ଭିନ୍ନ ଏକ ସଂକଳ୍ପ

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଶୁଭ ଜନ୍ମଦିନ। ଜନ୍ମଦିନ ପାଳନର ପରମ୍ପରାକୁ ରକ୍ଷାକରି ‘ସମ୍ବାଦ’ ପରିବାର ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ଏହି ଦିବସଟିକୁ ସ୍ବାଭିମାନ ଦିବସ ଭାବରେ ସାରା ଓଡ଼ିଶାରେ ପାଳନ କରିଆସୁଛି। ଉତ୍କଳ ଗୌରବଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏହାଠାରୁ ଭଲ କଥା ଆଉ କ’ଣ ହୋଇପାରେ? ସେଦିନ ସକାଳୁ କଟକର ଗୋରା କବରରେ ମଧୁସୂଦନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଏହା ଏକ ସଭାରୁ ଆରମ୍ଭ ହୁଏ ଏବଂ ସନ୍ଧ୍ୟାରେ ଭୁବନେଶ୍ବର ‘ଆମ ଓଡ଼ିଶା’ ପରିସରରେ ଏକ ସ୍ମାରକୀ ବକ୍ତୃତା ସଭାରେ ସମାପନ ହୁଏ।

ଗତବର୍ଷ କରୋନା ମହାମାରୀର କଟକଣା ଯୋଗୁଁ ଏହି ଉତ୍ସବ ଯଥାରୀତି ପାଳନ ହେବାରେ ବାଧା ସୃଷ୍ଟି ହୋଇଥିଲା। କରୋନାର ଦ୍ବିତୀୟ ଲହର ଏବର୍ଷ ମଧ୍ୟ ଏହି ଉତ୍ସବକୁ ପାଳନ କରାଇ ଦେଇନାହିଁ। ସେଥିପାଇଁ ଆମେ ଦୁଃଖିତ। କୁହାଯାଏ ପ୍ରତିକୂଳ ପରିସ୍ଥିତି ମଣିଷର ସାହସ ଓ ସଂକଳ୍ପର ପରୀକ୍ଷା ପାଇଁ ସୁଯୋଗ ସୃଷ୍ଟିକରେ। ଆମ ଭିତରେ ଥିବା ସମ୍ଭାବନାକୁ ଆମେ ଆବିଷ୍କାର କରିଥାଉ। ଆଜିର ସ୍ବାଭିମାନ ଦିବସ ଯଥାରୀତି ପାଳନ ନ ହୋଇ ପାରିଲେ କ’ଣ ହେଲା, ଆମେ ଭିନ୍ନ ଏକ ସଂକଳ୍ପ ନେଇ ମଧୁବାବୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବାର ସୁଯୋଗ ପାଇଛେ ବୋଲି ଆମର ମନେହେଉଛି।

କରୋନାକୁ ପ୍ରତିହତ କରିବା ପାଇଁ ଟିକା ନେବା ଏକମାତ୍ର ବାଟ ବୋଲି ଏବେ ସମସ୍ତେ କହୁଛନ୍ତି। ଟିକାକରଣକୁ ସଫଳ ଓ ତ୍ବରାନ୍ବିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜୋର୍‌ ଦେଉଛନ୍ତି। ଆସନ୍ତା ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରାଯାଉଛି। କରୋନା ଆମର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଯେପରି ଆଘାତ ଦେଇଛି, ସେ ଦୃଷ୍ଟିରୁ ଟିକା ସପକ୍ଷରେ ଆଉ ପ୍ରଚାରର ଆବଶ୍ୟକତା ପଡ଼ିବ ନାହିଁ। ଟିକାଦାନ କେନ୍ଦ୍ରରେ ଆମେ ଲମ୍ବା ଲାଇନ୍‌ ଦେଖିବାକୁ ପାଇବା। ଟିକାକରଣ ଅଭିଯାନ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଆମର ବିଶ୍ବାସ।

