ଦୀପାବଳିର ସଂକଳ୍ପ

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଦୀପାବଳିର ଶୁଭ ଅବସରରେ ‘ସମ୍ବାଦ ପରିବାର’ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଲୋକର ପର୍ବ ଦୀପାବଳିରେ ଆମ ସମସ୍ତଙ୍କ ଭିତରେ ବିବେକର ଆଲୋକ ପ୍ରଜ୍ଜ୍ବଳିତ ହେଉ। ଦୀପାବଳି ଉତ୍ସବ ପାଳନର ଅନ୍ୟ ଏକ ପରମ୍ପରା ହେଲା, ଉପହାର ଦେଇ ଶୁଭେଚ୍ଛା ଜଣାଇବା। ତେଣୁ ଦୀପାବଳି ହେଲା ଦେବାର ପର୍ବ। ଉପହାର ଦେବାର ପରମ୍ପରାକୁ ଆଧୁନିକ ସ୍ବାର୍ଥପର ଦୁନିଆରେ ଭିନ୍ନଭିନ୍ନ ଦୃଷ୍ଟିରୁ ବିଚାର କରାଯାଉଛି। କିନ୍ତୁ ଆମ ବିଚାରରେ ଦେବାର ଅଭ୍ୟାସ ବା ପରମ୍ପରା ମନୁଷ୍ୟ ସଭ୍ୟତା ପାଇଁ ଏକାନ୍ତ ଆବଶ୍ୟକ। ଆଧୁନିକତାର ମୂଳମନ୍ତ୍ର ହେଲା ସମାନତା। ଆମ ସମାଜ ବ୍ୟବସ୍ଥା, ଅର୍ଥନୀତି ଓ ରାଜନୀତି ସମାନତାକୁ ଏକରକମ ନିର୍ଣ୍ଣାୟକ ତତ୍ତ୍ବ ଭାବେ ଗ୍ରହଣ କରିନେଇଛନ୍ତି। କିନ୍ତୁ ଟିକିଏ ତଳେଇ ଦେଖିଲେ ଅନୁଭବ କରି ହେବ ଯେ ସମାନତାର ଲକ୍ଷ୍ୟ ପଛରେ ଗୋଡ଼ାଇ ଆଜି ସବୁ ସମସ୍ୟା ସୃଷ୍ଟି ହୋଇଛି। ଉଭୟ ପୁଞ୍ଜିବାଦୀ ଓ ସାମ୍ୟବାଦୀମାନେ ଏ ପର୍ଯ୍ୟନ୍ତ ସମାନତାର ସ୍ତାବକ ସାଜି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନାହାନ୍ତି। ସମାନତାକୁ ନେଇ ଆମର ବିଚାର ବିଭ୍ରାଟ ଏବେ ସବୁ ସମସ୍ୟାର ମୂଳ କାରଣ ହୋଇଛି। ସମାନତା ଆଣିବା ଯେ ଆଦୌ ସମ୍ଭବ ନୁହେଁ ଏବଂ ଏହା ଏକରକମ ପ୍ରକୃତି ବିରୋଧୀ, ଏହାକୁ କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁ କେତେ ଜଣ ସମାନତାର ଅବାସ୍ତବତାକୁ ଅନୁଭବ କରନ୍ତି, ଆଧୁନିକ ଗଣସମାଜର ଗାଣତନ୍ତ୍ରିକ ମୂଲ୍ୟବୋଧର ଚାପରେ ଏକଥାକୁ ଉଲ୍ଲେଖ କରିବାକୁ ସାହସ କୁଳେଇ ପାରନ୍ତି ନାହିଁ। ଆମର ପାଞ୍ଚ ଆଙ୍ଗୁଳି ସମାନ ନୁହେଁ। ଗୋଟିଏ ଗଛରେ ଫଳିଥିବା ୨ଟି ଆମ୍ବ ସମାନ ଓଜନର ହୋଇ ନ ପାରନ୍ତି; ଗୋଟିଏ ମା’ର ପେଟରୁ ଜନ୍ମ ହୋଇଥିବା ଯମଜ ସନ୍ତାନଦ୍ବୟ ଆମ ଖାଲି ଆଖିକୁ ସମାନ ଦେଖାଯାଉଥିଲେ ମଧ୍ୟ ଜନ୍ମକଲା ମା’ କହିଦେବ କିଏ ଆଗ ଓ କିଏ ପଛ। ପ୍ରକୃତିର ନିୟମ ଯଦି ଅସମାନତା ବା ବିଷମତା ତେବେ ମାନବିକତାର ଅନ୍ୟ ମୂଲ୍ୟବୋଧ ସବୁ ପ୍ରତିଷ୍ଠିତ ହେବ କିପରି?

ଆମ ଭାରତୀୟ ପରମ୍ପରାରେ ଏ ପ୍ରଶ୍ନର ଉତ୍ତର ଅଛି। ସର୍ବେ ଭବନ୍ତୁ ସୁଖିନଃ ନ୍ୟାୟରେ ଅସମାନ ଓ ବିଷମ ସମାଜରେ ସମନ୍ବୟ ଆସିପାରିବ ଯଦି ଆମେ ଦେବାରେ ବିଶ୍ବାସ କରିବା। ଯାହା ପାଖରେ ଯାହା ଅଧିକ ଅଛି, ସେ ଯଦି ଅନ୍ୟକୁ ସେଥିରୁ କିଛି ଦାନ କରେ ତେବେ ସମାଜରେ ସମନ୍ବୟ ପ୍ରତିଷ୍ଠା ହୋଇ ପାରିବ। ସେଥିପାଇଁ ଆମ ମୂଲ୍ୟବୋଧରେ ସବୁ ରକମର ଦାନକୁ ପ୍ରାଥମିକତା ଦିଆଯାଇଛି। ଅନ୍ନଦାନ, ବସ୍ତ୍ରଦାନ, ଭୂଦାନ, ଗୋଦାନ ଏବଂ ସର୍ବୋପରି ରକ୍ତଦାନକୁ ପୁଣ୍ୟ କାର୍ଯ୍ୟ ବୋଲି ବିବେଚନା କରାଯାଇଛି। ରକ୍ତଦାନ ମହାପୁଣ୍ୟ। ଏହାକୁ ଈଶ୍ବରଙ୍କର ଆଦେଶ ବୋଲି ଭାବି ମାନିନେବା ଉଚିତ। କାରଣ ଆଧୁନିକ ମଣିଷ ବିଜ୍ଞାନ ଓ କାରିଗରୀ କୌଶଳ ବଳରେ ସବୁକିଛି କରିପାରୁଛି। କିନ୍ତୁ ରକ୍ତ ତିଆରି କରିପାରୁ ନାହିଁ। ରକ୍ତ ତିଆରି କାରଖାନାଟି ମଣିଷ ଶରୀର ଭିତରେ। ଗୋଟିଏ ନିରୋଗ ଲୋକ ସ୍ବଇଚ୍ଛାରେ ରକ୍ତଦାନ ନକଲେ ରକ୍ତ ଆବଶ୍ୟକ କରୁଥିବା ରୋଗୀଟି ବଞ୍ଚି ପାରିବ ନାହିଁ। ପ୍ରତ୍ୟେକ ନିରୋଗ ମଣିଷ ମନେକରିବା ଉଚିତ ଯେ ଈଶ୍ବର ତାକୁ ନିରୋଗ ଏଇଥିପାଇଁ ରଖିଛନ୍ତି ଯେ ସେ ଅନ୍ୟ ଜଣେ ରୋଗୀକୁ ବଞ୍ଚାଇ ପାରିବ। ସମସ୍ତଙ୍କର ବଞ୍ଚିବାର ଅଧିକାର ଓ ସୁଖରେ ରହିବାର ଅଭିଳାଷକୁ ଚରିତାର୍ଥ କରିପାରିବ। ତେଣୁ ଦେବାରେ ବିଶ୍ବାସ କରୁଥିବା ମଣିଷମାନେ ଦେବତୁଲ୍ୟ ବା ଦେବତା। ବିଡ଼ମ୍ବନାର ବିଷୟ ହେଲା ଆମ ଗଣତନ୍ତ୍ରରେ ନେବାର ଅଭ୍ୟାସ କରିଥିବା ଲୋକମାନଙ୍କୁ ଆମେ ନେତା ବୋଲି ମନେକଲୁଣି। ଯିଏ ଦିଏ ସେ ଦେବତା ଓ ଯିଏ ନିଏ ସେ ନେତା।

