ନବୀନବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ…

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ପାର୍ବଣର ଋତୁ। ଦୁର୍ଗାପୂଜା ସରିଲାଣି। ଆଗକୁ ଦୀପାବଳି ଆସୁଛି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି। କାଡ଼ବରୀ ଚକୋଲେଟ୍‌ର ଏକ ମନଛୁଆଁ ବିଜ୍ଞାପନ ମନକୁ ଆସୁଛି। ‘କୁଚ୍ଛ୍ ମିଠା ହୋ ଯାୟେ, ମିଠା ଖାନେ କେ ଲିୟେ ବାହାନା ଚାହିଏ।’ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମଧ୍ୟ ଏ ଦୃଷ୍ଟିରୁ ପଛରେ ନାହାନ୍ତି। ୧୦୦ କୋଟିର ଟିକାକରଣ ସଫଳତାକୁ ଏକ ଉତ୍ସବରେ ପରିଣତ କରି ସାରା ଦେଶରେ ପାଳିଛନ୍ତି। ଆମ ନବୀନବାବୁ କିନ୍ତୁ ଏମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଇତିମଧ୍ୟରେ ସେ ୭୫ଟି ବସନ୍ତ ଉପଭୋଗ କରିବାର ଗୌରବ ହାସଲ କରିସାରିଲେଣି। ଜନ୍ମଦିନର ଏ ଅମୃତ ଉତ୍ସବକୁ ଅତ୍ୟନ୍ତ ଅାଡ଼ମ୍ବର ସହକାରେ ପାଳନ କରିବାର ଯଥେଷ୍ଟ କାରଣ ଥିଲେ ମଧ୍ୟ ତାହା ସେ କରିନାହାନ୍ତି। ଓଲଟା ଅନ୍ୟମାନଙ୍କୁ କରିବା ପାଇଁ ବାରଣ କରିଛନ୍ତି। ନବୀନବାବୁଙ୍କର ୭୫ ବ‌‌ର୍ଷର ଜୀବନଯାତ୍ରାକୁ ଲକ୍ଷ୍ୟ କଲେ ଭିନ୍ନଭିନ୍ନ କଥା ମନକୁ ଆ‌ସୁଛି। ତାଙ୍କ ଜୀବନର ପ୍ରଥମ ୫୦ ବର୍ଷ ସେପରି ଉଲ୍ଲେଖନୀୟ ନ ଥିଲା। ଓଡ଼ିଶାବାସୀ ତାଙ୍କୁ ନିକଟରୁ ଜାଣିବା ପାଇଁ ସୁଯୋଗ ମଧ୍ୟ ପାଇ ନ ଥିଲେ। କିନ୍ତୁ ପରବର୍ତ୍ତୀ ୨୫ ବର୍ଷର ଘଟଣାବହୁଳ ଯାତ୍ରା ତାଙ୍କୁ ଅଦ୍ଭୁତ ସଫଳତାର ଅଧିକାରୀ କରାଇପାରିଛି। କାଳଖଣ୍ଡ ଦୃଷ୍ଟିରୁ ବିଚାର କଲେ ଦୀର୍ଘକାଳ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀମାନଙ୍କ ଚିଠାରେ ଚାମ୍‌ଲିଙ୍ଗ୍ ଓ ଜ୍ୟୋତି ବସୁଙ୍କ ପରେ ସେ ଆଜି ତୃତୀୟ ସ୍ଥାନରେ ଅଛନ୍ତି। ଏ ପର୍ଯ୍ୟନ୍ତ ନିର୍ବାଚନ ହାରିନାହାନ୍ତି କି ପରାଜୟର ସ୍ବାଦ ଚାଖିନାହାନ୍ତି। ଆସନ୍ତା ୨୦୨୪ ନିର୍ବାଚନ ପରେ ସେ ଯେ ଭାରତର ସଫଳତମ ରାଜନେତା ଭାବେ ଗଣାହେବେ, ଏ କଥାକୁ ତାଙ୍କର ନିନ୍ଦୁକମାନେ ବି ସ୍ବୀକାର କରିବାକୁ ବାଧ୍ୟ ହେବେ।

ନବୀନବାବୁଙ୍କର ଏପରି ଈର୍ଷଣୀୟ ସଫଳତାର ରହସ୍ୟ କ’ଣ? ଏ ସମ୍ପର୍କରେ ଅନେକ କଥା କୁହାଯାଇଛି ଏବଂ ଆହୁରି ଅନେକ କଥା କୁହାଯିବ ମଧ୍ୟ। କିନ୍ତୁ ଆମ ବିଚାରରେ ଏହାର ଅସଲ କାରଣ ହେଲା ତାଙ୍କର ବ୍ୟକ୍ତିଗତ ଚରିତ୍ରର ନିଆରାପଣ। ସେ ଅନ୍ୟ ନେତାମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। କଥା କମ୍ କାମ ବେଶି, ଭାଷା ଓ ବ୍ୟବହାରରେ ସାମ୍ଭ୍ରାନ୍ତ୍ୟ ଏବଂ ଶାଳୀନତା ତାଙ୍କୁ ଆଜି ଅତ୍ୟନ୍ତ ଲୋକପ୍ରିୟ କରିପାରିଛି। ରାଜନୀତିରେ ପ୍ରବେଶ କରିବାର ପ୍ରାଥମିକ ଅବସ୍ଥାରେ ଭାଷା, ଆଚରଣ ଓ ଜୀବନଶୈଳୀକୁ ନେଇ ତାଙ୍କର କଠୋର ସମାଲୋଚକମାନେ ଯେଉଁସବୁ କଥା କହି ତାଙ୍କୁ ‌େଛାଟ କରି ଦେଖୁଥିଲେ ସେଗୁଡ଼ିକୁ କ୍ଷମାଶୀଳ ଓଡ଼ିଶାବାସୀ କେବଳ ଅଗ୍ରାହ୍ୟ କରିଦେଇନାହାନ୍ତି, ନବୀନବାବୁଙ୍କୁ ଈଶ୍ବରଙ୍କର ଭିନ୍ନ ଏକ ଦୂତ ଭାବେ ଆଶୀର୍ବାଦ ସଦୃଶ ଗ୍ରହଣ କରିନେଇ ଅତ୍ୟନ୍ତ ଭଲପାଇ ବସିଛନ୍ତି। ନବୀନବାବୁଙ୍କ ଶାସନର ଗ୍ରହଣୀୟତା ଓ ସଫଳତା ପଛରେ ଆହୁରି ଅନେକଗୁଡ଼ିଏ କାରଣ ରହିଛି। ‘ସ୍ବଚ୍ଛତା ଏବଂ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ ମୂଳରୁ ତାଙ୍କ ଶାସନର ମୂଳମନ୍ତ୍ର ଥିଲା। ଅତୀତରେ ଅନାହାର ମୃତ୍ୟୁ ଓଡ଼ିଶା ପାଇଁ ଏକ କଳଙ୍କ ଥିଲା। ଆମେ ଆଜି ଏ କଳଙ୍କରୁ ସମ୍ପୂର୍ଣ୍ଣ ମୁକ୍ତ। କ୍ଷୁଧାମୁକ୍ତି ସଂଗ୍ରାମରେ ବିଜୟ ଲାଭ କଲାପରେ ବିକାଶର ଦ୍ବିତୀୟ ପର୍ବରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସେ ଓଡ଼ିଶାବାସୀଙ୍କର ହୃଦୟ ଓ ମନକୁ ଜିଣି ପାରିଛନ୍ତି। କ୍ଷୁଧାମୁକ୍ତି ପରେ ଶିକ୍ଷା ଏବଂ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ‘ସ୍ମାର୍ଟ ସ୍କୁଲ’ ଓ ‘ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ’ ଆଦି ଯୁଗାନ୍ତକାରୀ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ‘ମୋ ପରିବାର’ ଓ ‘ମୋ ସରକାର’ ନବୀନବାବୁଙ୍କର ଅନ୍ୟ ଦୁଇଟି ଅଭିନବ ପରିକଳ୍ପନା। ସାଢ଼େ ଚାରିକୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଶୀକ୍ଷେତ୍ର ଓ ମନ୍ଦିର ସଂସ୍କାର ସହିତ ଅନ୍ୟ ଧର୍ମାନୁଷ୍ଠାନମାନଙ୍କର ସଂସ୍କାର କାର୍ଯ୍ୟକ୍ରମରେ ସରକାର ମନୋନିବେଶ କରିଥିବାରୁ ଦଳମତ ନିର୍ବିଶେଷରେ ନବୀନବାବୁ ପ୍ରଶଂସାର ପାତ୍ର ହୋଇଛନ୍ତି। ‘ମୋ ସରକାର’ ଓ ‘ମୋ ପରିବାର’ ନବୀନବାବୁଙ୍କର ଭାବମୂର୍ତ୍ତି ନିର୍ମାଣ କରିବାରରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବ୍ୟକ୍ତିଗତ ଭାବେ ନିଜର କୌଣସି ପରିବାର ନଥିବାରୁ ସାରା ଓଡ଼ିଶା ତାଙ୍କର ପରିବାର ବୋଲି କହିବା ଏବଂ ସେ ସମସ୍ତଙ୍କ ପାଇଁ ସମାନ ପରିମାଣରେ ଚିନ୍ତା କରୁଛନ୍ତି ବୋଲି ବୁଝାଇ ଦେବା ସହଜ ହେଉଛି।

ନବୀନବାବୁଙ୍କୁ ଭଲ ପାଉଥିବା ଓଡ଼ିଶାବାସୀ କେବେ ଚାହାନ୍ତି ନାହିଁ ଯେ ସେ ବଦଳିଯାଆନ୍ତୁ। ତାଙ୍କ ଶାସନର ପ୍ରଥମ ଦଶ ବର୍ଷରେ ଯେଉଁ କଥାଗୁଡ଼ିକ ପାଇଁ ସେ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ ହୋଇ ଓଡ଼ିଶାବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ, ପରବର୍ତ୍ତୀ ଦଶ ବର୍ଷରେ ସେ ଜୁଆରରେ ଏବେ ଭଟ୍ଟା ପଡ଼ିଥିଲା ପରି ଲାଗୁଛି। ମନେହେଉଛି ନବୀନବାବୁଙ୍କର ସବୁ କାର୍ଯ୍ୟକ୍ରମ ଗୋଟିଏ ମାତ୍ର ଲକ୍ଷ୍ୟ ସାଧନ କରିବା ଲାଗି ଉଦ୍ଦିଷ୍ଟ …. ଆଗାମୀ ନିର୍ବାଚନରେ କିପରି ଅଧିକ ଭୋଟ୍ ପାଇ ଜିତିବା। ଏହି ଲକ୍ଷ୍ୟ ସାଧନ କରିବା ପାଇଁ ଯାହା କରିବାକୁ ପଡ଼ୁଛି ତାହା କରଣୀୟ ଏବଂ ବରଣୀୟ। ଏହା ଫଳରେ ନବୀନବାବୁଙ୍କ ଶାସନର ସଫଳତାର ମୂଳମନ୍ତ୍ର ‘ସ୍ବଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ କେତେ ପରିମାଣରେ ସଙ୍କୁଚିତ ହେଉଛି ତାହା ଧୀରେଧୀରେ ସାଧାରଣ ଜନତା ଅନୁଭବ କରିବାକୁ ଆରମ୍ଭ କଲେଣି। ଅବଶ୍ୟ ଗୋଟିଏ ରାଜନୈତିକ ଦଳ ଜନସାଧାରଣଙ୍କ ପାଇଁ କିଛି କରିବାକୁ ହେଲେ ତାକୁ କ୍ଷମତାକୁ ଆସିବାକୁ ପଡ଼ିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଖେଳର ନିର୍ବାଚନରେ ନ ଜିତିଲେ କ୍ଷମତା ମିଳିବ ନାହିଁ। ମନୋଲୋଭା ଯୋଜନା କଥା ନ କହିଲେ ଜନସମର୍ଥନ ଜୁଟାଇ ହେବ ନାହିଁ। ନବୀନବାବୁଙ୍କର ସଫଳତା ପାଇଁ ଏପରି କୌଶଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କିନ୍ତୁ ଭୁଲିଗଲେ ଚଳିବ ନାହିଁ ଯେ ରାଜନୈତିକ ବିକଳ୍ପର ଅଭାବ ମଧ୍ୟ ତାଙ୍କ ସହଜ ସଫଳତାର ଅନ୍ୟତମ କାରଣ ହୋଇଛି। ବାରମ୍ବାର ମିଳୁଥିବା ସହଜ ସଫଳତା ଆଜି ଅହଙ୍କାରର ରୂପ ନେଇଛି ଏବଂ ଏହି ଅହଙ୍କାର ‘ସ୍ବଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ର ସଂକୋଚନର ମୂଳ କାରଣ ହୋଇଛି। ଉଦାହରଣ ସ୍ବରୂପ ସ୍ବଚ୍ଛତା କଥା ବିଚାର କରାଯାଉ। ନିର୍ବାଚନସର୍ବସ୍ବ ରାଜନୀତିରେ ସ୍ବଚ୍ଛତା କଥା କହିବା ‘ଲଙ୍କାରେ ହରିଶବ୍ଦ’ ପରି ହେବ। ପ୍ରତି ନିର୍ବାଚନ ଅଧିକରୁ ଅଧିକ ବ୍ୟୟବହୁଳ ହେଉଛି। ଏକଦା ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ଓ ଡାହାଣ ହାତ ସାଜିଥିବା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି। ଆଜି ନିର୍ବାଚିତ ବିଧାୟକମାନଙ୍କ ଭିତରୁ କେତେଜଣ ଛାତିରେ ହାତଦେଇ କହିପାରିବେ ଯେ ସେମାନେ ଆୟ ବହିର୍ଭୂତ ସମ୍ପତ୍ତିର ଅଧିକାରୀ ନୁହନ୍ତି! ଏହାଦ୍ବାରା ଶାସନର ମର୍ଯ୍ୟାଦା ବଢୁଛି ନା ଛିଡୁଛି? ‘ଭୟ କମ୍ ଶ୍ରଦ୍ଧା ବେଶି’, ସୁଶାସନର ଅନ୍ୟ ଏକ ମୂଳମନ୍ତ୍ର ହେବା ଉଚିତ।

ଏଠି ଓଲଟା ହେଉଥିଲା ପରି ମନେହେଉଛି। ବିଧାୟକମାନଙ୍କର ଦେଖାଦେଖି ପଞ୍ଚାୟତ ବ୍ୟବସ୍ଥା‌େର ସରପଞ୍ଚମାନେ ମଧ୍ୟ ଅନୁରୂପ ଭାବେ ନିର୍ବାଚନ ଜିତିବା ଏକମାତ୍ର ଲକ୍ଷ୍ୟ ବୋଲି ଧରିନେଇଛନ୍ତି। ନିର୍ବାଚନ ଜିତିବା ପାଇଁ ପ୍ରତିଥର ଅଧିକରୁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିବାରୁ ସମସ୍ତେ ଅର୍ଥ ଯୋଗାଡ଼ କରିବାରେ ବ୍ୟସ୍ତ। ତେବେ ଏତେ ଅର୍ଥ ଆସିବ କୁଆଡୁ? ସ୍ବଚ୍ଛତା କମିବା ଓ ଦୁର୍ନୀତି ବଢ଼ିବା ଛଡ଼ା ଅନ୍ୟ ବାଟ ନାହିଁ। ଦୁର୍ନୀତିଠାରୁ ଦୂରେଇ ରହିବାକୁ ଚାହୁଥିବା ହାତଗଣତି ରାଜନେତାମାନଙ୍କୁ ଅଯୋଗ୍ୟ ବା ପାଗଳ ବୋଲି କହିବାକୁ କେହି ସଂକୋଚ କରୁନାହାନ୍ତି। ସେହିପରି ନବୀନ ବାବୁଙ୍କର ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ସହାୟକ ହୋଇଥିବା ଯୁଗାନ୍ତକାରୀ ଯୋଜନାଗୁଡ଼ିକ କେତେ ସଫଳ ହେବ ତାହା ପରବର୍ତ୍ତୀ ସମୟ କହିବ। ପ୍ରଶିକ୍ଷିତ ଶିକ୍ଷକମାନଙ୍କ ସଂଖ୍ୟା ନ ବଢ଼େଇ କେବଳ କୋଠାବାଡ଼ିକୁ ଚକ୍‌ଚକ୍‌ କରିଦେଲେ ବା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସମୃଦ୍ଧ ନକରି ‘ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ’ ଆବଣ୍ଟନ କରିଦେଲେ ଓଡ଼ିଆ ଯୁବକମାନଙ୍କ ପାଇଁ ଦେଖା ଯାଇଥିବା ସ୍ବପ୍ନ ସାକାର ହୋଇପାରିବ ନାହିଁ। ଠିକ୍ ସେହିପରି ‘ମୋ ସରକାର ଯୋଜନା’ ବ୍ରିଟିଶ୍ ସାମ୍ରାଜ୍ୟବାଦର ପୁଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଥିଲା। ପୋଲିସ ସମାଜର ସବୁ ସ୍ତରର ଲୋକଙ୍କ ସେବା ଓ ସୁରକ୍ଷା ପାଇଁ ସମର୍ପିତ। ଥାନାକୁ ଗଲେ ସମସ୍ତେ ନ୍ୟାୟ ଓ ସମ୍ମାନ ପାଇବେ, ଏଭଳି ଗୋଟିଏ ବାର୍ତ୍ତା ଦେଉଥିଲା। ତେବେ ବିଗତ ଦିନମାନଙ୍କରେ ଓଡ଼ିଶା ପୁଲିସ ସମ୍ପର୍କରେ ସମର୍ଥନ କରି ଯୁକ୍ତି ବାଢ଼ିଲା ପରି କୌଣସି ଘଟଣା ଘଟିନାହିଁ। ପ୍ରଭାବଶାଳୀ ଓ କ୍ଷମତାସୀନ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଅଧିକ ତତ୍ପର ଥିଲା ପରି ମନେହେଉଛି।

ନବୀନ ପଟ୍ଟନାୟକଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଭଳି ଦେଖିବା ଅଭ୍ୟାସ ଓଡ଼ିଶାବାସୀ ଏପର୍ଯ୍ୟନ୍ତ ଛାଡ଼ିନାହାନ୍ତି। ତେଣୁ ସରକାର ଏଭଳି କିଛି କାର୍ଯ୍ୟ ନ କରନ୍ତୁ ଯାହା ଏ ଧାରଣାକୁ ବଦଳେଇ ଦେବ। ବରଂ ଏଭଳି କିଛି କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ, ଯାହା ତାଙ୍କୁ ଇତିହାସରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ରଖିବ। ‘ମୋଦୀ ହୈ ତୋ ମୁମ୍‌କିନ୍ ହୈ’ ବୋଲି ଯାହା କୁହାଯାଉଛି, ତାହା କିନ୍ତୁ ନବୀନବାବୁଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ। ଓଡ଼ିଶାବାସୀଙ୍କ ମନରେ ଏକ ଧାରଣା ରହିଛି ଯେ ନବୀନ ଥିଲେ ଆମର ସବୁ କିଛି ଅଛି। ବହୁତ କମ୍ ରାଜନେତାଙ୍କ ଭାଗ୍ୟରେ ଏଭଳି ଭଲ ପାଇବାର