ଭାଷା, ଭୂଗୋଳ ଏବ˚ ଭାରତ ବିଚାର

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ସହଯୋଗୀ, ଦେଶର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ସଭାପତି ଅମିତ ଶାହ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସିଛନ୍ତି। ଆଜିର ଚର୍ଚ୍ଚା କିନ୍ତୁ ନିକଟ ଅତୀତରେ ତାଙ୍କର ଦୁଇଗୋଟି କଥାକୁ ନେଇ। ଧାରା ୩୭୦ର ଉଚ୍ଛେଦ ପାଇଁ ନେଇଥିବା ଐତିହାସିକ ନିଷ୍ପତ୍ତି ଏବ˚ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସମ୍ପର୍କିତ ବିବୃତି। ଧାରା ୩୭୦ର ଉଚ୍ଛେଦ ପାଇଁ ତାଙ୍କୁ ଯେତିକି ସମର୍ଥନ ଦେଇହେଉଛି, ଭାଷା ସମ୍ପର୍କିତ ତାଙ୍କର ବୟାନ ପାଇଁ ସେତିକି ଦେଇହେଉ ନାହିଁ। ଓଲଟା ଏକଥା ଭାବିଲା ବେଳକୁ ଏପରି ମତମନ୍ତବ୍ୟ ପଛରେ କିଛି ଭିତିରି ଉଦ୍ଦେଶ୍ୟ ଅଛି କି ବୋଲି ମନରେ ସନ୍ଦେହ ଜାତ ହେଉଛି। ତାହାହିଁ ଆଜି ଆମକୁ ଅଧିକ ବିବ୍ରତ କରୁଛି। ଧାରା ୩୭୦ କଥା ବୁଝିହେଉଛି। ସ୍ବାଧୀନତା ପରେ ଦେଶ ବିଭାଜନ ସମୟରୁ କଶ୍ମୀର ପ୍ରସଙ୍ଗ ଆମ ସୀମାନ୍ତକୁ କେବଳ ଅଶାନ୍ତ କରିନାହିଁ, ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ପାଇଁ ବିପଦର କାରଣ ମଧୢ ହୋଇଛି। ଦୀର୍ଘବର୍ଷ ପରେ ସକଳ ସୁବିଧା ସତ୍ତ୍ବେ କଶ୍ମୀର ଉପତ୍ୟକାରେ ଯେଉଁ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ କଥା ଚିନ୍ତା କରାଯାଇଥିଲା, ତାହା ହୋଇପାରିନାହିଁ। ତେଣୁ ଅମିତ ଶାହଙ୍କର ଏ ସାହସିକ ପଦକ୍ଷେପକୁ ପରୀକ୍ଷା କରିବା ପାଇଁ ସୁଯୋଗଟିଏ ଦେବାରେ କାହାର କିଛି ବିରୋଧ ରହିବା ଉଚିତ ନୁହେଁ। ତେବେ ତାଙ୍କର ଅସଲ ଉଦ୍ଦେଶ୍ୟ ଯଦି ଅନ୍ୟ କିଛି ହୋଇଥାଏ, ତାହାହେଲେ ତାଙ୍କୁ ସମର୍ଥନ ଦେଉଥିବା ସ˚ଖ୍ୟାଧିକ ଭାରତୀୟ ପ୍ରତାରିତ ହେବେ। ଏ ପ୍ରକାର ସନ୍ଦେହ ମନକୁ ଆସନ୍ତା ନାହିଁ, ଯଦି ଅମିତ ଶାହ ପରେ ପରେ ‘ଗୋଟିଏ ଦେଶ ଓ ଗୋଟିଏ ଭାଷା’ କଥା ଉଲ୍ଲେଖ କରି ନ ଥାନ୍ତେ। ହଠାତ୍‌ କାହିଁକି ଅମିତ ଶାହଙ୍କ ମନକୁ ଏ କଥା ଆସିଲା? ଏହା କ’ଣ ନିହାତି ଆବଶ୍ୟକ ଥିଲା? ଭାରତୀୟ ସ˚ଘୀୟ ବ୍ୟବସ୍ଥାରେ ଭାଷା ସମ୍ପର୍କିତ ନୀତି ଅତ୍ୟନ୍ତ ସ୍ପଷ୍ଟ ଏବ˚ ମୀମା˚ସିତ। ହିନ୍ଦୀକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦିଆଯାଇଥିଲେ ହେଁ ଅନ୍ୟ ପ୍ରାଦେଶିକ ଓ ଆଞ୍ଚଳିକ ଭାଷାଗୁଡ଼ିକୁ ମଧୢ ଅନୁରୂପ ମର୍ଯ୍ୟାଦା ଦିଆଯାଉଛି। ରାଜ୍ୟ ପୁନର୍ଗଠନର ନିଷ୍ପତ୍ତି ପ୍ରାଥମିକ ସ୍ତରରେ ଭାଷା ଉପରେ ନିର୍ଭର କରିଥିଲା। ଏବେ ବି ଅଧିକରୁ ଅଧିକ ନୂଆନୂଆ ଆଞ୍ଚଳିକ ଭାଷା ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ମାନ୍ୟତା ଦାବି କରୁଛନ୍ତି। ଏସବୁ ମାନ୍ୟତା ପ୍ରଦାନ କରି ଆମର କେନ୍ଦ୍ରୀୟ ନେତାମାନେ ବାହାବା ନେଉଛନ୍ତି। ତେବେ ଏ କଥା ସତ ଯେ, ଯଦି ଗୋଟିଏ ଦେଶରେ ଗୋଟିଏ ଭାଷା ହୁଅନ୍ତା ତେବେ ସେ ଦେଶର ଏକତା ଓ ସ˚ହତି ଅଧିକ ସମୃଦ୍ଧ ହୁଅନ୍ତା। ସୁଶାସନ ପାଇଁ ମଧୢ ଏହା ଅନୁକୂଳ ହୁଅନ୍ତା, ଏହାକୁ କେହି ଅସ୍ବୀକାର କରିବେ ନାହିଁ।

ତେବେ ବହୁଭାଷୀ ଭାରତରେ ଏହା ଯେ ଆଦୌ ସମ୍ଭବ ନୁହେଁ, ଏକଥା କ’ଣ ବୁଝେଇ କହିବାକୁ ପଡ଼ିବ? ଏହା ବହୁ ପରୀକ୍ଷିତ। ଅତୀତରେ ହିନ୍ଦୀକୁ ଏକପାଖିଆ ଲଦିଦେବା ଫଳରେ କି ପ୍ରକାର ପ୍ରତିକ୍ରିୟା ହୋଇଥିଲା ତାହା କ’ଣ ଆମର ମନେ ନାହିଁ? ତେଣୁ ହଠାତ୍‌ କେଉଁ କାରଣରୁ ସେ ପୁଣି ହିନ୍ଦୀ କଥା ଉଠାଇଛନ୍ତି ବୁଝିହେଉ ନାହିଁ। ପୁଣି ସେ କାରଣ ଦର୍ଶାଇ କହୁଛନ୍ତି, ଶତକଡ଼ା ୪୪ ଭାଗରୁ ଅଧିକ ଲୋକ ହିନ୍ଦୀ ଜାଣନ୍ତି ଓ ବ୍ୟବହାର କରନ୍ତି। ତେଣୁ ଏହାକୁ ଗ୍ରହଣ କରିନେବାରେ କିଛି ଅସୁବିଧା ନାହିଁ। ଗଣତନ୍ତ୍ରକୁ ଏକ ସ˚ଖ୍ୟାଖେଳ ଭାବି ବହୁମତକୁ ସମସ୍ତଙ୍କର ମତ ବୋଲି ଧରିବାର ପରମ୍ପରା ଯେ ସବୁବେଳେ ଅସଲ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମର୍ଯ୍ୟାଦା ଦେଇପାରେ ନାହିଁ, ଏ କଥା ଆମର ଦୀର୍ଘ ଗଣତାନ୍ତ୍ରିକ ଅନୁଭବରୁ ଆମେ ସମସ୍ତେ ଜାଣିଛେ। ଭାରତୀୟ ଗଣତନ୍ତ୍ର ଭିନ୍ନ ଏକ ‘ଭାରତ ବିଚାର’ ଉପରେ ନିର୍ଭର କରେ। ଶାସନ କ୍ଷମତାକୁ ଆସିବାକୁ ହେଲେ ସ˚ଖ୍ୟା ଖେଳର ନିୟମ ମାନିବାକୁ ପଡୁଥିଲେ ହେଁ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଅଳ୍ପମତକୁ ସମ୍ମାନ ଦେବାର ପରମ୍ପରା ଗଣତନ୍ତ୍ରର ମୂଳମନ୍ତ୍ର। ବିଶେଷ କରି ଭାରତ ପରି ବହୁ ଭାଷା, ଧର୍ମ ଓ ସାମାଜିକ ଚଳଣିର ଦେଶରେ କୌଣସି ଗୋଟିଏ କଥାକୁ ପ୍ରାଧାନ୍ୟ ଦେଲେ ତାହା ଗ୍ରହଣୀୟ ହେବନାହିଁ। ସେଥିପାଇଁ ‘ଭାରତ ବିଚାର’ର କଥାକୁ ବହୁ ପୂର୍ବରୁ ‘ବିବିଧତା ଭିତରେ ଏକତା’ ଶୀର୍ଷକରେ ପ୍ରକାଶ କରାଯାଇ ଆସିଛି। ‘ଭାରତ ବିଚାର’ର ଏ ମୂଳମନ୍ତ୍ରକୁ ‘ଗୋଟିଏ ଦେଶ ଓ ଗୋଟିଏ ଭାଷା’ ବିରୋଧ କରୁଛି। ଯେଉଁ ଭାଷା ଶାସନର ଭାଷା ହୁଏ, ତାହା ସ୍ବାଭାବିକ ଭାବେ ପ୍ରାଧାନ୍ୟ ଲାଭ କରେ। ତାକୁ ଶିଖିବା ପାଇଁ ଏବ˚ ବ୍ୟବହାର କରିବା ପାଇଁ ସାଧାରଣ ନାଗରିକମାନଙ୍କ ମଧୢରେ ବିଶେଷ କରି ସୁବିଧାଭୋଗୀ ମଧୢବିତ୍ତମାନଙ୍କ ମନରେ ଆଗ୍ରହ ବଢ଼େ। ଏହା କିନ୍ତୁ ସମ୍ପୂର୍ଣ୍ଣ ସଫଳ ହୁଏନାହିଁ।

ପରାଧୀନ ଭାରତରେ ଇ˚ରାଜୀ ଏହି କାରଣରୁ ଆମ ଉପରେ ପ୍ରଭାବ ବିସ୍ତାର କରିଆସିଥିଲା। ଦୁଇଶହ ବର୍ଷର ଶାସନ ପରେ ମଧୢ ଇ˚ରାଜୀ ସର୍ବସାଧାରଣଙ୍କ ଭାଷା ହୋଇପାରି ନ ଥିଲା। ଏହା ଏକ ବିଶିଷ୍ଟ ବର୍ଗର ଭାଷା ହୋଇ ରହିଗଲା। ଆଜି ଇ˚ରାଜୀ ଭାଷାର ଆବେଦନ ଯଦି ଅଛି ତା’ର ପ୍ରମୁଖ କାରଣ ବିଶ୍ବବଜାର, ବିଜ୍ଞାନ ଓ କାରିଗରି କୌଶଳ। ସେହିପରି ଭାରତରେ ହିନ୍ଦୀର ଆବେଦନ ଯଦି କିଛି ମାତ୍ରାରେ ଲକ୍ଷଣୀୟ ହୋଇରହିଛି ତା’ର କାରଣ ଶାସନ ନୁହେଁ, ବର˚ ସିନେମା ଓ ମନୋରଞ୍ଜନ। ସିନେତାରକାମାନେ ତାଙ୍କର ଅଭିନୟ ଓ ସ˚ଳାପରେ ହିନ୍ଦୀ ଭାଷାର ଅଧିକ ପ୍ରଚାର