ଭଗବାନପ୍ରକାଶ

Advertisment

ପ୍ରାକ୍ ଐତିହାସିକ ଯୁଗର ପୁରୁଣା କଥା। ପୁରୁଣାକୁ ଖୋଜିଲେ, ଖୋଳିଲେ, ବୁଝିଲେ ନୂଆ ନୂଆ ତଥ୍ୟ, ସତ୍ୟ, ମତ, ଅଭିମତ ପଦାକୁ ଆସେ। ସେମିତି ସିନ୍ଧୁ ଉପତ୍ୟକାର ହରପ୍ପା ମହେଞ୍ଜୋଦାରୋ ପ୍ରତ୍ନତାତ୍ତ୍ବିକ ଖୋଦନ ବେଳେ ମିଳିଥିଲା ପ୍ରାୟ ଦଶ ହଜାରରୁ ଅଧିକ ପ୍ରାକ୍ ଐତିହାସିକ ଯୁଗର ଅମୂଲ୍ୟ ନମୁନା। ଆର୍ଯ୍ୟାବର୍ତ୍ତର ଭୂଗୋଳ, ଇତିହାସ, ଉତ୍ପତ୍ତି, ସଭ୍ୟତା, ସଂସ୍କୃତି ସଂପର୍କରେ ବିରଳ ତଥ୍ୟ। ଆର୍ଯ୍ୟମାନେ ବାହାରୁ ଭାରତକୁ ଆସିଥିଲେ ନା ଭାରତରୁ ବାହାରକୁ ଯାଇଥିଲେ- ସେ ବିଷୟରେ ଚାଲିଥିବା ତର୍କ, ବିତର୍କ ଓ ବିବାଦ ବିତଣ୍ଡାର ଚରିତ୍ର ବଦଳି ଯାଇଥିଲା। ଯେଉଁ ଘଟଣାଟି ଐତିହାସିକମାନଙ୍କୁ ମତ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲା, ତାହା ଥିଲା- ମାଟି ତଳେ ପୋତି ହୋଇ ରହିଥିବା ନୃତ୍ୟ ମୁଦ୍ରାରେ ଜଣେ ବାଳିକାର କାଂସ୍ୟ ମୂର୍ତ୍ତି। ସିନ୍ଧୁ ସଭ୍ୟତାର ମୂଳପୀଠ ହରପ୍ପା ମହେଞ୍ଜୋଦାରୋରୁ ଆବିଷ୍କୃତ ଏହି ବ୍ରୋଞ୍ଜ ଧାତୁ ନିର୍ମିତ ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ସାଢ଼େ ଚାରି ଫୁଟ। ନର୍ତ୍ତକୀର ଶରୀରରେ ନ ଥିଲା ବସ୍ତ୍ର। ଶରୀର ଗଠନ, ମୂଖ ଓ ‘ନାସା’ର ଆକୃତି ପ୍ରକୃତିରୁ ଅନୁମାନ କରାଗଲା ସେ ବୋଧହୁଏ ଏକ ସୁନ୍ଦରୀ, ଚେପ୍‌ଟା ନାକୀ, ଆଦିବାସୀ କିଶୋରୀ ହୋଇଥିବେ। ପୂରା ହାତରେ ଥିଲା କଂସାର ଚୁଡ଼ି। ଗୋଟିଏ ହାତ ଅଣ୍ଟା ଓ ଆରଟି ଜଂଘ ଉପରେ ସ୍ଥାପିତ। ନାଭି ତଳକୁ ଦୀର୍ଘ ବଳିଷ୍ଠ ଜନ‌େନନ୍ଦ୍ରିୟ, ଉନ୍ନତ ବକ୍ଷ ଓ ବେକରେ ପତଳା କାଂସ୍ୟ ମାଳ। ବାମ ହସ୍ତରେ ଚବିଶ ପଟ ଚୁଡ଼ି ଓ ଦକ୍ଷିଣ ହସ୍ତରେ ଚାରି ପଟ। ମୁଦ୍ରା, ଢଙ୍ଗ, ହାବଭାବ ଓ ଅଙ୍ଗ ବିନ୍ୟାସରୁ ଜଣାପଡୁଥିଲା ଜଣେ ପୋଖତ, ପେସାଦାର ନୃତ୍ୟାଙ୍ଗନା ହୋଇଥିବେ। ପ୍ରତ୍ନତତ୍ତ୍ବବିତ୍ ମହଲରେ ଚହଳ ସୃଷ୍ଟି କରିଥିବା ଏହି ଧାତୁ ନିର୍ମିତ ମୂର୍ତ୍ତିକୁ କୁହାଗଲା ‘ଡାନ୍‌ସିଙ୍ଗ ଗାର୍ଲ’ ବା ‘ନୃତ୍ୟରତା ବାଳିକା’। ଏହା ଆଉ ଥରେ ପ୍ରମାଣିତ କଲା ଭାରତୀୟ ଆ‌ର୍ଯ୍ୟ ସଭ୍ୟତା କାଂସ୍ୟଯୁଗ ଠାରୁ ପୁରୁଣା। ଆର୍ଯ୍ୟମାନେ ପ୍ରବାସୀ ନୁହନ୍ତି, ଦେଶୀ। ଦିଲ୍ଲୀ ରାଷ୍ଟ୍ରୀୟ ସଂଗ୍ରହାଳୟ ଓ ପାକିସ୍ତାନ ଲାହୋରସ୍ଥିତ ସଂଗ୍ରହାଳୟରେ ଏହିପରି ବହୁ ପ୍ରମାଣ ରହିଚି। ଅନେକ ଧାତୁ ନିର୍ମିତ ମୂର୍ତ୍ତିର ବଡ଼ ବଡ଼ ଆଖି, ଲମ୍ବା ହାତ, କୁଞ୍ଚୁକୁଞ୍ଚିଆ କେଶ, ବନ୍ଧା ବେଣୀ। ଏ ସବୁର ଉତ୍ତରାଧିକାର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ।
ହରପ୍ପା ସିନ୍ଧୁ ସଭ୍ୟତା ବଞ୍ଚି ରହିଥିଲା ପ୍ରାୟ ୭୦୦ ବର୍ଷ। ଏହା ପରେ ଲଗାତର ମରୁଡ଼ି, ଦୁର୍ଭିକ୍ଷ ଓ ଅନ୍ୟାନ୍ୟ କାରଣରୁ ଏହି ପ୍ରାଚୀନ, ପ୍ରାକ୍‌ ଐତିହାସିକ ସଭ୍ୟତା କ୍ରମେ ଲୋପ ପାଇଥିଲା। ବିଶେଷଜ୍ଞମାନେ କହନ୍ତି, ଆଜିକୁ ୨୦,୦୦୦ରୁ ୪୫,୦୦୦ ବର୍ଷ ପୂର୍ବେ ପୃଥିବୀର ଅଧିକାଂଶ ଲୋକ ଦକ୍ଷିଣ ଏସିଆରେ ରହୁଥିଲେ। ୧୯୨୦ ମସିହାରେ ଲୁପ୍ତ ସିନ୍ଧୁ ସଭ୍ୟତାର ପ୍ରତ୍ନତାତ୍ତ୍ବିକ ଖୋଦନ ଆରମ୍ଭ ହୋଇଥିଲା ଓ ଅନେକ ନୂଆ ନୂଆ ମୂଲ୍ୟବାନ ତଥ୍ୟ ଲୋକଲୋଚନକୁ ଆସିଥିଲା। ଏକବିଂଶ ଶତାବ୍ଦୀର ଆରମ୍ଭରେ ଡି.ଏନ୍.ଏ. ବା ଜୀବଦେହ ଗଠନ ଓ କ୍ରିୟାକଳାପ ସଂପର୍କରେ ଅଧିକ ଗବେଷଣାଲବ୍‌ଧ ଜ୍ଞାନ ଦ୍ବାରା ଜଣାପଡ଼ିଲା ସମଗ୍ର ଜୀବଜଗତ୍‌ ଗୋଟିଏ ସୂତ୍ରରେ ବନ୍ଧା ଓ ଗୋଟିଏ ମା’ର ସନ୍ତାନ। ଜନସଂଖ୍ୟା ବିଜ୍ଞାନ ଏହାକୁ ଚାରି ପ୍ରକାରରେ ବିଭକ୍ତ କରିଚି: ପ୍ରଥମ ପ୍ରକାରଟି ହେଉଛି ‘ମାଇଗ୍ରେସନ୍’ ବା ସ୍ଥାନାନ୍ତର ବା ବାହ୍ୟାଞ୍ଚଳ ଗମନ। ଏହାର କାରଣ ଥିଲା ବାରମ୍ବାର ଜଳବାୟୁ ଓ ଋତୁ ପରିବର୍ତ୍ତନ। ଏହା ୭୦ ହଜାର ବର୍ଷ ପୂର୍ବେ ଘଟିଥିଲା। ଏହି ସମୟରେ ଅନେକ ଅାଫ୍ରିକୀୟ ଲୋକ ମଧ୍ୟପ୍ରାଚ୍ୟ, ଆରବ ଓ ଏସିଆକୁ ପଳାଇ ଆସିଥିଲେ। ଷାଠିଏ ହଜାର ବର୍ଷ ପୂର୍ବେ ସେମାନେ ଭାରତରେ ପହଞ୍ଚିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଥିଲା ହିମ ଯୁଗ, ପ୍ରାୟ ୧୨-୧୫ ହଜାର ବର୍ଷ। ଏହା ପରେ ଜଳବାୟୁ କ୍ରମେ ଉଷ୍ମ ହେବାରୁ ଲୋକେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଉଦାହରଣ ସ୍ବରୂପ ଭାରତ, ଚାଇନା, ଇଜିପ୍‌ଟ ଓ ମେସୋପଟାମିୟା ଅଞ୍ଚଳରେ ଆରମ୍ଭ ହୋଇଥିଲା ଶସ୍ୟ ଉତ୍ପାଦନ ଓ ବସବାସ। ତା’ ସହିତ କ୍ରମାଗତ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଏବଂ ସେମାନଙ୍କୁ ଧାରଣ କରିବା ଲାଗି ଅଧିକରୁ ଅଧିକ ନାତିଶୀତୋଷ୍ଣ କୃଷି ସହାୟକ ଜଳବାୟୁ ଅଞ୍ଚଳ ସାମିଲ ହୋଇଥିଲେ। କୁହାଯାଏ, ଆବଶ୍ୟକତା ଆବିଷ୍କାରର ଜନନୀ। ଏହି ପ୍ରକ୍ରିୟାରେ କୃଷି ଯୋଗ୍ୟ ଅଞ୍ଚଳ ଓ ଜନସଂଖ୍ୟା ବଢ଼ି ବଢ଼ି ଏସିଆକୁ ଅନ୍ତର୍ଭୁକ୍ତ କଲା ଓ ତା’ ପରେ ୟୁରୋପର ପାଳି ନ’ହଜାର ବର୍ଷ ପୂର୍ବେ। ସେମିତି ଚାଇନାରେ ଆରମ୍ଭ ଦେଶାନ୍ତର ଗମନ କ୍ରମେ ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ପୂର୍ବ ଏସୀୟ ଦ୍ବୀପପୁଞ୍ଜ ଡେଇଁ ପହଞ୍ଚିଲା ଅଷ୍ଟ୍ରେଲିଆ ଅଞ୍ଚଳରେ।
ଜଳବାୟୁ, ସ୍ଥାନ ତ୍ୟାଗ, ଦେଶାନ୍ତର ଗମନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା କେନ୍ଦ୍ରୀୟ ଏସିଆରେ। ଏହାର ମୁଖ୍ୟ କାରଣମାନଙ୍କରେ ଥିଲା- ଧାତୁ ବିଦ୍ୟା, ଧାତୁରେ ଅସ୍ତ୍ରଶସ୍ତ୍ର ନିର୍ମାଣ କୌଶଳ, ଏବଂ କୃଷି ତଥା ଯୁଦ୍ଧ ପାଇଁ ଗୃହପାଳିତ ପଶୁ ତଥା ଅଶ୍ବ ଶକ୍ତିର ବ୍ୟବହାର। ଅଶ୍ବ ଶକ୍ତି ପ୍ରୟୋଗ ଦ୍ବାରା ଲୋକେ ବିଶ୍ବର ବିଭିନ୍ନ ଅଞ୍ଚଳକୁ ସହଜରେ ଓ ଶୀଘ୍ର ଯାତାୟାତ କରିପାରିଲେ। ରାଜା, ମହାରାଜାମାନେ ଦିଗ୍‌ବିଜୟ କରି ନୂଆ ସାମ୍ରାଜ୍ୟ ପ୍ରତିଷ୍ଠା କଲେ। ଅାଲେକ୍‌ଜାଣ୍ଡର ଓ ଚେଙ୍ଗିଜ ଖାଁଙ୍କ ଭଳି ଶାସକମାନେ ସାମ୍ରାଜ୍ୟ ବିସ୍ତାର କଲେ। କ୍ରମେ ଅଜଣା ଭୂଖଣ୍ଡ ଆବିଷ୍କାର ଲାଗି ସାମୁଦ୍ରିକ ଅଭିଯାତ୍ରା ଆରମ୍ଭ ହେଲା। କଂପାନିମାନେ ଉପନିବେଶ ସ୍ଥାପନ କଲେ। ମିଳାମିଶା ତଥା ଭାବର ଆଦାନପ୍ରଦାନ ବଢ଼ିଲା। ଭାଷା, ସଂସ୍କୃତି ପ୍ରଭାବିତ ହେଲା। ଏହା ପରେ ପରେ ଦେଶାନ୍ତର ଯାତାୟାତର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେଲା, ଯାହା ଏବେ ବି ଜାରି ରହିଚି। ଆଧୁନିକ ମଣିଷ ପଶୁ ଶକ୍ତିକୁ ପଛରେ ପକାଇ ବାଷ୍ପ ଶକ୍ତି, ବାୟୁ ଶକ୍ତି, ଯନ୍ତ୍ର ଶକ୍ତି, ବିଦ୍ୟୁତ୍ ଶକ୍ତି ଦ୍ବାରା ଅନେକ ଉପଲବ୍‌ଧି ହାସଲ କରୁଛି ଏବଂ ପରସ୍ପର ନିକଟତର ହୋଇପାରିଛି। ବିଜ୍ଞାନ ଓ ଉପନିବେଶବାଦର ଫଳଶ୍ରୁତି ସ୍ବରୂପ ଏବେ ସାରା ପୃଥିବୀ ପରସ୍ପର ସହିତ ଏଭଳି ସଂଯୋଜିତ ଯେ ପୃଥିବୀକୁ କୁହାଯାଉଚି ଏକ ବଡ଼ ପରିବାର, ‘ଜାଏଣ୍ଟ ଫାମିଲି’। ଲକ୍ଷାଧିକ ବର୍ଷ ପୂର୍ବେ ଭାରତୀୟମାନେ ବ୍ୟବହାର କରୁଥିବା ପ୍ରସ୍ତର ନିର୍ମିତ ଅସ୍ତ୍ର ଏବେ ଚେନ୍ନାଇରେ ଆବିଷ୍କୃତ ହୋଇଛି।
କୃଷି ପାଇଁ ଏକାଠି ରହିବାର ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା ପରିବାର। ସଂପତ୍ତି ଓ ପରିବାରକୁ ଏକାଠି ରଖିବା ପାଇଁ ସୃଷ୍ଟି ହେଲା ଅନ୍ତର୍ବିବାହ, ନିଜ ରକ୍ତ ସଂପର୍କୀୟଙ୍କ ମଧ୍ୟରେ ବିବାହ, ‘କନ୍‌ସାଂଗୁଇନ୍‌ ମ୍ୟାରେଜ୍‌’ ଓ ତା’ ପରେ ପରେ ସୃଷ୍ଟି ହେଲା ଜାତି, ସଂପ୍ରଦାୟ ଇତ୍ୟାଦି। ସେମିତି ପରବର୍ତ୍ତୀ କାଳରେ ଅଦୃଶ୍ୟ ଶକ୍ତିର ପ୍ରଭାବ ଓ ଭୟରୁ ରକ୍ଷା ପାଇବା ପାଇଁ ସୃଷ୍ଟି ହୋଇଥିଲା ଈଶ୍ବର ବିଶ୍ବାସ ଓ ଧର୍ମ। ସେଇ ଧର୍ମ ଓ ଜାତି ବିଶ୍ବାସରେ ବାଣ୍ଟି ହୋଇଗଲା ପୃଥିବୀ। ପ୍ରକୃତି ଓ ପରିବାର ଅଲଗା ହେଇଗଲେ। ଏପରି କାରଣରୁ ଭାରତକୁ ଏବେ କୁହାଯାଉଚି ‘ଡେମୋଗ୍ରାଫିକ୍ ପିଜା’- ବିବିଧତାରେ ଏକତାର ଦେଶ (ଟୋନି