ଦୀପାବଳିର ଅବ୍ୟବହିତ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ଅଭିନବ ଘୋଷଣା କରିଛନ୍ତି। ବିଜେପୁର ଉପନିର୍ବାଚନର ଅଭୂତପୂର୍ବ ସଫଳତା ପରେ ସାରା ଭାରତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସଫଳତାର ରହସ୍ୟ କ’ଣ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି। ‘ମୋ ସରକାର’ ପରେ ‘ମୋ ପରିବାର’ର ଅଭିନବ ଯୋଜନାକୁ ସମସ୍ତେ ଗମ୍ଭୀରତାର ସହ ବିଚାର କରିବା ଉଚିତ। ଏଥର ମୋ ପରିବାର ଯୋଜନା ବିଜୁ ଜନତା ଦଳର ସବୁ ଭାଇଭଉଣୀଙ୍କ ପାଇଁ ଉଦ୍ଦିଷ୍ଟ। ସମଗ୍ର ଓଡ଼ିଶାରେ ବିଜୁ ଜନତା ଦଳ ଯେଭଳି ସମର୍ଥନ ପାଇଛି ତାହା ସାରା ଓଡ଼ିଶାକୁ ଗୋଟିଏ ପରିବାର କରି ଗଢ଼ିତୋଳିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପରିବାରର ମୁଖ୍ୟ। ଦୀପାବଳି ଅବସରରେ ତାଙ୍କର ଏଭଳି ଘୋଷଣା ଅନେକ ଗୁରୁତ୍ବ ରଖୁଛି। ବିଗତ ବର୍ଷମାନଙ୍କରେ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ କିଛି ଦେଇଛନ୍ତି। ଦେବାରେ ତାଙ୍କୁ କେହି ବଳି ଯାଇ ପାରିବେ ନାହିଁ। ପେଟକୁ ଦାନା, କର୍ମଜୀବୀଙ୍କୁ ଆହାର ଏବଂ ସମସ୍ତ ଗରିବ ଓଡ଼ିଆଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସେ ସହାୟତାର ହାତ ବଢ଼ାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଦେବାପଣକୁ ଆମେ କ’ଣ ଦେଇ ସମ୍ମାନ ଜଣାଇବା? ଭୋଟ୍ ଖଣ୍ଡେ ଦେଇ ଦେଲେ ଯେ ଆମ ଦାୟିତ୍ବ ସରିଗଲା ଏ କଥା ଭାବିବା ଠିକ୍ ନୁହେଁ।

ଟଙ୍କିକିଆ ଚାଉଳ ଆମ ସମସ୍ତଙ୍କୁ ଅଳସୁଆ କରିଦେଇଛି, ଆମେ ସମସ୍ତେ ଏକରକମ କର୍ମକୋଢ଼ି ହୋଇଯାଇଛେ। ପରିଶ୍ରମ କାତର ‌ଯୁବକମାନେ ଭତ୍ତାଟିଏ ପାଇଁ ନିଜକୁ କାନ ଥାଉ ଥାଉ କାଲା ଓ ଆଖି ଥାଉ ଥାଉ ଅନ୍ଧ ବୋଲି ପରିଚୟ ଦେବାରେ ସଙ୍କୋଚ କରୁ ନାହାନ୍ତି। ସେହିପରି ଚାଳିଶ ବର୍ଷର ଭେଣ୍ଡାଟୋକା ଭୋଟର ପରିଚୟ ପତ୍ର ବା ଆଧାର କାର୍ଡରେ ନିଜର ବୟସକୁ ଷାଠିଏ ବର୍ଷରୁ ଊର୍ଦ୍ଧ୍ବ କରାଇବାରେ ନିଜର ପାରିବାପଣିଆକୁ ବୁଝୁଛି। ପଡ଼ୋଶୀର ଚାଳଘର ଥାଉ ଥାଉ ମୋର ପକ୍କାଘର ଉପରେ ଆଉ ଏକ ଛାତଘର କରି ଗର୍ବ ଅନୁଭବ କରୁଛି ତ ସଂଗିନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ନେତାମାନଙ୍କ ବାହୁଛାୟା ତଳେ ନିଜକୁ ସୁରକ୍ଷିତ ମନେକରୁଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କର ସୁମଧୁର ପ୍ରଶ୍ନ ଓ ସ୍ବପ୍ନ ‘ଆପଣମାନେ ଖୁସି ତ’ ସାକାର ହେବ କିପରି? ଆସନ୍ତୁ ଏ ଦୀପାବଳିରେ ମୁଖ୍ୟମନ୍ତ୍ରୀଙ୍କର ଏ ଦେବାପଣକୁ ସମ୍ମାନ ଜଣାଇବା। ସମସ୍ତେ ନିଜ ନିଜ ଘରେ ସଂକଳ୍ପର ଦୀପଟିଏ ଜାଳି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଦ୍ବିତୀୟ ବିକାଶ ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା।

ସମ୍ବନ୍ଧିତ ଖବର