ଭାରତରେ ଏବେ ରାମଲୀଳା ଋତୁ। ଗଳିକନ୍ଦିରେ ପେଣ୍ଡାଲ, ପୂଜା ମଣ୍ଡପ, ମେଢ଼, ମେଳା ଓ ଲୀଳା। ଦଶହରା, ଦୀପାବଳି, ଦୁର୍ଗାପୂଜା ଭିଡ଼ରେ ହଜିଯା’ନ୍ତି କୋଟି, କୋଟି ଭକ୍ତ, ଭାବୁକ। ଭଜନ, କୀର୍ତ୍ତନ, ପ୍ରବଚନ, ନର୍ତ୍ତନ ସାଙ୍ଗରେ ମାଇକ୍ ଓ ଅଶ୍ଳୀଳ ସଂଗୀତର କାନଫଟା ମୁଖର ଧ୍ବନି। ତା’ସହ ବିଭିନ୍ନ ସୁଆଦିଆ ‘ଜଂକ୍ ଫୁଡ୍’ର ଚଳନ୍ତା ଚାର୍ଟ। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଠାରୁ ଆରମ୍ଭ କରି କ୍ଷୁଦ୍ରତମ ଭାଟିକାନ୍ ସିଟି ଓ ନାଉରୁ ପର୍ଯ୍ୟନ୍ତ ପାଳିତ ହୁଏ ଏହି ଉତ୍ସବ ବିପୁଳ ହର୍ଷ ଉଲ୍ଲାସ ସହ। ବିଭିନ୍ନ ନାମରେ ପରିଚିତ ଏହି ଉତ୍ସବ- ଯଥା ରଙ୍ଗ ଉତ୍ସବ, ଆଲୋକ ଉତ୍ସବ, ଅସତ୍ୟ ଓ ଅଧର୍ମ ଉପରେ ସତ୍ୟ, ଧର୍ମର ବିଜୟ ଉତ୍ସବ। ରାବଣ ରାଜ ଉପରେ ରାମରାଜ୍ୟର ଏବଂ ଦୁଃଶାସନ ଉପରେ ସୁଶାସନ ବା ‘ଗୁଡ୍ ଗଭର୍ନାନ୍ସ’ର ବିଜୟ, ଅସୁର ଶକ୍ତି ଉପରେ ନାରୀଶକ୍ତିର ବିଜୟ। ରାବଣ ଥିଲେ ଏକଛତ୍ରବାଦୀ, ରାମ ଥିଲେ ଡେମୋକ୍ରାଟ୍- ଗଣତନ୍ତ୍ରବାଦୀ- ଏଇ ବାର୍ତ୍ତାଟି ହଜିଯାଏ କୋଳାହଳରେ। ମୂର୍ତ୍ତି କାରିଗରମାନେ ମାଟିକୁ ଦେଇଥାନ୍ତି ନବଜୀବନ, ନବଦିଗନ୍ତ। କୁମାରୀମାନେ ନାଚଗୀତ, ବେଶପୋଷାକ ମାଧ୍ୟମରେ ସୃଷ୍ଟି କରିଥାନ୍ତି ସୁନ୍ଦର ପରିବେଶ। ହାଟ, ବଜାର, ହୋଟେଲ, ରେସ୍ତୋରଁାରେ ଲାଗି ଯାଏ ନୂଆ ଡେଣା, ନୂଆ ବାସ୍ନା ଓ ସ୍ପର୍ଶ।
ଗତ ଚାରି ହଜାର ବର୍ଷ ମଧ୍ୟରେ ରାମ, ରାମାୟଣ, ରାମଲୀଳା ନିଜ ମୂଳ ମାଟିର ସୀମା ଡେଇଁ ବିଶ୍ବରୂପ ଧାରଣ କଲାଣି। ବଦଳି ଗଲାଣି ନାମ, ରୂପ, ରଙ୍ଗ, ଚେହେରା, ଚରିତ୍ର। ସୁଦୂର କାରବୀୟ ଦ୍ବୀପପୁଞ୍ଜରେ ତ୍ରିନିଦାଦ ଟବାଗୋ ଦ୍ବୀପପୁଞ୍ଜ। ବ୍ରିଟିସମାନଙ୍କ ଦ୍ବାରା ଶ୍ରମିକ ଭାବେ ସେଠାକୁ ନିଆଯାଇଥିବା ଭାରତୀୟ ବଂଶଜମାନେ ସାଙ୍ଗରେ ନେଇ ଯାଇଥିଲେ ରାମାୟଣ, ମହାଭାରତ। ରାମ ଭଜନ କୀର୍ତ୍ତନ ଏବେ ସେଠାକାର ସଂସ୍କୃତିର ଅଭିନ୍ନ ଅଙ୍ଗ। ଏବେ ସେଠାକାର କୃଷ୍ଣକାୟ ଆଫ୍ରିକାନ୍ ଓ ମୁସ୍ଲିମମାନେ ରାମାୟଣରେ ଅଭିନୟ କଲେଣି (ଦିଶା)। ଆମ ପଡ଼ୋଶୀ ଦେଶ ବର୍ମା ବା ମିଅଁାମାର ସଂସ୍କୃତିରେ ରାମ ଏକ ନମସ୍ୟ ଚରିତ୍ର। ଏଠାରେ ଲୋକେ ଶ୍ରୀରାମଙ୍କୁ କହନ୍ତି- ଥିରୀରାମ। ସେମିତି ଏକଦା ସାମ୍ୟବାଦୀ, ନାସ୍ତିକ ସୋଭିଏତ ରୁଷିଆରେ ରାମଭକ୍ତମାନେ ରାମ ଭଜନ-କୀର୍ତ୍ତନ ପୂର୍ବରୁ ଉପବାସରେ ରହୁଥିଲେ ଓ ମାସ ମାସ ଧରି ଶାକାହାର କରୁଥିଲେ। ରୁଷିଆର ଲୋକପ୍ରିୟ ଚିତ୍ର ତାରକାମାନେ ରାମାୟଣର ମୂଖ୍ୟ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରୁଥିଲେ। ଏଠାରେ ବିଭିନ୍ନ ରୁଷୀୟ ଭାଷାରେ ରାମାୟଣର ଅନୁବାଦ ମିଳେ। କେତେକ ଅଞ୍ଚଳରେ ରାମାୟଣ ଯାତ୍ରା ଦେଖିବା ପାଇଁ ଟିକେଟ ବିକ୍ରି ହୁଏନାହିଁ। କାରଣ ଏହା ଏକ ପବିତ୍ର ଗ୍ରନ୍ଥ। ସୁଦୂର ଗାୟନା ଓ ସୁରିନାମାରେ ବସବାସ କରୁଥିବା ଭାରତୀୟ ବଂଶଜମାନେ ରାମାୟଣକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି: (୧) ଲୋକଧର୍ମୀ ଓ (୨) ନାଟ୍ୟ। ଉପସ୍ଥାପନ ଶୈଳୀ- କଥା, କୀର୍ତ୍ତନ, ଭଜନ, ପ୍ରବଚନ। ରାମାୟଣର ଆଉ ଏକ ସମୃଦ୍ଧ ପରମ୍ପରା ନିଜେ ଦେଖିବାର ସୁଯୋଗ ପାଇଥିଲି ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ମୁସଲିମ ଓ ବୌଦ୍ଧ ଦେଶମାନଙ୍କରେ। ଇଣ୍ଡୋନେସିଆ, ବାଲି, ଥାଇଲାଣ୍ଡରେ ରାମଲୀଳା ନବରାତ୍ରିରେ ସୀମିତ ନୁହେଁ। ଇଣ୍ଡୋନେସିଆର ଦ୍ବିତୀୟ ବୃହତ୍ତମ ସହର ଯୋଗଜାକର୍ତ୍ତାର ମୂଳ ନାମ ଅେଯାଧ୍ୟା। ଏଠାରେ ଅନେକ ଲୋକ ବିଶ୍ବାସ କରନ୍ତି ଯେ ରାମ ଭାରତୀୟ ନୁହନ୍ତି ଓ ରାମାୟଣ ଭାରତୀୟ ଗ୍ରନ୍ଥ ନୁହେଁ। ରାମ ଇଣ୍ଡୋନେସିଆନ୍। ବାଲି ଦ୍ବୀପରେ ପ୍ରତି ଦିନ ରାତ୍ରରେ ରାମାୟଣ, ରାମଲୀଳା ଆରମ୍ଭ ହୋଇ ଅଧ ରାତି ପର୍ଯ୍ୟନ୍ତ ଚାଲେ। ବାଲିର ରାଜଧାନୀ ଡେନ୍ପାସାରରେ ଅଛି ଇଣ୍ଡୋନେସିଆ ହିନ୍ଦୁ ବିଶ୍ବବିଦ୍ୟାଳୟ। ଏଠି ରାମାୟଣ ପରମ୍ପରା ଉପରେ ବିଚାର, ଆଲୋଚନା, ଅଧ୍ୟୟନ ଗବେଷଣା ଆଦି ହୁଏ। ବାଲିଦ୍ବୀପ ଜନସଂଖ୍ୟାର ୮୭ ଭାଗ (୮୭%) ହିନ୍ଦୁ। ଏମାନେ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଭୟରେ ବାଲି ଚାଲି ଆସିଥିଲେ। ପଚାରିଲେ କହନ୍ତି ଆମ ପାଇଁ ଏହା ଥିଲା ରାମ-ସୀତାଙ୍କ ବନବାସ ଭଳି। କିନ୍ତୁ ଆମେ ଅଯୋଧ୍ୟା ନ ଫେରି ‘ବାଲି’କୁ ନୂଆ ଅଯୋଧ୍ୟା ଭାବେ ଗଢୁଚୁ। ସେମିତି ଥାଇଲାଣ୍ଡରେ ରାଜବଂଶର ସବୁ ରାଜ୍ୟ ଓ ଉତ୍ତରାଧିକାରୀଙ୍କ ନାମ ରାମରେ ଆରମ୍ଭ ବା ଶେଷ ହୋଇଥାଏ। ଥାଇଲାଣ୍ଡରେ ରାମାୟଣକୁ କୁହାଯାଏ ‘ରାମକିଏନ୍’। ଏହା ଥାଇଲାଣ୍ଡର ଜାତୀୟ ମହାକାବ୍ୟ। ଏବଂ ହନୁମାନ ସବୁଠାରୁ ଅଧିକ ଲୋକପ୍ରିୟ ଚରିତ୍ର। ସେ ପବନ ପୁତ୍ର, ବ୍ରହ୍ମଚାରୀ, ମହାବଳବାନ ଓ ଅପରାଜେୟ। ଶତକଡ଼ା ୯୪ ଭାଗ ‘ଥାଇ’ ବୌଦ୍ଧ, କିନ୍ତୁ ହିନ୍ଦୁ ଦେବଦେବୀ ପୂଜା କରନ୍ତି। ରାମଙ୍କ ବ୍ୟତୀତ ଅନ୍ୟ ଲୋକପ୍ରିୟ ଚରିତ୍ରମାନେ ହେଲେ ସୀତା, ଭରତ, ଲକ୍ଷ୍ମଣ, ସୁଗ୍ରୀବ, ବିଶ୍ବାମିତ୍ର, ରାବଣ ଓ କୁମ୍ଭକର୍ଣ୍ଣ। ପୂର୍ବ ଆଫ୍ରିକାର ଆଉ ଏକ ଦେଶ ମରିଶସ୍। ଏ ଦେଶର ୪୮ ପ୍ରତିଶତ ହିନ୍ଦୁ। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ଉତ୍ସବ ଦେଖିବା ପାଇଁ ସେ ଦିନଟିକୁ ସାମୟିକ ଛୁଟି ଘୋଷଣା କରିଥିଲା ମରିଶସ୍। ଏମିତି ଅନେକ ଉଦାହରଣ। ବିଖ୍ୟାତ ପୁସ୍ତକ ପ୍ରକାଶନ ସଂସ୍ଥା ‘ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍’ ରାମକଥାକୁ ଏବେ ଇଂରେଜୀ ଭାଷାରେ ଛାପି ପାଠକ ଓ ରାମଭକ୍ତଙ୍କୁ ଭେଟି ଦେଇଛନ୍ତି।
ରାମାୟଣ ଯୁଦ୍ଧର କ୍ଷେତ୍ର ଥିଲା ଲଙ୍କା- ଏବେକାର ଶ୍ରୀଲଙ୍କା। ବଙ୍ଗୋପସାଗର କାଟି ସେତୁ ବନ୍ଧ ବାନ୍ଧି ରାମ ଓ ତାଙ୍କ ସାନ ଭାଇ ଲକ୍ଷ୍ମଣ ବାନରସେନା ସହ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ରାମାୟଣ ଯୁଦ୍ଧ ଚାଲିଥିଲା ୮୭ ଦିନ। ମରି ଯାଇଥିଲେ ୫୦ ଲକ୍ଷରୁ ଅଧିକ। ଯୁଦ୍ଧ ବେଳେ ରାମଙ୍କ ବୟସ ୩୫ ଓ ରାବଣର ବୟସ ୬୧। କିନ୍ତୁ ଆଶ୍ଚର୍ଯ୍ୟର କଥା, ଶ୍ରୀଲଙ୍କାର ଅଧିକାଂଶ ଲୋକ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ। ଏ ସଂପର୍କରେ ସେ ଦେଶରେ କୌଣସି ଜାତୀୟ ସ୍ମୃତି ବା ମେମୋରିଆଲ୍ ବି ନାହିଁ। ମାତ୍ର କେତେଟି ଛୋଟ ମନ୍ଦିର ଅଛି। ସୀତାଙ୍କ ଅଶୋକ ବନ ଓ ଅଗ୍ନି ପରୀକ୍ଷା ସ୍ଥଳ ବୋଲି ପର୍ଯ୍ୟଟକ ମାନଙ୍କୁ ସ୍ଥାନମାନ ଦେଖାଇ ଦିଆଯାଏ। କିନ୍ତୁ ଐତିହାସିକ ତଥ୍ୟ ଦୁର୍ବଳ। ଏଠାରେ ରାମାୟଣ କଥା ବା ରାମଲୀଳା ପରମ୍ପରା ନାହିଁ। ଅଧିକାଂଶ ଅଧିବାସୀ ବୌଦ୍ଧ ଧର୍ମାବଲମ୍ବୀ। ରାବଣ ବିଷୟରେ ଶୁଣିଛନ୍ତି, କିନ୍ତୁ ସେ ଖଳନାୟକ ନୁହନ୍ତି, ବରଂ ମହାନାୟକ ବୋଲି କହନ୍ତି। ସୀତାଙ୍କ ଚରିତ୍ର ଅପେକ୍ଷା ମନ୍ଦୋଦରୀଙ୍କୁ ଅଧିକ ସମ୍ମାନ ଦିଅନ୍ତି।
