ମୋଦୀଜୀଙ୍କ ଉଚ୍ଚତା କେତେ?

ଆମ ଘରର ହାଲଚାଲ / ସୌମ୍ୟରଂଜନ ପଟ୍ଟନାୟକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଭାରତର ପ୍ରଧାନମନ୍ତ୍ରୀଙ୍କର ରାଜ୍ୟମାନଙ୍କୁ ଗସ୍ତ ସବୁବେଳେ ଅଧିକ ଗୁରୁତ୍ବ ରଖେ। ଆମ ପରମ୍ପରାରେ ଅତିଥିମାନେ ଦେବତାଙ୍କ ସହ ତୁଳନୀୟ। ପୁଣି ପ୍ରଧାନମନ୍ତ୍ରୀଙ୍କ ପରି ଅତିଥିଙ୍କୁ ପରମ୍ପରା ଅନୁଯାୟୀ ଆମେ ସ୍ବାଗତ କରୁଛୁ। ଏବଂ ଓଡ଼ିଶାର ଜନସାଧାରଣ ତାଙ୍କୁ ଯଥାବିଧି ସତ୍କାର କରିବେ ବୋଲି ଆମର ବିଶ୍ବାସ। କିନ୍ତୁ ପ୍ରଧାନମନ୍ତ୍ରୀ ଭାବରେ ସେ କେବଳ ସରକାରୀ କାର୍ଯ୍ୟକ୍ରମରେ ଆସୁ ନାହାନ୍ତି। ମାଛ ତେଲରେ ମାଛ ଭାଜିବା ପରି ସରକାରୀ କାର୍ଯ୍ୟକ୍ରମ ପରେ ଏକ ସାଧାରଣ ସଭାରେ ଭାଜପାର ରାଜ୍ୟସ୍ତରୀୟ ନେତାଙ୍କ ଗହଣରେ ସେ ଉଦବୋଧନ ଦେବେ। ଏଥିରେ ଅସ୍ବାଭାବିକତା କିଛି ନାହିଁ। ସବୁ କ୍ଷମତାସୀନ ଦଳର ଭୋଟକାଙ୍ଗାଳ ନେତାମାନେ ସବୁବେଳେ ଏପରି କରିଥାନ୍ତି। ମୁଣ୍ଡ ଉପରେ ନିର୍ବାଚନ। ମୋଦୀଜୀ ଏହି ସୁ‌େଯାଗକୁ ହାତଛଡ଼ା କରିବେ ବା କାହିଁକି?

ମୋଦୀଜୀଙ୍କ ଏହି ଗସ୍ତ ଆମକୁ ଆମର ପିଲାଦିନର କଥା ମନେ ପକାଇଦେଉଛି। ଅଜା କିମ୍ବା ମାମୁଁ ଘରକୁ ଆସିଲେ ଗଲା ବେଳେ ଆମମାନଙ୍କୁ କିଛି ହାତଖର୍ଚ ଦେଇ ଖୁସି କରିଥାନ୍ତି। ମୋଦୀଜୀ ମଧ୍ୟ ଆଜି ଅନେକଗୁଡ଼ିଏ ଉଦଘାଟନ, ଶିଳାନ୍ୟାସ ଓ ଯୋଜନା ଘୋଷଣା କର‌ିବେ ବୋଲି ଖବର ପ୍ରକାଶ ପାଇଛି। ତେବେ ଫରକ ଏତିକି ଯେ ଅଜା ମାମୁଁଙ୍କ ପରି ଗୁରୁଜନମାନଙ୍କର ଏପ୍ରକାର ବଦାନ୍ୟତା ପଛରେ ‌େସ୍ନହ ଓ ଶ୍ରଦ୍ଧା ଭରି ରହିଥାଏ, ବଦଳରେ ପାଇବାର କିଛି ଆଶା ନଥାଏ। କିନ୍ତୁ ମୋଦୀଜୀଙ୍କ କାର୍ଯ୍ୟକ୍ରମ ଓ ଘୋଷଣାଗୁଡ଼ିକରେ ମୁଣ୍ଡ ଉପ‌େରେ ନିର୍ବାଚନ ଥିବାରୁ ପାଇବାର ଆଶା ଅଧିକ ଓ ଶ୍ରଦ୍ଧା କମ୍।

ମୋଦୀଜୀଙ୍କ ରାଜନୈତିକ ସଭା ପରିପ୍ରେକ୍ଷୀ‌େର ତାଙ୍କୁ ଏକ ନିରୀହ ପ୍ରଶ୍ନ ପଚାରିବାର ଅଧିକାର ଅଛି ବୋଲି ଆମେ ମନେକରୁ। ଏକଥା ଆମେ ମଧ୍ୟ ଜାଣୁ ଯେ ତାଙ୍କୁ ଅଡ଼ୁଆ ପ୍ରଶ୍ନ ପଚାରିଲେ ସେ କ୍ଷମତାର ନାଲି ଆଖି ଦେଖାନ୍ତି। ନିକଟ ଅତୀତରେ ଜନୈକ ସାମ୍ବାଦିକଙ୍କର କି ଅବସ୍ଥା ହୋଇଛି ତାହା ଆଜି ସାରା ଦେଶରେ ଚର୍ଚା ହେଉଛି। ତଥାପି ଏ ପ୍ରଶ୍ନ ପଚାରିବା ଆମର ଦାୟିତ୍ବ ଓ କର୍ତବ୍ୟ ବୋଲି ଆମେ ମନେକରୁ। ଆଜି ଆମର ପ୍ରଶ୍ନ ହେଲା: ମୋଦୀଜୀଙ୍କ ଉଚ୍ଚତା କେତେ? ଏପରି ଏକ ପ୍ରଶ୍ନ ପଚାରିବାର କାରଣ କ’ଣ ହୋଇପାରେ?

କେହି କେହି ଏହାକୁ ଆମର ପାଗଳାମି ବୋଲି ଓଲଟା ସମାଲୋଚନା କରିପାରନ୍ତି। ଭାରତର ସବୁ ସଚେତନ ନାଗରିକଙ୍କର ମନେଥିବ ଗତ ୨୦୧୪ ନିର୍ବାଚନ ପ୍ରଚାର ସମୟର କଥା। ସାରା ଭାରତ ନମୋ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଯାଇଥିଲା। ମୋଦୀଜୀ ପ୍ରଚାର ପ୍ରତିଯୋଗିତାରେ ସବୁଠୁ ଆଗୁଆ ଥିଲେ। ସମାବେଶମାନଙ୍କରେ ସେ ଦେଉଥିବା ରୋଚକ ମନ୍ତବ୍ୟ ତାଙ୍କୁ ଅତ୍ୟନ୍ତ ଗ୍ରହଣୀୟ କରି ତୋଳିଥିଲା। ତାଙ୍କର ଗୋଟିଏ ରୋଚକ ମନ୍ତବ୍ୟ ଥିଲା ୫୬ ଇଞ୍ଚର ଛାତି କଥା। ଉତ୍ତର ପ୍ରଦେଶ ଗୁଜରାଟ ସହିତ କେବେ ସମକକ୍ଷ ହୋଇପାରିବ ନାହିଁ। କାରଣ ସେଥିପାଇଁ ଦରକାର ୫୬ ଇଞ୍ଚର ଛାତି- ଅର୍ଥାତ ସାହସ ଓ ସାମର୍ଥ୍ୟ। ଏହା ତାଙ୍କର ଅଛି, ବାପପୁଅ (ମୁଲାୟମ ଓ ଅଖିଳେଶ)ଙ୍କର ନାହିଁ ବୋଲି କହି ସେ ତାଚ୍ଛଲ୍ୟ କରିଥିଲେ। ଗୁଜରାଟ ମଡେଲର ବିକାଶ କଥା କହି ସେ ସାରା ଭାରତରେ ଭୋଟ ଭିକ୍ଷା କରୁଥିଲେ। ଏବେ ଆଜି ଯେଉଁ ପ୍ରଶ୍ନ ଆମକୁ ବେଶି ଆନ୍ଦୋଳିତ କରୁଛି ତାହା ହେଲା ବିକଶିତ ଗୁଜରାଟ ପାଇଁ ମୋଦୀଜୀଙ୍କ ଗୁଜରାଟ ମଡେଲ ଦାୟୀ ନା ଗୁଜରାଟୀ ଭାଇଭଉଣୀଙ୍କ ଚରିତ୍ର ଓ ମାନସିକତା ଅଧିକ ଦାୟୀ? ଇହୁଦୀମାନଙ୍କ ପରି ଗୁଜରାଟୀ ଭାଇଭଉଣୀମାନେ ଦେଶାନ୍ତରୀ ହୋଇ ବହୁ ବର୍ଷ ପୂର୍ବରୁ ଆଫ୍ରିକାଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ସଫଳତା ହାସଲ କରିଛନ୍ତି। ଏକ ସମୟରେ ଆମେରିକାରେ ଏକ ରୋଚକ ମନ୍ତବ୍ୟ ଥିଲା, ଆମେରିକାର ସବୁ ମୋଟେଲ (ରାଜରାସ୍ତା କଡ଼ରେ ଥିବା ଛୋଟ ହୋଟେଲ) ଏବେ ପଟେଲମାନଙ୍କ ମାଲିକାନାରେ। ମୋଦୀଜୀଙ୍କ ଉଚ୍ଚତା ସମ୍ପର୍କରେ ପ୍ରଶ୍ନ ଆମ ମନକୁ ଆସିଲା ଏହି ଗୁଜରାଟ କଥାରୁ ଏବଂ ନିକଟ ଅତୀତରେ ପ୍ରତିଷ୍ଠିତ ହୋଇଥିବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରୁ। ମୋଦୀଜୀ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି। ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ନାମ ଦେଇ ସର୍ଦ୍ଦାର ପଟେଲଙ୍କ ସହିତ ଯୋଡ଼ି ଆମକୁ ଏକତାର ସୂତ୍ରରେ ବାନ୍ଧିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ଆମେ ସମସ୍ତେ ଗର୍ବ କରିବାର କଥା।

ଆମେ ଓଡ଼ିଶାରେ ସର୍ଦ୍ଦାର ‌ପଟେଲଙ୍କୁ ଗଡ଼ଜାତ ମିଶ୍ରଣ ପାଇଁ ସବୁବେଳେ ମନେ ରଖିବୁ। ସ୍ବାଧୀନତା ସଂଗ୍ରାମ ଏବଂ ବିଭାଜନ ପରେ ଭାରତର ଅଖଣ୍ଡତା ରକ୍ଷା କରିବା ପାଇଁ ତାଙ୍କର ଉଦ୍ୟମ ସବୁ ଭାରତୀୟଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ। କିନ୍ତୁ ମୋଦୀଜୀ ସମୁଦାୟ ପ୍ରସଙ୍ଗକୁ ଯେଭଳି ଢଙ୍ଗରେ ଉପସ୍ଥାପନ କଲେ ଏବଂ ତାହା ତାଙ୍କ ସରକାର ଦ୍ବାରା ଯେଉଁଭଳି ପ୍ରଚାରିତ ଓ ପ୍ରସାରିତ ହେଲା ତାହା ଆମକୁ ଏ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି। ଆମର ଗୋଟିଏ ଛୋଟିଆ ଅନୁଭବ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସମୁଦାୟ କଥାଟିକୁ ପ୍ରମାଣ କରୁଛି। ‘ସମ୍ବାଦ’ ପରିବାରର ପାଠକ, ଦର୍ଶକ ଓ ଶ୍ରୋତା ବନ୍ଧୁମାନେ ଲକ୍ଷ୍ୟ କରିଥିବେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବର ବିଜ୍ଞାପନରୁ ‘ସମ୍ବାଦ’, ରେଡିଓ ଚକଲେଟ୍‌ ଓ ‘କନକ ନ୍ୟୁଜ’କୁ ବଞ୍ଚିତ କରାଯାଇଥିଲା। ଆଜି ମଧ୍ୟ ମୋଦୀଜୀଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ଅନ୍ୟ ସବୁ ମାଧ୍ୟମମାନଙ୍କରେ ବିଜ୍ଞାପନ ଆକାରରେ ଦିଆଯାଇ ଥିବାବେଳେ ‘ସମ୍ବାଦ’ ପରିବାରକୁ ସେଥିରୁ ବଞ୍ଚିତ କରାଯାଇଛି। ଏହା କି ବାର୍ତ୍ତା ଦେଉଛି? ‘ସମ୍ବାଦ’ର ପାଠକମାନେ କ’ଣ ଭାରତର ନାଗରିକ ନୁହନ୍ତି? ଆମେ ଏକଥା ବିଜ୍ଞାପନ ଭିକ୍ଷା କରିବା ପାଇଁ କହୁନାହୁଁ। ସରକାରୀ ଅର୍ଥକୁ ଏପରି ଖର୍ଚ୍ଚ କରିବାର ଅଧିକାର ମୋଦୀଜୀଙ୍କୁ କିଏ ଦେଲା? ଓଡ଼ିଶାର ସର୍ବାଧିକ ପ୍ରସାରିତ ଓ ପଠିତ ଗଣମାଧ୍ୟମ ଭାବରେ ବର୍ଷ ବର୍ଷ ଧରି ମାନ୍ୟତା ପାଇଥିବା ‘ସମ୍ବାଦ’ ପାଠକଙ୍କର ଏକଥା ଜାଣିବାର ଓ ଏ ପ୍ରଶ୍ନ ପଚାରିବାର ଅଧିକାର ଅଛି ବୋଲି ଆମେ ମନେକରୁ।

