ଜୟ ଜଗନ୍ନାଥ

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଦୀର୍ଘ ବର୍ଷ ଧରି ଓଡ଼ିଶା ବାହାରେ ଓ ବିଦେଶରେ ରହିବାର ଅନେକ ଅନୁଭୂତି ମଧ୍ୟରୁ ଦୁଇଟି କଥା ମୋତେ ସବୁବେଳେ ଅଡୁଆ ଲାଗେ ଓ ଆତ୍ମସଚେତନ କରିଦିଏ। ଉଭୟ ଆମ ଜଗନ୍ନାଥଙ୍କୁ ନେଇ। ଓଡ଼ିଶା ବାହାରେ ଓ ବିଦେଶରେ ଥିଲାବେଳେ ତୁମେ କେଉଁଠୁ ଆସିଛ, ଏହି ପ୍ରଶ୍ନର ଉତ୍ତରରେ ମୁଁ ଓଡ଼ିଶାରୁ ଆସିଛି ବୋଲି କହିଲେ ହଠାତ୍‌ ସେମାନେ ବୁଝିପାରନ୍ତି ନାହିଁ। ଓଲଟା ପ୍ରଶ୍ନ କରନ୍ତି- ଓଡ଼ିଶାଟା କେଉଁଠି? ତାହା ବଙ୍ଗଳା ତଳକୁ ବୋଲି କହି ବୁଝାଇବାକୁ ପଡ଼େ। ପରେ ଯେତେବେଳେ ଜଗନ୍ନାଥଙ୍କ କଥା କହେ, ଶ୍ରୀକ୍ଷେତ୍ର ପୁରୀରୁ ଆସିଛି ବୋଲି ସେମାନେ ସହଜରେ ବୁଝିପାରନ୍ତି। ଅନ୍ୟଟି ହେଲା ଓଡ଼ିଶା ବାହାରେ ମୁଁ ଯେତେଗୁଡ଼ିଏ ତୀର୍ଥସ୍ଥାନ ବୁଲି ଦେଖିଛି, ସବୁବେଳେ ଆତ୍ମଗ୍ଳାନିରେ ମୋର ମନ ଭାରି ହୋଇଯାଇଛି। ତିରୁପତି ହେଉ ବା ଶିରିଡ଼ି ସାଇଙ୍କ ମନ୍ଦିର ହେଉ, ଅକ୍ଷରଧାମ ହେଉ ବା ଶ୍ରୀପୁରମ୍‌ କିମ୍ବା ବୈଷ୍ଣୋଦେବୀଙ୍କର ଗୁମ୍ଫା ହେଉ ସେହି ଧର୍ମାନୁଷ୍ଠାନଗୁଡ଼ିକ ଏତେ ଶୃଙ୍ଖଳିତ ଓ ପରିଚ୍ଛନ୍ନ କିପରି ହୋଇପାରୁଛନ୍ତି? ଆମେ କାହିଁକି ସେପରି ହୋଇପାରୁନାହୁଁ? ଆମ ଜଗନ୍ନାଥ ସବୁଠାରୁ ବଡ଼, ସେ ଜଗତର ନାଥ, ତାଙ୍କ ଦାଣ୍ତ ସବୁଠାରୁ ବଡ଼, ତାଙ୍କ ରଥଯାତ୍ରାରେ ସବୁବର୍ଗର ଲୋକ ଯେପରି ସାମିଲ ହୁଅନ୍ତି, ତାହାର ପଟାନ୍ତର ନାହିଁ। ସେ ସମସ୍ତଙ୍କର ଠାକୁର। ଗିରିଜନ, ହରିଜନ ସବୁ ସମ୍ପ୍ରଦାୟ ଓ ବର୍ଗର ସେ ଆରାଧ୍ୟ ଦେବତା। ତାଙ୍କୁ ନେଇ ଆମେ ଅନେକ କାହାଣୀ, କିମ୍ବଦନ୍ତୀ ଆମ ପିଲାମାନଙ୍କୁ ଶୁଣାଉ। ଦାସିଆ ବାଉରୀ, ଭକ୍ତ ସାଲବେଗ, ବନ୍ଧୁ ମହାନ୍ତି, ମାଣିକ ପାଟଣାର ଗଉଡୁଣୀର ଦହିବିକା ଓ ହୀରାମୁଦି – ଏପରି ଅନେକ କଥା। ଶେଷରେ ପଣ୍ଡିତ ଗୋପବନ୍ଧୁ ଦାସ କବିତା ‌େଲଖିଲେ- ବି‌େଶଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ଅର୍ଥାତ୍‌ ଜଗନ୍ନାଥ ହିଁ ଓଡ଼ିଆ ଜାତିର ଅସଲ ପରିଚୟ, ଅସ୍ମିତାର ଏକମାତ୍ର ପ୍ରତୀକ। ତେବେ ତାଙ୍କୁ ନେଇ ଆମ ଭିତରେ ଏତେ ବିବାଦ କାହିଁକି? ତାଙ୍କ ସମସ୍ୟା ଉଠିଲାବେଳେ ଆମେ କାହିଁକି ସହମତ ହୋଇ ପାରୁନାହୁଁ? ତାଙ୍କର ଦଧିନଉତିରୁ ପଥର ଖସିଲେ, ରତ୍ନଭଣ୍ତାରର ଚାବି ହଜିଗଲେ, ନବକଳେବର ଦାରୁଚୟନ ଓ ବ୍ରହ୍ମବିଭ୍ରାଟ ପରି ସଙ୍ଗିନ ଅଭିଯୋଗ ଆସିଲେ ଆମେ ବିବ୍ରତ ହେବା ପରିବର୍ତ୍ତେ ରାଜନୀତି ପାଇଁ ସୁଯୋଗ ମିଳିଲା ବୋଲି ଉତ୍ସାହିତ ହେଉ କାହିଁକି?

ଏଭଳି ଏକ ସମୟରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜଗନ୍ନାଥଙ୍କୁ ନେଇ ବାର୍ତ୍ତା ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମୋତେ ବ୍ୟକ୍ତିଗତ ଭାବେ ଅନେକ ଆନନ୍ଦ ଦେଉଛି ଓ ଉତ୍ସାହିତ କରୁଛି। ଗତ ବିଧାନସଭା ଅଧିବେଶନ ସମୟରେ ଏ ପ୍ରସଙ୍ଗକୁ ମୁଁ ଉତ୍‌ଥାପନ କରିଥିଲି ଏବ˚ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଅନୁରୋଧ କରିଥିଲି। କିନ୍ତୁ ଭାବି ନ ଥିଲି ଯେ ଏତେ ଶୀଘ୍ର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି। କାରଣ ଜଗନ୍ନାଥଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ଯେତେବେଳେ ସମସ୍ୟା ଆସିଛି, ଅତୀତର ନେତୃମଣ୍ତଳୀ ତାହାର ସମାଧାନ ପାଇଁ ଯେଉଁ କଠୋର ନିଷ୍ପତ୍ତିର ଆବଶ୍ୟକତା ପଡ଼ିଛି ସେଥିପାଇଁ ଇଚ୍ଛାଶକ୍ତି ଓ ସାହସ ଜୁଟାଇ ପାରିନାହାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କର ସେବା କରିବାର ସୁଯୋଗ ପାଇଥିଲେ ମଧ୍ୟ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କର ବ୍ୟବସ୍ଥାରେ ସ˚ସ୍କାର ଆଣିବା ପାଇଁ ଯେତେଗୁଡ଼ିଏ ନିଷ୍ପତ୍ତି ଓ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇ ନପାରି ଅଧପନ୍ତରିଆ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଜନ୍ମାଷ୍ଟମୀର ବାର୍ତ୍ତା ଓ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୋ ବିଚାରରେ ଏହା ଜଗନ୍ନାଥଙ୍କର ଇଚ୍ଛାରେ ହିଁ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ‘ଜୟ ଜଗନ୍ନାଥ’ରୁ ହିଁ ତାଙ୍କ ବାର୍ତ୍ତା ଆରମ୍ଭ କରିଛନ୍ତି। ଏହା ଏବେଠାରୁ ଓଡ଼ିଆ ଜାତିର ମୂଳମନ୍ତ୍ର ହେଉ।

ଶ୍ରୀମନ୍ଦିରର ସୁରକ୍ଷା ଓ ସ˚ସ୍କାର ପ୍ରଶ୍ନ ଓଡ଼ିଆ ଜାତିର ପରିଚୟ ଓ ଅସ୍ମିତାର ପ୍ରଶ୍ନ ହୋଇଥିବାରୁ ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଏହାକୁ ସମର୍ଥନ କରିବା ଦରକାର। ମନ୍ଦିରର ସୁରକ୍ଷା ସହିତ ଏହାକୁ ଏକ ବିଶ୍ବପ୍ରସିଦ୍ଧ ଐତିହ୍ୟ କ୍ଷେତ୍ର ହିସାବରେ ଗଢ଼ିତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖୁଛନ୍ତି, ଆମେ ସମସ୍ତେ ତାକୁ ସାକାର କରିବା ପାଇଁ ସହଯୋଗର ହାତ ବଢ଼ାଇବା ଦରକାର। ମୁଁ ବିଶ୍ବାସ କରୁଛି ଜଗନ୍ନାଥ ତାଙ୍କ ନିଜ ସୁରକ୍ଷା ଦାୟିତ୍ବ ଏବେ ନିଜ ହାତକୁ ନେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କେବଳ ମାଧ୍ୟମ ମାତ୍ର ସାଜିଛନ୍ତି। ଅତୀତରେ ଜଗନ୍ନାଥଙ୍କ ଉପରେ ଅନେକଥର ଆକ୍ରମଣ ହୋଇଛି। ସେ ବାରମ୍ବାର ଦେଶାନ୍ତରୀ ହୋଇଛନ୍ତି। ଏପରିକି ପାତାଳୀ ହେବା ପାଇଁ ମଧ୍ୟ ବାଧ୍ୟ ହୋଇଛନ୍ତି। ଆଜି ଏକବି˚ଶ ଶତାବ୍ଦୀର ବିଜ୍ଞାନ ଓ କାରିଗରୀ କୌଶଳର ଯୁଗରେ ସବୁକିଛି ସୁବିଧା ସୁଯୋଗ ନିଜେ ଉପଭୋଗ କରୁଥିବା ବେଳେ ଆମେ ଆମ ଠାକୁରଙ୍କୁ ସୁରକ୍ଷା ଦେଇପାରୁ ନ ଥିବା, ନିୟମିତ ବ୍ୟବଧାନରେ ନିଜ ଘରକୁ ଅଧିକ ସୁନ୍ଦର କରିବା ପାଇଁ ନୂଆ ମାର୍ବଲ ଲଗାଉଥିବା ବେଳେ ଶ୍ରୀମନ୍ଦିରରୁ ପଥରଟିଏ ଖସିପଡୁଥିବ, ମନ୍ଦିର ବେଢ଼ା ଅତ୍ୟନ୍ତ ଅପରିଷ୍କାର, ଅପରିଚ୍ଛନ୍ନ ଥିବ, ଏହା କ’ଣ ଗ୍ରହଣୀୟ? ଆସନ୍ତୁ, ଶ୍ରୀଜଗନ୍ନାଥଙ୍କୁ ସମସ୍ତେ ପ୍ରାର୍ଥନା କରିବା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ଯେଉଁ ସଦ୍‌ବୁଦ୍ଧି ଦେଇଛନ୍ତି, ସେଥିରେ ସେ ଅଟଳ ରହନ୍ତୁ।

ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୋର ନିବେଦନ ଶ୍ରୀକ୍ଷେତ୍ରକୁ ବିଶ୍ବ ପ୍ରସିଦ୍ଧ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ସ୍ବପ୍ନ ଅଧୁରା ହୋଇ ରହିଯିବ ଯଦି ଜଗନ୍ନାଥଙ୍କ ଆଦିକ୍ଷେତ୍ର କଣ୍ଟିଲୋ ନୀଳମାଧବକଙ୍କର କ୍ଷେତ୍ରରେ ମଧ୍ୟ ଅନୁରୂପ ସୁଧାର ଓ ସଂସ୍କାର ପାଇଁ ଉଦ୍ୟମ ହେବ ନାହିଁ।

ସମ୍ବନ୍ଧିତ ଖବର