ନିୟାମକ ଆୟୋଗର ବେନିୟମ କାର୍ଯ୍ୟ

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ପଚିଶ ବର୍ଷ ତଳେ ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟର ଶ୍ରେୟ ପାଇଥିଲା। ପରେ କେନ୍ଦ୍ରୀୟ ବିଦ୍ୟୁତ୍‌ ଆଇନ୍‌ ୨୦୦୩ ଆସିବାରୁ ଅନ୍ୟ ରାଜ୍ୟମାନେ ମଧ୍ୟ ସଂସ୍କାର ଆଣିବା ପାଇଁ ବାଧ୍ୟ ହେଲେ। ଆଜି କିନ୍ତୁ ପଚିଶ ବର୍ଷ ପରେ ବିଦ୍ୟୁତ୍‌ କ୍ଷେତ୍ରକୁ ନେଇ ଆମେ ଗର୍ବ କରି କିଛି କହିବା ଅବସ୍ଥାରେ ନାହାନ୍ତି। ସମସ୍ତ ଅନୁକୂଳ ପରିସ୍ଥିତି ସତ୍ତ୍ବେ ନା ଆମେ ପରିଚାଳନାଗତ ଦକ୍ଷତା ଦେଖାଇ ପାରିଲେ ନା ବିଭିନ୍ନ ବର୍ଗର ଉପଭୋକ୍ତାମାନଙ୍କୁ ସନ୍ତୁଷ୍ଟ କରିପାରିଲେ। ଏଥିପାଇଁ କାହାକୁ ଦାୟୀ କରିବା? ଏହାର ଏକ ଅନାସକ୍ତ ତର୍ଜମାର ଆବଶ୍ୟକତା ଅନୁଭୂତ ହେଉଛି।

ଏକ ବିକାଶଶୀଳ ରାଜ୍ୟରେ ବିଦ୍ୟୁତ୍‌ ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ କେହି ଅଣଦେଖା କରିପାରିବେ ନାହିଁ। ବିଶେଷକରି ଓଡ଼ିଶା ପରି ଖଣିଜ ସମ୍ପଦରେ ଭରପୂର ରାଜ୍ୟ ପାଇଁ ବିଦ୍ୟୁତ୍‌ ଶକ୍ତି ଅନ୍ୟ ଏକ ପ୍ରମୁଖ କଞ୍ଚାମାଲ ଭଳି କାର୍ଯ୍ୟ କରେ। ଆମେ ଆମ ଖଣିଜ ସମ୍ପଦର ବିନିଯୋଗ ପାଇଁ ପୁଞ୍ଜିନିବେଶକାରୀମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କଥା କହିଥାଉ। ତନ୍ମଧ୍ୟରୁ ଆମେ ବିଦ୍ୟୁତ୍‌ କ୍ଷେତ୍ରରେ ସ୍ବାବଲମ୍ବୀ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିବା କଥାଟି ପ୍ରମୁଖ ଅଂଶ ଭାବରେ ଗଣାଯାଏ। ପୁଣି ଏବେ ପରିବେଶ ସମସ୍ୟା ବିଦ୍ୟୁତ୍‌ କ୍ଷେତ୍ର ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ବିଦ୍ୟୁତ୍‌ କ୍ଷେତ୍ରର ପରିଚାଳନାରେ ପାରଦର୍ଶିତା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ଉଭା ହୋଇଛି। ସଂସ୍କାର ପୂର୍ବରୁ ରାଜ୍ୟ ବିଦ୍ୟୁତ୍‌ ବୋର୍ଡମାନଙ୍କ ମାଧ୍ୟମରେ ବିଦ୍ୟୁତ୍‌ କ୍ଷେତ୍ରର ଯାବତୀୟ କାର୍ଯ୍ୟ ସମ୍ପାଦିତ ହେଉଥିଲା। ବିଭିନ୍ନ କାରଣରୁ ବର୍ଷବର୍ଷ ଧରି କ୍ଷତି ସହୁଥିବା ବିଦ୍ୟୁତ୍‌ ବୋର୍ଡଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ ବିଦ୍ୟୁତ୍‌ କ୍ଷେତ୍ରର ସଂସ୍କାର ଅପରିହାର୍ଯ୍ୟ ହୋଇ ପଡ଼ିଥିଲା।

ବିଦ୍ୟୁତ୍‌ କ୍ଷେତ୍ରକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ। ଉତ୍ପାଦନ, ପରିବହନ ଓ ବିତରଣ। ବିଦ୍ୟୁତ୍‌ ଉତ୍ପାଦନ ଅଧିକ ପୁଞ୍ଜି ବିନିଯୋଗର ଅପେକ୍ଷା ରଖେ ଏବଂ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତିକୁ ଉଚିତ ମୂଲ୍ୟରେ ବିକିବା ପାଇଁ ବଜାର ଖୋଜେ। ସେହିପରି ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ଶକ୍ତି ପହଞ୍ଚାଇବାକୁ ହେଲେ ପରିବହନର ଏକ ସୁବିସ୍ତୃତ ତାରଜାଲର ଆବଶ୍ୟକତା ଅଛି। ସର୍ବଶେଷରେ ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ନିକଟରେ ବିଦ୍ୟୁତ୍‌ ଶକ୍ତି ପହଞ୍ଚାଇବା ପାଇଁ ଦକ୍ଷ ବିତରଣ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟୁତ୍‌ ବୋର୍ଡଠାରୁ ପ୍ରଥମେ ଉତ୍ପାଦନ କାର୍ଯ୍ୟକୁ ଅଲଗା କରି ନିଆଗଲା। ଓଡ଼ିଶା ଜଳବିଦ୍ୟୁତ୍‌ ନିଗମର ସୃଷ୍ଟି ହେଲା। ପରେ ଗ୍ରିଡ୍‌କୋଠାରୁ ପରିବହନ କାର୍ଯ୍ୟକୁ କାଢ଼ି ନିଆଯାଇ ଓଟିପିସିଏଲ୍‌ ନାମରେ ଏକ ଶକ୍ତି ପରିବହନ କମ୍ପାନି ହାତରେ ନ୍ୟସ୍ତ କରାଗଲା। ଶେଷରେ ଗ୍ରାହକମାନଙ୍କୁ ଶକ୍ତି ବିତରଣ କରି ତାଙ୍କଠାରୁ ମୂଲ୍ୟ ଆଦାୟ କରିବା ପାଇଁ ଅନେକଗୁଡ଼ିଏ ବିତରଣକାରୀ ସଂସ୍ଥାକୁ ଅନୁମତି ଦିଆଗଲା। ଏଭଳି ଏକ ସଂସ୍କାର ପଛର ମୂଳ ଉଦ୍ଦେଶ୍ୟ ଥିଲା, ବିଦ୍ୟୁତ୍‌ ବିତରଣଜନିତ କ୍ଷତି ବା ଚୋରିକୁ ରୋକିବା ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି କରି ସୁଲଭ ମୂଲ୍ୟରେ ଅଧିକରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍‌ ଶକ୍ତି ଯୋଗାଇଦେବା।

