ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରକୁ ଅନ୍ୟବର୍ଷମାନଙ୍କ ଭଳି ଉତ୍ସବମୁଖର ହୋଇ ପାଳନ କରିବା ବଦଳରେ କରୋନା ମହାମାରୀ ଯୋଗୁଁ ଏକ ବିକଳ୍ପ ଢଙ୍ଗରେ ପାଳିବାର ନିଷ୍ପତ୍ତି ନେଲେ। ସତର ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌ ମନ୍ତ୍ରୀ ପରିଷଦର ବୈଠକରେ ଗୃହୀତ ହେଲା ଏବଂ ଏହି ଅବସରରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସାମାଜିକ ଦୂରତା ରକ୍ଷା କରି, ସଂଗରୋଧର ସମସ୍ତ ନିୟମ ମାନି ୩୦ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ, ‘ବନ୍ଦେ ଉତ୍କଳ ଜନନୀ’ର ସମୂହ ଗାନ ପାଇଁ ଆହ୍ବାନ ଦେଲେ। ସ୍ବାଭାବିକ ଭାବରେ ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଓ ଦଳୀୟ କର୍ମୀମାନେ ଏହାକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବାକୁ ଲାଗିପଡ଼ିଲେ। ଏହାକୁ କିନ୍ତୁ ନବୀନବାବୁଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଓ ନିନ୍ଦୁକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏ ନେଇ ଭିନ୍ନ ଭିନ୍ନ କାରଣ ଦର୍ଶାଇ ବିବାଦ ମୁଣ୍ଡ ଟେକିଛି। ମୋ ବିଚାରରେ ଯେଉଁ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇ ଥାଉନା କାହିଁକି; ମୁଁ ଏହାକୁ ସର୍ବାନ୍ତକରଣରେ ସ୍ବାଗତ କରୁଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି। କାରଣ ବିଧାନସଭାରେ ଅତୀତରେ ଏହି ପ୍ରସଙ୍ଗକୁ ନେଇ ମୁଁ ସ୍ବର ଉତ୍ତୋଳନ କରିଥିଲି ଏବଂ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସଂପର୍କରେ ସଂସ୍କାର ଆଣି ଏକ ନିୟମ ଲାଗୁ କରିବା ପାଇଁ ମାନ୍ୟବର ବାଚସ୍ପତି ମହୋଦୟଙ୍କ ମାଧ୍ୟମରେ ଦାବି କରିଥିଲି। ଆଉ ଏକ ବିରୋଧ ମଧ୍ୟ ପଶ୍ଚିମଓଡ଼ିଶାର କେତେକ ଅଞ୍ଚଳରୁ ଆସିଛି। ସେମାନଙ୍କର ଭାବାବେଗ ଓ ଯୁକ୍ତିକୁ ସମ୍ମାନ ଜଣାଇବା ସଂଗେ ସଂଗେ ସମୁଦାୟ ପ୍ରସଙ୍ଗଟିକୁ ଭିନ୍ନ ଏକ ଦୃଷ୍ଟିକୋଣରୁ ବିଚାର କରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରୁଛି। ମୋ ଦୃଷ୍ଟିରେ ‘‌ବନ୍ଦେ ଉତ୍କଳ ଜନନୀ’ ପ୍ରାୟ ଶହେ ସାତ ବର୍ଷ ତଳେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଦ୍ବାରା ରଚିତ ହୋଇଥିଲା। କୁହାଯାଏ ଉତ୍କଳ ସମ୍ମିଳନୀର ସଭାମାନଙ୍କରେ ଏକ ପ୍ରେରଣାଦାୟୀ ସଂଗୀତ ଭାବରେ ଗାନ କରିବା ପାଇଁ ଏହା ରଚିତ ହୋଇଥିଲା। ସେତେବେଳେ ଆଜିର ଓଡ଼ିଶା ନା ଗଠିତ ହୋଇଥିଲା ନା ଭାରତ ସ୍ବାଧୀନ ହୋଇଥିଲା ନା ରାଜ୍ୟମାନଙ୍କୁ ଆଜିପରି ବିଭିନ୍ନ ଦୃଷ୍ଟିକୋଣରୁ ବିଭାଜିତ କରି ପୁନର୍ଗଠିତ କରାଯାଇଥିଲା। ମୋ ବିଚାରରେ ସମୁଦାୟ ଗୀତଟି ମାତୃଭୂମିର ବନ୍ଦନା ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଏହା ଅନନ୍ୟ। ସେଥିପାଇଁ କାନ୍ତକବିଙ୍କୁ ଯେତେ କୃତଜ୍ଞତା ଜଣାଇଲେ ମଧ୍ୟ ନିଅଣ୍ଟ ହେବ। ପଶ୍ଚିମ ଓଡ଼ିଶାର ଅନ୍ୟ ଜଣେ ଅଗ୍ରଗଣ୍ୟ କବି, ସ୍ବଭାବ କବି ଗଙ୍ଗାଧର ମେହେର ମଧ୍ୟ ଏହି ଶ୍ରେଣୀର। ମାତୃଭୂମି, ମାତୃଭାଷା ଏବଂ ପ୍ରକୃତି ବର୍ଣ୍ଣନାରେ ତାଙ୍କ ପରି କବିଙ୍କର ଦୃଷ୍ଟାନ୍ତ ବିରଳ। ତେବେ ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ କୃତଜ୍ଞତା ଓ ଅଭିନନ୍ଦନ ଜଣାଇବାର ଅନ୍ୟ ଏକ ବ୍ୟକ୍ତିଗତ କାରଣ ମଧ୍ୟ ଅଛି। ନବୀନବାବୁଙ୍କର କୋଡ଼ିଏ ବର୍ଷର ରାଜନୈତିକ ସଫଳତା ଏବଂ ନିରଙ୍କୁଶ କ୍ଷମତା ପଛର ରହସ୍ୟ କ’ଣ ବୋଲି ଅନେକ ପ୍ରଶ୍ନ କରିଥାନ୍ତି। ସେ ମଧ୍ୟ ତା’ର ଉତ୍ତର ନିଜେ ଦେଇଛନ୍ତି। ମୁଁ କିନ୍ତୁ ଆଉ ଏକ ରହସ୍ୟ ଆଜି ଆବିଷ୍କାର କରିଛି ବୋଲି ଅନୁଭବ କରୁଛି। ତାହା ହେଲା ରାଜନୈତିକ ଦୃଷ୍ଟିକୋଣରୁ ଏକ ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ ପରିବେଶରେ ପରିଣତ କରିବା ପାଇଁ ଯେଉଁ କଳାକୌଶଳର ଆବଶ୍ୟକତା ଅଛି ତାହା ନବୀନବାବୁ ଓ ତାଙ୍କର ସହଯୋଗୀ ପରାମର୍ଶଦାତାମାନଙ୍କୁ ଅନ୍ୟମାନଙ୍କଠାରୁ ଭଲ ଜଣା।

Advertisment

ମୁଁ ଯେଉଁ ବ୍ୟକ୍ତିଗତ କାରଣରୁ ନବୀନବାବୁଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇବାକୁ ଚାହିଲି ତାହା ହେଲା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ଭିନ୍ନ ଏକ ପରିବେଶ। ଅତୀତରେ ସ୍କୁଲ ଦିନରୁ ଏହାକୁ ଆମେ ପାଳିଧରି ଗାଇଛୁ, ଶୁଣିଛୁ, କିନ୍ତୁ ଏଥିରେ ଥିବା ଭାବ ଓ ଆବେଗ କିମ୍ବା ଶବ୍ଦାର୍ଥକୁ ସେପରି ଗମ୍ଭୀରତାର ସହିତ ବିଚାର କରିନାହୁଁ। ଗତକାଲି ଏହି ସୁଯୋଗଟି ନବୀନବାବୁ ମୋତେ ଦେଲେ ବୋଲି ମୁଁ ଭାବୁଛି। କବିତାଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ଚିନ୍ତା ଉଦ୍ଦୀପକ ଓ ପ୍ରେରଣାଦାୟୀ ବୋଲି ମୁଁ ଅନୁଭବ କଲି। ସରଳ ଭାଷାରେ କହିବାକୁ ଗଲେ କାନ୍ତକବି ଆମ ଓଡ଼ିଶାକୁ ମା’ ବୋଲି ବିଚାର କରି ତା’ର ଗୁଣ ବନ୍ଦନା ହିଁ କରିଛନ୍ତି। ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ପୂର୍ବରୁ ହୋଇଥିବା ଏ ମାତୃ ବନ୍ଦନାର ଆଜି ମଧ୍ୟ ପଟାନ୍ତର ନାହିଁ। ଏହାର ପ୍ରତ୍ୟେକ ପଂକ୍ତି ଓ ଶବ୍ଦ ଆଜି ମୋତେ ଆନ୍ଦୋଳିତ କରୁଛି। ମୋ ମା’ର ମୁଖମଣ୍ଡଳ ସବୁବେଳେ ହସହସ ଓ ସୁନ୍ଦର। ଭାଷା କୋମଳ ଏବଂ ମଧୁର। ମୋ ମା’କୁ ସମୁଦ୍ରର ପବିତ୍ର ଜଳ ପ୍ରତିଦିନ ସ୍ନାନ କରାଏ। ତାହାର ଚାରିଶହ ଅଶୀ କିଲୋମିଟରର ସୁଦୀର୍ଘ ତଟଦେଶ ତାଳତମାଳ ବନରେ ଶୋଭାପାଏ। ସ୍ବଚ୍ଛ ନଦନଦୀମାନେ ତାଙ୍କର ଶୀତଳ ପବନରେ ମୋ ମା’କୁ ଆପ୍ୟାୟିତ କରିଥାନ୍ତି। ଘନ ଜଙ୍ଗଲରେ ପରିପୂର୍ଣ୍ଣ ମୋ ମା’ର ନୀଳ ପର୍ବତମାଳାଗୁଡ଼ିକର ଶିଖର ଦେଶ ତରଙ୍ଗର ଭ୍ରମ ସୃଷ୍ଟି କରି ତାକୁ ଅଧିକ ସୁନ୍ଦର କରିଥାଏ। ପକ୍ଷୀମାନଙ୍କର କାକଳି ମୋ ମା’କୁ ଅଧିକ ଆନନ୍ଦ ଦିଅନ୍ତି। ସୁନ୍ଦର ଶାରଦ ଧାନଖେତ, ମୋ ମା’ର ଅସୀମ ସମ୍ପତ୍ତି କେବଳ ନୁହେଁ, ସୌନ୍ଦର୍ଯ୍ୟର ଅନ୍ୟ ଏକ କାରଣ ମଧ୍ୟ। ଜ୍ଞାନବିଜ୍ଞାନ କ୍ଷେତ୍ରରେ, ମୋ ମା’ର ଯେତିକି ରୁଚି, ଯୋଗୀଋଷିମାନଙ୍କୁ ପତ୍ର କୁଡ଼ିଆରେ ରଖି ସମ୍ମାନ ଜଣାଇବାରେ ସେତିକି ଆନନ୍ଦ। ସୁନ୍ଦର ମନ୍ଦିର ନିର୍ମାଣ କରିବା, ମୋ ମା’ର ଆଉ ଏକ ସଉକ। ମନ୍ଦିରର ଗାତ୍ରଦେହରେ ଯେଉଁ କଳାକୀର୍ତ୍ତି ଶୋଭାପାଉଛି, ତାହା ଅନେକ କବିଙ୍କ ବର୍ଣ୍ଣନାକୁ ଫିକା କରିଦେବ। ମୋ ମା’ ତୀର୍ଥକ୍ଷେତ୍ର ଓ ତୀର୍ଥଯାତ୍ରାକୁ ଅତ୍ୟନ୍ତ ଭଲପାଏ। ମୋ ମା’ର ସନ୍ତାନମାନେ ସୂର୍ଯ୍ୟଙ୍କ ପରି ତେଜସ୍ବୀ ଓ ଦର୍ପୀ। ଶତ୍ରୁ ରକ୍ତରେ ରଂଜିତ ଏହି ‌ଶୌର୍ଯ୍ୟ ଏବଂ ବୀର୍ଯ୍ୟ ସଂପନ୍ନ ବୀରମାନଙ୍କ ପାଇଁ ମୋ ମା’ ସାରା ବିଶ୍ବରେ ସମ୍ମାନିତ ଓ ସ୍ବୀକୃତ। କବିତା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ମୋ ମା’ର ସନ୍ତାନମାନେ ସାରା ବିଶ୍ବରେ କୀର୍ତ୍ତି ଅର୍ଜନ କରିଛନ୍ତି। ସର୍ବୋପରି ଅସହାୟକୁ ଶରଣ ଦେବା ଭଳି ଧନ୍ୟ ଏବଂ ପୁଣ୍ୟ କାର୍ଯ୍ୟରେ ମୋ ମା’ ସବୁବେଳେ ବିଶ୍ବାସ କରେ।

‘ବନ୍ଦେ ଉତ୍କଳ ଜନନୀ’କୁ ଗତକାଲି ଏକ ବିଶେଷ ପରିବେଶରେ ସମୂହ ଗାନ କରି ଏବଂ ପରବର୍ତ୍ତୀ ସମୟରେ ତା’ର ପ୍ରତ୍ୟେକ ପଂକ୍ତିକୁ ନିଜ ଢଙ୍ଗରେ ଏବଂ ସରଳ ଭାବରେ ବୁଝିବାକୁ ଚେଷ୍ଟା କରି ମୁଁ ଏଭଳି ଅନୁଭବ କଲି। ଅନ୍ୟମା‌େନ‌ କ’ଣ ଅନୁଭବ କରିଥିବେ ମୁଁ ଜା‌େଣନାହିଁ। ତେବେ ଗୋଟିଏ ଦୁଇଟି କଥା ମୋ ମନକୁ ସ୍ବାଭାବିକ ଭାବେ ଆସୁଛି। ପ୍ରଥମ କଥା, ଉତ୍କଳଗୌରବ ମଧୁସୂଦନ ଦାସଙ୍କ କବିତାର ଦୁଇ ଧାଡ଼ି ‘ମା ମା’ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନ ଦେଲେ ଉତ୍ତର କେହି’ ଏହା ମୋ‌େତ‌ ନିଜକୁ ପ୍ରଶ୍ନ କରିବାକୁ ବାଧ୍ୟ କଲା, କାନ୍ତକବି ଯେଉଁ ମା’ଙ୍କର ବନ୍ଦନା କରୁଥିଲେ, ଆମେ ସେହି ମା’ର ସନ୍ତାନଟି? ଉତ୍କଳ ଗୌରବ ମଧୁସୂଦନ ଯାହାଙ୍କୁ ଖୋଜିଖୋଜି ପାଇଲେ ନାହିଁ, ସେ ସ୍ବର୍ଗରୁ ଫେରିଆସି ଆଜି ଖୋଜିଲେ ଆମକୁ ଚିହ୍ନି ପାରିବେ ତ? ଲକ୍ଷ୍ୟ କରିବାର କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଞ୍ଚମ ପାଳି, କାନ୍ତକବିଙ୍କର ପ୍ରଥମ ପଂକ୍ତିରୁ ଆରମ୍ଭ ହୋଇଛି। ‘ଚାରୁ ହାସମୟୀ, ଚାରୁ ଭାଷମୟୀ’ -ଆପଣମାନେ ଖୁସି ତ?’ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ ଶ୍ରୀକ୍ଷେତ୍ରରେ ସ୍ବତନ୍ତ୍ର କ୍ୟାବିନେଟ୍‌ ବୈଠକ କରି ନିଷ୍ପତ୍ତି ନେଇଥିଲେ। ସେହିପରି ମନ୍ଦିରମାନଙ୍କର ପୁନରୁଦ୍ଧାର କରିବା ପାଇଁ ନବୀନବାବୁଙ୍କର ଯେଉଁ ପ୍ରଚେଷ୍ଟା ଶ୍ରୀଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଛି, ତାହା ମଧ୍ୟ କାନ୍ତକବିଙ୍କୁ ସ୍ବର୍ଗରେ ଆନନ୍ଦ ଦେଉଥିବ। ଠିକ୍‌ ‌ସେହିପରି କବିତାର ଶେଷ ପଂକ୍ତିଟି ସତେ ଯେପରି ନବୀନବାବୁଙ୍କର ରାଜନୈତିକ ଜୀବନର ମୂଳମନ୍ତ୍ର ହୋଇଛି। କେହି ଭୋକରେ ମରିବେ ନାହିଁ। ଅସହାୟ ନିରାଶ୍ରୟର ମୁଣ୍ଡ ଉପରେ ଛାତ ରହିବ, ସେ ‘ମୋ କୁଡ଼ିଆ’ଟିଏ ପାଇବ ଏବଂ ତାକୁ ଜୀବନଧାରଣର ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହାକୁ ସ୍ବୀକାର କଲାବେଳେ ଏକଥା ମଧ୍ୟ ଭୁଲିଗଲେ ଚଳିବ ନାହିଁ, କାନ୍ତକବିଙ୍କ ସମୟର ଓଡ଼ିଶାର ଘନଜଙ୍ଗଲ ଆଜି ଆଉ ନାହିଁ। ‌ସାଟେଲାଇଟ୍‌ର ଚିତ୍ର ତାକୁ ଖୋଜି ଖୋଜି ପାଉନାହିଁ। ନୀଳ ପର୍ବତମାଳାର ଶିଖରର ତରଙ୍ଗ ପଥର ମାଫିଆଙ୍କ ଚାପରେ ଆଜି ହଜିଯାଇଛି। ମୋ ଶିଶୁବହିରେ ପଢ଼ିଥିବା ‘ନଈ କୂଳିଆ ଧୀର ପବନ’ ଆଉ ନାହିଁ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଆଦି ସବୁ ନଦୀ ଆଜି ଶୁଷ୍କ ବା ଦୂଷିତ। ଚିଲିକାକୁ ଆଉ ସେତେ ସଂଖ୍ୟାରେ ପକ୍ଷୀମାନେ ଆସୁନାହାନ୍ତି। ସୁନ୍ଦର ଶାରଦ ଧାନ ଖେତ ଉଜୁଡ଼ିଗଲାଣି ତ, ଚାଷ ଆଜି ଅର୍ଥକରୀ ନୁହେଁ ବୋଲି ଚାଷୀକୁଳ ଭାବି ନେଲେଣି। ଜ୍ଞାନବିଜ୍ଞାନ କଥା କଣ କହିବା! ଅଷ୍ଟମ ଶ୍ରେଣୀର ପିଲା ପଞ୍ଚମ ଶ୍ରେଣୀର ପାଠକୁ ଆୟତ୍ତ କରିପାରୁ ନାହିଁ। ଯୋଗୀ ଋଷିକୁଳକୁ ପତ୍ରକୁଡ଼ିଆରେ ଆମେ ଭବ୍ୟ ସମ୍ମାନ ଦେଇପାରୁଥିଲେ, ଆଜି କିନ୍ତୁ ‘ମୋ କୁଡ଼ିଆ’ଟିଏ ପାଇବା ପାଇଁ କେତେ ଚଞ୍ଚକତା କରିବାକୁ ପଡ଼ୁଛି! ତିନି ମହଲା ପକ୍କାଘର, ମାରୁତି କାର୍‌ ଚଢ଼ୁଥିବା ବ୍ୟକ୍ତି ପାଉଛି ପଛେ, ଚାଳ ଓ ପଲିଥିନ ତଳେ ରହୁଥିବା ଅସହାୟ ବୁଢ଼ିଟି ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେଇନାହିଁ ବୋଲି ସେଥିରୁ ବଂଚିତ ହେଉଛି। ପାଇକ ବିଦ୍ରୋହର ଦୁଇଶହ ବର୍ଷ ପାଳନ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅତୀତର ସ୍ମୃତି ଉଜାଗର କରିବା ପାଇଁ ଆମେ ଚେଷ୍ଟା କରିଛେ। ଏଣେ ଚାଳିଶ ବର୍ଷର ଭେଣ୍ଡିଆ ଟୋକା ବାର୍ଦ୍ଧକ୍ୟ ଭତ୍ତା ପାଇଁ ନିଜ ନେତାଙ୍କର ଅନୁମୋଦନ ହାସଲ କରିପାରୁଛି।

କୁଆଡ଼େ ଗଲେ ଆମର ଶୌର୍ଯ୍ୟ ବୀର୍ଯ୍ୟ ଏବଂ ଦର୍ପିତ ସନ୍ତାନମାନେ? ‘ମନ୍ଦକବି ଯଶପ୍ରାର୍ଥୀ’ ଆଜି ପୁରସ୍କାର ଦୌଡ଼ରେ। କୁଆଡ଼େ ଗଲେ ବୀର ସୁରେନ୍ଦ୍ର ସାଏ ଏବଂ ବକ୍ସି ଜଗବନ୍ଧୁମାନେ? କୁଆଡ଼େ ଗଲେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ, ଗଙ୍ଗାଧର ଓ ମଧୁସୂଦନମାନେ? କୁଆଡ଼େ ଗଲେ ଆମ ପଠାଣି ସାଆନ୍ତେ? ନବୀନବାବୁଙ୍କର ଏହି ତଥାକଥିତ ବିବାଦୀୟ ନିଷ୍ପତ୍ତି ଯଦି ମୋ ଭଳି ଆଉ କେତେଜଣଙ୍କୁ ଅନୁରୂପ ଅନୁଭବ ଦେଇଥିବ ଏବଂ ସେମାନେ ମଧୁବାବୁଙ୍କର ଆହ୍ବାନକୁ ଗ୍ରହଣ କରି ତାଙ୍କର ଆଚରଣରେ ପରିବର୍ତ୍ତନ ଆଣିବା କଥା ଚିନ୍ତା କରୁଥିବେ ତେବେ ଯାଇ ମଧୁବାବୁଙ୍କ ଆତ୍ମାକୁ ଶାନ୍ତି ମିଳିବ ଏବଂ ନବୀନବାବୁଙ୍କୁ କୃତଜ୍ଞତା ଜଣାଇବା ସାର୍ଥକ ହେବ।