ଦୀର୍ଘଦିନର ବ୍ୟବଧାନ ପରେ ଏହି ସ୍ତମ୍ଭକୁ ଫେରୁଛି। ବିଗତ ଦିନମାନଙ୍କରେ ଅନେକ ପାଠକ ବନ୍ଧୁ ଏହି ସ୍ତମ୍ଭକୁ ନିୟମିତ କରିବା ପାଇଁ ଅନୁରୋଧ କରି ଟେଲିଫୋନ୍ କରିଛନ୍ତି ଏବଂ ଚିଠି ମଧ୍ୟ ଲେଖିଛନ୍ତି। ସେମାନଙ୍କର ଏହି ସମର୍ଥନ ଓ ସଦିଚ୍ଛା ପାଇଁ ଯେତେ କୃତଜ୍ଞତା ପ୍ରକାଶ କଲେ ବି କମ୍ ହେବ।
ଏହି ସ୍ତମ୍ଭ ପାଇଁ ବିଷୟବସ୍ତୁ ନିର୍ବାଚନ କଲାବେଳେ ଅନେକ କଥା ମନକୁ ଆସେ। ଆଜି କିନ୍ତୁ ଭିନ୍ନ ଏକ ମନର କଥାକୁ ନେଇ ଏକ ନିବେଦନ କରୁଛି। ବିଗତ ଦିନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ବାଦ ପରିବାର ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟପାଳ ମହୋଦୟଙ୍କର ବକ୍ତବ୍ୟ ସବୁବେଳେ ଭିନ୍ନ ସ୍ବାଦର ହୋଇଥାଏ। ଜଗତର ନାଥ ଜଗନ୍ନାଥଙ୍କ ପରମ ଭକ୍ତ ହୋଇ ଅଳ୍ପଦିନ ମଧ୍ୟରେ ସେ ଓଡ଼ିଶାକୁ ଏବଂ ଓଡ଼ିଶାବାସୀଙ୍କୁ ଯେପରି ଚିହ୍ନି ପାରି ନିଜର କରି ପାରିଛନ୍ତି ତାହା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ତାଙ୍କପରି ଲୋକପ୍ରିୟ ରାଜ୍ୟପାଳଙ୍କୁ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ସେଦିନ ସେ ତାଙ୍କ ଭାଷଣ ପ୍ରସଙ୍ଗରେ ତାଙ୍କର ଗୋଟିଏ ମନର କଥା ପ୍ରକାଶ କରିଥିଲେ। ଆମ ପିଲାମାନେ ଜନ୍ମମାଟି ସମ୍ପର୍କରେ କ’ଣ ଜାଣିଛନ୍ତି ଏବଂ କ’ଣ ଚିନ୍ତା କରୁଛନ୍ତି ତାହା ଆମେ ମୁରବିମାନେ ଜାଣିବା ଦରକାର। ସେମାନଙ୍କୁ ଅଧିକ ମାଟିମନସ୍କ କରିବା ପାଇଁ ଆମ ତରଫରୁ ଉଦ୍ୟମ ହେବା ଆବଶ୍ୟକ। କହୁକହୁ ସେ ଏକ କାର୍ଯ୍ୟକ୍ରମର ମଧ୍ୟ ପ୍ରସ୍ତାବ ରଖିଲେ। ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାଟିମନସ୍କତାକୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବାକୁ କେବଳ ପରାମର୍ଶ ଦେଲେ ନାହିଁ; ସମ୍ବାଦ ପରିବାର ଏହି କାର୍ଯ୍ୟକ୍ରମକୁ କରିପାରିବ ବୋଲି ଆସ୍ଥା ପ୍ରକଟ କଲେ। ଏହି କାର୍ଯ୍ୟକ୍ରମ ହାତକୁ ନେଲେ ତାଙ୍କ ତରଫରୁ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଆମ ଉପରେ ରାଜ୍ୟପାଳ ମହୋଦୟ ଭରସା କରିଥିବାରୁ ଆମେ କୃତଜ୍ଞ।
ରାଜ୍ୟପାଳ ମହୋଦୟଙ୍କର ମନର କଥାକୁ ନେଇ ଆଜିର ଏହି ନିବେଦନ। ତାଙ୍କର ପରାମର୍ଶ କ୍ରମେ ‘ସ୍ବାଧୀନତାର ଅମୃତ ମହୋତ୍ସବ’କୁ ଆମେ ଭିନ୍ନ ଏକ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆସନ୍ତା ରବିବାର ସେେପ୍ଟମ୍ବର ୧୧ ତାରିଖରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସାରା ଓଡ଼ିଶାରେ ପ୍ରତ୍ୟେକ ବ୍ଲକ୍ ଏବଂ ପୌରାଞ୍ଚଳରେ ୬୦୦ରୁ ଊର୍ଦ୍ଧ୍ବ କେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗ ଦେଇପାରିବେ। ପ୍ରତିଯୋଗୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ଲେଖିପାରିବେ। ରାଜ୍ୟସ୍ତରରେ ପ୍ରତି ଭାଷା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଥମ ତିନିଜଣଙ୍କୁ ଦିଆଯିବ। ଏହାଛଡ଼ା ଜିଲ୍ଲାସ୍ତରରେ ୨୧୦ ଜଣଙ୍କୁ ପୁରସ୍କୃତ କରିବାର ଯୋଜନା ରହିଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ମୁଁ ସମସ୍ତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛି। ହାଇସ୍କୁଲର ଶିକ୍ଷକ ବନ୍ଧୁ ଏବଂ ଅଭିଭାବକମାନଙ୍କୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ନିବେଦନ କରୁଛି। ଏହାଦ୍ବାରା ରାଜ୍ୟପାଳ ମହୋଦୟଙ୍କର ଆମ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଆମେ ଉଚିତ ଉତ୍ତର ଦେଇପାରିବା। ଏଥିପାଇଁ ‘ସମ୍ବାଦ’, ‘ସମାଜ’, ‘Times of India’ ଓ ‘Indian Express’ରେ ପ୍ରକାଶିତ ବିଜ୍ଞାପନରୁ ସୂଚନା ସଂଗ୍ରହ କରି ସବୁ ଛାତ୍ରଛାତ୍ରୀ azadi.sambad.inରେ ନିଜକୁ ପଞ୍ଜୀକୃତ କରିବା ପାଇଁ ଅନୁରୋଧ କରୁଛି। ଅଧିକ ସୂଚନା ପାଇଁ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧିମାନଙ୍କୁ ଯୋଗାଯୋଗ କଲେ ସେମାନେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ।