ଦୀର୍ଘଦିନର ବ୍ୟବଧାନରେ ଏହି ସ୍ତମ୍ଭକୁ ଫେରିବା ପାଇଁ ଚିନ୍ତା କଲାବେଳେ ପ୍ରସଙ୍ଗ ନିର୍ବାଚନର ସମସ୍ୟାକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହାକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସହଜରେ ସମାଧାନ କରିଦେଲେ। ସେ ଗତ ସପ୍ତାହରେ ଅନେକଗୁଡ଼ିଏ ଅଡ଼ୁଆ ପ୍ରଶ୍ନ ପଚାରି ଓଡ଼ିଶାର ରାଜନୈତିକ ବାତାବରଣକୁ ସରଗରମ ମଧ୍ୟ କରି ଦେଇଛନ୍ତି। ତାଙ୍କ ପ୍ରଶ୍ନର ପ୍ରତିକ୍ରିୟାରେ ବିଭିନ୍ନ ଦଳ ଓ ବର୍ଗରୁ ଯେଉଁ ମତମନ୍ତବ୍ୟ ପ୍ରକାଶ ପାଇଛି ତାହା ଆମକୁ ଅଧିକ ଆନ୍ଦୋଳିତ କରୁଛି।

Advertisment

ଅପରାଜିତା କିନ୍ତୁ ଗୋଟିଏ ଦୃଷ୍ଟିରୁ ଆମ ସମସ୍ତଙ୍କର ଅଭିନନ୍ଦନର ପାତ୍ର। ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଶ୍ନ ପଚାରିବାର ଅଧିକାର ସବୁଠାରୁ ମୂଲ୍ୟବାନ ଅଧିକାର। ଏଥିପ୍ରତି ଅପରାଜିତା ଆମ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଅପରାଜିତାଙ୍କ ପ୍ରଶ୍ନ କାହା ପାଇଁ ଏବଂ କାହାଠାରୁ ସେ ଉତ୍ତର ଆଶା କରୁଛନ୍ତି? କେଜାଣି କାହିଁକି ପ୍ରଶ୍ନ ପଚାରି ଉତ୍ତରଦାୟିତ୍ବ ଆଦାୟ କରିବାକୁ ଆଉ କେହି ଚାହୁ ନଥିବା ପରି ମନେହେଉଛି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନାହିଁ। ଗତ ସପ୍ତାହ‌େର ଆମେରିକା ଗସ୍ତ କାଳରେ ପରମ୍ପରାର ଚାପ ଓ ବାଧ୍ୟବାଧକତାରେ ସେ ମାତ୍ର ଦୁଇଟି ପ୍ରଶ୍ନର ସାମ୍ନା କରିଥିଲେ ମଧ୍ୟ ୯ ବର୍ଷର ଶାସନକାଳରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରି ନାହାନ୍ତି। ସାରା ଦେଶ ଆଜି ଆଦାନି ସହିତ ତାଙ୍କର ସମ୍ପର୍କ କ’ଣ, ଜାଣିବାକୁ ଚାହୁଛି ତ! ମହିଳା ପହିଲମାନମାନଙ୍କର ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ। ପୁଣି ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନିରବ କାହିଁକି? ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ଭାବରେ କୌଣସି ପ୍ରଶ୍ନର ସାମ୍ନା କରିଥିବାର ନଜିର୍‌ ନାହିଁ। ବିଧାନସଭା‌େର ପ୍ରଶ୍ନକାଳ କିପରି ବାତିଲ୍‌ ହେବ ସେଥିପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବ୍ୟସ୍ତ ଥିବା ପରି ମନେ ହୁଅନ୍ତି। ଏଭଳି ଏକ ପରିସ୍ଥିତିରେ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କଠାରୁ କେଉଁ ପସନ୍ଦରେ ଉତ୍ତର ଆଶା କରୁଛନ୍ତି?

ଅପରାଜିତା ମୁଖ୍ୟତଃ ତିନିଟି ମୌଳିକ ପ୍ରଶ୍ନ ପଚାରିଛନ୍ତି। ପ୍ରଥମଟିକୁ ଆମେ ବହୁ ପୂର୍ବରୁ ଏହି ସ୍ତମ୍ଭରେ ଆଲୋଚନା କରିଥିଲୁ। ପ୍ରଶ୍ନ କରିଥିଲୁ, ମନ୍ତ୍ରୀ ବଡ଼ ନା ସଚିବ ବଡ଼? ଆମ ଶାସନ ବ୍ୟବସ୍ଥା‌େର ଆମ ଅଜାଣତରେ ଘଟି ଯାଉଥିବା ରୂପାନ୍ତରୀକରଣ ପ୍ରକ୍ରିୟାକୁ ଉଲ୍ଲେଖ କରି ଆମେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲୁ। ରାଜତନ୍ତ୍ର କିପରି ଗଣତନ୍ତ୍ରରେ ରୂପାନ୍ତରିତ ହେଲା ଏବଂ ପରେ ପରେ ନିର୍ବାଚନ ବ୍ୟବସ୍ଥା ଓ ଅର୍ଥସର୍ବସ୍ବ ରାଜନୀତି ଦଳମାନଙ୍କୁ ନୂଆ ରାଜା କରି ଦଳତନ୍ତ୍ରର ସ୍ଥାପନା କଲା ଏବଂ ଶେଷରେ ଅମଲାତନ୍ତ୍ରର ପ୍ରଭାବ କ୍ଷେତ୍ର ବିସ୍ତାରିତ ହୋଇ ସମସ୍ତ କ୍ଷମତାକୁ କେନ୍ଦ୍ରୀଭୂତ କଲା, ଏ ସବୁର ବିସ୍ତୃତ ଆଲୋଚନା ହୋଇଥିଲା। ସେତେବେଳେ ଏ ସମ୍ପର୍କରେ କେହି ସେପରି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ମନେହେଉଥିଲା, ପ୍ରାୟ ସମସ୍ତେ ଏହାକୁ ଗ୍ରହଣ କରି ନେଉଛନ୍ତି। ଏବେ ଅପରାଜିତାଙ୍କ ପ୍ରଶ୍ନ ପରେ ଏତେ ହଟଚମଟ କାହିଁକି? ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବଙ୍କୁ ଲକ୍ଷ୍ୟ କରି ସେ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ଅଣଓଡ଼ିଆ ଅଫିସର୍‌ମାନେ ତୃତୀୟ ମହଲାକୁ କବ୍‌ଜା କରି ସବୁ ନିଷ୍ପତ୍ତି ନେବା ସଙ୍ଗେସଙ୍ଗେ ବିକାଶର ସବୁ ଅର୍ଥକରୀ କାର୍ଯ୍ୟକ୍ରମଗୁଡ଼ିକରୁ ଓଡ଼ିଆ ଉଦ୍ୟୋଗୀଙ୍କୁ ବଞ୍ଚିତ କରି ଅଣଓଡ଼ିଆଙ୍କ ହାତରେ ଟେକି ଦେଇଛନ୍ତି। ଏହା ଏକ ଗୁରୁତର ଅଭିଯୋଗ ଏବଂ ଅନୁରୂପ ଅନୁସନ୍ଧାନର ଅପେକ୍ଷା ରଖେ। କିନ୍ତୁ ଏଥିରେ ପାଣ୍ଡିଆନ ସାହେବଙ୍କର ଦୋଷ ରହିଲା କେଉଁଠି? କ୍ଷମତା ଉପଭୋଗ କରିବାକୁ କାହାକୁ ଭଲ ନ ଲାଗେ? ମୁଖ୍ୟମନ୍ତ୍ରୀ ଯଦି ତାଙ୍କର ଅଧସ୍ତନ ସହଯୋଗୀଙ୍କୁ ନିର୍ଦ୍ଦେଶ ଦେବେ ତାକୁ ସେ ଅମାନ୍ୟ କରିବେ କିପରି ବା କାହିଁକି?

ଓଡ଼ିଆ-ଅଣଓଡ଼ିଆ କଥା‌ରୁ ଆଉ ଗୋଟିଏ ରୋଚକ କଥା ମନକୁ ଆସୁଛି। ଅପରାଜିତା ଓ ପାଣ୍ଡିଆନ ମହୋଦୟ ଉଭୟ ଅଣଓଡ଼ିଆ। କିନ୍ତୁ ଜଣେ ଓଡ଼ିଆ ବୋହୂ ହୋଇଥିବା ବେଳେ ଅନ୍ୟଜଣେ ଓଡ଼ିଆ ଜ୍ବାଇଁ। ଉଭୟ ସର୍ବଭାରତୀୟ ପ୍ରଶାସନିକ ସେବାର ଅଧିକାରୀ। ଜଣେ ଚାକିରିରୁ ଅବ୍ୟାହତି ନେଇ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ରାଜନୀତି କରୁଛନ୍ତି ତ ଅନ୍ୟଜଣେ ଚାକିରିରେ ଥାଇ ସବୁ କ୍ଷମତା ଉପଭୋଗ କରୁଛନ୍ତି। ଉଭୟ ନିଜ ନିଜର ରାଜନୈତିକ ଧର୍ମପିତାମାନଙ୍କର ଦୋଷଦୁର୍ବଳତା ଦେଖିବାରେ ଅସମର୍ଥ। ସ୍ବାଭାବିକ ଭାବରେ ମନକୁ ପ୍ରଶ୍ନ ଆସୁଛି, ବୋହୂ ବଡ଼ ନା ଜ୍ବାଇଁ ବଡ଼? ଆମ ପରମ୍ପରାରେ ଜ୍ବାଇଁ ପରିବାରରେ ଦୁଇଦିନିଆ ଅତିଥି। ଜ୍ବାଇଁଙ୍କ ସତ୍କାରରେ କୌଣସି ପ୍ରକାର ହେଳା କ୍ଷମଣୀୟ ନୁହେଁ। ବୋହୂ ପରିବାରର ସବୁଦିନିଆ ସଦସ୍ୟ ଏବଂ କ୍ଷମତା ଦୃଷ୍ଟିରୁ ଘରର ଚାବିକାଠିଟି ତା’ ହାତରେ ଥାଏ। ପାଣ୍ଡିଆନ ସାହେବ ସବୁ କ୍ଷମତା ଉପଭୋଗ କରୁଥିବା ଦୃଷ୍ଟିରୁ ଅପରାଜିତାଙ୍କର ଈର୍ଷା ହେଉନାହିଁ ତ?

ତୃତୀୟ ଓ ଶେଷ ପ୍ରଶ୍ନଟି ଆମ ବିଚାରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପାଣ୍ଡିଆନ ସାହେବଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ପକ୍ଷର କହିବା କଥା, ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ହୋଇ ଜନାଦେଶ ପାଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ଓଡ଼ିଶା ଶାସନ ଚାଲିଛି। ସେ କାହାକୁ ମନ୍ତ୍ରୀ କରିବେ, କାହାକୁ କେଉଁ ଦାୟିତ୍ବ ଦେବେ ତାହା ତାଙ୍କର ଇଚ୍ଛାଧୀନ ବ୍ୟାପାର। ସେଥିରେ କାହାର କିଛି କହିବାର ନାହିଁ। କିନ୍ତୁ ଏଠି ଭୁଲିଗଲେ ଚଳିବ ନାହିଁ ଯେ ଶାସନ ବ୍ୟବସ୍ଥାର ଗୋଟିଏ ମୌଳିକ ନିୟମ ହେଲା ଆଦିଷ୍ଟ କ୍ଷମତା ବା ଅଧିକାର ପୁଣି ଆଉ ଥରେ କାହାକୁ ହସ୍ତାନ୍ତରିତ ହୋଇପାରିବ ନାହିଁ (Delegated power can not be further delegated)। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୋଲି ଲେଖି ତାଙ୍କର ସମସ୍ତ ଅଧିକାରକୁ ବ୍ୟବହାର ବା ଉପଭୋଗ କରିବା ଆଦୌ ନ୍ୟାୟସଙ୍ଗତ କି ସମୀଚୀନ ହେଉନାହିଁ। ଅପରାଜିତା ପୁଣି ଅଭିଯୋଗ କରିଛନ୍ତି ଯେ ଏହାଦ୍ବାରା ସର୍ବଭାରତୀୟ ସେବା ଆଇନର ଖୋଲା ଉଲ୍ଲଂଘନ ହେଉଛି। ସେ କାହିଁକି ଭୁଲି ଯାଉଛନ୍ତି ଯେ ସର୍ବଭାରତୀୟ ସେବାର ସର୍ବୋଚ୍ଚ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ। କେନ୍ଦ୍ର ସରକାର ଚାହିଲେ ଏ ପ୍ରକାର ଉଲ୍ଲଂଘନକୁ ଦୁଇ ମିନିଟ୍‌ରେ ରୋକି ଦେଇପାରିବେ। ତେଣୁ ସେ ତାଙ୍କ ମୁନିବଙ୍କ ନିକଟରେ ଅଭିଯୋଗ ନ କରି ଏଠି ହଟଚମଟ ସୃଷ୍ଟି କରୁଛନ୍ତି କାହିଁକି?

ଶେଷରେ ଅପରାଜିତାଙ୍କର ଅଡ଼ୁଆ ପ୍ରଶ୍ନ ଆମ ସମସ୍ତଙ୍କୁ ଏ ପ୍ରସଙ୍ଗକୁ ଅଧିକ ଗଭୀରତା ଓ ଗମ୍ଭୀରତାର ସହିତ ଚିନ୍ତା କରିବାକୁ ବାଧ୍ୟ କରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏ ସମ୍ପର୍କରେ ଆଭିମୁଖ୍ୟ କ’ଣ? ଏଭଳି ଏକ ପ୍ରଶ୍ନ ପ୍ରଚାରିବାକୁ ଆମେ ଏକରକମ ବାଧ୍ୟ ହେଉଛୁ। ୫-ଟି ସଚିବଙ୍କ କ୍ଷମତା ଉପଭୋଗ ସମ୍ପର୍କରେ ସାଧାରଣରେ ଯାହା ଆଲୋଚନା ହେଉଛି, ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ? ଯଦି ଜାଣୁଛନ୍ତି, ‘ମୌନଂ ସମ୍ମତି ଲକ୍ଷଣମ୍‌’ ନ୍ୟାୟରେ ଏହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛା ବୋଲି ଧରିନେବାକୁ ହେବ କି? ମୋଟ ଉପରେ ଆମର କହିବା କଥା ହେଲା, ୨୫ ବର୍ଷ ତଳେ ରାଜନୀତିରେ ଯୋଗ ଦେଇ ସେ ଯେଭଳି ଈର୍ଷଣୀୟ ସଫଳତା ହାସଲ କରିଛନ୍ତି, ତାହା ଅତୀତରେ କାହା ଭାଗ୍ୟରେ ଜୁଟିନାହିଁ କି ନିକଟ ଭବିଷ୍ୟତରେ ଆଉ କାହା ଭାଗ୍ୟରେ ଜୁଟିବ ବୋଲି ମଧ୍ୟ ବିଶ୍ବାସ ହେଉନାହିଁ। ଓଡ଼ିଶାବାସୀ ନିଷ୍କପଟ ଭାବେ ତାଙ୍କୁ ଭଲ ପାଇଛନ୍ତି ଏବଂ ପ୍ରତିଥର ଅଧିକରୁ ଅଧିକ ସମର୍ଥନ ଦେଇ ଏହାର ପ୍ରମାଣ ଦେଇଛନ୍ତି।

ଗରିବ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ସଦା ଚେଷ୍ଟିତ ନବୀନବାବୁ ବହୁ ମାଇଲଖୁଣ୍ଟ ଅତିକ୍ରମ କରିସାରିଲେଣି। ଆଜି ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସାରା ଭାରତ ତାଙ୍କୁ ଗ୍ରହଣ କରି ଅନୁକରଣ କରୁଛି। ଆଜିକାଲି ପ୍ରତିଦ୍ବନ୍ଦ୍ବିତାମୂଳକ ରାଜନୀତିରେ ପରସ୍ପର ପ୍ରତି ଅସୂୟା ମନୋଭାବ ରଖି ଶତ୍ରୁକୁ ଛୋଟକରି ଦେଖିବା ଏକ ଅଭ୍ୟାସରେ ପରିଣତ ହୋଇଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ଭାଗ୍ୟବାନ। ତାଙ୍କର କେହି ଶତ୍ରୁ ନାହାନ୍ତି କି କୌଣସି ବିରୋଧୀ ଦଳ ନାହିଁ। ଭାରତୀୟ ଜନତା ପାର୍ଟିକୁ ତାଙ୍କର ବିରୋଧୀ ବୋଲି କହିଲେ ସତ୍ୟର ଅପଳାପ ହେବ।

ଓଡ଼ିଶାବାସୀଙ୍କର ଏ ପ୍ରକାର ଭଲ ପାଇବାର ଉତ୍ତର ଦେବାର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କର। ଗୋଟିଏ ଭଲ ଛାତ୍ର କେବେ କୌଣସି ପ୍ରଶ୍ନକୁ ଡରେ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅସୁବିଧା ରହୁଛି କେଉଁଠି? ଏଭଳି ଈର୍ଷଣୀୟ ସଫଳତା ଉପଭୋଗ କରୁଥିବା ବେଳେ ଅପରାଜିତାମାନଙ୍କୁ ଅଡ଼ୁଆ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବା କାହିଁକି? ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଏ ପ୍ରକାର ହଟଚମଟ ସୃଷ୍ଟିକାରୀଙ୍କୁ ଉଚିତ ଜବାବ ଦିଅନ୍ତୁ।