ଭୁଲ୍‌ ସୁଧାରିବାର ସୁଯୋଗ

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ନବେ ଦଶକରେ ବନହରପଲ୍ଲୀଠାରେ ଓଡ଼ିଶା ସରକାର ନିଜସ୍ବ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିଲେ। ୪୨୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରିବାର କ୍ଷମତା ରଖି ଦୁଇଟି ୟୁନିଟ୍‌ ୪୫୧ କୋଟି ଟଙ୍କାର ନିଜସ୍ବ ପୁଞ୍ଜି ବିନିଯୋଗରେ ଓପିଜିସି କାର୍ଯ୍ୟକ୍ଷମ ହୋଇପାରିଥିଲା। ୧୯୯୬ ମସିହାରେ ତତ୍‌କାଳୀନ କଂଗ୍ରେସ ସରକାର ପୁଞ୍ଜି ପ୍ରତ୍ୟାହାରର ନିଷ୍ପତ୍ତି ନେଇ ଶତକଡ଼ା ୪୯ ଭାଗ ଅଂଶଧନକୁ ଆମେରିକୀୟ କମ୍ପାନି ଏଇଏସ୍‌କୁ ବିକ୍ରି କରିଦେଇଥିଲେ। ସେତେବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ବିଦ୍ୟୁତ୍‌ କ୍ଷେତ୍ରରେ ଯେଉଁ ସଂସ୍କାର କଥା କୁହାଯାଉଛି ସେଥିରେ ଓଡ଼ିଶା ଆଗୁଆ ଅଛି। ତାପଜ ବିଦ୍ୟୁତ୍‌ କ୍ଷେତ୍ରରେ ସଂପ୍ରସାରଣର ଆବଶ୍ୟକତାକୁ ଦେଖି ଆଉ ଦୁଇଟି ୟୁନିଟ୍‌ ତିଆରି କରିବାକୁ ହେଲେ ବେସରକାରୀ ଅନୁଷ୍ଠାନମାନଙ୍କର ସହଭାଗିତା ନିହାତି ଆବଶ୍ୟକ। ପୁଞ୍ଜିପ୍ରତ୍ୟାହାର ଦ୍ବାରା ଏହା ସମ୍ଭବ ହୋଇପାରିବ। ସେତେବେଳେ ସରକାରଙ୍କର ଏ ପ୍ରକାର ନିଷ୍ପତ୍ତିକୁ ବିରୋଧୀ ଦଳ କଠୋର ସମାଲୋଚନା କରୁଥିଲେ। ଇତିମଧ୍ୟରେ ପ୍ରାୟ ପଚିଶ ବର୍ଷ ବିତିଗଲାଣି। ଏବେ ଖବର ପ୍ରକାଶ ପାଇଛି ଯେ ଏଇଏସ୍‌ କାଳେ ତା’ର ଅଂଶଧନକୁ ବିକି ଦେବାକୁ ଚାହୁଁଛି। ୪୯ ପ୍ରତିଶତ ଅଂଶଧନର ମୂଲ୍ୟ ହଜାରେ କୋଟିରୁ ଅଳ୍ପ ଅଧିକ ହେବ ବୋଲି କୁହାଯାଉଛି।

ଓପିଜିସିରୁ ଏଇଏସ୍‌ ଓହରିଯିବା କଥା ଅନେକଗୁଡ଼ିଏ ପ୍ରଶ୍ନ ଉଠାଉଛି। ପଚିଶ ବର୍ଷ ଭିତରେ ଏଇଏସ୍‌ ଏ କମ୍ପାନିକୁ କିପରି ଚଳାଉଥିଲା? ଓଡ଼ିଶା ସରକାର ୫୧ ପ୍ରତିଶତ ଅଂଶଧନର ମାଲିକ ହୋଇଥିଲେ ମଧ୍ୟ ଏଇଏସ୍‌ କମ୍ପାନି ଉପରେ ସମ୍ପୂର୍ଣ୍ଣ ପରିଚାଳନା ଭାର ଛାଡ଼ି ଦେଇଥିଲେ। ପଚିଶ ବର୍ଷ ଭିତରେ ପ୍ରାୟ ୧୫ ଶହ କୋଟି ଟଙ୍କାର ଲାଭାଂଶ ଉଭୟ ଓଡ଼ିଶା ସରକାର ଓ ଏଇଏସ୍ କମ୍ପାନି ନିଜ ଭିତରେ ବାଣ୍ଟି ନେଇଛନ୍ତି। ତେବେ ଏଇଏସ୍‌ ଓହରି ଯାଉଛି କାହିଁକି? କୁହାଯାଉଛି, ଏଇଏସ୍‌ ତାପଜ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଆଉ ରହିବାକୁ ଚାହୁଁନାହିଁ। କୋଇଲା ସହିତ ସମ୍ପର୍କ ଥିବା କୌଣସି ବ୍ୟବସାୟରେ ଏହା ଆଉ ଭାଗ ନେବ ନାହିଁ। ଏ ପ୍ରକାର ଯୁକ୍ତି ଶତକଡ଼ା ଶହେ ଗ୍ରହଣଯୋଗ୍ୟ ହେଉନାହିଁ। ପୁଣି ଓପିଜିସିର ବର୍ତ୍ତମାନର ମୂଲ୍ୟ କେତେ? ଇତିମଧ୍ୟରେ ତୃତୀୟ ଓ ଚତୁର୍ଥ ୟୁନିଟ୍‌ ପାଇଁ ଆହୁରି ୧୦ ହଜାର କୋଟିର ପୁଞ୍ଜି ବିନିଯୋଗ ହୋଇଛି ଏବଂ ଅଧିକ ୧୩୨୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କ୍ଷମତା ବଢ଼ିଛି। କେବଳ ଓପିଜସିିର ଜମା ଖର୍ଚ୍ଚର ହିସାବ ଦେଖିଲେ ଏହାର ମୂଲ୍ୟ ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ହେଉଛି। ଏଥିରୁ ଏଇଏସ୍‌ର ଅଂଶଧନର ମୂଲ୍ୟ ପ୍ରାୟ ୧୨ ଶହ ୫୦ କୋଟି ହେବ। ଏଇଏସ୍‌ କମ୍ପାନି ୧୨ ଶହ ୫୦ କୋଟିର ସମ୍ପତ୍ତିକୁ ହଜାରେ କୋଟିରେ ବିକିବା ପାଇଁ କାହିଁକି ରାଜି ହେଉଛି? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ପଚିଶ ବର୍ଷ ଧରି ଏଇଏସ୍‌ ପରିଚାଳନାରେ ଓପିଜିସି କିପରି ଚାଲୁଥିଲା ତାହାର ଏକ ଅନାସକ୍ତ ତର୍ଜମା କରିବାକୁ ପଡ଼ିବ।

ଗତ ପଚିଶ ବର୍ଷରେ ଯାବତୀୟ ବୈଷୟିକ ତ୍ରୁଟି ଓ ପରିଚାଳନାଗତ ଅବହେଳା ଯୋଗୁ ଓପିଜିସି ଯେତିକି ଭଲରେ ଚାଲିବା କଥା ସେପରି ଚାଲିପାରି ନାହିଁ। ଏଇଏସ୍‌ କର୍ତ୍ତୃପକ୍ଷ କର୍ମଚାରୀମାନଙ୍କ ମଧ୍ୟରେ ଜାତିଭେଦ ସୃଷ୍ଟି କରି କାର୍ମିକ ପରିବେଶକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଯାହା ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତିଠାରୁ କୌଣସି ଗୁଣରେ କମ୍‌ ନୁହେଁ। ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ତାପଜ କେନ୍ଦ୍ରଟି ପୂର୍ଣ୍ଣ କ୍ଷମତାରେ ଚାଲି ପାରୁନଥିଲା। ତୃତୀୟ ଓ ଚତୁର୍ଥ ୟୁନିଟ୍‌ର ଆସ୍‌ପଣ୍ଡ କାମ ନ କରୁଥିବା ଦୃଷ୍ଟିରୁ ପ୍ରଥମ ଓ ଦ୍ବିତୀୟ ୟୁନିଟ୍‌ ଉପରେ ଅଧିକ ଚାପ ପଡ଼ୁଥିଲା। ବୋଝ ଉପରେ ନଳିତାବିଡ଼ା ପରି ସରକାରଙ୍କ ପରିବେଶଜନିତ ନୂଆ କଟକଣା ଓ ନୀତି ପ୍ରଥମ ଦୁଇଟି ୟୁନିଟ୍‌ ୨୦୨୨ ପରେ କାର୍ଯ୍ୟକ୍ଷମ ହେବ କି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୃତୀୟ ଓ ଚତୁର୍ଥ ୟୁନିଟ୍‌ ମଧ୍ୟ ଅନୁରୂପ ଭାବେ ପରିଚାଳନାଗତ ତ୍ରୁଟିର ଶିକାର ହେବା ଫଳରେ ପ୍ରାୟ ଦୁଇ ବର୍ଷ ବିଳମ୍ବରେ କାର୍ଯ୍ୟକ୍ଷମ ହେଲା। ଅନେକ ବୈଷୟିକ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଥିବାରୁ ୧୩୨୦ ମେଗାୱାଟ୍‌ କ୍ଷମତା ଥିବା ସତ୍ତ୍ବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏସବୁ ତ୍ରୁଟିକୁ ସୁଧାରିବାକୁ ହେଲେ ଆହୁରି ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ୁଛି। ଏଇଏସ୍‌ କମ୍ପାନି ଗତ ୨୫ ବର୍ଷ ଭିତରେ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରି ନିଜ ଇଚ୍ଛା ଅନୁସାରେ ଏହି କମ୍ପାନି ଚଳାଇଥିଲା। ଆମେ ୫୧ ପ୍ରତିଶତ ଅଂଶଧନର ମାଲିକ ହୋଇ ମଧ୍ୟ ଆମ ପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଥିଲେ। ଯେତେବେଳେ ଏଇଏସ୍‌ର ଏତାଦୃଶ ଆଚରଣର କର୍ମଚାରୀମାନେ ପ୍ରତିବାଦ କରୁଥିଲେ ସରକାରଙ୍କ ପ୍ରତିନିଧିମାନେ ହାତ ଟେକି ଦେଉଥିଲେ ଓ ଗୋଟିଏ କଥା କହୁଥିଲେ ଯେ ଏଇଏସ୍‌କୁ ଅଂଶଧନ ବିକିଲା ବେଳେ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ସବୁ କ୍ଷମତା ଏଇଏସ୍‌କୁ ଦିଆଯାଇଥିଲା। ଆଜି ଯେତେବେଳେ ଏଇଏସ୍‌ ଓହରି ଯିବାକୁ ଚାହୁଁଛି ଆମ ପାଇଁ ପୁରୁଣା ଭୁଲ୍‌କୁ ସୁଧାରିବାର ଏକ ସୁଯୋଗ ମିଳିଛି।

ଓପିଜିସି କମ୍ପାନି ଆଜିର ବିଦ୍ୟୁତ୍‌ କ୍ଷେତ୍ରରେ ଓଡ଼ିଶାର ଏକ ପ୍ରମୁଖ ଅନୁଷ୍ଠାନ। ୧୭୪୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିବାର କ୍ଷମତା ଏହାର ଅଛି। ପରିବେଶଗତ ସମସ୍ୟାକୁ ଛାଡ଼ିଦେଲେ ତାପଜ ବିଦ୍ୟୁତ୍‌ ଉତ୍ପାଦନକାରୀମାନଙ୍କର ମୁଖ୍ୟତଃ ଦୁଇଟି ସମସ୍ୟା ଥାଏ। ଉତ୍ପାଦନ ପାଇଁ ଆବଶ୍ୟକ ପଡ଼ୁଥିବା କୋଇଲା ଉଚିତ ମୂଲ୍ୟରେ ଏବଂ ଠିକ୍‌ ସମୟରେ ମିଳିବା ଦରକାର। ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତିକୁ ଉଚିତ ମୂଲ୍ୟରେ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା ଥିବା ଦରକାର। ଓପିଜିସି ଏହି ଦୃଷ୍ଟିରୁ ଅତ୍ୟନ୍ତ ସୁବିଧାଜନକ ସ୍ଥିତିରେ ଅଛି। ଓଡ଼ିଶା ସରକାର ନିଜର ପ୍ରାୟ ଶତକଡ଼ା ୭୫ ଭାଗ ଅଂଶଧନରେ ଏକ ନିଜସ୍ବ କୋଇଲା କମ୍ପାନି କରି ଓପିଜିସିକୁ କୋଇଲା ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଓପିଜିସି ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତିର ୭୫ ଭାଗ ବିକିବା ପାଇଁ ଗ୍ରିଡ୍‌କୋ ମଧ୍ୟ ଚୁକ୍ତିବଦ୍ଧ ହୋଇଛି। ବାକି ୨୫ ଭାଗକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ଗ୍ରିଡ୍‌କୋ ମଧ୍ୟ ରାଜି ହୋଇଛି। ଓପିଜିସିର ବିଦ୍ୟୁତ୍‌ ୟୁନିଟ୍‌ ପିଛା ବିକ୍ରି ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି। ଏପରି ସୁବିଧା ସୁଯୋଗ ବହୁତ କମ୍‌ ତାପଜ୍‌ ଶକ୍ତି ଉତ୍ପାଦନ କମ୍ପାନିମାନଙ୍କର ଅଛି। ଏପରି ଏକ ପରିସ୍ଥିତିରେ ଓଡ଼ିଶା ସରକାର କ’ଣ କରିବା ଦରକାର? ସମୁଦାୟ ପ୍ରକଳ୍ପରେ ଯେତେଗୁଡ଼ିଏ ସମସ୍ୟା ବର୍ତ୍ତମାନ ଦେଖାଦେଇଛି, ସେଥିପାଇଁ ଏଇଏସ୍‌ର ପରିଚାଳନାଗତ ତ୍ରୁଟି ମୁଖ୍ୟତଃ ଦାୟୀ। ସେଗୁଡ଼ିକୁ ସୁଧାରି ପାରିଲେ ଓପିଜିସି ଏକ ଲାଭଦାୟକ ସଂସ୍ଥା ହୋଇପାରିବ।

ବୈଷୟିକ ତ୍ରୁଟି ଓ ପରିବେଶଗତ କଟକଣାକୁ ସୁଧାରିବାକୁ ହେଲେ ଆଉ ୫ ହଜାର କୋଟି ଟଙ୍କା ପୁଞ୍ଜିର ଆବଶ୍ୟକତା ପଡ଼ିବ। ଆସନ୍ତା ୩୦ ବର୍ଷ ପାଇଁ ବିଦ୍ୟୁତ୍‌ କ୍ଷେତ୍ରରେ ଆତ୍ମନିଭରଶୀଳ ହୋଇପାରିବା ପାଇଁ ୫ ହଜାର କୋଟିର ବ୍ୟୟ ବରାଦ ବଡ଼ କଥା ନୁହେଁ। ଗୋଟିଏ ‘ଫନି’ ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହାଠାରୁ ଅଧିକ ଖର୍ଚ୍ଚ କରାଇ ଦେଉଛି। ବ୍ୟାଙ୍କମାନେ ମଧ୍ୟ ଏ ପୁଞ୍ଜି ଯୋଗାଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାରେ ୫ ହଜାର କୋଟି ଟଙ୍କାର ଋଣ ଭାର (ଯଦିଓ ଏହା ଓପିଜିସି ସୁଝିବ) ଯଦି ସରକାର ନେବାକୁ ଚାହୁଁ ନଥିବେ ତା’ହେଲେ ଅନ୍ତତଃ ପକ୍ଷେ ଗତ ୨୫ ବର୍ଷ ଭିତରେ କର୍ମଚାରୀଙ୍କ ପ୍ରତି ଏଇଏସ୍‌ କରିଥିବା ଅନ୍ୟାୟର ପ୍ରତିକାର ହେବା ଏକାନ୍ତ ଆବଶ୍ୟକ। କମ୍ପାନି ନିୟମ ଅନୁସାରେ ପୁଞ୍ଜି ପ୍ରତ୍ୟାହାର ବେଳେ ୫୧ ପ୍ରତିଶତ ଅଂଶଧନ ଥିବା ଅଂଶୀଦାରର ଅନେକ କ୍ଷେତ୍ରରେ ପ୍ରଥମ ଅଧିକାର ରହିଛି। ତେଣୁ ସରକାର ଏଇଏସ୍‌ଠାରୁ ଅଂଶଧନ ନିଜେ କିଣିନେବା ଦରକାର। ପୁଣି ଅଂଶୀଦାରମାନଙ୍କର ଯେଉଁ ଚୁକ୍ତିନାମା କଥା କହି ଏଇଏସ୍‌ ବିଗତ ବର୍ଷମାନଙ୍କରେ କର୍ମଚାରୀମାନଙ୍କ ପ୍ରତି ଯାବତୀୟ ଅନ୍ୟାୟ କରି ଆସୁଥିଲା ତାହା ବାତିଲ ହେବା ଦରକାର। ୧୯୯୬ ମସିହାର ତଥାକଥିତ ଭୁଲ୍‌କୁ ସୁଧାରିବାର ଏ ସୁଯୋଗକୁ ସରକାର ହାତଛଡ଼ା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର