ଟୋକିଓ ଅଲିମ୍ପିକ୍ସର ବାର୍ତ୍ତା

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ଟୋକିଓ ଅଲିମ୍ପିକ୍ସ ୨୦‌୨୦ର ଆଜି ଶେଷ ଦିନ। ୧୮୯୬ ମସିହାରୁ ଏଥେନ୍ସରେ ଆରମ୍ଭ ହୋଇଥିବା ଆଧୁନିକ ଅଲିମ୍ପିକ୍ସର ୧୨୫ ବର୍ଷର ଇତିହାସରେ ଟୋକିଓ ଅଲିମ୍ପିକ୍ସ ୨୦୨୦ କରୋନା ମହାମାରୀ କାରଣରୁ ୨୦୨୧ରେ ଅନୁଷ୍ଠିତ ହୋଇ ଏକମାତ୍ର ବିଷମ ବର୍ଷର ଅଲିମ୍ପିକ୍ସ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ। ପ୍ରତି ଚାରିବର୍ଷରେ ଅଲିମ୍ପିକ୍ସ ଅନୁଷ୍ଠିତ ହୁଏ। ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହା ତିନିଥର ବାତିଲ ହୋଇଥିଲା। ୧୯୮୦ର ମସ୍କୋ ଅଲିମ୍ପିକ୍ସ ସମୟରେ କିଛି ଦେଶ ରାଜନୈତିକ ବିବାଦ ଏବଂ ଆତଙ୍କବାଦ କାରଣରୁ ଏହାକୁ ବର୍ଜନ କରିଥିଲେ। କରୋନା ମହାମାରୀ ସତ୍ତ୍ବେ ଏଥର ଅଲିମ୍ପିକ୍ସ ଅନୁଷ୍ଠିତ ହୋଇପାରିଥିବା ସମଗ୍ର ମାନବ ସମାଜ ପାଇଁ ଏକ ଉଲ୍ଲେଖନୀୟ ସଫଳତା।

ଟୋକିଓ ଅଲିମ୍ପିକ୍ସ ଆମ ଦେଶ ପାଇଁ ଏବଂ ବିଶେଷକରି ଆମ ଓଡ଼ିଶା ପାଇଁ ଭିନ୍ନଭିନ୍ନ ବାର୍ତ୍ତା ଦେଉଛି। କଥାରେ ଅଛି, ସଫଳତାର ଅନେକ ପିତା; କିନ୍ତୁ ବିଫଳତା ସବୁବେଳେ ଅନାଥ। ସଫଳତାର ଶ୍ରେୟ ନେବା ପାଇଁ ଆମେ ଯେତେ ପରିମାଣରେ ଆଗ୍ରହ ପ୍ରକାଶ କରୁ, ବିଫଳତାକୁ ସ୍ବୀକାର କରିବା ପାଇଁ ସେତିକି ସାହସ ଜୁଟାଇ ପାରୁନା। ଏହା ଆମ ସମୟର ଏକ ବିଡ଼ମ୍ବନା।

ଓଡ଼ିଶା ପାଇଁ ଏହା ନିଶ୍ଚିତ ଭାବରେ ଗର୍ବ ଏବଂ ଗୌରବର କାରଣ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶିତାକୁ ପ୍ରମାଣିତ କରୁଛି। ଗତ ୨୦ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରାଜନୈତିକ ସଫଳତାକୁ ସମସ୍ତେ ସ୍ବୀକାର କରି ଆସୁଛନ୍ତି। ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସେ ସାରା ବିଶ୍ବରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଅନାହାର ମୃତ୍ୟୁ ବିରୋଧରେ ସଂଗ୍ରାମ କରି ବିଜୟୀ ହୋଇଛନ୍ତି। ଆଜି ୪୧ ବର୍ଷ ପରେ ବିଶ୍ବ ହକିରେ ଭାରତର ପଦକ ଭୋକରୁ ମଧ୍ୟ ଆମକୁ ମୁକ୍ତି ଦେଇଛନ୍ତି। ପୁରୁଷ ଏବଂ ମହିଳା ହକିର ପ୍ରଶଂସନୀୟ ପଦକ୍ଷେପ ପାଇଁ ଶ୍ରେୟ ଯଦି କାହାକୁ ଦିଆଯିବ ସେ ଯେ ନିର୍ବିବାଦରେ ନବୀନ ପଟ୍ଟନାୟକ ହେବେ; ଏକଥା କେହି ଅସ୍ବୀକାର କରିବେ ନାହିଁ। କାରଣ ଭୁଲିଗଲେ ଚଳିବ ନାହିଁ; ୨୦୧୮ ମସିହାରେ ଯେତେବେଳେ ‘ସାହାରା ଇଣ୍ଡିଆ’ ଭାରତୀୟ ହକିର ପ୍ରାୟୋଜକ ଚୁକ୍ତିରୁ ଓହରି ଗଲା, ସେତେବେଳେ ଭାରତୀୟ ହକି ଏକରକମ ଅନାଥ ହୋଇଯାଇଥିଲା ବୋଲି କୁହାଯାଇପାରେ। ଏତିକିବେଳେ ନବୀନବାବୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ତା’ର ନୂଆ ପ୍ରାୟୋଜକ କେବଳ ହେଲେ ନାହିଁ, ଓଡ଼ିଶାକୁ ଏବଂ ହକିକୁ ଏକ ନୂଆ ପରିଚୟ ମଧ୍ୟ ଦେଲେ। ବିଶ୍ବକପ୍‌ର ସଫଳ ଆୟୋଜନ ପରେ ପୁଣି ଥରେ ୨୦୨୩ର ବିଶ୍ବକପ୍‌ ଆୟୋଜନ କରିବାର ସୁଯୋଗ ମଧ୍ୟ ଓଡ଼ିଶାକୁ ମିଳିଲା। ଖେଳ ମାନଚିତ୍ରରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ସୁରକ୍ଷିତ ହୋଇ ଚିହ୍ନିତ ହେଲା। ୨୦୧୮ ମସିହାରେ ଓଡ଼ିଶାର ଏହି ନିଷ୍ପତ୍ତିକୁ ଯେଉଁମାନେ ଅପରିଣାମଦର୍ଶୀ ବୋଲି କହି ସମାଲୋଚନା କରୁଥିଲେ; ସେମାନେ ଆଜି ନିଜ ଛେପ ଢୋକିବାକୁ ବାଧ୍ୟ ହେଉଛନ୍ତି। ମନେ ରଖିବାକୁ ହେବ ଯେ ଏଭଳି ଏକ ପ୍ରାୟୋଜକ ହେବା ପାଇଁ ଦେଶର ୨୮ ରାଜ୍ୟ ମଧ୍ୟରୁ ଓଡ଼ିଶାର ସେଭଳି କୌଣସି ବିଶେଷ ଯୋଗ୍ୟତା ନଥିଲା। ଭାରତରେ ଅନେକ ସମୃଦ୍ଧ ପ୍ରଦେଶ ଥିଲେ, ଯେଉଁମାନେ ଏହି ଦାୟିତ୍ବ ନେଇପାରିଥାନ୍ତେ। ଆମର କେବଳ ସ୍ବାର୍ଥ ଥିଲା ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଭାଇଭଉଣୀଙ୍କର ରୁଚି ଓ ଭାବନା ସହିତ ଯୋଡ଼ି ହୋଇଥିବା ଏହି ଖେଳର ବିକାଶ। ଏହି ଦୃଷ୍ଟିରୁ ନବୀନବାବୁଙ୍କର ଦୂରଦୃଷ୍ଟିର ଗୁରୁତ୍ବ ବହୁଗୁଣରେ ବଢ଼ି ଯାଉଛି। ଓଡ଼ିଶା ଶ୍ରେୟର ସିଂହଭାଗ ଦାବି କରିବାରେ କାହାର ବା ଆପତ୍ତି ରହିବ କାହିଁକି?

