ଆଜି ଗାନ୍ଧୀ ଜୟନ୍ତୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ସାରା ବିଶ୍ୱରେ ପାଳିତ ହେଉଛି। ଆମ ଭାରତୀୟମାନଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ତିନିଦିନ ତଳେ ସାରା ବିଶ୍ୱ ‘ହୃଦୟ ଦିବସ’ ପାଳନ କରିଥିଲା। ଆମ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅବସରରେ ଏକ ସାଂକେତିକ ପଦଯାତ୍ରାର ଆୟୋଜନ କରିଥିଲେ। ମୋତେ ବ୍ୟକ୍ତିଗତ ଭାବେ ଏହି ପଦଯାତ୍ରାରେ ସାମିଲ ହେବାର ସୁଯୋଗ ମିଳିଥିଲା। ସେଦିନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୋ ମନକୁ ଯେଉଁ କଥା ଆସିଥିଲା, ପୂଜା ଛୁଟି ପାଇଁ ‘ସମ୍ବାଦ’ ପ୍ରକାଶନ ଦୁଇ ଦିନ ବନ୍ଦ ଥିବାରୁ ଉଲ୍ଲେଖ କରିବାର ଅବକାଶ ନଥିଲା। ଆଜି ଗାନ୍ଧୀ ଜୟନ୍ତୀରେ ‘ହୃଦୟ ଦିବସ’ ପାଳନ ଅବସରର କଥା ଅଧିକ ପ୍ରାସଙ୍ଗିକ ମନେହେଉଛି। ଏଥିପାଇଁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆମେ ସର୍ବପ୍ରଥମେ ଅଭିନନ୍ଦନ ଜଣାଇବାକୁ ଚାହୁଁ। ସୁଦୂର ଆମେରିକାରେ ଥିବା ପ୍ରବାସୀ ଓଡ଼ିଆ ଡାକ୍ତର ବନ୍ଧୁମାନେ ଓଡ଼ିଶାରେ ବେସରକାରୀସ୍ତରରେ ଆଧୁନିକ ଜ୍ଞାନକୌଶଳ ସହ ସର୍ବୋତ୍ତମ ଚିକିତ୍ସା ସେବା ଦେବା ପାଇଁ କଳିଙ୍ଗ ହସ୍ପିଟାଲର କଳ୍ପନା ସର୍ବପ୍ରଥମେ କରିଥିଲେ। ପ୍ରବାସୀ ଡାକ୍ତରମାନଙ୍କର ଏ ସାହସ ଏବଂ ଜାତିପ୍ରେମ ପାଇଁ ଅଭିନନ୍ଦନ ଜଣାଇବାକୁ ହେବ।
‘ହୃଦୟ ଦିବସ’ ଅବସରରେ ଯେଉଁ କଥାଟି ବେଶି ମନକୁ ଛୁଉଁଥିଲା, ତାହା ହେଲା- ହୃଦୟ ସଂପର୍କରେ ଆମର ସଚେତନତା। ହୃଦୟ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମଣିଷ ଶରୀର ଆବଶ୍ୟକ କରୁଥିବା ରକ୍ତର ଏହା ପମ୍ପ ହାଉସ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ହୃଦୟରୁ ଧମନୀ ମାଧ୍ୟମରେ ସାରା ଶରୀରକୁ ବିଶୁଦ୍ଧ ରକ୍ତ ସଂଚାଳିତ ହୋଇଥାଏ। ହୃଦୟ ବିଗିଡ଼ିଗଲେ ଶରୀର ଅସୁସ୍ଥ ହୋଇପଡ଼େ। ବିଗିଡ଼ି ଯାଉଥିବା ହୃଦୟମାନଙ୍କୁ ସଜାଡ଼ିବା ପାଇଁ ଆଧୁନିକ ଚିିକିତ୍ସା ବିଜ୍ଞାନ ଅନେକ ଉପାୟ ସଫଳତାର ସହିତ ଅବଲମ୍ବନ କରୁଛି। ଛାତି ଚିରି ହୃଦୟର ଧମନୀ ବଦଳା ଯାଇପାରୁଛି ତ କେତେବେଳେ ଧମନୀରେ ବେଲୁନ ପୂରାଇ ରକ୍ତ ପ୍ରବାହକୁ ସହଜ କରାଯାଇ ପାରୁଛି। ଚିକିତ୍ସା ବିଜ୍ଞାନର ଏ ସଫଳତାରେ ଉତ୍ସାହିତ ହୋଇ ଆଧୁନିକ ମଣିଷ ଜୀବନଶୈଳୀରେ ଯେଉଁ ଶୃଙ୍ଖଳା ଓ ପରିବର୍ତ୍ତନ ଆଣିବା କଥା ତାହା ସେ କରୁନାହିଁ। ବିଶ୍ୱ ‘ହୃଦୟ ଦିବସ’ ପାଳନ ଜୀବନ ଶୈଳୀକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଆମକୁ ସଚେତନ କରିବ ବୋଲି ଆଶା କରୁ।
ସୁସ୍ଥ ହୃଦୟଟିଏ ସ୍ୱାସ୍ଥ୍ୟବାନ ମଣିଷ ପାଇଁ ଏକାନ୍ତ ଆବଶ୍ୟକ। କିନ୍ତୁ ସୁନ୍ଦର, ସ୍ୱାସ୍ଥ୍ୟବାନ ମଣିଷର ହୃଦୟ ଯଦି ନିର୍ମଳ ନ ରହେ ମଣିଷ ଜୀବନ ନିରର୍ଥକ ହୋଇପଡ଼େ। ଆମ ବିଚାରରେ ମଣିଷର ଅସଲ ପରିଭାଷା ହେଲା ‘ଏକ ନିର୍ମଳ ହୃଦୟର ଅଧିକାରୀ’। ନିର୍ମଳ ହୃଦୟ ବିନା ଜଣେ ମଣିଷ ପଦବାଚ୍ୟ ହୋଇପାରେ ନାହିଁ। ଆଜି ନିର୍ମଳ ହୃଦୟର ଅଭାବ ସବୁ କ୍ଷେତ୍ରରେ ଅନୁଭୂତ ହେଉଛି। ବ୍ୟକ୍ତିଗତ ଜୀବନରେ ଇର୍ଷା, ପରଶ୍ରୀକାତରତା ଓ ଅସୂୟା ମନୋଭାବ ସହିତ ସାମାଜିକ ଓ ରାଷ୍ଟ୍ରଜୀବନରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ନିର୍ମଳ ହୃଦୟଟିଏ ନଥିବାରୁ ବିନା କାରଣରେ ଗୋଷ୍ଠୀ ବିବାଦ ହେଉଛି। ଏବଂ ସାଂପ୍ରଦାୟିକ ସଂପ୍ରୀତିର ଅଭାବ ରକ୍ତାକ୍ତ ସଂଘର୍ଷର ସୂତ୍ରପାତ କରୁଛି। ସାରା ବିଶ୍ୱ ଆଜି ଆତଙ୍କବାଦର ଶିକାର ହୋଇଛି। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଏ ସବୁ କଥା ଆଲୋଚନା କଲାବେଳେ ତାଙ୍କ ପ୍ରତି ସ୍ୱାଭାବିକ ଭାବରେ ମଥା ନଇଁ ଯାଉଛି। ଗାନ୍ଧୀଜୀଙ୍କର ଅହିଂସା ଓ ସତ୍ୟାଗ୍ରହର କୌଶଳ ସମଗ୍ର ବିଶ୍ୱ ପାଇଁ ଆଜି ମହୌଷଧୀ ସାଜିଛି। ତାଙ୍କର ଶୃଙ୍ଖଳିତ ଜୀବନ ଓ ଆଡ଼ମ୍ବରଶୂନ୍ୟ ଜୀବନଶୈଳୀ ଆଜି ପ୍ରତ୍ୟେକ ସଫଳ ଓ ଅହଂକାରୀ ମଣିଷକୁ ବିକଳ୍ପ ଜୀବନ ସଂପର୍କରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ଆଣ୍ଠୁ ଲୁଚୁନଥିବା ଲୁଗା ପିନ୍ଧି ବାଡ଼ିଖଣ୍ଡିଏ ଧରି ମହାତ୍ମା ଗାନ୍ଧୀ ଚାଲିଚାଲି ସବୁ ବର୍ଗର ଭାରତୀୟ ହୃଦୟଗୁଡ଼ିକୁ ଯୋଡ଼ି ପାରିଥିଲେ। ଆଜି ‘ହୃଦୟ ଦିବସ’ ଅବସରରେ ପଦଯାତ୍ରା କଲାବେଳେ ଗାନ୍ଧୀଜୀଙ୍କର ଏହି କଥା ମନକୁ ଆସୁଛି।
ଆସନ୍ତୁ ସମସ୍ତେ ସଂକଳ୍ପ ନେବା। ବେଗ ହିଁ ଉନ୍ନତିର ଲକ୍ଷଣ ହୋଇଥିଲେ ମଧ୍ୟ ସମସ୍ତେ ଚାଲିବା। ଗାଡ଼ି ମୋଟର ଲୋଡ଼ିବା ନାହିଁ। ଜୀବନକୁ ଶୃଙ୍ଖଳିତ କରିବା। ସୁସ୍ଥ ହୃଦୟର ଅଧିକାରୀ ହୋଇ ପ୍ରତିଟି ରକ୍ତଟୋପା ଯେପରି ଧମନୀରେ ପ୍ରବାହିତ ହୁଏ ତାହାର ଯତ୍ନ ନେବା। ଗୋଟିଏ ବି ଟୋପା ରକ୍ତ ଯେପରି ଧମନୀ ବାହାରେ ନ ପଡ଼େ ତାହାକୁ ନିଶ୍ଚିତ କରିବା। ଧମନୀ ବାହାରକୁ ରକ୍ତ ଯିବାର ଏକମାତ୍ର କାରଣ ହେଉ ‘ରକ୍ତଦାନ’। କୌଣସି କାରଣରୁ ରକ୍ତପାତ ନ ହେଉ। ଜଣେ ସୁସ୍ଥ ମଣିଷ ପାଇଁ ରକ୍ତଦାନ କରିବା ଈଶ୍ୱରଙ୍କର ଆଦେଶ ସଦୃଶ। ଈଶ୍ୱର ଆମକୁ ସମ୍ଭବତଃ ଏଇଥିପାଇଁ ସୁସ୍ଥ ରଖିଛନ୍ତି ଯେ ଆମେ ରକ୍ତଦାନ କରି ଆଉ ଜଣେ ଅସୁସ୍ଥ ମଣିଷକୁ ଜୀବନଦାନ କରିପାରୁ। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏଭଳି ଏକ ସଂକଳ୍ପ ନେଇ ପାରିଲେ ତାଙ୍କ ଜନ୍ମଦିନ ପାଳନ ସାର୍ଥକ ହେବ। ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ଏହା ହେବ ଶ୍ରେଷ୍ଠ ନିଦର୍ଶନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ama-ghar-ra.jpg)