ଟିକାକରଣ ଅଭିଯାନର ସଫଳତା ଆମ ଅଜାଣତରେ ଆଉ ଏକ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନ ଧରି ରକ୍ତଦାନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବା ଦୃଷ୍ଟିରୁ ଆମ ଅନୁଭବରୁ ଆମେ ଜାଣୁ ଯେ ରକ୍ତଦାନ ପାଇଁ ଆଗେଇ ଆସୁଥିବା ‌ସ୍ବେଚ୍ଛାସେବୀ ବନ୍ଧୁମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗଙ୍କର ବୟସ ୧୮ ବର୍ଷରୁ ୪୫ ବର୍ଷ। ଏବେ ଟିକାକରଣ ପାଇଁ ଯେଉଁ ନୀତିନିୟମ ଘୋଷଣା କରାଯାଇଛି, ସେଥିରେ ଉଲ୍ଲେଖ ଅଛି ଯେ ଦୁଇପାଳି ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ ରକ୍ତଦାନ କରିହେବ ନାହିଁ। ରକ୍ତଦାନ କରୁଥିବା ସ୍ବେଚ୍ଛାସେବୀଙ୍କର ସିଂହଭାଗ ଟିକାନେବା ପାଇଁ ମଧ୍ୟ ଆଗ୍ରହୀ ଥିବେ ତେଣୁ ପ୍ରାୟ ତିନିମାସ ପର୍ଯ୍ୟନ୍ତ ଏମାନେ ରକ୍ତଦାନ କରିପାରିବେ ନାହିଁ। ରକ୍ତଦାନ କାର୍ଯ୍ୟକ୍ରମର ଆଉ ଏକ ଅନୁଭବ ହେଲା, ଗ୍ରୀଷ୍ମଋତୁର ଏହି ତିନି ମାସରେ ରକ୍ତଦାତାମାନଙ୍କ ସଂଖ୍ୟା ଅନ୍ୟ ମାସ ଅପେକ୍ଷା ଯଥେଷ୍ଟ କମ୍‌ ଥାଏ ଏବଂ ରୋଗୀଙ୍କ ପାଇଁ ରକ୍ତର ଅଭାବ ଦେଖାଦେଇଥାଏ। ତେଣୁ ଆମ ପାଇଁ ଏହି ଟିକାକରଣ ଅଭିଯାନ ଏକ ଆହ୍ବାନ ସଦୃଶ ହୋଇଛି। ଏହି ଆହ୍ବାନକୁ ଗ୍ରହଣ କରି ଓଡ଼ିଶାର ଯୁବ ସମାଜ ତାଙ୍କର ସାହସ ଓ ସଂକଳ୍ପର ପରିଚୟ ଦେବେ ବୋଲି ଆମେ ଆଶା କରୁ। ଟିକା ନେବା ପରେ ସିନା ରକ୍ତ ଦେଇହେବ ନାହିଁ, କିନ୍ତୁ ରକ୍ତ ଦେବାପରେ ଟିକା ନେବାରେ କୌଣସି ଅସୁବିଧା ନାହିଁ। ତେଣୁ ଆମର ପ୍ରସ୍ତାବ ହେଲା ସମସ୍ତେ ଯଦି ଟିକା ନେବା ପୂର୍ବରୁ ରକ୍ତ ଦେବା ପାଇଁ ଇଚ୍ଛା ପ୍ରକାଶ କରିବେ, ତା’ହେଲେ ଏ ଆହ୍ବାନକୁ ଆମେ ସହଜରେ ମୁକାବିଲା କରିପାରିବା। ସରକାର ମଧ୍ୟ ସମସ୍ୟାର ଗୁରୁତ୍ବକୁ ହୃଦୟଙ୍ଗମ କରି ପ୍ରତି ରକ୍ତଭଣ୍ଡାରକୁ ଏକ ଟିକାଦାନ କେନ୍ଦ୍ରରେ ପରିଣତ କରି ରକ୍ତଦାତାମାନଙ୍କୁ ଟିକାଦାନ କ୍ଷେତ୍ରରେ ଅଗ୍ରାଧିକାର ଦେବାର ବ୍ୟବସ୍ଥା କରିପାରିଲେ ସମସ୍ୟାର ସହଜ ସମାଧାନ ହୋଇପାରିବ।

କରୋନା ମହାମାରୀ ଆମକୁ ଅନେକ ଅସୁବିଧାରେ ପକାଇଛି। କିନ୍ତୁ ଯୁବବନ୍ଧୁମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ ଦେଉଛି। ବିଶ୍ବର ବିଭିନ୍ନ ମହାମାରୀ ସମ୍ପର୍କରେ ଆମେ ପଢ଼ିଥିଲୁ। ନ’ଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ଗୁରୁଜନଙ୍କଠାରୁ କାହାଣୀ ଶୁଣିଥିଲୁ। କିନ୍ତୁ କୌଣସି କଥାକୁ ଅନୁଭବ କରିନଥିଲୁ। ଆଜି ମଧୁସୂଦନଙ୍କ ଜନ୍ମଦିନରେ ତାଙ୍କର କୋହଭରା କବିତା ମନେପଡ଼ୁଛି।

‘ମାଆ ‌ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନ ଦେଲେ ଉତ୍ତର କେହି…।’

ଆସନ୍ତୁ ତାଙ୍କରି ଜନ୍ମଦିନରେ ଆମେ ସବୁ ଯୁବ ସ୍ବେଚ୍ଛାସେବୀ ଗୋଟିଏ ସଂକଳ୍ପ ନେବା। ରକ୍ତଭଣ୍ଡାରକୁ ଯାଇ ରକ୍ତ ଦେବା ଓ ପରେ ଟିକା ନେବା। ଏହା କରିପାରିଲେ ଖରାକାଳର ଏହି ରକ୍ତର ଅଭାବକୁ ଆମେ ଯେ କେବଳ ଦୂର କରିବା ତାହା ନୁହେଁ, ମଧୁବାବୁଙ୍କର କୋହଭରା ଆହ୍ବାନର ଉଚିତ ଜବାବ ବିଳମ୍ବରେ ହେଲେ ମଧ୍ୟ ଦେଇପାରିବା। ପରିଣତ ବୟସରେ ନିଜ ପିଲାମାନଙ୍କୁ କହିପାରିବା ଯେ, ଆମ ସମୟରେ କରୋନା ଦୁଇ ଦୁଇଥର ଆସିଥିଲା ଏବଂ ଆମେ ସବୁ ଯୁବକମାନେ ଆଗେ ରକ୍ତ ଦେଇ ପରେ ଟିକା ନେବା ବୋଲି ସଂକଳ୍ପ ନେଇଥିଲୁ।

ଆସନ୍ତୁ ମଧୁସୂଦନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ନାହିଁ।

ସମ୍ବନ୍ଧିତ ଖବର