ପୁଣି ପଟେଲଙ୍କୁ ଉଚ୍ଚା ଦେଖାଇବାକୁ ଯାଇ ଗାନ୍ଧୀ, ନେହରୁଙ୍କୁ ଛୋଟ କରି ଦେଖାଇବାର ଆବଶ୍ୟକତା ଅଛି ବୋଲି ଆମେ ମନେକରୁନା। ମହାତ୍ମା ଗାନ୍ଧୀ ମଧ୍ୟ ଅନ୍ୟ ଜଣେ ଗୁଜରାଟୀ ଯେ କି ଜାତିର ପିତା ହେବାର ଗୌରବ ଲାଭ କରିଛନ୍ତି। ତାଙ୍କର ଦର୍ଶନକୁ ଦଳମତ ନିର୍ବିଶେଷରେ ସାରା ବିଶ୍ବ ଆଜି ସମ୍ମାନ ଜଣାଉଛି। ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ବିଶ୍ବର ଯେତେଗୁଡ଼ିଏ ଦେଶରେ ସ୍ଥାପିତ ହୋଇଛି ସମ୍ଭବତଃ ଅନ୍ୟ କୌଣସି ମହାପୁରୁଷଙ୍କର ହୋଇନାହିଁ। ତେଣୁ ପଟେଲଙ୍କୁ ଉଚ୍ଚା ଦେଖାଇବାକୁ ଯାଇ ଗାନ୍ଧୀ ଓ ନେହରୁଙ୍କୁ ଛୋଟ କରି ଦେଖାଇବାର ଆବଶ୍ୟକତା ହିଁ ନାହିଁ। ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଚେଷ୍ଟା ଗୋଟିଏ ସୁପୁରୁଷର ଲକ୍ଷଣ ନୁହେଁ। ବିଶାଳ ହୃଦୟ ଓ ଉଚ୍ଚ ମନ କଥା କହୁଥିବା ବ୍ୟକ୍ତି ପକ୍ଷେ ଏହା ଶୋଭନୀୟ ନୁହେଁ। ମୋଦୀଜୀ ହୁଏତ ଜାଣିଥାଇ ପାରନ୍ତି ବା ନପାରିଥାନ୍ତି, କିନ୍ତୁ ଶାସନ ମୁଖ୍ୟ ହିସାବରେ ଦାୟିତ୍ବ ତାଙ୍କ ମୁଣ୍ଡକୁ ହିଁ ଯିବ। ତେଣୁ ନରେନ୍ଦ୍ର ମୋଦୀଜୀ ଜାଣତରେ ହେଉ ବା ଅଜାଣତରେ ‘ସମ୍ବାଦ’କୁ ବିଜ୍ଞାପନରୁ ବଞ୍ଚିତ କରି ଛୋଟ ହୋଇଯାଇଛନ୍ତି। ‘ସମ୍ବାଦ’ କିନ୍ତୁ ଏଥିରେ ଆଦୌ ବିଚଳିତ ନୁହେଁ। ସରକାରୀ ବିଜ୍ଞାପନ ଆମର ଜୀବନ ରେଖା ନୁହେଁ। ଗୋଟିଏ ଖବରକାଗଜର ଶ୍ରେଷ୍ଠ ସମ୍ପଦ ହେଲା ତାକୁ ବିଶ୍ବାସ କରୁଥିବା ଓ ପ୍ରତିଦିନ ମୂଲ୍ୟ ଦେଇ କିଣୁଥିବା ପାଠକମାନେ। ଅତୀତରେ ଏ ବିଶ୍ବାସକୁ ଅତୁଟ ରଖିବା ପାଇଁ ‘ସମ୍ବାଦ’ ବହୁ ମୂଲ୍ୟ ଦେଇଛି। ଭବିଷ୍ୟତରେ ମଧ୍ୟ ଦେବ। ଆମକୁ ପ୍ରତିଦିନ କିିଣି ପଢ଼ୁଥିବା ଗ୍ରାହକମାନେ ଏଥିରେ ସହଯୋଗ କରିବେ ବୋଲି ଆମର ଦୃଢ଼ ବିଶ୍ବାସ ରହିଛି। ତେବେ ଯେଉଁ ଦୁଷ୍ଟବୁଦ୍ଧିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ସେମାନଙ୍କ ହାତରେ ମୋଦୀଜୀଙ୍କ ଏବଂ ଦେଶର ଭବିଷ୍ୟତ ସୁରକ୍ଷିତ ନୁହେଁ ବୋଲି ଆମେ ମନେକରୁ। ସେଇଥିପାଇଁ ଆଜିର ସ୍ବାଗତିକା ସହିତ ଏହି ଅନାସକ୍ତ ସତର୍କବାଣୀ ଓ ନିରୀହ ପ୍ରଶ୍ନ।

ସମ୍ବନ୍ଧିତ ଖବର