ରାଜ୍ୟଗୋଷ୍ଠୀ ସଚିବାଳୟରେ କାମ କରୁଥିଲା ବେଳେ ବହୁବାର ଶ୍ରୀଲଙ୍କା ଯାତ୍ରା ସୁଯୋଗ ମିଳିଥିଲା। ଏହି ଯାତ୍ରା ବେଳେ ବହୁ ବିଦ୍ବାନ, ଐତିହାସିକ, ପୁରାତତ୍ତ୍ବବିତ୍ଙ୍କ ସହ ଆଳାପ ବେଳେ ଜାଣି ପାରିଲି ଶ୍ରୀଲଙ୍କା ରାମଲାଲାଙ୍କୁ ଭୁଲିଗଲାଣି। କେତେକ ଗବେଷକଙ୍କ ମତରେ ପୌରାଣିକ ଶ୍ରୀଲଙ୍କା ଓ ପ୍ରକୃତ ଶ୍ରୀଲଙ୍କା ଅଲଗା। ସେମାନଙ୍କ ମଧ୍ୟରେ ଭୌଗୋଳିକ ଦୂରତା ପ୍ରାୟ ୨୦୦ ମାଇଲରୁ ଅଧିକ। ବାଲ୍ମୀକି ରାମାୟଣ ଅନୁସାରେ ରାବଣଙ୍କ ଲଙ୍କା ସାଗର କୂଳରୁ ୧୦୦ ଯୋଜନ ଦୂର- ଅର୍ଥାତ୍ ୧୨୧୩ କିଲୋମିଟର। ପ୍ରାଚୀନ ସହର ଲଙ୍କାପୁରକୁ ହନୁମାନ ପୋଡ଼ି ଜାଳି ଧ୍ବଂସ କରିଦେଇଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ସମାନତା, ସତ୍ୟ, ଅହିଂସା, ଶାନ୍ତି, ସଦ୍ଭାବନା ଓ ସାମାଜିକ ନ୍ୟାୟର ମଡେଲ୍ ରୂପେ ଗାନ୍ଧୀ ଗ୍ରହଣ କରି ରାମରାଜ୍ୟର ପରିକଳ୍ପନା କରିଥିଲେ। ୧୯୩୪ ମସିହାରେ ଗାନ୍ଧୀ ଲେଖିଥିଲେ- ‘ମୋ ସ୍ବପ୍ନର ରାମରାଜ୍ୟରେ ରାଜକୁମାର ଓ ସାଧାରଣ ନାଗରିକଙ୍କର ସମାନ ଅଧିକାର ଓ ସୁଯୋଗ ରହିଚି। ଏହା ବିଶୁଦ୍ଧ ନୈତିକ ଅଧିକାର ଉପରେ ଆଧାରିତ ହେବ। ଏହା କୌଣସି ବିଶେଷ ଧର୍ମକୈନ୍ଦ୍ରିକ ହେବନାହିଁ।’ ୧୯୨୧ରେ ଗାନ୍ଧୀ ଅଯୋଧ୍ୟା ଆସିଥିଲେ। ୧୯୪୮ରେ ‘ହେ ରାମ’ କହି ଇହଧାମ ତ୍ୟାଗ କଲେ।
[email protected]
ମୋ: ୯୯୩୭୦୨୭୦୧୭
ବିକଳ୍ପ ବିଶ୍ବ: ଦେଶ ବିଦେଶରେ ରାମ କଥା
ଭାରତରେ ଏବେ ରାମଲୀଳା ଋତୁ। ଗଳିକନ୍ଦିରେ ପେଣ୍ଡାଲ, ପୂଜା ମଣ୍ଡପ, ମେଢ଼, ମେଳା ଓ ଲୀଳା। ଦଶହରା, ଦୀପାବଳି, ଦୁର୍ଗାପୂଜା ଭିଡ଼ରେ ହଜିଯା’ନ୍ତି କୋଟି, କୋଟି ଭକ୍ତ, ଭାବୁକ।
/sambad/media/media_files/4PPRr0sjsCqgy7XTNrI9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)