ଭଗବାନପ୍ରକାଶ

ପ୍ରତିବର୍ଷ ଅକ୍‌ଟୋବର ମାସରେ ଦେଶ ଭିତରେ ଓ ବାହାରେ, ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ କରାଯାଇଥାଏ। କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ, ମାସ୍‌ ମିଡିଆ ଛଡ଼ା ଥାଏ, ପୁସ୍ତକ ଉନ୍ମୋଚନ, ପ୍ରଦର୍ଶନୀ, ଭାଷଣ, ସେମିନାର, ସମ୍ମିଳନୀ, ଅହିଂସା, ଅସହଯୋଗ ଓ ଗାନ୍ଧୀ ଦର୍ଶନ, ବିଚାର ଆଲୋଚନା ଓ ଚର୍ଚ୍ଚା ଇତ୍ୟାଦି। ତା’ ମଧ୍ୟରେ ଥାଏ- ଗାନ୍ଧୀଙ୍କର ଗୁଜରାତୀ ଭାଷାରେ ଲିଖିତ ‘‘ସତ୍ୟକେ ସାଥ୍ ମେରେ ପ୍ରୟୋଗ’’ ଠାରୁ ଆରମ୍ଭ କରି ବିବୁଧରଞ୍ଜନଙ୍କ ‘‘ମିଛ ମହାତ୍ମା’’ ପର୍ଯ୍ୟନ୍ତ ପୁସ୍ତକମାନ। ଏଥିରୁ ଅନେକ ବହି ଅନ୍ୟ ଭାଷାରେ ଅନୁଦିତ ହୋଇ ସାରିଲେଣି। ସବୁଠୁ ଅଧିକ ସଂଖ୍ୟାରେ ଅନୁଦିତ ବହି ଦି’ ଖଣ୍ଡ ହେଲେ- ହିନ୍ଦ ସ୍ବରାଜ ଓ ସତ୍ୟର ପ୍ରୟୋଗ (୧୯୧୯)। ହିନ୍ଦ ସ୍ବରାଜରେ ଗାନ୍ଧୀ- ଭାରତୀୟ ସ୍ବତନ୍ତ୍ରତା ଓ ପଶ୍ଚାତ୍ୟ ସଭ୍ୟତା ଉପରେ ତାଙ୍କ ବିଚାର ବ୍ୟକ୍ତ କରିଥିଲେ। ‘ସତ୍ୟର ପ୍ରୟୋଗ’ ବିଶେଷ ରୂପେ ଏକ ଆ‌ତ୍ମକଥା ଥିଲା, ଯେଉଁଥିରେ ସେ ସତ୍ୟ, ଅହିଂସା ଓ ଈଶ୍ବରୀୟ ବିଚାରର ମର୍ମ ବ୍ୟାଖ୍ୟାନ କରିବାକୁ ଉଦ୍ୟମ କରିଥିଲେ। ଏହା ଛଡ଼ା ଦେଶର ଯୁବ ସମାଜକୁ ଜାତୀୟତା ତଥା ମାନବିକତାର ମନ୍ତ୍ରରେ ଦୀକ୍ଷିତ କରିବା ପାଇଁ ଗାନ୍ଧୀ ଆରମ୍ଭ କରିଥିଲେ ଏକ ସାପ୍ତାହିକୀ ପତ୍ରିକା- ୟଙ୍ଗ ଇଣ୍ଡିଆ। ତାଙ୍କ ପ୍ରକାଶିତ ଅାଉ ଏକ ସମାଚାର ପତ୍ରିକା ଥିଲା- ଇଣ୍ଡିଆନ୍ ଓପିନିଅନ୍।
ଏହି କ୍ରମରେ ସେ ଏକଦା ବିଶ୍ବର ବହୁ ଚର୍ଚ୍ଚିତ ବ୍ୟକ୍ତି ଭାବରେ ଉଭା ହେଇଥିଲେ। ଆତ୍ମବଳକୁ ଉପଭୋଗ ନ କରି ଉପଯୋଗର ସେ ଥିଲେ ପକ୍ଷଧର। ସେମିତି ସେ ଯନ୍ତ୍ରୀକରଣ ବା ଉଦ୍ୟୋଗୀକରଣର ଅନ୍ଧ ଅନୁକରଣ ପସନ୍ଦ କରୁ ନ ଥିଲେ। ଏଇଥି ପାଇଁ ସେ ବଜାରରେ ସବୁଠୁ ବେଶୀ ବିକ୍ରି ହେଉଥିବା ଦ୍ରବ୍ୟ କିଣାବିକା ବିରୋଧୀ ଥିଲେ। କାହିଁକି ସେ ଶସ୍ତା ତୃତୀୟ ଶ୍ରେଣୀରେ ରେଳ ଯାତ୍ରା କରୁଥିଲେ, ତା’ର ବିଭିନ୍ନ ଦିଗ ସଂପର୍କରେ ଗାନ୍ଧୀ କହି ସାରିଛନ୍ତି। ଲେଖକ ଦାର୍ଶନିକ ଏରିକ୍ ୱେନର୍ ସ୍ବରଚିତ ପୁସ୍ତକ- ‘ଦି ସକ୍ରେଟିକ୍ ଏକ୍‌ସପ୍ରେସ୍‌’ରେ ଏ ବିଷୟରେ ଲେଖିଛନ୍ତି। ସମାଜ ବିଜ୍ଞାନୀମାନଙ୍କ ପାଇଁ ବାପୁ ଥିଲେ ଏକ ବହୁରୂପୀ ଚରିତ୍ର। ପରମ୍ପରାବାଦୀ, ଉପବାସ ପ୍ରବଣ, ଏକଜିଦିଆ, ସରଳ, ଓକିଲ, ଶାକାହାରୀ, ଲେଖକ, ଅସଫଳ ନର୍ତ୍ତକ, ସମାଲୋଚକ, କର୍ମୀ, ବିଦ୍ରୋହୀ, ଚଳନ୍ତା ଟାଇମ୍ କିପର, ସନ୍ନ୍ୟାସୀ, ଶିକ୍ଷକ, ନି‌ରପେକ୍ଷ ମଧ୍ୟସ୍ଥ, ଶାନ୍ତି ଓ ଅହିଂସାର ପୂଜାରୀ, ଇତ୍ୟାଦି। ସେ ଜାଣିଥିଲେ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ ଓ ସଫଳତା ଏକ ଦୀର୍ଘ ସଂଗ୍ରାମ। ତେଣୁ ଏଥି ପାଇଁ ଲଢୁଆମାନଙ୍କୁ ନିଜ ନିଜର ପ୍ରକୃତି ବଦଳେଇବାକୁ ହେବ। ଲଢ଼େଇର ଚେହେରା ଚରିତ୍ର ବଦଳେଇବାକୁ ପଡ଼ିବ। ନୂଆ ନୂଆ ରଣକୌଶଳ ପ୍ରୟୋଗ କରିବାକୁ ହେବ। ଗାନ୍ଧୀ ହିଂସାକୁ ଘୃଣା କରୁଥିଲେ, କିନ୍ତୁ ତା’ ଠାରୁ ଅଧିକ ଘୃଣା କରୁଥିଲେ ଭୀରୁତାକୁ। କହୁଥିଲେ ଡରୁଆ ଏକ ଅଧାମଣିଷ। ଏବଂ କହୁଥିଲେ- ଭୟଶୂନ୍ୟତା ମୁକ୍ତି ପଥର ପ୍ରଥମ ପାହାଚ।
ଗାନ୍ଧୀ ଥିଲେ ଏକ ସାଧାରଣ ମଣିଷ, ପିତା ଓ ସ୍ବାମୀ। ସାଧାରଣ ପରିବାରରେ ଜନ୍ମ ହେଇଥିଲେ। ମାତ୍ର ୧୩ ବର୍ଷ ବୟସରେ ବିବାହ କରିବାକୁ ପଡ଼ିଥିଲା। ବାଲ୍ୟାବସ୍ଥା। ଅତି ସାଧାରଣ। କିନ୍ତୁ ବୈବାହିକ ଜୀବନ ସାଧାରଣ ନ ଥିଲା। ପିଲାଦିନେ କୁସଙ୍ଗରେ ପଡ଼ିଥିଲେ। ସତ୍ୟର ପ୍ରୟୋଗ ପୁସ୍ତକରେ ଗାନ୍ଧୀ ଏହାର ଶୀର୍ଷକ ରଖିଛନ୍ତି- ‘‘ମାଇଁ ହିମାଲୟନ୍ ବ୍ଳଣ୍ଡର୍’’। ନିଜର ‌େଯୗନ ଦୁର୍ବଳତା କଥା ବି ମାନିଛନ୍ତି। ଗାନ୍ଧୀ କେବେ ‘ରେ‌ଜଲ୍‌ଟ ଓରିଏଣ୍ଟେଡ୍‌’ ବା ‘ଫଳ କୈନ୍ଦ୍ରିକ’ ନ ଥିଲେ। ସେ ଥିଲେ ‘ପ୍ରସେସ୍ ଓରିଏଣ୍ଟେଡ୍’ ବା ପ୍ରକ୍ରିୟା ଉପରେ ମହତ୍ତ୍ବ ଦେଉଥିଲେ। ଅହିଂସା, ଅସହଯୋଗ ଆନ୍ଦୋଳନର ପ୍ରକ୍ରିୟାରେ ସାମାନ୍ୟ ଦୋଷ ତ୍ରୁଟି ତାଙ୍କ ଦୃଷ୍ଟିକୁ ଆସିଲା ପରେ ତତ୍‌କ୍ଷଣାତ୍ ଏହାକୁ ବାତିଲ କରିଦେଉଥିଲେ। ଭାରତୀୟ ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏହି ଯୁଗକୁ କୁହାଯାଏ- ଗାନ୍ଧୀଯୁଗ। ୧୯୧୫ରେ ମହାତ୍ମା ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଠାରୁ ଆରମ୍ଭ କରି ୧୯୪୭ରେ ଭାରତ ସ୍ବାଧୀନତା ପର୍ଯ୍ୟନ୍ତ କାଳଖଣ୍ଡ ହେଉଛି ଏହି ଗାନ୍ଧୀଯୁଗ। 

Advertisment

ଗାନ୍ଧୀଜୀ ଜଣେ ପ୍ରବଳ ବକ୍ତା ନ ଥିଲେ; କିନ୍ତୁ ଲୋକେ ତାଙ୍କ କଥା ମନ ଦେଇ ଶୁଣୁଥିଲେ ଏବଂ ଉଦ୍ଧାର କରୁଥିଲେ। ଯେପରିକି ‘‘ତୁ ମୋ ଆଖି ଫୁଟାଇ ଦେ ମୁଁ ତୋ ଆଖି ତାଡ଼ି ଦେବି ମନୋବୃତ୍ତି ଦ୍ବାରା ଦିନେ ସାରା ପୃଥିବୀ ଅନ୍ଧ ହୋଇଯିବ’’ ବା ‘‘ଆମର ବର୍ତ୍ତମାନର ଆଚରଣ ଆମ ଭବିଷ୍ୟତ ରୂପ ନିର୍ଦ୍ଧାରଣ କରିଥାଏ’’ ବା ‘‘ସରଳତା ଜୀବନର ମହାନତା ଦର୍ଶାଇଥାଏ’’ ଇତ୍ୟାଦି।

ଏହି ଯୁଗର ବିଶେଷତା ହେଲା ମହାତ୍ମା ଗାନ୍ଧୀଙ୍କ ନେତୃତ୍ବ ଓ ଦିଗ୍‌ଦର୍ଶନରେ ଅହିଂସା ପ୍ରତିରୋଧ ଓ ସବିନୟ ଅବଜ୍ଞା ଆଧାରିତ ‘ଭାରତ ଛୋଡୋ’ ଭଳି ପ୍ରମୁଖ ଜନ ଆନ୍ଦୋଳନ, ଯାହା ବିଦେଶୀ ସରକାରକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା।
ଜୀବନରେ ବିଭିନ୍ନ ସମୟରେ ଘଟୁଥିବା ଛୋଟବଡ଼ ଘଟଣାରୁ ଶିଖିବା ପାଇଁ ଚେଷ୍ଟା କରୁଥିଲେ ଗାନ୍ଧୀ। ଥରେ ଆମେରିକାନ ଧର୍ମଯାଜକ ଜନ୍ ମୋଟ ଗାନ୍ଧୀଙ୍କୁ ପଚାରିଲେ ତାଙ୍କ ଜୀବନର କେଉଁ ଘଟଣାଟିରୁ ତାଙ୍କୁ ସବୁଠୁ ବେଶୀ ପ୍ରେରଣା ଓ ଶିକ୍ଷା ମିଳିଥିଲା। ଉତ୍ତର ଦେଇ ଗାନ୍ଧୀ କହିଥିଲେ- ସେଇଟି ଥିଲା ଦକ୍ଷିଣ ଆଫ୍ରିକା ‌ପ୍ରିଟେରିଆ ସହରକୁ ରେଳ ଡବାରେ ତାଙ୍କ ଯାତ୍ରା ଓ ରେଳ କର୍ମଚାରୀଙ୍କ ଦୁର୍ବ୍ୟବହାର। ଏହା ୧୮୯୩ ମସିହା ଜୁନ୍‌ ମା‌ସର ଘଟଣା। ସେ ନାଡାଲ ସହରରେ ଓକିଲାତି କରୁଥାନ୍ତି। ତାଙ୍କ ପାଖରେ ପ୍ରଥମ ଶ୍ରେଣୀ ଟିକେଟ ଥାଏ। କିନ୍ତୁ ସେ କଳା ରଙ୍ଗ ଭାରତୀୟ ହୋଇଥିବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା। ସେ ସାରା ରାତି ବାହାରେ ପଡ଼ି ରହିଥିଲେ। ଗାନ୍ଧୀଙ୍କ ପାଇଁ ଏହା ଥିଲା ବର୍ଣ୍ଣ ବୈଷମ୍ୟର ପ୍ରଥମ ତିକ୍ତ ଅଭିଜ୍ଞତା। ସେଇଦିନ ଗାନ୍ଧୀ ରଙ୍ଗଭେଦ ବିରୋଧରେ ସଂଗ୍ରାମ କରିବା ପାଇଁ ମନେ ମନେ ସ୍ଥିର କରିଥିଲେ। ଏହି ନିଷ୍ପତ୍ତି କ୍ରମେ ଜନ ଆନ୍ଦୋଳନର ରୂପ ନେଲା ଓ ଶେଷରେ ସଫଳ ହେଲା। ଏବେ ଆଫ୍ରିକା, ଆମେରିକା, ୟୁରୋପ, ଏସିଆର ଶତାଧିକ ଦେଶ ରଙ୍ଗଭେଦ ବ୍ୟାଧିରୁ ମୁକ୍ତ। ଗୋଟିଏ ରାତିର ରେଳ ଯାତ୍ରା କିପରି ବିଶ୍ବ ଇତିହାସ ମୋଡ଼ ବଳାଇ ଦେଇପାରେ ଏହି ଘଟଣା ତା’ର ଏକ ଜ୍ବଳନ୍ତ ଉଦାହରଣ। ଗାନ୍ଧୀଙ୍କ କଥା ପଡ଼ିଲେ ଆଫ୍ରିକୀୟମାନେ ଗର୍ବର ସହ ଭାରତୀୟମାନଙ୍କୁ କହନ୍ତି- ତମେ ଆମକୁ ଦେଇଥିଲ ମୋହନ ଦାସ। ଆମେ ତାଙ୍କୁ ମହାତ୍ମା ଗାନ୍ଧୀ କରି ତମକୁ ଫେରାଇ ଦେଲୁ। ସେହିପରି ଆମେରିକାରେ ଏହି ଆନ୍ଦୋଳନର ନେତା ନୋବେଲ ବିଜୟୀ ମାର୍ଟନ ଲୁଥର୍ କିଙ୍ଗ ଗାନ୍ଧୀଙ୍କୁ ନିଜର ରାଜନୈତିକ ଗୁରୁ ଭାବରେ ସମ୍ମାନ କରୁଥିଲେ। ସେହିପରି ଅାଉଜଣେ ଗାନ୍ଧୀଭକ୍ତ ଥିଲେ ଆଇନଷ୍ଟାଇନ। ସେ କହୁଥିଲେ ୧୦୦୦ ବର୍ଷ ପରେ ଆଗାମୀ ପିଢ଼ି ବିଶ୍ବାସ କରିବ ନାହିଁ ଯେ ରକ୍ତ ମାଂସ ଶରୀରରେ ଗଢ଼ା ବାପୁଙ୍କ ଭଳି ଏକ ମହାନ ବ୍ୟକ୍ତି ଏକଦା ଏହି ପୃଥିବୀ ପୃଷ୍ଠରେ ବିଚରଣ କରୁଥିଲେ।
