ଗତ ସପ୍ତାହରେ ଏହି ସ୍ତମ୍ଭରେ ପ୍ରକାଶିତ ‘ନର୍କକୁ ରାସ୍ତା…’ ଶୀର୍ଷକ ଲେଖା ସମ୍ପର୍କରେ ଶାବର କ୍ଷେତ୍ର କୋରାପୁଟରୁ ଜଣେ ପାଠକ ବନ୍ଧୁ ଟେଲିଫୋନ୍ କରି କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କର କହିବା କଥା ହେଲା, ସେହି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଦିନ ଥିଲା; କାରଣ ଦୀର୍ଘ ବର୍ଷର ମନ୍ଦିର ମସ୍ଜିଦ୍ର ବିବାଦୀୟ ପ୍ରସଙ୍ଗ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ରାୟ ଶୁଣାଇ ଥିଲେ। ଏହା ଫଳରେ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାର ସ୍ବପ୍ନ ସାକାର ହେବାକୁ ଯାଉଥିବା ବେଳେ ସେହି ପୃଷ୍ଠାରେ ନର୍କ କଥା କହି ଆମ ସମସ୍ତଙ୍କର ଆନନ୍ଦକୁ କେବଳ ପାଣିଚିଆ କରି ଦିଆଗଲା ନାହିଁ, ବରଂ ଏହା ଦ୍ବାରା ଏକ ପବିତ୍ର କାର୍ଯ୍ୟ ଏକରକମ ଅପବିତ୍ର ହୋଇଗଲା। ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଯେ ଆମ କଥାଟିକୁ ପାଠକ ବନ୍ଧୁଙ୍କୁ ସମ୍ଭବତଃ ଠିକ୍ ଭାବରେ ବୁଝାଇ ପାରି ନାହିଁ। ରାମ ମନ୍ଦିର ନିର୍ମାଣ ବାଟକୁ ସୁଗମ କରିଥିବା ରାୟ ଯେ ଏକ ଐତିହାସିକ ନିଷ୍ପତ୍ତି ଏହାକୁ ସମସ୍ତେ ସ୍ବୀକାର କରିବେ। ଦଳ, ମତ ଓ ପନ୍ଥ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି। ମୁସ୍ଲିମ୍ ସଂଗଠନ ଓ ଭାଇମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରି ଭାରତ ବିଚାରର ମର୍ଯ୍ୟାଦାକୁ ବହୁଗୁଣିତ କରିଛନ୍ତି। ତେବେ ଆମ ବିଚାରରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିଦେଲେ ଆମର ବିଶେଷ କିଛି ଲାଭ ହେବ ନାହିଁ, ଯଦି ଆମ ମନ ମନ୍ଦିରଟି ସେହିପରି ସୁନ୍ଦର ଓ ପରିଚ୍ଛନ୍ନ ହୋଇ ନଥିବ। ପୁଣି ପାଠକ ବନ୍ଧୁଙ୍କର ଏହି ପ୍ରତିକ୍ରିୟାଟି ଯଦି ସେ ହାତକାଟି ଲେଖି ଦେଇଥାନ୍ତେ ତାହା ଆମ ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭରେ ଅନ୍ୟ ପାଠକବନ୍ଧୁଙ୍କ ଅବଗତି ନିମନ୍ତେ ଛପା ଯାଇ ପାରିଥାନ୍ତା। ତାହା ହିଁ ଏକ ଖବର କାଗଜର ଦାୟିତ୍ବ ଓ କର୍ତ୍ତବ୍ୟ ବୋଲି ଆମେ ମନେକରୁ। ତାହା ନ କରି ସେ ଆଧୁନିକ କାରିଗରୀ କୌଶଳ ବ୍ୟବହାର କରି ତାଙ୍କର ମନର କଥା ମୋତେ ବ୍ୟକ୍ତିଗତ ଭାବେ ଜଣାଇଲେ। ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ନ ରଖିଲେ ଆମ ଦୁଇ ଜଣଙ୍କର ମନର କଥା ମନରେ ହିଁ ରହିଯାଇଥାନ୍ତା ଏବଂ ବୃହତ୍ତର ପାଠକ ସମାଜର ବୌଦ୍ଧିକ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି ହୋଇ ପାରି ନଥାନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
ମନ ମନ୍ଦିରଟି ସୁନ୍ଦର ଓ ପରିଚ୍ଛନ୍ନ ହେଲେ ଭବ୍ୟ ରାମ ମନ୍ଦିରର ଯଥାର୍ଥତା ଅଧିକ ପ୍ରମାଣିତ ହେବ। ଭାରତୀୟ ମନ ମନ୍ଦିର ଆଜି ଅସୁରକ୍ଷିତ ଏବଂ ଏକ ରକମ ସଙ୍କଟ ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଷା, ଜାତି, ଧର୍ମ ଆଦି ବିବିଧତାରେ ପରିପୂର୍ଣ୍ଣ ଭାରତ ଏ ସବୁକୁ ନେଇ ଆଜି କେଜାଣି କାହିଁକି ସନ୍ତୁଳି ହେଉଛି। ଭୋଟ୍ ସର୍ବସ୍ବ ବ୍ୟବସ୍ଥା ଏହାକୁ ଆହୁରି ଜଟିଳ କରି ତୋଳୁଛି। ବିବିଧତା ମଧ୍ୟରେ ଏକତାର ଐତିହାସିକ ମୂଲ୍ୟବୋଧକୁ ନେଇ ଆମର ଜାତୀୟ ଜୀବନ ପରିପୁଷ୍ଟ ହେବ ବୋଲି ଆମେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି କେତେକାଂଶରେ ବିପନ୍ନ ବୋଲି କୁହାଯାଇପାରେ। ବିବିଧତା ମଧ୍ୟରେ ଏକତାର ପ୍ରମାଣ ଖୋଜି ବୁଲିଲା ବେଳେ ଓଡ଼ିଶା ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି। ଏହା କେବଳ ଜଗନ୍ନାଥଙ୍କ ଅପାର କରୁଣାରୁ ସମ୍ଭବ ବୋଲି ଆମେ ବିଶ୍ବାସ କରୁ। ସକଳ ବିବିଧତା ସତ୍ତ୍ବେ କିପରି ଏକାଠି ରହିବା ସମ୍ଭବ ହୁଏ, ଓଡ଼ିଶାର ଜାତୀୟ ଜୀବନ ତା’ର ଜ୍ବଳନ୍ତ ପ୍ରମାଣ। ସେଥିପାଇଁ ଜଗନ୍ନାଥଙ୍କୁ ଓଡ଼ିଆ ଜାତିର ପ୍ରକୃତ ପରିଚୟ ଏବଂ ଶ୍ରେଷ୍ଠ ସମ୍ପଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦାସିଆ ବାଉରୀ, ବନ୍ଧୁ ମହାନ୍ତି ଓ ଭକ୍ତ ସାଲବେଗଙ୍କ କଥା ସାଙ୍ଗକୁ କଟକର କଦମ୍ରସୁଲ, ବାଲେଶ୍ବରର ଭୁଜାଖିଆ ପୀର ଓ ଖୋର୍ଦ୍ଧାର କାଇପଦର ଜାତି, ଧର୍ମ ସମନ୍ବୟର ବଳିଷ୍ଠ ନିଦର୍ଶନ। ସୁଖର କଥା ନବୀନବାବୁ ପଞ୍ଚମ ଥର କ୍ଷମତାକୁ ଆସି ଯେଉଁ କଥାଗୁଡ଼ିକୁ ସାହସର