ସୁଯୋଗ ଜୁଟେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିରଂକୁଶ ସଂଖ୍ୟାଗରିଷ୍ଠତା ଅନେକଗୁଡ଼ିଏ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ସାହସ ଓ ସୁ‌ଯୋଗ ଦେଇଥାଏ। ଏହାକୁ ହାତଛଡ଼ା କଲେ ପରବର୍ତ୍ତୀ ସମୟରେ ଅନୁଶୋଚନା କରିବା ଛଡ଼ା ଅନ୍ୟ କିଛି କରିହୁଏ ନାହିଁ। ବାରମ୍ବାର କ୍ଷମତାକୁ ଆସିଲେ ଚାମ୍‌ଲିଙ୍ଗ୍ ଓ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବ ସିନା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବା ପାଇଁ ଯଥେଷ୍ଟ ହେବ ନାହିଁ। ଚାମ୍‌ଲିଙ୍ଗ୍ ଓ ଜ୍ୟୋତି ବସୁଙ୍କୁ ବର୍ତ୍ତମାନ କେତେଜଣ ମନେପକଉଛନ୍ତି? କିନ୍ତୁ ନବୀନବାବୁ ଯଦି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ତାଙ୍କର ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ବିଚାର କରନ୍ତେ, ତା’ହେଲେ ଇତିହାସରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିପାରନ୍ତେ। ଅହିଂସାକୁ ସମ୍ବିଧାନର ପ୍ରସ୍ତାବନାରେ ସାମିଲ୍ କରିବା ପାଇଁ ଏବଂ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନବୀନବାବୁଙ୍କ ପ୍ରସ୍ତାବ ଏବେ ପ୍ରସ୍ତାବରେ ହିଁ ରହିଯାଇଛି। ଆମେ ସିନା ସମ୍ବିଧାନରେ ପରିବର୍ତ୍ତନ ଆଣିପାରିବା ନାହିଁ କିନ୍ତୁ ଆମ ନିଜ ବ୍ୟବସ୍ଥା ଓ ଆଚରଣରେ ପରିବର୍ତ୍ତନ ଆଣି ସାରା ଦେଶକୁ ଦେଖେଇଦେଇପାରିବା ଯେ ନବୀନବାବୁ ଯାହା କହନ୍ତି ତାହା କରିପାରନ୍ତି। ନବୀନବାବୁଙ୍କର ଲୋକପ୍ରିୟତା, ନିରଙ୍କୁଶ ସଂଖ୍ୟାଗରିଷ୍ଠତା, ବିଜୁ ଜନତା ଦଳର ବିକଳ୍ପହୀନତା ଆଜି ଅନେକ ଭଲ କାମ ପାଇଁ ତ୍ରିବେଣୀ ସଂଗମ ପରି କାମ କରିବ। ସମ୍ବିଧାନରେ ସଂଶୋଧନ ନ ହେଲା ନାହିଁ, ବିଜୁ ଜନତା ଦଳ ଯଦି ଆସନ୍ତା ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇ ଜିତେଇ ଆଣିପାରନ୍ତେ, ନବୀନବାବୁ ଅସମ୍ଭବକୁ ସମ୍ଭବ କରିପାରିଲେ ବୋଲି ପ୍ରମାଣିତ ହେବ। ଏହି ମହିଳାମାନଙ୍କର ଅାବେଗକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଯଦି ନିଶାମୁକ୍ତ କରାଇପାରିବେ, ପ୍ରତିଦିନ ବଢ଼ି ଚାଲିଥିବା ଅପରାଧ ସାମ୍ରାଜ୍ୟକୁ ସଂକୁଚିତ କରାଯାଇପାରିବ। ମହିଳାମାନେ ଅଧିକ ସୁରକ୍ଷିତ ହେବେ ଏବଂ ପାରିବାରିକ ହିଂସା ଅନେକ ପରିମାଣରେ କମିଯିବ।