ସେହିପରି ଟୋକିଓ ଅଲିମ୍ପିକ୍ସର ସାମଗ୍ରିକ ପ୍ରଦର୍ଶନ ନିଶ୍ଚିତ ଭାବରେ ସମଗ୍ର ଦେଶ ପାଇଁ ଆନନ୍ଦ ଓ ଅାଶ୍ବାସନାର କାରଣ ହୋଇପାରିଛି। ଅନ୍ତିମ ପର୍ଯ୍ୟାୟରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣପଦକ ସହିତ ସାତଟି ପଦକ ସମଗ୍ର ଦେଶ ପାଇଁ ସର୍ବକାଳୀନ ରେକର୍ଡ ସହିତ ଗୌରବ ଆଣି ଦେଇଛି। ଏହା ପୂର୍ବରୁ ଭାରତ ଅଲିମ୍ପିକ୍ସରେ ସର୍ବାଧିକ ଛଅଟି ପଦକ ଜିତିଥିଲା। ଆମକୁ ଯେଉଁ ପ୍ରଶ୍ନଟି ଅଧିକ ଆନ୍ଦୋଳିତ କରୁଛି, ତାହା ହେଲା ସାତଟି ପଦକ ପାଇ ଆମେ ଯେତିକି ଉଲ୍ଲସିତ ହେଉଛେ ତାହା ମାତ୍ରାଧିକ ହେଇଯାଉ ନାହିଁ ତ? ଏକଥା କହିଲା ବେଳେ ଅନ୍ୟତମ କାଂସ୍ୟ ପଦକ ବିଜେତା ଲଭ୍‌ଲିନାଙ୍କ ବକ୍ତବ୍ୟ କଥା ମନକୁ ଆସୁଛି। ଲଭ୍‌ଲିନା ପଦକ କହିଲେ ସ୍ବର୍ଣ୍ଣକୁ ହିଁ ବୁଝନ୍ତି। ସ୍ବର୍ଣ୍ଣ ନ ପାଇଲା ପର୍ଯ୍ୟନ୍ତ ଅନ୍ୟ ସବୁ ସାନ୍ତ୍ବନାମୂଳକ ବୋଲି ଭାବିବାକୁ ହେବ। ଲଭ୍‌ଲିନାଙ୍କ ଏ ପ୍ରକାର ମନୋଭାବ ପାଇଁ ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ ଏବଂ ଆଶା କରୁଛୁ, ଦେଶର ନେତୃମଣ୍ଡଳୀ ଶ୍ରେୟ ମୁଣ୍ଡାଇବା ପାଇଁ ପ୍ରତିଯୋଗିତା କଲାବେଳେ ଏ ବିଷୟରେ ଟିକେ ଚିନ୍ତା କରିବେ। ୧୪୦ କୋଟିର ଭାରତ ଲୋକସଂଖ୍ୟା ଦୃଷ୍ଟିରୁ ବିଶ୍ବର ଦ୍ବିତୀୟ ବୃହତ୍ତମ ଦେଶ। ଆସନ୍ତାବର୍ଷ ଚୀନ୍‌ର ୧୪୪ କୋଟିକୁ ଟପି ଏହା ସର୍ବବୃହତ୍‌ ଦେଶ ହେବ ବୋଲି ଆକଳନ କରାଯାଉଛି। ଏହି ମାସ ଆମେ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛୁ। ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ର ସଂକଳ୍ପ ମଧ୍ୟ ନେଇ ସାରିଛୁ। ଆମ ସ୍ବାଧୀନତାର ଦୁଇ ବର୍ଷ ପରେ ଚୀନ୍‌ରେ ବିପ୍ଳବ ସଂଘଟିତ ହୋଇଥିଲା। ୧୯୫୨ ମସିହାରେ ଜଣେ ମାତ୍ର ପ୍ରତିଯୋଗୀ ଚୀନ୍‌ ତରଫରୁ ଭାଗ ନେଇଥିଲା ବେଳେ ୧୯୮୪ ମସିହାରୁ ନିୟମିତ ଭାବରେ ଚୀନ୍‌ ଭାଗ ନେଉଛି। ଆଜି ସ୍ବର୍ଣ୍ଣପଦକ ତାଲିକାରେ ଚୀନ୍‌ ଆମେରିକାଠାରୁ ଆଗରେ ରହିବ ବୋଲି ଆଶା କରାଯାଉଛି। ଚୀନ୍‌ର ସଫଳତା ସହିତ ଆମକୁ ତୁଳନା କଲେ ଆମେ କେଉଁଠି, ସହଜରେ ଅନୁମାନ କରାଯାଇପାରେ। ଅର୍ଥନୈତିକ ବିକାଶ କ୍ଷେତ୍ରରେ ଚୀନ୍‌ର ସ୍ଥାନକୁ କେହି ଅସ୍ବୀକାର କରିପାରିବେ ନାହିଁ।

ଆମେ କେବଳ କହିପାରିବା; ଆମର ଗଣତନ୍ତ୍ର ଅଛି, ଚୀନ୍‌ରେ ନାହିଁ। ଏକଥା କହିଲା ବେଳେ ପୁଣି ଯେଉଁ ପ୍ରଶ୍ନଟି ଆମକୁ ଆନ୍ଦୋଳିତ କରୁଛି, ସତରେ କ’ଣ ଆମେ ଗଣତନ୍ତ୍ର ପାଇଁ ଖେଳକୁଦରେ ଏହି ପଦକ ବଳିଦାନକୁ ଗ୍ରହଣ କରିନେ‌ବା? ଆମ ଗଣତନ୍ତ୍ର କ’ଣ ସତରେ ଆଜି ସୁରକ୍ଷିତ? ଆମ ବିଚାରରେ ଟୋକିଓ ଅଲିମ୍ପିକ୍ସର ପ୍ରଦର୍ଶନକୁ ନେଇ ଛାତି ଫୁଲାଇ ଗର୍ବ କରିବା ପୂର୍ବରୁ ଆମକୁ ଟିକେ ଗମ୍ଭୀରତାର ସହିତ ଆମ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ। ଆମ ନେତୃମଣ୍ଡଳୀ ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ଏବଂ ଯେଭଳି ନିଷ୍ପତ୍ତି ନେଉଛନ୍ତି ତାହା ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି କୁଠାରଘାତ କରୁଛି; ଏହାକୁ ଯେକୌଣସି ଅନାସକ୍ତ ବ୍ୟକ୍ତି ସ୍ବୀକାର କରିବେ। ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କଲା ପରେ ପରେ ଆମ ଦେଶର କିଛି ଅନ୍ଧ ଭକ୍ତ କହିବାକୁ ଆରମ୍ଭ କରିଦେଲେ, ମୋଦୀଜୀଙ୍କର ‘ବେଟି ବଚାଓ ଓ ବେଟି ପଢ଼ାଅ’ ଯୋଜନାର ସୁଫଳ ଫଳିଲା। ଏହାଠାରୁ ଅବାନ୍ତର ଯୁକ୍ତି ଆଉ କ’ଣ ହୋଇପାରେ? ଠିକ୍‌ ସେହିପରି ପୁରୁଷ ହକି ଦଳ କାଂସ୍ୟ ପଦକଟିଏ ପାଇଲା ପରେ କାଳ ବିଳମ୍ବ ନକରି ‘ରାଜୀବ ଗାନ୍ଧି ଖେଳ ରତ୍ନ ପୁରୁସ୍କାର’ର ନାମ ବଦଳାଇ ‘ମେଜର୍‌ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଧ୍ୟାନଚାନ୍ଦଙ୍କର ଅବଦାନ ଏବଂ କୃତିକୁ ଛୋଟ କରି ଦେଖିବାର ଆମର କୌଣସି ଅଭିପ୍ରାୟ ନାହିଁ। ଧ୍ୟାନଚାନ୍ଦଙ୍କ ପରି ଜଣେ ହକି ଖେଳାଳି ଆଉ ଏ ଦୁନିଆରେ ମିଳିବେ ନାହିଁ। ‘ବଲ୍‌ଟିଏ ପାଇଲେ ଗୋଲ୍‌ଟିଏ’ ବୋଲି ଏକ ଆପ୍ତବାକ୍ୟ କେବଳ ତାଙ୍କ ସମ୍ପର୍କରେ ହିଁ କୁହାଯାଏ। ସେ ଯଥାର୍ଥରେ ତେନ୍ଦୁଲକରଙ୍କ ପରି ‘ଭାରତରତ୍ନ’ ପାଇବା ପାଇଁ ମଧ୍ୟ ‌ଯୋଗ୍ୟ।

ଗଣତାନ୍ତ୍ରିକ ମୂଲ୍ୟବୋଧ ଭିନ୍ନ ଏକ ମାନସିକତାର ଅପେକ୍ଷା ରଖେ। ବହୁମତର ଚାପରେ ଭିନ୍ନ ମତକୁ ଦବେଇ ଦେବାରେ ଏହା ବିଶ୍ବାସ ରଖେ ନାହିଁ। ଅନ୍ୟ ମତକୁ ସମ୍ମାନ ଦେବା ସହ ଖୋଲା ଆଲୋଚନା ପରେ ସହମତି ତିଆରି କରିବା ହେଲା ଏହାର ମୂଳମନ୍ତ୍ର। କିନ୍ତୁ ଏଠି ତ ଓଲଟା ହେଉଛି। ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଅଭ୍ୟାସ ଏକ ରୁଗ୍‌ଣ ମାନସିକତାର ପରିଚୟ ଦିଏ। ସେଦିନ ଆଉ ବେଶି ଦୂର ନୁହେଁ, ଯେବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଦେଶବାସୀଙ୍କ ଦ୍ବାରା ପ୍ରଦତ୍ତ ଶ୍ରଦ୍ଧାର ନାମକୁ ପ୍ରଧାନମନ୍ତ୍ରୀ ବଦଳାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଆମେ ଜାଣିବାକୁ ପାଇବା। ଅଲିମ୍ପିକ୍ସରେ ଆମର ଆଶାନୁରୂପ ସଫଳତା ନହେବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି। ଆମେ ସମ୍ବିଧାନରୁ ସିନା ଜାତିଭେଦ ଦୂର କରିଛୁ ବୋଲି ଦାବି କରୁଛୁ, କିନ୍ତୁ ରାଜନୀତି ଏବଂ ଖେଳକୁଦରେ ଜାତିଭେଦର ପ୍ରଭାବ ବଢ଼ିବଢ଼ି ଚାଲିଛି। ଆମ ବଜାର ଏବଂ ଯୁବମାନସରେ କ୍ରିକେଟ୍‌ ଖେଳର ପ୍ରଭାବକୁ ଦେଖିଲେ ଏହା ଯେ କେହି ଅନୁଭବ କରିପାରିବେ। କ୍ରିକେଟ୍‌ ଭଳି କିଛି ଖେଳକୁ ସବର୍ଣ୍ଣ ଖେଳ ଭାବେ ବିଚାର କରାଯାଉଥିବା ବେଳେ ଅନ୍ୟସବୁ ଖେଳ ଏକରକମ ଅଛୁଆଁ ହୋଇପଡ଼ିଛନ୍ତି। ସେମାନଙ୍କର ପୃଷ୍ଠପୋଷକ ହେବା ପାଇଁ କେହି ଆଗେଇ ଆସୁ ନାହାନ୍ତି। ଫଳରେ ପ୍ରତିଯୋଗିତାର ଦୁନିଆରେ ଅଲିମ୍ପିକ୍ସର ମୂଳମନ୍ତ୍ର ‘ଉତ୍କର୍ଷର ଉପାସନା’ର ଅବମାନନା ହେଉଛି। ଓଡ଼ିଶା ପରି ଭାରତର ଅନ୍ୟ ରାଜ୍ୟଗୁଡ଼ିକ ଯଦି ଗୋଟିଏ ଗୋଟିଏ ଖେଳର ପୃଷ୍ଠପୋଷକତା କରିବା ପାଇଁ ଆଗେଇ ଆସନ୍ତେ, ତା’ହେଲେ ଅଳ୍ପ କେତୋଟି ବର୍ଷରେ ଆମେ ଚୀନ୍‌ ଭଳି ସଫଳତାର ଶୀର୍ଷକୁ ଯାଇପାରନ୍ତେ। ଆମ ଗଣତନ୍ତ୍ରକୁ ଆଉ କବଳିତ ହେବାକୁ ପଡ଼ନ୍ତା ନାହିଁ। ଟୋକିଓ ଅଲିମ୍ପିକ୍ସର ଏହି କେତୋଟି ବାର୍ତ୍ତା ଯଦି ଆମ ଜାତୀୟ ଜୀବନର ପ୍ରମୁଖ ଅନୁଷ୍ଠାନର ମୁଣ୍ଡିଆଳମାନଙ୍କୁ ସ୍ପର୍ଶ କରନ୍ତା, ତା’ହେଲେ ଟୋକିଓର ଏହି ବିଷମ ବର୍ଷର ଅଲିମ୍ପିକ୍ସଟି ଆମର ଉତ୍ତର ପିଢ଼ି ପାଇଁ ଚିର ସ୍ମରଣୀୟ ହୋଇ ରୁହନ୍ତା।

ସମ୍ବନ୍ଧିତ ଖବର