ଅହେତୁକ ପ୍ରଶ୍ନ

ଆମ ଘରର ହାଲଚାଲ / ସୌମ୍ୟରଂଜନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ସରକାରୀ ବାସଗୃହରେ ବିଜେପି କର୍ମୀ ଦଳୀୟ ପତାକା ଧରି ଧସେଇ ପଶି ଘରର ଆସବାବପତ୍ର ଭଙ୍ଗାରୁଜା କରି ଗିରଫ ହୋଇଛନ୍ତି। ଏହି ଘଟଣାଟି ଆମକୁ ଟିକିଏ ବିବ୍ରତ କରିବା ସହିତ ଅନେକଗୁଡ଼ିଏ ଅହେତୁକ ପ୍ରଶ୍ନ ଉଠାଉଛି। ସଚିବଙ୍କ ସରକାରୀ ବାସଗୃହକୁ ବିଜେପି କର୍ମୀମାନେ ଯାଇଥିଲେ କାହିଁକି? ସେଠାକୁ ଯାଇ ଭଙ୍ଗାରୁଜା କରି ଦଳ କି ବାର୍ତ୍ତା ଦେବା ପାଇଁ ଚାହୁଁଛି? ଶ୍ରୀ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଫଳରେ ତାଙ୍କର ପ୍ରଭାବ ବଢ଼ୁଛି ନା ଛିଡ଼ୁଛି? ସେମାନେ ଅଜାଣତରେ ତାଙ୍କର ସାମର୍ଥ୍ୟକୁ ସ୍ୱୀକାର କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରୁ ନାହାନ୍ତି ତ? ନା ଖବରକାଗଜ ଓ ଟେଲିଭିଜନରେ ଆଲୋଚିତ ହୋଇ ରାଜନୈତିକ ଦୃଷ୍ଟିକୋଣରୁ ବଞ୍ଚିରହିବା ପାଇଁ ଏହା ଏକ ଉଦ୍ୟମ?

ଲକ୍ଷ୍ୟ କରିବାର କଥା ଗତ କିଛି ସପ୍ତାହ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ କେନ୍ଦ୍ର କରି ରାଜନୈତିକ ଦଳର ନେତୃମଣ୍ଡଳୀ ଏବଂ ଗଣମାଧ୍ୟମ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଗଣମାଧ୍ୟମ କଥା କିଛି ପରିମାଣରେ ବୁଝି ହେଉଛି। ଆମେ ସବୁ ପାଠକ ଓ ଟିଆରପି କାଙ୍ଗାଳ ମାଧ୍ୟମଗୁଡ଼ିକ ରୋଚକ ଆଲୋଚନା ପାଇଁ ଯେକୌଣସି ପ୍ରସଙ୍ଗକୁ ଅଗ୍ରାଧିକାର ଦେବା ପାଇଁ ସଂକୋଚ କରୁନାହୁଁ। ଏଠାରେ ସ୍ମରଣ କରାଇ ଦେବାକୁ ଚାହୁଁ ଯେ ଗତବର୍ଷ ଏକ ଟିଭି ଚ୍ୟାନେଲର ଜନମତ ସଂଗ୍ରହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ସବୁଠାରୁ ପ୍ରଭାବଶାଳୀଙ୍କ ଚିଠାରେ ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ନମ୍ବର ସ୍ଥାନରେ ଥିଲେ। ତେବେ ରାଜନୈତିକ ଦଳର ନେତୃମଣ୍ଡଳୀ ଏଭଳି ଏକ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି କାହିଁକି? ଜଣେ ରାଜନୀତି ବିଜ୍ଞାନର ଛାତ୍ରଭାବେ ଆମକୁ ମୂଳରୁ ପଢ଼ାଯାଇଛି ଯେ ସଂସଦୀୟ ଗଣତନ୍ତ୍ରର ମୂଳମନ୍ତ୍ର ହେଲା ମନ୍ତ୍ରୀମାନଙ୍କ ଉତ୍ତରଦାୟିତ୍ଵ। ପ୍ରଶାସକୀୟ ଅଧିକାରୀମାନେ ମନ୍ତ୍ରୀଙ୍କ ଆଢ଼ୁଆଳରେ ରହି କାର୍ଯ୍ୟ କରିଥାଆନ୍ତି। କହିବାକୁ ଗଲେ ସେମାନେ ଅନାମା। ସେମାନଙ୍କର କୌଣସି ବ୍ୟକ୍ତିଗତ ଉତ୍ତରଦାୟିତ୍ଵ ନାହିଁ। ସରକାରଙ୍କ ସମସ୍ତ ନିଷ୍ପତ୍ତି ପାଇଁ ମନ୍ତ୍ରୀମାନେ ହିଁ ଦାୟୀ। ସଚିବମାନେ କେବଳ ପରାମର୍ଶ ଦେଇଥାଆନ୍ତି ଏବଂ ସେମାନେ ମନ୍ତ୍ରୀମାନଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ।