ଉତ୍ପାଦନକାରୀମାନଙ୍କୁ ପୁଞ୍ଜିବିନିଯୋଗ କରିବା ପାଇଁ ଉତ୍ସାହିତ କରିବା ଲାଗି ସେମାନେ ଯେପରି ଏକ ନିର୍ଦ୍ଦିଷ୍ଟ ଦରରେ ଲାଭାଂଶ ପାଇବେ ତା’ର ବ୍ୟବସ୍ଥା କରାଗଲା। ବିତରଣ ସଂସ୍ଥାଗୁଡ଼ିକର ଗୁରୁଦାୟିତ୍ବ ଦୃଷ୍ଟିରୁ ସେମାନେ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ବିତରଣଜନିତ କ୍ଷତି ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଆଖିଆଗରେ ରଖି ବିଦ୍ୟୁତ୍‌ର ୟୁନିଟ୍‌ ପିଛା ଦରଧାର୍ଯ୍ୟ କରିବା ପାଇଁ ନିୟମ କରାଗଲା। ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନିୟନ୍ତ୍ରଣ ବାହାରେ ରହି ଏକ ନ୍ୟାୟପାଳିକା ତୁଲ୍ୟ ଅନୁଷ୍ଠାନ ଗଢ଼ାଗଲା। ଏହାକୁ ବିଦ୍ୟୁତ୍‌ ନିୟାମକ ଆୟୋଗ ବୋଲି କୁହାଗଲା। ବିଦ୍ୟୁତ୍‌ ନିୟାମକ ଆୟୋଗର ମୁଖ୍ୟ କାର୍ଯ୍ୟ ହେଲା ପ୍ରତିବର୍ଷ ବିଭିନ୍ନ ବର୍ଗର ସମ୍ପୃକ୍ତ ଅନୁଷ୍ଠାନମାନଙ୍କଠାରୁ ତଥ୍ୟ, ପରିସଂଖ୍ୟାନ ଓ ମତାମତ ସଂଗ୍ରହ କରିବ ଏବଂ ପ୍ରତ୍ୟେକଙ୍କ ପାଇଁ ବିଦ୍ୟୁତ୍‌ର ଉଚିତ ମୂଲ୍ୟ ନିର୍ଦ୍ଧାରଣ କରିବ। ଉପଭୋକ୍ତାମାନେ ମଧ୍ୟ ନ୍ୟାୟାଳୟମାନଙ୍କ ଭଳି ନିଜର ମତାମତ ଓ ଅଭିଯୋଗ ଆୟୋଗ ସମ୍ମୁଖରେ ରଖିପାରିବେ। ଗୋଟିଏ ବାକ୍ୟରେ କହିବାକୁ ଗଲେ ନିୟାମକ ଆୟୋଗଟି ଆମ ବିଦ୍ୟୁତ୍‌ କ୍ଷେତ୍ରରେ ସମ୍ପୃକ୍ତ ସବୁ ବର୍ଗର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ସମର୍ପିତ।

ତେବେ ବିଗତ ବର୍ଷମାନଙ୍କରେ ନିୟାମକ ଆୟୋଗ ଯେପରି ଭାବରେ ତା’ର ଦାୟିତ୍ବ ନିର୍ବାହ କରିଛି ତାହା ଆଦୌ ଉତ୍ସାହଜନକ ହୋଇନାହିଁ ବୋଲି କହିଲେ ଅତିଶୟୋକ୍ତି ହେବ ନାହିଁ। ବିଭିନ୍ନ ବର୍ଗର ଉପଭୋକ୍ତାମାନେ କେଉଁ ଦରରେ ବିଦ୍ୟୁତ୍‌ ଶୁଳ୍କ ଦେବେ ତାହା ନିର୍ଦ୍ଧାରଣ କରିବା ପାଇଁ ଆଇନରେ ବିଭିନ୍ନ କୌଶଳ ଓ ପଦ୍ଧତିର ଉଲ୍ଲେଖ କରାଯାଇଛି। ତେବେ ଏଗୁଡ଼ିକ ସାଧାରଣ ଉପଭୋକ୍ତାଙ୍କ ପାଇଁ ବୁଝିବା ବା ବୁଝାଇବା ସହଜ ନୁହେଁ। ସେଥିପାଇଁ ଆୟୋଗର ସଦସ୍ୟମାନଙ୍କ ଉପରେ ସାଧାରଣ ଜନତା ନିର୍ଭରଶୀଳ। ପ୍ରଥମରୁ ଆୟୋଗର ସଦସ୍ୟମାନଙ୍କର ଚୟନ ଏହାକୁ ଦୃଷ୍ଟିରେ ରଖି କରାଯାଉଥିଲା। ତିନିଜଣିଆ ‌ଆୟୋଗ ସାଧାରଣ ପ୍ରଶାସନ, ବିତ୍ତ ଏବଂ ବୈଷୟିକ ଜ୍ଞାନସମ୍ପନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ହୋଇ ଆସୁଥିଲା। ନିକଟ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟର ପରାମର୍ଶକ୍ରମେ ଜଣେ ବିଧିବ୍ୟବସ୍ଥାର ପ୍ରତିନିଧିଙ୍କୁ ରଖାଯାଇଛି। ବର୍ତ୍ତମାନର ଆୟୋଗ ଜଣେ ବରିଷ୍ଠ ପ୍ରଶାସକଙ୍କ ସହ ଅବସରପ୍ରାପ୍ତ ସେନାଧିକାରୀ ଓ ବିଧି ବ୍ୟବସ୍ଥାର ପ୍ରତିନିଧିଙ୍କୁ ନେଇ ଗଠିତ ହେଉଛି। ଅର୍ଥ ଏବଂ ବୈଷୟିକ ଜ୍ଞାନସମ୍ପନ୍ନ କୌଣସି ପ୍ରତିନିଧି ଏଥିରେ ନାହାନ୍ତି। ୟୁନିଟ୍‌ ପିଚ୍ଛା ବିଦ୍ୟୁତ୍‌ ଦର ନିର୍ଦ୍ଧାରଣ କରିବା ପାଇଁ ଆୟୋଗଠାରେ ଯେଉଁ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ଅଛି ତାହାର ଅଭାବ ଅନୁଭୂତ ହେଉଛି। ପରିଣାମସ୍ବରୂପ ମୂଲ୍ୟ ନିର୍ଦ୍ଧାରଣରେ ସ୍ବାଭାବିକ ଭାବରେ ବିଚାର ବିଭ୍ରାଟ ଦେଖାଦେଉଛି।

କେନ୍ଦ୍ର ସରକାର ତିନିଜଣିଆ ଆୟୋଗରେ ଆଉ ଜଣେ ଚତୁର୍ଥ ସଭ୍ୟଙ୍କୁ ଯୋଡ଼ିବା ପାଇଁ ବିଲ୍‌ ଆଣିଛନ୍ତି। ଯେତେଶୀଘ୍ର ଏହାକୁ ଆଇନ୍‌ରେ ପରିଣତ କରି ଅର୍ଥ ଏବଂ ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତିଙ୍କୁ ନିଆଯିବ ସେତେ ଭଲ ହେବ। କେନ୍ଦ୍ରୀୟ ବିଦ୍ୟୁତ୍‌ ଆଇନ୍‌ରେ ଯେଉଁ ସବୁ ନିୟମ ରହିଛି ତାହା ସାଧାରଣ ଲୋକେ ବୁଝିବା ସହଜ ନୁହେଁ। ଆନନ୍ଦର କଥା, ଉପଭୋକ୍ତମାନଙ୍କ ପକ୍ଷରୁ ଆନନ୍ଦ ମହାପାତ୍ର ନାମଧାରୀ ଜଣେ ଶକ୍ତି ବିଶେଷଜ୍ଞ ସମସ୍ୟାକୁ ବୁଝି ବୁଝାଇବା ପାଇଁ ଆଗୁସାର ହୋଇଛନ୍ତି। ସେ ଆୟୋଗ ନିକଟରେ ଉପସ୍ଥାପନ କରିଥିବା ତଥ୍ୟ ଓ ଯୁକ୍ତିକୁ ଅନୁଧ୍ୟାନ କଲେ ନିୟାମକ ଆୟୋଗ ଓଡ଼ିଶାର ଉପଭୋକ୍ତାମାନଙ୍କ ସ୍ବାର୍ଥକୁ ଅଣଦେଖା କରି ଯେ ଅବହେଳା କରୁଛି ତାହାକୁ ଯେ କେହି ବୁଝିପାରିବେ। କିନ୍ତୁ ନିୟାମକ ଆୟୋଗର ଆନନ୍ଦବାବୁଙ୍କ ପ୍ରତି ଆଭିମୁଖ୍ୟ ଆଦୌ ଜନସ୍ବାର୍ଥ ଅନୁକୂଳ ନୁହେଁ। ଏହି ସମ୍ବାଦପତ୍ରର ଏକ ସ୍ତମ୍ଭରେ ‘ବିଦ୍ୟୁତ୍‌ ଦର ବୃଦ୍ଧିରେ ନିୟାମକ ଭୂତାଣୁ’ ଶୀର୍ଷକ ଏକ ପ୍ରବନ୍ଧରେ ସେ କାହିଁକି ଭୂତାଣୁ ଶବ୍ଦ ପ୍ରୟୋଗ କଲେ ବୋଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କରୋନା ମହାମାରୀରେ ଭୂତାଣୁ ଶବ୍ଦଟି ଆମମାନଙ୍କର କେବଳ ଅତି ପରିଚିତ ଶବ୍ଦ ହୋଇନାହିଁ, ମହାମାରୀକୁ ସହଜରେ ବୁଝିବା ପାଇଁ ସହାୟକ ହୋଇଛି।

ଆନନ୍ଦବାବୁଙ୍କର କହିବା କଥା ହେଲା, ନିୟାମକ ଆୟୋଗ ଯେଉଁ ପଦ୍ଧତିରେ ଦର ଧାର୍ଯ୍ୟ କରୁଛି ତାହା ତଥ୍ୟ ଦୃଷ୍ଟିରୁ ଅସମ୍ପୂର୍ଣ୍ଣ ଏବଂ ନିୟମବିରୋଧୀ। ଗୋଟିଏ ଦୁଇଟି ଉଦାହରଣ ଦେଲେ କଥାଟି ସ୍ପଷ୍ଟ ହୋଇଯିବ। ବିଭିନ୍ନ ବର୍ଗର ସମ୍ପୃକ୍ତ ଅନୁଷ୍ଠାନମାନଙ୍କ ପାଇଁ ଉଚିତ ମୂଲ୍ୟ ନିର୍ଦ୍ଧାରଣର ଏକ ଫମୁର୍ଲା ଆଇନରେ ଲିପିବଦ୍ଧ ଅଛି। ତାହା ହେଲା, ସେ ଉତ୍ପାଦନକାରୀ ହେଉ କି ବିତରଣକାରୀ ସମସ୍ତଙ୍କ ପାଇଁ ମୋଟ ଆବଶ୍ୟକ ରାଜସ୍ବ (Aggregate Revenue Requirment)ର ପରିମାଣ ନିର୍ଦ୍ଧାରଣ କରିବାକୁ ହେବ ଏବଂ ଏହି ନିର୍ଦ୍ଧାରିତ ପରିମାଣକୁ ବିଭିନ୍ନ ବର୍ଗର ଗ୍ରାହକ ନିଜ ଦେୟ ମାଧ୍ୟମରେ ଦେବେ। ଏହା ନିଶ୍ଚିତ ଭାବରେ ଏକ ଜଟିଳ ହିସାବ ଯାହା ସମସ୍ତଙ୍କ ପାଇଁ ବୁଝିବା ସମ୍ଭବପର ନୁହେଁ। କିନ୍ତୁ ଦେଖାଯାଉଛି ସମ୍ପୃକ୍ତ କମ୍ପାନିମାନେ ନିଜର ମୋଟ ଆବଶ୍ୟକ ରାଜସ୍ବ ହିସାବ ଠିକ୍‌ ଭାବେ ଦେଉ ନାହାନ୍ତି। ତାଙ୍କର ଖର୍ଚ୍ଚକୁ ଅଯଥା ବଢ଼ାଉଛନ୍ତି। ଉଦାହରଣ ସ୍ବରୂପ ବିତରଣକାରୀ କମ୍ପାନିଗୁଡ଼ିକ ନିଜ ସମ୍ପତ୍ତି ଉପରେ ଯେଉଁ ଡେପ୍ରିସିଏସନ୍‌ ଲାଗୁ କରୁଛନ୍ତି ତାହାର ସଠିକ୍‌ ହିସାବ ଦେଉ ନାହାନ୍ତି।

ଓଡ଼ିଶା ସରକାର ଓ ଜନସାଧାରଣଙ୍କଠାରୁ ପାଇଥିବା ସମ୍ପତ୍ତି ଉପରେ ନିୟମ ଅନୁସାରେ ଡେପ୍ରିସିଏସନ୍‌ ଲାଗୁ ହେବା କଥା ନୁହେଁ। ଏହି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ନିୟମ ଅନୁସାରେ ଶତକଡ଼ା ୫.