ଯୋସେଫ୍)। ଯେମିତି ‘ପିଜା’ର ମୌଳିକ ଆଧାର ହେଲା ଅଟା ଓ ମଇଦା ଏବଂ ତାକୁ ସ୍ବାଦିଷ୍ଠ କରିବା ପାଇଁ ତା’ର ଉପର ଭାଗରେ ଦିଆଯାଇଥାଏ ଛତୁ, ପନିର୍, କାପ୍‌ସିକମ୍, ଟମାଟୋ, ସବୁଜ ମକା, ମଟର ମଞ୍ଜି, ଗାଜର, ବ୍ରକଲି ଇତ୍ୟାଦି ଭଳି ପରିବା ଓ ତା’ଉପରେ ସସ୍; ସେମିତି ଇଣ୍ଡିଆନ୍ ଜନସମୂହ ଆଧାରିତ ‘ପିଜା’ର ୫୦ରୁ ୬୫ ପ୍ରତିଶତ ଅଂଶ ହେଉଛନ୍ତି ହରପ୍ପା ପରବର୍ତ୍ତୀ ଦକ୍ଷିଣ ଏସିଆର ମୂଳ ଅଧିବାସୀ। ତା’ ମଧ୍ୟରେ ‘ପିଜା ଟପିଙ୍ଗ’ ଭଳି ୨୨୦୦ ଭାଷା, ଉପଭାଷା, ଧର୍ମ, ଜାତି, ସଂପ୍ରଦାୟ, କୃଷକ, ଶ୍ରମିକ, ଆର୍ଯ୍ୟ, ଆଦିବାସୀ, ଦ୍ରାବିଡ଼ ଭଳି ବର୍ଣ୍ଣ ଓ ରୂପ ମିଶ୍ରିତ ଜନସଂଖ୍ୟା। ଏହା ମଧ୍ୟ ବର୍ଣ୍ଣଶଙ୍କରଙ୍କ ମାତୃ-ପିତୃ ଭୂମି। ପ୍ରକୃତ ଭାରତକୁ ବୁଝିବାକୁ ହେଲେ ପ୍ରାକ୍‌ ଐତିହାସିକ ଭାରତକୁ ଜାଣିବାକୁ ପଡ଼ିବ।
ବିଭିନ୍ନ ଅଞ୍ଚଳର ପ୍ରାଚୀନ ସାଂସ୍କୃତିକ ପରମ୍ପରା ଅଧ୍ୟୟନକୁ କୁହାଯାଏ ବ୍ରାହ୍ମଣ ବିଜ୍ଞାନ। ପ୍ରାଚୀନ ଭାରତୀୟମାନେ ନିଜ ମାତୃଭୂମିକୁ କହୁଥିଲେ ଜମ୍ବୁଦ୍ବୀପ। ଏବଂ ବିଶ୍ବାସ କରୁଥିଲେ ଏହା ଦେବଭୂମି। ଏଇଥିରୁ ଉତ୍ପତ୍ତି ହୋଇଛନ୍ତି ମେରୁ, ନଦୀ, ସମୁଦ୍ର, ପାହାଡ଼ ପର୍ବତ, ସୂର୍ଯ୍ୟ, ଚନ୍ଦ୍ର, ତାରା। ସେମିତି ଗ୍ରୀକ୍, ରୋମାନ୍, ମେସୋପଟାମିଆ ଭଳି ପ୍ରାଚୀନ ସଂସ୍କୃତିରେ ସୂର୍ଯ୍ୟ ଉପାସନା ଏକ ଅଙ୍ଗ। ଆଫ୍ରିକାର ମୂଳ ନାମ ଥିଲା ଆଲ୍‌କେବୁଲାନ୍- ବିଶ୍ବ ମାତା। ହରପ୍ପା ସଭ୍ୟତାର ଆଦିବାସୀ ବାଳିକା ନର୍ତ୍ତକୀର ଆବିଷ୍କାର ପରେ ବ୍ରାହ୍ମଣ ବିଜ୍ଞାନର ସ୍ବରୂପ ଓ ସଂଜ୍ଞା ବଦଳି ଯାଇଚି। ଜଗତ୍‌କରଣର ପ୍ରକ୍ରିୟା ଜାଣିବା, ବୁଝିବା ଏବେ ଅଧିକ ସହଜ। ଭବିଷ୍ୟତ୍‌କୁ ଦେଖିବା ପାଇଁ ଅତୀତ ନୂଆ ଆଖି ଦେଇଥାଏ, ଯେମିତି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିଲେ ଦିବ୍ୟ ଚକ୍ଷୁ।
ମୋ: ୯୯୩୭୦୨୭୦୧୭