ରେଭେନ୍ସା ଚିନ୍ତା

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

କଟକ ଚିନ୍ତା ବାଇମୁଣ୍ଡିକୁ। ରେଭେନ୍ସା ଚିନ୍ତା? କଟକ ନଗରକୁ ବିପଦରୁ ରକ୍ଷା କରିବା ପାଇଁ ବାଇମୁଣ୍ଡିର କଥା ଆଜି କିଂବଦନ୍ତି ପାଲଟିଛି। କିନ୍ତୁ କଟକ ନଗରର ଐତିହ୍ୟ ଓ ଗୌରବର ଅନ୍ୟତମ ପ୍ରତୀକ ରେଭେନ୍ସା ବିଶ୍ବବିଦ୍ୟାଳୟର କଥା ଚିନ୍ତା କରିବ କିଏ? ରେଭେନ୍ସା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଉଦ୍ୟମ କରିଥିବା କେତେଜଣ ସଫଳ ପୁରାତନ ଛାତ୍ରମାନଙ୍କର ଅତ୍ୟନ୍ତ ଉଦ୍‌ବେଗ ଓ ଆବେଗଭରା ଚିଠିଟି ପାଇବାରୁ ଏ ପ୍ରଶ୍ନ ମୋ ମନକୁ ଆସୁଛି। ସେମାନେ ସମ୍ଭବତଃ ମୁଁ ପୁରାତନ ଛାତ୍ର ସଂସଦର ସଭାପତି ହୋଇଥିବାରୁ ମୋର ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଚିତ ମଣିଲେ। ନିକଟରେ ସାରା ଭାରତର ବିଶ୍ବବିଦ୍ୟାଳୟମାନଙ୍କର ମାନ୍ୟତା ଚିଠା ପ୍ରକାଶ ପାଇଛି। ଏଥିରେ ପ୍ରଥମ ଦୁଇଶହରେ ମଧ୍ୟ ରେଭେନ୍ସାର ସ୍ଥାନ ନାହିଁ। ଅଥଚ ଦିନ ଥିଲା ରେଭେନ୍ସା କଲେଜକୁ ଚିଠିଟିଏ ପଠାଇବା ପାଇଁ ଠିକଣାର ଆବଶ୍ୟକତା ପଡୁନଥିଲା। କେବଳ ରେଭେନ୍ସା ମହାବିଦ୍ୟାଳୟ ଲେଖିଦେଲେ ବିଶ୍ବର ଯେ କୌଣସି ସ୍ଥାନରୁ ଚିଠିଟି ଆସି ପହଞ୍ଚି ଯାଉଥିଲା। ପ୍ରତ୍ୟେକ ମେଧାବୀ ଛାତ୍ରର ରେଭେନ୍ସାରେ ପାଠପଢ଼ିବା ସ୍ବପ୍ନ ଏବଂ ଗୌରବ ଥିଲା। କୁହାଯାଏ ରେଭେନ୍ସାର ଯେ କୌଣସି ଛାତ୍ର ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବ। ଆଜି ଅବସ୍ଥା କ’ଣ ହୋଇଛି? ଅବଶ୍ୟ ଆମ ଦେଶରେ ଏବେ ଶିକ୍ଷାନୁଷ୍ଠାନମାନଙ୍କର ଅବକ୍ଷୟ ସ୍ବାଭାବିକ ଓ ଦେହସୁହା ହୋଇଗଲାଣି। ଏଥିପାଇଁ ନିର୍ଦ୍ଦିଷ୍ଟ ଭାବରେ କାହାକୁ ଦୋଷ ଦେଇ ହେବନାହିଁ। ଆଧୁନିକ ବାଇମୁଣ୍ଡିମାନେ ଏକରକମ ଅସହାୟ ଏବଂ ଉଦାସୀନ ହୋଇପଡ଼ିଛନ୍ତି। ତେବେ ରେଭେନ୍ସା କଥାଟି ନିଆରା। ରେଭେନ୍ସାର ପୁରୁଣା ନାଲିକୋଠାକୁ ଦେଖିଲେ ବିଲାତର ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ କଥା ମନକୁ ଆସେ। ରେଭେନ୍ସାକୁ ତ ମାତ୍ର ଦେଢ଼ଶହ ବର୍ଷ ପୂରିଛି। ସେଠି ପ୍ରାୟ ହଜାରେ ବର୍ଷର ପୁରୁଣା ଅନୁଷ୍ଠାନ ତାଙ୍କର କୋଠାବାଡ଼ିକୁ ସେହିପରି ସୁରକ୍ଷିତ ରଖିବା ସହିତ ବିଶ୍ବରେ ତାଙ୍କର ପ୍ରତିଷ୍ଠା ଓ କୀର୍ତ୍ତିକୁ ଅକ୍ଷତ ରଖିପାରିଛନ୍ତି। ଆମେ କାହିଁକି ପାରୁନାହୁଁ? ଏ ସଂପର୍କରେ ଏକ ଅନାସକ୍ତ ତର୍ଜମାର ଆବଶ୍ୟକତା ରହିଛି।

ରେଭେନ୍ସାର ସମସ୍ୟା କ’ଣ? ମୋ ବିଚାରରେ ରେଭେନ୍ସା ଏକ ସମସ୍ୟା ନୁହେଁ, ସୁଯୋଗ। ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ପରିଣତ ହେବା ପରେ ଆମ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଥିଲା। ଯେଉଁମାନେ ଏହି ବିଶ୍ବବିଦ୍ୟାଳୟର ଦାୟିତ୍ବରେ ରହି‌ଲେ ସେମାନେ ନିଜକୁ ଭାଗ୍ୟବାନ ମନେ କରିବା କଥା। ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟର ଯିଏ ଅଧ୍ୟକ୍ଷ ହେଉଥିଲେ ସିଏ ନିୟମତଃ ରାଜ୍ୟର ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପଦକୁ ଉନ୍ନୀତ ହେଉଥିଲେ। ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ ହେଇପାରୁ ନଥିଲା। ଏପରି ଗୋଟିଏ ଐତିହ୍ୟସମ୍ପନ୍ନ ଅନୁଷ୍ଠାନର ସୁରକ୍ଷା ଦାୟିତ୍ବ ତାଙ୍କୁ ମିଳିଥିଲା। ବିଶ୍ବବିଦ୍ୟାଳୟର ନବକଳେବରରେ ସେମାନେ ଆହୁରି ଦେଢ଼ଶହ ବର୍ଷ ପାଇଁ ତାର ଭିତ୍ତିଭୂମିକୁ ସୁଦୃଢ଼ କରିପାରିଥାନ୍ତେ। କିନ୍ତୁ ତାହା ଏବେ ଧୀରେ ଧୀରେ ହାତଛଡ଼ା ହେବାକୁ ଯାଉଛି। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ଗୋଟିଏ ଅନୁଷ୍ଠାନକୁ ଗଢ଼ିତୋଳିବା ବା ସୁରକ୍ଷିତ ରଖିବା ଆଦୌ ସହଜ ନୁହେଁ। ଅନୁଷ୍ଠାନ ପ୍ରତି ସମର୍ପଣ ଭାବ ଏବଂ ନିୟମ ମାନିବାର ଅଭ୍ୟାସ ଅନୁଷ୍ଠାନ ଗଢ଼ିବାର ମୂଳମନ୍ତ୍ର। ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ, ଅନୁଷ୍ଠାନ ମୁଖ୍ୟଙ୍କର ଖିଆଲି ମନୋଭାବ ଏବଂ ପ୍ରିୟାପ୍ରୀତି ତୋଷଣ ଆଜି ଅନୁଷ୍ଠାନ ଗଢ଼ିବାରେ ବାଧକ ସାଜିଛନ୍ତି। ରେଭେନ୍ସା ମଧ୍ୟ ଅନୁରୂପ ମାନସିକତାର ଶିକାର ହୋଇଛି।

