ଏ ବର୍ଷ ଓଡ଼ିଶାର ଜଣାଶୁଣା ଆଇନ ସେବା ଓ ସହାୟତା ଅନୁଷ୍ଠାନ ‘କ୍ଲାପ୍’ ଆରମ୍ଭ କରିଛନ୍ତି ‘‘ଘର୍ଘର୍ ସଂବିଧାନ’’ ଅଭିଯାନ। ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ଭାରତୀୟମାନେ ପାଳନ କରନ୍ତି ସଂବିଧାନ ଦିବସ ଓ ଠିକ୍ ଦୁଇ ମାସ ପରେ ଜାନୁଆରି ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ। ସଂବିଧାନର ଚିଠା ବା ଡ୍ରାଫ୍ଟ ପ୍ରସ୍ତୁତି ପାଇଁ ଲାଗିଥିଲା ପ୍ରାୟ ତିନି ବର୍ଷ। ସଭ୍ୟ ଥିଲେ ୩୮୯। ଦେଶର ବିଭିନ୍ନ ଅଞ୍ଚଳରୁ ବଛା ହୋଇ ଆସିଥିଲେ। ସମାଜର ବିଭିନ୍ନ ବର୍ଗକୁ ପ୍ରତିନିଧିତ୍ବ କରୁଥିଲେ। ତା’ ମଧ୍ୟରୁ ୧୫ ଜଣ ମହିଳା। ଏଥିରୁ ଓଡ଼ିଶାରୁ ଥିଲେ ମାଳତୀ ଚୌଧୁରୀ। ଅନ୍ୟ ପ୍ରମୁଖ ମହିଳାଙ୍କ ମଧ୍ୟରେ ଥିଲେ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ, ଦୁର୍ଗାବାଇ ଦେଶମୁଖ, ରାଜକୁମାରୀ ଅମୃତ କୌର, ସରୋଜିନୀ ନାଇଡୁ, ବେଗମ ଆଏଜାଜ୍ ରସୁଲ ଇତ୍ୟାଦି। ବାର ଜଣ ଥିଲେ ଆଇନଜ୍ଞ। ସଂବିଧାନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ନିଜେ ଥିଲେ ବାରିଷ୍ଟର। ପରେ ହେଲେ ରାଷ୍ଟ୍ରପତି। ପଣ୍ଡିତ ନେହରୁ, ବଲ୍ଲଭ ଭାଇ ପଟେଲ ବି ଥିଲେ ଓକିଲ। ତେଣୁ ଆଲୋଚନା ହେଉଥିଲା ଲମ୍ବା ଓ ଗଭୀର। ଆମ ପାର୍ଲାମେଣ୍ଟ ବର୍ଷକେ ତିନି ଥର ବସେ- ଶୀତକାଳୀନ ଅଧିବେଶନ, ବର୍ଷାକାଳୀନ ଅଧିବେଶନ ଓ ବଜେଟ୍ ଅଧିବେଶନ। କିନ୍ତୁ ସଂବିଧାନ ସଭା ପାଇଁ ହୋଇଥିଲା ଏଗାରଟା ଅଧିବେଶନ। ତାକୁ ଲିପିବଦ୍ଧ କରାଯାଇଥିଲା ଏଗାର ଖଣ୍ଡ ପୁସ୍ତକରେ। ପ୍ରତ୍ୟେକ ଖଣ୍ଡର ଆକାର ହଜାରେ ପୃଷ୍ଠା। ନୂଆ ଭାରତ ପାଇଁ ନୂଆ ବେଦ, ନୂଆ ଧର୍ମଗ୍ରନ୍ଥ। ଏହାକୁ ଘରେ ଘରେ ପହଞ୍ଚାଇବା ଏକ ବିରାଟ ଆହ୍ବାନ। ଏହାର