ସେଥିପାଇଁ ଆମେ ନିଶ୍ଚୟ ଲକ୍ଷ୍ୟ କରିଥିବା ଯେ ସମସ୍ତ ସରକାରୀ ଚିଠିରେ ସଚିବମାନେ ନିଜେ କିଛି କରନ୍ତି ନାହିଁ ବରଂ ଏପରି କରିବାକୁ ନିର୍ଦେଶିତ ହୋଇଛନ୍ତି ବୋଲି ଲେଖିଥାଆନ୍ତି। ସଂସଦୀୟ ଗଣତନ୍ତ୍ରର ଏହି ମୂଳମନ୍ତ୍ରର ମୂଳ କଥାଟି ହେଲା ଲୋକପ୍ରତିନିଧି ଏବଂ ମନ୍ତ୍ରୀମାନେ ରାଜନୈତିକ ବ୍ୟକ୍ତି ହିସାବରେ ମୁଖ୍ୟ ଏବଂ ପ୍ରଶାସକମାନେ ଗୌଣ। କିନ୍ତୁ ଏବେ ଆମ ବ୍ୟବସ୍ଥାରେ ପ୍ରଶାସକମାନେ ଅଧିକ ଗୁରୁତ୍ଵପୂର୍ଣ୍ଣ ମନେ ହେଉଛନ୍ତି। ରାଜନେତାମାନଙ୍କର ପ୍ରଭାବ କମି କମି ଯାଉଛି। ତେବେ ଏଥିପାଇଁ ଆମେ ପ୍ରଶାସକଙ୍କୁ ଦୋଷ ଦେବା କାହିଁକି? ଆମ ରାଜନେତାମାନେ ବିଧାୟକ ଓ ମନ୍ତ୍ରୀ ହୋଇ ମଧ୍ୟ ପ୍ରଶାସକମାନଙ୍କର ଆଧିପତ୍ୟକୁ ସହି ନେଉଛନ୍ତି କାହିଁକି? ଏ କଥାକୁ ସର୍ବସାଧାରଣଙ୍କ ସମ୍ମୁଖରେ ସ୍ୱୀକାର କରିବାରେ ମଧ୍ୟ ସଂକୋଚ କରୁ ନାହାନ୍ତି। ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ବଡ଼ କରି ଦେଖାଇବାକୁ ଯାଇ ସେମାନେ ନିଜକୁ ଛୋଟ କରି ଦେଉ ନାହାନ୍ତି କି? ସମ୍ଭବତଃ ଆମ ରାଜନେତାମାନଙ୍କର ପାଦତଳେ ଥିବା ମାଟି ଆଉ ତାଙ୍କ ନିୟନ୍ତ୍ରଣରେ ନାହିଁ। ନିଜର ଅସହାୟବୋଧ ଓ ଭାଗ୍ୟକୁ ଆଦରି ଏଭଳି ଅବମାନନାକୁ ବରଦାସ୍ତ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଆମ ବ୍ୟବସ୍ଥାରେ ଏବେ ସବୁ ରାଜ୍ୟରେ ଏହିଭଳି ଅହେତୁକ ପ୍ରଶ୍ନକୁ ଊଣାଧିକେ ସାମ୍ନା କରିବାକୁ ଆମ୍ଭେମାନେ ବାଧ୍ୟ ହେଉଛୁା

ମୁଖ୍ୟମନ୍ତ୍ରୀ କାହାକୁ ସଚିବ ରଖିବେ ତାହା ତାଙ୍କର ସଂପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର। ସେ କି ପରାମର୍ଶ ଦେଉଛନ୍ତି, କି ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ। ତେଣୁ ଆମର ଗାଣତାନ୍ତ୍ରିକ ପ୍ରତିବାଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ହେବା କଥା, ସଚିବଙ୍କ ବାସଗୃହରେ ନୁହେଁ। ଆସନ୍ତାକାଲି ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ସଚିବକୁ ବଦଳାଇ ଆଉ ଜଣେ ସଚିବଙ୍କୁ ନିଯୁକ୍ତି ଦେବେ ସେ ଯେ ରାଜନୈତିକ ଦଳଗୁଡ଼ିକ ପାଇଁ ଗ୍ରହଣୀୟ ହେବେ ତାହା କିଏ କହିବ? ବିରୋଧୀ ଦଳର ଏତାଦୃଶ ଆଚରଣ ଯଦି ସାଧାରଣ ଲୋକଙ୍କ ଦୃଷ୍ଟିକୁ ମୁଖ୍ୟ ପ୍ରସଙ୍ଗମାନଙ୍କ ଉପରୁ ହଟାଇ ଏହିଭଳି ଅପ୍ରସଙ୍ଗ ଉପରେ ନିବଦ୍ଧ ରଖିବା ପାଇଁ ଉଦ୍ଦିଷ୍ଟ ତେବେ ତାହା ଆମ ଗଣତନ୍ତ୍ର ପାଇଁ ବିପଦର ଅନ୍ୟ ଏକ କାରଣ ହେବ। ନିକଟ ଅତୀତରେ ବିଶେଷ କରି ବଜେଟ୍‌ ପରେ କେନ୍ଦ୍ରର ବିଜେପି ସରକାର ଅନେକ ଯଥାର୍ଥ ସମାଲୋଚନାର ଶିକାର ହୋଇଛନ୍ତି। ଗଣମାଧ୍ୟମରେ ଅନୁକୂଳ ପ୍ରଚାରକୁ ଗୁରୁତ୍ଵ ଦେଉଥିବା ବିଜେପି ଏହିସବୁ ଆଲୋଚନାରୁ ଦୂରେଇଯିବା ପାଇଁ ଏହି ସବୁ ଅହେତୁକ ପ୍ରଶ୍ନ ଉଠାଉ ନାହିଁ ତ?

ସମ୍ବନ୍ଧିତ ଖବର