ।
ପିଲାଦିନେ, ମା’ଙ୍କଠାରୁ ଆଉ ଏକ ଶିକ୍ଷା ମିଳିଥିଲା ତାଙ୍କୁ। ତାଙ୍କ ଘରବାଡ଼ିରେ ଥିଲା ଏକ ପଣସ ଗଛ। କିଛି ସମୟ ପରେ ପଣସଟିଏ ବଡ଼ ହେଇ ପାଚିଲା। ବିନୋବା ଭାବିଥିଲେ ତାକୁ କାଟି ଖାଇବା ପାଇଁ ମା’ ତାଙ୍କୁ କହିବେ। କିନ୍ତୁ ମା’ ତାଙ୍କୁ କହିଲେ- ବିନୟ, ଆଗ ଏକୁ ସାଇପଡ଼ିଶା ପିଲାଙ୍କୁ ବାଣ୍ଟିଦେଇ ଆସେ। ଯାହା ବଳିବ ଆମେ ତାକୁ ବାଣ୍ଟି ଖାଇବା। ବିନୋବା ସେୟା କଲେ। ଫେରିଲା ପରେ ମା’ ତାଙ୍କୁ ପାଖରେ ବସାଇ ବଳିଥିବା ପାଚିଲା ପଣସ କୋଲା ଖୁଆଇ ଦେଉଥିବା ବେଳେ କହିଥିଲେ- ଶୁଣ, ବିନୟ, ଆଗ ଅନ୍ୟକୁ ଦେବା ଓ ପରେ ନିଜେ ଖାଇବା, ନହେଲେ ଦିନେ ସାରା ଦୁନିଆ ସ୍ବାର୍ଥପର ହୋଇଯିବ। ଯିଏ ଦିଏ ସେ ଦେବତା, ସିଏ ସୁନ୍ଦର। ଯିଏ ଖାଲି ଜମେଇ ରଖେ, ସିଏ କଦାକାର। ବିନୋବା ଲେଖିଛନ୍ତି ତାଙ୍କ ପାଇଁ ଏହା ଥିଲା ଆଉ ଏକ ମହାଶିକ୍ଷା। ଭୂଦାନ ଅଭିଯାନ ବେଳେ ବିନୋବା ଏହି ବିଚାରକୁ ସଫଳତା ସହ ପ୍ରୟୋଗ କରିଥିଲେ। ଗାଁ, ଗାଁରେ ବୁଲି ଜମିଦାର ମାନଙ୍କୁ ବୁଝାଉଥିଲେ ପାଣି, ପବନ ପରି ଭୂମି ମଧ୍ୟ ସବୁ ମଣିଷଙ୍କର ସାଧାରଣ ସମ୍ପତ୍ତି। ଜମିଦାରମାନେ ନିଜ ପାଖରେ ଥିବା ଜମିର ଛ ଭାଗରୁ ଭାଗେ ଗାଁରେ ଥିବା ଭୂମିହୀନଙ୍କୁ ବାଣ୍ଟି ଦିଅନ୍ତୁ। ଏଥିେର ଉଦ୍ବୁଦ୍ଧ ହୋଇ ଅନେକ ଅଞ୍ଚଳରେ ଆରମ୍ଭ ହୋଇଥିଲା ଗ୍ରାମଦାନ ଓ ଜୀବନ ଦାନ ଅଭିଯାନ।
ବହୁ ବର୍ଷ ପୂର୍ବେ କେତେକ ଚାଇନିଜ୍ ଗାନ୍ଧୀ ଆଶ୍ରମ ବୁଲି ଆସିଥିଲା ବେଳେ ବାପୁଙ୍କୁ ଏକ ଫଟୋ ଉପହାର ଦେଇ ଯାଇଥିଲେ। ସେଥିରେ ତିନିଟି ମାଙ୍କଡ଼ଙ୍କ ଚିତ୍ର ଥିଲା। ଗୋଟିଏ ମାଙ୍କଡ଼ ପାଟି ବନ୍ଦ କରି, ଆଉ ଗୋଟିଏ ଆଖି ବନ୍ଦ କରି ଓ ତୃତୀୟଟି କାନ ବନ୍ଦ କରି ବସିଥିଲା। ତଳେ ଲେଖାଥିଲା- ‘‘ନା ବୋଲ୍ ବୁରା, ନା ଦେଖ୍ ବୁରା, ନା ଶୁନ୍ ବୁରା।’’ ବିନୋବା ପ୍ରଥମ ବାର୍ତ୍ତାଟିକୁ ଅନୁସରଣ କରିବା ପାଇଁ ଏକ ବର୍ଷ କାଳ ମୌନବ୍ରତ ପାଳନ ପାଇଁ ନିଷ୍ପତ୍ତି ନେଲେ। ବ୍ରତ ଆରମ୍ଭ କଲେ ୧୯୭୪ ମସିହା ଡିସେମ୍ବର ୨୫ ତାରିଖରେ। ସେଦିନ ଥିଲା ପବିତ୍ର ଏକଦଶୀ, ଖ୍ରୀଷ୍ଟମାସ ଓ ଶ୍ରୀମଦ୍ ଭାଗବତ୍ ଗୀତାର ଜନ୍ମଦିନ। ଆଶ୍ରମର ସବୁ ସାଥୀ, ଅନୁଗାମୀମାନଙ୍କୁ ଡାକି କହିଲେ- ଶୁଣ, ଈଶ୍ବର ବହୁଦିନ ହେଲା ମୋର ଶ୍ରବଣ ଶକ୍ତି ନେଇଯାଇଛନ୍ତି, ଏବେ ମୁଁ ମୌନବ୍ରତ କରି ବାକ୍ଶକ୍ତିକୁ ବର୍ଷକ ପାଇଁ ବିରାମ ଦେବି। ମୁଁ ବିଚାର କରେ ମୌନବ୍ରତ ଦ୍ବାରା, ବାକ୍ ସଂଯମ ଅଭ୍ୟାସ ଦ୍ବାରା ସତ୍ୟ ଓ ଅହିଂସାକୁ ଅଧିକ ବଳ ମିଳିବ। ବ୍ୟକ୍ତି, ପରିବାର, ସାମାଜିକ ଜୀବନ ଅଧିକ ଶାନ୍ତ ରହିବ। ବାଚନିକ ହିଂସା ବା ‘ଭର୍ବାଲ ଆବ୍ୟୁସ୍’ କମ୍ ହେବ।
ଏହାପରେ ୧୯୭୬ରେ ମା’ ରୁକ୍ମିଣୀଙ୍କ ଜନ୍ମ ଶତବାର୍ଷିକୀ ପଡ଼ିଲା ଓ ତା’ ସହ ମନେପଡ଼ିଲା ମା’ଙ୍କର ଆଉ ଏକ ଇଚ୍ଛା। ସେ କହିଥିଲେ- ବିନୟ, ଆମ ଦେଶରେ କେବେ ଗୋହତ୍ୟା ବନ୍ଦ ହେବ? ଏହାପରେ ବିନୋବା ଦୌନାର ଆଶ୍ରମର ଏକ ସଭାରେ ଏ ପ୍ରସଙ୍ଗ ଉଠାଇଲେ। ସଭାରେ ଉପସ୍ଥିତ ଥିଲେ ସ୍ବୟଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିନୋବା ଘୋଷଣା କଲେ- ଯଦି ଗୋହତ୍ୟା ବନ୍ଦ ନହୁଏ ସେ ଅନଶନରେ ବସିବେ। ହଜାର ହଜାର ଭାରତୀୟ ମଧ୍ୟ ତାଙ୍କ ସହ ଅନଶନରେ ବସିବା ପାଇଁ ତିଆର ହୋଇଗଲେ। ସରକାର ଶେଷରେ ଏଥିପାଇଁ ଆଇନ ଆଣିବାକୁ ରାଜି ହେଇଯିବାରୁ ବିନୋବା ଅନଶନ ପ୍ରତ୍ୟାହାର କଲେ। ଏମିତି ସଂଗ୍ରାମ ପରେ ସଂଗ୍ରାମ କରି କରି ତାଙ୍କ ଶରୀର କ୍ରମେ ଦୁର୍ବଳ ହେଇଗଲା। ଅନେକ ସହଯୋଗୀ ସଂସାରରୁ ବିଦାୟ ନେଇଗଲେ। ଦିନେ ଜୟପ୍ରକାଶ ନାରାୟଣଙ୍କୁ କହିଲେ ଶରୀର ଆଉ ସହଯୋଗ କରୁନାହିଁ, ସେ ମତେ ତ୍ୟାଗ କରିବା ପୂର୍ବରୁ ମୁଁ ତାକୁ ତ୍ୟାଗ କରି ଦେବାକୁ ଚାହୁଁଚି। ଜୟ ପ୍ରକାଶ କହିଲେ ଆଉ ଅନେକ ସଂଗ୍ରାମ ବାକି ଅଛି, ଏଇଲେ ନୁହେଁ। ୧୯୮୨ ନଭେମ୍ବର ୫ ତାରିଖ ଦିନ ବିନୋବାଙ୍କ ଶରୀରରେ ସାମାନ୍ୟ ଉତ୍ତାପ ରହିଲା। ଆଠ ତାରିଖ ଠାରୁ ସେ ଜଳ ଓ ଔଷଧୀ ଛାଡ଼ିଦେଲେ। ନାଡ଼ି ଓ ରକ୍ତଚାପ କ୍ରମେ ଦୁର୍ବଳ ହୋଇଆସିଲା। ଦେଶ, ବିଦେଶରୁ ଅନଶନରୁ ବିରତ ରହିବା ବାର୍ତ୍ତାକୁ ସେ ଶୁଣିଲେ ନାହିଁ, ଲାଇଫ୍ ସପୋର୍ଟ ନେଲେ ନାହିଁ। ‘‘ରାମ ହରି, ରାମ ହରି’’ ଉଚ୍ଚାରଣ କରି କରି ପ୍ରଥମ ସତ୍ୟାଗ୍ରହୀଙ୍କ ଜୀବନ ଦୀପ ଲିଭିଗଲା। ସର୍ବସେବା, ସର୍ବୋଦୟ ସନ୍ଥ ସ୍ବରାଜ୍ୟକୁ ଫେରିଗଲେ। ଜୟ ଜଗତ୍।
ଅଧ୍ୟକ୍ଷ, ବିନୋବା ସେବା ପ୍ରତିଷ୍ଠାନ
ମୋ: ୯୯୩୭୦୨୭୦୧୭