ପ୍ରତିଷେଧକମୂଳକ ସତର୍କତା

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଅଭୂତପୂର୍ବ ପରିସ୍ଥିତି ଅଭୂତପୂର୍ବ ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ କରେ- ଏଇ ବାକ୍ୟଟି ଭିନ୍ନ ଆଜିର ଅସ୍ବସ୍ତିକର ପରିସ୍ଥିତିକୁ ବୁଝାଇବା ପାଇଁ ଆମ ପାଖେ ଅନ୍ୟ ଯୁକ୍ତି ନାହିଁ। ‘ସମ୍ବାଦ’ର ଦୀର୍ଘ ୩୬ ବର୍ଷର ପ୍ରକାଶନ ଇତିହାସରେ ଆମେ ଅନେକ ପ୍ରକାର ଯାନ୍ତ୍ରିକ ସମସ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛୁ। ମାତ୍ର ସେଭଳି ପରିସ୍ଥିତିରେ ସୁଦ୍ଧା ଖୁବ୍‌ ବେଶିରେ ଦିନଟାଏ ବା ଦୁଇ ଦିନ ପ୍ରକାଶନ ବ୍ୟାହତ ହେବା ପରେ ପୁଣିଥରେ ‘ସମ୍ବାଦ’ର ପ୍ରକାଶନ ସ୍ବାଭାବିକ ହୋଇଛି ଏବଂ ଆମେ ପାଠକଙ୍କ ନିକଟରେ ପହିଞ୍ଚିପାରିଛୁ।  ମାତ୍ର କରୋନା ଭୂତାଣୁ ଯେଉଁ ବିଶ୍ବବ୍ୟାପୀ ବିଭୀଷିକା ସୃଷ୍ଟି କରିଛି ତାହା ଆମ ଅଭିଜ୍ଞତାରେ ଅଶ୍ରୁତପୂର୍ବ। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ଭାରତ ସମେତ ପୃଥିବୀର ଶହେ ବୟାନବେ ରାଷ୍ଟ୍ରକୁ କବଳିତ କରିସାରିଲାଣି। ଏହି ଭୂତାଣୁର ଦାଉରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସ୍ବାଧୀନ ନାଗରିକ ଭାବେ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ଆମର ଦାୟିତ୍ବ। ‘ସମ୍ବାଦ’ ପରିବାର ଏହି ଦାୟିତ୍ବ ନିର୍ବାହ କରିବା ପାଇଁ ଆଦୌ ସ‌େଙ୍କାଚ କରୁ ନାହିଁ। ବିଜ୍ଞାନର ସକଳ ସଫଳତା ସତ୍ତ୍ବେ ଏହି ଭୂତାଣୁର ପ୍ରତିରୋଧ ନିମନ୍ତେ ଏ ପର୍ଯ୍ୟନ୍ତ କୌଣସି ଟୀକା କିମ୍ବା ଔଷଧର ଆବିଷ୍କାର ହୋଇନାହିଁ। ସାମାଜିକ ଦୂରତ୍ବ ହିଁ ଏକମାତ୍ର କୌଶଳ। ସରକାର ମଧ୍ୟ ଏହା ଉପରେ ସର୍ବାଧିକ ଗୁରୁତ୍ବ ଦେଇ ଯାବତୀୟ କଟକଣା ଲାଗୁ କରିଛନ୍ତି। ଗୋଟିଏ ଜାଗାରେ ସାତ ଜଣରୁ ଅଧିକ ଲୋକ ଏକାଠି ହେବା ଅନୁଚିତ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ‘ସମ୍ବାଦ’ ପରି ସମ୍ବାଦପତ୍ରର ପ୍ରସ୍ତୁତି, ମୁଦ୍ରଣ ଏବଂ ବିଶେଷ କରି ବିତରଣ ପାଇଁ ଶହ ଶହ ଲୋକଙ୍କ ଅଂଶଗ୍ରହଣ ଆବଶ୍ୟକ। ଗୋଟିଏ ପଟେ ସମୟର ଆହ୍ବାନ ଏବଂ ଆଉ ଗୋଟେ ପଟେ ସମ୍ବାଦର ସ୍ବାଭାବିକ ମୁଦ୍ରଣ ଏ ଦିଇଟି ଭିତରୁ ବାଧ୍ୟ ହୋଇ ଆମେ ପ୍ରଥମଟିକୁ ବାଛୁଛୁ। ଏଥିପାଇଁ ଆସନ୍ତାକାଲିଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ‘ସମ୍ବାଦ’ର ମୁଦ୍ରଣ ବନ୍ଦ ରହିବ। ଏହାଦ୍ବାରା ପାଠକପାଠିକାଙ୍କୁ ଆମେ ଆତଙ୍କିତ କରିବା ଲାଗି ଚାହୁଁ ନାହୁଁ। ମାତ୍ର ଏହି ନିଷ୍ପତ୍ତି ଫଳରେ ‘ଭିଡ଼ ନିୟନ୍ତ୍ରଣ’ ଦିଗରେ ସରକାରଙ୍କୁ ଆମେ ସହଯୋଗ କରିପାରିବୁ, ଯାହା ବର୍ତ୍ତମାନ ସବୁଠାରୁ ଜରୁରି ଆବଶ୍ୟକତା।

ଏକଥା ଉଲ୍ଲେଖ କଲା ବେଳେ ଆମେ ଖବର ସରବରାହର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆମ ଦାୟିତ୍ବରୁ ବିଚ୍ୟୁତ ହେବାକୁ ଚାହୁଁ ନାହୁଁ। ସେଥିପାଇଁ, ନ୍ୟୁଜପ୍ରିଣ୍ଟରେ ‘ସମ୍ବାଦ’ ଛପା ନ ଗଲେ ମଧ୍ୟ ପ୍ରତ୍ୟହ ଏହାର ଇ-ପେପର ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏହି ଇ-ପେପର (www.sambadepaper.com) ମାଧ୍ୟମରେ ଆମେ ସବୁପ୍ରକାର ଖବର ଆମର ପାଠକପାଠିକାଙ୍କୁ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛୁ। ଏ ବିପଦ ସମୟରେ ଆଧୁନିକ କାରିଗରୀ କୌଶଳକୁ ଆମେ ବ୍ୟବହାର କରିବା ଆବଶ୍ୟକ। ଆମର ସହୃଦୟ ପାଠକପାଠିକା ଏହି ପରିସ୍ଥିତିକୁ ହୃଦୟଙ୍ଗମ କରିବେ ବୋଲି ମୋର ବିଶ୍ବାସ।

ଏକ ଦାୟିତ୍ବପୂର୍ଣ୍ଣ ଗଣମାଧ୍ୟମ ଭାବରେ ଆମେ ଆମର ପାଠକମାନଙ୍କୁ ଆଉ ଗୋଟିଏ ନିବେଦନ କରିବାକୁ ଚାହୁଁଛୁ। ବର୍ତ୍ତମାନର ସମୟ ଶୃଙ୍ଖଳା, ସଂଯମ ଏବଂ ସତର୍କତା ଆବଶ୍ୟକ କରେ। ତାହା ବଦଳରେ ଯଦି ପରସ୍ପର ପ୍ରତି ଅସହିଷ୍ଣୁତା, ସନ୍ଦେହ ଏବଂ ହିଂସାଭାବ ବଢ଼େ ତାହାହେଲେ ସେ ପରିସ୍ଥିତି ଆମର ସାମାଜିକ ସଂହତିକୁ ବିପନ୍ନ କରିଦେବ। ଘରକୁ ଫେରି ଆସିଥିବା ପ୍ରବାସୀଙ୍କୁ ଅଯଥା ସନ୍ଦେହ ଗ୍ରହଣଯୋଗ୍ୟ ନୁହେଁ। ଅନାବଶ୍ୟକ ଭାବେ ଗୁଡ଼ାଏ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା, ବ୍ୟାଙ୍କରେ ନଗଦ ଟଙ୍କା ଲାଗି ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା, କରୋନା ଦୂର କରିବା ଲାଗି ଧର୍ମପୀଠରେ ଯଜ୍ଞ, ସଂକୀର୍ତ୍ତନ ଆଦି କରିବା ଦ୍ବାରା ଆମେ ପୁଣି ଭିଡ଼ ସୃଷ୍ଟିର ଆଶଙ୍କା ତିଆରି କରୁଛୁ। କରୋନା ପରିସ୍ଥିତିର ମୁକାବିଲା କରିବା ଲାଗି ଆମେ ସାମାଜିକ ଦୂରତ୍ବ ସାଙ୍ଗକୁ ମାନସିକ ଏକତା ପ୍ରତି ମଧ୍ୟ ଗୁରୁତ୍ବ ଦେବା ଉଚିତ। ତାହା ଦ୍ବାରା ଆମେମାନେ ସମସ୍ତେ ଏହି ଦୁଃସମୟକୁ ଯଥାଶୀଘ୍ର ଅତିକ୍ରମ କରି ପୁଣି ଥରେ ସ୍ବାଭାବିକ ବ୍ୟବସ୍ଥାକୁ ଫେରିପାରିବା।

ସମ୍ବନ୍ଧିତ ଖବର