ବିକଳ୍ପ ବିଶ୍ବ: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ

ଭଗବାନପ୍ରକାଶ

୧୯୯୯ ମସିହା କଥା। ଆଦିବାସୀ ନେତା ଗିରିଧାରୀ ଗମାଙ୍ଗ ସେତେବେଳେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ନଅ ଥର ଲୋକସଭା ସଭ୍ୟ ଭାବରେ ନିର୍ବାଚିତ ହୋଇ ରେକର୍ଡ ଭାଙ୍ଗିଥାନ୍ତି। ଏତିକିବେଳେ ଆନା ଦ୍ରାବିଡ ମୁନେତ୍ରା କାଜାଘମ ସମର୍ଥନ ପ୍ରତ୍ୟାହାର କରି ନେବାରୁ ୧୩ ମାସିଆ ବିଜେପି ଗଠବନ୍ଧନ ସରକାର ସ˚ଖ୍ୟାଲଘୁ ହୋଇଗଲା। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ଚାଲିଥିବା ସରକାର ବିରୋଧରେ କ˚ଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳ ଆଣିଲେ ଅନାସ୍ଥା ପ୍ରସ୍ତାବ। ବାଚସ୍ପତି ଥାଆନ୍ତି ଜି.ଏମ୍‌. ବାଲ୍‌ଯୋଗୀ। ମାତ୍ର ଗୋଟିଏ ଭୋଟରେ ହାରିଗଲା ସରକାର। ଶାସକ ଦଳ ପାଇଲା ୨୬୯ ଭୋଟ୍‌- ବିରୋଧୀ ଦଳ ୨୭୦। ଯେଉଁ ଶେଷ ଭୋଟ ଖଣ୍ତିକ ନିର୍ଣ୍ଣାୟକ ଥିଲା, ସେଇଟି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଗମାଙ୍ଗଙ୍କର। ସା˚ସଦ ଭାବରେ ନିର୍ବାଚିତ ହେଲା ପରେ ସେ ଲୋକସଭାରୁ ଇସ୍ତଫା ଦେଇନଥିଲେ। ଏହା ପରେ ପରେ ରାଷ୍ଟ୍ରପତି କେ.ଆର‌୍‌.ନାରାୟଣ ଲୋକସଭା ଭଙ୍ଗ କରିବାକୁ ଆଦେଶ ଦେଇଥିଲେ, କାରଣ ସୋନିଆ ଗାନ୍ଧୀ ନେତୃତ୍ବାଧୀନ ବିରୋଧୀ ଦଳ ହାତରେ ବିକଳ୍ପ ସରକାର ଗଠନ ପାଇଁ ଆବଶ୍ୟକ ସ˚ଖ୍ୟା ନ ଥିଲା। ତେର ମାସ ପରେ ଦେଶରେ ଆଉ ଥରେ ନିର୍ବାଚନ ହେଲା। ବରବାଦ ହେଲା ଦଶ ହଜାର କୋଟି ଟଙ୍କା। ବାଜପେୟୀ ପୁଣି ଜିତିଲେ ଓ ସରକାର ଗଢ଼ିଲେ। କାର‌୍‌ଗିଲ ଯୁଦ୍ଧରେ ଭାରତକୁ ଜିତାଇଲେ। ଏବ˚ ବିଡ଼ମ୍ବନାର କଥା ଯେଉଁ ଗମାଙ୍ଗଙ୍କ ଯୋଗୁ ବିଜେପି ସରକାର ଭୁଶୁଡ଼ି ପଡ଼ିଥିଲା, ପରବର୍ତ୍ତୀ କାଳରେ ସେ ନିଜେ ବିଜେପିରେ ଯୋଗ ଦେଇ ବାଜପେୟୀଙ୍କ ପ୍ରଶ˚ସକ ହେଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ଘଟଣାକୁ ତାଙ୍କ ପୁସ୍ତକ- ‘କୋଆଲିସନ୍‌ ଇଅରସ୍‌’ରେ ବର୍ଣ୍ଣନା କରିଛନ୍ତି (୨୦୧୭)।

ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅସ୍ଥିରତା ଯୋଗୁଁ ବିଧାନସଭା ବାରମ୍ବାର ଭାଙ୍ଗେ, ରାଷ୍ଟ୍ରପତି ଶାସନ ଲାଗୁ ହୁଏ ଏବ˚ ବାରମ୍ବାର ବ୍ୟୟ ବହୁଳ ନିର୍ବାଚନ ହୁଏ। ସମ୍ବିଧାନର ଧାରା ୩୫୬ର ବାରମ୍ବାର ଅପପ୍ରୟୋଗ ହୋଇଥାଏ, ଯଦିଓ ଏହି ଧାରାକୁ ଏବେ ଅଧିକ କଡ଼ାକଡ଼ି କରାଯାଇଛି। ଅତୀତରେ ଜଵାହାରଲାଲ ନେହରୁଙ୍କ ୧୭ ବର୍ଷର ଶାସନ କାଳରେ ବିଧାନସଭା ଭଙ୍ଗ ଓ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ଆଠ ଥର। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏପରି ଘଟଣା ଘଟିଥିଲା ୫୦ ଥର। ଏବ˚ ସ୍ବାଧୀନତା ପର ଠାରୁ ଏ ପର୍ଯ୍ୟନ୍ତ ଆମ ଦେଶର ବିଭିନ୍ନ ରାଜ୍ୟରେ ‘ଗଭର୍ଣ୍ଣର ରୁଲ୍‌’ ଓ ବିଧାନସଭା ଭଙ୍ଗ ହେଲାଣି ୧୨୪ ଥର। କ୍ଷୁଦ୍ର ମଣିପୁର ରାଜ୍ୟରେ ୧୦ ଥର, ଉତ୍ତର ପ୍ରଦେଶ ଓ ପଞ୍ଜାବରେ ନ’ ନ’ ଥର ଓ ମନମୋହନ ସି˚ହଙ୍କ ୟୁପିଏ ସରକାର ବେଳେ ୧୨ ଥର ଓ ଏନ୍‌ଡିଏ ସମୟରେ ଚାରି ଥର। ଏହା ଫଳରେ ଅନାବଶ୍ୟକ ଓ ଅପ୍ରତ୍ୟାଶିତ ନିର୍ବାଚନ ଦ୍ବାରା ଦେଶ ହରାଇଛି ହଜାର-ହଜାର କୋଟି ରାଜସ୍ବ। ଏଥିରୁ ରକ୍ଷା ପାଇବା ପାଇଁ ଇ˚ଲଣ୍ତ, ଇଣ୍ତୋନେସିଆ, ଜର୍ମାନି, ସୁଇଡେନ୍‌, ଦକ୍ଷିଣ ଆଫ୍ରିକା ଭଳି ଅନେକ ଦେଶ ଏଫ୍‌.ଟି.ପି. ବା ‘ଫିକ୍‌ସଡ୍‌ ଟର୍ମ ପାର୍ଲାମେଣ୍ଟ’ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ପ୍ରକ୍ରିୟାରେ ପାର୍ଲାମେଣ୍ଟର କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ ରହିବ। ମଝିରେ ନିର୍ବାଚନ ହେବ ନାହିଁ। ଭାରତରେ ନିର୍ବାଚନ ପରିଚାଳନା ପାଇଁ କୋଟିଏ କର୍ମଚାରୀ ଆବଶ୍ୟକ ହୁଅନ୍ତି। ଏଥିରୁ ପ୍ରାୟ ୪୦ ପ୍ରତିଶତ ସୁରକ୍ଷା କର୍ମଚାରୀ। ଗତ ୨୦୧୯ ସାଧାରଣ ନିର୍ବାଚନରେ ସରକାର, ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ଖର୍ଚ୍ଚ କରିଥିଲେ ପ୍ରାୟ ୬୦ ହଜାର କୋଟିରୁ ଅଧିକ ଟଙ୍କା।

