ଦଶ ମାସ ତଳେ ଦିଲ୍ଲୀର ଏକ ତାରକା ହୋଟେଲରେ ଯେତେବେଳେ ଓଡ଼ିଶା ଚତୁର୍ଦ୍ଦଶ ହକି ବିଶ୍ବ କପ୍ର ଆୟୋଜକ ଓ ପ୍ରାେୟାଜକ ହେବ ବୋଲି ଘୋଷଣା କରାଗଲା ସେତେବେଳେ ସବୁ ଓଡ଼ିଆଙ୍କ ମନରେ ଯେତିକି ଆଶାର ସଞ୍ଚାର ହୋଇଥିଲା ସେତିକି ଆଶଙ୍କା ମଧ୍ୟ ଦେଖାଦେଇଥିଲା। ଆମେ ମଧ୍ୟ ଏହି ସ୍ତମ୍ଭରେ ‘ପଛୁଆ ରାଜ୍ୟର ଆଗୁଆ ଚିନ୍ତା’ ଶୀର୍ଷକ ଏକ ଅଗ୍ରଲେଖରେ ଏହା ଓଡ଼ିଶା ପାଇଁ କିଭଳି ଏକ ନୂଆ ବାର୍ତ୍ତା ଦେଉଛି ସେ ନେଇ ଉଲ୍ଲେଖ କରିଥିଲୁ। କିନ୍ତୁ ଆମ ମନରେ ମଧ୍ୟ ଆଶଙ୍କା ଥିଲା, ଅନ୍ୟସବୁ ଆଗୁଆ ରାଜ୍ୟମାନେ ଯେଉଁ କଥା ପାଇଁ ସାହସ କୁଳାଇପାରିଲେ ନାହିଁ, ତଥାକଥିତ ପଛୁଆ ଓଡ଼ିଶା କ’ଣ ସତରେ ପାରିବ? କିନ୍ତୁ ମାତ୍ର ଦଶମାସ ସମୟ ମଧ୍ୟରେ ଯେଉଁ ଢଙ୍ଗରେ ହକି ବିଶ୍ବ କପ୍ର ଆୟୋଜନ କରାଗଲା, ତାହା ସାରା ବିଶ୍ବର ଆଖି ଖୋଲିଦେଇଛି। ଆଜି ଓଡ଼ିଶାର ବିଶ୍ବ କପ୍ ଆୟୋଜନକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ କେବଳ ପ୍ରଶଂସା କରିନାହାନ୍ତି, ବିଶ୍ବର ସବୁ ଖେଳପ୍ରେମୀ, ବ୍ୟକ୍ତି ଓ ଅନୁଷ୍ଠାନମାନେ ଓଡ଼ିଶାର ଭୂୟସୀ ପ୍ରଶଂସା କରିଛନ୍ତି।
ବିଶ୍ବ କପ୍ ଆୟୋଜନ ପାଇଁ ଭୁବନେଶ୍ବରକୁ ଯେଭଳି ଭାବେ ସଜାଯାଇଥିଲା, ଖେଳାଳିମାନଙ୍କର ସୁରକ୍ଷା ଓ ସୁବିଧା ପାଇଁ ଯେପରି ବ୍ୟବସ୍ଥା ହୋଇଥିଲା, ସାଧାରଣ ଓଡ଼ିଶାବାସୀଙ୍କର ଆତିଥ୍ୟପରାୟଣତା ଯେପରି ପ୍ରଦର୍ଶିତ ହୋଇଥିଲା, ତାହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୋୖରବର କାରଣ ହୋଇଛି। ମୁଁ ବ୍ୟକ୍ତିଗତ ଭାବେ ୧୯୭୫ ମସିହାରେ ବିଶ୍ବ କପ୍ ଜିତିଥିବା ଭାରତୀୟ ହକି ଦଳ ସହିତ ବେଶ କିଛି ସମୟ କଟାଇଥିଲି। ସେମାନଙ୍କ ମନ ଓ ଶରୀରର ଭାଷା କହିଦେଉଥିଲା ଯେ ସେମାନେ ବିଶ୍ବ କପ୍ ଆୟୋଜନର ବ୍ୟବସ୍ଥାରେ କେତେ ପ୍ରଭାବିତ! ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ମୁଁ ବହୁତ ବିଶ୍ବ କପ୍ରେ ଭାଗ ନେଇଛି। ପରବର୍ତ୍ତୀ ସମୟରେ ଅତିଥି ଦର୍ଶକ ଭାବେ ବିଶ୍ବର ଅନେକ ସ୍ଥାନକୁ ଯାଇଛି। ଏପରି ବ୍ୟବସ୍ଥା ଆଉ କୋଉଠି ଦେଖିନାହିଁ। ଆମ ସମୟରେ ଏଭଳି ବ୍ୟବସ୍ଥା କାହିଁକି ହୋଇନଥିଲା ବୋଲି ସେ ମନେ ମନେ ଈର୍ଷା କରୁଥିଲେ। ଓଡ଼ିଶାର ଏହି ଈର୍ଷଣୀୟ ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାକୁ ସମସ୍ତେ ପ୍ରଶଂସାରେ ପୋତିପକାଉଛନ୍ତି। ଆମେ ମଧ୍ୟ ଗଣମାଧ୍ୟମ ଭାବରେ ଆଜି ବାଦ୍ ପଡ଼ିବାକୁ ଚାହୁନା। ଗଣମାଧ୍ୟମ ଦୋଷଦର୍ଶୀ ବେଶି, ଗୁଣଗ୍ରାହୀ କମ୍ ବୋଲି ଅନେକେ ବିବେଚନା କରିଥା’ନ୍ତି। ଆଜି କିନ୍ତୁ ଓଡ଼ିଶାକୁ ପ୍ରଶଂସା କରିବାରେ କୋୖଣସି କାର୍ପଣ୍ୟ କରିବା ଉଚିତ ହେବନାହିଁ। ଏହି ପ୍ରଶଂସା ଓ ଶ୍ରେୟର ସିଂହଭାଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତ ନିଶ୍ଚୟ ଯିବ। କିନ୍ତୁ କ୍ରୀଡ଼ା ସଚିବ ବିଶାଳ ଦେବ ଏବଂ ତାଙ୍କର ସହଯୋଗୀ ବନ୍ଧୁମାନଙ୍କୁ ଭୁଲିଗଲେ ଚଳିବ ନାହିଁ। ବିଶେଷ କରି ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ପୁଲିସ ବିଭାଗର ସବୁଠୁ କନିଷ୍ଠ କନେଷ୍ଟବଳ ଭାଇଠାରୁ ଆରମ୍ଭ କରି ଖେଳପଡ଼ିଆ ଏବଂ ଆତିଥ୍ୟ ଦାୟିତ୍ବରେ ଥିବା ସବୁ କର୍ମଚାରୀ ଭାଇଭଉଣୀମାନେ କୋଡ଼ିଏ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଦିନରାତିକୁ ଏକ କରିଦେଇଥିଲେ। ତାହା ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଥିବା ଆମର ଧରାବନ୍ଧା ଧାରଣାକୁ ଆଉଥରେ ବିଚାର କରିବାକୁ ବାଧ୍ୟ କରୁଛି।
ବିଶ୍ବ କପ୍ର ସଫଳ ଆୟୋଜନ ଆମ ସମସ୍ତଙ୍କ ପାଇଁ ଭିନ୍ନ ଏକ ବାର୍ତ୍ତା ବହନ କରୁଛି। ଆଜି ପର୍ଯ୍ୟନ୍ତ ଆମ ଓଡ଼ିଶା କଥା ଆଲୋଚନା କଲାବେଳେ ଆମେ ସବୁବେଳେ ଅତି ଅତୀତର ଗୋୖରବମୟ ପରମ୍ପରାକୁ ନେଇ ସାଧାରଣତଃ ଗର୍ବ କରିଥାଉ। ବର୍ତ୍ତମାନ ବା ନିକଟ ଅତୀତ ଆମ ପାଇଁ ଆଦୈା ଅନୁକୂଳ ନଥିଲା। ଦାରିଦ୍ରୢ, ପଛୁଆପଣ, ଅନାହାର ମୃତ୍ୟୁ ଓ ଆତ୍ମହତ୍ୟା ଆମର ଏକରକମ ପରିଚୟ ପାଲଟିଯାଇଥିଲା। ଜଗନ୍ନାଥଙ୍କୁ ଛାଡ଼ିଦେଲେ ଆମ ଅସ୍ମିତା ଓ ଏକତା ପାଇଁ ଅନ୍ୟ କିଛି ପରିଚୟ ନଥିଲା। ଏବେ କିନ୍ତୁ ଓଡ଼ିଶା ଯେ ଆଗେଇବାକୁ ପ୍ରୟାସ କରୁଛି ଏବଂ ଭବିଷ୍ୟତରେ ବିକାଶର ସକଳ ସମ୍ଭାବନା ଏଠାରେ ଭରି ରହିଛି, ବିଶ୍ବ କପ୍ର ସଫଳ ଆୟୋଜନ ଏହାର ଗୋଟିଏ ଛୋଟିଆ ପ୍ରମାଣ। ଏ ନେଇ ଆତ୍ମବିଶ୍ବାସର ସହ ଗର୍ବ କରିବାରେ ସଙ୍କୋଚ କରିବା କାହିଁକି?
ତେବେ ଗୋଟିଏ କଥା ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ। ବିଶ୍ବ କପ୍ର ସଫଳତା ଏକ ଅପବାଦ ହୋଇ ନରହୁ। ସ୍ମାର୍ଟ ସହର ଭୁବନେଶ୍ବର ସତେ ଯେପରି ବିଶ୍ବ କପ୍ ଆୟୋଜନର ସୁଯୋଗକୁ ଅପେକ୍ଷା କରି ରହିଥିଲା! ଅଳ୍ପ ସମୟ ମଧ୍ୟରେ ବିଶ୍ବ କପ୍ ଆୟୋଜନ କରାଯାଇଥିବାରୁ ଅନେକ ଗୁଡ଼ିଏ ଯୋଜନା ଏବେ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସେଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ ହେଉ। ସହରକୁ ସରସ ସୁନ୍ଦର କରିବାରେ ଆମେ ଯେଉଁ ତତ୍ପରତା ଗତ କିଛି ମାସରେ ଦେଖାଇଛୁ, ସେଥିରେ ଭଟ୍ଟା ନପଡ଼ୁ। ଭୁବନେଶ୍ବର ସମସ୍ତଙ୍କ ପାଇଁ ହେଉ, ଅଦିନିଆ ଅସରାଏ ବର୍ଷାରେ ଏହା ବନ୍ୟାର ଭ୍ରମ ସୃଷ୍ଟି ନକରୁ। ବିଶ୍ବ କପ୍ ପରେ ଏଭଳି ଆଶା କରିବା ସମ୍ପୂର୍ଣ୍ଣ ଅମୂଳକ ହେବନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/After-Hockey-World-Cup_Soumya-Pattnaik_Thumbnail.jpg)