ସହିତ ହାତକୁ ନେଇଛନ୍ତି ତାହା ମଧ୍ୟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଗାନ୍ଧୀଜୀଙ୍କର ୧୫୦ ବର୍ଷ ପୂର୍ତ୍ତି ଉତ୍ସବକୁ ଅଧିକ ପ୍ରାସଙ୍ଗିକ କରିବାକୁ ଯାଇ ସେ ସମ୍ବିଧାନର ପ୍ରାକ୍ କଥନରେ ଅହିଂସା ସନ୍ନିବେଶିତ କରିବା ପାଇଁ ଅଭିନବ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଆ ଜାତିର ପରିଚୟ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଯାବତୀୟ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେବାର ସାହସ କରିଛନ୍ତି। ଜଗନ୍ନାଥ ତାଙ୍କୁ ଏଥିରେ ସହାୟ ହେବେ ବୋଲି ଆମେ ବିଶ୍ବାସ କରୁ।
ନବୀନବାବୁଙ୍କର ଏ ଦୁଃସାହସିକ ପଦକ୍ଷେପକୁ ଅଧିକ ଗ୍ରହଣୀୟ ଓ ପ୍ରାସଙ୍ଗିକ କରିବା ପାଇଁ ଆଉ କେତୋଟି ଆନୁଷଙ୍ଗିକ ପଦକ୍ଷେପ ଏକାନ୍ତ ଆବଶ୍ୟକ। ଓଡ଼ିଶା ଧନରେ ଗରିବ ହେଲେ ମଧ୍ୟ ମନରେ ଧନୀ। ଏ କଥାକୁ ପ୍ରମାଣିତ କରିବାକୁ ପଡ଼ିବ। ଓଡ଼ିଶାର ସଂଖ୍ୟାଲଘୁ ସମ୍ପ୍ରଦାୟ ଜଗନ୍ନାଥଙ୍କ ଦୃଷ୍ଟିରେ ସମାନ ଭକ୍ତର ମର୍ଯ୍ୟାଦା ପାଆନ୍ତି। ତେଣୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଖ୍ରୀଷ୍ଟିୟାନ ଓ ମୁସଲମାନ ଭାଇଭଉଣୀଙ୍କର ଭାବାବେଗକୁ ସମ୍ମାନ ଜଣାଇବା ପାଇଁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ। ନିକଟରେ କେନ୍ଦ୍ରାପଡ଼ାର ବଳଦେବ ଜିଉ ମନ୍ଦିରର ବିକାଶ ପାଇଁ ସରକାର ଅର୍ଥ ବରାଦ କରିଛନ୍ତି। ସେହିପରି ଜଗନ୍ନାଥଙ୍କର ଆଦିକ୍ଷେତ୍ର କଣ୍ଟିଲୋ ନୀଳମାଧବ ମନ୍ଦିରର ବିକାଶ ଓ ସଂସ୍କାର ପାଇଁ ଅନୁରୂପ କାର୍ଯ୍ୟକ୍ରମ ଗ୍ରହଣ ନ କଲେ ଶ୍ରୀକ୍ଷେତ୍ର ସଂସ୍କାରର ସ୍ବପ୍ନ ଅଧୁରା ରହିଯିବ। କଟକର ସର୍ବବୃହତ ଗୀର୍ଜାଘରର ପୁନରୁଦ୍ଧାର ଓ ବିକାଶ ସହିତ ବାଲୁବଜାରର ଜୁମା ମସ୍ଜିଦ୍ ଓ କଦମ୍ରସୁଲ୍ର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଯଦି ହାତକୁ ନିଆଯାଏ ତାହେଲେ ଆମ ମନ ମନ୍ଦିର ଯେ କେତେ ପରିଷ୍କାର ଓ ପରିଚ୍ଛନ୍ନ ତାହାର ପ୍ରମାଣ ଆମେ ଦେଇପାରିବା। ଏହାଦ୍ବାରା ଶ୍ରୀକ୍ଷେତ୍ର ସଂସ୍କାର କାର୍ଯ୍ୟକ୍ରମ ଅଧିକ ମର୍ଯ୍ୟାଦା ଓ ସମର୍ଥନ ପାଇବ।