୪ ଖର୍ଚ୍ଚ କରିପାରିବାର ନିୟମ ଅଛି। ପ୍ରକୃତ ପକ୍ଷେ ୬୫ କୋଟି ଟଙ୍କା ଖର୍ଚ୍ଚ କରି ୪୮୨ କୋଟି ଟଙ୍କାର ହିସାବ ଦେଇଛନ୍ତି। ଏହା ଅଯଥାରେ ଉପଭୋକ୍ତାମାନଙ୍କ ଉପରେ ପଡ଼ୁଥିବା ଦେୟ ଭାର ବଢ଼ାଉଛି। ପୁଣି ସମ୍ପୃକ୍ତ କମ୍ପାନିଗୁଡ଼ିକ ନିଜେ ଦେଉଥିବା ଆୟକରକୁ ମଧ୍ୟ ସେ ଖର୍ଚ୍ଚରେ ସାମିଲ କରି ସମୁଦାୟ ଆବଶ୍ୟକ ରାଜସ୍ବକୁ ଅଯଥା ବଢ଼ାଉଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଲା, ସମୁଦାୟ ପ୍ରକ୍ରିୟାରେ ତିନିଟି ବର୍ଗର ସଂସ୍ଥାଙ୍କୁ ଛାଡ଼ି ଗ୍ରିଡ୍‌କୋ ପରି ଚତୁର୍ଥ ସଂସ୍ଥାର ଭୂମିକା। ବିଦ୍ୟୁତ୍‌ ସଂସ୍କାର ପରେ ଗ୍ରିଡ୍‌କୋର ସେପରି କୌଣସି ଭୂମିକା ନାହିଁ। ଓଡ଼ିଶା ସରକାର ତାଙ୍କ ତରଫରୁ ବଜାରରେ ବିଦ୍ୟୁତ୍‌ କିଣାବିକା କରିବା ପାଇଁ ତାକୁ ରଖିଛନ୍ତି। ଗ୍ରିଡ୍‌କୋ ବାବଦକୁ ସୁଧମୂଳରେ ଯେତିକି ଖର୍ଚ୍ଚ ହେଉଛି ତାହାକୁ ସେ ନିଜର ମୋଟ ଆବଶ୍ୟକ ରାଜସ୍ବ (ARR) କହି ଆୟୋଗ ଆଗରେ ଉପସ୍ଥାପିତ କରୁଛି। ପୁଣି ଗ୍ରିଡ୍‌କୋ ମଧ୍ୟ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କର ବଳକା ବିଦ୍ୟୁତ୍‌କୁ ନିଜେ ବଜାରରେ ବିକୁଛି। ଗ୍ରିଡ୍‌କୋର ଏତାଦୃଶ ଆଚରଣ ପାଇଁ ଗ୍ରାହକମାନଙ୍କ ଉପରେ ପଡ଼ୁଥିବା ବ୍ୟୟଭାର ପ୍ରାୟ ତିନିହଜାର କୋଟି ଟଙ୍କାରୁ ଅଧିକ ବଢ଼ିଯାଉଛି। ଜନସ୍ବାର୍ଥକୁ ଅଣଦେଖା କରୁଥିବା ଆଇନବିରୋଧୀ ଏପ୍ରକାର ଆଚରଣ ଆଦୌ ଗ୍ରହଣୀୟ ନୁହେଁ।

ପଚିଶ ବର୍ଷ ତଳେ ଯେଉଁ ଉଦ୍ଦେଶ୍ୟ ନେଇ ବିଦ୍ୟୁତ୍‌ ସଂସ୍କାର ଆରମ୍ଭ ହୋଇଥିଲା ଆଜି ତାହା କୌଣସି ଦୃଷ୍ଟିରୁ ସାଧିତ ହୋଇଥିଲା ପରି ମନେହେଉ ନାହିଁ। ଆମର ବହୁ ପରେ ଏହି ସଂସ୍କାର ଆରମ୍ଭ କରିଥିବା ଆମ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଆମେ ଅଧିକ ଦେୟ ଦେଉଛେ। ଆମର ବିତରଣଜନିତ କ୍ଷତି ବା ଚୋରି ସେମାନଙ୍କ ତୁଳନାରେ ଉଲ୍ଲେଖନୀୟ ଭାବେ ବେଶୀ। ଏହି ପଚିଶ ବର୍ଷ ମଧ୍ୟରେ ବିଭିନ୍ନ ବିତରଣକାରୀ ସଂସ୍ଥା ଓଡ଼ିଶାକୁ ଆସି ସାଧାରଣ ଲୋକଙ୍କର ମୁଣ୍ଡ ଉପରେ କଳାକନା ବୁଲାଇ ଚାଲିଯାଇଛନ୍ତି। ଆମେ କେବଳ ନିରବଦ୍ରଷ୍ଟା ସାଜିଛୁ। ସରକାର ଏ ସମ୍ପର୍କରେ ଯେତେଶୀଘ୍ର ଚେତିବେ ଓଡ଼ିଶାର ସାମଗ୍ରିକ ବିକାଶ ସେତିକି ଅଧିକ ତ୍ବରାନ୍ବିତ ହେବ।

ସମ୍ବନ୍ଧିତ ଖବର