ଭଗବାନପ୍ରକାଶ
୧୯୮୦ ଦଶକର କଥା। ସହଧର୍ମିଣୀ ବିନୋଦିନୀ ଦେବୀଙ୍କ ସହ ଆମେ ସପରିବାର ରାଜଧାନୀ ଦିଲ୍ଲୀରେ ରହୁଥାଉ। ସେତିକିବେଳେ ପ୍ରାକୃତିକ ଚିକିତ୍ସା ଗୁରୁ ଓ ଗାନ୍ଧୀପ୍ରେମୀ ଡ. ହୀରାଲାଲଙ୍କ ସହ ପ୍ରଥମେ ଲଜପତ ନଗରରେ ଦେଖା ହୋଇଥିଲା। ଏହି ସମୟରେ ସେ ଲୋକସେବକ କେନ୍ଦ୍ର ସହ ସଂପୃକ୍ତ ଥିଲେ ଓ ଯୋଗ ତଥା ପ୍ରାକୃତିକ ଚିକିତ୍ସାର ପ୍ରଚାର ପ୍ରସାର କରୁଥିଲେ। ପଚାଶ ବର୍ଷ ହେଲା କୌଣସି ରନ୍ଧା ଖାଦ୍ୟ ଖାଉ ନ ଥିଲେ। କହୁଥିଲେ ପ୍ରସ୍ତର ଯୁଗ ପରେ ଏବଂ ଅଗ୍ନି ଯୁଗର ଆବିଷ୍କାର ଓ ନିଅଁାର ପ୍ରୟୋଗ ଜାଣିଲା ପର ଠାରୁ ମଣିଷ ରାନ୍ଧି ଖାଇବା ଶିଖିଲା ଓ ତା’ ସହ ଆସିଲେ ବିଭିନ୍ନ ରୋଗ ଓ ଔଷଧ। ପ୍ରାଚୀନ କାଳରେ ସ୍ବାସ୍ଥ୍ୟର ସଂଜ୍ଞା ଥିଲା ଜୀବନ ବିଜ୍ଞାନ; ଅର୍ଥାତ୍ ପ୍ରକୃତି, ପରିବେଶ, ପଥ୍ୟ ଓ ପଞ୍ଚ ମହାଭୂତ ସହାୟତାରେ ମଣିଷର ଶରୀର, ମନ, ପ୍ରାଣ ଓ ଆତ୍ମାକୁ ସ୍ବାଭାବିକ ଅବସ୍ଥାକୁ ଆଣିବା। ବିନା ଔଷଧ ଓ କେବଳ ପ୍ରାକୃତିକ ଉପାୟ ଓ ଉପଚାର ଦ୍ବାରା ଶରୀର ମଧ୍ୟରେ ନୂଆ ଶକ୍ତି, ନୂଆ ଜୀବନ ସୃଷ୍ଟି କରିବା। ଇଂରେଜୀରେ ଏହି ପ୍ରକ୍ରିୟାକୁ କହନ୍ତି- ଡ୍ରଗ୍ ଲେସ୍, ହାର୍ମଲେସ୍ ହୋଲିଷ୍ଟିକ୍ ଥେରାପି, ଅର୍ଥାତ୍ ବିନା ଔଷଧ, କ୍ଷତିଶୂନ୍ୟ ସମ୍ୟକ୍ ଚିକିତ୍ସା। ମାଟି, ପାଣି, ପବନ, ଉତ୍ତାପ, ଆକାଶ, ଉଦ୍ଭିଦ, ସନ୍ତୁଳିତ ଖାଦ୍ୟ, ଆଚରଣ ଓ ଜୀବନଚାର୍ଯ୍ୟାରେ ପରିବର୍ତ୍ତନ ଆଣିବା ଦ୍ବାରା ଏହି ଚିକିତ୍ସା କରାଯାଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନଙ୍କ ଏକ ଗବେଷଣା ଓ ସର୍ଭେ ଅନୁସାରେ, ବିକାଶଶୀଳ ଦେଶମାନଙ୍କର ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ଚାରିଟି- (୧) ଓଭର ଇନ୍ଭେଷ୍ଟିଗେସନ ଅର୍ଥାତ୍ ରୋଗ ନିରୂପଣରେ ମାତ୍ରାଧିକତା, (୨) ଓଭର ପ୍ରେସ୍କ୍ରିପ୍ସନ ଅର୍ଥାତ୍ ଔଷଧ ଲେଖିବାରେ ମାତ୍ରାଧିକତା, (୩) ଓଭର ଡ୍ରଗିଙ୍ଗ ଅର୍ଥାତ୍ ଅଧିକ ଔଷଧ ପ୍ରୟୋଗ, (୪) ଓଭର ହସ୍ପିଟାଲାଇଜେସନ ଅର୍ଥାତ୍ ଡାକ୍ତରଖାନାରେ ରଖାଯିବା ପ୍ରସଙ୍ଗରେ ମାତ୍ରାତିରିକ୍ତତା। ଏହା ଦ୍ବାରା ଆବଶ୍ୟକତା ଠାରୁ ଓ ବିନା କାରଣରେ ବାରମ୍ବାର ପରୀକ୍ଷା, ପରାମର୍ଶ, ଅଧିକ ଔଷଧ ସେବନ ଦ୍ବାରା ସାଧାରଣ ଲୋକେ ସର୍ବସ୍ବାନ୍ତ େହଇ ଯାଉଛନ୍ତି। ଏ ସଂପର୍କରେ ରୋଜେନ୍ ଓ ମେହେମତ ତାଙ୍କ ଗବେଷଣା ପୁସ୍ତକ- ‘‘ୟୁ ଦି ସ୍ମାର୍ଟ ପେସେଣ୍ଟ’’ (୨୦୦୬)ରେ ଲେଖିଛନ୍ତି, ଡାକ୍ତରଖାନାରୁ ଫେରୁଥିବା ଶତକଡ଼ା ୨୫ ଭାଗ ଲୋକେ ସଂକ୍ରମିତ ହେଇ ଫେରିଥାନ୍ତି (ୟୁଏସ୍ଏ)। ତେଣୁ ଏବେ ଅନେକ ଦେଶରେ ପ୍ରାକୃତିକ ଓ ବିକଳ୍ପ ଚିକିତ୍ସା ବ୍ୟବସ୍ଥା କ୍ରମେ ଲୋକପ୍ରିୟ ହେବାକୁ ଲାଗିଲାଣି। କେବଳ ୟୁରୋପରେ ଜନସଂଖ୍ୟାର ୩୭ ଭାଗ ଲୋକ ଏବେ ଏମିତି ଶାକାହାରୀ ଯେ ପଶୁ ଠାରୁ ଉତ୍ପାଦିତ ଦୁଗ୍ଧ ବା ଦୁଗ୍ଧଜାତ ଦ୍ରବ୍ୟ ଖାଉ ନାହାନ୍ତି। ଏହାର ଅନ୍ୟ ନାମ ‘ଭିଗାନ୍’। ଯେଉଁମାନେ ଏ ବିଷୟରେ କଠୋର ନୁହନ୍ତି, ସେମାନେ ନିଜକୁ କହନ୍ତି ‘ଫ୍ଲେକ୍ସିଟାରିଆନ’। ଅତି କଠୋରବାଦୀମାନେ ପିଆଜ ରସୁଣକୁ ଆମିଷ ବୋଲି କହନ୍ତି, ଯାହାକୁ ଛୁଇଁଲେ ଦେହ ମାରା ହୋଇଗଲା ବୋଲି ଭାବନ୍ତି। ଏବେ କୁହାଯାଉଚି ଯେ ଶାକାହାରୀଙ୍କ କ୍ଷତ ମାଂସାହାରୀଙ୍କ ଅପେକ୍ଷା ଜଲଦି ଶୁଖି ଯାଏ। ତେଣୁ ପ୍ରାକୃତିକ ଜୀବନ ଓ ଭିଗାନ ସପକ୍ଷବାଦୀଙ୍କ ନୂଆ ସ୍ଲୋଗାନ ହେଲା- ଆଫେୟାର୍ ଉଇଥ୍ ଆମ୍ଲା- ଅଁଳା ସହିତ ପ୍ରେମ ଭାବ ସୃଷ୍ଟି କର; ନେଭର୍ ସେ ନୋ ଟୁ ନିମ୍- ନିମ ବା ଲିମ୍ବକୁ କେବେହେଲେ ନଁା କରନାହିଁ; ଳଭ ଦି ଲିଫ୍- ସଦାବେଳେ ଶାଗକୁ ପ୍ରେମ କର। ଶରୀର ମଧ୍ୟରେ ଥିବା ଗୁଡ୍ ବାକ୍ଟେରିଆ ବା ଉତ୍ତମ ବୀଜାଣୁ ତୁମର ପ୍ରକୃତ ବନ୍ଧୁ। ପ୍ରକୃତି ମାତାଙ୍କର ସବୁଠୁ ନିକଟରେ ରହ। ‘ଆଣ୍ଟିବାୟୋଟିକ୍ସ’ ତ୍ୟାଗ କରି ଅଧିକ ‘ପ୍ରୋବାୟୋଟିକ୍ସ’ ବ୍ୟବହାର କର। ଯେଉଁ ବୃକ୍ଷଲତା, ଗୁଳ୍ମ, ଉଦ୍ଭିଦ, ହାତ ପାହାନ୍ତା ବାଡ଼ିବଗିଚାରେ, ଘର ପାଖରେ ମିଳୁଚି, ସେଗୁଡ଼ିକ ଅଧିକ ବ୍ୟବହାର କର। ପ୍ରକୃତି ମାତାଙ୍କର ନିକଟରେ ରହିବା ହିଁ ସବୁ ରୋଗ ବିକାରର ପ୍ରଥମ ଉପଚାର। ଏବଂ ଏଥି ପାଇଁ ପ୍ରକୃତି ରାଣୀଙ୍କର ସୁପର୍ଷ୍ଟାରମାନଙ୍କୁ ଭଲ କରି ଚିହ୍ନିବା, ଜାଣିବା ଦରକାର। ଉଦ୍ଭିଦମାନେ ହେଉଛନ୍ତି ଆମ ପ୍ରାଣ ଶକ୍ତିର ଉତ୍ସ। ଏହାର ପଞ୍ଚାଙ୍ଗ- ଅର୍ଥାତ୍ ପତ୍ର, ଫୁଲ, ଫଳ, ମୂଳ, ଛେଲି ସବୁ କିଛି ଉପଯୋଗୀ। ଗୋଟିଏ ହେଲା ଅଁଳା(ଅାମ୍ଲା), ଯାହା ହେଉଛି ଭିଟାମିନ ‘ସି’ର ଏକ ବୃହତ୍ ଉତ୍ସ। ଏହାକୁ କହନ୍ତି ‘ଅମର ଫଳ’। ଏହା ନବଜୀବନଦାୟିନୀ, ଅଗ୍ନି ଉଦ୍ଦୀପକ, ପରିପାଚକ, ଅରୁଚି ନିବାରକ, ଚର୍ମ ରୋଗ ଓ ପାକ୍ ପ୍ରଣାଳୀ ପାଇଁ ଉପକାରୀ। ଭାରତରେ ‘ଅଁଳା ନବମୀ’କୁ ଏକ ପବିତ୍ର ଦିବସ ଭାବେ ପାଳନ କରାଯାଏ। ଯେପରି ପ୍ରାଚୀନ ଗ୍ରୀକ୍ମାନେ ଆପୋଲୋଙ୍କୁ ସ୍ବାସ୍ଥ୍ୟ ରକ୍ଷାର ଦେବତା ଭାବେ ପୂଜା କରିଥାନ୍ତି, ସେମିତି ଅଁଳା ନବମୀ ହିନ୍ଦୁ କ୍ୟାଲେଣ୍ଡରର ଏକ ପବିତ୍ର ଦିବସ। ଏହା ବର୍ଷର ସବୁଠାରୁ ପବିତ୍ରତମ ମଙ୍ଗଳମୟ ଦିନ। ଏହି ଦିନ ଯେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇ ପାରିବ ବୋଲି ହିନ୍ଦୁମାନଙ୍କର ବିଶ୍ବାସ। ଭାରତୀୟ ଚିକିତ୍ସା ବିଜ୍ଞାନରେ ଅଁଳାକୁ ମାତାଙ୍କ ସ୍ଥାନ ଦିଆଯାଇଚି। ‘‘କଦାଚ୍ଚିତ୍ କୁପ୍ୟତେ ମାତା, ନୋଦରସ୍ଥା ହରିତକୀ।’’ ହରିଡ଼ା, ବାହାଡ଼ା, ଅଁଳାକୁ ଆୟୁର୍ବେଦରେ କହନ୍ତି- ତ୍ରିଫଳା। ମା’ ବେଳେବେଳେ ପିଲାଙ୍କ ଉପରେ ‘କୋପ’ କରିପାରନ୍ତି, କିନ୍ତୁ ତ୍ରିଫଳା ନୁହେଁ। ପ୍ରକୃତି କୋଳରେ ରହୁଥିବା ଶାକାହାରୀ ପଶୁପକ୍ଷୀମାନେ ଏହାକୁ ଖାଦ୍ୟ ଭାବରେ ସେବନ କରନ୍ତି ଓ ନିରୋଗ ରହନ୍ତି। ଲକ୍ଷ୍ମୀଙ୍କର ନାମ ଆରୋଗ୍ୟ ଲକ୍ଷ୍ମୀ।
ମଣିଷକୁ ପ୍ରକୃତିର ଆଉ ଏକ ଅମୂଲ୍ୟ ବରଦାନ ହେଲା ଲିମ୍ବ। ବାୟୁମଣ୍ଡଳରେ ଅମ୍ଳଜାନ ସୃଷ୍ଟି ପାଇଁ ଏହାର ଅଦ୍ଭୁତ ଶକ୍ତି ଅଛି। ଲିମ୍ବ ହେଉଛି ଅଗ୍ନିବର୍ଦ୍ଧକ, ତିକ୍ତରସ, ଜୀବାଣୁ ବିନାଶକାରୀ, ରକ୍ତ ଓ ବାୟୁଶୋଧକ। ଏହାର ଛାଲି, ପତ୍ର, ଫୁଲ, ମଞ୍ଜି, କଢ଼ ସହିତ ସର୍ବାଙ୍ଗ ଔଷଧୀୟ ଗୁଣରେ ଭରପୁର। ତେଣୁ ରାସ୍ତାଘାଟରେ ବାଡ଼ିବଗିଚାରେ ଲିମ୍ବ ଗଛ ଲଗାଇବା ପାଇଁ କୁହାଯାଏ। ଲିମ୍ବ ଭଳି ଆଉ ଏକ ପରମ ହିତକାରୀ ଉଦ୍ଭିଦ ହେଉଛି ତୁଳସୀ। ଧାର୍ମିକ କ୍ଷେତ୍ରରେ ତୁଳସୀର ପ୍ରସିଦ୍ଧି ଅତୁଳନୀୟ। ଏହା କେବଳ ବିଷ୍ଣୁପ୍ରିୟା ନୁହେଁ, ଏହା ଶରୀର ପ୍ରତି କ୍ଷତିକାରକ ବୀଜାଣୁ, ଓ ବିଷର ସଂହାରକ। ସର୍ଦ୍ଦି, କାଶ, ଶ୍ବାସ, ଉଚ୍ଚ ରକ୍ତଚାପ ଓ ସ୍ତ୍ରୀରୋଗର ମହୌଷଧ। ତୁଳସୀ ପ୍ରତ୍ୟହ ଜଗନ୍ନାଥଙ୍କ ମଥା ଲାଗି ହୋଇଥାଏ। ଏହାର ଅନ୍ୟ ନାମ ଅମୃତ। ଅଧିକାଂଶ ରକ୍ଷଣଶୀଳ ହିନ୍ଦୁ ନିଜ ଘରେ, ଅଗଣାରେ ତୁଳସୀ ଚଉରା ରଖି ପୂଜାପ୍ରାର୍ଥନା କରିଥାନ୍ତି। ଥଣ୍ଡା କାଶ ହେଲେ ତୁଳସୀ ପତ୍ରର ରସରେ ମହୁ ମିଶାଇ ପାନ କରିବା ପ୍ରତ୍ୟେକ ଘରେ ଏକ ସାଧାରଣ କଥା। ଏହା ପରେ ଆସିବ ‘ସୁବର୍ଣ୍ଣ ଫଳ’ କଲରା। ଅନେକ ଔଷଧୀୟ ଗୁଣତତ୍ତ୍ବରେ ଏହା ଭରପୂର। ଏହା ମଧୁମେହର ପ୍ରତିଷେଧକ ବୋଲି ବିଚାର କରାଯାଏ। ଏହା କ୍ଷୁଧାବର୍ଦ୍ଧକ, କୃମିନାଶକ, ଖାଦ୍ୟ ନଳୀ ପରିଷ୍କାରକ। ଏହି ସୁବର୍ଣ୍ଣ ଫଳକୁ କୁହାଯାଏ ଫୁଡ୍ ମେଡିସିନ। ସେମିତି ଆଉ ଏକ ପ୍ରିୟ ଔଷଧୀୟ ଫଳ ହେଲା ବିଲ୍ବ ବା ବେଲ, ଯାହା ଦେବ ଦେବ ମହାଦେବଙ୍କର ଅତି ପ୍ରିୟ। ବୈଦିକ ଯୁଗରୁ ‘ସୁପର ଫୁଡ୍’ ଓ ଔଷଧ ଭାବେ ଏହା ବ୍ୟବହୃତ ହୋଇ ଆସୁଛି। ଖଣିଜ ଲୌହ ଓ ତନ୍ତୁରେ ଏହା ପରିପୂର୍ଣ୍ଣ। ବେଲପତ୍ର ଓ ତୁଳସୀକୁ ପ୍ରସାଦ ରୂପେ ସେବନ କରାଯାଏ, ଯାହା ମାଧ୍ୟମରେ ଶରୀର ଉପକୃତ ହୁଏ। ସେମିତି ଅମୃତଭଣ୍ଡା ହେଉଛି ଆଉ ଏକ ସୁପର ଷ୍ଟାର। ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଏହାର ନାମ- ମେଡିକାଲ ମେଲନ। ଏହା ଆଣ୍ଟିସେପ୍ଟିକ ଶକ୍ତି ଓ ଔଷଧୀୟ ତତ୍ତ୍ବରେ ପରିପୂର୍ଣ୍ଣ। ଅମୃତଭଣ୍ଡା ବା ପପାୟା ଭଳି ଆଉ ଏକ ପରମ ଉପାଦେୟ ଖାଦ୍ୟ ହେଲା ସୋୟାବିନ୍। ଦକ୍ଷିଣ ପୂର୍ବ ଏସିଆରେ ଏହାର ନାମ ହେଲା- ‘ୟେଲୋ ଜୁଏଲ’ ବା ହଳଦିଆ ରତ୍ନ। ଏହାର ରଙ୍ଗ ହଳଦିଆ। ଜାପାନୀଜମାନେ ବିଶ୍ବାସ କରନ୍ତି ସୋୟା ଉଭୟ ଶରୀର ଓ ଆତ୍ମା ପାଇଁ ଈଶ୍ବରୀୟ ଖାଦ୍ୟ। ଏହା ହେଉଛି ସବୁ ୨୨ ପ୍ରକାର ଆମିନୋ ଏସିଡ୍ର ଗନ୍ତାଘର।
ସେହିପରି ଆଉ ଏକ ଫୁଡ୍ ମେଡିସିନ ହେଲା ଲେମ୍ବୁ। ପ୍ରଚୁର ଭିଟାମିନ ‘ସି’ଯୁକ୍ତ ଲେମ୍ବୁ ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ମିଳେ। ବିନା ଲେମ୍ବୁରେ ଭାରତୀୟଙ୍କ ରୋଷେଇ ଶାଳ ଅସଂପୂର୍ଣ୍ଣ। େସମିତି ପୋଦିନା, ଧନିଆ, ଅଦା, ଜୀରା, ପତ୍ର କୋବି, ମେଥି, ପାଳଙ୍ଗ, ଖଡ଼ାଶାଗ, ଦୁବରସ, ରସୁଣ, କଦଳୀ, ମହୁ, ଦହି, ପଇଡ଼ ଏକାଠି ମିଶି ରୋଷେଇ ଘରକୁ କରିଥାନ୍ତି ପ୍ରାଇମେରି ହେଲ୍ଥ ସେଣ୍ଟର। ଭାରତକୁ କୁହାଯାଏ ଶାଗ ଓ ଯୋଗର ଦେଶ। ତେଣୁ ଆହାର ପିରାମିଡ୍ର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟି ଗୋଟି କରି ଜାଣିବା ଆବଶ୍ୟକ। ସୁସ୍ଥ ଭାରତ ଗଠନରେ ଏମାନଙ୍କ ଭୂମିକା ଅନନ୍ୟ। ଏମାେନ ହାତ ପାହାନ୍ତାରେ ଓ ସହଜ ଲଭ୍ୟ ମଧ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୨୭୦୧୭