ବିକଳ୍ପ ବିଶ୍ବ: ଦାର୍ଶନିକ ଚାଷୀ ଓ ଅହିଂସ କୃଷି

ଭଗବାନପ୍ରକାଶ

ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀ ଓ ପ୍ରକୃତି କୋଳରେ ବଢ଼ିବା ପରେ ଏବେ ବି ମଣିଷ ପାଇଁ ତାହା ରହିଚି ରହସ୍ୟମୟ। ସେଇ ପ୍ରକୃତିର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ ମନୁଷ୍ୟ ଭଳି କୋଟି କୋଟି ଶକ୍ତିଶାଳୀ ଜୀବଙ୍କ ପ୍ରାଣ ନେଇ ଯାଉଥିଲେ ବି ମଣିଷର ଚେତା ପଶେ ନାହିଁ। କରୋନା କାଳରେ ଆମେ ଏ କଥାଟି ଅଙ୍ଗେ ନିଭେଇଲେ। ବାହାସ୍ଫେ‌ାଟ ମାରି ଆମେ କହୁ ଆମେ କେଡ଼େ ବୁଦ୍ଧିଆ। କିନ୍ତୁ ଆମଠୁ ବଡ଼ ଭବିଷ୍ୟତ ଦ୍ରଷ୍ଟା ପିମ୍ଫୁଡ଼ି, ଯିଏ ଝଡ଼ି, ବର୍ଷା ପୂର୍ବରୁ ତା ଅଣ୍ଡା ସବୁକୁ ନିରାପଦ ଜାଗାକୁ ବୋହିନିଏ। ଜ୍ଞାନୀ, ବିଜ୍ଞାନୀ ମଣିଷ ପ୍ରକୃତିକୁ ବୁଝିବାରେ ଏବେ ବି ଅଜ୍ଞାନ। ଏବେ ବି ସେ ଭାବେ କେବଳ ବୁଦ୍ଧି ପ୍ରୟୋଗ କରି ସବୁ ସମସ୍ୟାର ସମାଧାନ କରିଦେବ। ଜଳ, ସ୍ଥଳ, ବାୟୁ, ବନ, ଗିରି, ଆକାଶ-ସବୁକୁ ଦୂଷିତ କଲା ପରେ ବି ମଣିଷ ସଚେତନ ହେଉନାହିଁ। ଆଇନ୍‌ଷ୍ଟାଇନଙ୍କ ମତରେ ଏହା ଏକ ପ୍ରକାର ସମୂହ ଆତ୍ମହତ୍ୟା ଏବଂ ଯେଉଁ ଦିନ ସ୍ବଚ୍ଛନ୍ଦରେ ଉଡୁଥିବା ଶେଷ ମହୁମାଛିଟି ମରିଯିବ, ଜାଣିବ ପୃଥିବୀ ପୃଷ୍ଠରୁ ମଣିଷ ଜାତିର ବିଲୟ ବେଳା ଉପସ୍ଥିତ। ବିଜ୍ଞ ବ୍ୟକ୍ତିମାନେ ଅତୀତରୁ ଶିଖନ୍ତି, ବର୍ତ୍ତମାନକୁ ଦେଖନ୍ତି, ବୁଝନ୍ତି ଓ ଭବିଷ୍ୟତକୁ ରକ୍ଷା ପାଇଁ ଚିନ୍ତା, ବିଚାର କରନ୍ତି। ଏମାନଙ୍କର ଚର୍ମ ଚକ୍ଷୁରେ ଏକ ତୃତୀୟ ଦୃଷ୍ଟିଶକ୍ତି ଥାଏ।

ସେଇଭଳି ଜଣେ ବିଜ୍ଞ ବ୍ୟକ୍ତି ଥିଲେ ଜାପାନର ମାସାନୋବୁ ଫୁକୁଓକା (୧୯୧୩-୨୦୦୮)। ଅଗଷ୍ଟ ତାଙ୍କର ଜନ୍ମ ମାସ। ପେସାରେ କୃଷି ବୈଜ୍ଞାନିକ, କିନ୍ତୁ ପୃଥିବୀର ପ୍ରଥମ କୃଷି ଦାର୍ଶନିକ ଭାବେ ସେ ସୁପରିିଚିତ। ସେ କହୁଥିଲେ ଜ୍ଞାନ ବିଜ୍ଞାନ ଦ୍ବାରା ପ୍ରକୃତିକୁ ବୁଝି ହେବ ନାହିଁ। ସେଥି ପାଇଁ ତାହାର