ଗାନ୍ଧୀଜୀ ସର୍ବଦା ଶରୀରକୁ ସୁସ୍ଥ ଓ ମନ ପବିତ୍ର ରଖିବାକୁ ନିଷ୍ଠାପର ଉଦ୍ୟମ କରୁଥିଲେ। ତାଙ୍କ ଆଶ୍ରମ ପାଇଁ ଦିନଚର୍ଯ୍ୟା ସେଇ ଅନୁସାରେ ତିଆରି ହୋଇଥିଲା ଓ ଶୃଙ୍ଖଳା ସହ ପାଳିତ ହେଉଥିଲା, ତାଙ୍କ ଜୀବନର ଅନ୍ତିମ ଦିନ ପର୍ଯ୍ୟନ୍ତ। ଗାନ୍ଧୀ ନିଜେ ବ୍ରାହ୍ମ ମୁହୂର୍ତ୍ତରେ ତିନିଟା ତିରିଶ ମିନିଟ (୩.୩୦)ରେ ଶଯ୍ୟା ତ୍ୟାଗ କରୁଥିଲେ। ତା’ ପରେ ନିତ୍ୟକର୍ମ ସାରି ସମୂହ ପ୍ରାର୍ଥନା ପାଇଁ ପ୍ରସ୍ତୁତ ହେଇ ଯାଉଥିଲେ। ବ୍ରସ୍ ବଦଳରେ ଦାନ୍ତକାଠି ବ୍ୟବହାର କରୁଥିଲେ। ତା’ ପରେ ସ୍ନାନ ସାରି ମହୁପାଣି ସେବନ କରୁଥିଲେ ଓ ସମୂହ, ସର୍ବଧର୍ମ ପ୍ରାର୍ଥନା, ଧ୍ୟାନ କରୁଥିଲେ ଆଶ୍ରମର ସବୁ ଅନ୍ତେବାସୀ। ୧୨୫ ବର୍ଷ ବଞ୍ଚି ରହିବାକୁ ଯୋଜନା କରାଯାଇଥିଲା। ଲକ୍ଷ୍ୟ ଥିଲା ତାଲିମ ଓ କଠୋର ଶୃଙ୍ଖଳା ମାଧ୍ୟମରେ ସ୍ବାଧୀନତା ସଂଗ୍ରାମ ପାଇଁ କର୍ମୀ ଚୟନ। ପରିହାସରେ କହୁଥିଲେ, ଦିଆସିଲ କାଠି ଓଦା ରହିଲେ ସହଜରେ ନିଅଁା ଲାଗେନାହିଁ। ଗାନ୍ଧୀଜୀ ଜଣେ ପ୍ରବଳ ବକ୍ତା ନ ଥିଲେ; କିନ୍ତୁ ଲୋକେ ତାଙ୍କ କଥା ମନ ଦେଇ ଶୁଣୁଥିଲେ ଏବଂ ଉଦ୍ଧାର କରୁଥିଲେ। ଯେପରିକି ‘‘ତୁ ମୋ ଆଖି ଫୁଟାଇ ଦେ ମୁଁ ତୋ ଆଖି ତାଡ଼ି ଦେବି ମନୋବୃତ୍ତି ଦ୍ବାରା ଦିନେ ସାରା ପୃଥିବୀ ଅନ୍ଧ ହୋଇଯିବ’’ ବା ‘‘ଆମର ବର୍ତ୍ତମାନର ଆଚରଣ ଆମ ଭବିଷ୍ୟତ ରୂପ ନିର୍ଦ୍ଧାରଣ କରିଥାଏ’’ ବା ‘‘ସରଳତା ଜୀବନର ମହାନତା ଦର୍ଶାଇଥାଏ’’ ଇତ୍ୟାଦି। 
କେତେ ବଡ଼ ଧନୀ ଥିଲେ ଗାନ୍ଧୀ? ମଲା ବେଳକୁ ଛାଡ଼ି ଯାଇଥିଲେ ହଳେ ପୁରୁଣା ଚଷମା, କାଠ ତିଆରି ପଟେ ଖାଇବା ଥାଳି, ଗୋଟିଏ ପୁରୁଣା ପକେଟ ଘଡ଼ି ଏବଂ ତାଙ୍କୁ ଜଣେ ଜାପାନୀ ବନ୍ଧୁ ଉପହାର ଭାବେ ଦେଇଥିବା- ତିନିଟି ମାଙ୍କଡ଼ର ଏକ ଚିତ୍ର। ଶୀର୍ଷକ ଥିଲା- ଖରାପ କଥା କହିବ ନାହିଁ, ଖରାପ କଥା ଶୁଣିବ ନାହିଁ, ଖରାପ କଥା ଦେଖିବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୨୭୦୧୭