କରୁଛନ୍ତି। ଲୋକପ୍ରିୟ ହିନ୍ଦୀ ସିନେମା ସଙ୍ଗୀତ ଆମ ମନକୁ ଅଧିକ ଛୁଇଁପାରିଛି। ଶାସନ କ୍ଷମତା ସହ ଯୋଡ଼ି କୌଣସି ଭାଷାକୁ ଜୋର‌୍‌ ଜବରଦସ୍ତ ଲଦିଦେଲେ ତାହା ସହଜରେ ଗ୍ରହଣୀୟ ହୁଏନାହିଁ। ଭାରତୀୟ ସ˚ସ୍କୃତିରେ ଉଚ୍ଚ ବର୍ଗର ଭାଷା ଭାବରେ ସ˚ସ୍କୃତର ଅବସ୍ଥା କ’ଣ ହେଲା ତାହା କାହାରିକୁ ଅଜଣା ନାହିଁ। ଗୃହମନ୍ତ୍ରୀଙ୍କର ଏପରି ମନ୍ତବ୍ୟକୁ ଆମେ ହାଲୁକାରେ ଗ୍ରହଣ କରିବା ନାହିଁ। ବର˚ ଏଥିରୁ ମିଳୁଥିବା ଅସଲ ବାର୍ତ୍ତାଟିକୁ ଗମ୍ଭୀରତାର ସହ ବିଚାର କରିବା। ଦକ୍ଷିଣ ଭାରତରେ ଏହାର ଜୋରଦାର ବିରୋଧ ହୋଇଛି। ଆମ ଓଡ଼ିଶାରେ ସେପରି ବିରୋଧ ହୋଇନାହିଁ। ଏହା ଆଦୌ ଶୁଭ ଲକ୍ଷଣ ନୁହେଁ। ନିକଟ ଅତୀତରେ ଓଡ଼ିଶାରେ ଭାଷା ସଚେତନତା ବୃଦ୍ଧି ପାଇଥିଲା ପରି ମନେହୁଏ। ଉଭୟ ସରକାର ଓ ସାଧାରଣ ନାଗରିକମାନେ ଏ ସମ୍ପର୍କରେ ସଚେତନ ହୋଇଉଠିଛନ୍ତି। ସରକାର ଭାଷା ପାଇଁ ନୂତନ ବିଭାଗ, ନୂତନ ନିୟମ କରିଛନ୍ତି। ନିୟମ ଅମାନ୍ୟ କଲେ ଦଣ୍ତନୀୟ ଅପରାଧ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ତା’ ସତ୍ତ୍ବେ ହିନ୍ଦୀକୁ ଲଦିଦେବା ପ୍ରସଙ୍ଗଟି ଆମକୁ ବିବ୍ରତ କରୁନାହିଁ।

ଲକ୍ଷ୍ୟ କରିବାର କଥା ଯେ, ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ତଳୀଙ୍କର ଆଚରଣ ଓ ଉଚ୍ଚାରଣରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ପ୍ରଥମ ପାଳି ସରକାରରେ ଅନେକ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଦଳର ନିଷ୍ପତ୍ତି ଇସ୍ତାହାରରେ ବହୁ ପୂର୍ବରୁ ଲିଖିତ ଓ ଘୋଷିତ ହୋଇଥିଲେ ମଧୢ ସେ ସମ୍ପର୍କରେ ସରକାରରେ ଥିବା କୌଣସି ମନ୍ତ୍ରୀ ସେ ନେଇ ମୁହଁ ଖୋଲୁ ନ ଥିଲେ। ୩୭୦ ଧାରା ଏହି ଜାତିର ଥିଲା। ଦ୍ବିତୀୟ ପାଳିରେ ଅଧିକ ସ˚ଖ୍ୟା ମିଳିଲା ପରେ ଏ ପ୍ରକାର ମତମନ୍ତବ୍ୟର କି ପ୍ରକାର ତର୍ଜମା କରାଯାଇପାରିବ? ସ˚ଖ୍ୟାଗରିଷ୍ଠତାର ଅହ˚କାରରେ ହିନ୍ଦୀ ପରେ ଗୋଟିଏ ଦେଶରେ ଗୋଟିଏ ଧର୍ମ କଥା ଉଠିବ ନାହିଁ ତ? ଆମ ପାଇଁ ଏହା ଏକ ଜାତୀୟ ବିଡ଼ମ୍ବନା। ଆମେ ଏ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛେ। ମହାତ୍ମା ଗାନ୍ଧୀ ଭିନ୍ନ ଏକ ହିନ୍ଦୀ ଭାଷାର ସମର୍ଥନ କରୁଥିଲେ, ଯାହାକୁ ସେ ହିନ୍ଦୁସ୍ଥାନୀ କହୁଥିଲେ। ତା’ ବୋଲି ସେ ଅନ୍ୟ ଭାଷା ଉପରେ ତାକୁ ଲଦିବାକୁ ଚାହୁ ନ ଥିଲେ। ଇ˚ରାଜୀ ଅପେକ୍ଷା ନିଜ ମାତୃଭାଷାରେ ଶିକ୍ଷାଲାଭ କଲେ ମଣିଷ ଅଧିକ ବିଜ୍ଞ ଓ ସଫଳ ହୁଏ ବୋଲି ବିଶ୍ବାସ ରଖୁଥିଲେ। ଇ˚ରାଜୀ ପାଠୁଆ ଯୁବବର୍ଗକୁ ଲକ୍ଷ୍ୟକରି କହୁଥିଲେ, ମାତୃଭାଷାରେ ପଢ଼ିଥିଲେ ସେମାନେ ନାନକ ଏବ˚ ଚୈତନ୍ୟଙ୍କ ପରି ବଡ଼ ହୋଇପାରିଥା’ନ୍ତେ। ଇ˚ରାଜୀ ତାଙ୍କୁ ବାମନ କରିଦେଇଛି। ବହୁ ଭାଷା, ବହୁ ଧର୍ମର ଭାରତରେ ବିବିଧତା ଭିତରେ ଏକତାର କଥା କହୁଥିବା ନେତୃମଣ୍ତଳୀ ରାଷ୍ଟ୍ର ନାମରେ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି। ଗାନ୍ଧିଜୀଙ୍କର ଜନ୍ମଦିନ ପାଳନ କଲାବେଳେ ଗାନ୍ଧିଜୀଙ୍କର ହତ୍ୟାକାରୀର ପୂଜନ ପାଇଁ ଆମେ ସଙ୍କୋଚ କରୁନା। ଏହା କେବଳ ବିଡ଼ମ୍ବନା ନୁହେଁ, ‘ଭାରତ ବିଚାର’ର ଘୋର ବିରୋଧୀ। ‘ଭାରତ ବିଚାର’ ଆଜି ସଙ୍କଟରେ ପଡ଼ିଥିବା ବେଳେ ଆଞ୍ଚଳିକ ଭାଷାଗୁଡ଼ିକ ମଧୢ ଅନୁରୂପ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ମାତୃଭାଷା ପ୍ରେମୀ ସଜ୍ଜନମଣ୍ତଳୀ ମାତୃଭାଷାର କଥା କହି ରାଜରାସ୍ତାକୁ ଆସିଲେ ଏ ସଙ୍କଟ ଦୂର ହେବ ନାହିଁ।

ଭାଷାର ସଙ୍କଟ କେବଳ ଆମର ନୁହେଁ, ଏହା ସାରା ଭାରତରେ ଏବ˚ ବିଶ୍ବରେ ମଧୢ ରହିଛି। ଏ ସଙ୍କଟ ସମ୍ପର୍କରେ ଅଧିକ ତର୍ଜମାର ଆବଶ୍ୟକତା ଅଛି। ଭାଷା ବଞ୍ଚିବ କି ନାହିଁ, ଏ ପ୍ରକାର ସନ୍ଦେହ ଆମକୁ ଭାରାକ୍ରାନ୍ତ କରୁଥିବା ବେଳେ ଭାଷା କାହିଁକି ମରେ ସେ ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକତା ଅଛି। ଯେ କୌଣସି ଜିନିଷ ବ୍ୟବହାର ନ ହେଲେ ଅଦରକାରୀ ହୋଇପଡ଼େ। ଯାହା ସହଜସୁଲଭ ନୁହେଁ ତାକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ ନାହିଁ। ଏକ ରକ୍ଷଣଶୀଳ ମନୋଭାବକୁ ନେଇ ଭାଷା ସଙ୍କଟକୁ ବିଚାର କଲେ ଆଗାମୀ ପିଢ଼ି ତାକୁ ଗ୍ରହଣ କରିବ ନାହିଁ। ଆମେ ପଛେଇଯିବା। ଆମ ଭାଷାଟି ଆଧୁନିକ ବିଜ୍ଞାନ ଓ କାରିଗରି କୌଶଳର ଅନୁକୂଳ ନ ହେଲେ ତାହା ଅଦରକାରୀ ହୋଇଯିବ। ଭାଷାର ଶତ୍ରୁ ଅନ୍ୟ କେହି ନୁହେଁ, ଆମେ ନିଜେ। ଆମେ ସମସ୍ତେ ଗୃହଶତ୍ରୁ ସାଜି ନିଜ ଭାଷାକୁ ମାରିବା ପାଇଁ ଅଜାଣତରେ ଉଦ୍ୟମ କରିଚାଲିଛେ। ଘରେ ଆମ ନିଜ ଭାଷାଟି ଦୁର୍ବଳ ହୋଇଗଲେ ହିନ୍ଦୀ ଭାଷା କେତେବେଳେ ଯେ ଆମ ଓଡ଼ିଶାରେ ତା’ର ଉପନିବେଶ ସ୍ଥାପନ କରିବ, କହିହେବ ନାହିଁ। ବର˚ ଆଞ୍ଚଳିକ ଭାଷାଗୁଡ଼ିକ ମଜଭୁତ ହେଲେ ସବୁ ସ˚ଖ୍ୟାଲଘୁ ଭାଷାଭାଷୀ ନାଗରିକମାନେ ଏକ ହୋଇ ଭିନ୍ନ ଏକ ସ˚ଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ତାହା ହିଁ ହେବ ପ୍ରକୃତ ଗଣତାନ୍ତ୍ରିକ ଭାରତର ଭାଷା ନୀତି। ଆଧୁନିକ ବିଜ୍ଞାନ ଓ କାରିଗରି କୌଶଳ ଆମକୁ ବହୁଭାଷୀ ହେବା ପାଇଁ ଯଥେଷ୍ଟ ସୁବିଧାସୁଯୋଗ ଦେଉଛି। ଆମ ପିଲାମାନେ ତା’ର ବିନିଯୋଗ କରିବା ଉଚିତ। ଅନ୍ୟ କୌଣସି ଭାଷାକୁ ଘୃଣା ନ କରି ନିଜ ମାତୃଭାଷାକୁ ଭଲପାଇବାର ଅଭ୍ୟାସ କରିବା ଦରକାର। ଭାଷା ଓ ଭୂଗୋଳର ସମ୍ପର୍କ ମଧୢ ବଦଳିବାକୁ ଆରମ୍ଭ କଲାଣି। ଭାଷାଭିତ୍ତିକ ପ୍ରଦେଶ ଗଠନ ପରେ ଏବେ ଗୋଟିଏ ଭାଷାକୁ ନେଇ ଅନେକ ପ୍ରଦେଶ ଗଠିତ ହେଲାଣି ତ, ଗୋଟିଏ ପ୍ରଦେଶରେ ଏକାଧିକ ଭାଷାଭାଷୀ ଲୋକ ରହିଲେଣି। ଅନ୍ୟ ଭାଷାଭାଷୀମାନେ ନିଜ ପାଇଁ ସ୍ବତନ୍ତ୍ର ପ୍ରଦେଶ ମଧୢ ଦାବି କରୁଛନ୍ତି। ତେଣୁ ଭାଷା, ଭୂଗୋଳ ଏବ˚ ଭାରତ ବିଚାରକୁ ନେଇ ଆଜିର ଚର୍ଚ୍ଚା ଅଧିକ ଗମ୍ଭୀର ତର୍ଜମାର ଅପେକ୍ଷା ରଖୁଛି।

ସମ୍ବନ୍ଧିତ ଖବର