ଆବଶ୍ୟକତା ସଂପର୍କରେ ବିଶେଷଜ୍ଞମାନେ କହନ୍ତି ସହସ୍ରାଧିକ ବର୍ଷ କାଳ ପରାଧୀନ, ସାମନ୍ତବାଦୀ ଭାରତ ଲୋକତାନ୍ତ୍ରିକ ମୂଲ୍ୟବୋଧ ଭୁଲି ଯାଇଥିବାରୁ ଏହାର ପୁନର୍ଜାଗରଣ ଓ ପୁନଃ ପ୍ରତିଷ୍ଠା ପାଇଁ ଧୈର୍ଯ୍ୟ ଓ ସମୟ ଆବଶ୍ୟକ। ଆମ ଘରେ, ବାହାରେ, ଜୀବନରେ ଯାହା ଯାହା ଘଟିଥାଏ ସବୁକୁ ନୂଆ ସଂବିଧାନ ପ୍ରଭାବିତ କରିଥାଏ। ଆମ ବିବାହ, ବିଚ୍ଛେଦ, ବିଶ୍ବାସ, ଅଧିକାର, କର୍ତ୍ତବ୍ୟ ନିର୍ଦ୍ଧାରିତ କରିଥାଏ ସଂବିଧାନ। ତା’ ସହ ଦେଇଥାଏ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ମୌଳିକ ଅଧିକାର ଓ ନ୍ୟାୟ। ସଂବିଧାନର ମୂଳ ଢାଞ୍ଚା, ଯଥା ଆଇନ ସମ୍ମତ ଶାସନ, ସ୍ବତନ୍ତ୍ରତା, ସାର୍ବଭୌମତା, ଧର୍ମନିରପେକ୍ଷତା, ରାଷ୍ଟ୍ରୀୟ ଏକତା, ଲୋକତାନ୍ତ୍ରିକ ମୂଲ୍ୟବୋଧ, ନ୍ୟାୟପାଳିକାର ସ୍ବତନ୍ତ୍ରତା ଓ ନିରପେକ୍ଷ କାର୍ଯ୍ୟପାଳିକା। ତା’ ସହ ସ୍ବାଧୀନ ମତଦାନ ଅଧିକାର ପ୍ରୟୋଗ କରି ଲୋକପ୍ରିୟ ସରକାର ଗଠନ ଅଧିକାର।
ଏତଦ୍ବ୍ୟତୀତ ଦୀର୍ଘ ଆଲୋଚନା ହୋଇଥିଲା ଦେଶର ରୂପ କ’ଣ ହେବ? ଫେଡେରାଲ ନା ୟୁନିଟାରି? ସଂଘୀୟ ନା ଏକାତ୍ମକ? ଏକାତ୍ମକ ବ୍ୟବସ୍ଥାରେ କେନ୍ଦ୍ର ସରକାର ହେବ ସର୍ବଶକ୍ତିମାନ। ରାଜ୍ୟମାନେ ତାହାର ଅଂଶ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନେ ହେବେ ସ୍ବତନ୍ତ୍ର ସହଯୋଗୀ। ସଂବିଧାନ ସୀମାରେଖା ମଧ୍ୟରେ ପରସ୍ପର ସହଯୋଗରେ ଚାଲିବ ଶାସନ। ଦୀର୍ଘ ବିଚାର ଆଲୋଚନା ପରେ ସଂବିଧାନ ସଭାରେ ସଂଘୀୟ ବା ‘ଫେଡେରାଲ୍ ଷ୍ଟ୍ରକ୍ଚର’ ସପକ୍ଷରେ ବହୁମତ ପ୍ରକାଶ ପାଇଲା। ସମର୍ଥକମାନଙ୍କର ତର୍କ ଥିଲା ଯେ ଜାତି, ଧର୍ମ, ଭାଷା, ସଂପ୍ରଦାୟରେ ବିଭକ୍ତ ଭାରତୀୟମାନଙ୍କୁ ଏକାଠି ରଖିବାକୁ ହେଲେ ସଶକ୍ତ ସଂଘୀୟ ବ୍ୟବସ୍ଥାକୁ ଆପଣେଇବାକୁ ପଡ଼ିବ। କେନ୍ଦ୍ର ଦୁର୍ବଳ ହେଲେ ଦେଶ ଖଣ୍ଡ ବିଖଣ୍ଡ ହୋଇଯିବ। ଏହିଭଳି ଯୁକ୍ତି କରାଯାଇଥିଲା ସ୍ବାଧୀନ ଭାରତର ଜାତୀୟ ଓ ସରକାରୀ ଭାଷା ସଂପର୍କରେ। କ’ଣ ହେବ ଭାଷାର ସ୍ବରୂପ? ହିନ୍ଦୀ, ଉର୍ଦ୍ଦୁ, ହିନ୍ଦୁସ୍ତାନୀ, ପାର୍ଶୀ? ନା ଇଂରେଜୀ? କେଉଁ ଭାଷାରେ ଲେଖା ହେବ ଦେଶର ସଂବିଧାନ? କେଉଁ ଭାଷାକୁ ମିଳିବ ରାଷ୍ଟ୍ରଭାଷାର ମର୍ଯ୍ୟାଦା? ହିନ୍ଦୁ ମୁସଲ୍ମାନଙ୍କ ମିଳିତ ଭାଷା ହୋଇଥିବାରୁ ହିନ୍ଦୁସ୍ତାନୀକୁ ରାଷ୍ଟ୍ରଭାଷା କରିବା ଗାନ୍ଧୀଙ୍କ ଇଚ୍ଛା ଥିଲା। ପଣ୍ଡିତ ନେହରୁଙ୍କ ମତରେ କେବଳ ହିନ୍ଦୁସ୍ତାନୀ ଦେଶକୁ ଏକାଠି ରଖିପାରିବ। ଏହାକୁ ବିରୋଧ କରୁଥିଲେ ଶୁଦ୍ଧ, ଦେବନାଗରୀ ହିନ୍ଦୀ ସମର୍ଥକମାନେ। ଆଗ ଧାଡ଼ିରେ ଥିଲେ ପୁରୁଷୋତ୍ତମ ଦାସ ଟଣ୍ଡନ। ଏହି ବାଦ ବିବାଦରେ ବିବ୍ରତ ଗାନ୍ଧୀ ସଂବିଧାନ ସଭା ଠାରୁ ଅଲଗା ରହିବାକୁ ପସନ୍ଦ କରୁଥିଲେ। ଦାକ୍ଷିଣାତ୍ୟର ପ୍ରତିନିଧିମାନେ ଯେତେବେଳେ ଭାଷା ଭିତ୍ତିରେ ଦେଶ ବିଭାଜନ ପ୍ରସଙ୍ଗ ଉଠାଇଲେ, ଏହା ବାପୁଙ୍କୁ ଦୁଃଖିତ କରିଦେଇଥିଲା।
ଏସବୁ ଶୁଣିଲା ପରେ ସଂବିଧାନ ସଭା ଶେଷରେ ନିଷ୍ପତ୍ତି ନେଲା ଯେ ସ୍ବାଧୀନ ଭାରତର ରାଷ୍ଟ୍ର ଭାଷା ହେବ ଦେବନାଗରୀ ଲିପିରେ ଲେଖା ହିନ୍ଦୀ ଭାଷା। ଏବଂ ପୂର୍ବପରି ଇଂରେଜୀ ଭାଷା ୧୫ ବର୍ଷ ପାଇଁ ସବୁ ସରକାରୀ କାମ କାର୍ଯ୍ୟରେ ବ୍ୟବହୃତ ହେବ; ଅର୍ଥାତ୍ ୧୯୬୫ ମସିହା ପର୍ଯ୍ୟନ୍ତ। ସେହିପରି ଦଳିତ, ସଂଖ୍ୟାଲଘୁଙ୍କ ସମସ୍ୟା, ପଞ୍ଚାୟତରାଜ, ନିର୍ବାଚନ ପରିଚାଳନା, ଅଧିକାର ଓ କର୍ତ୍ତବ୍ୟ, ବାକ୍ ସ୍ବାଧୀନତା, ଆରକ୍ଷଣ, ଦାରିଦ୍ର୍ୟ ନିରାକରଣ ଓ ଗଣଶିକ୍ଷା, ଜାତୀୟ ପତାକା, ଜାତୀୟ ସଙ୍ଗୀତ ଇତ୍ୟାଦି ଅନେକ ବିଷୟରେ ସଂବିଧାନ ସଭା ବିସ୍ତୃତ ଆଲୋଚନା କରିଥିଲେ। ସେମିତି ସଂବିଧାନ ଦେଶ, ବ୍ୟକ୍ତି ଓ ସମାଜ ମଧ୍ୟରୁ କାହାକୁ ପ୍ରାଧାନ୍ୟ ଦେବ- ଏ ପ୍ରସଙ୍ଗରେ ବ୍ୟକ୍ତି ବିକାଶ ଓ ସ୍ବାଧୀନତା ଉପରେ ଅଧିକ ଗୁରୁତ୍ବ ଦେଇଥିଲା। ଏତିକି ବେଳେ ଗାନ୍ଧୀ ତାଙ୍କର ଏକ ଇଚ୍ଛା ପ୍ରକାଶ କରି କହିଥିଲେ ଯେ ସେ ଦେଶର ଜଣେ ଦଳିତ ମହିଳାଙ୍କୁ ଦେଶର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବରେ ଦେଖିବାକୁ ଚାହାଁନ୍ତି। କିନ୍ତୁ ତାଙ୍କର ଏହି ସ୍ବପ୍ନ ପୂରଣ ହେବାକୁ ୭୫ ବର୍ଷ ଲାଗିଲା। ୨୦୨୨ ମସିହାରେ ଓଡ଼ିଶାର ଜଣେ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ। ତେଣୁ ସ୍ବାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ଆନ୍ଦୋଳନ ନ ହୋଇ ଏକ ସାମାଜିକ ବିପ୍ଳବ ଥିଲା। ସେମିତି ସଂବିଧାନ ସଭା ଭାରତୀୟ ମୂଲ୍ୟବୋଧ, ଗାନ୍ଧୀଙ୍କ ବିଚାରଧାରା ସହ ଫରାସୀ ବିପ୍ଳବ, ଆମେରିକା ବିପ୍ଳବ ଓ ଅକ୍ଟୋବର ବିପ୍ଳବରୁ ପ୍ରେରଣା ନେଇଥିଲା।
ଭାରତ ସଂବିଧାନକୁ କୁହାଯାଏ ରାଜଧର୍ମର ବେଦ, ବାଇେବଲ୍, େକାରାନ ଓ ଶ୍ରୀଗ୍ରନ୍ଥ ସାହିବ। ଏହାକୁ ଲେଖିଲା କିଏ? କେମିତି? ଏ ପ୍ରସଙ୍ଗରେ ପୁଣି ମନେ ପଡ଼ନ୍ତି ଗାନ୍ଧୀ। ସଂବିଧାନ ପ୍ରଣୟନ ପ୍ରକ୍ରିୟାକୁ ଲିପିବଦ୍ଧ କରିବା ପାଇଁ ଦରକାର ପଡ଼ିଲେ ଆଇନକାନୁନ, ଜ୍ଞାନ ଥିବା ଅଭିଜ୍ଞ ରାଜନୈତିକ ଦୂରଦୃଷ୍ଟି ସଂପନ୍ନ ବିଶେଷଜ୍ଞ। ଉଭୟ ଜବାହରଲାଲ ନେହରୁ ଓ ବଲ୍ଲଭ ଭାଇ ପଟେଲ ପହଞ୍ଚିଲେ ଗୁରୁ ଗାନ୍ଧୀଙ୍କ ପାଖେର। ସବୁ ଦିଗ ବିଚାର କରି ଗାନ୍ଧୀ କହିଲେ ଏ କାମ ପାଇଁ ଜଣେ ଖୁବ୍ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ସେ ହେଉଛନ୍ତି ଡ. ଭୀମାରାଓ ଆମ୍ବେଦକର। ନାମକରା ଆଇନ ବିଶାରଦ ଛଡ଼ା ସେ ବି ନିଜେ ଦଳିତ ବର୍ଗର ଲୋକ। ସେ ପଛୁଆ ବର୍ଗଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେଇ ପାରିବେ। ବେଦବ୍ୟାସଙ୍କ ମହାଭାରତ ରଚନାରେ ଗଣେଶ ସାହାଯ୍ୟ କଲା ଭଳି ଆମ୍ବେଦକର ସଂବିଧାନ ସଭା ଡ୍ରାଫ୍ଟିଙ୍ଗ କମିଟିର ମୁଖ୍ୟ ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅଧ୍ୟକ୍ଷ ରହିଲେ। ନାନା ତର୍କ, ବିତର୍କ, ଆଲୋଚନା, ସମାଲୋଚନା ପରେ ଭାରତର ଏହି ପ୍ରଥମ ପ୍ରଭିଜନାଲ୍ ପାର୍ଲାମେଣ୍ଟରେ ପାରିତ ହେଲା ସଂବିଧାନ ଚିଠା। ୨୬ ଜାନୁଆରି ୧୯୫୦ରେ ଏହା ସାରା ଦେଶ ପାଇଁ ଲାଗୁ ହେଲା। କୌତୂହଳର ବିଷୟ ଯେ ଏହା ପୂର୍ବରୁ ଯୁଦ୍ଧ ବିଧ୍ବସ୍ତ ଜାପାନରେ ବସିଥିଲା ସେ ଦେଶର ପାର୍ଲାମେଣ୍ଟ ବା ଡିଏଟ୍। ଜାପାନ ସଂବିଧାନ ସଭାର ସବୁ ଚବିଶ ସଭ୍ୟ ଆମେରିକୀୟ। ଏବଂ ସେମାନଙ୍କ ମଧ୍ୟରୁ ୧୬ ଜଣ ମିଲିଟାରି କର୍ମଚାରୀ। ରାଜଧାନୀ ଟୋକିଓର ଏକ ବଲ୍ ରୁମ ବା ନୃତ୍ୟଶାଳାରେ ସାତ ଦିନ ସଭା ହେଲା ପରେ ତିଆରି ହୋଇଗଲା ଜାପାନର ସଂବିଧାନ। ଏହାକୁ ଜାପାନୀ ରଙ୍ଗ ଦେବା ପାଇଁ ସେହି ଭାଷାରେ ଅନୁବାଦ କରି ଦିଆଗଲା। ଏଥିରେ ଲେଶମାତ୍ର ପରିବର୍ତ୍ତନ, ସଂଶୋଧନ ପାଇଁ ଆମେରିକୀୟମାନଙ୍କ ସମ୍ମତି ଦରକାର। ଦ୍ବିତୀୟ ବିଶ୍ବଯୁଦ୍ଧରେ ପରାଜିତ ସ୍ବାଭିମାନୀ ଜାପାନୀମାନେ ଶେଷରେ ଏହାକୁ ଗ୍ରହଣ କରିଥିଲେ। କିନ୍ତୁ ଏହି ଘଟଣାକୁ ବହୁଦିନ ଧରି ଗୁପ୍ତ ରଖାଯାଇଥିଲା। ଅପରପକ୍ଷରେ ଭାରତର ସଂବିଧାନ ସଭା ଏକ ଖୋଲା ମଞ୍ଚରେ ଖୋଲା କଥା ଭଳି ଥିଲା।
ସଂବିଧାନ ସଭାର ଅନ୍ତିମ ଦିବସରେ ଆମ୍ବେଦକର ତାଙ୍କ ଭାଷଣରେ ଭାରତୀୟମାନଙ୍କ ପାଇଁ ସ୍ପଷ୍ଟ ଭାଷାରେ ତିନିଟି ଚେତାବନୀ ଦେଇଥିଲେ: ପ୍ରଥମଟି ହେଲା ଭାରତୀୟମାନେ ମନେ ରଖିବା ଉଚିତ ଯେ ପ୍ରଚଳିତ ସାଂବିଧାନିକ ଗଣତନ୍ତ୍ରରେ ପ୍ରତିବାଦ, ଶୋଭାଯାତ୍ରା, ଧାରଣା, ଧର୍ମଘଟର କୌଣସି ସ୍ଥାନ ନାହିଁ। ଯେହେତୁ ଆମେ ମତଦାନ ଜରିଆରେ ପ୍ରତିନିଧିମୂଳକ ଶାସନ ଓ ସରକାର ବାଛିଲେ ଏବଂ ପ୍ରତି ପାଞ୍ଚ ବର୍ଷରେ ତାକୁ ବଦଳାଇବା ଅଧିକାର ପାଇଲେ, ପରିବର୍ତ୍ତିତ ପରିସ୍ଥିତିରେ ଗାନ୍ଧୀଙ୍କ ଆଇନ ଅମାନ୍ୟ, ଅସହଯୋଗ ଆନ୍ଦୋଳନ ଏବେ ଅପ୍ରାସଙ୍ଗିକ। ଏହା ଦ୍ବାରା ଦେଶରେ ଅରାଜକତା ‘ଆନାର୍କି’ ବ୍ୟାପିବ। ଏହି କାରଣରୁ ଭାରତକୁ ଏବେ କୁହାଯାଉଛି ‘ମିଲିଅନ୍ ପ୍ରୋଟେଷ୍ଟ’ ବା ‘ନିୟୁତ ଆନ୍ଦୋଳନ’ର ଦେଶ। ଆମ୍ବେଦକରଙ୍କ ଦ୍ବିତୀୟ ସତର୍କ ବାଣୀ ଥିଲା ରାଜନୀତିରେ ‘ଚାରିସ୍ମାଟିକ୍’ ବା ଆକର୍ଷଣୀୟ ନେତାଙ୍କ ପ୍ରତି ଅନ୍ଧ ଭକ୍ତି। ଇଂରେଜୀରେ କହନ୍ତି ‘ହିରୋ ୱର୍ସିପ୍’। ଏ ସଂପର୍କରେ ପ୍ରସିଦ୍ଧ ବ୍ରିଟିସ୍ ଦାର୍ଶନିକ ଜନ୍ ଷ୍ଟୁଆର୍ଟ ମିଲ୍ଙ୍କୁ (୧୮୦୬-୭୩) ଉଦ୍ଧାର କରି ସେ ଚେତାବନୀ ଦେଇ କହିଥିଲେ ଯେ ଆମ ଦେଶରେ ଅନ୍ଧ ଭକ୍ତିର ଏକ ପରଂପରା ରହିଛି। ଏକ ସ୍ବାଧୀନ ଲୋକତନ୍ତ୍ରରେ ଏହାର ସ୍ଥାନ ନାହିଁ। ନିଜର ବୁଦ୍ଧି ବିଚାର ପ୍ରୟୋଗ ନ କରି ଅନ୍ୟ ପଛରେ ଗୋଡ଼େଇଲେ ବ୍ୟକ୍ତି ସ୍ବାଧୀନତା କୈନ୍ଦ୍ରିକ ଉଦାରବାଦୀ ସଂସ୍କୃତିର ବିକାଶ ହୋଇପାରିବ ନାହିଁ। ଭକ୍ତଙ୍କ ଅତି ଭକ୍ତିରୁ ନେତା ସ୍ବେଚ୍ଛାଚାରୀ ଓ ଏକଛତ୍ରବାଦୀ ହେଇଯା’ନ୍ତି। ବାବାସାହେବଙ୍କ ତୃତୀୟ ଓ ଶେଷ ଚେତାବନୀ ଥିଲା- କେବଳ ରାଜନୈତିକ ସ୍ବାଧୀନତା ପାଇଲା ପରେ ଲୋକେ ସନ୍ତୋଷରେ ଶୋଇଗଲେ ସ୍ବାଧୀନତା ବି ଦୁର୍ବଳ ହେଇଯିବ। ବ୍ୟକ୍ତିଗତ, ସାମାଜିକ, ଅର୍ଥନୈତିକ ବିଷମତା ନ ଘୁଞ୍ଚିଲେ ପ୍ରକୃତ ସ୍ବାଧୀନତାର ଫଳ ମିଳିବ ନାହିଁ। ପ୍ରତିଦିନ ବିରୋଧାଭାସର ସାମନା କରିବାକୁ ପଡ଼ିବ। ରାଜନୈତିକ କ୍ଷେତ୍ରରେ ଗୋଟିଏ ବ୍ୟକ୍ତିର ଗୋଟିଏ ଭୋଟ ଓ ତା’ର ମୂଲ୍ୟ ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ। ରାଷ୍ଟ୍ରପତିଙ୍କ ଭୋଟର ମୂଲ୍ୟ ଯାହା, ତାଙ୍କ ପିଅନର ବି ସେୟା। କିନ୍ତୁ ଆମ ସାମାଜିକ ଓ ଅର୍ଥନୈତିକ େକ୍ଷତ୍ର ଅସମତା, ବିଷମତାରେ ପରିପୂର୍ଣ୍ଣ। ଆମ୍ବେଦକରଙ୍କ ମତରେ ଯଦି ଏପରି ଅବସ୍ଥା ଅଧିକ ଦିନ ଧରି ଜାରି ରହେ, ତାହା ହେଲେ ସ୍ବୟଂ ଗଣତନ୍ତ୍ର ଓ ତଜ୍ଜନିତ ରାଜନୈତିକ ସ୍ବାଧୀନତା ବିପଦଗ୍ରସ୍ତ ହେବ। ଏଇଥି ପାଇଁ ଭାରତୀୟ ସଂବିଧାନ ପ୍ରଣୟନ ବେଳେ ସୋଭିଏତ ସାମ୍ୟବାଦୀ ବିପ୍ଳବ, ଫରାସୀ ବିପ୍ଳବ ଓ ଆମେରିକାନ ସ୍ବାଧୀନତା ଆନ୍ଦୋଳନରୁ ଶିକ୍ଷା ଓ ପ୍ରେରଣା ନେବାକୁ କୁହାଯାଇଥିଲା।
ବିଦେଶୀ ଶାସକମାନେ ଭାବୁଥିଲେ ସଂବିଧାନ ଲେଖିବା ପାଇଁ ଭାରତୀୟମାନେ ଯୋଗ୍ୟ ନୁହନ୍ତି। ସେଇ ଆଶଙ୍କାଙ୍କୁ ମିଥ୍ୟା ପ୍ରମାଣ କରି ୨ ବର୍ଷ ୧୧ ମାସ ୧୮ ଦିନରେ ୩୮୯ ଭାରତୀୟ ପୃଥିବୀର ସବୁଠାରୁ ବୃହତ୍ତମ ଲିଖିତ ସଂବିଧାନ ଭେଟି ଦେଲେ ଦେଶମାତୃକାକୁ। ଏହା ଏବେ ଏକ ଐତିହାସିକ ଦସ୍ତାବିଜ। ହାତରେ ଲେଖା ଏହି ଦସ୍ତାବିଜ ଓ ଗଣତନ୍ତ୍ରର ଜନନୀ ଏବେ ପାର୍ଲାମେଣ୍ଟ ଲାଇବ୍ରେରୀର ମହିମା ମଣ୍ଡନ କରୁଅଛି। ସମୟ ସାଙ୍ଗେ ତାଳ ଦେଇ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୧୦୬ ଥର ମୂଳ ସଂଶୋଧନ ହୋଇ ସାରିଲାଣି। ଲୋକସଭା, ରାଜ୍ୟସଭା, ବିଧାନସଭା ଓ ପରିଷଦ, ସୁପ୍ରିମ୍ କୋର୍ଟ, ନିର୍ବାଚନ କମିସନ, କାର୍ଯ୍ୟପାଳିକା ସମସ୍ତେ ତା’ର ସନ୍ତାନ। ମା’, ପିଲା ସୁସ୍ଥ ସବଳ ରହିଲେ ଦେଶର ସ୍ବାସ୍ଥ୍ୟ ଠିକ୍ ରହିବ। ଏବେ ଭାରତ ସଂବିଧାନ ଅନେକ ଗଣତାନ୍ତ୍ରିକ ଦେଶଙ୍କ ପାଇଁ ହେଇଚି ମଡେଲ୍, ପ୍ରେରଣାର ଉତ୍ସ।
(ଆଜି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ)
ମୋ: ୯୯୩୭୦୨୭୦୧୭