ଗୋଟିଏ ସଫଳ ଶିକ୍ଷାନୁଷ୍ଠାନର ତିନିଟି ଅଙ୍ଗ- ଉପଯୁକ୍ତ ଭିତ୍ତିଭୂମି, ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ। ଏହି ତିନିଟିର ସମନ୍ବୟରେ ସଂପୂର୍ଣ୍ଣ ସମର୍ପଣ ଭାବ ରଖି ନିୟମ ମାନି ଚାଲିଲେ ଅନୁଷ୍ଠାନ ନିଶ୍ଚିତ ଭାବରେ ସଫଳ ହୁଏ। ରେଭେନ୍ସା କ୍ଷେତ୍ରରେ ଏହି ତିନିଟିରୁ କୌଣସି ଗୋଟିଏ କଥା ଅନୁକୂଳ ଥିଲାଭଳି ମନେହେଉ ନାହିଁ। ମେଧାବୀ ଛାତ୍ରଛାତ୍ରୀମାନଙ୍କର ରେଭେନ୍ସା ଆଉ ପ୍ରଥମ ପସନ୍ଦ ହୋଇ ରହିନାହିଁ। ଅଧ୍ୟାପକ ଅଧ୍ୟାପିକାମାନଙ୍କ କଥା ଯେତେ କମ୍‌ କୁହାଯିବ ସେତେ ଭଲ। ମାତ୍ର ୩୦ ଭାଗ ଶିକ୍ଷକ ପୂରା ବିଶ୍ବବିଦ୍ୟାଳୟର ଭାର ବୋହୁଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ କୁଳପତିଙ୍କର ପାଖଲୋକ ହୋଇଥିଲେ ନିୟମିତ ନ ଆସିଲେ ବି ଚଳିବ। ରେଭେନ୍ସାର ପୁରୁଣା ନାଲିକୋଠା ଅକ୍ସଫୋର୍ଡ, କେମ୍ବ୍ରିଜ ଭଳି ଆମକୁ ଆଉ ଉତ୍ସାହିତ କରୁନାହିଁ। ସମସ୍ତଙ୍କର ଆଖି ରେଭେନ୍ସାର ନୂଆ କ୍ୟାମ୍ପସ୍‌ ଉପରେ ଅଛି। ଏବେ କେଜାଣି କାହିଁକି ସମସ୍ତେ ଭିତ୍ତିଭୂମି ଉପରେ ନଜର ଦେଉଛନ୍ତି। ସୁନ୍ଦର ଚକଚକିଆ କୋଠାବାଡ଼ି ଦେଖାଇ ଅନୁଷ୍ଠାନମାନେ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି। ବିଶ୍ବବିଦ୍ୟାଳୟ ବିଧାନସଭା ଦ୍ବାରା ପାରିତ ନିୟମ ଦ୍ବାରା କେବଳ ସୃଷ୍ଟି ହୋଇନାହିଁ, ଏହାର ଉତ୍ତମ ପରିଚାଳନା ପାଇଁ ବ୍ୟବସ୍ଥା ମଧ୍ୟ ଅନୁରୂପ ଭାବେ ନିୟମ ଦ୍ବାରା ବନ୍ଧା। କୁଳାଧିପତିଙ୍କ ପରେ ପରିଚାଳନା ପରିଷଦ କୁଳପତି, କୁଳସଚିବ ଓ ଅନ୍ୟ ଅଧିକାରୀମାନଙ୍କୁ ନେଇ ବିଶ୍ବବିଦ୍ୟାଳୟ ପରିଚାଳନା କରିବାର ବ୍ୟବସ୍ଥା ହୋଇଛି। ଏମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିଲେ ବିଶ୍ବବିଦ୍ୟାଳୟର ମାନବୃଦ୍ଧି ହୁଏ। ଏବେ କିନ୍ତୁ ଲକ୍ଷ୍ୟ କରାଯାଉଛି ଯେ ରେଭେନ୍ସାରେ ଉପରୋକ୍ତ ତିନିଟିଯାକ କ୍ଷେତ୍ରରେ ଯାବତୀୟ ଅସଙ୍ଗତି ଏବଂ ଅବାଞ୍ଛିତ କଥା ଘଟୁଛି। କୁଳପତି ଏବଂ କୁଳସଚିବଙ୍କ ମଧ୍ୟରେ ସର୍ବନିମ୍ନ ବୁଝାମଣା ରହୁନାହିଁ ତ ଅର୍ଥ ପରାମର୍ଶଦାତା ଏବଂ ପରୀକ୍ଷା ନିୟନ୍ତ୍ରକ ଭଳି ଗୁରୁତ୍ବପୂର୍ଣ୍ଣ ପଦବିଗୁଡ଼ିକ ଦୀର୍ଘଦିନ ଧରି ଖାଲି ରହୁଛି। ଦୁଇବର୍ଷରେ ଦୁଇ ଦୁଇ ଜଣ କୁଳସଚିବ ଏବଂ ଅର୍ଥ ପରାମର୍ଶଦାତା ବଦଳିଗଲେଣି। ସରକାରଙ୍କ ଦ୍ବାରା ମନୋନୀତ ଏହି ପଦବିମାନଙ୍କରେ ଯଦି ଜଣେ ବର୍ଷଟିଏ ବି ରହିପାରୁ ନାହାନ୍ତି ସେ ଅନୁଷ୍ଠାନକୁ ବୁଝିବେ କିପରି, କରିବେ କ’ଣ? ଏହା ଆଦୌ ଶୁଭ ଲକ୍ଷଣ ନୁହେଁ। କିନ୍ତୁ କୁଳପତିମାନଙ୍କୁ ଏଭଳି ଅଚଳାବସ୍ଥା ସୁହାଉଛି। ନିରଙ୍କୁଶ କ୍ଷମତା ଉପଭୋଗ କରିବା ପାଇଁ ଏହା ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। କ୍ଷମତା ସବୁବେଳେ ଦୁର୍ନୀତିକୁ ପ୍ରଶ୍ରୟ ଦିଏ। ନିରଙ୍କୁଶ କ୍ଷମତା ବେଲଗାମ ଦୁର୍ନୀତିର କାରଣ ପାଲଟିଯାଏ। ରେଭେନ୍ସା କ୍ଷେତ୍ରରେ ଏହା ଘଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯେଉଁଠି ପଇସା ସେଇଠି ସମସ୍ତଙ୍କର ଆଖି। ନୂଆ କ୍ୟାମ୍ପସ୍‌ ତିଆରି ହେବ, କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ଅଧ୍ୟାପକ ଅଧ୍ୟାପିକାମାନେ ନିଯୁକ୍ତି ପାଇବେ। ବିଶ୍ବବିଦ୍ୟାଳୟର ନିଯୁକ୍ତି ଅନ୍ୟ ସରକାରୀ ନିଯୁକ୍ତିଠାରୁ ଅଧିକ ଆକର୍ଷଣୀୟ। କାରଣ ଏହାର ବେତନହାର, ଚାକିରି ସର୍ତ୍ତାବଳୀ, ପଦୋନ୍ନତି ସୁରକ୍ଷିତ। ଅନ୍ୟ ସରକାରୀ ଅଧ୍ୟାପକଙ୍କ ଭଳି ଏଥିରେ ବଦଳି ପୀଡ଼ା ନାହିଁ। ତେଣୁ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପାଇବା ପାଇଁ ରାଜନୈତିକ ହସ୍ତକ୍ଷେପଠାରୁ ଆରମ୍ଭ କରି ଅର୍ଥ କାରବାର କରିବା ପର୍ଯ୍ୟନ୍ତ କୌଣସି କଥାକୁ କେହି ସଙ୍କୋଚ କରନ୍ତି ନାହିଁ। ତେବେ ନୂଆ କ୍ୟାମ୍ପସ୍‌ ତିଆରି, ବିଶ୍ବବିଦ୍ୟାଳୟର ଯାବତୀୟ ଆନ୍ତରିକ ବ୍ୟବସ୍ଥା, ଅଧ୍ୟାପକ ନିଯୁକ୍ତି ଓ ପରୀକ୍ଷା ନିୟନ୍ତ୍ରଣ ଭଳି ଯାବତୀୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅଧିକୃତ ପଦବି ଥିଲେ ମଧ୍ୟ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ନେଇ ଏକ କାମଚଳା ବ୍ୟବସ୍ଥାକୁ କୁଳପତି ଆପଣାଇ ନେଇଛନ୍ତି। ବିଶ୍ବବିଦ୍ୟାଳୟର କୁଳପତିମାନଙ୍କର ଏବେ ନବୀକରଣର ସମୟ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ହୋଇପାରୁ ନାହିଁ, କୁଳପତି ଚୟନ ମଧ୍ୟ ସମ୍ଭବ ନୁହେଁ ବୋଲି ଅଧିକାଂଶ କୁଳପତି ନିଜର ଅବଧି ବଢ଼ାଇବା ପାଇଁ ଯାବତୀୟ ଚାପ ପ୍ରୟୋଗ କରୁଛନ୍ତି। ଏହି ସମୟ ମଧ୍ୟରେ ଶହ ଶହ ଅଧ୍ୟାପକ ଅଧ୍ୟାପିକାଙ୍କ ଚୟନ କିପରି ହେବ ତାହା ବୁଝିହେଉ ନାହିଁ। ନିଜ ଅବଧି ପୂରିବା ଆଗରୁ ନିୟମିତ କୁଳସଚିବଙ୍କ ଅବର୍ତ୍ତମାନରେ ନିଜର ଆଜ୍ଞାବହ କାମଚଳା ଅଧିକାରୀଙ୍କ ସହାୟତାରେ ଏହାକୁ କରିଦେଇ ପାରିଲେ ପ୍ରଭୂତ ଅର୍ଥ ଉପାର୍ଜନର ସୁଯୋଗ ହାତଛଡ଼ା ହୋଇଯିବ ବୋଲି ଅଭିଯୋଗକୁ ଭିତ୍ତିହୀନ ବୋଲି ସହଜରେ କହିହେବ ନାହିଁ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସେ ସମୟର କୁଳପତି ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ଶ୍ରୀମାଳୀଙ୍କର ଏ ସଂପର୍କିତ ମନ୍ତବ୍ୟ ମନକୁ ଆସୁଛି। କିଛି ଅଧ୍ୟାପକଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପାଇଁ ରାଜନୈତିକ ଚାପ ପଡ଼ିବାରୁ ସେ ମନ୍ତବ୍ୟ ଦେଇଥିଲେ ‘ଗୋଟିଏ ଅଯୋଗ୍ୟ ଅଧ୍ୟାପକକୁ ନିଯୁକ୍ତି ଦେଲେ ତା ପ୍ରତି ନିଶ୍ଚିତ ଭାବେ ଅନୁକମ୍ପା ହେବ, କିନ୍ତୁ ବିଶ୍ବବିଦ୍ୟାଳୟ ତାକୁ ୩୦ ବର୍ଷ ଭୋଗିବ। କାରଣ ତାର ବଦଳି ନାହିଁ କିମ୍ବା ଅନ୍ୟ କେହି ତାକୁ ନେବେ ନାହିଁ। ତେବେ ବିଶ୍ବବିଦ୍ୟାଳୟ ପ୍ରତି ଅନୁକମ୍ପା ଦେଖାଇବ କିଏ?’ ଆଜିର କୁଳପତିମାନେ ଡ. ଶ୍ରୀମାଳୀଙ୍କ ପରି ସମର୍ପଣ ଏବଂ ମୂଲ୍ୟବୋଧର ପରିଚୟ ଦେବେ ବୋଲି ଆଶା କରିବା କ’ଣ ଅନୁଚିତ?

ସମ୍ବନ୍ଧିତ ଖବର