ବିକଳ୍ପ ବିଶ୍ବ, ଦଳ ମୁକ୍ତ ପଂଚାୟତ

ଭଗବାନପ୍ରକାଶ

ପାଖେଇ ଆସିଲା ପଂଚାୟତ ନିର୍ବାଚନ। ବାଜିଲାଣି ବାଜା, ଭେରି, ତୁରୀ। ଶଂଖ, ମହୁରି, ଭାଷଣ ଓ ଉଦ୍‌ଘାଟନ। ଏହା ପରେ କଳହ, କାକଳି ଓ କୋଳାହଳ। ଯେଉଁ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ଲାଗିଥିଲା ଦୀର୍ଘ ୨୫ ବର୍ଷର ବିଚାର ଆଲୋଚନା ଏବଂ ଲେଖା ହୋଇଥିଲା ଗଦା ଗଦା ରିପୋର୍ଟ, ଏବଂ ତାହାକୁ ନିର୍ଦଳୀୟ ରଖିବାକୁ ସ୍ଥିର କରାଯାଉଥିଲା, ତାହା ପାଇଁ ଏବେ ବାରମ୍ବାର ସର୍ବଦଳୀୟ ବୈଠକ ଡକା ହେଉଛି। ପଂଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତିରେ ଏବେ ରାଜନୈତିକ ଦଳମାନେ ବ୍ୟସ୍ତ ଓ ବିବ୍ରତ, କାରଣ ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ ପ୍ରମୁଖ ରାଜନୈତିକ ଦଳମାନଙ୍କର ପ୍ରତିନିଧି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତି ପାଇଁ, ଢାଲ, ତରବାରି ଧରି ଅଣ୍ଟା ଭିଡ଼ିଲେଣି ବିଭିନ୍ନ ଦଳ। ଜଟିଳ, କୁଟିଳ ରଣକୌଶଳ ଦ୍ବାରା ଗାଁ ଗହଳର ପ୍ରାକୃତିକ ଶାନ୍ତି, ସମୀକରଣ ଭାଙ୍ଗି ନିର୍ବାଚନୀ ଗଣିତକୁ ବଦଳେଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଗଲାଣି। ରାଜନୈତିକ ଉଷ୍ମତାରେ ଗାଁ ତାତିବ, ନୂଆ ଗ୍ରୀଷ୍ମ ଋତୁ ସୃଷ୍ଟି ହେବ। ଜିତିବା ପାଇଁ ଭଲ କାମ ବଦଳରେ ଏବେ ଭଲ ରଣନୀତିଜ୍ଞଙ୍କର ଆବଶ୍ୟକତା ପଡୁଚି। ନିର୍ବାଚନୀ କୋଳାହଳ, କଳି, ତକରାଳ ଦ୍ବାରା ଗାଁ, ସହର ଦୁଲୁକିବ। କାନ୍ଥ, ବାଡ଼ରେ ଜାଗା ନାହିଁ। ପ୍ରାଚୀର, ପ୍ରଚାର ଏକାକାର। ପ୍ରଚାର ଖର୍ଚ୍ଚ ସୀମା ମଧ୍ୟ ଅଢ଼େଇଗୁଣ ବଢ଼ାଇ ଦିଆଯାଇଚି। ଏଭଳି ଦୃଶ୍ୟ ଦେଖିଥିଲେ ଗାନ୍ଧୀଙ୍କର ହୃଦ୍‌ଘାତ ହୋଇଥା’ନ୍ତା। ସେ ବାରମ୍ବାର କହୁଥିଲେ ପଂଚାୟତ ଦେଶର ଆତ୍ମା। ପଂଚାୟତର ସ୍ବର, ଅହିଂସାର ସ୍ବର ଏବଂ ଈଶ୍ବରଙ୍କର ସ୍ବର ମଧ୍ୟରେ କୌଣସି ଫରକ ନାହିଁ। ଏହି ଭଳି ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଂଚାୟତିରାଜ ସଂପର୍କୀୟ ୭୩ତମ ସଂବିଧାନ ସଂଶୋଧନ, ୧୯୯୩ରେ ରାଜନୈତିକ ଦଳମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଗ୍ରାମ ପଂଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିବାରୁ ବାରଣ କରାଯାଇଥିଲା ଏବଂ ଦଳର ପତାକା ଓ ପ୍ରତୀକ ବ୍ୟବହାର ମନା କରାଯାଇଥିଲା। କିନ୍ତୁ ତା’ ସହ ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନରେ ଏହି କଟକଣାକୁ କୋହଳ କରି ଦିଆଯାଇଥିଲା। ଏପରି ବ୍ୟବସ୍ଥା ପଛରେ ଯେଉଁ ବଳିଷ୍ଠ ତର୍କ ରଖାଯାଇଥିଲା ତାହା ଥିଲା ଏହିପରି:

ପ୍ରଥମ କାରଣ ହେଲା ଦଳଗତ ନିର୍ବାଚନ ଭାରତୀୟ ଗ୍ରାମ୍ୟ ସଂସ୍କୃତି ଓ ସମାଜକୁ ବିବାଦୀୟ କରି ଦେବ। ଏହା, ପରୋକ୍ଷରେ ଗ୍ରାମାଂଚଳର ମତଦାତାମାନଙ୍କୁ ବିଭିନ୍ନ ଦଳର ପତାକା ତଳେ ଠିଆ ହେବାକୁ ବାଧ୍ୟ କରିବ। ପ୍ରାର୍ଥୀମାନେ ଭୋଟରଙ୍କୁ ଜାତି, ଧର୍ମ, ସଂପ୍ରଦାୟ ଭିତ୍ତିରେ ବିଭକ୍ତ କରିବେ। ଗ୍ରାମ ସ୍ବାର୍ଥ ବଦଳରେ ଦଳ ସ୍ବାର୍ଥର ପ୍ରାଧାନ୍ୟ ବଢ଼ିବ। ଏହା ଦ୍ବାରା ଗ୍ରାମର ପରିଚାଳନା ଓ ବିକାଶ ପ୍ରକ୍ରିୟା ବ୍ୟାହତ ହେବ। ରାଜନୈତିକ ଦଳମାନେ ଗ୍ରାମବାସୀଙ୍କୁ ନିଜ ନିଜ ଆଦର୍ଶ ଓ ବିଶ୍ବାସ ପ୍ରତି ଆକୃଷ୍ଟ କରିବେ। ଏବଂ ଶାଖା ପ୍ରତିଷ୍ଠା କରିବେ। ରାଜ୍ୟ ଓ ଜାତୀୟ ସ୍ତର ଦଳମାନେ ଅର୍ଥ ଶକ୍ତି ଦ୍ବାରା ଗ୍ରାମ୍ୟ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବେ। ଏହାଦ୍ବାରା ଭାଇ ଭାଇ ମଧ୍ୟରେ କନ୍ଦଳ ସୃଷ୍ଟି ହେବ। ହିଂସାର ବାତାବରଣ ସୃଷ୍ଟି ହେବ। ଏକତା ଅଭାବରେ ହଜାର ହଜାର ବର୍ଷ ଧରି ଚାଲିଥିବା ଗ୍ରାମ୍ୟ ସମାଜ ଭାଙ୍ଗିରୁଜି ଯିବ। ଗାଁ ପ୍ରତି ନିଷ୍ଠା ଓ ଆନୁଗତ୍ୟ ନ ରହି, ଦଳ ପ୍ରତି ରହିବ। ରାତି ପାହିଲେ ନିତି ମୁହଁ ଦେଖା ପଡ଼ୋଶୀ ପରସ୍ପର ବିରୋଧୀ ଓ ଶତ୍ରୁ ପାଲଟିବେ। ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ପରିକଳ୍ପନା ଧ୍ବଂସ ପାଇବ। ଗ୍ରାମ ସଭା ଓ ପଂଚାୟତରେ ଦଳୀୟ ରାଜନୀତି ପ୍ରବେଶ କରିବ। ଏହି କାରଣରୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ଦଳମୁକ୍ତ ନିର୍ବାଚନ ଓ ଗଣତନ୍ତ୍ରର ପକ୍ଷଧର ଥିଲେ। ପ୍ରାଚୀନ ଭାରତରେ ଗାଁ ଲୋକେ ପଂଚମାନଙ୍କୁ ବାଛୁଥିଲେ ଗ୍ରାମ ସଭାରେ। ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଉଥିଲା। ଚୟନ ପ୍ରକ୍ରିୟାରେ ବ୍ୟକ୍ତିଙ୍କ ଚରିତ୍ର, ଯୋଗ୍ୟତା ଓ ସାମର୍ଥ୍ୟ, ନିରପେକ୍ଷତା ଉପରେ ଜୋର୍ ଦିଆଯାଉଥିଲା। ତା’ଛଡ଼ା ଗାଁରେ ସଦ୍‌ଭାବନା, ଶାନ୍ତି ଓ ପ୍ରଗତି ପାଇଁ ପଂଚମାନେ କାମ କରୁଥିଲେ। ଗ୍ରାମ୍ୟ କଳହ, ବିବାଦ ପରସ୍ପର ଆଲୋଚନା ମାଧ୍ୟମରେ ସମାଧାନ ହେଉଥିଲା। ହିମାଚଳ ପ୍ରଦେଶର ମାଲାଣା ଗ୍ରାମ ଥିଲା ପୃଥିବୀର ସବୁଠାରୁ ପୁରୁଣା ଗ୍ରାମ୍ୟ ଗଣତନ୍ତ୍ର। ଏବେ ଆମ ଦେଶରେ ପ୍ରାୟ ଚାରି କୋଟି କେସ୍ ଅସମାହିତ ହୋଇ ପଡ଼ି ରହିଚି। ତା’ ଭିତରେ ରହିଚି ଅନେକ ନିର୍ବାଚନ ସଂପର୍କିତ ମାଲି ମକଦ୍ଦମା।

ସବୁଠାରୁ କୌତୂହଳର ବିଷୟ ଯେ ଏବେ ପଂଚାୟତ ବାସିନ୍ଦାଙ୍କ ଅପେକ୍ଷା ପଲିଟିକାଲ୍ ପାର୍ଟିମାନେ ପଂଚାୟତ ନିର୍ବାଚନରେ ଅଧିକ ସକ୍ରିୟ; ଅଧିକ ଆଗ୍ରହୀ। ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଛାତ୍ର-ସଂଘ ଓ କ୍ୟାଂପସ୍ ସବୁ ହେଲେଣି ରାଜନୈତିକ ଦଳମାନଙ୍କର ଆଡ୍‌ଡା, ନର୍ସରି ଓ କ୍ରୀଡ଼ା ସ୍ଥଳୀ। ଫଳରେ ସମାଜର ସବୁ ବର୍ଗ, ଶ୍ରେଣୀ ଓ ସ୍ତରରେ ଦଳୀୟ ରାଜନୀତିକରଣ ଆମକୁ ଗ୍ରାସ କରିଚି। ଗାନ୍ଧୀ ଏପରି ବିଚାରର ପକ୍ଷଧର ନ ଥିଲେ। ସେଇ ଅନୁସାରେ ତିନି ସ୍ତରୀୟ ପଂଚାୟତିରାଜରେ କୌଣସି ସ୍ତର ଅନ୍ୟ ସ୍ତର ଠାରୁ ବଡ଼ ବା ଛୋଟ ନୁହେଁ। ଏମାନେ କେହି ସରକାରଙ୍କ ବା ଶାସକ ଦଳର ବୋଲକରା ବା ଏଜେଣ୍ଟ୍ ନୁହନ୍ତି। ଏବଂ ସବୁ ସରକାରୀ କାର୍ଯ୍ୟକ୍ରମ ଚଳାଇବା ପାଇଁ ଏମାନଙ୍କର ଯୋଗ୍ୟତା, କ୍ଷମତା ଓ ଦକ୍ଷତା ନାହିଁ। ସେହି କାରଣରୁ ଗାନ୍ଧୀ ତାଙ୍କ ଆଶ୍ରମରେ କର୍ମୀମାନଙ୍କୁ ଆଗ ତାଲିମ ଦେଉଥିଲେ। କାରଣ ପଂଚାୟତ ଓ ପାର୍ଲାମେଣ୍ଟ୍‌ର କାର୍ଯ୍ୟ ପ୍ରଣାଳୀ ଅଲଗା। ତଣ୍ଟିକଟା ପ୍ରତିଯୋଗିତା, ପ୍ରତିଦ୍ବନ୍ଦ୍ବୀ, ବିପକ୍ଷ, ବିରୋଧୀ ଦଳ ସଂସ୍କୃତି ଗ୍ରାମ ପଂଚାୟତରେ କାମ କରେ ନାହିଁ। ପଂଚାୟତରେ ସବୁ ସଭ୍ୟ ସହଭାଗୀ ଓ ସହଯୋଗୀ। ତେଣୁ ଏଠି ଦଳମାନଙ୍କ ରାଜନୈତିକ ପ୍ରାଥମିକତା ଓ ଜାତୀୟ ତଥା ରାଜ୍ୟ ସ୍ତରୀୟ ଏଜେଣ୍ଡା ବା ଆନୁଗତ୍ୟ ବିପରୀତ ପରିସ୍ଥିତି ସୃଷ୍ଟି କରେ। ଗ୍ରାମର ଏକତା ଓ ସମୂହ ସ୍ବାର୍ଥକୁ ଆଘାତ କରିଥାଏ। ଗୋଷ୍ଠୀ ଉନ୍ନୟନ, ସମାଜ ମଙ୍ଗଳ ଓ ସର୍ବୋଦୟ ବିଚାର ଧାରା ଦୁର୍ବଳ ହୋଇଯାଏ। ଉଦାହରଣ ସ୍ବରୂପ ଏକ ୨୦ ୱାର୍ଡ ମେମ୍ବର ଥିବା ପଂଚାୟତରେ ଦଳୀୟ ଟିକଟରେ ଜିତିଥିବା ୧୧ ଜଣ ମେମ୍ବର ପଂଚାୟତ‌ର ଭାଗ୍ୟ ନିର୍ଦ୍ଧାରଣ କରିଥା’ନ୍ତି। ସମିତି ଓ ପରିଷଦରେ ମଧ୍ୟ ଏପରି ଘଟେ। ରାଜନୀତିର ବିଜୟ ଓ ଲୋକନୀତିର ପରାଜୟ ହୁଏ। ଗ୍ରାମର ସମୂହ ସ୍ବାର୍ଥ ବଳି ପଡ଼େ। ମନେରଖିବାକୁ ହେବ ରାଜ୍ୟର ସ୍ବାର୍ଥ ପାଇଁ ବିଧାନସଭା ଓ ରାଜ୍ୟସଭା ଏବଂ ଦେଶର ସ୍ବାର୍ଥ ଓ ବିକାଶ ପାଇଁ ଲୋକସଭା ରହିଚି। ତେଣୁ ଗ୍ରାମର ସ୍ବାର୍ଥ ପାଇଁ ପଂଚାୟତ କ୍ଷେତ୍ର ଦଳମୁକ୍ତ ରହିବା ଆବଶ୍ୟକ। ଏହା ଦ୍ବାରା ଗ୍ରାମାଂଚଳ ପଂଚାୟତମାନେ ପ୍ରକୃତ ‘ଭିଲେଜ୍ ରିପବ୍ଲିକ୍‌’ ଭାବରେ କାମ କରିପାରିବେ। ଦଳମୁକ୍ତ ପଂଚାୟତକୁ ଅର୍ଥବଳ, ବାହୁବଳ ପ୍ରଭାବିତ କରି ପାରିବ ନାହିଁ। ବୋଧହୁଏ ଏଇ ଦୃଷ୍ଟିରୁ ମୂଳ ସଂବିଧାନରେ ରାଜନୈତିକ ଦଳ କଥା ଉଲ୍ଲେଖ ନାହିଁ। ଆମେରିକା ସଂବିଧାନ ବି ଏ ସଂପର୍କରେ ନିରବ।

ଏ ବିଷୟରେ ସବୁ ରାଜନୈତିକ ଦଳ ଏକମତ ନୁହନ୍ତି। ଏମାନଙ୍କ ମତରେ ଗ୍ରାମ୍ୟ ରାଜନୀତି ପ୍ରତି ଉଦାସୀନ ରହିବା ସକ୍ରିୟ ରାଜନୈତିକ ଦଳ ପକ୍ଷରେ ସଂଭବପର ନୁହେଁ। ସେହିପରି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ସୁଫଳ ପ୍ରତ୍ୟେକ ନାଗରିକଙ୍କୁ ମିଳିବା ଆବଶ୍ୟକ। ଏହି ପ୍ରକ୍ରିୟାରୁ ପଂଚାୟତକୁ ଅଲଗା କରି ରଖିହେବ ନାହିଁ। ସବୁ ନାଗରିକଙ୍କ ଭଳି ପଂଚାୟତ ପରିଧିରେ ବାସ କରୁଥିବା ନାଗରିକମାନଙ୍କର ବି ‘ନାସ୍‌ନାଲ୍ ଆଉଟ୍‌ଲୁକ୍’ (ରାଜ୍ୟ ବା ଦେଶର ରାଜନୀତି ନେଇ ସାଧାରଣ ଜ୍ଞାନ) ପ୍ରସାରିତ ହେବା ଦରକାର। ଏମାନେ ସର୍ବସମ୍ମତିକ୍ରମେ ପ୍ରତିନିଧି ନିର୍ବାଚନକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଆମ୍ବେଦକରଙ୍କ ବିଚାର ଧାରା ଏହା ଠାରୁ ଅଲଗା। ସେ କହନ୍ତି ଭାରତରେ ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଅବାସ୍ତବ। ଏଠି ଗ୍ରାମ ଅଛି କିନ୍ତୁ ସମାଜ ନାହିଁ। କାରଣ ସମାଜ ବିଭିନ୍ନ ଜାତି, ସଂପ୍ରଦାୟରେ ବିଭକ୍ତ। ତଥାକଥିତ ଉଚ୍ଚ ବର୍ଗର ଲୋକେ ପଂଚାୟତକୁ ପ୍ରଭାବିତ କରିଥା’ନ୍ତି। ଏପରି ପରିବେଶରେ ସାମଗ୍ରିକ ସାମାଜିକ ଚେତନାର ବିକାଶ ହୋଇପାରେ ନାହିଁ। ଏବଂ ଏହି କାରଣରୁ ଆମେ ଦେଶରେ ସର୍ବୋଦୟ ସମାଜ ଗଢ଼ିପାରିଲେ ନାହିଁ। ଏହା କେତେ ସତ୍ୟ କହି ହେବ ନାହିଁ। କାରଣ ଆମ ଦେଶର ଅନେକ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳ ଜାତି, ଧର୍ମ ଓ ସଂପ୍ରଦାୟ କୈନ୍ଦ୍ରିକ। ଏମାନେ ଗଣତନ୍ତ୍ର ସଂପର୍କରେ ଲମ୍ବା ଭାଷଣ ଦିଅନ୍ତି କିନ୍ତୁ ନିଜ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନ ଥାଏ। ସୂଚନା ଅଧିକାର ଲାଗୁ କରିବାକୁ ବିରୋଧ କରନ୍ତି। ଦଳ ଓ ନିର୍ବାଚନ ପାଇଁ ଖର୍ଚ୍ଚର ଅଡିଟ୍ କରାଇବାକୁ ଅମଙ୍ଗ। ନିର୍ବାଚନ ଋତୁରେ ଦଳ ବଦଳ ବ୍ୟାପକ ଓ ବାରମ୍ବାର। ପ୍ରତିଷ୍ଠିତ ଦଳମାନେ ବି ଏ ରୋଗରୁ ମୁକ୍ତ ନୁହନ୍ତି। ଏହି ସଂସ୍କୃତି ପଂଚାୟତ ସ୍ତରକୁ ବ୍ୟାପିଲାଣି। ଏବେ ସୁପ୍ରିମ୍ କୋର୍ଟ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି କି ସେମାନେ ପାର୍ଟି ୱେବ୍‌ସାଇଟ୍‌ରେ ଅପରାଧ ଇତିହାସ ଥିବା କର୍ମକର୍ତ୍ତା ଓ ସଭ୍ୟଙ୍କର ନାମ ରଖନ୍ତୁ। ଯଦି ଗଙ୍ଗୋତ୍ରୀ ପ୍ରଦୂଷିତ, ଗଙ୍ଗା ସଫା ରହି ପାରିବ ନାହିଁ।

ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ପାର୍ଟିଲେସ୍ ବା ଦଳବିହୀନ ପଂଚାୟତ ଏବେ ଏକ କପଟାଚାର ଓ ପ୍ରହସନରେ ପରିଣତ ହେଲାଣି। ନିର୍ଦଳୀୟ ନିର୍ବାଚନ ପଛରେ ଥିବା ଦର୍ଶନ ଓ ବିଚାରକୁ ରାଜ୍ୟମାନେ ଓ ରାଜନୈତିକ ଦଳମାନେ ବୁଝୁ ନାହାନ୍ତି। ଯେଉଁ କେତେକ ପ୍ରାର୍ଥୀ ନିଜକୁ ନିର୍ଦଳୀୟ ରଖୁଛନ୍ତି, ସେମାନେ ନିର୍ବାଚନରେ ହାରି ଯାଉଛନ୍ତି। ଏମାନେ ମଦ, ମାଂସ, ଶାଢ଼ି, ବ୍ଲାଉଜ୍, କୁଙ୍କୁମ, ସିନ୍ଦୂର, କ୍ୟାସ୍ ବାଣ୍ଟି ପାରୁ ନାହାନ୍ତି। ଆଉ କେତେକ ହିଂସା, ଦ୍ବେଷକୁ ଡରି ମନୋନୟନ ପରେ ପରେ ଗାଏବ୍ ହେଇ ଯାଉଛନ୍ତି। ନିୟମ ଅନୁସାରେ କେବଳ ଜିଲ୍ଲା ପରିିଷଦ ପାଇଁ ଦଳୀୟ ନିର୍ବାଚନ ସକାଶେ ବାରଣ ନାହିଁ। ଏବଂ ପଂଚାୟତ ସମିତି ତଥା ଗ୍ରାମପଂଚାୟତ ନିର୍ବାଚନ ପାଇଁ ଦଳମାନଙ୍କୁ ଅନୁମତି ନାହିଁ। ଆଉ ଏକ ଅଧ୍ୟୟନ ଅନୁସାରେ କେତେକ କ୍ଷେତ୍ରରେ ପଂଚାୟତ ସଭ୍ୟ ପଦ ନିଲାମ ବି ହେଉଚି। ଏଥିପାଇଁ ଦଳୀୟ କର୍ମୀମାନଙ୍କୁ ଭୋଟ ବିକାକିଣା କାମରେ ଲଗା ଯାଉଛି। ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନବାଡ଼ି କର୍ମୀମାନଙ୍କ ସାହାଯ୍ୟ ନିଆଯାଉଛି। ଏଥିପାଇଁ ଦଳୀୟ କର୍ମୀମାନେ ଆଗରୁ ଡେରା ପକାଇ ରହୁଛନ୍ତି। ଏହା ସତ୍ତ୍ବେ ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଯେଉଁ ପଂଚାୟତ ସର୍ବସମ୍ମତିକ୍ରମେ ପ୍ରାର୍ଥୀ ଚୟନ କରୁଛନ୍ତି, ସେ ପଂଚାୟତକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପୁରସ୍କାର ବ୍ୟବସ୍ଥା କରିଛନ୍ତି। ମହିଳା, ଶିକ୍ଷିତ ଓ ପଛୁଆ ବର୍ଗ ବହୁ ସଂଖ୍ୟାରେ ଭୋଟ ଦାନ କେନ୍ଦ୍ରକୁ ଆସୁଛନ୍ତି। ଆଉ ଏକ ଅଧ୍ୟୟନ ଅନୁସାରେ ଯେଉଁ ଗ୍ରାମ ପଂଚାୟତ ସ୍ତରୀୟ ନିର୍ବାଚନରେ ରାଜନୈତିକ ଦଳମାନେ ପରଦା ପଛରେ ରହି ସକ୍ରିୟ ଭାଗ ନେଉଛନ୍ତି, ସେଠାରେ ଅଧିକ ମାତ୍ରାରେ ଗ୍ରାମ୍ୟ କଳହ ଓ ହିଂସା ଘଟୁଛି। ଦେଶରେ ଅଛନ୍ତି ଅଢ଼େଇ ଲକ୍ଷ ଗ୍ରାମ ପଂଚାୟତ। ଓଡ଼ିଶାରେ ପ୍ରାୟ ସାତ ହଜାର। ଏମାନେ ସଚେତନ, ସକ୍ରିୟ, ସ୍ବାବଲମ୍ବୀ ହେଲେ ଭାରତୀୟ ଗଣତନ୍ତ୍ର ସୁରକ୍ଷିତ ରହିବ। ଏମାନେ ରାଜନୀତି ଦ୍ବାରା ପ୍ରଭାବିତ ନ ହୋଇ ତାକୁ ସୁଧାରି ପାରିବେ। ଆଜି ସେଇ ଗାଁର ଶରୀର ଓ ଆତ୍ମା କ୍ଷତବିକ୍ଷତ। ପଂଚାୟତଗୁଡ଼ିକ ବିକାଶର କେନ୍ଦ୍ର ନ ହୋଇ କ୍ଷମତାର କେନ୍ଦ୍ର ହୋଇଗଲେ ଦେଶର ଭବିଷ୍ୟତ ଅନ୍ଧକାର। ଗାନ୍ଧୀଙ୍କ ଝୁଲା ମୁଣିରେ ଏହାର ଉପଚାର ରହିଚି।
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର