ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଇତିହାସ ଅଧ୍ୟାପକଙ୍କ ଗୋଟିଏ କଥା ଆଜି ମୋ ମନକୁ ଆସୁଛି। ବିଶ୍ୱଯୁଦ୍ଧ ସମ୍ପର୍କରେ ଆଲୋଚନା କଲାବେଳେ ସେ ଜଣେ ପ୍ରବୀଣ ଐତିହାସିକଙ୍କ ଏକ ଚମତ୍କାର ଉକ୍ତିକୁ ଉଦ୍ଧାର କରୁଥିଲେ: Road to hell is paved with good intentions. ଅର୍ଥାତ୍ ‘ନର୍କକୁ ରାସ୍ତା ଭଲ ଉଦ୍ଦେଶ୍ୟର ପଥରରେ ତିଆରି।’ ଆଜି ତଳସ୍ତରରେ ଯେଉଁ ସବୁ ଦୁର୍ନୀତି ଓ ଅନିୟମିତତା ପ୍ରତିଦିନ ଖବରକାଗଜରେ ପ୍ରକାଶ ପାଉଛି, ସେ ନେଇ ଆମେ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କଲେ ଭୁଲ୍ ହେବ କି? ବ୍ୟକ୍ତିଗତ ଭାବେ ମୁଁ ଅତ୍ୟନ୍ତ ଅସ୍ବସ୍ତିକର ପରିସ୍ଥିତିରେ ପଡ଼ିଛି। ଖବରକାଗଜର ସଂପାଦକ ଭାବରେ ଯାବତୀୟ ଅନିୟମିତତାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ଆମର କର୍ତ୍ତବ୍ୟ ବୋଲି ଆମେ ମନେକରୁ। ପୁଣି ଜଣେ ଲୋକପ୍ରତିନିଧି ଏବଂ କ୍ଷମତାସୀନ ଦଳର ବିଧାୟକ ଭାବେ ଆମର ସରକାର ଓ ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଉପସ୍ଥାପିତ କରିବାର ଦାୟିତ୍ୱ ମଧ୍ୟ ମୋର ବୋଲି ମୁଁ ଅନୁଭବ କରେ। ଏଣେ ମାରିଲେ ଗୋହତ୍ୟା, ତେଣେ ମାରିଲେ ବ୍ରହ୍ମହତ୍ୟା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୯ ମସିହାର ମହାବାତ୍ୟା ପରେ ଏହି ସ୍ତମ୍ଭରେ ‘ବଡ଼ଚଣାର ସଂକେତ’ ଶୀର୍ଷକ ଏକ ଅଗ୍ରଲେଖରେ ମୁଁ ଇନ୍ଦିରା ଆବାସ ଦୁର୍ନୀତି କଥା ଉଲ୍ଲେଖ କରିଥିଲି। ମହାବାତ୍ୟାରେ ଓଡ଼ିଶା ଉପକୂଳର ଯେଉଁ ବିପର୍ଯ୍ୟୟ ଘଟିଲା, ତାହା ସାରା ବିଶ୍ୱକୁ ପ୍ରଭାବିତ କରିଥିଲା। ସେଥିପାଇଁ ଦେଶବିଦେଶରୁ ଉଭୟ ସରକାରୀ ଓ ବେସରକାରୀ ସୂତ୍ରରୁ ସାହାଯ୍ୟ ଓ ସହାନଭୂତିର ସୁଅ ଛୁଟିଥିଲା। ଭାଙ୍ଗି ଯାଇଥିବା ଘର ପାଇଁ ଇନ୍ଦିରା ଆବାସ ମିଲିଲା ତ ମୃତ ଓ ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ୭୫ ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଗଲା। ବିଭୀଷିକା ଉପରାନ୍ତ ପରିବେଶରେ ଅନୁକମ୍ପାର ଭାବାବେଗରେ ଯୋଗ୍ୟ-ଅଯୋଗ୍ୟ କଥା ଚିନ୍ତା କରାଗଲା ନାହିଁ। ସମସ୍ତଙ୍କୁ ମୁକ୍ତ ହସ୍ତରେ ସରକାର ସହାୟତାର ହାତ ବଢ଼ାଇଲେ। ବଡ଼ଚଣା ବ୍ଲକ୍ରେ ବାତ୍ୟା ପୂର୍ବରୁ ସମୁଦାୟ ଘର ସଂଖ୍ୟା ଯେତେ ଥିଲା, ତାର ଦୁଇଗୁଣା ଇନ୍ଦିରା ଆବାସ ବଣ୍ଟାଗଲା। ପିତାମାତାଙ୍କୁ ନିଖୋଜ ଦେଖାଇ ଟୋକାମାନେ ୭୫ ହଜାର ଟଙ୍କା ନେଇ ହିରୋହଣ୍ଡା ଚଢ଼ି ବୁଲିଲେ। ଆଜି କୋଡ଼ିଏ ବର୍ଷ ପରେ ଆମ ଚରିତ୍ରରେ ବିଶେଷ କିଛି ପରିବର୍ତ୍ତନ ହୋଇଛି କି ? ଏ ପ୍ରଶ୍ନ ନବୀନବାବୁଙ୍କୁ ନ ପଚାରି ଆମେ ନିଜକୁ ନିଜେ ପଚାରିବା ଦରକାର।
ମହାବାତ୍ୟାର କୋଡ଼ିଏ ବର୍ଷ ପରେ ଓଡ଼ିଶାରେ ଅନେକ ପରିବର୍ତ୍ତନ ହୋଇଛି। ‘ସବୁଠାରୁ ପଛୁଆ ଓ ଅନାହାର ମୃତ୍ୟୁର ରାଜ୍ୟ’ ଅପବାଦରୁ ଆମେ ମୁକ୍ତି ପାଇଛେ। ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାର ଫଳସ୍ୱରୂପ ଦାରିଦ୍ରୢ ବିରୋଧରେ ଆମର ସଂଗ୍ରାମ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ମାଲକାନାଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଓଡ଼ିଶାର ପଛୁଆ ଅଞ୍ଚଳର ଲୋକମାନେ ଆଗେଇବା ପାଇଁ ସାହସ କୁଳଉଛନ୍ତି। ଚାଷୀ ପରିବାର ପାଇଁ ଅଭିନବ ‘କାଳିଆ’ ଯୋଜନାକୁ ସବୁ ବର୍ଗର ଅର୍ଥନୀତିଜ୍ଞମାନେ ପ୍ରଶଂସା କଲେ। ଲକ୍ଷଲକ୍ଷ ପରିବାର ଉପକୃତ ହେଲେ। ତଥାପି ଅଭିଯୋଗ ଆସିଲା, ମୋତେ ‘କାଳିଆ’ ମିଳିଲା ନାହିଁ। ଅଯୋଗ୍ୟ ଲୋକେ ନିଜକୁ ହିତାଧିକାରୀ ବୋଲି କହି ସବୁ ସୁବିଧା ସୁଯୋଗକୁ ହାତେଇ ନେଉଛନ୍ତି। ୪୦ ବର୍ଷର ପଞ୍ଜୀକୃତ ବୃଦ୍ଧ ଆଜି ବାର୍ଦ୍ଧକ୍ୟ ଭତ୍ତା ପାଉଛି ତ ୭୦ ବର୍ଷର ବୁଢ଼ା ଆଧାର କାର୍ଡ଼ ଧରି ଭତ୍ତାଟିଏ ପାଇଁ ଘୂରିବୁଲୁଛି। ଏବେ ବି ‘ମୋର ରାସନ୍ କାର୍ଡ କଟିଗଲା’ ବୋଲି ଅଭିଯୋଗ ଆସୁଛି। ଜଣେ ନୂଆ ବିଧାୟକ ଭାବେ ଏମାନଙ୍କର ନିରୀହ ପ୍ରଶ୍ନର କି ଉତ୍ତର ଦେବି ମୁଁ ନିଜେ ବୁଝିପାରୁ ନାହିଁ ା ସବୁଠାରୁ ବେଶି ବିବ୍ରତ କଲା ଭଳି କଥାଟି ହେଲା, ଅଧିକାଂଶ ଅଞ୍ଚଳରେ ଭିନ୍ନକ୍ଷମମାନଙ୍କର ସଂଖ୍ୟା ଅସ୍ୱାଭାବିକ ଭାବେ ବଢ଼ିଚାଲିଛି। ଭିନ୍ନକ୍ଷମମାନଙ୍କୁ ଭତ୍ତା ମିଳିବାର ସରକାରୀ ଯୋଜନା ଥିବା ଦୃଷ୍ଟିରୁ ଏମାନଙ୍କର ସଂଖ୍ୟା ବଢ଼ିବଢ଼ି ଚାଲିଛି। ଓଡ଼ିଶା ବୋଧହୁଏ ଆଖି ଥାଉଥାଉ ଅନ୍ଧ ଓ କାନ ଥାଉଥାଉ କାଲା ସଂଖ୍ୟାରେ ନୂତନ ରେକର୍ଡ ସ୍ଥାପନ କରିବ। ଏଭଳି ପରିସ୍ଥିତିକୁ ଦେଖି ମୁଁ ପରିହାସରେ ଆଶଙ୍କା ପ୍ରକାଶ କରିଥିଲି ଯେ, ଦିନ ଆସିବ ଯେତେବେଳେ ଇନ୍ଦିରା ଆବାସଟିଏ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟ ନିଜର ବିବାହ ବିଚ୍ଛେଦ ହୋଇଛି ବୋଲି ଅଭିନୟ କରିବେ। କିନ୍ତୁ ସେ ଦିନ ଯେ ଏତେ ଶୀଘ୍ର ଆସିବ ତାହା ମୁଁ ଆଦୌ ଭାବି ନଥିଲି। ଇନ୍ଦିରା ଆବାସ ଯୋଜନାକୁ ଘରଭଙ୍ଗା ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏଭଳି ପରିସ୍ଥିତି ପାଇଁ ଆମେ କ’ଣ ଯୋଜନାକୁ ଦୋଷ ଦେବା? ପ୍ରତ୍ୟେକ ଯୋଜନାର ଉଦ୍ଦେଶ୍ୟ ଅତ୍ୟନ୍ତ ମହତ। ଦାରିଦ୍ରୢ ଆମ ଭଳି ଦେଶ ପାଇଁ ଏକ ଅଭିଶାପ କହିଲେ ଅତ୍ୟୁକ୍ତି ହେବ ନାହିଁ। ତୃତୀୟ ବିଶ୍ୱର ଅଧିକାଂଶ ଦେଶ ଉପନିବେଶବାଦରୁ ମୁକ୍ତି ପାଇ ସ୍ୱାଧୀନ ଦେଶ ଭାବରେ ନିଜନିଜ ଢଙ୍ଗରେ ଦାରିଦ୍ରୢ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ମିଳିତ ଜାତିସଂଘ ମଧ୍ୟ ଏ ସଂଗ୍ରାମରେ (ସହସ୍ରାବ୍ଦୀ ଲକ୍ଷ୍ୟ ନାମରେ) ବିଜୟର ମାପକାଠି ନିର୍ଧାରଣ କରିଛନ୍ତି। ବିଶ୍ୱର ଅର୍ଥନୀତିଜ୍ଞମାନେ ଦାରିଦ୍ରୢ ବିରୋଧୀ ଏ ଲଢ଼େଇକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ପାଇଁ ବିଭିନ୍ନ ତତ୍ତ୍ୱ ଓ ପରାମର୍ଶ ଦେଉଛନ୍ତି। ମୂଳକଥାଟି ହେଲା, ବର୍ଷବର୍ଷର ଅତ୍ୟାଚାର, ଅଭାବ ଓ ଅବହେଳା ଫଳରେ ଏହି ଦେଶଗୁଡ଼ିକରେ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡଟି ଭାଙ୍ଗି ପଡ଼ିଥିଲା। ଅଶିକ୍ଷା ଓ କୁସଂସ୍କାରର ଅନ୍ଧକାରରେ ରହି ଏମାନେ ବିକାଶର ଆଲୋକ ଖୋଜି ପାଉନଥିଲେ। ସେଥିପାଇଁ ସବୁଠାରୁ ତଳସ୍ତରର ବ୍ୟକ୍ତିକୁ ଯଦି ହାତ ଧରି ଉଠାଇ ଦିଆଯାଏ, ସେମାନଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ ଆଦି ଯୋଜନାର ସୁବିଧା ଯୋଗାଇ ଦିଆଯାଏ ଏବଂ ଯଦି ସେମାନଙ୍କ କ୍ରୟଶକ୍ତିକୁ ବଢ଼ାଇ ଦିଆଯାଏ ତେବେ ଅର୍ଥନୀତିର ମୁଖ୍ୟସ୍ରୋତରେ ସେମାନେ ସାମିଲ ହୋଇପାରିବେ। ତେଣୁ ଯୋଜନାଗୁଡ଼ିକ ପଛରେ ଉଦ୍ଦେଶ୍ୟ ଯେ ଅତ୍ୟନ୍ତ ମହତ, ଏଥିରେ ଦ୍ୱିମତ ନାହିଁ। କିନ୍ତୁ ଏହାକୁ ଯେପରି କାର୍ଯ୍ୟକାରୀ କରାଯାଇଛି ଏବଂ ହିତାଧିକାରୀମାନେ ଏହାକୁ ଯେଉଁ ଦୃଷ୍ଟିରୁ ଗ୍ରହଣ କରିଛନ୍ତି ଅନେକ ସମୟରେ ତାହା ଓଲଟା ଫଳ ଦେଇଛି।
ଭାରତର ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୫ ମସିହାରେ ଦେଇଥିବା ବକ୍ତବ୍ୟ ମଧ୍ୟ ମନେପଡ଼ୁଛି। କଂଗ୍ରେସର ବମ୍ବେ ଅଧିବେଶନରେ ଉଦ୍ବୋଧନ ଦେଇ ସେ କହିଥିଲେ; ସରକାର ଯେଉଁ ଟଙ୍କାଟିଏ ସାଧାରଣ ଲୋକଙ୍କ ପାଇଁ ଦେଉଛନ୍ତି, ସେଥିରୁ ମାତ୍ର ୧୫ ପଇସା ସେମାନଙ୍କ ପାଖରେ ପହଞ୍ଚୁଛି। ବାକି ସବୁ ବାଟମାରଣା ହେଉଛି। ସେଥିପାଇଁ ପଞ୍ଚାୟତ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରି ଲୋକଙ୍କ ପାଖକୁ ପଞ୍ଚାୟତ ଜରିଆରେ ସିଧାସଳଖ ପଇସା ପହଞ୍ଚାଇବାର ବ୍ୟବସ୍ଥା କରାଗଲା। କିନ୍ତୁ ହେଲା କ’ଣ? ବିଗତ ବର୍ଷମାନଙ୍କରେ ଦଳମତ ନିର୍ବିଶେଷରେ ଦେଶର ସବୁ ସରକାର ଏହି ଯୋଜନାଗୁଡ଼ିକରେ ହେଉଥିବା ଦୁର୍ନୀତିକୁ ଯେଭଳି ଦୃଷ୍ଟିରେ ଦେଖୁଛନ୍ତି ତାହା ମଧ୍ୟ ଚିନ୍ତାର କାରଣ ହୋଇଛି। ସମ୍ଭବତଃ ସେମାନେ ଇଂରେଜମାନେ ଆମକୁ ଦେଇଥିବା ନ୍ୟାୟ ବ୍ୟବସ୍ଥାର ଏକ ପୁରୁଣା ମୂଲ୍ୟବୋଧକୁ ଗ୍ରହଣ କରି ନେଇଛନ୍ତି। ୯୯ ଚୋର(ଦୋଷୀ) ଖସି ଯାଆନ୍ତୁ ପଛେ, ଜଣେ କେହି ନିେର୍ଦ୍ଦାଷ ଦଣ୍ଡ ନପାଉ। କିଛି ଅଯୋଗ୍ୟ ଲୋକ ଲାଭ ପାଇଲେ ପାଆନ୍ତୁ, କିନ୍ତୁ ଯୋଗ୍ୟ ଲୋକ ବଞ୍ଚିତ ନ ହେଉ। ଦାରିଦ୍ରୢ ବିରୋଧୀ ସଂଗ୍ରାମରେ ଆମର ବିଜୟ ହେଉ। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଏପରି ଉଦାର ନୀତି ଫଳରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବର୍ଷ ପରେ ବର୍ଷ କମିବା ପରିବର୍ତ୍ତେ ବଢ଼ିବାରେ ଲଗିଛି।
ନଅଙ୍କ ଦୁର୍ଭିକ୍ଷ ସମୟରେ ଅନ୍ନଛତ୍ରକୁ ଯିବା ପାଇଁ ଅନେକ ସ୍ୱାଭିମାନୀ ପସନ୍ଦ କରୁନଥିଲେ। ଯେଉଁମାନେ ଯାଉଥିଲେ ସେମାନଙ୍କୁ ଛତରଖିଆ ବୋଲି କହି ଛୋଟ କରି ଦେଖାଯାଉଥିିଲା। ଆଜି ତ ଛତରଖିଆ ହେବା ପାଇଁ ଲାଇନ୍ ଲାଗିଛି। ସବୁଠାରୁ ମଜା କଥା ହେଲା, ଆମ ଗାଣତନ୍ତ୍ରିକ ବ୍ୟବସ୍ଥାରେ ରାଜନୀତିକ ଦଳମାନେ ପ୍ରତିଦ୍ୱନ୍ଦ୍ୱୀକୁ ଛୋଟକରି ଦେଖାଇବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଆଜି ଯେତେବେଳେ ଉଭୟ କଂଗ୍ରେସ ଓ ବିଜେପି ଦଳ ନବୀନ ସରକାରଙ୍କ ବିରୋଧରେ ଆନ୍ଦୋଳନର ଡାକରା ଦେଉଛନ୍ତି, ସେତେବେଳେ କଂଗ୍ରେସ ନେତାମାନେ ବୋଧହୁଏ ରାଜୀବଙ୍କ ବମ୍ବେ ଅଧିବେଶନ ବକ୍ତବ୍ୟ ଓ କେଉଁ ଦଳର ସରକାର ଥିଲା ସେ କଥା ଭୁଲି ଯାଇଛନ୍ତି। ଠିକ ସେହିଭଳି ଭାରତୀୟ ଜନତା ପାର୍ଟି ମଧ୍ୟ ମନେ ରଖିବା ଉଚିତ ଯେ ଓଡ଼ିଶାର ଭୋଟର ଭାଇଭଉଣୀମାନେ କେବଳ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ନାହାନ୍ତି, ମୋଦୀଜୀଙ୍କୁ ମଧ୍ୟ ସମର୍ଥନ ଦେଇ ଆଠ ଜଣ ସାଂସଦଙ୍କୁ ନିର୍ବାଚିତ କରି ପଠାଇଛନ୍ତି। ମୂଳ କଥାଟି ହେଲା, ଅଭାବରେ ସ୍ୱଭାବ ନଷ୍ଟ ହୁଏ। କିନ୍ତୁ ଅଭାବକୁ ଦୂର କରିବାକୁ ଯାଇ ଯଦି ଯୋଜନାଗୁଡ଼ିକ ଆମ ଚରିତ୍ରକୁ ଏଭଳି ଭାବରେ ନଷ୍ଟ କରିଦେବେ ତେବେ ସେ ଯୋଜନାର କି ମୂଲ୍ୟ ରହିବ? ‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର’ ଏହି ଆପ୍ତବାକ୍ୟକୁ ଆମେ ସମସ୍ତେ ହେଜିବା ଦରକାର।