ଜଗନ୍ନାଥଙ୍କୁ ଲକ୍ଷ୍ୟରେ ରଖି ସବୁ ନୀତି ଓ ନିଷ୍ପତ୍ତି ନେଉଥିବା ବ୍ୟବସ୍ଥା ସୀମିତ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଜାତି ଓ ଧର୍ମକୁ ବ୍ୟବହାର ନକରୁ। ସାରା ବିଶ୍ବକୁ ଜଗନ୍ନାଥଙ୍କର କଥା ମହୌଷଧି ଭାବେ ବାଣ୍ଟିବା ପାଇଁ ସଂକଳ୍ପ ନେଉଥିବା ଗରିବ ଓଡ଼ିଶାବାସୀ ଏସବୁକୁ ନେଇ କେବେ ଭାଗଭାଗ ହେବାକୁ ଚାହିବେ ନାହିଁ। ବିଜୁ ଜନତା ଦଳ ଏହାକୁ ଚରିତାର୍ଥ କରି ପ୍ରମାଣ ଦେଉ ଯେ ନବୀନବାବୁ ପ୍ରକୃତରେ ବଦଳି ନାହାନ୍ତି। ଶାସନର ପ୍ରାରମ୍ଭରେ ଯେଉଁ ମୂଲ୍ୟବୋଧକୁ ନେଇ ସେ ଓଡ଼ିଶାର ଅତି ଆପଣାର ହେଉଥିଲେ, ଆଜି ମଧ୍ୟ ସେହି ମୂଲ୍ୟବୋଧ ପାଇଁ ସମର୍ପିତ ଅଛନ୍ତି।

ନବୀନ ବାବୁଙ୍କ ସମ୍ପର୍କରେ ଏଭଳି ଏକ ଭିନ୍ନ କଥା କାହିଁକି ମନକୁ ଆସୁଛି, ଏବଂ ବିଳମ୍ବରେ ହେଲେ ମଧ୍ୟ ତାଙ୍କର ଜନ୍ମଦିନର ‘ଅମୃତ ମହୋତ୍ସବ’ ଅବସରରେ ଈଶ୍ବରଙ୍କ ନିକଟରେ ତାଙ୍କ ପାଇଁ ଏପରି ଏକ ପ୍ରାର୍ଥନା କରିବାକୁ କାହିଁକି ମନ କହୁଛି? ଗତ କିଛିଦିନ ତଳେ ସିନେମା ଜଗତର ମହାନାୟକ ଅମିତାଭ ବଚ୍ଚନ ୭୯ ବର୍ଷରେ ପଦାର୍ପଣ କଲେ। ତାଙ୍କର ଜନ୍ମଦିନ ପାଳନ ଅବସରରେ ସେ ଟିଭି ପରଦାରେ କରୁଥିବା ପାନ୍ ମସଲା ବିଜ୍ଞାପନରୁ ଓହରିଯାଉଥିବାର ନିଷ୍ପତ୍ତି ଘୋଷଣା କଲେ। ତାଙ୍କ ପ୍ରତି ଅଗଣିତ ପ୍ରିୟଜନଙ୍କର ଶୁଭେଚ୍ଛାର ସୁଅ ଛୁଟିଲା। ଅନେକ ଶୁଭେଚ୍ଛା ବାର୍ତ୍ତାମାନଙ୍କ ମଧ୍ୟରୁ ସଂଳାପ ଲେଖକ ସଲିମ୍‌ଙ୍କର ଗୋଟିଏ ବାର୍ତ୍ତା ମୋତେ ଗଭୀର ଭାବେ ପ୍ରଭାବିତ କଲା। ସେ ଅମିତାଭଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଅନ୍ୟମାନଙ୍କ ପାଇଁ ବହୁତ କଲ, ଏବେ ନିଜ ପାଇଁ ବଞ୍ଚ। ଏଇ ବାର୍ତ୍ତାଟି ବିଷୟରେ ଅଧିକ ଚିନ୍ତା କଲା ବେଳକୁ ନବୀନ ବାବୁଙ୍କ କଥା ମନକୁ ଆସିଲା।

ସମ୍ବନ୍ଧିତ ଖବର