ଏବେ ପ୍ରଧାନମନ୍ତ୍ରୀ- ଏକ ରାଷ୍ଟ୍ର, ଏକ ନିର୍ବାଚନ- ଵାନ୍‌ ନେସନ, ଵାନ୍‌ ଇଲେକ୍‌ସନ- ସପକ୍ଷରେ ନିଜର ବିଚାର ଉପସ୍ଥାପନ କରିଛନ୍ତି ଏବ˚ ଏ ସମ୍ପର୍କରେ ଅଧିକ ବିଚାର ଆଲୋଚନା ପାଇଁ ଦେଶବାସୀଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଛନ୍ତି। ଏହା ଏକ ନୂଆ ପ୍ରସ୍ତାବ ନୁହେଁ- କାରଣ ଗତ ୪୦ ବର୍ଷ ଧରି ଏ ସମ୍ପର୍କରେ ବିଚାର ଆଲୋଚନା ଚାଲିଛି। ଦେଶର ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଏହାକୁ ବଳ ଯୋଗାଇବ। ୧୯୮୩ ମସିହାରେ ପ୍ରଥମ କରି ଇଲେକ୍‌ସନ କମିସନ ଅଫ୍‌ ଇଣ୍ତିଆ ବା ଭାରତ ନିର୍ବାଚନ ଆୟୋଗ ତାଙ୍କ ବାର୍ଷିକ ରିପୋର୍ଟରେ ଏହି ବିଷୟ ଉପସ୍ଥାପନ କରିଥିଲେ। ଏହି ସପକ୍ଷରେ ଯୁକ୍ତି ଥିଲା ଯେ ୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ କ୍ରମାଗତ ଚାରିଟି ଯାକ ସାଧାରଣ ନିର୍ବାଚନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ବେଳେ ହେଉଥିଲା। ଓଡ଼ିଶା ସମେତ ଅନେକ ରାଜ୍ୟରେ ବି ଏକା ସାଙ୍ଗରେ ଉଭୟ ନିର୍ବାଚନ ହେଇ ଆସୁଚି। ତେଣୁ ସେଇ ବ୍ୟବସ୍ଥାକୁ ସାରା ଦେଶରେ ପୁନଃ ପ୍ରଚଳନ କରା ଯାଇପାରିବ। ଷୋହଳ ବର୍ଷ ପରେ ୧୯୯୯ ମସିହାରେ ନ୍ୟାସନାଲ ଲ’ କମିସନ ତାଙ୍କର ୧୭୦ତମ ରିପୋର୍ଟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ସପକ୍ଷରେ ସୁପାରିସ କରିଥିଲେ। ଏହି କମିସନର ଅଧୢକ୍ଷ ଥିଲେ ସୁପ୍ରିମ୍‌ କୋର୍ଟର ନ୍ୟାୟାଧୀଶ ଜୀବନ ରେଡ୍‌ଡି। ୨୦୦୦ ମସିହାରେ ସାରା ବିଶ୍ବ ପାଳନ କଲା ଦ୍ବିତୀୟ ସହସ୍ରାବ୍ଦୀ- ସେକେଣ୍ତ ମିଲେନିଅମ୍‌। ଏହି ଅବସରରେ ଭାରତ ସ˚ବିଧାନ ଓ ଏହାର କାର୍ଯ୍ୟକାରିତାକୁ ଆଉ ଥରେ ପରଖି ପରାମର୍ଶ ଦେବା ପାଇଁ ନ୍ୟାୟାଧୀଶ ଭେଙ୍କଟ ଚେଲେୟାଙ୍କ ଅଧୢକ୍ଷତାରେ ଏକ ନ୍ୟାସନାଲ୍‌ କମିସନ ପ୍ରତିଷ୍ଠା କରାଗଲା। ଏହି କମିସନ ନିର୍ବାଚନ ସ˚ସ୍କାର ସମ୍ପର୍କରେ ମତାମତ ଦେଇ ଏକକାଳୀନ ନିର୍ବାଚନ ସପକ୍ଷରେ ମତାମତ ଦେଇଥିଲେ। ଅନ୍ୟ ସୁପାରିସ ମଧୢରେ ଥିଲା ସାରା ଦେଶ ପାଇଁ ନିର୍ବାଚନରେ ଇଭିଏମ୍‌ ପ୍ରଚଳନ, ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଗୋଟିଏ ଭୋଟର କାର୍ଡ ଓ ରେଜିଷ୍ଟର। ଜାତି, ଧର୍ମ ସ˚ପ୍ରଦାୟ ଆଧାରରେ ନିର୍ବାଚନ ପ୍ରଚାର ପାଇଁ ଜେଲ୍‌ ଦଣ୍ତ, ନିର୍ବାଚନରେ ବିଜୟ ପାଇଁ ଅତି କମ୍‌ରେ ୫୦ ଭାଗରୁ ଅଧିକ ଭୋଟର ଆବଶ୍ୟକତା ଇତ୍ୟାଦି। କମିସନ ଦ୍ବାରା ନିଯୁକ୍ତ ଏକ ସବ୍‌କମିଟି ଆଉ ଦୁଇଟି ପ୍ରସ୍ତାବ ରଖିଥିଲେ ନିର୍ବାଚନକୁ ତିନି-‘ଏମ୍‌’ ଓ ଚାରି ‘ସି’ର ପ୍ରଭାବରୁ ମୁକ୍ତ ରଖିବାକୁ। ତିନି ‘ଏମ୍‌’ ହେଲା ମନି, ମସଲ୍‌ ଓ ମାଫିଆ। ଚାରି ‘ସି’ ହେଲା- କରପ୍‌ସନ୍‌, କାଷ୍ଟିଜମ୍‌, କମ୍ୟୁନାଲାଇଜେସନ୍‌ ଓ କ୍ରିମିନାଲାଇଜେସନ (ଅପରାଧୀକରଣ)। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବଟି ଥିଲା- ‘କନ୍‌ଷ୍ଟ୍ରକ୍‌ଟିଭ୍‌ ଭୋଟ୍‌ ଅଫ୍‌ କନ୍‌ଫିଡେନ୍‌ସ’ ବା ଗଠନ ମୂଳକ-ଅନାସ୍ଥା ପ୍ରସ୍ତାବ। ଏହି ସୁପାରିସ ଅନୁସାରେ ବିରୋଧୀ ଦଳ ଶାସକ ଦଳ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିବେ ତା’ସହ ନୂତନ ନିର୍ବାଚିତ ବିକଳ୍ପ ନେତାଙ୍କ ନାମ ଓ ସମର୍ଥକ ସ˚ଖ୍ୟା ରହିବ। ଏହାଦ୍ବାରା ଲୋକସଭା, ବିଧାନସଭା ଭଙ୍ଗ ଆବଶ୍ୟକ ହେବ ନାହିଁ। ସରକାର ପୂରା ପାଞ୍ଚ ବର୍ଷ ଚାଲିବ। ଏହା ପରେ ୨୦୧୫ରେ ଜାତୀୟ ଆଇନ କମିସନ ତାଙ୍କର ୨୫୫ତମ ରିପୋର୍ଟ ଓ ପାର୍ଲାମେଣ୍ଟାରି ଷ୍ଟାଣ୍ତିଙ୍ଗ୍‌ କମିଟି ତାଙ୍କର ୭୯ ତମ ରିପୋର୍ଟରେ ଏକ ଦେଶ ଓ ଏକକାଳୀନ ନିର୍ବାଚନ ବିଚାରକୁ ସମର୍ଥନ ଦେଲେ: ପ୍ରଧାନମନ୍ତ୍ରୀଙ୍କ ଛଡ଼ା ଏବେ ରାଷ୍ଟ୍ରପତି ମଧୢ ଏହାକୁ ସମର୍ଥନ କରିଛନ୍ତି।