ଗଭୀରତାକୁ ଯିବାକୁ ପଡ଼ିବ, ବୁଝିବାକୁ ଏବଂ ଜାଣିବାକୁ ପଡ଼ିବ। ତରତର ନ ହୋଇ ଧୈର୍ଯ୍ୟର ସହ ନିରୀକ୍ଷଣ କରିବାକୁ ହେବ। ଏହି ପ୍ରକ୍ରିୟା କୋଟି କୋଟି ବର୍ଷ ପୁରୁଣା। ​ଫୁକୁଓକା ଏହି ପଦ୍ଧତିକୁ କହନ୍ତି ପ୍ରାକୃତିକ ଚାଷ ଓ ‘ଡୁ ନଥିଙ୍ଗ୍‌’ ବା ‘କିଛି କର ନାହିଁ’ କୃଷି। ଏହା ପାଞ୍ଚ ପ୍ରକାର- (୧) ହଳ, ଲଙ୍ଗଳ, ବଳଦ ଲଗାଇ ମାଟି ମା’କୁ କ୍ଷତବିକ୍ଷତ କର ନାହିଁ, (୨) ରାସାୟନିକ ସାର ପ୍ରୟୋଗ କର ନାହିଁ, (୩) ପୋକମରା ଔଷଧ ପକାଅ ନାହିଁ, (୪) ଘାସ, ବାଳୁଙ୍ଗା ଓପାଡ଼ି ଫୋପାଡ଼ି ଦିଅ ନାହିଁ, (୫) ବଛା ଖେଳୁଆ, କୁଟା, କାଠି, ଡାଳପତ୍ର କାଟି ଫିଙ୍ଗି ଦିଅନାହିଁ। ଏମାନେ ସମସ୍ତେ ପ୍ରକୃତିର ପରମ ବନ୍ଧୁ ଓ ମାଟିକୁ ଅଧିକ ଉର୍ବର ଓ ଜୀବନ୍ତ କରିଥାନ୍ତି। ଗଛଲତା, ଚେରମୂଳ, ପତ୍ର, ଫୁଲ, ଫଳ, ମଞ୍ଜି, ବକଳା, ଖୋଳପା, ପୋକ, ଯୋକ, କୀଟପତଙ୍ଗ, ମଳ, ମୂତ୍ର, ଧୂଳି, ମଳି, ପାଣି, ପବନ ଏକାଠି ହୋଇ ସୃଷ୍ଟି କରିଥାନ୍ତି ନୂଆ ରୂପ, ରଙ୍ଗ। ତାଙ୍କର ପୁସ୍ତକ ‘ଦି ନାଚୁରାଲ୍‌ ୱେ ଅଫ୍‌ ଫାର୍ମିଙ୍ଗ’ (ପ୍ରାକୃତିକ ଉପାୟରେ ଚାଷ)ରେ ଫୁକୁଓକା ଏହି ସବୁଜ ଜୀବନ ଦର୍ଶନକୁ ଆହୁରି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିଚାରରେ ସ୍ବାଭାବିକ ପ୍ରକ୍ରିୟାରେ ହସ୍ତକ୍ଷେପ କଲେ, ବାଧା ସୃଷ୍ଟି କଲେ ପ୍ରକୃତି ଦଣ୍ଡ ଦେଇଥାଏ। ଅତିବୃଷ୍ଟି, ଅନାବୃଷ୍ଟି, ବନ୍ୟା, ବାତ୍ୟା, ମହାମାରୀ, ପାଗ ପରିବର୍ତ୍ତନ, ପ୍ରଜାତିଙ୍କ ବିଦାୟ ଓ ବିଲୋପ ମାଧ୍ୟମରେ।

ଫୁକୁଓକାଙ୍କ ଆଉ ଗୋଟିଏ ଚିନ୍ତା ଉଦ୍ରେକକାରୀ ବହିଟି ହେଲା ‘ୱାନ୍‌ ଷ୍ଟ୍ର ରିଭଲ୍ୟୁସନ’ ବା ‘କେଣ୍ଡାଏ ଧାନରୁ କୃଷି ବିପ୍ଳବ’। ସେ ଏହାର ପରୀକ୍ଷା ସ୍ଥଳର ନାଁ ରଖିଥିଲେ ‘ହାପି ହିଲ୍‌’ ବା ‘ସୁଖୀ ପର୍ବତ’। ଦଶ ବର୍ଗ ଗଜ ଭୂଇଁରେ ଏହି ବିସ୍ମୟ ବିହନର ଗୋଟିଏ ଦାନା ପୋତି ଦେଲେ ତାହା ବଢ଼ି ବଢ଼ି ବର୍ଷକ ମଧ୍ୟରେ ୫୦୦୦ ଶସ୍ୟ ଦାନା ହୋଇ ଅଧ ଏକର ଜମିରେ ଲଗା ଯାଇପାରିବ। ଏବଂ ଦୁଇ ବର୍ଷରେ ଏହା ୫୦ ଏକର ଓ ଚାରି ବର୍ଷରେ ୭୦୦୦ ଏକର ଜମି ପାଇଁ ବିହନ ହୋଇପାରିବ। ଏହିପରି ମୁଠାଏ ବିହନ ସାରା ଦେଶ ପାଇଁ ବରଦାନ ହୋଇ ଅଭାବ, ଅନଟନ, ଖାଦ୍ୟାଭାବ ଦୂର କରିପାରିବ। ଏପରି କୃଷି ବିପ୍ଳବ ଜଣେ ବ୍ୟକ୍ତି ଆରମ୍ଭ କରିପାରିବେ ଏବଂ ଏହା ଦ୍ବାରା ସାରା ଦେଶ କ୍ଷୁଧାମୁକ୍ତ ହେଇପାରିବ। ଏହି ବିହନକୁ ମାଟିରେ ଗୋଳାଇ ମରୁଭୂମିରେ ଫିଙ୍ଗି ଦେଲେ ପାଣି ପବନ ସହଯୋଗରେ ତାହା ସବୁଜ, ଶ୍ୟାମଳ କ୍ଷେତରେ ବଦଳି ଯାଏ। ମାତ୍ର ଏକ ଗ୍ରାମ୍‌ ଜିଅନ୍ତା ମାଟିରେ ଥା’ନ୍ତି ଦଶ କୋଟି ନାଇଟ୍ରୋଜେନ୍‌ ସ୍ଥିରକାରୀ ବାକ୍‌ଟେରିଆ ବା ଜୀବାଣୁ। ଏହି ନିରନ୍ତର, ନିରଳସ କର୍ମୀମାନେ ଅହରହ ବିନା ଖର୍ଚ୍ଚରେ ମାଟିକୁ ଚାଷୋପଯୋଗୀ ଓ ଉତ୍ପାଦନକ୍ଷମ କରିଥାନ୍ତି ଓ ଖଟି ଖଟି ମାଟିରେ ମିଶିଯା’ନ୍ତି। ସେମିତି ଚଢ଼େଇଟି ଗଛରୁ ଗଛ ଡେଇଁ ଫଳ ଖାଇ ଉଡ଼ିଯାଏ; ପେଟରେ ବତୁରିଯାଏ ମଞ୍ଜି; ଶେଷରେ ମଳ ହୋଇ ତଳେ ପଡ଼େ। ସେଥିରୁ ଉଠେ ଗଛ। ସେଥିରୁ ଝଡ଼ିପଡ଼େ ଶୁଖିଲା ଡାଳପତ୍ର, ସବୁଜିମା ଡାକି ଆଣେ ବର୍ଷା ପାଣି। ପତ୍ର ଶଢ଼ି ପଚି ହୁଏ ସାର। ତା’ପରେ ହୁଏ ପୁଣି ଗଛ, ଜଙ୍ଗଲ, ପୁଣି ଫୁଲ, ଫଳ, ମଞ୍ଜି ଓ ବୃକ୍ଷଲତା; ମାଡ଼ିଯାଏ ସାରା ପୃଥିବୀ। ବୈଦିକ ଯୁଗରେ ଏହି ପ୍ରାଚୀନ କୃଷି, ପ୍ରାକୃତିକ ପ୍ରକ୍ରିୟା ଓ ପଦ୍ଧତିକୁ କୁହାଯାଉଥିଲା ଋଷି କୃଷି ଓ ଅହିଂସ କୃଷି। କାରଣ ହଳ, ଲଙ୍ଗଳ, ବଳଦ ଯୋଚି ବାରମ୍ବାର ମାଟି ତଡ଼ା ଚାଷରେ କୋଟି କୋଟି ଉପକାରୀ ବାକ୍‌ଟେରିଆ ମରିଯାନ୍ତି। ଜଙ୍ଗଲରେ ଚାଷ, ସାର, ଜଳସେଚନ ନାହିଁ; କିନ୍ତୁ ବୃକ୍ଷମାନେ ସୁସ୍ଥ, ସବଳ।

ଫୁକୁଓକା କୃଷିକୁ ବୌଦ୍ଧ ଦର୍ଶନ ଅନୁସାରେ ତିନି ପ୍ରକାର ବିଭକ୍ତ କରିଛନ୍ତି। (୧) ମହାଯାନ ପ୍ରାକୃତିକ କୃଷି, (୨) ହୀନଯାନ ପ୍ରାକୃତିକ କୃଷି ଓ (୩) ବୈଜ୍ଞାନିକ କୃଷି। ମହାଯାନ କୃଷିରେ ମଣିଷର ଆତ୍ମା, ଜୀବନ ପ୍ରକୃତି ସହ ଏକାକାର ହୋଇଥାଏ। ହୀନଯାନ କୃଷିରେ ମଣିଷ ଓ ପ୍ରକୃତି ମଧ୍ୟରେ ପ୍ରେମିକ-ପ୍ରେମିକା ସମ୍ପର୍କ ସ୍ଥାପିତ ହୋଇଥାଏ। ଅପର ପକ୍ଷରେ ବିଜ୍ଞାନ ଆଧାରିତ କୃଷିରେ ମଣିଷର ବୃଦ୍ଧି ତାକୁ ପ୍ରକୃତି ଠାରୁ ଦୂରେଇ ନିଏ। ତା’ର ଦୁର୍ବୁଦ୍ଧି ପ୍ରକୃତିର କାଳ ହୋଇଥାଏ। ସେ ହୋଇଯାଏ ଭୋଗବାଦୀ, ବସ୍ତୁବାଦୀ ପ୍ରକୃତି ବିରୋଧୀ ଖଳନାୟକ। ଏପରି ବିଚାର ଦୃଷ୍ଟିରୁ ଫୁକୁଓକାଙ୍କୁ କୁହାଯାଏ ଜାପାନିଜ୍‌ ଗାନ୍ଧୀ। କାରଣ ଗାନ୍ଧୀ ସଦାବେଳେ କହୁଥିଲେ ପ୍ରକୃତିକୁ ତା’ ବାଟରେ ଛାଡ଼ିଦିଅ। ନିଜକୁ ନିଜେ କିପରି ସୁରକ୍ଷା କରିବ ସେ କଥା ସେ ଜାଣିଚି। ମାତ୍ର ୧୧ ପ୍ରତିଶତ ଜମି ଦ୍ବାରା ସମଗ୍ର ଜୀବ ଜଗତ୍‌ର ଭରଣପୋଷଣ ଶକ୍ତି ତା’ର ଅଛି। କେବଳ ଅହିଂସ କୃଷି ଉପରେ ଭାଷଣ ନ ଦେଇ ଫୁକୁଓକା ଏହାକୁ ନିଜେ କରି ଦେଖାଇଛନ୍ତି, ଉଦାହରଣ ସ୍ଥାପନ କରିଛନ୍ତି। ତାଙ୍କ ମତରେ ଚାଷୀ ବିଲରେ ଉଠିଥିବା ଯେଉଁ ଅନାବନା ଘାସକୁ ବଛା ଖେଳୁଆ ବେଳେ ମୁଲିଆ ଲଗେଇ ଉପାଡ଼ି ଫୋପାଡ଼ି ଦିଏ, ସେଇ ଘାସ ହେଲା ଚାଷ ପାଇଁ ସବୁଜ, ଉର୍ବର ମୃତ୍ତିକା ଓ ଚାଷୀର ପ୍ରକୃତ ବନ୍ଧୁ। କୋଟି କୋଟି ବର୍ଷ ପୂର୍ବେ ଯେତେବେଳେ ଉତ୍ତପ୍ତ ପୃଥିବୀ ଶାନ୍ତ, ଶୀତଳ ହେବାକୁ ଲାଗିଲା, ତାକୁ ସବୁଜ ଚାଦରରେ ଘୋଡ଼ାଇଥିଲା ଘାସ। ଫୁକୁଓକାଙ୍କ ପ୍ରାକୃତିକ କୃଷିରେ ରାସାୟନିକ ସାର ଓ ରୋଗ, ପୋକମରା ଔଷଧ ପ୍ରୟୋଗ ମନା। ରୋଗ, ପୋକ ଲାଗିବା ଏକ ସ୍ବାଭାବିକ ପ୍ରକ୍ରିୟା। ଏବେ ବି ବିନା ଡାକ୍ତରରେ ହଜାର ହାଜର ଗାଁ ବଞ୍ଚି ରହିଛନ୍ତି। ଅଙ୍ଗ ଓ ପୂର୍ଣ୍ଣାଙ୍ଗ ମଧ୍ୟରେ ସଂପର୍କ ବୁଝିବା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ। ଏହି ଦୃଷ୍ଟିକୋଣ ମହାନ୍‌ କୃଷି ବିଜ୍ଞାନୀ ମାସାନୋବୁ ଫୁକୁଓକାଙ୍କୁ କରିଥିଲା ଋଷି କୃଷି ଓ ଅହିଂସ ଚାଷର ଦାର୍ଶନିକ।
ମୋ: ୯୯୩୭୦୨୭୦୧୭

ସମ୍ବନ୍ଧିତ ଖବର