ଏ ସବୁକୁ ଅଧୢୟନ କଲା ପରେ ‘ନିତି ଆୟୋଗ’ର ବିଶେଷଜ୍ଞମାନେ ପ୍ରସ୍ତୁତ କଲେ ଏକ ‘ଵର୍କିଙ୍ଗ ପେପର’। ଏହାର ଶୀର୍ଷକ ହେଲା- ଏକକାଳୀନ ନିର୍ବାଚନ- କ’ଣ, କାହିଁକି, କେମିତି? ‘ନିତି ଆୟୋଗ’ଙ୍କ ବିଚାରରେ ବର୍ଷ ସାରା ନିର୍ବାଚନ ଲାଗି ରହୁଥିବାରୁ ଆମର ପ୍ରଶାସନ, ଶିକ୍ଷା, ଅର୍ଥନୀତି, ରାଜନୀତି, ଜନମଙ୍ଗଳ କାର୍ଯ୍ୟକ୍ରମ ଓ ବିଶେଷ କରି ରାଷ୍ଟ୍ରୀୟ ନିରାପତ୍ତା ବିଶେଷ ଭାବରେ ପ୍ରଭାବିତ ହେଉଚି। କିନ୍ତୁ ଏକକାଳୀନ ନିର୍ବାଚନ ବିପକ୍ଷରେ ଥିବା ମତାମତକୁ ମଧୢ ‘ନିତି ଆୟୋଗ’ ନିଜ ସମୀକ୍ଷାରେ ସ୍ଥାନ ଦେଇଛନ୍ତି। ସେମାନେ ହେଲେ କ˚ଗ୍ରେସ, ତୃଣମୂଳ କ˚ଗ୍ରେସ, କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଅଲ୍‌ ଇଣ୍ତିଆ ମଜଲିସ୍‌ ମୁସ୍‌ଲିମ୍‌, ନ୍ୟାସନାଲିଷ୍ଟ କ˚ଗ୍ରେସ ପାର୍ଟି। ପ୍ରଚଳିତ ସା˚ବିଧାନିକ ବ୍ୟବସ୍ଥାରେ ଏକକାଳୀନ ନିର୍ବାଚନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଏମାନଙ୍କ ମତ। ଆଉ କେତେକ କହନ୍ତି ଏପରି ପ୍ରସ୍ତାବ ପଛରେ ରାଜନୈତିକ ଦୁରଭିସନ୍ଧି ରହିଚି। କେତେକ ସନ୍ଦେହ କରନ୍ତି ଏହାଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଲୋକପ୍ରିୟତା ମାଧୢମରେ ଦେଶରେ ‘ପ୍ରେସିଡେନ୍‌ସିଆଲ୍‌ ଫର୍ମ ଅଫ୍‌ ଗଭର୍ଣ୍ଣମେଣ୍ଟ’ ସ୍ଥାପନ କରି ସର୍ବେସର୍ବା ହେବାକୁ ଚାହାନ୍ତି। ପୁଣି କୁହାଯାଉଛି ଏଭଳି ପ୍ରସ୍ତାବ ଲାଗୁ କରିବା ପାଇଁ ସ˚ବିଧାନ ଧାରା ୩୨୪ ଓ ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପଲ୍‌ସ ଆକ୍‌ଟ ସ˚ଶୋଧନ କରିବାକୁ ଦୁଇ ତୃତୀୟା˚ଶ ସ˚ଖ୍ୟାଗରିଷ୍ଠତା ଆବଶ୍ୟକ ହେବ। ଭୋଟରମାନେ ସ୍ଥାନୀୟ ସମସ୍ୟାକୁ ଭୁଲି ରାଷ୍ଟ୍ରୀୟ ସମସ୍ୟା ଓ ନେତାଙ୍କ ଦ୍ବାରା ଅଧିକ ପ୍ରଭାବିତ ହେବେ। ଛୋଟ, ଛୋଟ ସ୍ଥାନୀୟ ଦଳମାନେ ମଉଳି ଯିବେ ଇତ୍ୟାଦି।

ଏପରି ସମାଲୋଚନାର ଅଧିକା˚ଶ ନିରାଧାର ବୋଲି ‘ନିତି ଆୟୋଗ’ କହନ୍ତି। ଏକ ଅଧୢୟନ ଅନୁସାରେ ପ୍ରାୟ ୭୮ ପ୍ରତିଶତ ମତଦାତା ଜାଗ୍ରତ ଓ ସଚେତନ ଏବ˚ ପଞ୍ଚାୟତ, ବିଧାନସଭା ଓ ଲୋକସଭା ଭିତରେ ଫରକ ବୁଝିପାରନ୍ତି। ଏମାନେ ତଥାକଥିତ ଅନେକ ଲୋକପ୍ରିୟ ପ୍ରାର୍ଥୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧୢ ବାରମ୍ବାର ପରାଜିତ କରିଛନ୍ତି। ସେମିତି ଭାରତର ସ˚ବିଧାନ ଓ ସ˚ସଦୀୟ ଗଣତନ୍ତ୍ର ବ୍ୟବସ୍ଥା ଏତେ ମଜଭୁତ ଯେ ଏଠାରେ ଏକକାଳୀନ ନିର୍ବାଚନ କୌଣସି ଅବ୍ୟବସ୍ଥା ସୃଷ୍ଟି କରିପାରିବ ନାହିଁ। ୧୯୫୧ରୁ ୧୯୬୭ ମଧୢରେ ହୋଇଥିବା ଏକକାଳୀନ ନିର୍ବାଚନରେ ଏହା ବାରମ୍ବାର ପରୀକ୍ଷିତ। ସେତେବେଳେ ଦେଶରେ ୨୦ରୁ ୪୦ ଭାଗ ଲୋକ ଥିଲେ ନିରକ୍ଷର। ଏବେ ସାକ୍ଷରଙ୍କ ସ˚ଖ୍ୟା ୮୦ ଭାଗ ପର୍ଯ୍ୟନ୍ତ ହେଲାଣି। ‘ନିତି ଆୟୋଗ’ ମଧୢ ସମସ୍ୟା ସମାଧାନର ସୂତ୍ର ବତାଇଛନ୍ତି। ପ୍ରଥମ ସମସ୍ୟା ହେଲା ସ˚ବିଧାନ ସ˚ଶୋଧନ କରି ବିଧାନସଭା କାର୍ଯ୍ୟକାଳ ଓ ନିର୍ବାଚନକୁ ସମକାଳୀନ କରିବା। ତା’ପରେ ଏହାକୁ ଲୋକସଭା କାର୍ଯ୍ୟକାଳ ଓ ସମୟ ଚକ୍ର ସହିିତ ଯୋଡ଼ିବା। ଏଥିପାଇଁ ଆବଶ୍ୟକ ହେଲେ କେତେକ ବିଧାନସଭାକୁ ଭାଙ୍ଗି ପୁନଃ ନିର୍ବାଚନ କରିବାକୁ ପଡ଼ିବ। ଏଥିପାଇଁ ବିଶେଷ ସା˚ବିଧାନିକ ବାଧା ନାହିଁ। ଭାରତ ଏକ ବିଶାଳ ଦେଶ (୯୦ କୋଟି ଭୋଟର‌୍‌) ହୋଇଥିବାରୁ ନିର୍ବାଚନକୁ ବିଭିନ୍ନ ଚରଣରେ କରିବାକୁ ପଡ଼ିବ। ଏଥିପାଇଁ ନିର୍ବାଚନ କମିସନଙ୍କୁ ଅଧିକ କ୍ଷମତା, ଧନବଳ, ଲୋକବଳ ଯୋଗାଇ ଦେବାକୁ ହେବ। ଏ କାମ କିପରି ହେବ ସେଥିପାଇଁ ‘ନିତି ଆୟୋଗ’ ଏକ ରୋଡ୍‌ ମ୍ୟାପ୍‌ ତିଆରି କରିଛନ୍ତି। ଏବ˚ ତାହାକୁ ନ୍ୟାସନାଲ୍‌ ଲ’ କମିସନ ଅନୁମୋଦନ କରିଛନ୍ତି। ସମୟ ଅଭାବରୁ ଏହା ୨୦୧୯ରେ ସାଧାରଣ ନିର୍ବାଚନ ବେଳେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କିନ୍ତୁ ୨୦୨୪ରେ ଏହାକୁ ଆହୁରି ଗଭୀର ଭାବରେ ଅଧୢୟନ ଓ ବିଚାର, ଆଲୋଚନା କରି କାର୍ଯ୍ୟକାରୀ କରିହେବ। ୧୯୬୭ରେ ନିର୍ବାଚନର ଶୃଙ୍ଖଳା ଛିଡ଼ି ତାହା ଏକରୁ ଅନେକ ହେଇଯାଇଥିଲା। ଏବେ ଅନେକକୁ ପୁଣି ଏକ କରିବା ହେବ ଏକ ବିରାଟ ସା˚ବିଧାନିକ ଓ ରାଜନୈତିକ ଆହ୍ବାନ।
(ଇଲେକ୍‌ସନ କମିସନ ଅଫ ଇଣ୍ତିଆର ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା)
ଓଡ଼ିଶା ନାଗରିକ ସମାଜ
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର